ମୁଁ ଚତୁର୍ଥ ଦିବସରେ ପହଞ୍ଚିଲି; ମୁଁ ପହଞ୍ଚିଲା ବେଳକୁ ପ୍ରାୟ ଅପରାହ୍ଣ ହୋଇସାରିଥିଲା।
ଚେନ୍ନାଇରୁ ୱାୟନାଡ଼କୁ ଯାତ୍ରା କରିବା ସମୟରେ, ମୁଁ ସ୍ୱେଚ୍ଛାସେବୀଙ୍କ ସହିତ ଜଳମଗ୍ନ ହୋଇ ଯାଇଥିବା ଇଲାକା ଦେଇ ଗଲି। କୌଣସି ବସ୍ ନଥିଲା ଏବଂ ମୋତେ ଅଜଣା ଲୋକଙ୍କଠାରୁ ଲିଫ୍ଟ ମାଗି ଯିବାକୁ ପଡ଼ିଲା।
ଏହି ସ୍ଥାନ ଯୁଦ୍ଧକ୍ଷେତ୍ର ଭଳି ଲାଗୁଥିଲା, ଯେଉଁଠି ଆମ୍ବୁଲାନ୍ସ ଯାତାୟାତ କରୁଥିଲା। ଲୋକମାନେ ଓଜନିଆ ମେସିନ୍ ସହାୟତାରେ ଶବ ସନ୍ଧାନ କରିବାରେ ବ୍ୟସ୍ତ ଥିଲେ। ସୁ Aରଲ୍ମାଲା, ଆଟ୍ଟାମାଲା ଓ ମୁଣ୍ଡକ୍କଇ ସହର ଭଗ୍ନସ୍ତୁପରେ ବଦଳି ସାରିଥିଲା। ବାସୋପଯୋଗୀ ସ୍ଥାନ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇସାରିଥିଲା। ନିବାସୀଙ୍କ ଜୀବନ ବରବାଦ୍ ହୋଇଯାଇଥିଲା ଏବଂ ସେମାନେ ନିଜ ପ୍ରିୟଜନଙ୍କ ଶବକୁ ମଧ୍ୟ ଚିହ୍ନି ପାରୁନଥିଲେ।
ନଦୀ ତଟ ମାଟିଗଦା ଓ ଶବରେ ଭର୍ତ୍ତି ହୋଇସାରିଥିଲା, ସେଥିପାଇଁ ଉଦ୍ଧାରକାରୀ ଦଳ ଓ ଶବ ସନ୍ଧାନ କରୁଥିବା ପରିବାରର ସଦସ୍ୟଙ୍କୁ ନଦୀ କୂଳକୁ ଯିବା ଏବଂ ବାଲିରେ ପୋତି ହୋଇଯିବାରୁ ବର୍ତ୍ତିବା ପାଇଁ ଲାଠି ବ୍ୟବହାର କରିବାକୁ ପଡ଼ୁଥିଲା। ମୋ ପାଦ ବାଲିରେ ଫସିଗଲା। ଶବ ଚିହ୍ନଟ କରିବା ଅସମ୍ଭବ ଥିଲା, ସେଗୁଡ଼ିକ କେବଳ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ି ରହିଥିଲା। ପ୍ରକୃତି ସହ ମୋର ଏକ ନିବିଡ଼ ସମ୍ପର୍କ ରହିଛି, କିନ୍ତୁ ଏହି ଅନୁଭୂତି ମୋତେ ଭୟଭୀତ କରି ଦେଇଥିଲା।
ଭାଷାଗତ ବାଧକତା କାରଣରୁ, ମୁଁ କେବଳ ପ୍ରଳୟର ମୁକସାକ୍ଷୀ ସାଜି ପାରିଲି। ସେମାନଙ୍କୁ ସମସ୍ୟାରେ ପକାଇବାରୁ ମୁଁ ନିଜକୁ ରୋକିଦେଲି। ମୁଁ ଆରମ୍ଭରୁ ଏଠାକୁ ଆସିବାକୁ ଚାହୁଁଥିଲି, କିନ୍ତୁ ଖରାପ ସ୍ୱାସ୍ଥ୍ୟ କାରଣରୁ ଆସିପାରିନଥିଲି।
ପ୍ରବାହିତ ଜଳର ପଥ ଅନୁସରଣ କରି ମୁଁ ପ୍ରାୟ ତିନି କିଲୋମିଟର ଚାଲିଲି। ଘର ସବୁ ମାଟିରେ ପୋତି ହୋଇଯାଇଥିଲା ଏବଂ କେତେକ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। ସବୁଆଡ଼େ ମୁଁ ସ୍ୱେଚ୍ଛାସେବୀମାନଙ୍କୁ ଦେଖିଲି ଯେଉଁମାନେ ଶବଗୁଡ଼ିକୁ ଖୋଜୁଥିଲେ। ଏପରିକି ସେନା ଯବାନମାନେ ଶବ ଖୋଜିବାରେ ବ୍ୟସ୍ତ ଥିଲେ। ମୁଁ ଦୁଇ ଦିନ ପାଇଁ ରହିଲି ଏବଂ ସେହି ସମୟରେ ଆଦୌ ଶବ ମିଳିଲା ନାହିଁ, କିନ୍ତୁ ସନ୍ଧାନ ନିରନ୍ତର ଭାବେ ଜାରି ରହିଥିଲା। ସମସ୍ତେ ମିଳିତ ଭାବେ କାମ କରୁଥିଲେ, କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନଥିଲେ, ପରସ୍ପର ସହ ଖାଦ୍ୟ ଓ ଚା’ ବାଣ୍ଟି ଖାଉଥିଲେ। ଏହି ଏକତା ଭାବନା ମୋତେ ଚକିତ କରିଦେଲା।

ସୁରଲ୍ମାଲା ଓ ଆଟ୍ଟାମାଲା ଗ୍ରାମ ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା। ସ୍ୱେଚ୍ଛାସେବୀମାନଙ୍କୁ ଖୋଳିବା ମେସିନ୍ ବ୍ୟବହାର କରିବାକୁ ପଡ଼ିଲା, କିଛି ଲୋକ ସହାୟତା ପାଇଁ ନିଜସ୍ୱ ମେସିନ୍ ଆଣିଥିଲେ
ମୁଁ ଯେତେବେଳେ କିଛି ସ୍ଥାନୀୟ ବାସିନ୍ଦାଙ୍କ ସହ କଥା ହେଲି ସେମାନେ ୮ ଅଗଷ୍ଟ ୨୦୧୯ରେ ପୁତୁମାଲା ନିକଟରେ ହୋଇଥିବା ଏପରି ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ପ୍ରାୟ ୪୦ ଲୋକଙ୍କର ପ୍ରାଣହାନି ଘଟିଥିଲା ଏବଂ ୨୦୨୧ରେ ହୋଇଥିବା ଆଉ ଏକ ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା। ତୃତୀୟ ଥର ପାଇଁ ଏପରି ଘଟଣା ଘଟିଛି। ଏଥିରେ ପ୍ରାୟ ୪୩୦ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ୧୫୦ ଜଣ ନିଖୋଜ ହୋଇଯାଇଛନ୍ତି।
ଶେଷ ଦିନ ମୁଁ ଯେତେବେଳେ ସେଠାରୁ ବାହାରିଲି, ପୁତୁମାଲା ନିକଟରେ ଆଠଟି ଶବ ପୋତା ହୋଇଥିବା ମୋତେ ସୂଚନା ମିଳିଥିଲା। ସବୁ ଧର୍ମ (ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲିମ ଓ ଅନ୍ୟାନ୍ୟ) ର ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ଏବଂ ସବୁ ରୀତିନୀତି ମୁତାବକ ସତ୍କାର କରାଯାଇଥିଲା। ଆଠଟି ଶବ କାହାର କେହି ଜାଣିନଥିଲେ, କିନ୍ତୁ ମିଳିମିଶି ସମସ୍ତେ ପ୍ରାର୍ଥନା କରିଥିଲେ ଏବଂ ସେଗୁଡ଼ିକୁ ସମାଧି ଦିଆଯାଇଥିଲା।
କାନ୍ଦିବାର ଶବ୍ଦ ଆଦୌ ଶୁଭୁନଥିଲା। ବର୍ଷା ଲାଗି ରହିଥିଲା।
ଏଠାରେ କାହିଁକି ଏଭଳି ସଂକଟ ବାରମ୍ବାର ଘଟୁଛି? ସମ୍ପୂର୍ଣ୍ଣ ଅଞ୍ଚଳ ମାଟି ଓ ପଥରର ମିଶ୍ରଣ ଭଳି ଲାଗୁଥିଲା ଯାହା ଅସ୍ଥିରତାର ଏକ କାରଣ ହୋଇପାରେ। ଫଟୋ ନେବା ବେଳେ ମୋତେ ଏହି ମିଶ୍ରଣ ବ୍ୟତୀତ ଆଉ କିଛି ଦେଖାଗଲା ନାହିଁ - କୌଣସି ପାହାଡ଼ କିମ୍ବା ପଥର ନୁହେଁ।
ଏହି ଅଞ୍ଚଳ ପାଇଁ ଲଗାତାର ବର୍ଷା ଅପ୍ରତ୍ୟାଶିତ ଥିଲା ଏବଂ ରାତି ଗୋଟାଏରୁ ଭୋର୍ ୫ଟା ପର୍ଯ୍ୟନ୍ତ ହୋଇଥିବା ବର୍ଷା ଯୋଗୁଁ ଅସ୍ଥିର ମାଟି ଧସିଯାଇଥିଲା। ରାତିରେ ତିନୋଟି ଭୁସ୍ଖଳନ ହୋଇଥିଲା। ମୁଁ ଯେଉଁ କୋଠା ଓ ସ୍କୁଲ୍ ଦେଖିଲି, ମୋତେ ଏହାର ସ୍ମରଣ କରାଇ ଦେଉଥିଲା। ସ୍ୱେଚ୍ଛାସେବୀଙ୍କ ସହ କଥା ହୋଇ ମୁଁ ଜାଣିପାରିଲି ଯେ ସମସ୍ତେ ସେଠାରେ ଫସି ରହିଥିଲେ, ଏପରି ସନ୍ଧାନ କାର୍ଯ୍ୟରେ ଲାଗି ରହିଥିବା ଲୋକମାନେ ମଧ୍ୟ ନିଖୋଜ ପ୍ରାୟ ଲାଗୁଥିଲେ। ଆଉ ଯେଉଁମାନେ ସେଠାରେ ରହୁଛନ୍ତି…. ସେମାନେ କେବେ ବି ସମ୍ପୂର୍ଣ୍ଣ ଠିକ୍ ହୋଇପାରିବେ ନାହିଁ।

ୱାୟନାଡ ଦୁର୍ଘଟଣା ଏପରି ଏକ ଅଞ୍ଚଳରେ ଘଟିଛି ଯେଉଁଠାରେ ଅନେକ ଚା ବଗିଚା ଅଛି । ଏଠାରେ ଚା ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କ ଘର ଦୃଶ୍ୟମାନ ହେଉଛି

ମୁଣ୍ଡକଇ ଓ ଚୁରଲମାଲା ଅଞ୍ଚଳରେ ଭାରୀ ବର୍ଷା କାରଣରୁ ବୋହି ଆସିଥିବା ମାଟି ଚିରସ୍ରୋତା ନଦୀ ଜଳରେ ମିଶି ଏହାକୁ ମାଟିଆ ରଙ୍ଗରେ ପରିଣତ କରିଦେଇଛି

ଏହି ଭୂମି ମାଟି ଓ ପଥରର ମିଶ୍ରଣ, ଏବଂ ଭାରୀ ବର୍ଷା କାରଣରୁ ଏହା ଫୁଲି ଯାଇ ଅସ୍ଥିର ହୋଇଯାଇଥାଏ, ଯାହାଫଳରେ ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଥାଏ

ଅତ୍ୟଧିକ ବର୍ଷା ଓ ଦ୍ରୁତ ପ୍ରବାହ କାରଣରୁ ମାଟି ବୋହିଗଲା ଏବଂ ଚା’ ବଗିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା; ସ୍ୱେଚ୍ଛାସେବୀ ବଗିଚାର ଅବଶେଷ ମଧ୍ୟରେ ଶବ ସନ୍ଧାନ କରୁଥିଲେ

ଯେଉଁ ପିଲାମାନେ ଘଟଣାରେ ବର୍ତ୍ତି ଯାଇଥିଲେ ସେମାନେ ମାନସିକ ଆଘାତ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲେ

ମାଟି ଓ ପଥର ତଳେ ଅନେକ ଘର ପୋତି ହୋଇଯାଇଥିଲା

ୱାୟନାଡ଼ରେ ଚା’ ବଗିଚା ଶ୍ରମିକଙ୍କ ଘର ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା

ବନ୍ୟାରେ ଭାସି ଆସିଥିବା ପଥର ଦ୍ୱାରା ଦୁଇ ମହଲା କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା

ଅନେକ ଗାଡ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ଅବ୍ୟବହାରଯୋଗ୍ୟ ହୋଇଯାଇଛି

ସ୍ୱେଚ୍ଛାସେବୀମାନେ କିଛି ସମୟ ପାଇଁ ବିଶ୍ରାମ ନେଉଛନ୍ତି

ଘର ଭାଙ୍ଗିଯିବା କାରଣରୁ ପରିବାରଗୁଡ଼ିକ ସବୁକିଛି ହରାଇଥିଲେ, ସେମାନଙ୍କର ଆସବାବପତ୍ର ଓଦା ମାଟିରେ ପୋତି ହୋଇଯାଇଥିଲା

ସ୍ୱେଚ୍ଛାସେବୀମାନଙ୍କ ସହିତ ମିଶି ସେନା ଯବାନମାନେ ସନ୍ଧାନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି

ଗୋଟିଏ ମସ୍ଜିଦ୍ ପରିସରରେ ସନ୍ଧାନ କାର୍ଯ୍ୟ ଚାଲିଛି


ମେସିନ (ବାମ) ମାଟି ଚଟାଣ ହଟାଇବା ଏବଂ ଲୋକମାନଙ୍କୁ ଖୋଜିବାରେ ସହାୟତା କରୁଛି। ଜଣେ ସ୍ୱେଚ୍ଛାସେବୀ (ଡାହାଣ) ନଦୀ ତଟରେ ଶବରେ ଶବ ଖୋଜୁଛନ୍ତି

ଉଦ୍ଧାର କାର୍ଯ୍ୟରେ ସ୍ୱେଚ୍ଛାସେବୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି

ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି

ଓଦା ମାଟି ଉପରେ ଯାଉଥିବା ସମୟରେ ଫସିଯିବାରୁ ସୁରକ୍ଷିତ ରହିବା ଲାଗି ସ୍ୱେଚ୍ଛାସେବୀମାନେ ଲାଠି ବ୍ୟବହାର କରୁଛନ୍ତି

ମାଟି ଖୋଳିବା ଓ ବାହାର କରିବା ଲାଗି ଖୋଳା ମେସିନ୍ ବ୍ୟବହାର କରାଯାଉଛି

ଏଠି ୱାୟନାଡ଼ରେ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେଉଥିବା ସ୍ଥାନୀୟ ଲୋକ ଓ ଅନ୍ୟମାନେ ଖାଇବା ଲାଗି ସାମାନ୍ୟ ବିରତି ନେଇଛନ୍ତି

ସବୁଠୁ ବେଶୀ ପ୍ରଭାବିତ ହୋଇଥିବା ଗାଁଗୁଡ଼ିକ ମଧ୍ୟରୁ ଅନ୍ୟତମ ପୁତୁମାଲାରେ ୨୦୧୯ ଓ ୨୦୨୧ରେ ଏପରି ବିପର୍ଯ୍ୟୟ ହୋଇଥିଲା

ରାତି ସାରା କାମ କରିଥିବା ସ୍ୱେଚ୍ଛାସେବୀମାନେ ଶବ ପହଞ୍ଚିବାକୁ ଅପେକ୍ଷା କରି ରହିଛନ୍ତି

ଜରୁରୀକାଳୀନ ପୋଷାକ ପିନ୍ଧିଥିବା ସ୍ୱେଚ୍ଛାସେବୀମାନେ ଆମ୍ବୁଲାନ୍ସରୁ ଶବଗୁଡ଼ିକୁ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି

ଶବଗୁଡ଼ିକୁ ପ୍ରାର୍ଥନା ଗୃହକୁ ନିଆଯାଉଛି ଯେଉଁଠି ସବୁ ଧର୍ମର ଲୋକମାନେ ମୃତକଙ୍କ ଲାଗି ପ୍ରାର୍ଥନା କରିବା ଲାଗି ଏକତ୍ରିତ ହୋଇଛନ୍ତି

ମୃତଦେହଗୁଡ଼ିକୁ ଧଳା କପଡ଼ାରେ ଗୁଡ଼ାଇ ନିଆଯାଉଛି

ଅନେକ ଶବ ଚିହ୍ନଟ ହୋଇପାରିନାହିଁ

ପ୍ରାର୍ଥନା ଶେଷ ହେବା ପରେ ପୋତିବା କାର୍ଯ୍ୟ ଆରମ୍ଭ ହେଉଛି

ସ୍ୱେଚ୍ଛାସେବୀମାନେ ରାତିସାରା କାମ କରୁଛନ୍ତି
ଅନୁବାଦ : ଓଡ଼ିଶାଲାଇଭ୍