ସାନୁଙ୍କର ସମ୍ପର୍କୀୟ ଭାଇ, ବିଶ୍ୱନାଥ ସେନ୍ ତାଙ୍କୁ ପ୍ରଥମେ ଶଙ୍ଖ ଚୂଡ଼ିରେ କିପରି ଖୋଦେଇ କରାଯାଏ ଶିଖାଇଥିଲେ।
“ମୁଁ ଚୂଡ଼ିରେ ଡିଜାଇନ୍ ଖୋଦେଇ କରେ ଏବଂ ତା’ପରେ ସେଗୁଡ଼ିକୁ ମହାଜନ(ଠିକାଦାର)ଙ୍କ ପାଖକୁ ପଠେଇ ଦିଏ। ସେମାନେ ବିକ୍ରି କରନ୍ତି। ମୁଁ ସାଧାରଣ ଶଙ୍ଖା ତିଆରି କରେ। ଅନ୍ୟମାନେ ଖୋଦେଇ କାମ ହୋଇଥିବା ଚୂଡ଼ି ଏବଂ ଶଙ୍ଖା ଉପରେ ସୁନା ପାଣି ଦେବାକୁ ମୋ ପାଖକୁ ପଠାନ୍ତି,” କହନ୍ତି ୩୧ ବର୍ଷୀୟ ସାନୁ ଘୋଷ, ଯିଏ ତାଙ୍କର କିଶୋର ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାରୁ ଅଧିକ ସମୟ ଏହି କାମ କରିବାରେ ବିତାଇଛନ୍ତି।
ଏହି ଶଙ୍ଖ କାରୀଗର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାକପୁରରେ ଥିବା ଶଙ୍ଖବଣିକ କଲୋନୀରେ ରୁହନ୍ତି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଶଙ୍ଖ କାରୁକାର୍ଯ୍ୟ କରାଯାଉଥିବା କର୍ମଶାଳା ରହିଛି। “ଲାଲକୁଠିରୁ ଘୋଷପଡ଼ା ଯାଏଁ ଅନେକ ଶଙ୍ଖ କାରୀଗର ଚୂଡ଼ି ଉତ୍ପାଦନ କ୍ଷେତ୍ରରେ କାମ କରନ୍ତି।”
ମହାଜନମାନେ ଆଣ୍ଡାମାନ ଏବଂ ଚେନ୍ନାଇରୁ ଶଙ୍ଖ ଆମଦାନୀ କରନ୍ତି। ଶଙ୍ଖ ହେଉଛି ଏକ ପ୍ରକାର ସାମୁଦ୍ରିକ ଗେଣ୍ଡା। ତାର ଶାମୁକାର ଆକାର ଉପରେ ନିର୍ଭର କରି ଏହା ବଜା ଯାଉଥିବା ଶଙ୍ଖ ଭାବରେ ବ୍ୟବହାର କରାଯିବ ଅନ୍ୟଥା ଚୂଡ଼ି ତିଆରି କରିବା ପାଇଁ ବ୍ୟବହାର କରାଯିବ। ମୋଟା ଏବଂ ଓଜନିଆ ଶଙ୍ଖରେ ଚୂଡ଼ି ତିଆରି କରିବା ସହଜ କାରଣ ଛୋଟ ଏବଂ ପତଳା ଶଙ୍ଖ ଡ୍ରିଲ୍ କରିବା ସମୟରେ ଶୀଘ୍ର ଭାଙ୍ଗିଯାଏ। ତେଣୁ ପୂଜା ପାଇଁ ହାଲୁକା ଶଙ୍ଖ ବ୍ୟବହାର କରାଯାଏ ଏବଂ ଓଜନିଆ ଶଙ୍ଖ ଚୂଡ଼ି ତିଆରି କରିବା ପାଇଁ ବ୍ୟବହାର କରାଯାଏ।


ବାମ: ବାରାକପୁରର ଶଙ୍ଖବଣିକ କଲୋନୀରେ ସଜଲ୍ ନନ୍ଦୀଙ୍କ କର୍ମଶାଳାରେ ଶଙ୍ଖ ଚୂଡ଼ି । ଡାହାଣ: ଶଙ୍ଖ ଭିତରେ ଥିବା କୌଣସି ପ୍ରକାରର ସୂକ୍ଷ୍ମ ଜୀବାଣୁ ମାରି ସଫା କରିବା ପାଇଁ ବିଶ୍ୱଜିତ ସେନ୍ ସଲଫ୍ୟୁରିକ୍ ଏସିଡ୍ ମିଶା ଗରମ ପାଇଁ ଶଙ୍ଖ ଭିତରେ ଭର୍ତ୍ତି କରୁଛନ୍ତି
ଶଙ୍ଖର ଭିତର ଏବଂ ବାହାର ସଫା କରିବା ପରେ ପ୍ରକ୍ରିୟା ଆରମ୍ଭ ହୁଏ। ଶାମୁକା ଭଲ ଭାବରେ ସଫା କରି ସାରିବା ପରେ, ଏହାକୁ ସଲଫ୍ୟୁରିକ୍ ଏସିଡ୍ ସାହାଯ୍ୟରେ ଗରମ ପାଣିରେ ସଫା କରାଯାଏ। ଏହା କରି ସାରିବା ପରେ, ପଲିସ୍ କରିବା ପ୍ରକ୍ରିୟା ଆରମ୍ଭ ହୁଏ। ଯଦି ଚୂଡ଼ିରେ କୌଣସି କଣା, ଫଟା ଏବଂ ଅସମାନିଆ ଅଂଶ ଥାଏ, ସେଗୁଡ଼ିକ ଭରି ସମାନ କରାଯାଏ।
ଚୂଡ଼ିଗୁଡ଼ିକୁ ଅଲଗା କରିବା ପୂର୍ବରୁ, ସେଗୁଡ଼ିକୁ ଗୋଟିଏ ହାତୁଡ଼ିରେ ପିଟି ଡ୍ରିଲ୍ ସାହାଯ୍ୟରେ କଟାଯାଏ। ତାପରେ କାରୀଗରମାନେ ଗୋଟି ଗୋଟି କରି ଚୂଡ଼ିକୁ ଗ୍ରାଇଣ୍ଡିଂ କରି ପଲିସ୍ କରନ୍ତି। “କିଛି କାରୀଗର ଶଙ୍ଖର କଞ୍ଚାମାଲ୍ ଭାଙ୍ଗିବା କାମ କରନ୍ତି ଆଉ କିଛି ଚୂଡ଼ି ତିଆରି କାମ କରନ୍ତି। ଆମେ ସବୁ ଅଲଗା ଅଲଗା ମହାଜନଙ୍କ ପାଇଁ କାମ କରୁ,” ସାନୁ କହନ୍ତି।


ବାମ: ସମର ନାଥ ସେନଙ୍କ ଇନ୍-ହାଉସ କର୍ମଶାଳାରେ ଅଶୋଧିତ ଶଙ୍ଖ। ଡାହାଣ: ଗୋଟିଏ ଶଙ୍ଖର କଟା ପ୍ରକ୍ରିୟା ଚାଲିଛି
ଶଙ୍ଖବଣିକ କଲୋନୀ ଶଙ୍ଖ କର୍ମଶାଳା ଭରପୂର। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଛୋଟ ଶୋଇବା ଘର କିମ୍ୱା ଗୋଟିଏ ଗ୍ୟାରେଜ ଆକାରର ହେବ। ସାନୁଙ୍କ କର୍ମଶାଳାରେ ଗୋଟିଏ ଝରକା ଅଛି ଏବଂ କାନ୍ଥରେ ଧୂଳି ଜମି ଯାଇଛି ଯାହା ଶଙ୍ଖ କାଟିବା ସମୟରେ ବାହାରେ। ଗୋଟିଏ କୋଣରେ ଦୁଇଟି ଗ୍ରାଇଣ୍ଡିଂ ମେସିନ୍ ରଖାହୋଇଛି ଏବଂ ଅନ୍ୟ କୋଣରେ ଶଙ୍ଖର କଞ୍ଚାମାଲ୍ ଗଦା ହୋଇଛି ଯାହାର ପ୍ରକ୍ରିୟାକରଣ କରାଯିବ।
ଅଧିକାଂଶ ମହାଜନ ସେମାନଙ୍କ ଦୋକାନରେ ଶଙ୍ଖର ସୁନ୍ଦର ଉତ୍ପାଦ ସବୁ ବିକ୍ରି କରନ୍ତି କିନ୍ତୁ ପ୍ରତି ବୁଧବାର ଦିନ ଶଙ୍ଖ ଚୂଡ଼ିର ଏକ ହୋଲସେଲ୍ ମାର୍କେଟରେ ମଧ୍ୟ କାରବାର ହୁଏ।
ବେଳେବେଳେ, ବିଶେଷ କରି ସୁନା ପାଣି ଦିଆ ଚୂଡ଼ି ଅର୍ଡର୍ ମିଳିଥିଲେ, ମହାଜନମାନେ ସିଧାସଳଖ ଗ୍ରାହକମାନଙ୍କୁ ବିକ୍ରି କରନ୍ତି।
ସାନୁ କହନ୍ତି ଶଙ୍ଖର ଅଭାବ ଯୋଗୁଁ ଶଙ୍ଖ ଚୂଡ଼ି ଏବଂ ଶଙ୍ଖା ବିକ୍ରି ଗତ କିଛି ବର୍ଷ ହେଲା କମି ଆସିଲାଣି। “କଞ୍ଚାମାଲ୍ ଦର ଟିକେ ଶସ୍ତା ହେଲେ ଭଲ ହୁଅନ୍ତା। କଞ୍ଚାମାଲ୍ର କଳାବଜାରୀ ରୋକିବା ଉପରେ ସରକାର ଧ୍ୟାନ ଦେବା ଉଚିତ।”


ବାମ: ବିଶ୍ୱଜିତ ସେନ୍ ଶଙ୍ଖର ଭିତର ଏବଂ ବାହର ପଟ ସଫା କରୁଛନ୍ତି। ଡାହାଣ: ସୁଶାନ୍ତ ଧର୍ ତାଙ୍କ ମହାଜନଙ୍କ କର୍ମଶାଳାରେ ଶଙ୍ଖକୁ ସଠିକ୍ ଆକାର ଦେଉଛନ୍ତି
ଶଙ୍ଖରୁ ଚୂଡ଼ି ଏବଂ ଅନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ତିଆରି କରିବା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ୨୩ ବର୍ଷୀୟ କାରୀଗର ଅଭିଷେକ ସେନ୍ ଏହି ଶଙ୍ଖବଣିକ କଲୋନୀରେ କାମ କରନ୍ତି। ସେ କହନ୍ତି, “ଶଙ୍ଖ ଗ୍ରାଇଣ୍ଡିଂ କରିବା ସମୟରେ ଶାମୁକାର ଗୁଣ୍ଡ ଆମ ନାକ ଏବଂ ପାଟି ଭିତରେ ପଶୁଛି। ଆମେ କ୍ଷତିକାରକ ରାସାୟନିକ ପଦାର୍ଥ ସବୁ ମଧ୍ୟ ବ୍ୟବହାର କରୁଛୁ।” ଅଭିଷେକ ଶଙ୍ଖ ଚୂଡ଼ି ଏବଂ ଶଙ୍ଖା ଉପରେ ଡିଜାଇନ୍ କରନ୍ତି।
“ମୋର ଆୟ କାମର ଗୁଣବତ୍ତା ଏବଂ ପ୍ରକାର ଉପରେ ନିର୍ଭର କରେ। ଶଙ୍ଖା ଚୂଡ଼ି ଯେତେ ଓଜନିଆ ଏବଂ ଓସାରିଆ ହେବ ମଜୁରୀ ସେତେ ଅଧିକ ମିଳିବ। ଦିନେ ଦିନେ ମୁଁ ୧୦୦୦ ଟଙ୍କା ଯାଏଁ ରୋଜଗାର କରିଦିଏ, କିନ୍ତୁ ଅନ୍ୟ ଦିନମାନଙ୍କରେ ଖୁବ୍ କଷ୍ଟରେ ୩୫୦ ଟଙ୍କା ମିଳିଥାଏ। ସକାଳ ସାଢ଼େ ନଅଟାରୁ ମୁଁ କାମ ଆରମ୍ଭ କରି ଉପରବେଳା ୩ଟା ଯାଏଁ କରେ। ଏବଂ ତା’ପରେ କିଛି ସମୟର ବିଶ୍ରାମ ପରେ ପୁଣି ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୯ଟା ଯାଏଁ କାମ ଚାଲେ,” କହନ୍ତି ଅଭିଷେକ।


ବାମ: ଏକ ପଲିସ୍ କରାଯାଇଥିବା ଶଙ୍ଖ। ଡାହାଣ: ଖୋଦେଇ କାମ ହୋଇଥିବା ଶଙ୍ଖ ଚୂଡ଼ି
୩୨ ବର୍ଷୀୟ ସଜଲ୍ ଗତ ୧୨ ବର୍ଷ ଧରି ଶଙ୍ଖ ଗ୍ରାଇଣ୍ଡିଂ ଏବଂ ପଲିସିଂ କାମ କରୁଛନ୍ତି। ସେ କହନ୍ତି, “ମୁଁ ପ୍ରଥମେ କାମ ଆରମ୍ଭ କରିବାବେଳେ ଚୂଡ଼ି ହଳ ପିଛା ଅଢ଼େଇ ଟଙ୍କା ପାଉଥିଲି। ଏଇନେ ଚାରି ଟଙ୍କା ମିଳୁଛି।” ସେ ଶାମୁକାର ଫିନିଶିଂ କାମ କରନ୍ତି। ଚୂଡ଼ିରେ କଣା ଏବଂ ଫଟା ଥିଲେ ସେ ଅଠା ଏବଂ ଜିଙ୍କ୍ ଅକ୍ସାଇଡର ମିଶ୍ରଣରେ ଏକ ପେଷ୍ଟ ତିଆରି କରି ତାକୁ ଭରନ୍ତି। ସଜଲ୍ କହନ୍ତି ଯେ ସେ ଦିନକୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି।
“ଆମେ ତିଆରି କରୁଥିବା ଶଙ୍ଖ ଏବଂ ଚୂଡ଼ି ଆସାମ, ତ୍ରିପୁରା, କନ୍ୟାକୁମାରୀ ଏବଂ ବାଂଲାଦେଶକୁ ପଠାଯାଏ। ଉତ୍ତରପ୍ରଦେଶରୁ ହୋଲସେଲରମାନେ ମଧ୍ୟ ଶଙ୍ଖ ସାମଗ୍ରୀ କିଣିବା ପାଇଁ ଏଠାକୁ ଆସନ୍ତି,” କହନ୍ତି ସୁଶାନ୍ତ ଧର୍। ୪୨ ବର୍ଷୀୟ ଏହି କାରୀଗର କହନ୍ତି ଯେ ସେ ଶଙ୍ଖ ଉପରେ ଫୁଲ, ପତ୍ର, ଦେବୀ ଦେବତା ଏବଂ ଅନ୍ୟ ଡିଜାଇନ୍ କରନ୍ତି। “ଆମର ମାସକୁ ପ୍ରାୟ ୫୦୦୦ରୁ ୬୦୦୦ ଟଙ୍କା ରୋଜଗାର ହେଉଛି। ବଜାରର ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି ଏବଂ ସାମଗ୍ରୀ ସବୁର ଦର ବଢ଼ି ଚାଲିଛି। ବର୍ଷା ଦିନେ ଆମ କାରବାର ପୂରା ମାନ୍ଦା ହୋଇଯାଏ କାରଣ ହୋଲସେଲ୍ ଗ୍ରାହକମାନେ ସେତେବେଳେ ଜିନିଷ କିଣିବାକୁ ଆସନ୍ତି ନାହିଁ।”
“ଯଦି ମୁଁ ଦିନକୁ ୫୦ ହଳ ଚୂଡ଼ି ତିଆରି କରିବି, ମୋତେ ୫୦୦ ଟଙ୍କା ମଜୁରୀ ମିଳିବ। କିନ୍ତୁ ଏହା ଗୋଟିଏ ଦିନରେ ୫୦ ହଳ ଶଙ୍ଖ ଚୂଡ଼ିରେ ଖୋଦେଇ କରିବା ପାଖାପାଖି ଅସମ୍ଭବ,” ସାନୁ କହନ୍ତି।
ବଜାର କାରବାର ହ୍ରାସ ପାଇବା, ଆର୍ଥିକ ଅନିଶ୍ଚିତତା ଏବଂ ସରକାରୀ ସହାୟତାର ଅଭାବ ଯୋଗୁଁ ସେ ଏବଂ ଶଙ୍ଖବଣିକ କଲୋନୀର ଅନ୍ୟ କାରୀଗରମାନେ ବ୍ୟବସାୟର ଭବିଷ୍ୟତକୁ ନେଇ ଆଶାବାଦୀ ନୁହଁନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍