‘ତାସି ଡେଲେକ୍’ (ତିବ୍ବତୀୟ ଭାଷାରେ ଆଶୀର୍ବାଦ ଏବଂ ସୌଭାଗ୍ୟ) ବୋଲି କହି ପେମା ରିନଚେନ୍ ଚୀନର ସୀମା ପାଖାପାଖି ପୂର୍ବ ଲଦାଖର ହାନଲେ ଉପତ୍ୟକାରେ ଦିଗବଳୟ ଆଡକୁ ଚାଲିଲେ। ତାଙ୍କ ସହିତ ପଶମିନା (ବା କାଶ୍ମିରୀ) ଛେଳିଗୁଡ଼ିକର ଏକ ବିରାଟ ପଲ ଥିଲେ। ସାରା ଦିନ ଚରିବା ପରେ ସେମାନେ ଘରକୁ ଫେରୁଥିଲେ ।
ପେମା ଜଣେ ମୁଖିଆ କରମା ରିନଚେନ୍ଙ୍କର ଦ୍ୱିତୀୟ ଝିଅ । ସେ ପ୍ରାୟ ୨୮୦ ଜଣ ଚାଙ୍ଗପା ପରିବାର ସହିତ ହାନଲେ ଉପତ୍ୟକାରେ ରହନ୍ତି । ଚାଙ୍ଗପାମାନେ ପଶୁଚରାଳୀ ସଂପ୍ରଦାୟର ଯାଯାବର ଲୋକ ଯେଉଁମାନେ କି ଚମରୀଗାଈ ଓ ମେଣ୍ଢା ପାଳନ କରିଥାନ୍ତି । ନଭେମ୍ବରରୁ ମେ ମାସ ଯାଏ ଲମ୍ବା ଶୀତଦିନ ମଧ୍ୟରେ ସେମାନେ ପ୍ରାୟତଃ ଗୋଟିଏ ସ୍ଥାନରେ ରହିଥାନ୍ତି । ଖରାଦିନେ ସେମାନେ ଆହୁରି ଅଧିକ ଉଚ୍ଚତାରେ ଥିବା ସ୍ଥାନକୁ ପଶୁମାନଙ୍କୁ ଚରାଇବା ଲାଗି ସ୍ଥାନାନ୍ତର ହୋଇଥାନ୍ତି । କିଛି ଦିନ ତଳେ ମୁଁ ସେମାନଙ୍କୁ ହାନଲେ ଉପତ୍ୟକାରେ ନଲାଙ୍ଗ ଚାରଣ ଭୂମିରେ ଭେଟିଥିଲି । ସେହି ଉପତ୍ୟକା ଚାଙ୍ଗଥାଙ୍ଗ ମାଳଭୂମିରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସେହି ମାଳଭୂମି ପୂର୍ବରେ ତିବ୍ଦତ ଆଡକୁ ଶହ ଶହ କିଲୋମିଟର ଯାଏ ପରିବ୍ୟାପ୍ତ । ଏହା ବୃହତ ତିବ୍ବତିଆନ୍ ମାଳଭୂମିର ଅଂଶ ।
ଚାଙ୍ଗପା ମହିଳାମାନେ ପଶୁମାନଙ୍କୁ ଚରାଇବା ଲାଗି ନେଇଯିବା ଋତୁରେ ସବୁପ୍ରକାର କାମ କରିଥାନ୍ତି । ସେଥିମଧ୍ୟରେ ତମ୍ବୁ ପ୍ରସ୍ତୁତ କରିବା, ଜାଳେଣି ସଂଗ୍ରହ, ପଶୁପାଳନ, ଛେଳିମାନଙ୍କଠାରୁ କ୍ଷୀର ଦୁହିଁବା ପ୍ରଭୃତି ସାମିଲ। ଏତେ ସବୁ ପରେ ମଧ୍ୟ ସେମାନେ ପିଲାମାନଙ୍କ ପାଇଁ ଓ ରୋଷେଇ କରିବା ଲାଗି ସମୟ ବାହାର କରନ୍ତି ।
ତିବ୍ବତୀୟ ମାଳଭୂମିରେ ବହୁ ଯାଯାବର ସଂପ୍ରଦାୟର ପଶୁଚରାଳୀ ରହିଥାନ୍ତି; ସେମାନଙ୍କ ମଧ୍ୟରେ ପଶ୍ଚିମ ହିମାଳୟରେ ରହୁଥିବା ଚାଙ୍ଗପା (କାଶ୍ମିରୀ ଉଲ୍ ପ୍ରସ୍ତୁତ କରୁଥିବା ଚାଙ୍ଗପାଙ୍କୁ ଦେଖନ୍ତୁ) ଏବଂ ପାହାଡ଼ର ପୂର୍ବ ଭାଗରେ ରହୁଥିବା ବ୍ରୋକପା (ବ୍ରୋକପା: ‘ଜଙ୍ଗଲ ଆମର ମା’କୁ ଦେଖନ୍ତୁ) ସାମିଲ । ଏହି ସବୁ ସଂପ୍ରଦାୟ ଶୃଙ୍ଗ ଏବଂ ଉପତ୍ୟକା ଦ୍ୱାରା ବିଭକ୍ତ ହୋଇଛନ୍ତି, କିନ୍ତୁ ସାଂସ୍କୃତିକ ପରମ୍ପରା ଏବଂ ଆଧ୍ୟାତ୍ମିକତାର ସୂତ୍ରରେ ବାନ୍ଧି ହୋଇଛନ୍ତି ।
ଆଉ ଥରେ ଗସ୍ତ ସମୟରେ ମୁଁ ବ୍ରୋକପା ଯାଯାବରମାନଙ୍କୁ ସାକ୍ଷାତ କରିବାକୁ ପୂର୍ବ ହିମାଳୟର ଜଙ୍ଗଲିଆ ଗଡ଼ାଣି ଅଞ୍ଚଳକୁ ଗଲି। ସେମାନେ ମୋନପା ଜାତିର ଅନ୍ତର୍ଭୁକ୍ତ । ସାଧାରଣତଃ ସେମାନେ ଅରୁଣାଚଳପ୍ରଦେଶର ପଶ୍ଚିମ କେମାଙ୍ଗ ଏବଂ ତୱାଙ୍ଗ ଜିଲ୍ଲାରେ ରହିଥାନ୍ତି । ସେମାନେ ମଧ୍ୟ ଖରାଦିନକୁ ଉଚ୍ଚ ସ୍ଥାନରେ ଥିବା ଚାରଣ ଭୂମିରେ କଟାଇଥାନ୍ତି । ଶୀତଦିନ ଆସିବା ପରେ ସେମାନେ ସେମାନଙ୍କର ଚମରୀଗାଈ ପଲଙ୍କୁ ନେଇ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥିବା ଲଗାମ ପରି ସ୍ଥାୟୀ ଜନବସତିକୁ ଫେରି ଆସିଥାନ୍ତି।
ସେମାନଙ୍କ ସେହି କ୍ଷୁଦ୍ର ଜନବସତିରେ ପହଞ୍ଚିବା ଲାଗି ମୋତେ ୮ ଘଣ୍ଟା ଚାଲିବାକୁ ପଡ଼ିଲା। ରାସ୍ତାରେ ମୁଁ ୭୦ ବର୍ଷୀୟ ୟମା ସେରିଙ୍ଗ୍ଙ୍କୁ ଭେଟିଲି । ସେ କହିଲେ, “ମୁଁ ବୁଢୀ ହୋଇଯାଇଛି ଏବଂ ସେତେବେଶୀ ଚାଲିପାରୁନାହିଁ (ପାହାଡ଼ ଉପରକୁ)। ତେଣୁ ମୁଁ ଘର କାମର ଦାୟିତ୍ୱ ନେଇଛି ଯେପରିକି ଚୁରପି (ଚମରୀଗାଈର କ୍ଷୀରରୁ ଛେନା) ପ୍ରସ୍ତୁତ କରିବା ଏବଂ ମୋର ନାତିନାତୁଣୀଙ୍କର ଦେଖାଶୁଣା କରିବା । ଯଦି ଆବଶ୍ୟକ ହୋଇଥାଏ ତା’ ହେଲେ ମୁଁ ଖରାଦିନେ ପାହାଡ଼ ଉପରକୁ ଯାଇଥାଏ ।’’
ଗତବର୍ଷ ମେ ମାସରେ ମୁଁ ପୁଣି ଅରୁଣାଚଳପ୍ରଦେଶକୁ ଗଲି । ସେଠାରେ ସମୁଦ୍ର ପତ୍ତନଠାରୁ ୧୧,୧୫୨ ଫୁଟ ଉଚ୍ଚତାରେ ଥିବା ଅନ୍ୟ ଏକ ଜନବସତି ଚାନ୍ଦେର ଗସ୍ତ କଲି । ଏଥରକ ମୁଁ ୨ଟି ସନ୍ତାନଙ୍କର ମା’ ଏବଂ ପ୍ରାୟ ୩୦ଟି ଚମରୀଗାଈଙ୍କର ମାଲିକାଣୀ ଲେକି ସୁଜୁକଙ୍କର ଘରେ ରହିଲି । ବ୍ରୋକପା ମହିଳାମାନେ ଚାଙ୍ଗପା ସଂପ୍ରଦାୟର ମହିଳାମାନଙ୍କ ଭଳି ସମାନ କାମ କରିଥାନ୍ତି । ସେମାନେ ଗୋଷ୍ଠୀଗତ ଜୀବନରେ ସବୁଆଡେ ଦୃଷ୍ଟିଗୋଚର ହୋଇଥାନ୍ତି । ସେମାନଙ୍କ ପଶୁମାନଙ୍କ ସଂପର୍କରେ ହେଉ ବା ପିଲାଙ୍କ ସଂପର୍କରେ ସେମାନେ ସବୁବେଳେ ସ୍ୱାଧୀନ ଭାବେ ସିଦ୍ଧାନ୍ତ ନେଇଥାନ୍ତି । ମୋର ମନେ ଅଛି କିପରି ଚାନ୍ଦେରରେ ଏକ ଛୋଟ ବୁଦ୍ଧ ମନ୍ଦିର ଗୋମ୍ପା ତିଆରି କରିବା ଲାଗି ସମସ୍ତ ବ୍ରୋକପା ମହିଳା ଏକାଠି ହୋଇଥିଲେ ।
କିଛି ଦିନ ପରେ ଆଉ ଏକ ଯାଯାବର ପଶୁଚରାଳୀ ସଂପ୍ରଦାୟର ଲୋକ ଫକିରାନୀ ଜାଟ (ଚାରଣଭୂମିର ଅନ୍ତହୀନ ଅନ୍ୱେଷଣକୁ ଦେଖନ୍ତୁ) ମାନଙ୍କୁ ଭେଟିବା ଲାଗି ମୁଁ ପାହାଡ଼ିଆ ଥଣ୍ଡା ଜାଗାରୁ ଗୁଜରାଟର ଉତ୍ତପ୍ତ ସ୍ଥାନ କଚ୍ଛକୁ ଗଲି। ସେମାନେ କଚ୍ଛି ଏବଂ ଖରାଇ ଓଟମାନଙ୍କୁ ପାଳନ କରିଥାନ୍ତି। ସେମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା କିନ୍ତୁ ଅଧିକ ଜଟିଳ ଏବଂ ଓଟର ପ୍ରଜାତି ଓ ପାଣିର ସୁବିଧା ଉପରେ ତାହା ନିର୍ଭର କରିଥାଏ । ସେମାନଙ୍କର ବିଶ୍ୱାସ ହାସଲ କରିବା ପାଇଁ ମୋତେ ବହୁଥର ସେମାନଙ୍କ ନିକଟକୁ ଯିବାକୁ ପଡ଼ିଲା । ସମୟକ୍ରମେ ଅନ୍ୟମାନଙ୍କ ସହିତ ମୁଁ ଜାଟ ହସିନାଙ୍କୁ ସାକ୍ଷାତ କଲି। ସେ ଏବଂ ତାଙ୍କର ସ୍ୱାମୀ ଜାଟ ଆୟୁବ୍ ୮୦ଟି ଓଟଙ୍କର ଏକ ଦଳର ଯତ୍ନ ନେଇଥାନ୍ତି । ସେମାନେ ବର୍ଷସାରା ଭାଚାଉ ତାଲୁକା ମଧ୍ୟରେ ସ୍ଥାନାନ୍ତର ହେଉଥାନ୍ତି । ସେହି ସଂପ୍ରଦାୟ ରକ୍ଷଣଶୀଳ ହୋଇଥିବା ବେଳେ ମହିଳାମାନେ ବାହାର ଲୋକଙ୍କ ସହିତ କଥା ହୁଅନ୍ତି ନାହିଁ। କିନ୍ତୁ ସେମାନଙ୍କର ଉପସ୍ଥିତି ସବୁଆଡେ ଦେଖିବାକୁ ମିଳିଥାଏ। ମୁଁ ବହୁ ପ୍ରତିଭାର ଅଧିକାରିଣୀ ନସିବିବାଇ ଶେରମାମଦ ଜାଟଙ୍କୁ ଲାଖପତ ତାଲୁକାର ଧ୍ରଙ୍ଗାବନ୍ଧ ଜନବସତିରେ ଭେଟିଲି। ସେ ଭଲ ଭାବେ ହିନ୍ଦୀ କହିପାରନ୍ତି। ସେ କହିଲେ, “ଆମର ଚାରଣଭୂମିଗୁଡ଼ିକ ଏବେଠାରୁ ସଙ୍କୁଚିତ ହୋଇସାରିଲାଣି । ଆମେ ଆମର ପାରମ୍ପରିକ ଜୀବନକୁ ଛାଡ଼ିବା ଭଳି ସ୍ଥିତିରେ ଅଛୁ। ଆମେ ସାହାଯ୍ୟ ଆବଶ୍ୟକ କରୁଛୁ... । ମୁଁ ଆଶା କରୁଛି ଆମର ସ୍ୱରକୁ ଶୁଣାଯିବ।’’

ବ୍ରୋକପା ପଶୁପାଳକ ଲେଜି ସୁଜୁକ୍ ଚାନ୍ଦେର ଗାଁରେ ଥିବା ତାଙ୍କର ଶୀତଦିନିଆ ଘରେ ଏକ ଅନାଥ ଚମରୀଗାଇ ଛୁଆର ଆନନ୍ଦର ସହ ଯତ୍ନ ନେଉଛନ୍ତି ।

ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଡିରାଙ୍ଗ ଉପତ୍ୟକାରେ ପ୍ରାୟ ୧୧,୨୫୦ ଫୁଟ ଉଚ୍ଚତାରେ ଥିବା ଏକ ପାସରେ ଜଣେ ଯୁବ ବ୍ରୋକପା ମହିଳା ଗୁଳ୍ମ ଏବଂ ମୂଳକୁ ଜାଳେଣୀ ପାଇଁ ସଂଗ୍ରହ କରୁଛନ୍ତି ।

ୟମା ସେରିଙ୍ଗ ବର୍ଷସାରା ଲଗାମ ଜନବସତିରେ ରହନ୍ତି । ଅଧିକ ଉଚ୍ଚତାରେ ଥିବା ସ୍ଥାନ ମାଗୋକୁ ଋତୁକାଳୀନ ସ୍ଥାନାନ୍ତର ତାଙ୍କ ପାଇଁ କଷ୍ଟକର । ତାଙ୍କ ପରି ବୟୋଜ୍ୟେଷ୍ଠମାନେ ଘରର ପିଲାମାନଙ୍କର ଦେଖାଶୁଣା କରନ୍ତି ଏବଂ ସେମାନେ ଚୁରପି ତିଆରି କରି ପଶ୍ଚିମ କାମେଙ୍ଗ ଜିଲ୍ଲାର ଅନ୍ୟ ମୋନପା ଗ୍ରାମବାସୀଙ୍କୁ ବିକ୍ରି କରନ୍ତି । ଚୁରପି ହେଉଛି ଚମରୀଗାଈ କ୍ଷୀରରୁ ପ୍ରସ୍ତୁତ ଏକପ୍ରକାର ଛେନା । ଏହା ବ୍ରୋକପା ସଂପ୍ରଦାୟର ଜୀବନଜୀବିକାର ଏକ ପ୍ରମୁଖ ସ୍ରୋତ ।

ଡିରାଙ୍ଗ ଉପତ୍ୟକାରେ ଥିବା ଏକ ସ୍ତୁପକୁ ପ୍ରାର୍ଥନା କରିବା ଲାଗି ବ୍ରୋକପା ସଂପ୍ରଦାୟର ମହିଳାମାନେ ଯାଉଛନ୍ତି ।

ଲଗାମ ଜନବସିତର ପେମା ଗୁର୍ମି ଦିନ ସାରା ବାହାରେ କାମ କରି ଫେରିବା ପରେ ତାଙ୍କ ଝିଅ ରିନଜେନଙ୍କର କେଶକୁ କୁଣ୍ଡାଇବାକୁ ଉଦ୍ୟମ କରୁଛନ୍ତି ।

ଲଦାଖର ହାନଲେ ଉପତ୍ୟକାରେ ଥିବା ଏକ ଖରାଦିନିଆ ଚାରଣଭୂମିରେ ଦୋହନା ତାଙ୍କ ପରିବାର ପାଇଁ ତମ୍ବୁ ପୋତୁଛନ୍ତି । ଏହା କରିବା ଲାଗି ଖୁବ୍ ଓଜନିଆ ଜିନିଷପତ୍ରକୁ ପରିବହନ କରିବାକୁ ପଡ଼ିଥାଏ । ସମୁଦ୍ର ପତ୍ତନଠାରୁ ୧୩୦୦୦ ଫୁଟ ଉଚ୍ଚତାରେ ଏହା କରିବା କିଛି ସହଜ କାମ ନୁହେଁ ।

ୟମ-ଚେନ-ମୋ ହାନଲେ ଉପତ୍ୟକାରେ ୧୩,୨୪୫ ଫୁଟ ଉଚ୍ଚତାରେ କାଶ୍ମିରୀ ଛେଳିଗୁଡ଼ିକୁ ଚରାଉଛନ୍ତି ।

ପେମା ସଙ୍ଗେ ସଙ୍ଗେ ଜାଳେଣୀ ସଂଗ୍ରହ କରି ଫେରିଛନ୍ତି । ଅଗଷ୍ଟ ମାସରେ ଅଳ୍ପ ଖରା ଥାଏ, କିନ୍ତୁ ଏବେଠାରୁ ଘାସପଡ଼ିଆ ଉପରେ ବରଫ ଜମା ହେବା ଆରମ୍ଭ ହୋଇଗଲାଣି । ସେ ଯେଉଁ ଜାଳେଣୀ ସଂଗ୍ରହ କରିଛନ୍ତି, ସେଥିରେ ତାଙ୍କର ତମ୍ବୁ ମଧ୍ୟରେ ଥିବା ଛୋଟ ଷ୍ଟୋଭ୍ଟି ଯେପରି ନିରନ୍ତର ଜଳିବ ତାହା ପେମାଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ।

ଅସ୍ଥାୟୀ ତମ୍ବୁରେ ସୋନମ ୱାଙ୍ଗେ ପାରମ୍ପରିକ ଲହୁଣୀ ଚା’, ପୋ ଚା’ ପ୍ରସ୍ତୁତ କରୁଛନ୍ତି । ଏହା ଚାଙ୍ଗପା ସଂପ୍ରଦାୟରେ ଖୁବ୍ ପ୍ରସିଦ୍ଧ।

ଦେନଚେନ ଦୋର୍ଜି (୨୮) ତାଙ୍କର କୁନି ପୁଅ ଡୋଟେ ସହିତ ବିଳମ୍ବିତ ଅପରାହ୍ନକୁ ଉପଭୋଗ କରୁଛନ୍ତି । ଚାଙ୍ଗପାମାନେ ସକାଳେ ଏବଂ ସନ୍ଧ୍ୟାବେଳେ ଖୁବ୍ ବ୍ୟସ୍ତ ଥାନ୍ତି, କିନ୍ତୁ ଅପରାହ୍ନରେ ଟିକେ ଫାଙ୍କା ମିଳେ ।

ଖରାଦିନରେ ମଧ୍ୟ ଗୁଜରାଟର କଚ୍ଛର ଫକିରାନୀ ଜାଟ ମହିଳାମାନେ ସେମାନଙ୍କ ସଂପ୍ରଦାୟର ପାରମ୍ପରିକ ପୋଷାକକୁ ପିନ୍ଧିଥାନ୍ତି । ଏହି ସଂପ୍ରଦାୟର ଲୋକମାନେ କ୍ୱଚିତ୍ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ହାତ ତିଆରି ପୋଷାକକୁ ବିକ୍ରି କରିଥାନ୍ତି ।

ଲାଖପତ୍ ତାଲୁକାର ଧ୍ରଙ୍ଗାବନ୍ଧ ଜନବସତିର ନସିବିବାଇ ଶେରମଦ ଜାଟ୍ ତାଙ୍କର ୬୦ଟି ଖରାଇ ଓଟ ପାଇଁ ଭୁଜସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନ ନିକଟରୁ ମେଡିକାଲ କିଟ୍ ଗ୍ରହଣ କରୁଛନ୍ତି ।

ନିଜର ଖରାଇ ଓଟଗୁଡ଼ିକ ସହିତ ଜାଟ ହସିନା ପାଣିର ସନ୍ଧାନରେ ଚାଲୁଛନ୍ତି । ପ୍ରତିବର୍ଷ ଖରାଦିନରେ ସେମାନଙ୍କୁ ଏଭଳି ଖାଦ୍ୟ ଓ ପାଣିର ଅଭାବ ପଡ଼େ ଯେ ଏହି ପରିବାର ପ୍ରାୟ ଦିନେ ଛଡ଼ା ଦିନେ ସେମାନଙ୍କର ସ୍ଥାନ ବଦଳାଇଥାନ୍ତି ।

ଲାଖପତ ତାଲୁକାରେ ଥିବା ଗୁଗରିୟାନା ଗାଁରେ ଘାସ ଓ ଝୋଟରୁ ତିଆରି ନିଜର ନବନିର୍ମିତ ଆଶ୍ରୟସ୍ଥଳୀରେ ସାନ ଭଗ୍ୟାନି ଜାଟ। ସେ ତାଙ୍କର ମା’ ଆୟେଶାଙ୍କୁ ସେହି ଘର ତିଆରି କରିବାରେ ସହାୟତା କରିଛନ୍ତି ବୋଲି କହିଲେ ।

ଲାଖପତ୍ ତାଲୁକାର ମୋରି ଗାଁରେ ଶମାନି ଜାଟ ତାଙ୍କର ୪ ପୁଅ ଏବଂ ସ୍ୱାମୀ କରିମ ଜାଟଙ୍କ ପାଇଁ ରାତ୍ରୀଭୋଜନ ପ୍ରସ୍ତୁତ କରୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍