‘‘ ଚାଲୁନ୍ , ଚାଲୁନ୍ , ପ୍ରସବ ମାର୍ଗ ଦେଇ ଗତି କରୁଥିବା ଜନ୍ମ ହେବାକୁ ଥିବା ଶିଶୁକୁ ମୁଁ ସହାୟତା କରିଥାଏ।’’
ଗୁଣାମୟ ମନୋହର କାମ୍ବଲେ ଦାଇ (ଧାଈ) ଭାବେ ନିଜର ପୁରୁଣା ଦିନ କଥା ମନେ ପକାଇଲେ ତାଙ୍କର ଆଖି ଚମକି ଉଠୁଥିଲା। ଅନେକ ଶିଶୁଙ୍କୁ ସେ ଦୁନିଆକୁ ଆଣିଛନ୍ତି। ତାଙ୍କୁ ଏବେ ୮୬ ବର୍ଷରୁ ଅଧିକ ହେଲାଣି। ସେ ପୂର୍ବ ଭଳି, ଏବେ ପୁଣିଥରେ, ସତର୍କ ଏବଂ ସକ୍ରିୟ ଧାଈ ପାଲଟି ଯାଉଥିଲେ। ପ୍ରସବ ମାର୍ଗ ଦେଇ ଶିଶୁ ବାହାରକୁ ଆସିବାର ପ୍ରକ୍ରିୟାକୁ ବର୍ଣ୍ଣନା କରି, ସେ ହାଲୁକା ଭାବେ କହିଥିଲେ, ‘‘ ହାତାତ୍ କାକଣ ଘାଲାତୋ ନା , ଆଗାଦି ତାସା ! (ଯେମିତି ଆମେ ହାତରୁ ଚୁଡ଼ି ବାହାର କରିଥାଉ, ଠିକ୍ ସେମିତି!)।’’ ସେ ନିଜର ମୁଦ୍ରା ଦେଖାଉଥିବା ସମୟରେ ତାଙ୍କ କଚଟିରେ ଥିବା ନାଲି କାଚ ଚୁଡ଼ି ଚମକୁଥିଲା।
ୱାଗଦରୀ ଗ୍ରାମର ଦଳିତ ଅଧିବାସୀ ଗୁଣାମୟ ସାତ ଦଶନ୍ଧି ଧରି ଏହି କାମ କରି ଆସୁଥିଲେ। ପ୍ରଥମେ ସେ ସନ୍ତାନ ଜନ୍ମ କରାଇବାରେ ମହିଳାମାନଙ୍କୁ ସହାୟତା କରୁଥିଲେ। ଓସମାନାବାଦ ଜିଲ୍ଲାର ଶତାଧିକ ଶିଶୁଙ୍କୁ ସେ ସୁରକ୍ଷିତ ଭାବେ ମା’ ଗର୍ଭରୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି। ‘‘ଏହା ହାତର ଯାଦୁ,’’ ୮୨ ବର୍ଷ ବୟସରେ ଶେଷ ଥର ପାଇଁ ସନ୍ତାନ ପ୍ରସବ କରାଇଥିବା ଏହି ଅନୁଭବୀ (ଭେଟେରାନ୍) ବୟସ୍କ ମହିଳା ଜଣଙ୍କ କହିଥିଲେ। ଏହାକୁ ନେଇ ସେ ଗର୍ବ କରିଥିଲେ, ‘‘ମୋ ହାତ କେବେ ବିଫଳ ହୋଇନାହିଁ। ଭଗବାନ ମୋ ସହିତ ଅଛନ୍ତି।’’
ଗୁଣାମୟଙ୍କ ଝିଅ ବନ୍ଦନା ସୋଲାପୁର ସିଭିଲ ହସ୍ପିଟାଲରେ ଘଟିଥିବା ଏକ ଘଟଣା ବିଷୟରେ ମନେ ପକାଇଥାନ୍ତି। ଅସ୍ତ୍ରୋପଚାର ମାଧ୍ୟମରେ ବନ୍ଦନାଙ୍କର ତିନି ଶିଶୁ ଜନ୍ମ ହେବା ପୂର୍ବରୁ ତାଙ୍କ ମା’ ପ୍ରସବ ଦେଖିବା ଲାଗି ଡାକ୍ତରଙ୍କୁ କହିଥିଲେ। ‘‘ସେମାନେ କହିଥିଲେ, ‘ତୁମେ ଆମଠାରୁ ମଧ୍ୟ ଅଧିକ କୁଶଳୀ, ଆଜି (ଜେଜେ ମା’)’।’’ ସେମାନଙ୍କ ଆଚମ୍ବିତ ଓ ଚକିତ ଅବସ୍ଥା ଦେଖି ଗୁଣାମୟ କେବଳ ହସି ଦେଇଥିଲେ।
ତାଙ୍କ ହାତର କୌଶଳ ଶିଶୁ ଜନ୍ମ କରାଇବାଠାରୁ ଊର୍ଦ୍ଧ୍ୱକୁ ମଧ୍ୟ ବ୍ୟାପି ଯାଇଥିଲା ଏବଂ ସୋଲାପୁର, କୋହ୍ଲାପୁର ଏବଂ ପୁଣେ ଆଦି ସ୍ଥାନ ସମେତ ସାରା ମହାରାଷ୍ଟ୍ରରୁ ତାଙ୍କୁ ଡାକରା ଆସୁଥିଲା। ‘‘ମୋ ଜେଜେ ମା’ ପିଲାମାନଙ୍କ ଆଖି, କାନ କିମ୍ବା ନାକରେ ପଶି ଯାଉଥିବା ଜିନିଷ ବାହାର କରିବାରେ ବେଶ ସିଦ୍ଧହସ୍ତ। ମଞ୍ଜି କିମ୍ବା ଗୋଡ଼ି ପଥର ହୋଇଥାଉ, ଲୋକମାନେ ତାହାକୁ ବାହାର କରିବା ଲାଗି ଜେଜେ ମା’ଙ୍କ ପାଖକୁ ଆସୁଥିଲେ,’’ ଗୁଣାମୟଙ୍କ ଗର୍ବିତ ନାତୁଣୀ ଶ୍ରୀଦେବୀ କିଛି ମାସ ପୂର୍ବରୁ ପରୀକୁ ଭେଟିବା ସମୟରେ କହିଥିଲେ। ଏହି କାମକୁ ଦାଇ ଭାବେ ନିଜ କର୍ତ୍ତବ୍ୟର ଅଂଶବିଶେଷ ବୋଲି ଗୁଣାମୟ ଧାଈ ଗ୍ରହଣ କରି ନେଇଛନ୍ତି। ଏଥିସହିତ ତାଙ୍କ ପାଖରେ ପେଟ ଯନ୍ତ୍ରଣା, ଜଣ୍ଡିସ, ଥଣ୍ଡା ଓ ସର୍ଦ୍ଦି, ଜ୍ୱର ଏବଂ ଅନ୍ୟାନ୍ୟ ରୋଗ ପାଇଁ ଆୟୁର୍ବେଦ ଚିକିତ୍ସା ଜ୍ଞାନ ମଧ୍ୟ ରହିଛି।

ତୁଲଜାପୁର ତାଲୁକାରେ ଥିବା ୱାଗଦାରୀ ଗ୍ରାମରେ ନିଜ ପରିବାର ସହ ଗୁଣାମୟ କୁମ୍ବଲେ ( ସବୁଜ ଶାଢ଼ୀରେ ) । ବାମରୁ: ନାତୁଣୀ ଶ୍ରୀଦେବୀ ( ହଳଦିଆ କୁର୍ତ୍ତାରେ ); ଶ୍ରୀଦେବୀଙ୍କ ପିଲାମାନେ ; ଏବଂ ଗୁଣାମୟଙ୍କ ଝିଅ ବନ୍ଦନା ( ବାଇଗଣୀ ଶାଢ଼ୀରେ )
ଗୁଣାମୟଙ୍କ ଭଳି ଦାଇମାନେ ପାରମ୍ପରିକ ପ୍ରସବ ସହାୟିକା (ଟିବିଏ) ହୋଇଥାନ୍ତି ଯେଉଁମାନେ ଧାଈ ଭାବେ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ପାଖରେ କୌଣସି ଆଧୁନିକ ତାଲିମ କିମ୍ବା ପ୍ରମାଣପତ୍ର ନଥାଏ, କିନ୍ତୁ ମୁଖ୍ୟତଃ ଦଳିତ ସମ୍ପ୍ରଦାୟର ଏହି ମହିଳାମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କମ୍ ଆୟ ବିଶିଷ୍ଟ ଜନବସତିରେ ଅନେକ ପିଢ଼ିର ମା’ମାନଙ୍କୁ ସହାୟତା କରିଛନ୍ତି, ସେମାନଙ୍କୁ ‘‘ ଶାବୁତ ବାଳାତୀନ ହୋତିସ , (ଆପଣଙ୍କୁ ଏହି ପରିସ୍ଥିତି ଦେଇ ଗତି କରିବାକୁ ହେବ। ସବୁ ଠିକ୍ ହୋଇଯିବ)ର ଆଶ୍ୱାସନା ଦେଇଥାନ୍ତି।’’
କିନ୍ତୁ ଗତ ୩-୪ ଦଶନ୍ଧି ଧରି, ସଂସ୍ଥାଗତ ପ୍ରସବ ପାଇଁ ସରକାରୀ ସହାୟତା ମିଳୁଥିବାରୁ ଦାଇ (ଧାଈ)ମାନଙ୍କର ହାତ ବନ୍ଦ ହୋଇଯାଇଛି। ପ୍ରଥମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ, ୧୯୯୨-୯୩ (ଏନଏଫଏଚଏସ-୧)ରେ, ମହାରାଷ୍ଟ୍ରରେ ଅଧାରୁ କମ୍ ଶିଶୁ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ନେଇଥିଲେ। ତିନି ଦଶନ୍ଧି ପରେ, ୨୦୧୯-୨୧ରେ ଏହି ତଥ୍ୟ ୯୫ ପ୍ରତିଶତ (ଏନଏଫଏଚଏସ-୫)ରେ ପହଞ୍ଚିଛି।
ଗୁଣାମୟଙ୍କ ଭଳି କୁଶଳୀ ଏବଂ ଅଭିଜ୍ଞ ଦାଇ ମାନେ ଯମଜ ସନ୍ତାନଙ୍କୁ ଜନ୍ମ କରାଇପାରିବେ ଏବଂ ଏକ ବ୍ରିଚ ପ୍ରେଜେଣ୍ଟେସନ (ଏକ ଅପ୍ରାକୃତ ପ୍ରସବ ଯେଉଁଥିରେ ଶିଶୁ ମୁଣ୍ଡ ପରିବର୍ତ୍ତେ ନିତମ୍ବ ସହାୟତାରେ ଜନ୍ମ ନେଇଥାଏ) ଏବଂ ଷ୍ଟିଲବର୍ଥ (ମୃତ ସନ୍ତାନ ଜନ୍ମ) ଭଳି ମାମଲାକୁ ପରିଚାଳନା କରିପାରିବେ। କିନ୍ତୁ ଏବେ ସେମାନଙ୍କ କାମ କେବଳ ଜଣେ ଗର୍ଭବତୀ ମହିଳାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ପଠାଇବା କିମ୍ବା ସେମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାରେ ସୀମିତ ହୋଇ ରହିଯାଇଛି। ଥରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପଠାଇବା ପାଇଁ ଦାଇ ଙ୍କୁ ୮୦ ଟଙ୍କା ମିଳିଥାଏ।
ସନ୍ତାନ ପ୍ରସବ କାର୍ଯ୍ୟରେ ତାଙ୍କର ଗୁରୁତ୍ୱ ଏବେ କମି ଯାଇଥିବା ସତ୍ତ୍ୱେ, ଗୁଣାମୟ କହିଥିଲେ, ‘‘ଗାଁ ଲୋକମାନେ ମୋତେ ଭଲ ପାଆନ୍ତି ଏବଂ ମୋତେ ଚା’ କିମ୍ବା ଭାକର ଦେବାକୁ ଡାକନ୍ତି। କିନ୍ତୁ ବାହାଘରରେ ଆମକୁ ନିମନ୍ତ୍ରଣ ମିଳେ ନାହିଁ। କାର୍ଯ୍ୟକ୍ରମ ଶେଷରେ ଆମକୁ ଖାଦ୍ୟ ଦିଆଯାଏ।’’ ତାଙ୍କର ସାମାଜିକ ଅଭିଜ୍ଞତା ଦର୍ଶାଇଥାଏ ଯେ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଉଥିଲେ ମଧ୍ୟ, ତାଙ୍କ ଭଳି ଦଳିତଙ୍କ ପାଇଁ ଜାତିଗତ ବାଧକ ତଥାପି ରହିଛି।
*****
ମଙ୍ଗ ସମୁଦାୟର ଦଳିତ ପରିବାରରେ ଜନ୍ମିତ ଗୁଣାମୟଙ୍କ ପିତା ଶିକ୍ଷିତ ଥିଲେ ଏବଂ ତାଙ୍କ ଭାଇଭଉଣୀମାନେ ସ୍କୁଲକୁ ଯାଇଥିଲେ, କିନ୍ତୁ ମାତ୍ର ସାତ ବର୍ଷ ବୟସରେ ତାଙ୍କର ବାହାଘର କରି ଦିଆଯାଇଥିଲା। ତାଙ୍କର ଋତୁସ୍ରାବ ବୟସ ଆରମ୍ଭ ହେବା ମାତ୍ରେ ତାଙ୍କୁ ଶାଶୁ ଘରେ ରହିବା ପାଇଁ ପଠାଇ ଦିଆଯାଇଥିଲା। ‘‘ମୋତେ ମାତ୍ର ୧୦-୧୨ ବର୍ଷ ହୋଇଥିଲା, ସେତେବେଳେ ମୁଁ ଜଗା (ଫ୍ରକ) ପିନ୍ଧୁଥିଲି। ନାଲଦୁର୍ଗ ବିଜୟ ବର୍ଷ ମୁଁ ଏଠାକୁ ୱାଗଦାରୀ ଆସିଥିଲି,’’ ୧୯୪୮ ମସିହାରେ ହାଇଦ୍ରାବାଦର ନିଜାମଙ୍କ ଶାସନ ଅଧୀନରେ ଥିବା ଦୁର୍ଗକୁ ଭାରତୀୟ ସେନା ଦଖଲ କରିବା ବିଷୟରେ ସୂଚନା ଦେଇ ସେ ନିଜ ପୁରୁଣା ଦିନ କଥା ମନେ ପକାଇଥିଲେ।
ୱାଗଦାରୀ ହେଉଛି ଓସମାନାବାଦ ଜିଲ୍ଲା ତୁଲଜାପୁର ତାଲୁକରେ ଥିବା (୨୦୧୧ ଜନଗଣନା) ଅନୁଯାୟୀ ୨୬୫ଟି ପରିବାରକୁ ନେଇ ଏକ ଛୋଟିଆ ଗ୍ରାମ, ଏବଂ ଗୁଣାମୟ ଗାଁ ବାହାରେ ଥିବା ଦଳିତ ବସ୍ତିରେ ରହୁଛନ୍ତି। ୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଳିତଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ରାମାଇ ଆବାସ ଯୋଜନାରେ ତାଙ୍କର ଗୋଟିଏ ବଖୁରିକିଆ ଘରେ ଆଉ ଦୁଇଟି ବଖରା ଯୋଡ଼ି ହୋଇଥିଲା।


ବାମ : ଗୁଣାମୟ ନିଜ ଅଗଣାରେ ପଡ଼ିଥିବା ଲୁହା ଚାରପାଇରେ ବସିଛନ୍ତି । ଡାହାଣ : ଗୁଣାମୟଙ୍କ ସହିତ ବନ୍ଦନା ଏବଂ ଶ୍ରୀଦେବୀ ଘରେ ଅଛନ୍ତି । ୨୦୧୮ରେ ସେ ଯେତେବେଳେ ଅସୁସ୍ଥ ହୋଇପଡ଼ିଥିଲେ ଗୁଣାମୟଙ୍କୁ ତାଙ୍କ ଝିଅମାନଙ୍କ ସହିତ ରହିବା ଲାଗି ଗାଁ ଛାଡ଼ିବାକୁ ପଡ଼ିଥିଲା
ବାଲ୍ୟାବସ୍ଥାରେ ଗୁଣାମୟ ଯେତେବେଳେ କନିଆଁ ହୋଇ ଗାଁକୁ ଆସିଥିଲେ, ସେ ତାଙ୍କ ଶାଶୁଘର ଲୋକଙ୍କ ସହିତ ଏକ ମାଟି କାନ୍ଥ ଘରେ ରହୁଥିଲେ। ପରିବାର ପାଖରେ କୌଣସି ଜମି ନଥିଲା ଏବଂ ତାଙ୍କର ସ୍ୱାମୀ ମନୋହର କାମ୍ବଲେ, ଗାଁ ଓ ଏହାର ମୁଖିଆଙ୍କ ସେବା କରୁଥିଲେ। ଏହି କାମ ପାଇଁ ପରିବାର ଲୋକଙ୍କୁ ବାଲୁତେଦାରୀ ମିଳୁଥିଲା, ଏହା ହେଉଛି ଏକ ପାରମ୍ପରିକ ବସ୍ତୁ ବିନିମୟ ପ୍ରଣାଳୀ ଯେଉଁଥିରେ ବର୍ଷକୁ ଥରେ ପାରିଶ୍ରମିକ ଭାବେ କୃଷି ଉତ୍ପାଦ ମିଳିଥାଏ।
କିନ୍ତୁ ପରିବାର ପୋଷିବା ପାଇଁ ଏତିକି ରୋଜଗାର ଯଥେଷ୍ଟ ନଥିଲା, ତେଣୁ ଗୁଣାମୟ ଛେଳି ଓ କିଛି ମଈଁଷି ପାଳିଥିଲେ; କ୍ଷୀରରୁ ଘିଅ ପ୍ରସ୍ତୁତ କରି ସେ ବିକ୍ରି କରୁଥିଲେ। ଏହାପରେ, ସେ ୧୯୭୨ ମସିହାର ମରୁଡ଼ି ପରେ ଆରମ୍ଭ କରାଯାଇଥିବା ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଅଧୀନରେ କାମ କଲେ। ଏହାଛଡ଼ା ସେ ଦିନ ମଜୁରି କାମ ଏବଂ ସନ୍ତାନ ପ୍ରସବ କରାଇବା ଆରମ୍ଭ କଲେ।
‘‘ଶିଶୁ ପ୍ରସବ କରାଇବା ଅତି ବିପଜ୍ଜନକ କାର୍ଯ୍ୟ। କାହା ଗୋଡ଼ରୁ କଣ୍ଟାଟିଏ କାଢ଼ିବା ସୁଦ୍ଧା କଷ୍ଟକର ଆଉ ଏଠି ତ’ ଜଣେ ମହିଳାଙ୍କ ଭିତରୁ ସମ୍ପୂର୍ଣ୍ଣ ଶରୀରଟିଏ ବାହାରକୁ ଅଣାଯାଉଛି!’’, ସେ ଇସାରା କରି କହିଥିଲେ। କିନ୍ତୁ ଏହି କାମର ଗମ୍ଭୀର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକୃତି ସତ୍ତ୍ୱେ ସେ ଏହି କାମ କରିଥିଲେ। ‘‘ଲୋକମାନେ ଯାହା ଇଚ୍ଛା ପାରିଶ୍ରମିକ ଦେଉଥିଲେ,’’ ସେ କହିଥିଲେ। ‘‘କେହି କେହି ମୁଠାଏ ଶସ୍ୟ ଦେଉଥିଲେ; ଆଉ କେହି ଦଶ ଟଙ୍କା ଦେଉଥିଲେ।ଆଉ କେହି ଦୂର ଗାଁରୁ ଶହେ ଟଙ୍କା ମଧ୍ୟ ଦେଉଥିଲା।’’
ସେ ରାତି ସାରା ଏକ ନୂଆ ମା’ ସହିତ ରହୁଥିଲେ, ତାଙ୍କୁ ଓ ଶିଶୁକୁ ଗାଧୋଇ ଦେଉଥିଲେ ଏବଂ ତା’ପରେ ହିଁ ଯାଇ ଘରକୁ ଯାଉଥିଲେ। ‘‘ମୁଁ କାହା ଘରେ ଚା’ ପିଇ ନାହିଁ କିମ୍ବା ଖାଇନାହିଁ। କେବଳ ମୋ ଶାଢ଼ୀ କାନିରେ ବନ୍ଧା ହୋଇଥିବା ଶସ୍ୟ ମୁଠିଏ ନେଇ ମୁଁ ଫେରୁଥିଲି,’’ ବିଗତ ଦିନ କଥା ମନେ ପକାଇ ସେ କହିଥିଲେ।
ଆଠ ବର୍ଷ ପୂର୍ବରୁ, ଗୁଣାମୟ ମନେ ପକାଇ କହିଥିଲେ ଯେ, ଜଣେ ଆଇନଜୀବୀ ପରିବାର ତାଙ୍କୁ ୧୦ ଟଙ୍କା ଦେଇଥିଲେ। ସେ ସାରା ରାତି ବସି ରହିଥିଲେ ଏବଂ ଘରେ ତାଙ୍କ ବୋହୂର ଜଟିଳ ପ୍ରସବ କରାଇବାରେ ସହାୟତା କରିଥିଲେ। ‘‘ସକାଳେ, ସେ ଏକ ପୁଅକୁ ଜନ୍ମ ଦେଇଥିଲେ। ମୁଁ ଘରକୁ ବାହାରିବା ସମୟରେ ତାଙ୍କ ଶାଶୁ ୧୦ ଟଙ୍କା ଦେଇଥିଲେ,’’ ଗୁଣାମୟ କହିଥିଲେ। ‘‘ମୁଁ ୧୦ ଟଙ୍କା ଫେରାଇ ଦେଲି ଏବଂ ତାଙ୍କୁ କହିଲି, ‘ମୁଁ ପିନ୍ଧିଥିବା ଏ ଚୁଡ଼ି ଦାମ ୨୦୦ ଟଙ୍କା। ତୁମର ୧୦ ଟଙ୍କା ନେଇଯାଅ ଏବଂ କେହି ଭିକାରୀ ପାଇଁ ୧୦ ଟଙ୍କିଆ ବିସ୍କୁଟଟିଏ କିଣିଦେବ।’’


ବାମ : ଗୁଣାମୟଙ୍କ ଝିଅ ବନ୍ଦନା (ବାଇଗଣୀ ଶାଢ଼ୀରେ) କୁହନ୍ତି ଯେ, ଦାଇମାନଙ୍କୁ କମ୍ ପାରିଶ୍ରମିକ ଦିଆଯାଏ। ଡାହାଣ : ‘ମୁଁ ପିନ୍ଧିଥିବା ଚୁଡ଼ି ଦାମ ୨୦୦ ଟଙ୍କା,’ ଗୁଣାମୟ ଥରେ ଜଣେ ଓକିଲଙ୍କ ପରିବାରକୁ କହିଥିଲେ ଯେଉଁମାନେ ତାଙ୍କୁ ସନ୍ତାନ ପ୍ରସବ କରାଇବା ଲାଗି ୧୦ ଟଙ୍କା ଦେଇଥିଲେ। ‘ଏ ୧୦ ଟଙ୍କା ନେଇଯାଅ ଓ କେହି ଜଣେ ଭିକାରୀକୁ ଗୋଟିଏ ବିସ୍କୁଟ ପ୍ୟାକେଟ କିଣି ଦେଇଦେବ’
ଗ୍ରହଣୀୟତା ନମିଳିବା ଏବଂ ନାମକୁ ମାତ୍ର ମଜୁରି ଗୁଣାମୟଙ୍କ ବଡ଼ ଝିଅ ବନ୍ଦନାଙ୍କୁ ଦାଇ ହେବାରୁ ରୋକି ଦେଇଥିଲା। ‘‘କେହି ପାରିଶ୍ରମିକ ଦିଅନ୍ତି ନାହଁ, ଲୋକମାନେ ଦିଅନ୍ତି ନାହିଁ, ସରକାର ଦିଏ ନାହିଁ। କୌଣସି ମୂଲ୍ୟ ଯଦି ମିଳୁ ନାହିଁ, ମୁଁ ଶ୍ରମ କାହିଁକି କରିବି? ମୋତେ ଚାରି ପିଲାଙ୍କ ପେଟ ପୋଷିବାର ଥିଲା ସେଥିପାଇଁ ମୁଁ ଅଟକି ଗଲି ଏବଂ ମଜୁରି କାମ କରିବାକୁ ଚାଲିଗଲି,’’ ବନ୍ଦନା କହିଥିଲେ, ଯିଏକି ଏବେ ପୁଣେରେ ରହୁଛନ୍ତି। ଗୁଣାମୟ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ କିନ୍ତୁ ଏବେ ସେ କେବଳ ନୂଆ ମା’ ଏବଂ ନବଜାତ ଶିଶୁଙ୍କୁ ଗାଧୋଇ ଦେବାରେ ସାହାଯ୍ୟ କରୁଛନ୍ତି।
ବନ୍ଦନା ଓ ତାଙ୍କ ତିନି ଭଉଣୀଙ୍କର ମୋଟ୍ ୧୪ ଜଣ ପିଲା ରହିଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ସମସ୍ତଙ୍କ ଜନ୍ମ ଗୁଣାମୟ କରାଇଥିଲେ। ଗୁଣାମୟଙ୍କ ତୃତୀୟ ଝିଅଙ୍କର ଗୋଟିଏ ଡାକ୍ତରଖାନାରେ ସିଜେରିଆନ ଅପରେସନ ହୋଇଥିଲା, ତାଙ୍କ ସ୍ୱାମୀ ତାଙ୍କୁ ସେଠାକୁ ନେଇ ଯାଇଥିଲେ। ‘‘ମୋର ଜ୍ୱାଇଁ ଏକ ବିଦ୍ୟାଳୟରେ ଶିକ୍ଷକ ଥିଲେ (ଏବେ ଅବସରପ୍ରାପ୍ତ)। ତାଙ୍କର ଏଥିରେ (ଗୃହରେ ପ୍ରସବ ଏବଂ ଗୁଣାମୟଙ୍କ କୌଶଳ) ବିଶ୍ୱାସ ନଥିଲା,’’ ସେ କହିଥିଲେ।
ଗତ ଦୁଇ ତିନି ଦଶନ୍ଧି ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା କିଭଳି ସିଜେରିଆନ ପ୍ରସବ ପଦ୍ଧତି ଚୟନ କରୁଛନ୍ତି କିମ୍ବା ସେମାନଙ୍କୁ ନୂଆ ପରାମର୍ଶ ଦିଆଯାଉଛି ତାହା ଦେଖି ଗୁଣାମୟ ନିରାଶ ହୋଇଥାନ୍ତି। ମହାରାଷ୍ଟ୍ରରେ ଏପରି ଅପରେସନ ସଂଖ୍ୟା ବଢ଼ୁଛି। ଏନଏଫଏଚଏସ-୫ ର ତଥ୍ୟରୁ ଜଣାପଡ଼ିଥାଏ ଯେ, ୨୦୧୯-୨୧ ମଧ୍ୟରେ, ୨୫ ପ୍ରତିଶତରୁ ଅଧିକ ଗର୍ଭବତୀ ମହିଳାଙ୍କର ଏକ ସରକାରୀ ଡାକ୍ତରଖାନାରେ ସିଜେରିୟାନ ସେକ୍ସନ ଅସ୍ତ୍ରୋପଚାର ହୋଇଛି। ଘରୋଇ ଡାକ୍ତରଖାନାରେ ଏହି ତଥ୍ୟ ଆହୁରି ଅଧିକ ଥିଲା – ପ୍ରସବ ପାଇଁ ଭର୍ତ୍ତି ହୋଇଥିବା ୩୯ ପ୍ରତିଶତ ମହିଳାଙ୍କର ସର୍ଜରୀ କରାଯାଇଥିଲା।
ଗୁଣାମୟ କହିଥିଲେ, ‘‘ଦେଖନ୍ତୁ, ଗର୍ଭଧାରଣ ଏବଂ ସନ୍ତାନ ପ୍ରସବ ପ୍ରାକୃତିକ ପ୍ରକ୍ରିୟା।’’ କାଟିବା ଓ ସିଲେଇ କରିବାକୁ ସେ ଅନାବଶ୍ୟକ ପ୍ରକ୍ରିୟା ବୋଲି କହି ଦୃଢ଼ ଭାବେ ଖଣ୍ଡନ କରିଥାନ୍ତି : ‘‘ସେମାନେ ପ୍ରଥମେ କାଟିଥାନ୍ତି ଏବଂ ତା’ପରେ ସେମାନେ ସିଲେଇ କରିଥାନ୍ତି। ଏହାପରେ ଜଣେ ମହିଳା ଉଠି ବସି ପାରିବ ବୋଲି ଆପଣ ଚିନ୍ତା କରିପାରୁଛନ୍ତି କି? ଜଣେ ପ୍ରସୂତୀ ମହିଳାଙ୍କ ଅଙ୍ଗ କୋମଳ ତଥା ନରମ ହୋଇଥାଏ।’’ ଧାଈମାନଙ୍କ ମଧ୍ୟରେ ରହିଥିବା ଏକ ସାଧାରଣ ଧାରଣାକୁ ସେ ଦୋହରାଇଥିଲେ : ‘‘ ୱାର (ଗର୍ଭନାଡ଼) ବାହାରିବା ପୂର୍ବରୁ ଜଣେ ବ୍ୟକ୍ତି ଏହାକୁ କାଟିବା ଉଚିତ୍ ନୁହେଁ, କାରଣ (ଯଦି ଆପଣ ତାହା କରନ୍ତି) ଗର୍ଭନାଡ଼ ଚାଲିଯାଇ ଯକୃତରେ ଲାଖି ଯାଏ।’’
ସେ ପରୀକୁ କହିଥିଲେ ଯେ, ଜଣେ କିଶୋରୀ ମା’ ଭାବେ ନିଜର ଅଭିଜ୍ଞତାରୁ ସେ ଶିଶୁ ଜନ୍ମ କରାଇବା ସମ୍ପର୍କରେ ଅଧିକାଂଶ ଶିକ୍ଷା ଲାଭ କରିଥିଲେ। ‘‘ମୋ ନିଜ ପିଲାଙ୍କ ଜନ୍ମ ସମୟରୁ ମୁଁ ସବୁକିଛି ଶିଖିପାରିଛି। ସଙ୍କୋଚନ ସମୟରେ ଜୋରରେ ଠେଲିବା, (ତାଙ୍କର, ମା’ର) ପେଟକୁ ଘଷିବା ଏବଂ ଶିଶୁକୁ ବାହାରକୁ ଠେଲିବା,’’ ସେ କହିଥିଲେ, ଏହି ସମୟରେ ସେ ନିଜ କିଶୋରାବସ୍ଥା ସମ୍ପର୍କରେ ସ୍ମରଣ କରିଥିଲେ: ‘‘ମୁଁ କାହାକୁ ମୋ ପାଖକୁ ଆସିବା ଲାଗି ଦେଉନଥିଲି, ଏପରିକି ମୋ ମା’କୁ ମଧ୍ୟ ବାହାରେ ରଖୁଥିଲି, ଏବଂ ଏହା ସରିଗଲେ ମୁଁ ସେମାନଙ୍କୁ ଡାକୁଥିଲି।’’


ଗୁଣାମୟ (ବାମ) ନିଜ ୮୬ ବର୍ଷର ଜୀବନକାଳରେ ଅଧିକାଂଶ ସମୟ ଦାଇ ଭାବେ କାର୍ଯ୍ୟ କରିଛନ୍ତି। ବନ୍ଦନା (ଡାହାଣ) ଏବଂ ନିଜର ଆଉ ତିନି ଜଣ ପିଲାଙ୍କୁ ଜନ୍ମ ଦେବା ସମୟରେ ସେ ଏହିସବୁ ଶିକ୍ଷା ହାସଲ କରିଥିଲେ
ଗୁଣାମୟଙ୍କ କୌଶଳ ମୃତଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ କାମ ଦେଉଥିଲା। ଗର୍ଭଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କ ମାମଲା କଥା ମନେ ପକାଇ ସେ କହିଥିଲେ, ‘‘ଗର୍ଭରେ ପିଲାଟି ମୃତ୍ୟୁବରଣ କରିଥିବା ମୁଁ ଜାଣିପାରିଥିଲି।’’ ନିକଟରେ ଥିବା ଡାକ୍ତରଖାନାର ଜଣେ ଡାକ୍ତର କହିଥିଲେ ଯେ, ସିଜେରିଆନ ଅସ୍ତ୍ରୋପଚାର କରି ଗର୍ଭରୁ ମୃତ ଶିଶୁକୁ ବାହାର କରିବା ଲାଗି ମା’ଙ୍କୁ ସୋଲାପୁର ନେଇଯିବାର ଆବଶ୍ୟକତା ରହିଛି। ‘‘ସେମାନେ ଏହି ଖର୍ଚ୍ଚ ତୁଲାଇବାକୁ ସକ୍ଷମ ହେବେ ନାହିଁ ବୋଲି ମୁଁ ଜାଣିଥିଲି। ମୋତେ କିଛି ସମୟ ଦିଅନ୍ତୁ ବୋଲି ମୁଁ ସେମାନଙ୍କୁ କହିଲି ଏବଂ ମା’ର ପେଟକୁ ଘଷିବା ଓ ଚାପିବା ପରେ ମୁଁ ମୃତ ଶିଶୁର ଶରୀରକୁ ବାହାରକୁ ବାହାର କରିପାରିଥିଲି,’’ ସେ କହିଥିଲେ। ‘‘କୌଣସି ପ୍ରକାର ସଂକୋଚନ ନଥିବା କାରଣରୁ ଏହା ବିଶେଷ କଷ୍ଟକର ହୋଇଥାଏ,’’ ବନ୍ଦନା କହିଥିଲେ।
‘‘ଗର୍ଭ ବାହାରକୁ ବାହାରି ଆସିଥିବା ମହିଳାଙ୍କୁ ମଧ୍ୟ ମୁଁ ସାହାଯ୍ୟ କରୁଥିଲି, କିନ୍ତୁ କେବଳ ସେତିକି ବେଳେ କରିପାରୁଥିଲି ଯେତେବେଳେ ଜନ୍ମର ତୁରନ୍ତ ପରେ ଏହା ହୋଇଥିବ। ପରେ, ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ,’’ ଗୁଣାମୟ କହିଥିଲେ। କେବେ ପଛକୁ ହଟିବାକୁ ହେବ ଏବଂ ଜଣେ ଚିକିତ୍ସା ପେସାଦାରଙ୍କ ଉପରେ ଦାୟିତ୍ୱ ଛାଡ଼ିବାକୁ ହେବ ତାହା ସେ ଭଲ ଭାବେ ଜାଣିଥିଲେ।
୧୯୭୭ରେ ଦାଇମାନଙ୍କୁ ପ୍ରଶିକ୍ଷଣ ଦେବାର ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ଏବଂ ସେହି ସମୟରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଦାଇମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।
‘‘ମୁଁ ପ୍ରଶିକ୍ଷଣ ପାଇଁ ସୋଲାପୁର ଯାଇଥିଲି, କିନ୍ତୁ କେବେ ଯାଇଥିଲି ମନେ ନାହିଁ,’’ ଘର ବାହାରେ ଥିବା ତେନ୍ତୁଳି ଗଛ ମୂଳରେ ବସିବାକୁ ଚାଲିଆସିବା ସମୟରେ ଗୁଣାମୟ ଏହା କହିଥିଲେ। ‘‘ସେମାନେ ଆମକୁ ପରିଷ୍କାର ରହିବାକୁ ଶିକ୍ଷା ଦେଇଥିଲେ – ହାତ ସଫା ରଖିବା, ବ୍ଲେଡ୍ ସଫା ରଖିବା ଏବଂ ଗର୍ଭନାଡ଼ କାଟିବା ଲାଗି ଧାଗା (ସୂତା) ସଫା କରିବା ବିଷୟରେ କହିଥିଲେ। ପ୍ରତ୍ୟେକ ନୂଆ ଶିଶୁ ଜନ୍ମ ପାଇଁ ମୁଁ ଏକ ନୂଆ କିଟ୍ ବ୍ୟବହାର କରୁଥିଲି। କିନ୍ତୁ ସେମାନେ ଯାହା ଶିଖାଇଥିଲେ ସବୁ ଅନୁସରଣ କରୁନଥିଲି,’’ ସେ ସଫାସଫା କହିଥିଲେ, କାରଣ ତାଙ୍କର ନିଜସ୍ୱ ଜ୍ଞାନ, କୌଶଳ ଏବଂ ଅଭିଜ୍ଞତା ଏସବୁକୁ ଟପିଯାଇଥିଲା।
୨୦୧୮ରେ, ଅଚେତ ହୋଇ ପଡ଼ିଯିବା କାରଣରୁ ଗୁଣାମୟ ନିଜ ଝିଅମାନଙ୍କ ସହିତ ରହିବାକୁ ଆରମ୍ଭ କରିଥିଲେ – ତୁଲଜାପୁର ବ୍ଲକରେ ଥିବା କାସାଇରେ, କିମ୍ବା ପୁଣେ ସହରରେ। କିନ୍ତୁ ୱାଗଦାରୀରେ ଥିବା ନିଜ ଘରେ ରହିବାକୁ ସେ ବେଶୀ ପସନ୍ଦ କରୁଥିଲେ, ଯେଉଁଠି ସେ କହିଥିଲେ, ‘‘ଇନ୍ଦିରା ଗାନ୍ଧୀ ଯେପରି ଭାବେ ଦେଶର ଶାସନ ଭାର ଗ୍ରହଣ କରିଥିଲେ ଠିକ୍ ସେହିପରି ମୁଁ ସନ୍ତାନ ପ୍ରସବ କରାଇବା କାମ ଗ୍ରହଣ କଲି।’’
ଉପସଂହାର : ଗୁଣାମୟ କାମ୍ବଲେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ଏହି ଫିଚର ପ୍ରକାଶିତ ହେବା ଲାଗି ପ୍ରସ୍ତୁତ ହେଉଥିବା ସମୟରେ ନଭେମ୍ବର ୧୧, ୨୦୨୨ରେ ତାଙ୍କର ପରଲୋକ ଘଟିଥିଲା।
ଏ ଷ୍ଟୋରୀର ଏକ ପ୍ରାକ ସଂସ୍କରଣ ଏହାକୁ ଆମେ ଯେମିତି ଦେଖୁଛୁ, ଏକ ତଥାପି-ଡବ୍ଲୁଏଚଓ ଇଣ୍ଡିଆ ପ୍ରକାଶନୀ ଭାବେ ୨୦୧୦ରେ ପ୍ରକାଶ ପାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍