ଯେତେବେଳେ ବନ୍ୟା ଜଳ ବଢ଼ିବା ଆରମ୍ଭ ହେଲା, ପାର୍ବତୀ ବାସୁଦେବ ତାଙ୍କ ସ୍ୱାମୀଙ୍କର ମୁକୁଟ ସାଙ୍ଗରେ ନେଇ ଘରୁ ବାହାରିଗଲେ। "ଆମେ କେବଳ ସାଙ୍ଗରେ ଏଇଟି ଏବଂ ଚିପଲି (ଏକ ବାଦ୍ୟ ଯନ୍ତ୍ର) ସାଙ୍ଗରେ ଆଣିଥିଲୁ। ପରିସ୍ଥିତି ଯାହା ହେଉନା କାହିଁକି ଆମେ ଏହି ମୁକୁଟ ଛାଡ଼ିପାରିବୁ ନାହିଁ," ସେ କହିଲେ। ଏହି ମୁକୁଟରେ ଲାଗିଛି ମୟୂର ଚୂଳ ଏବଂ ତାଙ୍କ ସ୍ୱାମୀ ଗୋପାଳ ବାସୁଦେବ ଭକ୍ତି ସଙ୍ଗୀତ ଗାଇବା ସମୟରେ ଏହା ପିନ୍ଧିଥାନ୍ତି।
ଅଗଷ୍ଟ ୯ ତାରିଖ ଦିନ, ୭୦ ବର୍ଷରୁ ଅଧିକ ବୟସ୍କ ଗୋପାଳ ସ୍କୁଲ୍ ଘରର ଗୋଟିଏ କୋଣରେ ବସିଥିଲେ, ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ନିରାଶା ଫୁଟି ଉଠୁଥିଲା। "ମୋର ତିନୋଟି ଛେଳି ମରିଗଲେ ଏବଂ ଯେଉଁ ଗୋଟିଏ ଛେଳି ରକ୍ଷା ପାଇଯାଇଥିଲା ସେଇଟି ମଧ୍ୟ ରୋଗରେ ପଡ଼ି ମରିଗଲା," ସେ କହିଲେ। ଗୋପାଳଙ୍କର ଜାତି ହେଉଛି ବାସୁଦେବ, ଏହି ସମ୍ପ୍ରଦାୟର ଲୋକେ ପ୍ରଭୁ କୃଷ୍ଣଙ୍କର ପୂଜା କରନ୍ତି, ଦ୍ୱାର ଦ୍ୱାର ବୁଲି ଭକ୍ତି ସଙ୍ଗୀତ ଗାନ କରି ଭିକ୍ଷା ସଂଗ୍ରହ କରନ୍ତି। ବର୍ଷାଦିନେ, ସେ ତାଙ୍କର ଗାଁରେ, ଭିଣ୍ଡେୱାଡ଼େ, କୋହ୍ଲାପୁର ଜିଲ୍ଲାର ହଟକାନାଙ୍ଗଲେ ତାଲୁକାରେ, ଚାଷ ଜମିରେ ମଜୁରିଆ ଭାବରେ କାମ କରନ୍ତି। ସେ କାନ୍ଦ କାନ୍ଦ ହୋଇ କହିଲେ "ମାସେ ହେଲାଣି ଜମିରେ କିଛି କାମ ଦାମ ନାହିଁ, ପ୍ରବଳ ବର୍ଷା ଲାଗି ରହିଛି ଓ ଏବେ ପୁଣି ବନ୍ୟା ଆସିଲାଣି।"
ଭିଣ୍ଡେୱାଡ଼େରେ ଚାଷୀମାନେ ଏବର୍ଷ ଖରିଫ୍ ଋତୁର ବୁଣାବୁଣି ବିଳମ୍ବରେ ଜୁଲାଇ ମାସରେ ଆରମ୍ଭ କରିଥିଲେ କାରଣ ବର୍ଷା ଡେରିରେ ଆସିଥିଲା- ପ୍ରଥମ ଅସରା ବର୍ଷା ସାଧାରଣତଃ ଜୁନ୍ ଆରମ୍ଭରେ ହୋଇଥାଏ କିନ୍ତୁ ଏଥର ବର୍ଷା ହେଲା ନାହିଁ ତେଣୁ ସୋୟାବିନ୍, ଚିନାବାଦାମ୍, ଆଖୁ ଫସଲ ପାଇଁ ପାଣି ପାଇଁ ମାସେ ଅପେକ୍ଷା କରିବାକୁ ପଡ଼ିଲା।
ଆସିଫ୍ କେବେ ଭାବିନଥିଲେ ଯେ ସେ ବାହାଘରରେ ଫଟୋଗ୍ରାଫି ପାଇଁ ବ୍ୟବହାର କରୁଥିବା ଡ୍ରୋନ୍ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିପାରିବ: ‘ଆମେ କାହାକୁ ମରିବାକୁ ଦେବୁ ନାହିଁ। ଆମେ ପଶୁମାନଙ୍କୁ ମଧ୍ୟ ରକ୍ଷା କରିବୁ’।
ଭିଣ୍ଡେୱାଡ଼େ ହେଉଛି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ୨୦୦ରୁ ୨୫୦ ଗ୍ରାମ ମଧ୍ୟରୁ ଗୋଟିଏ ଯାହାକି ଅଗଷ୍ଟ ୨ରେ ଆରମ୍ଭ ହୋଇଥିବା ବନ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଏବଂ ଅଗଷ୍ଟ ୧୧ ବେଳକୁ ବନ୍ୟା ଛାଡ଼ିବା ଆରମ୍ଭ ହୋଇଛି (ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶିତ)।
କାକାସୋ ଚଭନ୍, ଭିଣ୍ଡେୱାଡେର ସରପଞ୍ଚ କହନ୍ତି ଯେ ୪୫୦ ପରିବାର ଏବଂ ପ୍ରାୟ ୨୫୦୦ ଲୋକ – ଏହି ଗ୍ରାମର ଜନସଂଖ୍ୟା ୪୬୮୬ ରହିଛି (୨୦୧୧ ଜନଗଣନା) – ଏହି ଗ୍ରାମର ଓ ଆଖପାଖ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୃହ ଓ ରିଲିଫ୍ ଶିବିରକୁ ଏବଂ ଗ୍ରାମ ଉପକଣ୍ଠରେ ଥିବା ସରପଞ୍ଚଙ୍କ ଘରକୁ ସେମାନଙ୍କୁ ନିଆଯାଇଛି, ଯେଉଁଠାରେ ପାଣି ପଶେ ନାହିଁ।
ବାସୁଦେବ, ପାର୍ବତୀ ଏବଂ ତାଙ୍କ ପରିବାର ସହିତ ଅଗଷ୍ଟ ୩ ତାରିଖରେ ଗାଁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ୪ ଦିନ ପରେ, ଯେତେବେଳେ ପାଣି ସ୍କୁଲରେ ମଧ୍ୟ ପ୍ରବେଶ କରିବାକୁ ଲାଗିଲା ସେମାନେ ଗ୍ରାମର ଉପକଣ୍ଠରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଗଲେ। ପାର୍ବତୀଙ୍କର ବୟସ ୭୦ ପାଖାପାଖି । ସେ ଅଗଷ୍ଟ ୯ ତାରିଖରେ ମୋତେ କହିଲେ "ଆମେ ସପ୍ତାହେ ହେଲା ଘର ଛାଡ଼ି ଆସିଲୁଣି। ଆମକୁ ବୋଧେ ଆଉ ମାସେ ଖଣ୍ଡେ ଏଠାରେ ରହିବାକୁ ପଡ଼ିବ। ଆଜି ପିଲାଟିଏ ପହଁରି ପହଁରି ଆସି କହିଲା ଯେ ଆମ ଘର ଭୁଷୁଡ଼ି ପଡ଼ିଛି।"
ଭିଣ୍ଡେୱାଡ଼େରେ ସ୍ଥାନୀୟ ଲୋକଙ୍କର ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ବ୍ୟକ୍ତିବିଶେଷଙ୍କର ଯଥାର୍ଥ ପ୍ରୟାସ ସତ୍ତ୍ୱେ ଅନ୍ୟ ବହୁ ଗ୍ରାମରେ ତଥା ତାଙ୍କ ଗ୍ରାମରେ ବହୁସଂଖ୍ୟକ ପଶୁ ମୃତ୍ୟୁବରଣ କରିଥିଲେ। ଯଦିଓ ଭିଣ୍ଡେୱାଡ଼େରେ କୌଣସି ବ୍ୟକ୍ତିଙ୍କର ଜୀବନ ହାନି ହୋଇନାହିଁ, କୋହ୍ଲାପୁର ଏବଂ ସାଙ୍ଗୋଲି ଜିଲ୍ଲା ବ୍ୟାପୀ ଅତିକମ୍ରେ ୪୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ପୁନା ଡିଭିଜନାଲ୍ କମିଶନର ଏକ ଖବର ରିପୋର୍ଟରେ ସୂଚାଇଛନ୍ତି। ଏବଂ ୪୦୦,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଥିଲା। ବିଶ୍ୱସ୍ତ ଔପଚାରିକ ସୂତ୍ରରୁ ଜଣାପଡ଼ିଛି ଯେ ବ୍ୟାପକ ଫସଲ ହାନି ହୋଇଛି ଯାହାକି ଏପର୍ଯ୍ୟନ୍ତ ହିସାବ କରାଯାଇନାହିଁ।


ପାର୍ବତୀ ବାସୁଦେବ (ବାମ) ଅଗଷ୍ଟ ୧ ତାରିଖ ଦିନ ବନ୍ୟା ପାଣି ବଢ଼ିବା କାରଣରୁ ଘର ଛାଡ଼ି ବାହାରିଲା ବେଳେ ସାଙ୍ଗରେ କେବଳ ସ୍ୱାମୀ ଗୋପାଳ ବାସୁଦେବଙ୍କର (ଡାହାଣ) ମୁକୁଟ ଧରି ଆସିଥିଲେ।

କୃଷକ ପରିବାରଗୁଡ଼ିକ ତରତର ହୋଇ ତାଙ୍କର ଯାହା ସମ୍ଭବ କିଛି ଆସବାବପତ୍ର ସ୍ଥାନୀୟ ବିଦ୍ୟାଳୟର ରିଲିଫ୍ ଶିବିରକୁ ଧରି ଆସିଥିଲେ। ୱର୍ଣ୍ଣା ନଦୀର ବନ୍ୟା ଜଳ (କୃଷ୍ଣାନଦୀର ଉପନଦୀ) ଭିଣ୍ଡେୱାଡ଼େକୁ ଧୋଇ ନେଇଥିଲା। ଏହି ଗ୍ରାମରେ ଥିବା ତିନି ବଖରା ବିଶିଷ୍ଟ ପ୍ରାଥମିକ ବିଦ୍ୟାଳୟ ଏକ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ପାଲଟିଥିଲା, ଏଠାରେ ପ୍ରାୟ ୨୦ଟି ପରିବାର ଆଶ୍ରୟ ନେଇଥିଲେ। ଯେଉଁଠାରେ କେତେକ କୃଷକ ତାଙ୍କ ଗାଈ ଗୋରୁଙ୍କ ଦେଖାଶୁଣା କରୁଥିଲେ, ଆଉ କେତେକ ମଧ୍ୟାହ୍ନ ଭୋଜନ ପାଇଁ ଅପେକ୍ଷା କରିଥିଲେ, ଆଉ କେତେକ ମନ ମାରି ବସିଥିଲେ ଓ ୨୦୦୫ର ବନ୍ୟା କଥା ମନେ ପକାଉଥିଲେ। ଏବର୍ଷ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଖବରରେ କହିଛନ୍ତି ଯେ, କୋହ୍ଲାପୁରରେ ଗୋଟିଏ ମାସରେ ୧୫୯% ବର୍ଷା ହେଉଛି। ନଅ ଦିନ ମଧ୍ୟରେ ୪୮୦ ପ୍ରତିଶତ ବୃଷ୍ଟିପାତ ହୋଇଛି ଏବଂ କେବଳ ଅଗଷ୍ଟ ୫ରୁ ଅଗଷ୍ଟ ୧୦ ମଧ୍ୟରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ ତଥ୍ୟ ଦର୍ଶାଉଛି ଯେ ହଟକାନାଙ୍ଗଲେ ତାଲୁକରେ ୪୫୦ ମିଲିମିଟର ବୃଷ୍ଟିପାତ ହୋଇଛି।

ଅଗଷ୍ଟ ୨ରେ, ଅନୁବାଇ ଭୋସଲେ, ସେ କହନ୍ତି ଯେ ତାଙ୍କର ବୟସ ୯୫ ବର୍ଷ ଏକ ଅଟୋରିକ୍ସାରେ ବସି ଗାଁର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ସେ ଗୋଟା ପଣେ ଥରୁଥିଲେ। କମ୍ବଳ ଘୋଡାଇ ହୋଇଥିଲେ। ସେ ୧୯୫୩ ମସିହାର ବନ୍ୟା ବିପର୍ଯ୍ୟୟ ସହିତ ଏଥର ବନ୍ୟାକୁ ତୁଳନା କରୁଥିଲେ ସେତେବେଳେ ଧୋଣ୍ଡେୱାଡି ଗ୍ରାମ (ସତାରା ଜିଲ୍ଲାର କରଡ଼ ତାଲୁକାରେ)ରେ ଥିବା ତାଙ୍କ ଘର ଭାଙ୍ଗି ଯାଇଥିଲା। ସେ ଥରି ଥରି କହିଲେ ‘‘ପୂର୍ବସବୁ ବନ୍ୟାକୁ ଏଥର ବନ୍ୟା ବଳିଗଲା, ପୂର୍ବଥର ଗୁଡ଼ିକ (୨୦୦୫ ଏବଂ ୧୯୫୩)ରେ ଅବସ୍ଥା ଏତେ ଖରାପ ନଥିଲା’। ମଧ୍ୟାହ୍ନ ଭୋଜନ ଆସିଲାଣି କି ନାହିଁ ଦେଖିବା ପାଇଁ ସମସ୍ତେ ସ୍କୁଲ୍ ଗୃହରୁ ବାହାରିଗଲା ବେଳେ ସେ ନିରବରେ ବସିଥିଲେ। ଅଗଷ୍ଟ ୯ ତାରିଖର ଦିନ ୨ ଟା ସମୟ । ବ୍ୟକ୍ତିବିଶେଷ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ଖାଦ୍ୟ ଆଣୁଛନ୍ତି କିନ୍ତୁ ଯଥେଷ୍ଟ ଥର ଖାଦ୍ୟ ଯୋଗାଇ ଦିଆଯାଇପାରୁନାହିଁ।

ଶୀର୍ଷରେ ବାମରେ: ଉଷା ପାଟିଲ,
ଭିଣ୍ଡେୱାଡ଼େର ଜଣେ ଗୃହିଣୀ, ଗାଁ ଛାଡ଼ି ଆସିଲା ବେଳେ ସାଙ୍ଗରେ ଦୁଇଟି ଛେଳି ଓ ଗୋଟିଏ ବିଲେଇ ଧରି ଆସିଥିଲେ। ଗ୍ରାମବାସୀମାନେ ପ୍ରତିଟି ପଶୁଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଅନେକ ପଶୁ ପାଣି ଯୋଗୁଁ ଭୟରେ ବାହାରୁନଥିଲେ। ଶୀର୍ଷରୁ ଡାହାଣରେ: ସୋମନାଥ ପଚାଙ୍ଗେ, ୧୯, ସେ ଘରୁ ବାହାରି ଆସିଲା ବେଳେ ପାଳିଥିବା ପକ୍ଷୀମାନଙ୍କୁ ସାଙ୍ଗରେ ନେଇ ଆସିଥିଲେ। ତଳେ ବାମ ପଟେ: ‘୪୭ ବର୍ଷୀୟ ଅଜିତ୍, ଗୋପାଳ ଓ ପାର୍ବତୀଙ୍କ ପୁଅ କହିଥିଲେ ‘କୌଣସି ଗାଈ (ସ୍କୁଲ୍କୁ ଆମେ ସାଙ୍ଗରେ ଆଣିଥିବା) କ୍ଷୀର ଦେଉନାହାନ୍ତି’’। ଗାଈମାନଙ୍କ ପାଇଁ ଚାରା ନାହିଁ। ସବୁ ଗାଈ ଅସୁସ୍ଥ ହୋଇଗଲେଣି ଏବଂ ଏଠାରେ କୌଣସି ଡାକ୍ତର ନାହାନ୍ତି।’’ ଗାଈମାନେ ଅଳ୍ପ ଦିନରେ ମରିଯାଇପାରନ୍ତି ବୋଲି ତାଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଅଧିକାଂଶ ବୟସ୍କ ବ୍ୟକ୍ତି ଅସୁସ୍ଥ ହୋଇଗଲେଣି, ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି। ବହୁ ପଶୁ ପାଣିଘେରରେ ବନ୍ଦୀ ହୋଇ ରହିଛନ୍ତି। ଚାଷୀମାନେ ଏବେ ନିଜ ଜୀବନକୁ ବିପନ୍ନ କରି ୪ ଫୁଟ୍ ଗଭୀର ପାଣି ଭିତରେ ଚାରା ନେଇ ଖାଇବାକୁ ଦେଉଛନ୍ତି। ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ମଧ୍ୟ ଆଶ୍ରୟ କେନ୍ଦ୍ରରେ ଗୋଖାଦ୍ୟ ପ୍ରଦାନ କରୁଛନ୍ତି। ନିମ୍ନରୁ ଡାହାଣ: ବନ୍ୟାଜଳ ଗୁହାଳରେ ପଶିଯାଇଛି, ତାହା ପରେ କୋଚି ଗ୍ରାମର କୃଷକମାନେ (ଭିଣ୍ଡେୱାଡ଼େଠାରୁ ପ୍ରାୟ ୨.୫ କିଲୋମିଟର) ସେମାନଙ୍କର ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିନେଇଛନ୍ତି।

ୱାର୍ଣ୍ଣା ନଦୀର ପାଣି ଅର୍ଚ୍ଚନା ଇଙ୍ଗାଲେଙ୍କର ୨.୫ ଏକର ଜମିରେ ମାଡ଼ିଯାଇଥିଲା। ତାଙ୍କର ପ୍ରାୟ ୬ କ୍ୱିଣ୍ଟାଲ ସୋୟାବିନ୍ ଏବଂ ଏକ କ୍ୱିଣ୍ଟାଲ୍ ଚିନାବାଦାମ୍ କ୍ଷତି ହୋଇଥିଲା। ଅଗଷ୍ଟ ୯ ତାରିଖରେ, ୪ ଦିନ ଧରି ଘର ଛାଡ଼ି ସମାନ ଗାଁରେ ସମ୍ପର୍କୀୟଙ୍କ ଘରେ ରହିଥିଲେ, ଘରକୁ ଫେରି ଜଳସ୍ତର ପରଖି ଦେଖିଲା ବେଳେ ଭଙ୍ଗା ଇଟା ସଜାଡ଼ି ବାଟ ତିଆରି କରିଥିଲେ।

୩୪ ବର୍ଷ ବୟସ୍କ ନଗେଶ ବାନ୍ଦୱାଡେ କହନ୍ତି, ‘ଦୁଇ ଦିନ ତଳେ, ସକାଳ ପ୍ରାୟ ୧୦ଟା ବେଳେ ମୋ ଘରର ପଛପଟ କାନ୍ଥ ଭୁଶୁଡ଼ି ପଡ଼ିଲା’


ବାମ: ଦଳେ ଯୁବକ ଭିଣ୍ଡେୱାଡ଼େରେ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ସ୍ମାର୍ଟ ଫୋନରେ ଗେମ୍ ଖେଳୁଛନ୍ତି। ଡାହାଣ: ଭିଣ୍ଡେୱାଡ଼େର କେତେକ ପରିବାର ହାଇସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲେ କିନ୍ତୁ ଚାରି ଦିନ ପରେ ଅଗଷ୍ଟ ୬ରେ ହାଇସ୍କୁଲ୍ ପରିସରରେ ପାଣି ପଶିବାରୁ ସେହି ସ୍ଥାନ ସେମାନଙ୍କୁ ଛାଡ଼ିବାକୁ ପଡ଼ିଥିଲା


କୋଚି ଗ୍ରାମରେ ପାଣି ଜମା ହୋଇଛି ଏବଂ କୃଷକମାନେ ଘରକୁ ଫେରୁଛନ୍ତି


ଆଖପାଖର ବୁଡ଼ି ରହିଥିବା ଜମିରୁ ବିଲାତିବାଇଗଣଗୁଡ଼ିକ ଭାସି ଭାସି ଗାଁ ଭିତରକୁ ଆସିଯାଇଛି; ଚଣ୍ଡୋଲି ନଦୀବନ୍ଧରୁ ଅତ୍ୟଧିକ ଜଳ ପ୍ରବାହିତ ହେବା କାରଣରୁ ୱାର୍ଣ୍ଣା ନଦୀ ବନ୍ୟା ପ୍ଳାବିତ ହୋଇଥିଲା


ବାମ: କେତେକ ପରିବାରଙ୍କୁ କୋଚିର ମରାଠୀ ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାହାଣ: ଏହି ବନ୍ୟା କାରଣରୁ ପାନୀୟ ଜଳର ଅଭାବ ଦେଖାଦେଇଛି ଏବଂ କୋଚିର ଲୋକେ ପରିଷ୍କାର ବର୍ଷା ଜଳ ସାଇତି ରଖିବା ପାଇଁ ଘର ବାହାରେ ପାତ୍ରମାନ ରଖିଛନ୍ତି। ହଟକାନାଙ୍ଗଲ୍ ପଞ୍ଚାୟତ ସମିତିର ସଭ୍ୟା ଏବଂ କୋଚିର ବାସିନ୍ଦା ବସନ୍ତ ଗୁରବ କହନ୍ତି ‘‘ସବୁଆଡ଼େ ପାଣି କିନ୍ତୁ ପିଇବା ପାଇଁ ଟୋପାଏ ପାଣି ନାହିଁ’। ‘୨୦୦୫ ବନ୍ୟାରେ ୨୦୦ ପରିବାର ପ୍ରଭାବିତ ହୋଇଥିଲେ (କୋଚିର ଜନସଂଖ୍ୟା ୫୮୩୨ ରହିଛି) କିନ୍ତୁ ଏଥର ପ୍ରାୟ ୪୫୦ ପରିବାର ପ୍ରଭାବିତ ହୋଇଛନ୍ତି। ଆମ୍ଭେମାନେ ୨୦୦୫ ମସିହାରେ ୯୦୦ ଜଣଙ୍କୁ ଉଦ୍ଧାର କରିଥିଲୁ ଏବଂ ଘରକୁ ଫେରିବା ପାଇଁ ପ୍ରାୟ ୨ ସପ୍ତାହ ଲାଗିଯାଇଥିଲା।’

ଜୁନ୍ ୨୭ରେ, ୪୧ ବର୍ଷ ବୟସ୍କ ଧନଜୀ ବାଗାରେ ୨୭ ଗୁଣ୍ଠ ଜମିରେ (୦.୬୭୫ ଏକରରେ) କୋଚିରେ ଆଖୁ ଲଗାଇଥିଲେ। ‘ମୁଁ ମୋଟ୍ ୧୪,୦୦୦ ଟଙ୍କା ଖର୍ଚ୍ଚ କରିଥିଲି’, ସେ କହନ୍ତି। ଧନଜୀଙ୍କର ଆଖୁ ଫସଲରେ ଦେଖିବା ପାଇଁ ବି ନାହିଁ- ପାଣିରେ ବୁଡ଼ିଯାଇଛି- ଏବଂ ତାଙ୍କର ଅନୁମାନ ପ୍ରାୟ ୫୪ଟନ୍ର କ୍ଷତି ହୋଇଛି। ‘ପାଣି ଛାଡ଼ିବା ପରେ, ପ୍ରଥମେ ମୋତେ ଦେଖିବାକୁ ହେବ ଯେ ଜମିରେ କେତେ ମାଟି ଅଛି। ତାହାପରେ ଜମି ସମତୁଲ କରିବାକୁ ହେବ।’ ସେ ଚିନ୍ତାରେ ପଡ଼ିଯାଇଛନ୍ତି ଯେ ଜମିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଅତିକମ୍ରେ ୧୦,୦୦୦ ଟଙ୍କା ଖର୍ଚ୍ଚ ହେବ। ବହୁ କୃଷକ କୃଷି ଋଣ ନେଇ ଆଖୁ ଲଗାଇଥିଲେ। ଏବେ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବରେ ଫସଲ ଧ୍ୱଂସ ହୋଇଗଲା, ଜମି ପାଣିରେ ବୁଡ଼ିରହିଛି, କେମିତି ଋଣ ପରିଶୋଧ କରିବେ ଚିନ୍ତାରେ ଭାତ ରୁଚୁନି
ଅନୁବାଦ: ଓଡ଼ିଶାଲାଇଭ୍