ସହଜରେ ନଜରରେ ପଡୁ ନଥିବା ଜଙ୍ଗଲି ପେଚାର କଅଁଳ ଡାକ ଏବଂ ଚାରି ପ୍ରକାରର କୁଣ୍ଡାଖାଇ ଚଢ଼େଇର ଡାକକୁ ସେ ଚିହ୍ନି ପାରନ୍ତି। ଲୋମଶ ବେକ ଥିବା ବିଦେଶାଗତ ଗେଣ୍ଡାଳିଆମାନେ କେଉଁ ପ୍ରକାର ପୋଖରୀରେ ବଂଶବିସ୍ତାର କରିବାକୁ ପସନ୍ଦ କରନ୍ତି, ସେ କଥା ବି ସେ ଜାଣନ୍ତି।
ବି. ସିଦ୍ଦାନ ଅଧାରୁ ସ୍କୁଲ ପାଠ ଛାଡ଼ିଥିଲେ ସିନା, ତାମିଲନାଡୁର ନୀଳଗିରି ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭିନ୍ନ ଭିନ୍ନ ପ୍ରକାର ପକ୍ଷୀମାନଙ୍କ ସଂପର୍କରେ ତାଙ୍କର ଜ୍ଞାନ ଯେ କୌଣସି ପକ୍ଷୀବିଜ୍ଞାନୀଙ୍କୁ ଆମୋଦିତ କରିବ।
ହସି ହସି ସେ କହନ୍ତି, “ଆମ ଗାଁ ବୋକ୍କାପୁରମ୍ରେ ତିନି ଜଣ ପିଲାଙ୍କ ନାଁ ଥିଲା ସିଦ୍ଦାନ। ଏଠାକୁ ଆସୁଥିବା ଲୋକେ କେଉଁ ସିଦ୍ଦାନ ବୋଲି ପଚାରିଲେ ଗାଁ ଲୋକେ କହନ୍ତି, ‘ଆଚ୍ଛା, ସେଇ କୁରୁବି ସିଦ୍ଦାନ – ପାଗଳଙ୍କ ଭଳି ସବୁବେଳେ ପକ୍ଷୀଙ୍କ ପଛରେ ଦୌଡୁଥିବା ପିଲାଟି’।
କାଗଜପତ୍ରରେ ତାଙ୍କ ନାଁ ବି. ସିଦ୍ଦାନ। କିନ୍ତୁ ମୁଦୁମଲାଇକୁ ଘେରି ରହିଥିବା ଜଙ୍ଗଲ ଏବଂ ଗାଁରେ ଲୋକେ ତାଙ୍କୁ କୁରୁବି ସିଦ୍ଦାନ ନାଁରେ ଜାଣନ୍ତି। ତାମିଲ ଭାଷାରେ ‘ କୁରୁବି ’ କହିଲେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନଙ୍କର ଏକ ବର୍ଗକୁ ବୁଝାଏ: ପାସେରିଫର୍ମ୍ସ ବଂଶକ୍ରମର ଏହି ପକ୍ଷୀମାନଙ୍କ ସଂଖ୍ୟା, ସବୁ ପ୍ରଜାତିର ପକ୍ଷୀ ସଂଖ୍ୟାର ଅଧାରୁ ଅଧିକ।
ନୀଳଗିରି ପର୍ବତର ପାଦଦେଶରେ ଅବସ୍ଥିତ ଆନାକାଟ୍ଟି ଗାଁର ୨୮ ବର୍ଷୀୟ ପୁରାତନ ପ୍ରାଥମିକ ସ୍କୁଲ ଶିକ୍ଷକ ବିଜୟା ସୁରେଶ କହନ୍ତି, “ପଶ୍ଚିମଘାଟ ପର୍ବତ ଅଞ୍ଚଳର ଯେଉଁ ସ୍ଥାନରେ ବି ଆପଣ ଥାଆନ୍ତୁ ନା କାହିଁକି ଆପଣ ଚାରିଟି କି ପାଞ୍ଚଟି ପକ୍ଷୀର ସ୍ୱର ଶୁଣିପାରିବେ। କେବଳ ଏହି ସ୍ୱର ଶୁଣି ଶୁଣି ଆପଣଙ୍କୁ ଶିଖିବାକୁ ହେବ।” ସେ କହନ୍ତି ଯେ, ମୁଦ୍ଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ଯୁବକ ଯୁବତୀଙ୍କ ଦିଗ୍ଦର୍ଶକ ସିଦ୍ଦାନଙ୍କ ପାଖରୁ ହିଁ ସେ ପକ୍ଷୀମାନଙ୍କ ସଂପର୍କରେ ବହୁ ମୂଲ୍ୟବାନ ତଥ୍ୟ ପାଇଛନ୍ତି। ସେଠାରେ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ୧୫୦ ପ୍ରକାର ପକ୍ଷୀଙ୍କୁ ବିଜୟା ଚିହ୍ନିପାରିବେ।


ବାମ: ନୀଳଗିରି ଜିଲ୍ଲାର ଶୋଲୁର ସହର ପାଖ ବୋକ୍କାପୁରମ୍ର ବାଉଁଶ ଜଙ୍ଗଲରେ ପକ୍ଷୀ ଖୋଜିବାରେ ଲାଗିଛନ୍ତି ବି. ସିଦ୍ଦାନ। ଡାହାଣ: ବିଜୟା ସୁରେଶ ୧୫୦ ପ୍ରକାର ପକ୍ଷୀଙ୍କୁ ଚିହ୍ନି ପାରନ୍ତି


ଶୀତଦିନେ ବିଦେଶରୁ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳକୁ ଆସନ୍ତି ଏହି ଲୋମଶ ଗ୍ରୀବାଯୁକ୍ତ ଗେଣ୍ଡାଳିଆ। ଏମାନେ ସିଙ୍ଗରା ନିକଟରେ ଏବଂ (ଡାହାଣ) ଏହି ନରମ ବେକ ବିଶିଷ୍ଟ କୁଣ୍ଡାଖାଇ ଚଢ଼େଇ ବୋକ୍କାପୁରମ୍ ନିକଟରେ ଦେଖିବାକୁ ମିଳନ୍ତି
ତାମିଲନାଡୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସୀମାବର୍ତ୍ତୀ ବୋକ୍କାପୁରମ୍ ଗାଁର ବାସିନ୍ଦା ସିଦ୍ଦାନ। ଗତ ଅଢ଼େଇ ଦଶନ୍ଧି ହେଲା ଜଣେ ଜଙ୍ଗଲ ଗାଇଡ୍, ପକ୍ଷୀ ନିରୀକ୍ଷକ ଏବଂ କୃଷକ ଭାବରେ ସେ କାମ କରିଆସୁଛନ୍ତି। ଭାରତରେ ଦେଖାଯାଉଥିବା ୮୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ନାଁ ଜାଣିବା ସହିତ ସେମାନଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଇପାରିବେ ଏହି ୪୬ ବର୍ଷୀୟ ପକ୍ଷୀ ବିଶେଷଜ୍ଞ। ତାମିଲନାଡୁରେ ଅଧିସୂଚିତ ଜନଜାତି ତାଲିକାଭୁକ୍ତ ଇରୁଲାର (ଇରୁଲା ବୋଲି ମଧ୍ୟ କୁହାଯାଏ) ସଂପ୍ରଦାୟର ଜଣେ ସଦସ୍ୟ ସିଦ୍ଦାନ। ମୁଦୁମଲାଇ ଆଖପାଖ ଅଞ୍ଚଳର ବିଭିନ୍ନ ସ୍କୁଲରେ ପକ୍ଷୀମାନଙ୍କ ସଂପର୍କରେ ବିଭିନ୍ନ ତଥ୍ୟ ସମ୍ବଳିତ ବିଷୟ ଉପସ୍ଥାପନ କରନ୍ତି ଏବଂ ଏହା ସହିତ ଜଙ୍ଗଲର ପ୍ରାକୃତିକ ପରିବେଶ ଓ ଜୀବନ ଧାରା ସଂପର୍କରେ ସେ ହାସଲ କରିଥିବା ଜ୍ଞାନକୁ ଅନୌପଚାରିକ ବାର୍ତ୍ତାଳାପ ଜରିଆରେ ପିଲାମାନଙ୍କ ପାଖରେ ପହଞ୍ଚାନ୍ତି।
ପ୍ରଥମେ ପ୍ରଥମେ ପକ୍ଷୀମାନଙ୍କ ପ୍ରତି ତାଙ୍କର ଆଗ୍ରହକୁ ପିଲାମାନେ ଏତେଟା ଗୁରୁତ୍ୱ ଦେଉ ନଥିଲେ। ପୁରୁଣା କଥାକୁ ମନେ ପକାଇ ସେ କହନ୍ତି, “ପରେ ପରେ ଯେତେବେଳେ ବି ସେମାନେ କୌଣସି ପକ୍ଷୀଟିଏ ଦେଖନ୍ତି, ତାଙ୍କ ପାଖକୁ ଆସି ତା’ର ରଙ୍ଗ, ଆକାର ଏବଂ କଣ୍ଠସ୍ୱର ସଂପର୍କରେ ବର୍ଣ୍ଣନା କରନ୍ତି।”
ମୋୟାର ଗାଁର ୩୮ ବର୍ଷୀୟ ରାଜେଶ ଜଣେ ପୂର୍ବତନ ଛାତ୍ର। ଏହି ପକ୍ଷୀମାନବଙ୍କ ସହିତ ବିତାଇ ଥିବା ଦିନ ସଂପର୍କରେ ସେ କହନ୍ତି, “ସେ ମୋତେ ତଳେ ପଡ଼ିଥିବା ବାଉଁଶ ପତ୍ର ଉପରେ ଚାଲିବାକୁ ମନା କରନ୍ତି। କାରଣ ହୁଏତ ବିନ୍ଧାଣୀ ଚଢ଼େଇ ଭଳି କେତେକ ରାତ୍ରିଚର ପକ୍ଷୀଙ୍କ ଅଣ୍ଡା ସେହି ପତ୍ର ତଳେ ରହିଥିବ। ଏହି ପ୍ରଜାତିର ପକ୍ଷୀମାନେ ଗଛରେ ବସା ବାନ୍ଧି ଅଣ୍ଡା ଦିଅନ୍ତି ନାହିଁ। ପ୍ରଥମେ ପ୍ରଥମେ ଏହିଭଳି ଛୋଟ ଛୋଟ କଥାରେ ମୋର ଉତ୍କଣ୍ଠା ସୃଷ୍ଟି ହୋଇଥିଲା ଏବଂ କାଳକ୍ରମେ ମୁଁ ବି ପକ୍ଷୀ ଜଗତ ପ୍ରତି ଆକର୍ଷିତ ହୋଇଗଲି।”
ନୀଳଗିରି ଅଞ୍ଚଳରେ ତୋଡ଼ାସ, କୋଟାସ, ଇରୁଲାର, କାଟ୍ଟନାୟକନ୍ ଏବଂ ପାନିୟାସ ଭଳି ଅନେକ ପ୍ରକାର ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି। ସିଦ୍ଦାନ କହନ୍ତି, “ଯେତେବେଳେ ଆଖପାଖ ଅଞ୍ଚଳର ଆଦିବାସୀ ପିଲାମାନେ ଏ ଦିଗରେ ଆଗ୍ରହ ଦେଖାଇଲେ, ମୁଁ ସେମାନଙ୍କୁ ଗୋଟିଏ ପୁରୁଣା ପକ୍ଷୀବସା ଦିଏ କିମ୍ବା କୌଣସି ପକ୍ଷୀ ବସାରେ ଥିବା ପକ୍ଷୀ ଛୁଆଙ୍କର ସୁରକ୍ଷା ଦାୟିତ୍ୱ ଦେଇଦିଏ।”
୨୦୧୪ରେ ବୋକ୍କାପୁରମ୍ର ଗୋଟିଏ ସରକାରୀ ସ୍କୁଲ୍ରେ ଛାତ୍ରଛାତ୍ରୀମାନଙ୍କୁ ପକ୍ଷୀମାନଙ୍କ ସଂପର୍କରେ କହିବା ପାଇଁ ମାସିନାଗୁଡ଼ି ଇକୋ ନ୍ୟାଚୁରାଲିଷ୍ଟ କ୍ଲବ୍ (MENC) ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେହି ଦିନରୁ ହିଁ ବିଭିନ୍ନ ସ୍କୁଲରେ ସେ କାମ କରିବା ଆରମ୍ଭ କଲେ। ସେ କହନ୍ତି, “ତା’ ପରେ ଆଖପାଖ ଗାଁର ଅନେକ ସ୍କୁଲ୍ ଆମକୁ ନିମନ୍ତ୍ରଣ କରିବାରେ ଲାଗିଲେ।”
ବୋକ୍କାପୁରମ୍ରେ ସିଦ୍ଦାନ ନାଁରେ ତିନି ଜଣ ପିଲା ଥିଲେ।। ଲୋକେ କେଉଁ ସିଦ୍ଦାନ ବୋଲି ଯେତେବେଳେ ପଚାରନ୍ତି, ଗାଁ ଲୋକେ କହନ୍ତି, ‘ଆଚ୍ଛା, ସେଇ କୁରୁବି ସିଦ୍ଦାନ – ପାଗଳଙ୍କ ଭଳି ସବୁବେଳେ ପକ୍ଷୀଙ୍କ ପଛରେ ଦୌଡୁଥିବା ପିଲାଟି’
*****
ଅଷ୍ଟମ ଶ୍ରେଣୀରୁ ହିଁ ସିଦ୍ଦାନଙ୍କୁ ସ୍କୁଲ୍ ପାଠ ଛାଡ଼ି ଚାଷ କାମରେ ବାପାମାଆଙ୍କୁ ସାହାଯ୍ୟ କରିବାକୁ ପଡ଼ିଲା। ତାଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାଙ୍କୁ ଡାକ ବଙ୍ଗଳା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଗଲା। ବିଭିନ୍ନ ଗାଁ ଓ ଆଖପାଖ ଅଞ୍ଚଳ ଏବଂ ଚାଷଜମିରେ ହାତୀମାନଙ୍କର ଗତିବିଧି ସଂପର୍କରେ ଗାଁ ଲୋକଙ୍କୁ ସତର୍କ କରାଇବା ସହିତ ରୋଷେଇବାସ କରିବା ଏବଂ ବିଭିନ୍ନ ଶିବିର ନିର୍ମାଣ କାମରେ ସାହାଯ୍ୟ କରିବା ତାଙ୍କର କାମ ଥିଲା।
ସେଠାରେ କାମ ଆରମ୍ଭ କରିବାର ଦୁଇ ବର୍ଷ ନ ପୂରୁଣୁ ସିଦ୍ଦାନ ଚାକିରି ଛାଡ଼ି ଦେଲେ। ସେ କହନ୍ତି, “ଯେତେବେଳେ ମାସକୁ ୬୦୦ ଟଙ୍କା ହିସାବରେ ମୋର ଦରମା ପ୍ରାୟ ପାଞ୍ଚ ମାସ ଧରି ନ ମିଳିଲା, ମୋତେ କାମ ଛାଡ଼ି ଦେବାକୁ ପଡ଼ିଲା। ମୋ ଉପରେ ଏତେଟା ପାରିବାରିକ ଚାପ ନ ଥିଲେ ମୁଁ ହୁଏତ ବନ ବିଭାଗରେ କାମ କରିଥାଆନ୍ତି। ମୋ କାମ ମୋତେ ଭଲ ଲାଗୁଥିଲା। ହେଲେ ମୁଁ ଜଙ୍ଗଲ ଛାଡ଼ି ପାରିଲି ନାହିଁ ଏବଂ ତେଣୁ ଜଙ୍ଗଲ ଗାଇଡ୍ ହୋଇଗଲି।”
ନବେ ଦଶକର ଶେଷ ଭାଗରେ, ୨୩ ବର୍ଷ ବୟସରେ ସେ ସେହି ଅଞ୍ଚଳରେ ପକ୍ଷୀ ଗଣନା କରିବାକୁ ଆସିଥିବା ପ୍ରକୃତି ବିଜ୍ଞାନୀମାନଙ୍କ ସହିତ କାମ କରିବାର ସୁଯୋଗ ପାଇଲେ। ତାଙ୍କ କାମ ଥିଲା ହାତୀପଲର ଯିବାଆସିବା ସଂପର୍କରେ ସେମାନଙ୍କୁ ସତର୍କ କରାଇଦେବା ଏବଂ ସେ କହନ୍ତି, “ଯେତେବେଳେ ପକ୍ଷୀ ବିଜ୍ଞାନୀମାନେ ପକ୍ଷୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତି, ସେମାନଙ୍କ ଚାରିପଟେ ଥିବା ଅନ୍ୟ ବିପଦ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ।”


ବାମ: ଗୋଟିଏ ବାଉଁଶ ବୁଦାରେ ପକ୍ଷୀ ଖୋଜୁଛନ୍ତି ସିଦ୍ଦାନ। ଡାହାଣ: ନୀଳଗିରିର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟ ତାଙ୍କ ଘର ପାଖରେ ହାତୀପଲ ରାସ୍ତା ପାର ହେଉଛନ୍ତି
ସେଥର ଜଙ୍ଗଲ ଯାତ୍ରା ଅବସରରେ ସେ ଏକ ଅପ୍ରତ୍ୟାଶିତ ଦୃଶ୍ୟ ଦେଖିଲେ। “ଏହି ଛୋଟ ପକ୍ଷୀଟିକୁ ଦେଖିଲା ମାତ୍ରେ ବଡ଼ ବଡ଼ ଲୋକମାନେ ମାଟିରେ ଗଡ଼ି ଯାଉଥିଲେ। ସେମାନେ ଯେଉଁ ପକ୍ଷୀକୁ ଦେଖୁଥିଲେ ମୁଁ ତା ଉପରେ ଧ୍ୟାନ ଦେଲି। ତାହା ଥିଲା ଏକ ଧଳାପେଟିଆ ଛୋଟ କାକତୁଆ ଜାତୀୟ ମଧୁର ସ୍ୱର କରୁଥିବା ପକ୍ଷୀ – ମିନିଭେଟ୍।” ଏହା ଦେଖିବା ପରେ ସେ ତାମିଲ ଓ କନ୍ନଡ଼ ଭାଷାରେ ଏହିଭଳି ପକ୍ଷୀମାନଙ୍କ ନାଁ ଜାଣିବା ଆରମ୍ଭ କଲେ ଏବଂ ତା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। କିଛି ବର୍ଷ ପରେ ବରିଷ୍ଠ ପକ୍ଷୀ ବିଜ୍ଞାନୀ ଏବଂ ସ୍ଥାନୀୟ ବାସିନ୍ଦା କୁଟ୍ଟାପାନ୍ ସୁଦେଶନ ଏବଂ ଡାନିଏଲ୍ ତାଙ୍କୁ ତାଙ୍କ ଦଳରେ ସାମିଲ କରି ତାଲିମ୍ ଦେଲେ।
ଭାରତୀୟ ବିଜ୍ଞାନ ସଂସ୍ଥା ଦ୍ୱାରା ୨୦୧୭ ମସିହାରେ ପ୍ରକାଶିତ ଫରେଷ୍ଟ ଗାର୍ଡିଆନ୍ସ ଇନ୍ ଦ ୱେଷ୍ଟର୍ଣ୍ଣ ଘାଟ୍ସ ଶୀର୍ଷକ ଅଧ୍ୟୟନରେ ଦର୍ଶାଯାଇଛି ଯେ ଉତ୍ତର ମୁମ୍ବାଇଠାରୁ କନ୍ୟାକୁମାରୀ ଯାଏଁ ବିସ୍ତାରିତ ପଶ୍ଚିମ ଘାଟ ପର୍ବତମାଳା ଅଞ୍ଚଳରେ ୫୦୮ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ସେଥିରୁ ଅନ୍ୟୂନ ୧୬ଟି ପ୍ରଜାତି ସ୍ଥାନୀୟ ଅଞ୍ଚଳର ପକ୍ଷୀ। ସେମାନଙ୍କ ମଧ୍ୟରେ ଅଛନ୍ତି ବିଲୁପ୍ତପ୍ରାୟ ‘ରୁଫସ୍-ବ୍ରେଷ୍ଟେଡ୍ ଲାଫିଂ ଥ୍ରଶ୍’ ନାମକ ନୀଳଗିରି ଅଞ୍ଚଳର ଏକ ପକ୍ଷୀ’ ନୀଳଗିରିର କାଠ-ପାରା, ଧଳା ପେଟିଆ କ୍ଷୁଦ୍ର ଡେଣା ଏବଂ ମୋଟା ଲାଞ୍ଜ ଥିବା ଘାସପକ୍ଷୀ ବା ଗ୍ରାସ୍ବାର୍ଡ, ‘ରୁଫସ୍ ବାବଲର୍’ ବା କୁଣ୍ଡାଖାଇ ଚଢ଼େଇ ଏବଂ ‘ଗ୍ରେ-ହେଡେଡ୍ ବୁଲ୍ବୁଲ’ ବା ଏକ ପ୍ରକାର ଗୋବରା ଚଢ଼େଇ।
ଜଙ୍ଗଲରେ ଘଣ୍ଟା ଘଣ୍ଟା ବିତାଇଥିବା ସିଦ୍ଦାନ କହନ୍ତି ଯେ ଅନେକ ସାଧାରଣ ପ୍ରଜାତିର ପକ୍ଷୀ ଏବେ ବିରଳ ପକ୍ଷୀ ବର୍ଗରେ ସ୍ଥାନ ପାଇଲେଣି। “ଏଥର ମୁଁ ଗୋଟିଏ ହେଲେ ‘ଗ୍ରେ ହେଡେଡ୍ ବୁଲ୍ବୁଲ’ ବା ପାଉଁଶିଆ ରଙ୍ଗର ମୁଣ୍ଡ ଥିବା ଗୋବରା ଚଢ଼େଇ ଦେଖିନାହିଁ। ପୂର୍ବରୁ ସେମାନେ ସବୁ ଜାଗାରେ ଦେଖିବାକୁ ମିଳୁଥିଲେ। ଏବେ ସେମାନେ ବିରଳ ପ୍ରଜାତିର ହୋଇଗଲେଣି।”
*****
ସାରା ଜଙ୍ଗଲରେ ପ୍ରତିଧ୍ୱନିତ ହୋଇ ଉଠେ ନାଲି ଚୂଳିଆ ଟିଟ୍ଟିଭ ବା ତିତର ପକ୍ଷୀର ଭୀତତ୍ରସ୍ତ ବୋବାଳି।
ଫୁସ୍ଫୁସ୍ ସ୍ୱରରେ ଏନ୍.ଶିବନ୍ କହନ୍ତି, “ଏମିତି ପକ୍ଷୀର ସ୍ୱର ଯୋଗୁଁ ହିଁ ବୀରାପ୍ପନ ପୋଲିସ ହାତରେ ଧରା ପଡୁ ନଥିଲା।” ଶିବନ୍ ସିଦ୍ଦାନଙ୍କ ବନ୍ଧୁ ଏବଂ ସାଥୀ ପକ୍ଷୀ ବିଶେଷଜ୍ଞ। ଅବୈଧ ଜୀବଜନ୍ତୁ ଶିକାର, ଚନ୍ଦନକାଠ ଚୋରାଚାଲାଣ ଏବଂ ଆହୁରି କେତେକ ମାମଲାର ଅଭିଯୁକ୍ତ ଥିଲା ବୀରାପ୍ପନ ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, “ଏହି ଆଲକାଟି ପାରବାଇ (ଲୋକଙ୍କୁ ସତର୍କ କରାଇ ଦେଉଥିବା ପକ୍ଷୀ) ପକ୍ଷୀର ସ୍ୱର ଶୁଣି” ସତ୍ୟାମଙ୍ଗଲମ୍ ଜଙ୍ଗଲରେ ସେ ବହୁ ଦଶନ୍ଧି ଧରି ପୋଲିସ ଆଖିରେ ଧୂଳି ଦେଇ ଚାଲିଥିଲା।


ବାମ: ଶିକାରୀ ପଶୁର ଗତିବିଧି ସଂପର୍କରେ ଅନ୍ୟ ଜୀବ ଓ ପକ୍ଷୀମାନଙ୍କୁ ଆଗୁଆ ସତର୍କ କରାଇ ଦିଏ ଏହି ହଳଦିଆ ବେକ ଟିଟ୍ଟିଭ (ଆଲକାଟି ପାରବାଇ) । ଡାହାଣ:ଏନ୍. ଶିବମ୍ କହନ୍ତି ଯେ ଏହାର ଡାକ ଶୁଣି ଅନ୍ୟ ବ୍ୟକ୍ତିମାନଙ୍କ ଆଗମନ ସଂପର୍କରେ ଶିକାରୀମାନେ ବି ସତର୍କ ହୋଇଯାଆନ୍ତି


ସିଦ୍ଦାନ (ଡାହାଣ) ଗୋଟିଏ ପେଚାର ଗତିବିଧି ଜାଣୁଛନ୍ତି (ବାମ) ବୋକ୍କାପୁରମ୍ର ଏକ ବାଉଁଶ ବଣରେ ପଡ଼ିଥିବା ପେଚାର ମଳରୁ ସେ ଏହା ଆକଳନ କରୁଛନ୍ତି
ଏନ୍. ଶିବନ୍ କହନ୍ତି, “ଜଙ୍ଗଲରେ କୌଣସି ଶିକାରୀ ପଶୁ କିମ୍ବା ଅନୁପ୍ରବେଶକାରୀ ଦେଖିଲେ ଟିଟ୍ଟିଭ ପକ୍ଷୀମାନେ ବୋବାଇ ଥାଆନ୍ତି। ଆଉ ଜଙ୍ଗଲି କୁଣ୍ଡାଖାଇ ଚଢ଼େଇମାନେ ଗୋଟିଏ ପରେ ଗୋଟିଏ ବୁଦା ଉପରେ ବସି ବସି ସେହି ଶିକାରୀ ପଶୁର ଅନୁସରଣ କରନ୍ତି ଏବଂ ପଶୁଟି ଆଗେଇବା ସହିତ କିଚିରିମିଚିରି ଶବ୍ଦ କରନ୍ତି।” ପ୍ରତି ଥର ପକ୍ଷୀଟିଏ ଦେଖିଲା ମାତ୍ରେ ସେ ତାଙ୍କ ନୋଟ୍ ଖାତାରେ କିଛି ଲେଖି ରଖୁଥାଆନ୍ତି। ପକ୍ଷୀମାନଙ୍କ ନାଁ ମନେ ରଖିବା ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିଥିଲେ ହେଁ ନିଜ ଉଦ୍ୟମରୁ ବିରତ ହୋଇ ନଥିଲେ ୫୦ ବର୍ଷୀୟ ଶିବନ୍। ସେ ଆହୁରି କହନ୍ତି, “ଏହିଭଳି ଆମେ ବର୍ଷେ ତାଲିମ ନେଇଛୁ। ପକ୍ଷୀମାନେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଶିଖିପାରିବି ବୋଲି ମୁଁ ଜାଣିଥିଲି। ”
ନବେ ଦଶକର ମଧ୍ୟ ଭାଗ ସୁଦ୍ଧା, ବୋକ୍କାପୁରମ ନିକଟରେ ସ୍ଥାପିତ ଏକ ବେସରକାରୀ ରିସୋର୍ଟରେ ସିଦ୍ଦାନ ଓ ଶିବନ୍ ଟ୍ରେକିଂ ଗାଇଡ୍ ଭାଗରେ ନଥିଭୁକ୍ତ ହୋଇଥିଲେ ଏବଂ ସେଠାରେ ହିଁ ସେ ବିଶ୍ବର ବିଭିନ୍ନ ଭାଗରୁ ଏଠାକୁ ଆସୁଥିବା ପକ୍ଷୀପ୍ରେମୀମାନଙ୍କୁ ସାକ୍ଷାତ୍ କରିବା ସହିତ ସେମାନଙ୍କ ସହିତ ମିଳିମିଶି କାମ କରିଥିଲେ।
*****
ମାସିନାଗୁଡ଼ି ବଜାର ଦେଇ ଚାଲି ଚାଲି ଯିବା ସମୟରେ ଅନେକ ଯୁବକ ‘ହେଲୋ ମାଷ୍ଟର’ କହି ସିଦ୍ଦାନଙ୍କୁ ସମ୍ବୋଧିତ କରିଥିଲେ। ମୁଦୁମଲାଇ ଆଖପାଖରେ ରହୁଥିବା ତାଙ୍କର ଅଧିକାଂଶ ଛାତ୍ରଛାତ୍ରୀ ଆଦିବାସୀ ଓ ଦଳିତ ବର୍ଗର।


ବାମ: ବୋକ୍କାପୁରମ୍ର ତାଙ୍କ ଘର ବାହାରେ ନିଜ ପରିବାର ସହିତ ବସିଛନ୍ତି ବି.ସିଦ୍ଦାନ। ତାଙ୍କ ସବା ସାନ ଝିଅ (ଡାହାଣରୁ ତୃତୀୟ) ଅନୁଶ୍ରୀ ମଧ୍ୟ ପକ୍ଷୀଙ୍କ ସଂପର୍କରେ ଜାଣିବାକୁ ଆଗ୍ରହୀ ଏବଂ ସେ କହନ୍ତି, ‘ପ୍ରଥମେ ଯେତେବେଳେ ମୁଁ ଗୋଟିଏ ବୁଲ୍ବୁଲ୍ର ବସା ଦେଖିଲି ଖୁବ୍ ଆନନ୍ଦିତ ହୋଇଥିଲି।’ ଡାହାଣ: ବି.ସିଦ୍ଦାନଙ୍କୁ ତାଙ୍କ ଘରେ ଦେଖା କରିବାକୁ ଆସିଛନ୍ତି ୩୩ ବର୍ଷୀୟ ଏସ୍.ରାଜକୁମାର
ଜଣେ ପୂର୍ବତନ ଛାତ୍ର ତଥା ଇରୁଲା ସଂପ୍ରଦାୟର ସଦସ୍ୟ ୩୩ ବର୍ଷୀୟ ଆର୍. ରାଜକୁମାର କହନ୍ତି, “ଆମର ଚାରିଜଣିଆ ପରିବାରରେ ଏକମାତ୍ର ମୋ ମାଆ ହିଁ କାମ କରୁଥିଲେ। ସେ ମୋତେ କୋତଗିରି ସ୍କୁଲକୁ ପଠାଇ ପାରିଲେ ନାହିଁ।” ତେଣୁ ସେ ଅଧାରୁ ହାଇସ୍କୁଲ ପାଠ ଛାଡ଼ି ସଂରକ୍ଷିତ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ ଏଣେତେଣେ ଘୂରି ସମୟ କାଟୁଥିଲେ। ଥରେ ସିଦ୍ଦାନ ତାଙ୍କୁ ଗୋଟିଏ ଜଙ୍ଗଲ ଯାତ୍ରୀ ଦଳ ସହିତ ଯୋଗ ଦେବାକୁ କହିଲେ। ରାଜକୁମାର କହନ୍ତି, “ତାଙ୍କ କାମ କରିବାର ଶୈଳୀ ଦେଖି ମୁଁ ତୁରନ୍ତ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହୋଇପଡ଼ିଲି। ଜଙ୍ଗଲରେ ଚାଲି ଚାଲି ଯିବା ପାଇଁ ଏବଂ ଜଙ୍ଗଲ ସଫାରୀରେ ଆସୁଥିବା ଡ୍ରାଇଭରମାନଙ୍କୁ ମୁଁ ରାସ୍ତା ଦେଖାଇବାରେ ଲାଗିଲି। ”
*****
ଏହି ଅଞ୍ଚଳରେ ମଦ ଭଳି ନିଶାଦ୍ରବ୍ୟ ସେବନ ଓ କାରବାର ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଛି। (ପଢ଼ନ୍ତୁ: ନୀଳଗିରିରେ ପୁଷ୍ଟିହୀନତାର ଏକ ଉତ୍ତରାଧିକାରିତ୍ୱ ) ସିଦ୍ଦାନ କହନ୍ତି ଯେ, ତାଙ୍କ ଭଳି ବିଭିନ୍ନ ଜଙ୍ଗଲ ଭିତ୍ତିକ ଜୀବିକାକୁ ଆପଣେଇ ନେଲେ ଯୁବ ପିଢ଼ିର ଆଦିବାସୀମାନେ ବୋତଲଠାରୁ ଦୂରେଇ ଯିବେ ବୋଲି ତାଙ୍କର ଆଶା ରହିଛି। “ମଦ ପିଇବା ପ୍ରତି ଆସକ୍ତିର (ଅନ୍ୟତମ) କାରଣ ହେଲା ଯେ ପିଲାମାନେ ସ୍କୁଲ ପଢ଼ା ଛାଡ଼ିବା ପରେ ସେମାନଙ୍କ ପାଖରେ ଆଉ କିଛି କାମ ନଥାଏ। ସେମାନେ କୌଣସି ଚାକିରିର ସୁଯୋଗ ପାଆନ୍ତି ନାହିଁ, ତେଣୁ ମଦ ପିଅନ୍ତି।”


ବାମ: ସେ ସଂଗ୍ରହ କରିଥିବା ପକ୍ଷୀ ଓ ବନ୍ୟଜୀବନ ସଂପର୍କିତ ବହି ସବୁ ଦେଖାଉଛନ୍ତି ବି.ସିଦ୍ଦାନ। ଡାହାଣ: ଗୁଦାଲୁର ବ୍ଲକ୍ର ସିଙ୍ଗାରା ଗାଁର ଏକ ଗଛ ଡାଳରେ ବସିଥିବା ଡ୍ରୋଙ୍ଗୋ ଚଢ଼େଇ
ଏ ଅଞ୍ଚଳର ପିଲାମାନଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ନେଇ ଜଙ୍ଗଲ ପ୍ରତି ଆକୃଷ୍ଟ କରାଇବା ତାଙ୍କର ଲକ୍ଷ୍ୟ ବୋଲି ସିଦ୍ଦାନ ଧରି ନେଇଛନ୍ତି। କିଛି ଦୂରରେ ଗୋଟିଏ ଗଛ ଉପରେ ବସିଥିବା ଦୁଇଟିକିଆ ଲାଞ୍ଜ ବିଶିଷ୍ଟ ଛୋଟ କଳା ରଙ୍ଗର ଚଢ଼େଇଟିକୁ ଦେଖାଇ ସେ କହନ୍ତି, “ମୁଁ ବି କିଛିଟା ଏଇ ଡ୍ରୋଙ୍ଗୋ ଭଳି। ଯଦିଓ ସେମାନେ (ଆକାରରେ) ଛୋଟ, ଡ୍ରୋଙ୍ଗୋ ହିଁ ଏକମାତ୍ର ଚଢ଼େଇ, ଯିଏ ଶିକାରୀ ପକ୍ଷୀଙ୍କ ସହିତ ଲଢ଼ିବାକୁ ସାହସ କରେ।”
ଅନୁବାଦ: ଓଡ଼ିଶାଲାଇଭ୍