ସୁରେଶ ମେହେଣ୍ଡାଲେ ନିଜର ଅତିପ୍ରିୟ ବସ୍ ଷ୍ଟାଣ୍ଡ ପାଇଁ ଅତିଶୟ ଚିନ୍ତିତ। ତାଙ୍କର ଅନୁପସ୍ଥିତିରେ ବସ୍ ଷ୍ଟାଣ୍ଡର ପରିସର ସଫା କରାଯାଇ ନଥିବ। ଏବଂ ଯେଉଁ କୁକୁର ଛୁଆମାନଙ୍କୁ ସେ ପ୍ରତିଦିନ ସ୍ନେହରେ ବିସ୍କୁଟ ଖାଇବାକୁ ଦିଅନ୍ତି, ସେମାନେ ମଧ୍ୟ ଭୋକରେ ଥିବେ। ପୁଣେ ଜିଲ୍ଲାର ମୁଲସି ତାଲୁକା ଅନ୍ତର୍ଗତ ପୌଡ଼ର ବସ୍ ଷ୍ଟାଣ୍ଡରେ ସେ ଯେଉଁ ଅନୁସନ୍ଧାନ ବୁଥ୍ ଦାୟିତ୍ୱରେ ଥିଲେ ତାହା ଏକ ମାସରୁ ଅଧିକ ସମୟ ଧରି ତାଲା ପଡ଼ିଛି। ସେଠାରୁ ସେ ପୌଡ଼ ଦେଇ ଯାଉଥିବା ରାଜ୍ୟ ପରିବହନ ବସ୍ ର ଆଗମନ ଏବଂ ପ୍ରସ୍ଥାନ ମଧ୍ୟରେ ସମନ୍ୱୟ ରକ୍ଷା କରିଥାନ୍ତି।
ମୁଁ ଗତ ୨୮ ଦିନ ଧରି ପୌଡ଼ ଯାଇ ନାହିଁ। ୫୪ ବର୍ଷୀୟ ମେହେନ୍ଦଲେଙ୍କୁ ମୁଁ ଯେତେବେଳେ ନଭେମ୍ବର ମାସ ୨୬ ତାରିଖରେ ତାଙ୍କ ବସଷ୍ଟାଣ୍ଡଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପୁଣେ ସହରର ସ୍ୱର୍ଗେଟ୍ ବସ୍ ଡିପୋ ଭେଟିଥିଲି, ସେ ମୋତେ କହିଥିଲେ, "ମୁଁ ଆଶା କରୁଛି [ସେଠାରେ] ସବୁକିଛି ଠିକ୍ ଅଛି।” ସେ ଡିପୋର ପ୍ରବେଶ ଦ୍ୱାରରେ ଥିବା ଏକ ତମ୍ବୁରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମଏସଆରଟିସି) ର ସହକର୍ମୀମାନଙ୍କ ସହ ଧର୍ମଘଟରେ ବସିଛନ୍ତି। ଚଳିତ ବର୍ଷ ଅକ୍ଟୋବର ମାସ ୨୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏମଏସଆରଟିସି କର୍ମଚାରୀମାନେ ଆସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି।
ପୁଣେର ପ୍ରାୟ ୨୫୦ କଣ୍ଡକ୍ଟର ଏବଂ ରାଜ୍ୟ ପରିବହନର (ଏସଟି) ୨୦୦ ଡ୍ରାଇଭର ଏହି ଧର୍ମଘଟରେ ଭାଗ ନେଇଛନ୍ତି। “ଏହା ରାଜ୍ୟ ପରିବହନ କର୍ମଚାରୀଙ୍କ ମୃତ୍ୟୁ[ଆତ୍ମହତ୍ୟା]କୁ ବିରୋଧ କରି ଆରମ୍ଭ ହୋଇଥିଲା। ମେହେନ୍ଦଲେ କୁହନ୍ତି, "ଗତ ବର୍ଷରେ ଅତି କମ୍ରେ ୩୧ ଜଣ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।" ତାଙ୍କୁ ଭେଟିବାର ତିନି ଦିନ ମଧ୍ୟରେ ଆଉ ଦୁଇଜଣ ଶ୍ରମିକ ଆତ୍ମହତ୍ୟା କରି ମୃତ୍ୟୁବରଣ କଲେ। ବିଳମ୍ବରେ ଦରମା ମିଳୁଥିବା କାରଣରୁ ଏସଟି କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କୋଭିଡ -୧୯ ଆରମ୍ଭ ହେବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ସାମଗ୍ରୀ ପରିବହନ ବ୍ୟତୀତ ନିଗମର ଅନ୍ୟ କୌଣସି ଆୟର ପନ୍ଥା ନଥିଲା।


ବାମ: ପୁଣେର ସ୍ୱର୍ଗେଟ୍ ବସ୍ ଡିପୋରେ ଏସଟି ବସ୍ କଣ୍ଡକ୍ଟରଙ୍କ ସହ ସୁରେଶ ମେହେନ୍ଦଲେ (ଷ୍ଟ୍ରାଇପ୍ ଟି-ସାର୍ଟ) ଧାରଣାରେ ବସିଛନ୍ତି। ତାଙ୍କ ବାମ ପାର୍ଶ୍ୱରେ ଅନୀତା ମାନକର, ମୀରା ରାଜପୁତ, ବୃନ୍ଦାୱାନି ଡୋଲାରେ ଏବଂ ମୀନା ମୋରେ ଅଛନ୍ତି। ଡାହାଣ: କର୍ମଶାଳାର କର୍ମକର୍ତ୍ତା ରୁପାଲି କାମ୍ବଲେ, ନୀଳିମା ଧୁମାଲ (କେନ୍ଦ୍ର) ଏବଂ ପାୟଲ ଚୌହାନ (ଡାହାଣ)
କର୍ମଚାରୀମାନଙ୍କର ମୃତ୍ୟୁ ଘଟଣାକୁ ସର୍ବ ସମ୍ମୁଖକୁ ଆଣିବା ପାଇଁ ଅକ୍ଟୋବର ମାସ ୨୭ ତାରିଖରେ ମୁମ୍ବାଇରେ ଏମଏସଆରଟିସି କର୍ମଚାରୀଙ୍କ ଦ୍ୱାରା ଏକ ଧର୍ମଘଟ କରାଯାଇଥିଲା, ଯାହାକି ସାରା ରାଜ୍ୟରେ ସେମାନଙ୍କର ବହୁଦିନର ଦରମା ବୃଦ୍ଧି ଏବଂ ବକେୟା ଦରମା ପ୍ରଦାନ ଦାବି ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରାଇଥିଲା। ରାଜ୍ୟ ସରକାରଙ୍କ ସହିତ ଏମଏସଆରଟିସି ସମ୍ମିଶ୍ରଣର ଦାବି ସମ୍ପର୍କରେ ମେହେନ୍ଦଲେ କହିଛନ୍ତି, "ଏବଂ ଆମେ ସମ୍ମିଶ୍ରଣ ପାଇଁ ଚାପ ପକାଉଛୁ"। ଶ୍ରମିକମାନେ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମାନ ହେବାକୁ ଚାହାଁନ୍ତି ଏବଂ ସମାନ ବେତନ ହାର ଏବଂ ଅନ୍ୟାନ୍ୟ ସୁବିଧା ପାଇବାକୁ ଚାହାଁନ୍ତି।
୧୯୫୦ ମସିହାର ସଡ଼କ ପରିବହନ ନିଗମ ଅଧିନିୟମ ଅନୁଯାୟୀ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଏମଏସଆରଟିସି ଏକ ସ୍ୱୟଂଶାସିତ ସଂସ୍ଥା ଅଟେ। ଏହି ନିଗମ – ଯାହା ୨୫୦ ଡିପୋ ଏବଂ ୫୮୮ ବସ୍ ଷ୍ଟାଣ୍ଡ ପରିଚାଳନା କରେ ଏବଂ ଏହାର ପ୍ରାୟ ୧୦୪,୦୦୦ କର୍ମଚାରୀ ଅଛନ୍ତି - ‘ଗାଭ୍ ତିଥେ ରାସ୍ତା; ରାସ୍ତା ତିଥେ ଏସଟି(ପ୍ରତ୍ୟେକ ଗ୍ରାମ ପାଇଁ ଏକ ରାସ୍ତା; ପ୍ରତ୍ୟେକ ରାସ୍ତା ପାଇଁ ଏକ ଏସଟି ବସ୍) ଉଦ୍ଦେଶ୍ୟରେ ସାରା ରାଜ୍ୟରେ ଯାତ୍ରୀ ପରିବହନ ସେବା ଯୋଗାଇଥାଏ।
ବୃନ୍ଦାୱାନି ଡୋଲାରେ, ମୀନା ମୋରେ ଏବଂ ମୀରା ରାଜପୁତ,ସମସ୍ତେ ନିଜର ୩୦ ଦଶକରେ ଅଛନ୍ତି ଏବଂ ଶ୍ରମିକଙ୍କ ଦାବିକୁ ଦୃଢ ଭାବରେ ସମର୍ଥନ କରୁଛନ୍ତି। ସ୍ୱର୍ଗେଟ୍ ଡିପୋରେ କାମ କରୁଥିବା ୪୫ ଜଣ କଣ୍ଡକ୍ଟରମାନଙ୍କ ମଧ୍ୟରେ ସେମାନେ ଅଛନ୍ତି, ଯେଉଁମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ସମସ୍ୟାର ଏକମାତ୍ର ସମାଧାନ ହେଉଛି ପ୍ରସ୍ତାବିତ ସମ୍ମିଶ୍ରଣ। ମିନା କୁହନ୍ତି,"ଆମେ ଦୈନିକ ୧୩ ରୁ ୧୪ ଘଣ୍ଟା ପରିଶ୍ରମ କରିଥାଉ, କିନ୍ତୁ ୮ ଘଣ୍ଟା ପରିଶ୍ରମର ପାରିଶ୍ରମିକ ପାଇଥାଉ। ଆମର ଅସୁବିଧା ଶୁଣିବା ପାଇଁ କୌଣସି ପ୍ରକାରର ଅଭିଯୋଗ ଶୁଣାଣି ବ୍ୟବସ୍ଥା ନାହିଁ। ଅକ୍ଟୋବର ୨୮ ଠାରୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ବସ୍ ଏହି ଡିପୋ ଛାଡି ଯାଇ ନାହିଁ। ସେ ଆହୁରି କୁହନ୍ତି,"ମିଶ୍ରଣ ପାଇଁ ରାଜ୍ୟ ସରକାର ରାଜି ନହେବା ପର୍ଯ୍ୟନ୍ତ ଆମେ ଆମର ଦାବିରୁ ଓହରିବୁ ନାହିଁ"।
ସମସ୍ତ ୨୫୦ ଡିପୋ ବନ୍ଦ ରହିଛି ଏବଂ ଡ୍ରାଇଭର, କଣ୍ଡକ୍ଟର ଏବଂ କର୍ମଶାଳା କର୍ମଚାରୀଙ୍କ ସମେତ ପ୍ରାୟ ଏକ ଲକ୍ଷ କର୍ମଚାରୀ ଧର୍ମଘଟରେ ଅଛନ୍ତି। ଗତ ୧୨ ବର୍ଷ ଧରି ସ୍ୱର୍ଗେଟ୍ ଡିପୋରେ କଣ୍ଡକ୍ଟର ଭାବରେ କାମ କରୁଥିବା ୩୪ ବର୍ଷୀୟ ଅନୀତା ଅଶୋକ ମାନକର କୁହନ୍ତି, "କେବଳ ୧୨ଜଣ ଚୁକ୍ତିଭିତ୍ତିକ ଶ୍ରମିକ ଫେରି ଆସିଛନ୍ତି। ଅମରାବତୀ ଜିଲ୍ଲାର ମୂଳ ବାସିନ୍ଦା ଅନୀତା ମୁଲସିର ଭୁଗାଓଁ ନିକଟସ୍ଥ ମଟାଲୱାଡିଫଟାରେ ରୁହନ୍ତି । ସେ ପ୍ରାୟତଃ ପୁଣେ-କୋଲୱାନ୍ ବସ୍ ରୁଟରେ ଡ୍ୟୁଟି କରିଥାଆନ୍ତି।


ବାମ: ସାଟେସାଇ ନିକଟରେ ସ୍କୁଲ ପିଲାମାନେ ୧୦କିଲୋମିଟର ଦୂର ପୌଡକୁ ଚାଲିକରି ଯାଇଛନ୍ତି। ଡାହାଣ: ଶିବାଜୀ ବୋରକର (ବାମରୁ ଦ୍ୱିତୀୟ) ଏବଂ ଅନ୍ୟମାନେ ପୌଡରୁ ନିଜର ଆଗାମୀ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଏକ ଅଂଶୀଦାର ଅଟୋକୁ ଅପେକ୍ଷା କରିଛନ୍ତି
ତେବେ ଭେଟେରାନ ଶ୍ରମିକ ନେତା ପନ୍ନଲାଲ ସୁରନା ମହାରାଷ୍ଟ୍ର ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସମ୍ମିଶ୍ରଣ ଏକ ଖରାପ ଧାରଣା ହେବ।। ମହାରାଷ୍ଟ୍ର ରାଜ୍ୟ ଏସଟି କର୍ମଚାରୀ ସଂଗଠନର ପୂର୍ବତନ ସଭାପତି ସୁରନା ଯିଏକି ପ୍ରାୟ ୧୭ ବର୍ଷ ଧରି ସେହି ଦାୟିତ୍ୱ ତୁଲାଇଥିଲେ, ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ପାରିଶ୍ରମିକ ଦାବିକୁ ସେ ସମର୍ଥନ କରିଛନ୍ତି। ସରକାରୀ ବିଭାଗର ଅନୁମତିକୁ ଅପେକ୍ଷା ନକରି ତ୍ୱରିତ ଏବଂ ନିରପେକ୍ଷ ନିଷ୍ପତ୍ତି ନିଶ୍ଚିତ କରିବାକୁ ରାଜ୍ୟ ସଡ଼କ ପରିବହନ ନିଗମ ଗଠନ କରାଯାଇଥିଲା ବୋଲି ସେ କହିଥିଲେ।
କିଛି ବିକ୍ଷୋଭ କରୁଥିବା କର୍ମଚାରୀମାନେ ଏମଏସାଅରଟିସିରୁ ସମାନ ବେତନ ଦାବି କରୁଛନ୍ତି। ୨୪ ବର୍ଷୀୟ ପାୟଲ ଚୌହାନ କୁହନ୍ତି,"ଆମର ପୁରୁଷ ସହକର୍ମୀ ତୁଳନାରେ ଆମକୁ କମ୍ ଦରମା ଦିଆଯାଉଛି, ଏବଂ ଆମକୁ ଠିକ୍ ସମୟରେ ଦରମା ଦିଆଯାଉନାହିଁ। ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ ଆମେ ଚାହୁଁଛୁ। ସେ ଏବଂ ତାଙ୍କ ସହକର୍ମୀ ରୁପାଲି କାମ୍ବଲେ ଏବଂ ନୀଳିମା ଧୁମାଲଙ୍କୁ ତିନି ବର୍ଷ ପୂର୍ବେ ସ୍ୱର୍ଗେଟ୍ ଡିପୋର କର୍ମଶାଳା ବିଭାଗରେ ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିଯୁକ୍ତ କରାଯାଇଥିଲା।
ପୁନେର ଏମଏସାଅରଟିସି ଡିଭିଜନ ଏହି ଧର୍ମଘଟ କାରଣରୁ ଦିନକୁ ୧.୫ କୋଟି ଟଙ୍କାର କ୍ଷତି ସହୁଛି ବୋଲି କୁହାଯାଇଛି। ଘରୋଇ ମାଲିକମାନଙ୍କ ଦ୍ୱାରା ପରିଚାଳିତ ଶୀତତାପ ନିୟନ୍ତ୍ରିତ ବସ୍ଗୁଡ଼ିକୁ ଛାଡ଼ି, ଏହାର ସମସ୍ତ ୮,୫୦୦ଟି ବସ୍ ସେବାରେ ନାହାଁନ୍ତି, ଯାହାକି ସେମାନେ ଦୈନିକ ପରିବହନ କରୁଥିବା ହାରାହାରି ୬୫,୦୦୦ ପାସେଞ୍ଜରଙ୍କର ଗମନାଗମନକୁ ପ୍ରଭାବିତ କରିଛି।
ଏହାର ପ୍ରଭାବ ପୌଡ଼ରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଆଜିକାଲି, ଶିବାଜୀ ବୋରକର ପୌଡରୁ ଏକ ଅଂଶୀଦାରୀ ଅଟୋରେ ଯିବାକୁ ବାଧ୍ୟ ହେଉଛନ୍ତି। ସେ ପୁଣେ ସହରଠାରୁ ମୁଲସିର ଏକ ଗାଁ ରିହେ ରେ ଥିବା ତାଙ୍କ ଫାର୍ମ ପର୍ଯ୍ୟନ୍ତ ପ୍ରାୟ ପ୍ରତି ସପ୍ତାହରେ ୪୦ କିଲୋମିଟର ଯାତ୍ରା କରନ୍ତି। ସେ ବର୍ତ୍ତମାନ ବ୍ୟବହାର କରୁଥିବା ଏକମାତ୍ର ସାଧାରଣ ପରିବହନ ହେଉଛି ପୁଣେର ମାର୍କେଟୟାର୍ଡରୁ ପୌଡ ପର୍ଯ୍ୟନ୍ତ ବସ୍, ଯାହା ପୁଣେ ମହାନଗର ପରିବହନ ମହାମଣ୍ଡଳ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଛି।


ବାମ: ମହାରାଷ୍ଟ୍ରରେ ଏସଟି ଷ୍ଟ୍ରାଇକ୍ ହେତୁ ଯାତ୍ରୀମାନଙ୍କୁ ପୁଣେ ସହରରୁ ଅନ୍ୟ ପରିବହନ ମାଧ୍ୟମକୁ ବ୍ୟବହାର କରିବାକୁ ପଡୁଛି। ଡାହାଣ: ପୌଡ ବସ୍ ଷ୍ଟାଣ୍ଡରେ ତାଲା ପଡିଥିବା ଅନୁସନ୍ଧାନ ବୁଥ୍
ଯେତେବେଳେ ମୁଁ ନଭେମ୍ବର ମାସ ୨୭ ତାରିଖରେ ତାଙ୍କୁ ଭେଟିଥିଲି, ବୋରକର ଏବଂ ଅନ୍ୟ ପାଞ୍ଚଜଣ ଏକ ଛୋଟ ଦୋକାନରେ ଆଗକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ଦୁଇ ଘଣ୍ଟା ବିତିଯାଇଥିଲା, ମାତ୍ର ୬ ଟି ଆସନ ବିଶିଷ୍ଟ ଯାନଟି ୧୪ ଜଣଙ୍କୁ ବସାଇବା ପରେ ହିଁ ଛାଡ଼ିବ - ମଝିରେ ୮ ଜଣ, ପଛରେ ୪ ଜଣ ଏବଂ ଡ୍ରାଇଭରର ଉଭୟ ପାର୍ଶ୍ୱରେ ୨ ଜଣ। ବୋରକର କହନ୍ତି, “ଆମେ ଅପେକ୍ଷା କରିବା ବ୍ୟତୀତ ଆଉ କ’ଣ କରିପାରିବୁ?” । “ଗ୍ରାମବାସୀମାନଙ୍କ ପାଇଁ ଏସଟି ବସ୍ ଏକ ଲାଇଫ୍ ଲାଇନ୍ ଅଟେ। ପ୍ରାୟ ଏକ ମାସ ବିତିଗଲାଣି ଏବଂ ସେଠାରେ ବସ୍ ସେବା ନାହିଁ।” ଅଟୋ ସେମାନଙ୍କଠାରୁ ବସ୍ ଟିକେଟର ଦୁଇଗୁଣ ମୂଲ୍ୟ ନେଉଥିବାବେଳେ ଏସଟି ବସ୍ ବରିଷ୍ଠ ନାଗରିକଙ୍କୁ ଅଧା ମୂଲ୍ୟରେ ସେବା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି।
ପୌଡର ବସଷ୍ଟାଣ୍ଡ, ଯେଉଁଠାରୁ ଦୈନିକ ପାଞ୍ଚଟି ବସ୍ କୋଲୱାନ୍ (ମୁଲସି ତାଲୁକାରେ) ଏବଂ ଜାଭାନ୍ ଏବଂ ତାଲେଗାଓଁ (ମୱାଲ୍ ତାଲୁକାରେ) କୁ ଯାଆନ୍ତି, ବର୍ତ୍ତମାନ ଶୂନଶାନ୍ ହୋଇଯାଇଛି। ସେଠାରେ ତିନିଜଣ ଝିଅଙ୍କର ଏକ ଦଳ ଯେଉଁମାନେ ସେମାନଙ୍କ ସାଙ୍ଗମାନଙ୍କୁ ଅପେକ୍ଷା କରିଥିଲେ, ସେମାନେ ମୋ ସହ କଥା ହୋଇଥିଲେ, କିନ୍ତୁ ସେମାନଙ୍କ ନାମ ଜଣାଇବାକୁ କିମ୍ବା ଫଟୋ ଉଠାଇବାକୁ ଚାହିଁନଥିଲେ। “ଲକଡାଉନ୍ ପରେ ମୋର ପିତାମାତା ମୋତେ କଲେଜ ପଠାଇବାକୁ ମନା କରିଦେଇଥିଲେ। ଯାତାୟାତ କରିବା ମହଙ୍ଗା ପଡୁଥିଲା। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ମୁଁ [ପଢୁଥିଲି] ଦ୍ୱାଦଶ ଶ୍ରେଣୀରେ ପଢୁଥିବା ପର୍ଯ୍ୟନ୍ତ ମୋର ଏକ ମାଗଣା ବସ୍ ପାସ୍ ଥିଲା। ଦ୍ୱାଦଶ ଶ୍ରେଣୀ ପରେ ସେମାନେ ସମସ୍ତେ ଅଧ୍ୟୟନ ବନ୍ଦ କରିଦେଇଥିଲେ। ପରିବହନ ଦେୟ ପ୍ରାୟତଃ ପରିବାର ଦ୍ୱାରା ଝିଅମାନଙ୍କ ଶିକ୍ଷା ବନ୍ଦ କରିବାର କାରଣ ଭାବରେ ଦର୍ଶାଯାଇଥାଏ।
ସେହି ଦିନ, ମୁଁ ପୌଡ ଏବଂ କୋଲୱାନ ମଧ୍ୟରେ ଥିବା ୧୨ କିଲୋମିଟର ଦୂରତାକୁ ଚାଲିକରି ବିଦ୍ୟାଳୟ ଯାଉଥିବା ଅତିକମରେ ଆଠଟି ଛାତ୍ର ଦଳଙ୍କୁ ଦେଖିଥିଲି। ସତେସାଇ ଗ୍ରାମର ଏକ ଝିଅ ପୌଡସ୍ଥିତ ତାଙ୍କ ସ୍କୁଲକୁ ଦୌଡିକି ଯାଉଥିବା ବେଳେ ମୋତେ କହିଲା, “ଆମେ ବିଦ୍ୟାଳୟକୁ ଯିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲୁ [କୋଭିଡ୍ -୧୯ ତାଲାବନ୍ଦ ପରେ ଖୋଲା ଯାଇଥିଲା]। କିନ୍ତୁ ବର୍ତ୍ତମାନ ବସ୍ ନାହିଁ ଏବଂ ଆମକୁ ଚାଲିବାକୁ ପଡ଼ିବ।” ରାଜ୍ୟ ପରିବହନ ବସ୍ ୫-୧୨ ଶ୍ରେଣୀରେ ପାଠ ପଢୁଥିବା ଝିଅମାନଙ୍କୁ ଏକ ମାଗଣା ଟ୍ରାଭେଲ୍ ପାସ୍ ଦେଇଥାଏ, କିନ୍ତୁ ବସ୍ ସେବା କାର୍ଯ୍ୟକ୍ଷମ ଥିଲେ ହିଁ ଏହା କାମ କରେ।
ଏମଏସଆରଟିସି ରେ ଗତ ୨୭ ବର୍ଷ ଧରି କାମ କରିଆସିଥିବା ମେହେନ୍ଦଲେ କୁହନ୍ତି, "ଆମେ ଗରିବରୁ ଗରିବ ଲୋକଙ୍କର ସେବା କରୁଛୁ, ଆମେ ଜାଣୁ ଯେ ସେମାନେ ହଇରାଣ ହେଉଛନ୍ତି, କିନ୍ତୁ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ। ମୁଁ ନିଶ୍ଚିତ ଯେ ଆମର ଲୋକମାନେ ବୁଝିବେ।" ସେ ୨୦୨୦ ମସିହାରେ ଟ୍ରାଫିକ କଣ୍ଟ୍ରୋଲର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହି ପଦବୀକୁ ପଦୋନ୍ନତି ପାଇବାକୁ ଆଶା ରଖିଛନ୍ତି। କିନ୍ତୁ ସେ ଜାଣନ୍ତି ଯେ ଏସଟି ବସ୍ ପୁନଃ କାର୍ଯ୍ୟକ୍ଷମ ହେବା ପରେ ହିଁ ଏହା ସମ୍ଭବ ହୋଇପାରେ। ବର୍ତ୍ତମାନ ପାଇଁ, ସେ ଦେଖାରଖା କରୁଥିବା ବସ୍ ଷ୍ଟାଣ୍ଡ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛି।
ଅନୁବାଦ: ଓଡ଼ିଶାଲାଇଭ୍