‘ଦିଲ୍ଲୀ ଚଲୋ’- ଦିଲ୍ଲୀ ଯାତ୍ରା କର ଆହ୍ୱାନ ଶୁଣିବାର ଅଳ୍ପ କେଇଦିନ ମଧ୍ୟରେ ମହାରାଷ୍ଟ୍ରର ପଲଘର୍ ଜିଲ୍ଲାର ୱାର୍ଲି ଆଦିବାସୀ କୃଷକମାନେ ନଭେମ୍ବର ୨୭ରୁ-୨୦୧୮ରେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଏକ ଲୋକାଲ୍ ଟ୍ରେନ୍ରେ ଦହାନରୁ ବିରାର୍ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ, ଏହାପରେ ଆଉ ଗୋଟିଏ ଟ୍ରେନ୍ରେ ମୁମ୍ବାଇ ସେଣ୍ଟ୍ରାଲ୍, ଯେଉଁଠାରୁ ସେମାନେ ଦିଲ୍ଲୀରେ ପହଞ୍ଚିବା ପାଇଁ ତୃତୀୟ ଟ୍ରେନ୍ ଧରିଥିଲେ ।
୧୫୦-୨୦୦ କୃଷକ ଏବଂ ଶ୍ରମିକ ସଂଗଠନର ସମୂହ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ଦ୍ୱାରା ନଭେମ୍ବର ୨୯-୩୦ରେ ଦିଲ୍ଲୀରେ ଆୟୋଜିତ ଯୁଗାନ୍ତକାରୀ କୃଷକ ପ୍ରତିବାଦରେ ଯୋଗଦେବା ପାଇଁ ସେମାନେ ଦିଲ୍ଲୀ ଆସିଛନ୍ତି । ଏଗୁଡ଼ିକ ମଧ୍ୟରୁ ଅନ୍ୟତମ ଜଣାଶୁଣା ସଂଗଠନ ହେଉଛି ଅଖିଳ ଭାରତ କିଷାନ ସଭା । କିମ୍ବଦନ୍ତୀ ନେତା ଗୋଡୁତାଇ ପାରୁଲେକର ନେତୃତ୍ୱରେ ଅନୁଷ୍ଠିତ ଐତିହାସିକ ୱାର୍ଲି ବିପ୍ଲବରେ ନେତୃତ୍ୱ ପାଇଁ ଏହି ଅନୁଷ୍ଠାନ ଆଦିବାସୀମାନଙ୍କର ବିପୁଳ ସମର୍ଥନ ହାସଲ କରିଥିଲା।
ଏକଦମ୍ ଭିଡ଼ ହୋଇଥିବା ଏକ କମ୍ପାର୍ଟମେଣ୍ଟରେ ଦୀର୍ଘ ୨୪ଘଣ୍ଟା ଯାତ୍ରା କରିବା ପରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପଲଘର୍ ସମୁହ ହଜରତ୍ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିଥିଲେ । ଏହା ହିଁ ସେହି ଯାତ୍ରାର ଏକ ରେକର୍ଡ ଥିଲା ।

ନଭେମ୍ବର ୨୭ ତାରିଖ ଅପରାହ୍ନରେ ପଲଘର୍ ଜିଲ୍ଲାର ଦହାନୁ ଜିଲ୍ଲାରୁ ଆସିଥିବା ମୀନା ବର୍ଷେ କୋମ୍, ସଖାରି ବନ୍ସାଦ୍ ଦଣ୍ଡେକର ଏବଂ ଅନ୍ୟମାନେ ଦହାନୁ ରୋଡ୍ ଷ୍ଟେସନରେ ଏକତ୍ର ହୋଇଛନ୍ତି ।


ସଖାରି ମୀନାଙ୍କୁ ତାଙ୍କ କେଶରେ ଫୁଲ ଲଗାଇବାରେ ସାହାଯ୍ୟ କରୁଛନ୍ତି । ଉଜ୍ଜ୍ୱଳ ରଙ୍ଗର ପୋଷାକ ପିନ୍ଧିଥିବା ଏବଂ ଗଜରା ଲଗାଇଥିବା ୱାର୍ଲି ଆଦିବାସୀ ମହିଳାମାନେ ଦହାନୁ ଷ୍ଟେସନ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।


ନିଲମ୍ ପ୍ରକାଶ ରାଭତେ ତାଙ୍କ ଘରଠାରୁ ପ୍ରାୟ ସପ୍ତାହେ ଦୂରରେ ରହିବେ । ତାଙ୍କର ୩ ସନ୍ତାନ ତାଙ୍କ ଅଭାବ ଅନୁଭବ କରୁଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ ସେ ଯେତେବେଳେ ଦୀର୍ଘ କୃଷକ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଯାଇଥିଲେ, ସେତେବେଳେ ତାଙ୍କ କନିଷ୍ଠ ପୁତ୍ର ଅସୁସ୍ଥ ହୋଇଯାଇଥିଲା । ସେ ତାଙ୍କୁ ସବୁବେଳେ ଫୋନ୍ କରେ । ମୀନା ଦୀର୍ଘଦିନରୁ କିଷାନ ସଭା ସହ ଜଡ଼ିତ ।


ମୁମ୍ବାଇ ସେଣ୍ଟ୍ରାଲ୍ରୁ ଉତ୍ତରରେ ପ୍ରାୟ ୧୪୪ କିଲୋମିଟର ଦୂରରେ ରହିଛି ଦହାନୁ ରୋଡ୍ ଷ୍ଟେସନ । ମୁମ୍ବାଇ ସବ୍ ଅର୍ବାନ୍ ରେଲୱେ ନେଟ୍ୱାର୍କର ପଶ୍ଚିମ ଲାଇନ୍ରେ ଥିବା ଏହି ଷ୍ଟେସନ ମୁମ୍ବାଇ ଏବଂ ଭାରତର ପଶ୍ଚିମାଞ୍ଚଳ ରାଜ୍ୟଗୁଡ଼ିକରୁ ଯାତ୍ରୀବାହୀ ରେଳର ଏକ ବ୍ୟସ୍ତ ଲାଇନ୍ ।

କିଷାନସଭା କର୍ମୀମାନଙ୍କ ଏହି ମେଳ ପୋଲିସକୁ ମଧ୍ୟ ଆକର୍ଷିତ କରେ । ସେମାନେ ଏହି ଶୋଭାଯାତ୍ରା ଏବଂ ପ୍ରତିଭାଗୀମାନଙ୍କର ସବିଶେଷ ବିବରଣୀ ସଂଗ୍ରହ କରନ୍ତି ।

ପଲଘର୍ ଅନ୍ୟ ତାଲୁକାରୁ ଆସିଥିବା କୃଷକମାନେ ସେମାନଙ୍କ ମହିଳା ସାଥୀମାନଙ୍କ ସହ ଦହାନୁ ଷ୍ଟେସନ୍ରେ ଏକତ୍ର ହୋଇଛନ୍ତି । ଏହି ପୁରୁଷ ଚାଷୀମାନେ ବିକ୍ରମଗଡ଼ରୁ ଆସିଛନ୍ତି ।

ଦିଲ୍ଲୀକୁ ଟ୍ରେନ୍ରେ ଯାତ୍ରା କଷ୍ଟକର । ଗୋଟିଏ ଅତ୍ୟଧିକ ଭିଡ଼ ଥିବା ସାଧାରଣ ବଗିରେ ୨୦୦ ଯାତ୍ରୀ ପ୍ରାୟ ୨୧ଘଣ୍ଟା ଚାପି ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣ ପଲଘରର୍ କୃଷକ କର୍ମୀ।

ପଲଘରର୍ ଦହାନୁ ତାଲୁକାର ଧାମନ୍ ଗାଓଁ ଗ୍ରାମରୁ ଆସିଥିବା ୪୦ବର୍ଷ ବୟସ୍କା ସୁନିତା ୱାଲୱି (ଡାହାଣରୁ ପ୍ରଥମ) ୨୧ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଗୋଟିଏ ଢଙ୍ଗରେ ବସିଥିଲେ । ଶୌଚାଳୟକୁ ଥରେ ଯିବାର ଅର୍ଥ ବାଟରେ ଖୁନ୍ଦିଖାନ୍ଦି ହୋଇ ବସିଥିବା ଅନେକ ସହଯାତ୍ରୀଙ୍କ ଉପରେ ଚଢ଼ିକରି ଯିବା । ସେମାନେ ସମସ୍ତେ ଅଣ ସଂରକ୍ଷିତ ବଗିରେ ଯାତ୍ରା କରୁଥିବାରୁ ଶୌଚାଳୟକୁ ଗଲେ ମଧ୍ୟ ନିଜ ସ୍ଥାନ ହରାଇବାର ଆଶଙ୍କା ରହିଛି ।


ବଗିଟି ଖୁନ୍ଦାଖୁନ୍ଦି ହୋଇଥିଲେ ମଧ୍ୟ କୃଷକ କର୍ମୀମାନେ ଏହି କଷ୍ଟକର ଦୀର୍ଘ ଟ୍ରେନ୍ ଯାତ୍ରାରେ ସମୟ କାଟିବା ପାଇଁ ବିପ୍ଲବ ଗୀତ ଗାଉଥିଲେ । ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜା ଗେହଲା କୃଷି ବିପର୍ଯ୍ୟୟ ସମ୍ପର୍କରେ ନିଜେ ଲେଖିଥିବା ଗୀତ ଗାଉଥିଲେ ।
ମୁମ୍ବାଇର ଯୋଗେଶ୍ୱରୀରୁ ଯାଉଥିବା ସଞ୍ଜୀବ ଶମନ୍ଥାଲ୍ କୃଷକମାନଙ୍କ ସହ ଶୋଭାଯାତ୍ରାରେ ଯୋଗଦେବାକୁ ଯାଉଥିବା ବହୁ ମୁମ୍ବାଇ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ।

ରାଜସ୍ଥାନରୁ ଆସିଥିବା ମହିଳା ଯାତ୍ରୀମାନେ ପଲ୍ଘର୍ କୃଷକମାନଙ୍କର ଆଲୋଚନା ଏବଂ ସ୍ଲୋଗାନ୍ ନେଇ ଖୁବ୍ ଅନୁସନ୍ଧିତ୍ସୁ ଥିଲେ । ସେମାନେ ମଧ୍ୟ କୃଷକ । ରାଜସ୍ଥାନର ବୁନ୍ଦି ଜିଲ୍ଲାର ହିନ୍ଦୋଲି ତହସିଲର ଦବ୍ଲାନା ଗ୍ରାମରୁ ଆସିଥିବା ମନ୍ଭାରି ଦେବୀ ଆମକୁ କହିଥିଲେ, କେମିତି ଦୁର୍ଭିକ୍ଷ ଏବଂ ଶୁଖିଲା କେନାଲ ସେମାନଙ୍କ ଯଅ ଏବଂ ଗହମ ଫସଲକୁ ନଷ୍ଟ କରିଦେଇଛି । ରାଜସ୍ଥାନର କରୌଲି ଜିଲ୍ଲାର ତୋଡ଼ାଭିମ୍ ତହସିଲର ପ୍ରେମ୍ବାଇ କୁହନ୍ତି, ସେମାନଙ୍କ ଫସଲର ମୂଲ୍ୟ ଚାଷ ଖର୍ଚ୍ଚ ସହ ମେଳ ଖାଉନାହିଁ । ସେମାନଙ୍କ ପରିବାର ମଧ୍ୟ ନିଜକୁ ଚଳାଇବା ପାଇଁ ଅନ୍ୟମାନଙ୍କ ଜମିରେ କୃଷକ ଭାବରେ କାମ କରନ୍ତି । ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଜଳ ସମସ୍ୟାର ସମାଧାନ ଦିଲ୍ଲୀରେ କୃଷକ ଶୋଭାଯାତ୍ରାର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରୁ ଅନ୍ୟତମ ।


ଏହି ଦୁଇଦିନିଆ ଟ୍ରେନ୍ ଯାତ୍ରା ବିଶେଷକରି ମହିଳା ଯାତ୍ରୀଙ୍କ ପାଇଁ କଷ୍ଟକର ଥିଲା । ଯେଉଁମାନଙ୍କୁ କି ବେଳେବେଳେ ଆକ୍ରାମକ ପୁରୁଷମାନଙ୍କ ଭିଡ଼କୁ ସାମ୍ନା କରିବାକୁ ହେଉଥିଲା ।
ସୁନିତା ୱାଲୱିଙ୍କ ପିତା ଜଣେ କିଷାନ ସଭା କର୍ମୀ ଥିଲେ । ଚଳିତବର୍ଷ ଆଦ୍ୟ ଭାଗରେ ନାସିକ୍ରୁ ମୁମ୍ବାଇ ଦୀର୍ଘ ଶୋଭାଯାତ୍ରାରେ ସେ ଭାଗ ନେଇଥିଲେ । ସେ କହିଥିଲେ, ‘ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହୋଇଛି, ଆମେ ସେ ପର୍ଯ୍ୟନ୍ତ ଶୋଭାଯାତ୍ରା କରୁଥିବୁ ।

ଶେଷରେ ନଭେମ୍ବର ୨୭ ତାରିଖ ରାତି ୯ଟା ୨୫ରେ ଗୋଲଡେନ୍ ଟେମ୍ପୁଲ୍ ମେଲ୍ ମୁମ୍ବାଇ ସେଣ୍ଟ୍ରାଲ୍ ଛାଡ଼ିଲା ଏବଂ ନଭେମ୍ବର ୨୮ ରାତି ୬ଟା ୪୫ରେ ନିଜାମୁଦ୍ଦିନ ଷ୍ଟେସନ୍ରେ ପହଞ୍ଚିଲା।

ଯେତେବେଳେ ବଡ଼ବଡ଼ ଦଳ ଟ୍ରେନ୍ରେ ଏକାଠି ଯାତ୍ରା କରନ୍ତି, ସେତେବେଳେ ହଜିଯିବାର ଆଶଙ୍କା ଥାଏ । ନିଜାମୁଦ୍ଦିନଠାରେ କିଷାନ ସଭାର ବ୍ୟାନର୍ ପ୍ରଦର୍ଶିତ ହୋଇଛି, ଯେଉଁଠି ୨୪ କୋଚ୍ ବିଶିଷ୍ଟ ଏହି ଦୀର୍ଘ ଟ୍ରେନ୍ରେ ଆସୁଥିବା ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହେବେ ।

ପଲଘର୍ ଦଳରେ ବର୍ତ୍ତମାନ ପ୍ରାୟ ୧୦୦ଜଣ ଅଛନ୍ତି । ସେମାନେ ନିକଟସ୍ଥ ଗୁରୁଦ୍ୱାର ଶ୍ରୀ ବାଲା ସାହିବଜୀକୁ ଚାଲିଚାଲି ଯିବେ । ଯେଉଁଠାରେ ନେସନ୍ ଫର୍ ଫାର୍ମର୍ସ ସ୍ୱେଚ୍ଛାସେବୀମାନେ ରହଣୀ ଏବଂ ଶିଖ୍ ଲଙ୍ଗର୍ରେ ଖାଦ୍ୟର ବ୍ୟବସ୍ଥା କରିଛନ୍ତି।

ଦିଲ୍ଲୀର ଭୀଷଣ ଏବଂ ନିବରଚ୍ଛିନ୍ନ ଟ୍ରାଫିକ୍ ମଧ୍ୟରେ ୨୦ ମିନିଟ୍ ଚାଲିବା ପରେ କୃଷକମାନେ ନିଜାମୁଦ୍ଦିନରୁ ଗୁରୁଦ୍ୱାରରେ ପହଞ୍ଚିଛନ୍ତି । ଆଗାମୀ ଦିନରେ ଦିଲ୍ଲୀର କିଛି ସ୍ୱାଦିଷ୍ଟ ଷ୍ଟ୍ରୀଟ୍ ଫୁଡ୍ ଚାଖିବାର ସୁଯୋଗ ମଧ୍ୟ ମିଳିବ ।

ଏକ ସହରାଞ୍ଚଳ ସମୁହ ଗୋଷ୍ଠୀ, ନେସନ୍ ଫର୍ ଫାର୍ମର୍ସ ସ୍ୱେଚ୍ଛାସେବୀମାନେ କିଷାନ ସଭା ସ୍ୱେଚ୍ଛାସେବୀ ଏବଂ ଗୁରୁଦ୍ୱାରା ଶ୍ରୀ ବାଲା ସାହିବଜୀ ପ୍ରଶାସନ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଅନ୍ୟ ଦାକ୍ଷିଣାତ୍ୟ ରାଜ୍ୟରୁ ଆସିଥିବା ସେମାନଙ୍କର ଅତିଥିମାନଙ୍କ ପାଇଁ ଏହି ଅସମ୍ପୂର୍ଣ୍ଣ ଅଟ୍ଟାଳିକାରେ କିଛି କାର୍ପେଟ୍, ଇଲେକ୍ଟ୍ରିକ୍ ପଏଣ୍ଟ, ପାଣି ଏବଂ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରିଛନ୍ତି । ୩୦ ନଭେମ୍ବର ଅପରାହ୍ନ ସୁଦ୍ଧା ଦିଲ୍ଲୀ ଚଲ୍ଲୋ ପଦଯାତ୍ରାର ୫୦୦୦ରୁ ଅଧିକ ଦାକ୍ଷିଣାତ୍ୱ ଗୋଷ୍ଠୀ ଗୁରୁଦ୍ୱାରର ଉତ୍ତରରେ ୯ କିଲୋମିଟର ଦୂରରେ ଥିବା ରାମଲୀଳା ମଇଦାନକୁ ପଦଯାତ୍ରା ଆରମ୍ଭ କରିବେ । ମଇଦାନରେ ପହଞ୍ଚିବା ପାଇଁ ସାରା ଦେଶର କୃଷକମାନଙ୍କ ପାଇଁ ଚିହ୍ନଟ କରାଯାଇଥିବା ୫ଟି ମାର୍ଗ ମଧ୍ୟରୁ ଏହା ଅନ୍ୟତମ । ନଭେମ୍ବର ୩୦ରେ ସମସ୍ତେ ସଂସଦ ଆଡ଼କୁ ପଦଯାତ୍ରା କରିବେ ।
ଅନୁବାଦ: ଓଡ଼ିଶାଲାଇଭ୍