ଗୋଟିଏ ହାତରେ ଗୋଟିଏ ରଙ୍ଗତୁଳୀ ଧରି ପ୍ରବୀଣ କୁମାର ଯେଉଁଠାରେ ସ୍କୁଟରରେ ନିଜ ଆଶାବାଡ଼ିକୁ ରଖି ବସିଛନ୍ତି, ନିଜ ଆଖପାଖରେ ଲୋକଙ୍କ ସହ କଥା ହେଉଛନ୍ତି, ସେଠାରେ ତାଙ୍କ ପାଖରେ ଏକ ବିଶାଳକାୟ କାନ୍‌ଭାସ ଅଛି । ତାହା ୧୮ ଫୁଟ୍‌ ଲମ୍ବା । ସେଥିରେ ସେ ସିଂଘୁରେ ଚାଷୀ ଆନ୍ଦୋଳନର ଚିତ୍ର ଅଙ୍କନ କରିଛନ୍ତି ।

ପ୍ରବୀଣ ଲୁଧିଆନାର ଜଣେ କଳା ଶିକ୍ଷକ ଓ ଚିତ୍ରକର । ଲୁଧିଆନାରୁ ସିଂଘୁ ଯାଏଁ ସେ ୩୦୦ କିଲୋମିଟର ଯାତ୍ରା କରିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନିଜର ଯୋଗଦାନ ଦେବା ଲାଗି ବାଧ୍ୟ ହୋଇ ସେ ଜାନୁଆରୀ ୧୦ ତାରିଖରେ ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ।

ସେ କହନ୍ତି, ‘‘ଏହା ନୁହେଁ ଯେ ମୁଁ ପବ୍ଲିସିଟି ଚାହୁଁଛି । ଈଶ୍ୱର ମୋତେ ଅନେକ କିଛି ଦେଇଛନ୍ତି । ସେଥିନେଇ ମୋର କିଛି ଚିନ୍ତା ନାହିଁ । ମୋତେ ଖୁସି ଲାଗୁଛି ଯେ ବର୍ତ୍ତମାନ ମୁଁ ଏହି ଆନ୍ଦୋଳନର ଅଂଶବିଶେଷ ପାଲଟିଛି ।’’

ପୋଲିଓ ଯୋଗୁଁ ୩ ବର୍ଷ ବୟସରୁ ପକ୍ଷାଘାତର ଶିକାର ହୋଇଥିବା ନିଜ ଗୋଡ଼ ଆଡ଼କୁ ଇଙ୍ଗିତ କରି ସେ ଆହୁରି କହିଲେ, ‘‘ମୁଁ ୭୦% ଭିନ୍ନକ୍ଷମ ।’’ ସେହି ଭିନ୍ନକ୍ଷମତା କିମ୍ବା ପ୍ରାଥମିକ ଭାବେ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ତାଙ୍କୁ ସିଂଘୁ ଯାଏଁ  ଯାତ୍ରା କରିବାରୁ ଅଟକାଇ ପାରିନାହିଁ ।

୪୩ ବର୍ଷୀୟ ପ୍ରବୀଣ ଲୁଧିଆନାରେ ଏହି ବିଶାଳ କାନ୍‌ଭାସ୍‌ରେ ଚିତ୍ରାଙ୍କନ ଆରମ୍ଭ କରିଥିଲେ ଏବଂ ତାକୁ ସାଙ୍ଗରେ ସିଂଘୁ ଯାଏ ନେଇ ଆସିଥିଲେ । ସେଇଠି ରାସ୍ତା ଉପରେ ଆନ୍ଦୋଳନକାରୀଙ୍କ ମଝିରେ ବସି ତାହା ସମ୍ପୂର୍ଣ୍ଣ ହେବା ଯାଏ କାମ ଜାରି ରଖିଲେ।

Praveen Kumar, whose painting covers the stages of the protests, says, 'What makes me happy is that I am now a part of this agitation'
PHOTO • Anustup Roy
Praveen Kumar, whose painting covers the stages of the protests, says, 'What makes me happy is that I am now a part of this agitation'
PHOTO • Anustup Roy

ପ୍ରବୀଣ କୁମାର ଯାହାଙ୍କର ଚିତ୍ର ବିକ୍ଷୋଭସ୍ଥଳରେ ଥିବା ଷ୍ଟେଜ୍‌ରେ ଲଗାଯାଇଛି ସେ କହିଲେ, ‘ମୋତେ ଯାହା ଖୁସି ଦେଉଛି ତାହା ହେଲା ବର୍ତ୍ତମାନ ମୁଁ ଏହି ଆନ୍ଦୋଳନର ଅଂଶବିଶେଷ । ’

ରାଜଧାନୀର ସୀମାରେ ଥିବା ସିଂଘୁ ଏବଂ ଅନ୍ୟ ବିକ୍ଷୋଭସ୍ଥଳରେ ସୀମାରେ ଲକ୍ଷ ଲକ୍ଷ ଚାଷୀ ୩ଟି କୃଷି ଆଇନକୁ ବିରୋଧ କରୁଛନ୍ତି । ଜୁନ୍‌ ୫, ୨୦୨୦ରେ ପ୍ରଥମେ ତାହା ଅଧ୍ୟାଦେଶ ଭାବେ ଜାରି ହୋଇଥିଲା, ତା’ପରେ ସେପ୍ଟେମ୍ବର ୧୪ ତାରିଖରେ କୃଷି ଆଇନ ଭାବେ ସଂସଦରେ ଉପସ୍ଥାପିତ ହେଲା । ସେହିମାସ ୨୦ ତାରିଖ ବେଳକୁ ତାହା ଆଇନରେ ପରିଣତ ହେଲା ।

ବିକ୍ଷୋଭରତ ଚାଷୀମାନେ କହୁଛନ୍ତି ଏହି ଆଇନ ଯୋଗୁଁ ବ୍ୟାପକ କ୍ଷତି ହେବ । କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।

ପ୍ରବୀଣଙ୍କର ଚିତ୍ରଗୁଡ଼ିକରେ କୃଷି ଆଇନ ବିରୋଧରେ ହେଉଥିବା ବିକ୍ଷୋଭର ବିଭିନ୍ନ ପର୍ଯ୍ୟାୟକୁ ଦର୍ଶାଯାଇଛି । କାନ୍‌ଭାସଟି ବିକ୍ଷୋଭର ଏକ ଧାରାବାହିକ ପ୍ରଦର୍ଶନ-ଚାଷୀମାନେ ରେଳଧାରଣା ଅବରୋଧ ଆରମ୍ଭ କରିବା ଦିନରୁ ନେଇ ସେମାନେ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ଼ର ସାମ୍ନା କରିବା ଏବଂ ଆଜି ପର୍ଯ୍ୟନ୍ତ ଯେତେବେଳେ ସେମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଅଛନ୍ତି ।

ସେ ବହୁ କଷ୍ଟ ସ୍ୱୀକାର କରି କାନ୍‌ଭାସରେ ଚାଷୀ ଆନ୍ଦୋଳନର ଚିତ୍ରକୁ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଭବିଷ୍ୟତରେ ତାକୁ ଆଗକୁ ବଢ଼ାଇବାକୁ ଚାହାନ୍ତି । ସେ କହିଛନ୍ତି,‘‘ମୁଁ ଏହାକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବାକୁ ଚାହୁଁଛି’’-ଆନ୍ଦୋଳନ ସଫଳ ହେବା ଏବଂ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ।

ଅନୁବାଦ - ଓଡ଼ିଶାଲାଇଭ୍‍

Anustup Roy

Anustup Roy is a Kolkata-based software engineer. When he is not writing code, he travels across India with his camera.

Other stories by Anustup Roy
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE
-->