“ସେମାନେ କହିଥିଲେ ଆମ ପିଲା ଗର୍ଭରେ ମୃତ୍ୟୁବରଣ କରିଛି। ଆମେ ମୃତ୍ୟୁକୁ ନେଇ ଡରିଯାଇଥିଲୁ। ଏହାପରେ ସେମାନେ ଆମକୁ ଚାଲିଯିବା ଲାଗି କହିଲେ, ଯେଉଁଠିକୁ ଚାହୁଁଛ ସେଠାକୁ ଯାଅ। ଏହାପରେ ମୁଁ ମୋ ବୋହୂକୁ ସହରର ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଯିବା ଲାଗି ନିଷ୍ପତ୍ତି ନେଲି”, ସୁଖିଆ ଦେବୀ ବିହାର ବୈଶାଳୀ ଜିଲ୍ଲା ମୁଖ୍ୟାଳୟରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଓ ତାଙ୍କ ବୋହୂଙ୍କ ସହିତ ହୋଇଥିବା ବ୍ୟବହାର ସମ୍ପର୍କରେ ମନେ ପକାଇ କହିଥିଲେ।
୬୨ ବର୍ଷୀୟ କୃଷି ଶ୍ରମିକ ନିଜ ସହିତ ଦିନକର ନାତୁଣୀ, ଯିଏକି ସମ୍ପୂର୍ଣ୍ଣ ଭାବେ ଜୀବିତ ଅଛନ୍ତି,ଙ୍କୁ ଟୀକା ଲଗାଇବା ଲାଗି କୋଳରେ ଧରି, ଦିନେ ସକାଳ ୧୦ଟା ସମୟରେ ନିକଟସ୍ଥ ପିଏଚସିରେ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିଲେ।
ସୁଖିଆଙ୍କ ୨୮ ବର୍ଷୀୟା ବୋହୂଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ସେ ତାଙ୍କୁ ବୈଶାଳୀ ନିକଟବର୍ତ୍ତୀ ପିଏଚସିକୁ ନେଇଥିଲେ। ସେଠାରେ ଜଣେ ପରିଚାରକ ତାଙ୍କୁ କହିଲେ ଯେ ପିଲାଟି ମୃତ୍ୟୁବରଣ କରିସାରିଛି। ସମ୍ପୂର୍ଣ୍ଣ ଭାବେ ଡରିଯାଇ ସେ ଓ କୁସୁମ ଏକ ଅଟୋ ରିକ୍ସାରେ ପାଖାପାଖି ୧୫ କିମି ଦୂରରେ ଥିବା ନିଜ ଗ୍ରାମ (ଯାହାର ନାମ ନକହିବା ଲାଗି ସେ ଆମକୁ ଅନୁରୋଧ କରିଥିଲେ) ଫେରି ଆସିଥିଲେ। “ଆମେ ଆମ ଘରକୁ ଫେରିଆସିଲୁ ଏବଂ ମହିଳା ଡାକ୍ତର (ସ୍ତ୍ରୀରୋଗ ବିଶେଷଜ୍ଞ)ଙ୍କ ପାଖକୁ ଯିବା ଲାଗି ଏକ ଘରୋଇ ଗାଡ଼ି, ବୋଲେରୋ, ଭଡ଼ା କଲୁ। ମୁଁ ଭଡ଼ା ବିଷୟରେ ପଚାରିବା ସମ୍ପର୍କରେ ଚିନ୍ତା ମଧ୍ୟ କଲି ନାହିଁ। ମୁଁ ସନ୍ତାନ ପ୍ରସବକୁ ନେଇ ଅତି ଉତ୍ସୁକ ଥିଲି। ମୋର ପଡ଼ୋଶୀମାନଙ୍କ ସହାୟତାରେ ମୁଁ ମୋ ବୋହୂକୁ ଗାଡ଼ିରେ ବସାଇଲି। ଏହାପରେ ଆମେ କ୍ଲିନିକ୍ ଆଡ଼କୁ ଗଲୁ”, ସୁଖିଆ କହିଥିଲେ।
ସେମାନେ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଉଥିଲେ, ସେହି ଶିଶୁ, ‘ଯିଏକି ଗର୍ଭରେ ହିଁ ମୃତ୍ୟୁବରଣ କରିସାରିଥିଲା’ କାର୍ରେ ହିଁ ଜୀବିତ ହୋଇଉଠିଲା।
“ସେ ସେହି ଗାଡ଼ିରେ ହିଁ ଜନ୍ମ ନେଇଥିଲା”, ସୁଖିଆ କହିଥିଲେ। ତା’ର ଜନ୍ମ ଖୁବ ସହଜରେ ହୋଇଗଲା, ସେ କହିଥିଲେ। ତାଙ୍କ ପାଖରେ ପୂର୍ବରୁ ଏକ ଶାଢ଼ୀ ଥିଲା ଯାହାକୁ ସେ ଚଦର ରୂପରେ ବ୍ୟବହାର କରିଥିଲେ, ସ୍ଥାନୀୟ ଔଷଧ ଦୋକାନର ମାଲିକ (ଯିଏକି ତାଙ୍କ ସହିତ ଥିଲେ) ଗାଡ଼ିରେ ପାଣି ରଖିଥିଲେ। “କିନ୍ତୁ ଏଥିରେ ଅଧିକ ସମୟ ଲାଗିଗଲା...” ସୁଖିଆ କହିଥିଲେ।
ଆହୁରି ଏଥିରେ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା। ଅପେକ୍ଷାକୃତ କମ୍ ଦୂରତା ହୋଇଥିଲେ ସୁଦ୍ଧା ଗାଡ଼ି ମାଲିକ ପରିବାରଠାରୁ ଯାତ୍ରା ଖର୍ଚ୍ଚ ବାବଦରେ ୩୦୦୦ ଟଙ୍କା-ଏବଂ ଅନ୍ୟ କାହା ଜରିଆରେ ଗାଡ଼ି ସଫା କରିବା ଲାଗି ପୃଥକ ଭାବେ ୧,୦୦୦ ଟଙ୍କା ନେଲେ।


ସୁଖିଆ ଶିଶୁ ଜନ୍ମ ପ୍ରମାଣପତ୍ର ଲାଗି ପିଏଚସିକୁ ଆସିଥିଲେ: ‘ଏହି ଲୋକମାନେ କହିଥିଲେ ଯେ ଯଦି ସେମାନଙ୍କୁ ଟଙ୍କା ମିଳିବ ନାହିଁ ତା’ହେଲେ ସେମାନେ କାଗଜପତ୍ର ପ୍ରସ୍ତୁତ କରିବେ ନାହିଁ।
କିନ୍ତୁ ବାସ୍ତବରେ ପିଏଚସିରେ କ’ଣ ହୋଇଥିଲା? ଆମେ ସେଠାକୁ ଯିବା ଫଳରେ ଜଣାପଡ଼ିଲା ଯେ ସେହି କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ କିମ୍ବା ଅନ୍ୟ କୌଣସି ମେସିନ କାମ କରୁନଥିଲା। ଏହାପରେ, କେଉଁ ଆଧାରରେ, ତାଙ୍କୁ କୁହାଗଲା ଯେ ଗର୍ଭରେ ହିଁ ଶିଶୁର ମୃତ୍ୟୁ ଘଟିସାରିଛି? ଲାଗୁଛି, ଯେପରି ମନମାନି ଢଙ୍ଗରେ ଏହା କୁହାଯାଇଥିଲା।
ସୁଖିଆ କୁହନ୍ତି “ଯେତେବେଳେ ଆମେ ଡାକ୍ତରଖାନା (ପିଏଚସି)ରେ ପହଞ୍ଚିଲୁ, ସେତେବେଳକୁ ଅଧିକ ବିଳମ୍ବିତ ରାତି ହୋଇଯାଇଥିଲା। ସେମାନେ ତା’କୁ ପ୍ରସବ କୋଠରୀକୁ ନେଇଗଲେ ଓ ପାଞ୍ଚ ମିନିଟ୍ ଭିତରେ, ସେମାନଙ୍କ ମଧ୍ୟରୁ ଜଣେ ଫେରିଆସି ମୋତେ କହିଲେ ଯେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଆମେ କୌଣସି ଘରୋଇ ଡାକ୍ତରଖାନାକୁ ଯିବା ଭଲ ହେବ, ସେ କହିଥିଲେ। ମୁଁ ଭାବୁଛି ସେ ଜଣେ ଧାଈ ଥିଲେ, ଯିଏକି ବାହାରକୁ ଆସି କହିଲେ ପିଲାଟି ଗର୍ଭରେ ମୃତ୍ୟୁବରଣ କରିସାରିଛି। ଆମେ ଆମର ସ୍ଥାନୀୟ ଆଶା କର୍ମୀଙ୍କ ସହ ଆସିନଥିଲୁ କାରଣ ସେତେବେଳକୁ ରାତି ୧୧ଟା ବାଜି ସାରିଥିଲା। ସେଥିପାଇଁ ମୁଁ ଘରକୁ ଫେରିଆସିଲି ଏବଂ ନିଜ ପଡ଼ୋଶୀମାନଙ୍କର ସହାୟତାରେ ଏକ ବୋଲେରୋ ଭଡ଼ାରେ ନେଲି। ଗାଡ଼ି ଗାଁର ଜଣେ ବ୍ୟକ୍ତିଙ୍କର ଥିଲା, ସେଥିପାଇଁ ଆମେ ୧୫ ମିନିଟ୍ ଭିତରେ ଗାଡ଼ି ପାଇଗଲୁ। ନହେଲେ ଠାକୁର ଜାଣନ୍ତି କ’ଣ ହୋଇଥାନ୍ତା।”
ସୁଖିଆ କେବେ ଭାବିନଥିଲେ ଯେ ଗାଡ଼ି ଭଡ଼ାରେ ନେଲେ (ଏବଂ ତା’କୁ ସଫା କରିବା ପାଇଁ) ସେଥିପାଇଁ ତାଙ୍କୁ ୪,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। “ଗାଡ଼ି ମିଳିବା ପରେ, ଆମେ ଡାକ୍ତରଙ୍କ ପାଖକୁ ଆମ ସହିତ ଯିବା ଲାଗି ଏକ ଔଷଧ ଦୋକାନ ମାଲିକଙ୍କୁ ଡାକିଲୁ, ଯିଏକି ଆମ ଗାଁ ପାଖରେ ହିଁ ରହୁଥିଲେ। ସେ କୁସୁମଙ୍କୁ ‘ଗୋଟିଏ ବୋତଲ’ (ଗୋଟିଏ ଇଞ୍ଜେକ୍ସନ ଓ ଡ୍ରିପ) ଦେଲେ ଏବଂ ମୋ ବୋହୂ (ସେହି ଗାଡ଼ିରେ ହିଁ) ଏକ ଶିଶୁକନ୍ୟାକୁ ଜନ୍ମ ଦେଲା। ଏହାପରେ ଆମେ ସମସ୍ତେ ଘରକୁ ଫେରିଆସିଲୁ”। ସେତେବେଳକୁ ଅଧା ରାତି ବିତିସାରିଥିଲା।
ମୁଁ ତା’ପରଦିନ ସୁଖିଆଙ୍କୁ ପିଏଚସିରେ ଭେଟିଲି। ସେ ଶିଶୁର ଟିକାକରଣ କରିବା ଏବଂ ତା’ର ଜନ୍ମ ପ୍ରମାଣପତ୍ର ନେବା ଲାଗି ସେଠାକୁ ଆସିଥିଲେ। “ଏଠାକାର ଲୋକମାନେ କହୁଛନ୍ତି ଯେ ଯଦି ସେମାନଙ୍କୁ ଟଙ୍କା ମିଳିବ ନାହିଁ, ତା’ହେଲେ ସେମାନେ କାଗଜପତ୍ର ପ୍ରସ୍ତୁତ କରିବେ ନାହିଁ”, ସେ କହିଥିଲେ।
ପ୍ରକୃତରେ, ପିଏଚସିର କର୍ମଚାରୀ ପୂର୍ବ ଦିନ ଗର୍ଭରେ ମୃତ ଘୋଷିତ ହୋଇଥିବା ପିଲାଟିର ଜନ୍ମ ପ୍ରମାଣ ଜାରି କରିବା ଲାଗି ଟଙ୍କା ମାଗୁଥିଲେ।

ସେମାନେ ତା’କୁ ପ୍ରସବ କୋଠରୀକୁ ନେଇଗଲେ ଏବଂ ପାଞ୍ଚ ମିନିଟ୍ ମଧ୍ୟରେ, ସେମାନଙ୍କ ମଧ୍ୟରୁ ଜଣେ ଫେରି ଆସି ମୋତେ କହିଲେ ଯେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆମେ କୌଣସି ଘରୋଇ ଡାକ୍ତରଖାନାକୁ ଯିବା ଭଲ ହେବ।
“ସମସ୍ତେ ଟଙ୍କା ମାଗୁଛନ୍ତି। ସେମାନଙ୍କର ମନ ଇଚ୍ଛା ଟଙ୍କା। ମୁଁ ଜଣଙ୍କୁ ୧୦୦ଟଙ୍କା ଦେଲି, ଏହାପରେ କାଗଜ (ଜନ୍ମ ପ୍ରମାଣପତ୍ର) ପାଇବା ଲାଗି ଅନ୍ୟ ଜଣଙ୍କୁ ୩୦୦ ଟଙ୍କା ଦେଲି। ଏହାପରେ ମୋତେ ଆଉ ଜଣେ ମହିଳାଙ୍କୁ ୩୫୦ ଟଙ୍କା ଦେବାକୁ ହୋଇଥିଲା”, ସେ କହିଥିଲେ। “ପୂର୍ବରୁ, ଏହି ଭଉଣୀ ଜଣକ, ଯିଏକି ନାଲି ଶାଢ଼ି ପିନ୍ଧିଛନ୍ତି”, ସେ ନିକଟରେ ଛିଡ଼ା ହୋଇଥିବା ଜଣେ ସହାୟକ ନର୍ସ ମିଡ ୱାଇଫ (ଏଏନଏମ)ଙ୍କ ଆଡ଼କୁ ଠାରି କହିଲେ, “ସେ ୫୦୦ ଟଙ୍କା ମାଗିଲେ ଏବଂ କହିଲେ ଯଦି ମୁଁ ଟଙ୍କା ନଦେବି ତା’ହେଲେ ମୋତେ କାଗଜ ମିଳିବ ନାହିଁ”, ସୁଖିଆଙ୍କୁ ଶେଷରେ ଅନ୍ୟମାନଙ୍କୁ ଟଙ୍କା ଦେବାକୁ ପଡ଼ିଲା।
“ଦେଖନ୍ତୁ, ମୁଁ ଏହି କାଗଜପତ୍ର ବିଷୟରେ ଅଧିକ କିଛି ଜାଣେ ନାହିଁ। ମୋର ତିନି ଜଣ ପିଲା ଅଛନ୍ତି, କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ କାହା ପାଇଁ ମଧ୍ୟ ଏହାକୁ ପ୍ରସ୍ତୁତ କରିନାହିଁ। କିନ୍ତୁ ଆଜିକାଲି ସେମାନେ ମୋତେ କହୁଛନ୍ତି ଯେ ଏହା ଜରୁରି”, ସୁଖିଆ କହିଥିଲେ।
“ମୋର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଜ୍ୟେଷ୍ଠ ହେଉଛି ଏହି ଶିଶୁର ପିତା । ମୋର ଛୋଟ ପୁଅର ମଧ୍ୟ ବାହାଘର ଠିକ୍ ହୋଇସାରିଛି। ମୋ ଝିଅ ସେମାନଙ୍କ ମଧ୍ୟରୁ ସବୁଠୁ ସାନ। ସେ ଅବିବାହିତ ଓ ମୋ ସହିତ ରହୁଛି। ଏମାନେ ସମସ୍ତେ ଛୋଟ ପିଲା ଥିବା ବେଳେ ସେମାନଙ୍କର ପିତା (କୃଷି ଶ୍ରମିକ)ଙ୍କର ମୃତ୍ୟୁ ଘଟିଥିଲା।” ସୁଖିଆ ତଳକୁ ନଇଁ ପଡ଼ି, ନିଜ ହାତକୁ ଆଣ୍ଠୁ ଆଡ଼କୁ ନେଇ ମୋତେ ଦେଖାଇ ଦେଇଥିଲେ ଯେତେବେଳେ ତାଙ୍କ ପତିଙ୍କ ମୃତ୍ୟୁ ଘଟିଲା ପିଲାମାନେ କେତେ ଛୋଟ ହୋଇଥିଲେ।
“ମୁଁ ମୋ ପିଲାମାନଙ୍କର ପେଟ ଭରିବା ଏବଂ ସେମାନଙ୍କୁ ପାଳିବା ଲାଗି ଅନେକ ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କ ଚାଷ ଜମିରେ କାମ କରିଥିଲି”, ସୁଖିଆ କହିଥିଲେ। ଏବେ ତାଙ୍କର ପୁଅମାନେ ଘରକୁ ଟଙ୍କା ପଠାଉଛନ୍ତି, ଏବଂ ସେ ଦୁଇ ନାତି/ନାତୁଣୀ (ଏବେ ଜନ୍ମ ନେଇଥିବା କନ୍ୟା ସମେତ), ତାଙ୍କ ମା’ କୁସୁମ, ଯିଏକି ଜଣେ ଗୃହିଣୀ ଏବଂ ନିଜେ ନିଜ ଝିଅର ଦେଖାଶୁଣା କରିଥାନ୍ତି।
“ମୋର ଦୁଇ ପୁଅ ଏକ ‘କମ୍ପାନୀ’ରେ କାମ କରିଥାନ୍ତି, ଘରୋଇ ଠିକାଦାରଙ୍କ ବିଷୟରେ ସେ କହିଥାନ୍ତି। “ସାନ ପୁଅ ମୁମ୍ବାଇରେ ରହୁଛି ଏବଂ ବିଦ୍ୟୁତ ବୋର୍ଡ ତିଆରି କରୁଛି। ଏବଂ ଏହି ଝିଅର ବାପା (୩୪ ବର୍ଷୀୟ) ପଞ୍ଜାବରେ ଅଟ୍ଟାଳିକା ଭିତର ଭାଗରେ ପ୍ଲାଷ୍ଟର ଅଫ ପ୍ୟାରିସ୍ ତିଆରି କରୁଥିବା କାରୀଗର ଭାବେ କାମ କରୁଛନ୍ତି। ଲକଡାଉନ ସମୟରେ ମୋର ଦୁଇ ପୁଅ ଘରକୁ ଆସିପାରିଲେ ନାହିଁ”, ସୁଖିଆଙ୍କ କଣ୍ଠ ଭାରୀ ହୋଇଗଲା। ସେ କିଛି ସମୟ ପାଇଁ ନିରବ ହୋଇଗଲେ।


ସୁଖିଆ (ଯିଏକି ଫାଇଲେରିଆରେ ପୀଡ଼ିତ) କୁସୁମ ଓ ନିଜର ନାତୁଣୀକୁ ଅପେକ୍ଷା କରିଛନ୍ତି, ଯେଉଁମାନଙ୍କୁ ଟିକାକରଣ କୋଠରୀ ମଧ୍ୟ ନିଆଯାଇଛି।
“ମୁଁ ନିଜ ବଡ଼ ପୁଅର ବାହାଘର ପାଞ୍ଚ ବର୍ଷ ପୂର୍ବରୁ କରି ଦେଇଥିଲି। ଇଏ ସେମାନଙ୍କର ଦ୍ୱିତୀୟ ପିଲା। ମୋର ବଡ଼ ନାତି ସାଢ଼େ ତିନି ବର୍ଷର”, ସେ କୁସୁମଙ୍କ ପ୍ରଥମ ସନ୍ତାନ, ପ୍ରଭାତଙ୍କ ବିଷୟରେ କହିଥିଲେ, ଯିଏକି ଏହି ପିଏଚସିରେ ଜନ୍ମ ନେଇଥିଲା। ସୁଖିଆ ପିଏଚସି ପରିସରରେ ଛିଡ଼ା ହୋଇଥିଲା ବେଳେ କୁସୁମ ପ୍ରସବ ପରବର୍ତ୍ତୀ ଯତ୍ନ କକ୍ଷରେ ଶୋଇ ରହିଥିଲେ। କୁସୁମଙ୍କ ବାଁ ପଟେ ଏକ ଧଳା କାନ୍ଥ ଅଛି-ଯାହାକି ଲୋକମାନେ ପାନଛେପ ପକାଇବା କାରଣରୁ ଗୋଟିଏ କଡ଼ରୁ ସମ୍ପୂର୍ଣ୍ଣ ଲାଲ ହୋଇଯାଇଛି। ୱାର୍ଡରେ ଫଟୋ ଉଠାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କୁସୁମଙ୍କ ଖାଲି ଶଯ୍ୟାର ଡାହାଣ କଡ଼ରେ ଏକ ଅଲଟ୍ରାସାଉଣ୍ଡ ମେସିନ ରହିଛି ଯାହା ଏବେ ବୁଢ଼ିଆଣୀ ବସା ପାଲଟିଛି। “ଗତ ସପ୍ତାହରେ ଏହା ଖରାପ ହୋଇଗଲା ଏବଂ ସଫେଇ କର୍ମଚାରୀ ଏହାକୁ ସଫା ମଧ୍ୟ କରିନାହାନ୍ତି”, ଡ୍ୟୁଟିରେ ଥିବା ଏଏନଏମ କହିଥିଲେ।
ଗର୍ଭାବସ୍ଥାର ଅନ୍ତିମ ମାସରେ, ପିଏଚସିର କର୍ମଚାରୀମାନଙ୍କ ପରାମର୍ଶକ୍ରମେ କୁସୁମ ଅଲଟ୍ରାସାଉଣ୍ଡ କରିବା ଲାଗି ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ “ଯେତେବେଳେ ଆମେ ପ୍ରସବ ଲାଗି ଏଠାକୁ ଆସିଲୁ, ସେମାନେ ଆମକୁ ଘଉଡ଼ାଇ ଦେଲେ, ଯାହାଫଳରେ ଆମକୁ ଅନେକ କଷ୍ଟ ଭୋଗିବା ପାଇଁ ପଡ଼ିଲା”, ସୁଖିଆ କହିଥିଲେ। ଆମ ଭିତରେ କଥାବାର୍ତ୍ତା ହେବା ସମୟରେ କୁସୁମ, ଯିଏକି ବେଶ ଡରିଯାଇଥିଲେ ଏବଂ ଯନ୍ତ୍ରଣା ନିବାରକ ଔଷଧ ସେବନ କରୁଥିଲେ, କୌଣସି ପରିସ୍ଥିତିରେ ମଧ୍ୟ ଆମ ସହିତ କଥାବାର୍ତ୍ତା ହେବା ଲାଗି ପ୍ରସ୍ତୁତ ହେଲେ ନାହିଁ।
ଫାଇଲେରିଆରେ ପୀଡ଼ିତ ସୁଖିଆ (ଯାହାଙ୍କର ଗୋଟିଏ ଗୋଡ଼ ଆର ଗୋଡ଼ ଠାରୁ ଦୁଇ ଗୁଣ ମୋଟା), କହିଥାନ୍ତି : “ଏହା ସବୁବେଳେ ଏମିତି ହିଁ ରହିଥାଏ। ଦୀର୍ଘ ସମୟ ଛିଡ଼ା ହୋଇ ରହିବା ମୋ ପାଇଁ ଏକ ସମସ୍ୟା। ମୁଁ ଅଧିକ ଚାଲିପାରିବି ନାହିଁ। ମୁଁ କୌଣସି ଔଷଧ ଖାଇଲେ ଯନ୍ତ୍ରଣା ଦୂର ହୋଇଥାଏ। କିନ୍ତୁ ମୋତେ ସବୁକିଛି ଏହି ପାଦରେ କରିବାକୁ ହୋଇଥାଏ। ମୁଁ ଏବେ ଏଠାକୁ ଆସିଛି ମୋ ପାଇଁ ମଧ୍ୟ କିଛି ଔଷଧ ନେଇଯିବି। ମୋ ଔଷଧ ଶେଷ ହୋଇଗଲାଣି।”
ନିଜ ବଡ଼ ନାତିକୁ କୋଳରେ ଧରି, ସେ ଛୋଟେଇ ଛୋଟେଇ ପିଏଚସିର ଔଷଧ ବିତରଣ କେନ୍ଦ୍ର ଆଡ଼କୁ ଚାଲିଯାଇଥିଲେ।
ପ୍ରଚ୍ଛଦ ଚିତ୍ରଣ : ପ୍ରିୟଙ୍କା ବୋରାର ଜଣେ ନୂଆ ମିଡିଆର କଳାକାର ଯିଏକି ଅର୍ଥ ଓ ଅଭିବ୍ୟକ୍ତିର ନୂତନ ରୂପ ଆବିଷ୍କାର କରିବା ଲାଗି ଜ୍ଞାନକୌଶଳ ସହିତ ପରୀକ୍ଷାନିରୀକ୍ଷା କରିଥାନ୍ତି। ସେ ଶିଖିବା ଏବଂ ଖେଳିବା ଲାଗି ଅନୁଭବର ଡିଜାଇନ କରିଥାନ୍ତି, ମତବିନିମୟ ଗଣମାଧ୍ୟମରେ ସମ୍ପୃକ୍ତ ରହିଥାନ୍ତି, ଏବଂ ପାରମ୍ପରିକ କଲମ ଓ କାଗଜ ସହିତ ମଧ୍ୟ ସହଜ ଅନୁଭବ କରିଥାନ୍ତି।
ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଗ୍ରାମୀଣ ଭାରତର କିଶୋରୀ ତଥା ଅଳ୍ପ ବୟସ୍କ ମହିଳାଙ୍କ ଉପରେ ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସମର୍ଥିତ ଏକ ପ୍ରୟାସର ଅଂଶବିଶେଷ, ଯାହାଫଳରେ ସାଧାରଣ ଲୋକଙ୍କ ସ୍ୱର ଏବଂ ସେମାନଙ୍କର ଜୀବନର ଅନୁଭବ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ସମୁଦାୟଙ୍କ ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିବ।
ଏହି ସ୍ତମ୍ଭକୁ ପ୍ରକାଶିତ କରିବାକୁ ଚାହୁଁଛନ୍ତି? ଦୟାକରି zahra@ruralindiaonline.org ଲେଖନ୍ତୁ କିମ୍ବା ଏହାର କପି namita@ruralindiaonline.org ପଠାନ୍ତୁ।
ଠାକୁର ପରିବାର ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ଅନୁଦାନ ଜରିଆରେ ଜିଜ୍ଞାସା ମିଶ୍ରା ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ଜନ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି। ଏହି ସମ୍ବାଦର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।
ଅନୁବାଦ - ଓଡ଼ିଶାଲାଇଭ୍