ମୁଁ ଆଭୂଷଣ ତିଆରି କରିବା ଲାଗି ଶୋଲପିଠ (ଏଶକିନୋମିନ ଆସ୍ପେରା ଏଲ. ଉଦ୍ଭିଦର କର୍କ) ତିଆରି କରିଥାଏ। ଏହା ଏକ ବହୁମୁଖି ସାମଗ୍ରୀ ଯାହାକୁ ବିଭିନ୍ନ ପ୍ରକାର ଆକାର ଓ ଆକୃତିରେ କଟା ଯାଇପାରିବ ଏବଂ ଏହା ମଧ୍ୟ ହାଲୁକା ହୋଇଥାଏ। ଓଡ଼ିଶାରେ ଆମେ ଏହାକୁ ଶୋଲପିଠ କାମ ବୋଲି କହିଥାଉ।
ମୁଁ ଦଶହରା ପାଇଁ ହାର, ଛୁଞ୍ଚିସୂତାରେ କପଡ଼ା କାରୁକାର୍ଯ୍ୟ ବା ଏମ୍ବ୍ରୋଡୋରୀ, ଫୁଲ ଓ ଅନ୍ୟାନ୍ୟ ଶୋ’ପିସ୍ ତିଆରି କରିଥାଏ, କିନ୍ତୁ ଟାହିଆ କାମ ପାଇଁ ମୋତେ ସମସ୍ତେ ଜାଣନ୍ତି। ଓଡ଼ିଶୀ ନୃତ୍ୟାଙ୍ଗନାମାନେ ମୁଣ୍ଡରେ ଏହି ଟାହିଆ ପିନ୍ଧି ମଞ୍ଚରେ ନୃତ୍ୟ ପରିବେଷଣ କରିଥାନ୍ତି।
ପ୍ଲାଷ୍ଟିକ ଟାହିଆ ମଧ୍ୟ ମିଳିଥାଏ କିନ୍ତୁ ସେଗୁଡ଼ିକ ନୃତ୍ୟାଙ୍ଗନାଙ୍କ କେଶମୂଳକୁ କଷ୍ଟ ଦେଇଥାଏ ଫଳରେ ଏହାକୁ ଦୀର୍ଘ ସମୟ ଲାଗି ପିନ୍ଧିବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଏ। ଆହୁରି, ପ୍ଲାଷ୍ଟିକକୁ କାଟି ଭିନ୍ନ ଭିନ୍ନ ଡିଜାଇନ ତିଆରି କରିବା ସମ୍ଭବ ନୁହେଁ।
ଆହୁରି ଅନେକ କୁଶଳୀ କାରିଗର ଟାହିଆ ତିଆରି କାମ ଛାଡ଼ି ଦେଇଛନ୍ତି, କିନ୍ତୁ ମୁଁ ଏହି କାମ କରିବାକୁ ଭଲ ପାଏ।


ବାମ : ଉପେନ୍ଦ୍ର ଶୋଲପୀଠରୁ ଏକ ସିଂହୀ ତିଆରି କରୁଛନ୍ତି। ଡାହାଣ: ଟାହିଆ ତିଆରି କରିବା ଲାଗି ଉପଯୋଗ ହେଉଥିବା ଉପକରଣ ଓ ସରଞ୍ଜାମ


ବାମ : ଫୁଲ ତିଆରି କରିବା ଲାଗି ଗୋଲେଇ ଶୋଲକୁ ବ୍ୟବସ୍ଥିତ ଭାବେ କଟାଯାଇଥାଏ। ଡାହାଣ: ଫୁଲ ତିଆରି କରିବା ପାଇଁ ପତଳା ଶୋଲ ପଟି ବ୍ୟବହାର କରାଯାଏ
ପୂର୍ବରୁ ଶାସ୍ତ୍ରୀୟ ନୃତ୍ୟାଙ୍ଗନାମାନେ ସେମାନଙ୍କ କେଶରେ ଫୁଲ ପିନ୍ଧୁଥିଲେ। ତେବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ବନ୍ଧୁ କାଶୀ ମହାପାତ୍ର ଶୋଲପୀଠରୁ ଟାହିଆ ତିଆରି କରିବା ଲାଗି ଉପାୟ ଦେଇଥିଲେ। ମୁଁ ବିଭିନ୍ନ ଡିଜାଇନରେ କାମ କରିଛି।
ଟାହିଆ ତିଆରି କରିବା ଲାଗି ଆପଣଙ୍କୁ ବକ୍ରମ (ଟାଣ ସୂତା) କପଡ଼ା, ଗଜ୍ ତାର, ଫେବିକଲ ଅଠା, କଳା ସୂତା, ଚୂନ, କଳା କାଗଜ ଏବଂ ସବୁଜ କାଗଜ ଆବଶ୍ୟକ ହୋଇଥାଏ। ଯଦି ଟାହିଆ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଜଣେ ବ୍ୟକ୍ତି ସାମିଲ ହୁଅନ୍ତି ତା’ହେଲେ ଗୋଟିଏ ଦିନରେ ସେ ଦୁଇଟିରୁ ଅଧିକ ତିଆରି କରିପାରିବେ ନାହିଁ। କିନ୍ତୁ କାର୍ଯ୍ୟପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ଲୋକ ନିୟୋଜିତ ରହିଥାନ୍ତି – ବେଳେବେଳେ ଛଅରୁ ସାତ ଜଣ ଲୋକ।
ନାଗେଶ୍ୱର ଏବଂ ସେବତୀ ଫୁଲ ମୁଖ୍ୟତଃ ଟାହିଆ ତିଆରିରେ ଉପଯୋଗ କରାଯାଇଥାଏ। ଅନ୍ୟ ଫୁଲ ତୁଳନାରେ ସେବତୀ ଫୁଲ ପ୍ରାୟ ଆଠ ଦିନ ପର୍ଯ୍ୟନ୍ତ ରହିଥାଏ, ଅନ୍ୟପଟେ ନାଗେଶ୍ୱର ଫୁଲ ଅତିବେଶୀରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ – ଏହି କାରଣରୁ ଏହି ଦୁଇଟି ଫୁଲକୁ ପ୍ରଥମେ ଟାହିଆ ତିଆରିରେ ଲଗାଯାଉଥିଲା।


ବାମ : ଓଡ଼ିଶୀ ନୃତ୍ୟାଙ୍ଗନାମାନେ ପିନ୍ଧୁଥିବା ମୁକୁଟ ପାଇଁ ସ୍ପୋକ ତିଆରି କରିବା ଲାଗି ଉପେନ୍ଦ୍ର ଶୋଲପିଠ ଫୁଲ ଉପଯୋଗ କରୁଛନ୍ତି। ଡାହାଣ :ଶୋଲପିଠର ଦ୍ୱିତୀୟ ପଟ୍ଟିକୁ ମୁକୁଟରେ ସଂଯୋଗ କରାଯାଉଛି


ଏକ ଆକୃତି ତିଆରି କରିବା ଲାଗି ଶୋଲପିଠ ଚାରିପଟେ ଜରି ଗୁଡ଼ା ହୋଇଥାଏ
ବିଭିନ୍ନ ପ୍ରକାର ଫୁଲର କଢ଼, ବିଶେଷ କରି ମଲ୍ଲୀ କଢ଼ ଉପଯୋଗ କରାଯାଇ ଟାହିଆର ମୁକୁଟ ଭାଗରେ ସ୍ପୋକ ବା ଥାକ ଥାକ କରାଯାଉଛି। ଫୁଟିବା ପୂର୍ବରୁ କଢ଼ଗୁଡ଼ିକ ଧଳା ଥାଏ ତେଣୁ ଆମେ ଟାହିଆ ତିଆରି କରିବା ବେଳେ ଏଗୁଡ଼ିକୁ ମଧ୍ୟ ଧଳା ରଖିଥାଉ।
ଡିଜାଇନ ପ୍ରସ୍ତୁତ କରିବା ଲାଗି କିଛି କଢ଼କୁ ମୁଣ୍ଡ ପଟୁ ଚାପି ଦିଆଯାଏ ଏବଂ ଏହି ନିଖୁଣ କାମ ସାଧାରଣତଃ ମହିଳାମାନଙ୍କ ଦ୍ୱାରା କରାଯାଏ।
ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ଲାଗି ପୁରୀରେ ଶୋଲପିଠ କାମ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ସ୍ଥାନୀୟ କାରିଗରୀକୁ ପ୍ରଦର୍ଶିତ କରିବା ଲାଗି ଏବେ ଏହା ହୋଟେଲ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଉପଯୋଗ କରାଯାଉଛି।
ଆମ କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ସିଫ୍ଟ ନଥାଏ; ଆମେ ସକାଳ ୬ଟା, ୭ଟା କିମ୍ବା ଭୋର ୪ଟାରୁ କାମ ଆରମ୍ଭ କରି ଦେଉ ଏବଂ ଦିନ ସାରା ଆମ କାମ ଚାଲିଥାଏ। ବେଳେବେଳେ ରାତି ଗୋଟାଏ କିମ୍ବା ୨ଟା ହୋଇଯାଏ। ଗୋଟିଏ ଟାହିଆ ତିଆରିରୁ ଜଣେ କାରିଗରଙ୍କୁ ୧,୫୦୦ରୁ ୨,୦୦୦ ଟଙ୍କା ମିଳିଥାଏ।


ବାମ : ବିଭିନ୍ନ କିସମର ଶୋଲ ଫୁଲ। ଡାହାଣ: ପୁରୀ ହୋଟେଲଗୁଡ଼ିକରେ ସାଜସଜ୍ଜା ପାଇଁ ବ୍ୟବହୃତ ହେଉଥିବା ଶୋଲପିଠରେ ତିଆରି ଏକ ମୟୂରକୁ ଦେଖାଉଛନ୍ତି ଉପେନ୍ଦ୍ର
୧୯୯୬ ମସିହାରେ ଓଡ଼ିଶାର ସମ୍ବଲପୁରରେ ଶରତ ମହାନ୍ତିଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଥିବା ସମୟରେ ମୁଁ ପୁରସ୍କାର ପାଇଥିଲି।
‘‘କଳାକାର ଜମା କାହାରି ସମ୍ପତ୍ତି ନୁହେଁ। କଳା ହିଁ ଏପରି ଏକ ସମ୍ପତ୍ତିର ଉତ୍ସ ଏବଂ ଏହା ନିଜେ ହିଁ କଥା କହିଥାଏ।’’
‘‘ଏହି ୩୭ ବର୍ଷ ପୁରୁଣା କାରିଗରୀ ମୋର ସମ୍ପତ୍ତି। ୟାରି ପାଇଁ ମୋ ପରିବାର କେବେ ଖାଲି ପେଟରେ ଶୋଇ ନାହିଁ,’’ ଉପେନ୍ଦ୍ର କୁମାର ପୁରୋହିତ କହନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍