ଛତିଶଗଡ଼ର ଆଦିବାସୀ ସଂପ୍ରଦାୟର ସଙ୍ଗୀତ ହେଉଛି ସ୍ଥିତିସ୍ଥାପକତାର ସଙ୍ଗୀତ-ଦଶନ୍ଧି ଦଶନ୍ଧି ଧରି ହିଂସାତ୍ମକ ସଂଘର୍ଷରେ ଘାଣ୍ଟି ହୋଇଥିବା ଲୋକଙ୍କର ସଙ୍ଗୀତ । ପ୍ରାୟତଃ ଢୋଲବାଦନ ସମ୍ମିଳିତ ଏହି ସଙ୍ଗୀତରେ ସେମାନେ କହନ୍ତି ସେମାନଙ୍କ କ୍ଷେତ, ସେମାନଙ୍କର ଜଙ୍ଗଲ, ସେମାନଙ୍କର ନିତିଦିନିଆ ଜୀବନ ଏବଂ ପ୍ରକୃତି ପୂଜନର କଥା । ଖୁବ୍ କମ୍ ବୟସରୁ ହିଁ ପରିବାରର ପିଲାମାନଙ୍କୁ ଏହି ସଙ୍ଗୀତ ଶିଖାଯାଏ ।
ଛତିଶଗଡ଼ର ଦକ୍ଷିଣରେ ଅବସ୍ଥିତ ବିଜାପୁର ଜିଲ୍ଲାରେ ଥିବା ଭୈରମଗଡ଼ ତହସିଲର ଫର୍ସେଗଡ଼ ଗାଁକୁ ଆମେ ୨୦୧୬ ମସିହା ଅଗଷ୍ଟରେ ଯାଇଥିଲୁ । ବିଜାପୁରରର ଜନସଂଖ୍ୟା ପ୍ରାୟ ୨୫୫,୦୦୦ (୨୦୧୧ ଜନଗଣନା) ଏବଂ ଏଥିରୁ ପ୍ରାୟ ୮୦ ପ୍ରତିଶତ ଅଧିସୂଚିତ ଜନଜାତି । ଫର୍ସେଗଡ଼ର ୧,୪୦୦ ବାସିନ୍ଦା ଏବଂ ଆଖପାଖ ଗାଁର ଲୋକଙ୍କ ମଧ୍ୟରୁ ଅଧିକାଂଶ ମୁରିଆ ଗୋଣ୍ଡ । ନକ୍ସଲପନ୍ଥୀ ଉଗ୍ରବାଦୀ, ରାଜ୍ୟ ସରକାର ଏବଂ ସରକାରଙ୍କ ସମର୍ଥିତ ସାଲୱା ଜୁଡୁମ୍ ସଂଗଠନ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଯୋଗୁଁ ପ୍ରଭାବିତ ଅନେକ ଗାଁ ମଧ୍ୟରୁ ଫର୍ସେଗଡ଼ ଗୋଟିଏ । ଗାଁର ଲୋକେ କହନ୍ତି ଯେ, ହିଂସାର ଏକ ଚିରକାଳୀନ ଚକ୍ରରେ ସେମାନେ ଫସି ଯାଇଛନ୍ତି ।
ଏହି ସଂଘର୍ଷରେ ସ୍ୱାମୀଙ୍କୁ ହରାଇଥିବା ଫର୍ସେଗଡ଼ର ଜଣେ ମହିଳା ପଚାରନ୍ତି, “ଗୋଟିଏ ପୁଅ ନକ୍ସଲ ଏବଂ ଅନ୍ୟ ଜଣକ ପୋଲିସ ସମର୍ଥକ ହୋଇଗଲେ ଆଉ କ’ଣ ବା ଘଟିବ? ଜଣେ ଅନ୍ୟ ଜଣକୁ ମାରିବାକୁ ବସିଲେ ପରିବାର ଲୋକେ କ’ଣ ବା କରିବେ ? ଏଇ ବାସ୍ତବିକତା ଭିତରେ ହିଁ ଆମେ ବଞ୍ଚିଛୁ ।” ୫୦ରୁ ଅଧିକ ବର୍ଷ ବୟସ୍କା ଏହି ମହିଳା ଜଣେ କୃଷକ ଏବଂ ସେ ତାଙ୍କ ନାଁ ଜଣାଇବାକୁ ରାଜି ନ ଥିଲେ । “ଆମେ ଅଧିକ ରୋଜଗାର କରୁନାହିଁ । ଆମେ ଏ କଥା ବି ଜାଣିନୁ ଯେ କାଲି ଆମେ ବଞ୍ଚିଥିବୁ କି ନାହିଁ । ଆଜି ଆମେ ବଞ୍ଚିଛୁ ଏବଂ ଆମେ କେବଳ ଏଇତକ କଥା ହିଁ ଚିନ୍ତା କରୁ।”
ଅନେକ ସରକାରୀ ଯୋଜନା ଫର୍ସେଗଡ଼ରେ ପହଞ୍ଚେ ନାହିଁ । ମନେହୁଏ, ଗୋଟିଏ ଆବାସିକ ବିଦ୍ୟାଳୟ, ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ହିଁ ଏଠାରେ ରାଜ୍ୟ ସରକାରଙ୍କ ଉପସ୍ଥିତିକୁ ବୁଝାଏ ।


ଫର୍ସେଗଡ଼ ଓ ଅନ୍ୟାନ୍ୟ ଗାଁର ଆଦିବାସୀମାନଙ୍କ ଅନେକ ଗୀତରେ ଏ ଅଞ୍ଚଳର ସ୍ନିଗ୍ଧ ସୌନ୍ଦର୍ଯ୍ୟ ଉଦ୍ଭାସିତ ହୁଏ ସତ, ହେଲେ ଲୋକଙ୍କ ଅନୁଭୂତି କହେ ଭିନ୍ନ ଏକ କଥା । ଡାହାଣ: ସଂଘର୍ଷରେ ସ୍ୱାମୀଙ୍କୁ ହରାଇଥିବା ଜଣେ ଆଦିବାସୀ ମହିଳା ଜୀବନ ଓ ସଂଘର୍ଷ ସଂପର୍କରେ ଯାହା କହିଲେ, ତାହାର ଏକ ଚିତ୍ର ଉପସ୍ଥାପନା (ସହ-ଲେଖିକା ଅରୁନ୍ଧତୀ ଭି.ଙ୍କ ଚିତ୍ରକଳା) ।
ଆଦିବାସୀ ପିଲାମାନଙ୍କ ପାଇଁ ଫର୍ସେଗଡ଼ ଗାଁ ପରିସରରେ ଥିବା ଆବାସିକ ବିଦ୍ୟାଳୟର ଅବସ୍ଥା ବି ସେତେ ଭଲ ନୁହେଁ । ବିଦ୍ୟୁତ୍ ମଝିରେ ମଝିରେ ଯାହା ରହେ, ବର୍ଷା ଦିନେ କୋଠାର ଛାତରୁ ପାଣି ଗଳେ । ଛାତ୍ରୀନିବାସରେ ଛାତ୍ରୀମାନଙ୍କୁ ହିଁ ରାନ୍ଧିବାକୁ ଏବଂ ସଫାସଫି କରିବାକୁ ପଡ଼େ । ଏଠାରେ ପ୍ରାୟ ୫୦ ଜଣ ଆଦିବାସୀ ଛାତ୍ରୀ (ସମସ୍ତେ ବିଭିନ୍ନ ଆଖପାଖ ଗାଁରୁ ଆସିଥିବା ୬ରୁ ୧୫ ବର୍ଷ ବୟସର ଝିଅ), ଜଣେ ଶିକ୍ଷକ ତଥା ତତ୍ତ୍ୱାବଧାରକ ଏବଂ ଜଣେ ରାନ୍ଧୁଣିଆ ଅଛନ୍ତି ।
ଆମ ଗସ୍ତ ସମୟରେ, ଛାତ୍ରୀମାନେ ସେମାନଙ୍କ ସଂପ୍ରଦାୟ ସମୂହର ଗୀତଗୁଡ଼ିକୁ ଗୋଣ୍ଡି ଭାଷାରେ ଗାଇଲେ ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ଆମ ପାଇଁ ହିନ୍ଦୀରେ ଅନୁବାଦ କଲେ ।
Song 1
ଓ ଓ ମହୁଲ ଗଛ
ଓ ଓ ମହୁଲ ଗଛ
ସତେ ତମେ କେଡ଼େ ସୁନ୍ଦର
ଓ ଓ ମହୁଲ ଗଛ
ଝରୁଅଛି ମହୁଲର ଫୁଲ
ନାଲି ନାଲି ଫୁଲ
ସତେ କି ନାଲି ବର୍ଷାର ଧାର
ଓ ଓ ମହୁଲ ଗଛ
ଓ ଓ ମହୁଲ ଗଛ
ସତେ ତମେ କେଡ଼େ ସୁନ୍ଦର
ଓ ଓ ମହୁଲ ଗଛ
କଣ୍ଠଶିଳ୍ପୀ
ସୁଶୀଳା ମାନ୍ରା, ଫର୍ସେଗଡ଼ ଗାଁ
ଗାୟତ୍ରୀ ତେଲ୍ଲାମ୍, ଧାନୋରା ଗାଁ
କମଳା ଉଡ୍ଡେ, ସାଗ୍ମେତା ଗାଁ
Song 2
ପ୍ରିୟ ଭାଇ ଓ ଭଉଣୀ ମୋର
ସତେ ତମେ କେଡ଼େ ସୁନ୍ଦର
କହ ମତେ କ’ଣ ପସନ୍ଦ ତୁମର?
କାଉ ରାବେ କା କା
ବୁଲୁଥାଏ ଗାଁ ଗାଁ
କା କା କା
କେମିତିକା ମତେ କହିଦିଅ,
କେମିତିକା ମତେ କହିଦିଅ?
କଣ୍ଠଶିଳ୍ପୀ
ଗାୟତ୍ରୀ ତେଲ୍ଲାମ, ଧାନୋରା ଗାଁ
Song 3
ଝିଅ ଲୋ, ପିନ୍ଧି ନେ ତୋ କାନଫୁଲ ଆଉ ଆ ଆମ ସଙ୍ଗେ ନାଚିବୁ
ରେ ଲା ରେ ଲା ରେ ଲା... (ସମବେତ ସ୍ୱର)
ଝିଅ ଲୋ, ପିନ୍ଧି ନେ ତୋ ଚକମକ ଲୁଗା ଆଉ ଆ ଆମ ସଙ୍ଗେ ନାଚିବୁ
ରେଲା ରେଲା ରେଲା... (ସମବେତ ସ୍ୱର)
ଝିଅ ଲୋ, ପିନ୍ଧି ନେ ତୋ ନୂଆ ଜୋତା ହଳ ଆଉ ଆ ଆମ ସଙ୍ଗେ ନାଚିବୁ
ରେଲା ରେଲା ରେଲା... (ସମବେତ ସ୍ୱର)
କଣ୍ଠଶିଳ୍ପୀ
ଅବନ୍ତିକା ବାର୍ସେ, ଫର୍ସେଗଡ଼ ଗାଁ


ବାମ: ଫର୍ସେଗଡ଼ର ଆଦିବାସୀ ପିଲାଙ୍କ ସ୍କୁଲ୍ରେ ଗୋଟିଏ ଏଣ୍ଡୁଅ ଖରା ପୋଉଁଛି । ‘ତମେ ସେ ଏଣ୍ଡୁଅର ଲାଞ୍ଜ ଦେଖିପାରୁଛ କି? ତାକୁ ଧର !’ ଏମିତିକା କୌତୁକିଆ ଢଙ୍ଗରେ ଗୀତଟିଏ ଆରମ୍ଭ ହୁଏ । ଡାହାଣ: ମାରିଆ ଗୋଣ୍ଡ ମହିଳାମାନେ ପିନ୍ଧିଥିବା ଗୋଡ଼ ବଳା; ଝିଅମାନେ ଗାଉଥିବା ଆଉ ଏକ ଗୀତରେ ସଜବାଜ ହେବା ଏବଂ ନାଚିବା କଥା କୁହାଯାଇଛି ।
Song 4
ରେରେଲା ରେଲା ରେଲା ରେଲା... (ସମବେତ ସ୍ୱର)
ସେଇ ଏଣ୍ଡୁଅ ଲାଞ୍ଜକୁ ଦେଖୁଛ କି ? ଧର ତାକୁ !
ଆଲୋ ନାନି, ମୋ ପାଇଁ ଗାଆ ଗୀତଟିଏ, ଗାଇବୁ କି ?
ଆଲୋ ନାନି, ଲା ଲା ଲା
ଆଗୋ ଭିଣୋଇ ବାବୁ, ଆସ ମୋ ଆଗକୁ
ଏଣ୍ଡୁଅର ଲାଞ୍ଜ ନେଳିଆ
ତାକୁ ତମେ ଦେଖୁଛ କି, ଆଗୋ ଭିଣୋଇ ବାବୁ ?
କଣ୍ଠଶିଳ୍ପୀ
ଗାୟତ୍ରୀ ତେଲ୍ଲାମ, ଧାନୋରା ଗାଁ
Song 5
ରେରେଲା ରେଲା ରେ ରେଲା ରେଲା... (ସମବେତ ସ୍ୱର)
ଏ ତ କମଳା ରଙ୍ଗର ଝଣ୍ଡା, ବନ୍ଧୁ ହେ !
ଏତ ଧବଳ ରଙ୍ଗର ଝଣ୍ଡା, ବନ୍ଧୁ ହେ !
ଏ ତ ସବୁଜ ରଙ୍ଗର ଝଣ୍ଡା, ବନ୍ଧୁ ହେ !
ଝଣ୍ଡା ମଝିରେ ଅଛି ଚବିଶ ଗୋଟି ରେଖା
ରେରେଲା ରେଲା ରେ ରେଲା ରେଲା... (ସମବେତ ସ୍ୱର)
କଣ୍ଠଶିଳ୍ପୀ
ସୁଶୀଳା ମାନ୍ରା, ଫର୍ସେଗଡ଼ ଗାଁ
ସରସ୍ୱତୀ ଗୋତା, ବଡ଼େ କାକ୍ଲେର ଗାଁ
କମଳା ଗୁଡ୍ଡେ, ସାଗ୍ମେଟା ଗାଁ
Song 6
ରେଲାରେ ରେଲା (ସମବେତ ସ୍ୱର)
ତମେ ଆଉ ମୁଁ, ମିଶିଗଲେ ହେବ ସୁନ୍ଦର ଯୋଡ଼ି
ହେ ମୋର ପ୍ରିୟ ପୁଅରେ, ଆମର ହେବ ସୁନ୍ଦର ଯୋଡ଼ି...
କଣ୍ଠଶିଳ୍ପୀ
ଅବନ୍ତିକା ବାର୍ସେ, ଫର୍ସେଗଡ଼ ଗାଁ


ବାମ: ଫର୍ସେଗଡ଼ର ଏକ ଗଛରୁ ବାହାରୁଛି ମିଠା ତାଡ଼ି; ଗୋଟିଏ ଗୀତରେ କୁହାଯାଇଛି, ‘ଆମେ ବୁହାଇବୁ ତାଡ଼ି, ଓ! ଆମ ଦେଶକୁ ଆସ’। ଡାହାଣ: ସ୍କୁଲ୍ ସମୟ ପରେ ଝିଅମାନେ ଆଲୁଅ ଲିଭାଇ ନରମ ସ୍ୱରରେ ଗୀତ ଗାଆନ୍ତି ।
Song 7
ରେଲା ରେ ରେଲା... (ସମବେତ ସ୍ୱର)
ଧୀରେ ଧୀରେ ଦୋହଲୁଥାଏ ତାଳଗଛ ପତର
ଓ! ଆମ ରାଇଜକୁ ଆସ
ଆମେ କାଢ଼ି ଦେବୁ ତାଡ଼ି, ଓ! ଆମ ରାଇଜକୁ ଆସ
ଆସ ଆମେ ଲମ୍ବା ଲମ୍ବା ଘାସ ସବୁ କାଟିବା
ଦୋହଲଇ ଘାସ ଧୀରେ ଧୀରେ
ଏଇଠି ଆଉ ସେଇଠି,
ଏଇଠି ଆଉ ସେଇଠି
ଓ! ଆମ ରାଇଜକୁ ଆସ
ମିଳିମିଶି କିଛି ଘାସ କାଟିଦେବା ଆମେ
ଆମ ରାଇଜକୁ ଆସ
ମିଳିମିଶି ଧାନ ଅମଳ କରିବା ଆମେ
ଦୋହଲଇ ଧାନ ପତର ଧୀରେ ଧୀରେ
ଏଇଠି ଆଉ ସେଇଠି,
ଏଇଠି ଆଉ ସେଇଠି
କଣ୍ଠଶିଳ୍ପୀ:
ସରିତା କୁସରାମ, ସାଗମେଟା ଗାଁ
ସରସ୍ଵତୀ ଗୋତା,ବଡ଼େ କାକ୍ଲେର ଗାଁ
ସୁଶୀଳା ମାନ୍ରା, ଫର୍ସେଗଡ଼ ଗାଁ
ଅନୁବାଦ: ଓଡ଼ିଶାଲାଇଭ୍