"ଯଦି ସମୁଦ୍ରର ରାଜା ଡଲଫିନ୍ ହୁଏ, ଆମର ରାଜା, ଆମ କେଉଟ ସମୁଦାୟର ରାଜା ହେଉଛି ଅଏଲ୍ ସାର୍ଡିନ୍।”
ବାବୁ (ଛଦ୍ମ ନାମ) ହେଉଛନ୍ତି କେରଳର ଭାଡ଼ାକାରା ସହରର ଚୋମ୍ୱାଲ୍ ମାଛଧରା ବନ୍ଦରରେ ମାଛ ବୋଝେଇ କରୁଥିବା ଜଣେ ଶ୍ରମିକ। ସେ ଗତ କିଛି ଦଶନ୍ଧି ଧରି ଅଏଲ୍ ସାର୍ଡିନ୍ ମାଛ ଜାହାଜରୁ ଖାଲି କରୁଛନ୍ତି ଏବଂ ଡଙ୍ଗାରେ ବୋଝେଇ କରୁଛନ୍ତି।
ବାବୁ ବନ୍ଦରରେ ସକାଳ ପ୍ରାୟ ୭ଟାରେ ପହଞ୍ଚନ୍ତି ଏବଂ ଏହି କାମ ପାଇଁ ସେ ଅଲଗା କରି ରଖିଥିବା ପୋଷାକ –ଗୋଟିଏ ନୀଳ ଲୁଙ୍ଗି, ଗୋଟିଏ ଟି-ସାର୍ଟ ଏବଂ ଚପଲ୍ ପିନ୍ଧନ୍ତି। ୪୯ ବର୍ଷୀୟ ମାଛ ବୋଝାଳୀ ତା’ପରେ ଆଣ୍ଠୁ ଉଚ୍ଚା କାଦୁଅ ପାଣିରେ ସମୁଦ୍ର ଭିତରକୁ ଯାଆନ୍ତି। “ଆମେ ସମସ୍ତେ (ଲୋଡର୍) ଏହି କାମ ପାଇଁ ଅଲଗା ଚପଲ ଏବଂ ପୋଷାକ ରଖୁ କାରଣ ପାଣି ଗନ୍ଧ ହୁଏ,’’ ସେ କହନ୍ତି। ବନ୍ଦରର କୋଳାହଳ ଥମି ଆସିଲେ ସେ ବିଳମ୍ୱିତ ରାତିରେ ଘରକୁ ଫେରିବେ।
ଡିସେମ୍ବର ମାସର ଏକ ଶୀତୁଆ ଦିନରେ ଏହି ସାମ୍ବାଦିକ, ବାବୁ କର୍ମଚଞ୍ଚଳ ବନ୍ଦରକୁ ଆସିବା ସମୟରେ ତାଙ୍କ ସହିତ କଥା ହୋଇଥିଲା। ବହୁ ସଂଖ୍ୟାରେ ଧଳା ବଗ, କିଛି ମାଛ ଚୋରାଇବା ଆଶାରେ ଡଙ୍ଗାରେ ଥିବା ବାଉଁଶ ଝୁଡ଼ି ଚାରିପଟେ ଡେଇଁ ଡେଇଁ ଉଙ୍କି ମାରୁଥିଲେ। ସମୁଦ୍ରକୂଳରେ ବାଲି ଉପରେ ମାଛ ଭର୍ତ୍ତି ଜାଲ ରଖାଯାଇଥିଲା। ମାଛ ମୂଲଚାଲ କରୁଥିବା ଲୋକଙ୍କ କୋଳାହଳରେ ପୂରି ଉଠୁଥିଲା ବନ୍ଦର ପରିବେଶ।


ବାବୁ ଚୋମ୍ୱଲ୍ ମାଛଧରା ବନ୍ଦରରେ ଜଣେ ମାଛ ଲୋଡର୍ ଭାବରେ କାମ କରନ୍ତି। ତାଙ୍କ କହିବା ଅନୁଯାୟୀ ପ୍ରାୟ ୨୦୦ ନାବିକ, ଏଜେଣ୍ଟ ଏବଂ ଲୋଡର୍ ଏଠାରେ କାମ କରନ୍ତି। 'ଯଦି ସମୁଦ୍ରର ରାଜା ଡଲଫିନ୍ ହୁଏ ତେବେ ଆମର ରାଜା, କେଉଟମାନଙ୍କର ରାଜା ହେଉଛି ଅଏଲ୍ ସାର୍ଡିନ୍'
ଛୋଟ ବଡ଼ ସବୁ ଆକାରର ଡଙ୍ଗା ବ୍ୟସ୍ତବହୁଳ ବନ୍ଦରର ଭିତରକୁ ଏବଂ ବାହାରକୁ ଯିବା ଆସିବା କରୁଛନ୍ତି। ଯୁଆଡ଼େ ଆଖି ବୁଲାଇଲେ ସେଠି ଗ୍ରାହକ, ନାବିକ, ଏଜେଣ୍ଟ ଏବଂ ଡଙ୍ଗାରୁ ମାଛ ଖାଲି କରି ବନ୍ଦରକୁ ଆଣି ଅପେକ୍ଷାରତ ଟେମ୍ପୋଗୁଡ଼ିକରେ ବୋଝେଇ କରୁଥିବା ବାବୁଙ୍କ ଭଳି ଲୋଡର୍ମାନଙ୍କ ଗହଳି ଜମିଛି। ତାଙ୍କ ହିସାବରେ ପ୍ରାୟ ୨୦୦ ଲୋକ ଏଠି କାମ କରୁଛନ୍ତି।
ପ୍ରତିଦିନ ବାବୁ ପ୍ରଥମେ ସକାଳେ ବନ୍ଦରରେ ପହଞ୍ଚିବା ପରେ ଏକ ଡେଙ୍ଗା ଭାରତୀୟ ଆଲମଣ୍ଡ ଗଛ ଛାଇରେ କମଳା ରଙ୍ଗର ଏକ ପ୍ଲାଷ୍ଟିକ୍ ଝୁଡ଼ି, ପାଣି ବୋତଲ, ଚପଲ ଏବଂ ପ୍ଲାଷ୍ଟିକ୍ ସିଟ୍ରେ ଗୁଡ଼ା ହୋଇଥିବା କପଡ଼ା କିମ୍ୱା ଦଉଡ଼ିରେ ତିଆରି ତାଙ୍କର ଚୁମୁଳାକୁ ରଖନ୍ତି। ମାଛ ଝୁଡ଼ି ଏବଂ ତାଙ୍କ ମୁଣ୍ଡ ମଝିରେ ସେ ଚୁମୁଳାଟିକୁ କୁସନ୍ ଭାବରେ ରଖନ୍ତି ଯାହା ଦ୍ୱାରା ସେ ବିନା ହଲଚଲ୍ରେ ମାଛ ଭାର ବୋହି ପାରିବେ।
ଆଜି ବାବୁ ବନ୍ଦରର ସବୁଠାରୁ ଛୋଟ ଏକ ଚାରି ଜଣିଆ ଆଉଟବୋର୍ଡ ଇଂଜିନ ବୋଟ୍ରୁ ମାଛ ସଂଗ୍ରହ କରୁଛନ୍ତି। ସେ କେବଳ ନନ୍-ଟ୍ରଲର୍ ବୋଟ୍ରେ କାମ କରନ୍ତି, କାରଣ କମର୍ସିଆଲ୍ ଟ୍ରଲର୍ଗୁଡ଼ିକ ସାଧାରଣତଃ ଇନ୍-ହାଉସ୍ ଲୋଡର୍ମାନଙ୍କୁ ନିଯୁକ୍ତ କରିଥାନ୍ତି। “ଏହି ମାଛଧରାଳିମାନେ ସମୁଦ୍ରକୁ ଏକ ସପ୍ତାହ କିମ୍ବା ତାଠୁ ଅଧିକ ଦିନ ପାଇଁ ବଡ଼ ବୋଟ୍ରେ ଯାଆନ୍ତି। ସେହି ବୋଟ୍ କୂଳକୁ ଆସିପାରେ ନାହିଁ। ତେଣୁ ଦୂରରେ ଆଙ୍କର ପକାଇ ରହିଥାଏ। ମାଛଧରାଳିମାନେ ଏହି ଛୋଟ ଛୋଟ ଡଙ୍ଗାରେ ଆମ ପାଖକୁ ମାଛ ଆଣିଥାନ୍ତି।”
ବାବୁ ଏକ ଛୋଟ ଜାଲ ମାଲ୍ ସାହାଯ୍ୟରେ ମାଛ କାଢ଼ି ତାଙ୍କର ବାସ୍କେଟରେ ରଖିଲେ। ଆମେ ବନ୍ଦର ଆଡ଼କୁ ଯିବା ସମୟରେ ଛୋଟ ଛୋଟ କଣା ଦେଇ ପାଣି ବାହାରି ଯାଉଥାଏ। “ଏହି ମାସରେ [ଡିସେମ୍ୱର ୨୦୨୨]ରେ ଆମେ ବହୁତ ପରିମାଣରେ ସାର୍ଡିନ୍ ଧରିଥିଲୁ,” ବାବୁ କହନ୍ତି। ଗୋଟିଏ ବାସ୍କେଟ ମାଛ ବୋହିବା ପାଇଁ ତାଙ୍କୁ ୪୦ ଟଙ୍କା ମିଳେ। ବୋଟ୍ ମାଲିକ କିମ୍ୱା ମାଛ କିଣି ସ୍ଥାନୀୟ ବଜାରରେ ପୁଣି ଥରେ ବିକ୍ରି କରୁଥିବା ଏଜେଣ୍ଟ ତାଙ୍କୁ ଏହି ପାରିଶ୍ରମିକ ଦେଇଥାନ୍ତି।


ବାବୁ ଗତ କିଛି ଦଶନ୍ଧି ଧରି ନନ୍-ଟ୍ରଲର୍ ବୋଟ୍ଗୁଡ଼ିକରୁ ଅଏଲ୍ ସାର୍ଡିନ୍ ମାଛ (ଡାହାଣ) ଜାହାଜରୁ ଖାଲି କରୁଛନ୍ତି ଏବଂ ଡଙ୍ଗାରେ ବୋଝେଇ କରୁଛନ୍ତି
“ଆମେ ଦିନକୁ କେତେ ବାସ୍କେଟ୍ ମାଛ ବୋହୁ ତାହା କହିବା କଷ୍ଟକର କାରଣ ଏହା କେତେ ମାଛ ଧରା ପଡ଼ିବେ ତା’ ଉପରେ ନିର୍ଭର କରେ,” ବାବୁ କହନ୍ତି। “ଏମିତି ବି ଦିନ ଥାଏ ଯେତେବେଳେ ମୁଁ ଦିନକୁ ୨୦୦୦ ଟଙ୍କା ରୋଜଗାର କରେ। ହେଲେ ବେଶୀ ଅଏଲ୍ ସାର୍ଡିନ୍ ମାଛ ଜାଲରେ ପଡ଼ିବା ଦିନ ହିଁ ମୋତେ ସେତିକି ଟଙ୍କା ମିଳେ।”
*****
ବାବୁ କିଶୋର ବୟସରୁ ମାଛଧରା କାମ ଆରମ୍ଭ କରିଛନ୍ତି। ସେ ପ୍ରଥମେ ଜଣେ ମାଛଧରାଳି ଥିଲେ ଏବଂ ପରେ ବନ୍ଦରରେ ମାଛ ବୋଝେଇ କରିବା କାମ କରୁଛନ୍ତି। କୋଝିକୋଡ୍ ଜିଲ୍ଲାରେ ଆରବ ସାଗରରୁ ବୋଟ୍ ଫେରିବା ପରେ ତାଙ୍କ ଦିନ ମଜୁରି କାମ ଆରମ୍ଭ ହୁଏ।
ଗତ ଦଶନ୍ଧିରେ, ଅଏଲ୍ ସାର୍ଡିନ୍ ମାଛ ଧରା ପଡ଼ିବାର ପରିମାଣରେ ଅନିଶ୍ଚିତତା ଲକ୍ଷ୍ୟ କରିଥିଲେ।
“ଅଳ୍ପ ମାଛ ଧରା ପଡ଼ିଥିଲେ, ଆମେ ନିଜ ନିଜ ଭିତରେ ମାଛ ବୋଝେଇ କାମ ବାଣ୍ଟିବା ପାଇଁ ଚେଷ୍ଟା କରୁ। ଅଧିକ ସଂଖ୍ୟାରେ ଖାଲି ବୋଟ୍ ବନ୍ଦରକୁ ଆସିବା ସମୟରେ ସମସ୍ତେ ଯେମିତି ଅଳ୍ପ କିଛି କାମ ପାଇବେ ଆମେ ସେଥି ପ୍ରତି ଧ୍ୟାନ ଦେଇଥାଉ।”


ଲୋଡର୍ମାନେ ମାଛ ବୋଝେଇ କରିବା ଏବଂ ଖାଲି କରିବା ପାଇଁ ପ୍ଲାଷ୍ଟିକ୍ ବାସ୍କେଟ୍ ଏବଂ କପଡ଼ା କି ଦଉଡ଼ିରେ ତିଆରି ଚୁମୁଳା ବ୍ୟବହାର କରନ୍ତି


ଲୋଡର୍ମାନେ ବୋଟ୍ରୁ (ବାମ) ଖାଲି କରିବା ପରେ ମାଛ ପ୍ୟାକ୍ କରନ୍ତି ଏବଂ ସେଗୁଡ଼ିକୁ ବନ୍ଦରକୁ ଆଣନ୍ତି ଯେଉଁଠାରୁ ମାଛ ବିକ୍ରି ପାଇଁ ବଜାରକୁ ଯାଏ
ପାଞ୍ଚ ଜଣିଆ ପରିବାରର- ତାଙ୍କ ମାଆ, ସ୍ତ୍ରୀ ଏବଂ ଦୁଇ ପୁଅ- ଜଣେ ମାତ୍ର ରୋଜଗାରକ୍ଷମ ସଦସ୍ୟ ଭାବରେ ସେ କହନ୍ତି ଯେ ମାଚ ଧରା ପରିମାଣରେ ଅନିଶ୍ଚିତତା ଯୋଗୁଁ ବନ୍ଦରରେ କାମ କରୁଥିବା ଦିନ ମଜୁରିଆମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କୋଚିରେ ଅବସ୍ଥିତ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟପାଳନ ଗବେଷଣା ପ୍ରତିଷ୍ଠାନ (ସିଏମ୍ଏଫ୍ଆରଆଇ) ଦ୍ୱାରା ପ୍ରକାଶିତ ମେରାଇନ୍ ଫିସ୍ ଲ୍ୟାଣ୍ଡିଂସ୍ ଇନ୍ ଇଣ୍ଡିଆ ୨୦୨୧ ଅନୁଯାୟୀ ୨୦୨୧ରେ, କେରଳରେ ୩, ୨୯୭ ଟନ୍ ଅଏଲ୍ ସାର୍ଡିନ୍ ମାଛ ଧରା ଯାଇଥିଲା, ଯାହା କି ୧୯୯୫ଠାରୁ ଧରା ଯାଇଥିବା ମାଛର ପରିମାଣ ତୁଳନାରେ ସବୁଠାରୁ କମ୍ ଥିଲା। “ଗତ ଦଶ ବର୍ଷ ହେଲା ଆମେ ଦେଖୁଛୁ ଯେ ଅଏଲ୍ ସାର୍ଡିନ୍ ମାଛ କମ୍ ଧରା ପଡ଼ୁଛନ୍ତି। ବୋଧହୁଏ ଏହି ପ୍ରଜାତିର ମାଛ କେରଳ ଉପକୂଳରୁ ଦୂରକୁ ଚାଲି ଯାଉଛନ୍ତି,” କହନ୍ତି ସିଏମ୍ଏଫ୍ଆରଆଇ, କୋଚିର ଜଣେ ବୈଜ୍ଞାନିକ। ସେ ତାଙ୍କର ନାମ ପ୍ରକାଶ କରିବା ପାଇଁ ଚାହୁଁ ନାହାଁନ୍ତି। ଜଳବାୟୁ ପରିବର୍ତ୍ତନ, ଅଏଲ୍ ସାର୍ଡିନ୍ ମାଛଙ୍କର ଚକ୍ରୀୟ ଅଭିବୃଦ୍ଧି, ଲା ନିନୋ ପ୍ରଭାବ ଏବଂ ଜେଲି ଫିସ୍ମାନଙ୍କର ବର୍ଦ୍ଧିତ ଉପସ୍ଥିତି ମାଛଧରା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି।
ମତ୍ସ୍ୟପାଳନ ପରିସଂଖ୍ୟାନ ହସ୍ତପୁସ୍ତିକା ୨୦୨୦ ର ତଥ୍ୟ ଅନୁଯାୟୀ ପଶ୍ଚିମ ଉପକୂଳରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସର୍ବୋଚ୍ଚ ପରିମାଣର ୦.୪୫ ଲକ୍ଷ ଟନ୍ ଇଣ୍ଡିଆନ୍ ଅଏଲ୍ ସାର୍ଡିନ୍ କେରଳ ଉପକୂଳକୁ ଆସିଥିଲେ।
ଅଏଲ୍ ସାର୍ଡିନ୍ କେରଳରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ପୋଷକତତ୍ତ୍ୱରେ ଭରପୂର ଶସ୍ତା ମାଛ। ସେ କହନ୍ତି ଯେ ଆଗରୁ ଏହି ମାଛକୁ ଧରି ଶୁଖା ଯାଉଥିଲା। ତା’ପରେ ଖାଇବା ପାଇଁ ବ୍ୟବହାର ହେଉଥିଲା। ଏବେ କୁକୁଡ଼ା ଖାଦ୍ୟ ଏବଂ ମାଛ ତେଲ ପ୍ରସ୍ତୁତ କରିବା ପାଇଁ ମାଙ୍ଗାଲୋର ଏବଂ ତାର ଆଖପାଖ ସ୍ଥାନରେ ଥିବା ପ୍ରୋସେସିଂ ମିଲ୍କୁ ବହୁ ପରିମାଣର ମାଛ ପଠାଯାଉଛି। “ଏଠି ଅନ୍ୟ ମାଛ ତୁଳନାରେ ଅଏଲ୍ ସାର୍ଡିନ୍ ହିଁ ଅଧିକ ପରିମାଣରେ ଧରା ପଡ଼ୁଛନ୍ତି। ତେଣୁ ଆମେ ଅଧିକରୁ ଅଧିକ ବାସ୍କେଟ ଭର୍ତ୍ତି କରି ପାରୁଛୁ।”
ଅନୁବାଦ: ଓଡ଼ିଶାଲାଇଭ୍