ମେ ’ ୧ , ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଆମେ ଗୋଣ୍ଡିଆର ମହିଳା ଶ୍ରମିକମାନଙ୍କ ସମ୍ମାନରେ ଏହି ଲେଖାଟିକୁ ପୁନଃ ପ୍ରକାଶିତ କରୁଛୁ , ଯେଉଁମାନଙ୍କର ପରିସ୍ଥିତି ଜାନୁଆରୀ ୨୭ , ୨୦୦୭ରେ ଦି ହିନ୍ଦୁ ଖବରକାଗଜରେ ଏହି କାହାଣୀ ପ୍ରଥମେ ପ୍ରକାଶିତ ହେବା ପରଠାରୁ ଅଧିକ କିଛି ଉନ୍ନତ ହୋଇନାହିଁ ।
ରେବନ୍ତବାଇ କାମ୍ବଲେ କେଇ ମାସ ହେବ ତାଙ୍କ ଛଅ ବର୍ଷର ପୁଅ ସହିତ କଥା ହୋଇନାହାନ୍ତି । ଅବଶ୍ୟ ସେମାନେ ତିରୋରାରେ ସେଇ ଗୋଟିଏ ଘରେ ବାସ କରନ୍ତି । ବୁରିବାଇ ନାଗପୁରେଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ, ଯଦିଓ ସେ ବେଳେ ବେଳେ ତାଙ୍କ ବଡ଼ ପୁଅ ଯଦି ଚେଇଁଥାଏ ତା’କୁ ଦେଖନ୍ତି । ଉଭୟ ମହିଳା ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଏହି ଭାଗରେ ଥିବା ଶହ ଶହ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଦିନରେ ମାତ୍ର ଚାରି ଘଣ୍ଟା ଘରେ ରୁହନ୍ତି ଏବଂ ପ୍ରତି ସପ୍ତାହରେ ଦୈନିକ ଟ. ୩୦ ଉପାର୍ଜନ କରିବା ପାଇଁ ୧,୦୦୦ କିଲୋମିଟରରୁ ଅଧିକ ଯାତ୍ରା କରନ୍ତି ।
ସକାଳ ୬ଟା ସମୟ ଥିଲା, ଯେତେବେଳେ ଆମେ ଏହି ମହିଳାମାନଙ୍କ ସହିତ ସେମାନଙ୍କ ଘରଠାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲୁ । ଅଧିକାଂଶ ଦୁଇ ଘଣ୍ଟା ହେବ ଉଠି ସାରିଥିଲେ । ବୁରିବାଇ ଖୁସିରେ କୁହନ୍ତି, ‘‘ମୁଁ ରୋଷେଇ, ଲୁଗା ସଫା, ଝାଡ଼ୁ ଏବଂ ପୋଛାପୋଛି ସାରି ଦେଇଛି । ତେଣୁ ବର୍ତ୍ତମାନ ଆମେ କଥା ହୋଇପାରିବା ।’’ ଆମେ ପହଞ୍ଚିବା ସମୟରେ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ଉଠି ନଥିଲେ । ସେ କୁହନ୍ତି, ‘‘ଖରାପ କଥା, ସେମାନେ କ୍ଳାନ୍ତ ହୋଇଯାଇଛନ୍ତି ।’’ ବୁରିବାଇ ନିଜେ ମଧ୍ୟ କ୍ଳାନ୍ତ ନୁହଁନ୍ତି କି? ‘‘ହଁ, କିନ୍ତୁ କ’ଣ କରିହେବ? ଆମର କୌଣସି ବିକଳ୍ପ ନାହିଁ ।’’
ଷ୍ଟେସନ୍ରେ ବିକଳ୍ପ ନଥିବା ଆହୁରି ଅନେକ ମହିଳା ଅଛନ୍ତି । ସେମାନେ ମଧ୍ୟ ଅନ୍ୟ ଗୋଟିଏ କାରଣରୁ ଅସ୍ୱାଭାବିକ: ସେମାନେ ଗ୍ରାମରୁ ସହରକୁ ସ୍ଥାନାନ୍ତରିତ ହୋଇନାହାନ୍ତି । ସେମାନେ ଏକ ସହରାଞ୍ଚଳରୁ ଗ୍ରାମମାନଙ୍କରେ କାମ ଚାହୁଁଥିବା ଅନିଶ୍ଚିତ ଶ୍ରମିକ । ଏହି ସନ୍ଧାନ ସେମାନଙ୍କୁ ଏକ ତହସିଲ୍ ମୁଖ୍ୟାଳୟ ହୋଇଥିବା ତିରୋରା ପରି ମଫସଲ ସହରରୁ ସେମାନଙ୍କୁ ସେମାନଙ୍କ ଜୀବନର ପ୍ରାୟ ପ୍ରତ୍ୟେକ ଦିନ ଗ୍ରାମଗୁଡ଼ିକରେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ନେଇଯାଇଥାଏ । ସେମାନେ ପ୍ରତିଦିନ ଘରଠାରୁ ଦୂରରେ ପ୍ରାୟ ୨୦ ଘଣ୍ଟା ପର୍ଯ୍ୟନ୍ତ ସମୟ କାଟନ୍ତି । ସେମାନଙ୍କର କୌଣସି ସପ୍ତାହାନ୍ତ ଛୁଟି ନାହିଁ ଏବଂ ତିରୋରାରେ କୌଣସି କାର୍ଯ୍ୟ ନାହିଁ । ଗୋଣ୍ଡିଆର କିଷାନ ସଭାର ଜିଲ୍ଲା ସଚିବ ମହେନ୍ଦ୍ର ୱାଲ୍ଦେ କୁହନ୍ତି, ‘‘ବିଡ଼ି ଉଦ୍ୟୋଗ ଚାଲିଯିବା ପରେ ଏଠାରେ କାମ ପାଇବା ସେମାନଙ୍କ ପାଇଁ ଅସମ୍ଭବ ।’’


ପ୍ଲାଟଫର୍ମ ଏବଂ ଟ୍ରେନ୍ରେ ବୁରିବାଇ ନାଗପୁରେ ( ବାମ ) ଏବଂ ଶକୁନ୍ତଳା ବାଇ ଆଗାସେ ( ଡାହାଣ ) ଙ୍କ ପରି ଆହୁରି ଅନେକ ମହିଳା ଅଛନ୍ତି , କ୍ଳାନ୍ତ ଚକ୍ଷୁ , ଭୋକିଲା , ଅଧା ଶୋଇଥିବା
ଅନେକ ମହିଳା ରେଳଷ୍ଟେସନ୍ଠାରୁ ପାଞ୍ଚ କିମ୍ବା ଅଧିକ ଦୂରରେ ରୁହନ୍ତି । ବୟସର ୪୦ ଦଶକ ଶେଷ ଭାଗରେ ପହଞ୍ଚି ଥିବା ବୁରିବାଇ କୁହନ୍ତି, ‘‘ତେଣୁ ଆମକୁ ସକାଳ ୪ଟା ସୁଦ୍ଧା ଉଠିବାକୁ ହୁଏ ।’’ ‘‘ଆମେ ଆମର ସମସ୍ତ କାମ ଶେଷ କରୁ ଏବଂ ସକାଳ ୭ଟା ସୁଦ୍ଧା ଷ୍ଟେସନ୍କୁ ବାହାରୁ ।’’ ଏହା ପରେ ଟ୍ରେନ୍ ଭିତରକୁ ଆସେ ଏବଂ ଆମେ ସାଲୱାରୁ ଗ୍ରାମୀଣ ନାଗପୁରକୁ ଯାଉଥିବା ଟ୍ରେନ୍ରେ ଦଳ ଦଳ ହୋଇ ଉଠିଥାଉ । ଏହି ୭୬ କିଲୋମିଟର ଯାତ୍ରା ଦୁଇ ଘଣ୍ଟା ସମୟ ନିଏ । ପ୍ଲାଟଫର୍ମ ଏବଂ ଟ୍ରେନ୍ରେ ଆହୁରି ଅଧିକ ମହିଳା ଅଛନ୍ତି, ବ୍ୟସ୍ତ ଚକ୍ଷୁ, ଭୋକିଲା, ଅଧା ଶୋଇଥିବା । ଅଧିକାଂଶ ଗହଳି ଟ୍ରେନ୍ର ଚଟାଣରେ, ଡବାର କାନ୍ଥକୁ ଆଉଜି ବସନ୍ତି, ସେମାନଙ୍କର ଷ୍ଟେସନ୍ ଆସିବା ପୂର୍ବରୁ କିଛି ନିଦ୍ରା ପାଇଯିବାକୁ ଚେଷ୍ଟା କରନ୍ତି । ନାଗପୁର ଜିଲ୍ଲାର ମୌଦା ତହସିଲରେ ଥିବା ସଲୱା ଗ୍ରାମରେ ମାତ୍ର ୧୦୫ଟି ପରିବାର ଏବଂ ୫୦୦ରୁ କମ୍ ବାସିନ୍ଦା ଅଛନ୍ତି ।
ବୟସର ୨୦ ଦଶକରେ ଥିବା ରେବନ୍ତବାଇ କୁହନ୍ତି, ‘‘ଆମେ ରାତି ୧୧ଟାରେ ଘରେ ପହଞ୍ଚିବୁ । ଆମେ ଅଧା ରାତି ବେଳକୁ ଶୋଇବୁ ଏବଂ ପରଦିନ ସକାଳ ୪ଟାରେ ପୁଣି ଆରମ୍ଭ କରିବୁ । ମୁଁ ମୋର ଛଅ ବର୍ଷର ସନ୍ତାନକୁ ଅନେକ ଦିନ ହେବ ଚେଇଁଥିବା ଦେଖିନାହିଁ ।’’ ଏହା ପରେ ସେ ହସନ୍ତି: ‘‘କିଛି ଛୋଟ ପିଲା ହୁଏତ ସେମାନଙ୍କ ମାଆମାନଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ ।’’ ସେମାନଙ୍କର ପିଲାମାନେ ହୁଏତ ସ୍କୁଲ୍ ଛାଡ଼ନ୍ତି କାରଣ ସେମାନେ ଏହି ଖର୍ଚ୍ଚ ତୁଲାଇ ପାରିବେ ନାହିଁ କିମ୍ବା ଖୁବ୍ ଖରାପ ପଢ଼ନ୍ତି । ବୁରିବାଇ ଦର୍ଶାନ୍ତି, ‘‘ଘରେ ଦେଖିବାକୁ କିମ୍ବା ସାହାଯ୍ୟ କରିବାକୁ କେହି ନାହାନ୍ତି’’ ଏବଂ କିଛି ଛୋଟ ପିଲା ସେମାନେ ପାଉଥିବା କିଛି କାମ ମଧ୍ୟ କରନ୍ତି ।
ତିରୋରାରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷୟିତ୍ରୀ ଲତା ପାପନ୍କାର କୁହନ୍ତି, ‘‘ସ୍ୱାଭାବିକ ଭାବରେ ସେମାନେ ସ୍କୁଲ୍ରେ ଖରାପ ପ୍ରଦର୍ଶନ କରନ୍ତି । ସେମାନଙ୍କୁ କିଏ ଦୋଷ ଦେବ?’’ ମନେହେଉଛି ମହାରାଷ୍ଟ୍ର ସରକାର କରିପାରିବେ । ଏସବୁ ପିଲାମାନଙ୍କର ପ୍ରଦର୍ଶନକୁ ସ୍କୁଲ୍ଗୁଡ଼ିକ ବିପକ୍ଷରେ ଗ୍ରହଣ କରାଯାଏ ଯେଉଁମାନେ କି ପାଣ୍ଠି ହରାଇ ପାରନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ଶିକ୍ଷକମାନଙ୍କ ବିପକ୍ଷରେ ମଧ୍ୟ, ଯେଉଁମାନଙ୍କୁ ଖରାପ ଫଳ ପରିଣାମ ପାଇଁ ଦଣ୍ଡିତ କରାଯାଇପାରେ । ଏହା ଏକ ଦୃଷ୍ଟିକୋଣ ଯାହା ସେମାନେ ସ୍କୁଲ୍ ଯିବାର ସୁଯୋଗକୁ ଆହୁରି କ୍ଷୀଣ କରିଦେବ ।
ବୟସର ପାଖାପାଖି ୫୦ ବର୍ଷ ବୟସର ଶକୁନ୍ତଳାବାଇ ଆଗାସେ ଟ୍ରେନ୍ର ଦୋହଲୁଥିବା ଚଟାଣରେ ବସି କୁହନ୍ତି ସେ ୧୫ ବର୍ଷ ହେବ ଏହା କରିଆସୁଛନ୍ତି । କେବଳ ପର୍ବପର୍ବାଣୀ କିମ୍ବା ମୌସମୀ ସମୟରେ ଛୁଟି ମିଳେ । ସେ କୁହନ୍ତି, ‘‘କିଛି ପ୍ରକାରର କାମ ପାଇଁ ଆମକୁ ଟ. ୫୦ ଦିଆଯାଇପାରେ । କିନ୍ତୁ ତାହା ବିରଳ । ଅଧିକାଂଶ ସମୟରେ ଏହା ଟ. ୨୫-୩୦ ।’’ ମହିଳାମାନେ କୁହନ୍ତି ସେମାନଙ୍କ ସହରରେ କୌଣସି କାମ ନାହିଁ।


ରେବନ୍ତବାଇ କାମ୍ବଲେ ( ନାଲିରେ , ବାମ ), ଶକୁନ୍ତଳାବାଇ ଏବଂ ବୁରିବାଇ ( ଡାହାଣ ) ସେମାନଙ୍କ ଘରେ ମାତ୍ର ଚାରି ଘଣ୍ଟା କଟାନ୍ତି ଏବଂ ଦୈନିକ ଅଳ୍ପ କିଛି ଟଙ୍କା ଉପାର୍ଜନ ପାଇଁ ସପ୍ତାହକୁ ୧ , ୦୦୦ କିମିରୁ ଅଧିକ ଯାତ୍ରା କରନ୍ତି
ଏଠାରେ ଥିବା ଅର୍ଥ ସହରକୁ ଉଡ଼ିଯାଇଛି । ସେଠାରେ ଥିବା ଶିଳ୍ପଗୁଡ଼ିକ ବନ୍ଦ ହୋଇଯାଇଥିଲା । ମଫସଲ ସହରଗୁଡ଼ିକ ନଷ୍ଟ ହେଉଛି । ଅତୀତରେ ଏହି ମହିଳାମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ବିଡ଼ି ଉଦ୍ୟୋଗରେ କାମ ପାଇଯାଉଥିଲେ । ବୁରିବାଇ କୁହନ୍ତି, ‘‘ଯେତେବେଳେ ତାହା ଚାଲିଗଲା ଆମେ ଶେଷ ହୋଇଗଲୁ। ବିଡ଼ି ହେଉଛି ଏକ ଅନିଶ୍ଚିତ ଉଦ୍ୟୋଗ, ସବୁ ସମୟରେ ଶସ୍ତା ଶ୍ରମିକ ଖୋଜୁଥାଏ’’, ଏହା କୁହନ୍ତି ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପ୍ମେଣ୍ଟ୍ ଷ୍ଟଡିଜ୍ର କେ. ନାଗରାଜ । କିଷାନ ସଭାର ପ୍ରତୀପ ପାପନକର କୁହନ୍ତି, ‘‘ଏହା ଖୁବ୍ ଶୀଘ୍ର ଆଧାର ସ୍ଥାନାନ୍ତର କରେ । ଏଭଳି ସ୍ଥାନାନ୍ତରର ମାନବୀୟ ପରିଣାମ ବିପର୍ଯ୍ୟୟକାରୀ । ଏବଂ ଏହି ଗତ ୧୫ ବର୍ଷରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ବିଡ଼ି କାମ ଗୋଣ୍ଡିଆରୁ ଉତ୍ତରପ୍ରଦେଶ ଏବଂ ଛତିଶଗଡ଼କୁ ଚାଲିଯାଇଛି ।’’
ଏହି ମହିଳାମାନେ କୁହନ୍ତି, ‘‘ଅବଶ୍ୟ ଆମେ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଟିକେଟ୍ କିଣୁନି । ଯିବା ଆସିବା ଟିକେଟ୍ ଆମେ ଉପାର୍ଜନ କରୁଥିବା ଟ. ୩୦ଠାରୁ ଅଧିକ ହୋଇଯିବ । ଆମ ବ୍ୟବସ୍ଥା ସରଳ: ଯଦି ଆମେ ଧରା ପଡ଼ୁ, ଆମେ ଯାଞ୍ଚକାରୀଙ୍କୁ ଟ. ୫ର ଲାଞ୍ଚ ଦେଉ ।’’ ଟିକେଟ୍ ବିକ୍ରି ଘରୋଇକରଣ ହୋଇଛି । ‘‘ଆମେ ଏହାର ଖର୍ଚ୍ଚ ବହନ କରିପାରିବୁ ନାହିଁ ଜାଣି ମଧ୍ୟ ସେମାନେ ଆମଠାରୁ ଏହା ଆଦାୟ କରନ୍ତି ।’’
ବୁରିବାଇ କୁହନ୍ତି, ‘‘ମୋ ବଡ଼ ପୁଅ ବେଳେ ବେଳେ ତା’ ସାଇକେଲ୍ରେ ମୋତେ ଷ୍ଟେସନ୍ରେ ଛାଡ଼ି ଦିଏ । ଏହା ପରେ ସେ ଯାହା ମଜୁରୀ ମିଳୁ ମଧ୍ୟ ଯେ କୌଣସି କାମ ପାଇବା ପାଇଁ ଏଠାରେ ରୁହେ । ମୋ ଝିଅ ଘରେ ରୋଷେଇ କରେ । ଏବଂ ମୋ ଦ୍ୱିତୀୟ ପୁଅ ତା’ ଭାଇ ପାଇଁ ଖାଇବା ନେଇଯାଏ ।’’ ୱାଲ୍ଦେ ସଂକ୍ଷେପରେ କୁହନ୍ତି, ‘‘ତିନି ଜଣ ଲୋକ ଗୋଟିଏ ମଜୁରୀ ପାଇଁ କାମ କରୁଛନ୍ତି ।’’ କିନ୍ତୁ ତାଙ୍କ ପରିବାରର ସମସ୍ତ ପାଞ୍ଚ ଜଣ ଯାକ ସଦସ୍ୟ, ତାଙ୍କ ସ୍ୱାମୀଙ୍କ ସମେତ, ଅନେକ ସମୟରେ ଦିନକୁ ଟ. ୧୦୦ରୁ କମ୍ ଉପାର୍ଜନ କରନ୍ତି । ଅନେକ ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ କିଛି ରୋଜଗାର ମଧ୍ୟ କରିପାରନ୍ତି ନାହିଁ ଏବଂ ସେମାନଙ୍କର ମଧ୍ୟ ଏକ ବିପିଏଲ୍ ରାସନ୍ କାର୍ଡ ମଧ୍ୟ ନାହିଁ ।
ରାସ୍ତାରେ ଥିବା ଷ୍ଟେସନ୍ଗୁଡ଼ିକରେ ଶ୍ରମିକ ଠିକାଦାରମାନେ ଅଛନ୍ତି, ସେମାନେ ଶସ୍ତାରେ ଶ୍ରମିକମାନଙ୍କୁ ପାଇବା ପାଇଁ ଅପେକ୍ଷା କରିଛନ୍ତି ।
ସକାଳ ପ୍ରାୟ ୯ଟା ବେଳେ ସାଲ୍ୱାରେ ପହଞ୍ଚିବା ପରେ ଆମେ ସେହି ଗାଁକୁ ଏକ କିଲୋମିଟର ଚାଲିଲୁ ଏବଂ ଜମି ମାଲିକ ପ୍ରଭାକର ବନ୍ଜାରେଙ୍କ ଘରେ ଅଳ୍ପ ସମୟ ରହିବା ପରେ ଜମିକୁ ଯିବା ପାଇଁ ଆହୁରି ତିନି କିଲୋମିଟର ଚାଲିଲୁ । ବୁରିବାଇ ସେହି ଶେଷ ଯାତ୍ରା ତାଙ୍କ ମୁଣ୍ଡରେ ପାଣିର ଏକ ବଡ଼ ହାଣ୍ଡି ନେଇ ଚାଲୁଥିଲେ, ତଥାପି ସେ ଆମ ସମସ୍ତଙ୍କଠାରୁ ଆଗରେ ଥିଲେ ।


ଶକୁନ୍ତଳାବାଇ ଏବଂ ବୁରିବାଇ : ଏହି ମହିଳାମାନେ ଘରକୁ ଆସିବା ବେଳକୁ ସେମାନଙ୍କ ପରିବାର ଶୋଇପଡ଼ିଥା ’ ନ୍ତି ଏବଂ ସେମାନେ ସକାଳେ କାମକୁ ବାହାରିବା ବେଳକୁ ଶୋଇଥା ’ ନ୍ତି
ଯେଉଁମାନଙ୍କ ଜମିରେ ସେମାନେ ସାମାନ୍ୟ ଉପାର୍ଜନ ପାଇଁ ପରିଶ୍ରମ କରନ୍ତି ସେମାନେ ମଧ୍ୟ ସମସ୍ୟାରେ ଅଛନ୍ତି । କୃଷି ବିପର୍ଯ୍ୟୟ ବନ୍ଜାରେଙ୍କୁ ଖୁବ୍ କଦର୍ଯ୍ୟ ଆଘାତ ଦେଇଛି । ତାଙ୍କର ତିନି ଏକର ନିଜ ଜମି ରହିଛି ଏବଂ ୧୦ ଏକର ଭାଗ ନେଇଛନ୍ତି । ସେ ଅଭିଯୋଗ କରନ୍ତି, ‘‘ଦାମ୍ ଖୁବ୍ ଖରାପ, ଆମେ ପ୍ରାୟ କିଛି ଉପାର୍ଜନ କରୁନାହିଁ ।’’ ଏବଂ ଏହି ଗ୍ରାମରେ ବାସ କରୁଥିବା ଶ୍ରମିକମାନେ ହତାଶାରେ ଅନ୍ୟ କେଉଁ ଆଡ଼କୁ ଚାଲିଯାଇଛନ୍ତି । ତେଣୁ ଏହି ମହିଳାମାନେ ଆସୁଛନ୍ତି ।
ଏହା ହେଉଛି ପୂର୍ବ ବିଦର୍ଭ, ଯାହା ସମସ୍ୟା ଜର୍ଜରିତ କପା ଚାଷ ଅଞ୍ଚଳରୁ ଦୂରରେ ରହିଛି । ବନ୍ଜାରେ ଗହମ, ଲଙ୍କା ଏବଂ ଅନ୍ୟ ଫସଲ ଚାଷ କରନ୍ତି । ବର୍ତ୍ତମାନ ସେ ଏହି ମହିଳାମାନଙ୍କୁ ଅଦରକାରୀ ତ୍ରୁଣ ବାଛିବା ପାଇଁ କାମରେ ରଖିଛନ୍ତି । ସେମାନେ ଅପରାହ୍ଣ ୫ଟା ୩୦ ପର୍ଯ୍ୟନ୍ତ କାମ କରନ୍ତି ଏବଂ ଗୋଟେ ଘଣ୍ଟା ପରେ ଷ୍ଟେସନ୍କୁ ଯାଆନ୍ତି ।
ବୁରିବାଇ ଦର୍ଶାନ୍ତି, ‘‘କିନ୍ତୁ ଟ୍ରେନ୍ ରାତି ୮ଟା ବେଳକୁ ହିଁ ଆସେ । ତେଣୁ ଆମେ ପ୍ରାୟ ରାତି ୧୦ଟା ସମୟରେ ତିରୋରାରେ ପହଞ୍ଚୁ।’’ ଏହି ମହିଳାମାନେ ଘରକୁ ଯିବା ବେଳକୁ ସେମାନଙ୍କ ପରିବାର ଶୋଇପଡ଼ିଥା’ନ୍ତି ଏବଂ ସକାଳେ ସେମାନେ ବାହାରିବା ବେଳକୁ ମଧ୍ୟ ଶୋଇଥା’ନ୍ତି । ରେବନ୍ତବାଇ ପଚାରନ୍ତି, ‘‘ଏଥିରେ ପାରିବାରିକ ଜୀବନ କ’ଣ ହେବ?’’
ସେମାନେ ଘରେ ପହଞ୍ଚିବା ସମୟ ବେଳକୁ, ସେମାନେ ୧୭୦ କିଲୋମିଟରରୁ ଅଧିକ ଯାତ୍ରା କରିସାରିଛନ୍ତି । ଏବଂ ଟ. ୩୦ ଉପାର୍ଜନ କରିବା ପାଇଁ ସପ୍ତାହର ପ୍ରତ୍ୟେକ ଦିନ ତାହା କରିବେ । ବୁରିବାଇ କୁହନ୍ତି, ‘‘ଆମେ ଖାଇବାକୁ ଏବଂ ଶୋଇବାକୁ ଘରକୁ ରାତି ୧୧ଟା ସୁଦ୍ଧା ଆସୁ ।’’ ଚାରି ଘଣ୍ଟା ସମୟ ପର୍ଯ୍ୟନ୍ତ, ଯେତେବେଳେ ସେମାନଙ୍କୁ ଉଠିବାକୁ ହେବ ଏବଂ ଏହା ପୁଣି ଥରେ କରିବାକୁ ହେବ ।
ଅନୁବାଦ: ଓଡ଼ିଶାଲାଇଭ୍