ଏଇଟି ଉଜ୍ଜ୍ୱଳ ଲାଲ ରଙ୍ଗରେ ରଙ୍ଗେଇ ଦିଆଯାଇଛି ଏବଂ ନାଁ ଲେଖା ହୋଇଛି : କେଏଫସି।
କିନ୍ତୁ ଏଠାରେ ଯିଏ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ନାଁ ଦିବଙ୍ଗତ କଲୋନେଲ ସାଣ୍ଡର୍ସ ନୁହେଁ ଯିଏକି ମୂଳ କେଏଫସିର ପ୍ରତିଷ୍ଠାତା। ମୂଳ କେଏଫସିରେ ‘କେ’ ଅକ୍ଷରର ଅର୍ଥ ଥିଲା ‘କେଣ୍ଟୁକୀ’। ଅନ୍ୟପଟେ ଏଠାରେ କୁଲାମୋରାର ୩୨ ବର୍ଷ ବୟସ୍କ ବିମନ ଦାସ ଗୋଟିଏ ମହଲା ବିଶିଷ୍ଟ ଏକ ରେସ୍ତୋରାଁ ଚଳାଉଛନ୍ତି।
ଆସାମର ମାଜୁଲି ନଦୀ ଦ୍ୱୀପରେ ଥିବା ଏହି ଛୋଟିଆ ଗାଁର ନାଁ ହେଉଛି ନତୂନ କୁଲାମୋରା ଚାପୋରୀ। କୁଲାମୋରାରେ ମୁଖ୍ୟତଃ ଚାଷୀ ଏବଂ କୃଷି ଶ୍ରମିକମାନେ ବସବାସ କରନ୍ତି। କେବଳ ଏଠାକାର ୪୮୦ ଜଣ ବାସିନ୍ଦା (୨୦୧୧ ଜନଗଣନା ଅନୁଯାୟୀ) ନୁହନ୍ତି, ବରଂ ଏହି ଦ୍ୱୀପ କୁ ଆସୁଥିବା ଆଗନ୍ତୁକମାନେ ଶୀଘ୍ର ଭୋଜନ ପାଇଁ କେଏଫସି ସନ୍ଧାନ କରିଥାନ୍ତି । ସବୁ ଯାତ୍ରା ଗାଇଡ୍ ମାନେ ଏହାକୁ ଉଚ୍ଚ ମାନ୍ୟତା ଦେଇଛନ୍ତି ।
୨୦୨୨ ମେ ମାସର ଗରମ ଅପରାହ୍ଣରେ ରାତ୍ରୀ ଭୋଜନ ପାଇଁ ନିଜର ରେସ୍ତୋରାଁ ଖୋଲିବା ସମୟରେ ବିମନ କହିଥାନ୍ତି, ‘‘ମୁଁ ୨୦୧୭ରେ କେଏଫସି ଆରମ୍ଭ କରିଥିଲି, ଏହାକୁ ଏକ ଠେଲା ଗାଡ଼ିରେ ଚଲାଉଥିଲି। କାନ୍ଥଗୁଡ଼ିକ ଭିତରୁ ଏବଂ ବାହାରୁ ଉଜ୍ଜ୍ୱଳ ଲାଲ ରଙ୍ଗରେ ରଙ୍ଗା ହୋଇଛି। ଟାଣ ଖରାରେ ଛେଳି, କଳା ହଂସ, ଗୋରୁଗାଈମାନେ ବୁଲୁଛନ୍ତି।

ନାଟୁନ୍
କୁଲାମୋରା ଛାପୋରୀରେ କେଏଫସି ରେଷ୍ଟୁରାଣ୍ଟରେ ବିମନ (ବାମ) ଏବଂ ତାଙ୍କର ପତ୍ନୀ ତଥା ବ୍ୟବସାୟିକ ସହଯୋଗୀ ଦେବଯାନୀ (ଡାହାଣ)
ବିମନ ନିଜର ଠେଲାଗାଡ଼ିରେ ଚାଓମିନ (ଭଜା ହୋଇଥିବା ନୁଡଲ୍ସ) ଏବଂ ଆଉ କିଛି ବ୍ୟଞ୍ଜନ ବିକ୍ରି କରିବା ଆରମ୍ଭ କରିଥିଲେ। ଦୁଇ ବର୍ଷ ପରେ ୨୦୧୯ରେ ସେ ୧୦ ଜଣ ବସିବା ଭଳି ଏକ ରେସ୍ତୋରାଁ ଖୋଲିଥିଲେ, ଯେଉଁଥିରେ ଫ୍ରାଇଜ୍, ବର୍ଗର, ପିଜା, ପାସ୍ତା, ମିଲ୍କଶେକ୍ ଏବଂ ଆହୁରି ବିଭିନ୍ନ ବ୍ୟଞ୍ଜନ ବିକ୍ରି ହେଲା।
କେବଳ କୁଲାମୋରାର ସ୍ଥାନୀୟ ଲୋକମାନେ ନୁହନ୍ତି, ବରଂ ସାରା ବିଶ୍ୱରୁ ଏହି ନଦୀ ଦ୍ୱୀପକୁ ବୁଲିବା ଲାଗି ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏଠାକାର କେଏଫସିକୁ ପସନ୍ଦ କରିଥାନ୍ତି। ସେମାନେ ଗୁଗଲ୍ ରିଭ୍ୟୁରେ ଏହାକୁ ୪.୩ ଷ୍ଟାର୍ ଦେଇଛନ୍ତି। ଏଠାରେ ମିଳୁଥିବା କେଏଫସିର ସ୍ୱାଦ ଓ ସତେଜତାକୁ ସମସ୍ତେ ପ୍ରଶଂସା କରିଥାନ୍ତି।
ତେଣୁ କାହିଁକି ଏହାକୁ କ୍ରୀଷ୍ଣା ଫ୍ରାଇଡ୍ ଚିକେନ କୁହାଯାଉଛି? ବିମନ ନିଜର ଫୋନ୍ ବାହାର କରି ଏକ ଫଟୋ ଦେଖାଇ ଥିଲେ ଏବଂ ସେହି ଫଟୋରେ ତାଙ୍କର ପତ୍ନୀ ଦେବଯାନୀ ଦାସ ଓ ୭-୮ ବର୍ଷର ଛୋଟ ପୁଅ ଥିଲେ। ‘‘ମୁଁ ମୋ ପୁଅ ନାଁରେ ଏହାର ନାମ ରଖିଛି,’’ ଗର୍ବିତ ପିତା ସ୍ମିତ ହସି କହିଥିଲେ। ବିମନ ଯାହା କୁହନ୍ତି, ତାଙ୍କର ଛୋଟ ପୁଅ ସବୁଦିନ ସ୍କୁଲ ସାରି କେଏଫସିକୁ ଆସିଥାଏ ଏବଂ ଏଠାରେ ଗୋଟିଏ କୋଣରେ ବସି ନିଜର ହୋମୱାର୍କ କରିଥାଏ, ଅନ୍ୟପଟେ ତା’ର ମାତାପିତା ଏହି ସମୟରେ ଭୋକିଲା ଗ୍ରାହକମାନଙ୍କୁ ଖାଇବାକୁ ଦେଉଥାନ୍ତି।
ମଧ୍ୟାହ୍ନ ଭୋଜନର ସମୟ ଥିଲା ଏବଂ ବିମନ ଫ୍ରାଇଜ୍ ସହିତ ଏକ କୁରୁକୁରା ଛଣା ହୋଇଥିବା ଚିକେନ ବର୍ଗର ଖାଇବାକୁ ପରାମର୍ଶ ଦେଲେ। ଚିକେନ (କୁକୁଡ଼ା ମାଂସ) କିଭଳି ପ୍ରସ୍ତୁତ ହୋଇଛି ତାହା ମଧ୍ୟ ସେ ଆମକୁ ଦେଖାଇ ଦେଇଥିଲେ। ‘‘ମାଜୁଲିରେ ସବୁଠୁ ପରିଷ୍କାର ରୋଷେଇ ଘର ଆମର ଏଠି ଅଛି,’’ ଏହା କହି ସେ ନିଜ ଛୋଟିଆ ରେସ୍ତୋରାଁକୁ ଦେଖାଇ ଦେଇଥିଲେ। ସେଠି ତିନୋଟି କାଉଣ୍ଟର, ଗୋଟିଏ ଫ୍ରିଜ୍, ଓଭେନ୍ ଓ ଗୋଟିଏ ଡିପ୍ ଫ୍ରାୟର ଥିଲା। କଟା ହୋଇଥିବା ପରିବା ସବୁ ସଜେଇ ରଖାଯାଇଥିଲା, କେଚଅପ୍ ଓ ଅନ୍ୟ ସସ୍ ବୋତଲଗୁଡ଼ିକ ରୋଷେଇ ଘରର ଥାକରେ ଥୁଆ ହୋଇଥିଲା।


ବିମନ
ଏକ ବର୍ଗର ପ୍ରସ୍ତୁତ କରିବା ଲାଗି ମସଲା ଗୋଳା ହୋଇଥିବା କୁକୁଡ଼ା ମାଂସ (ବାମ) ପ୍ରସ୍ତୁତ କରିବା ସହିତ ପିଆଜ କାଟୁଛନ୍ତି (ଡାହାଣ)


ଏହି କେଏଫସିର ଫ୍ରାଏଡ୍ ଚିକେନ (ବାମ) ଏବଂ ବର୍ଗର (ଡାହାଣ) ଖାଇବାକୁ କୁଲାମୋରାର ସ୍ଥାନୀୟ ଲୋକମାନେ ଏବଂ ପର୍ଯ୍ୟଟକମାନେ ବେଶ୍ ପସନ୍ଦ କରିଥାନ୍ତି
ବିମନ ଫ୍ରିଜରୁ ମସଲା ଗୋଳା ହୋଇଥିବା କୁକୁଡ଼ା ମାଂସ ବାହାର କରି ଆଣି ସେଥିରେ ଅଟା ଗୋଳାଇ ତେଲରେ ଛାଣୁଛନ୍ତି। ଫୁଟୁଥିବା ତେଲରେ ସେଗୁଡ଼ିକ ସାମାନ୍ୟ ଟାଣ ହେବା ପର୍ଯ୍ୟନ୍ତ ଛାଣି ହୋଇଯିବା ପରେ, ସେ ବନ୍ (ଗୋଲ୍ ପାଉଁରୁଟି)ଗୁଡ଼ିକୁ ଗରମ କରିବା ଆରମ୍ଭ କରୁଛନ୍ତି। ରୋଷେଇ କରିବା ସମୟରେ ସେ କହୁଛନ୍ତି : ‘‘ମୋ ମା’ ସକାଳୁ ଉଠି କାମ କରିବାକୁ ଚାଲି ଯାଉଥିଲେ, ସେଥିପାଇଁ ମୋତେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ୁଥିଲା।’’ ମାତ୍ର ୧୦ ବର୍ଷ ବୟସରେ ସେ ରୋଷେଇ କରିବା ଆରମ୍ଭ କରିଥିବା କୁହନ୍ତି। ତାଙ୍କ ମା’ ଇଲା ଦାସ, ମାଜୁଲିରେ ଜଣେ କୃଷି ଶ୍ରମିକ ଥିଲେ ଏବଂ ତାଙ୍କ ବାପା ଦିଘାଲା ଦାସ ମାଛ ବିକୁଥିଲେ।
ବିମନ କୁହନ୍ତି, ‘‘ମା’ ରୋଷେଇ କଲା ବେଳେ ମୁଁ ଦେଖୁଥିଲି ଏବଂ ତାଙ୍କ ଠାରୁ ଡାଲି, କୁକୁଡ଼ା ମାଂସ ଓ ମାଛ କେମିତି ରାନ୍ଧିବାକୁ ହେବ ଶିଖିଥିଲି। ମୋ ପଡ଼ୋଶୀ ଓ ବନ୍ଧୁମାନେ ଘରକୁ ଆସି ଖାଉଥିଲେ କାରଣ ସେମାନେ ମୋ ଖାଇବାକୁ ଉପଭୋଗ କରୁଥିଲେ। ଏହା ମୋତେ ଭଲ ରାନ୍ଧିବାକୁ ଉତ୍ସାହିତ କରିଥିଲା।’’
୧୮ ବର୍ଷ ବୟସରେ ବିମନ ଜୀବିକା ପାଇଁ ଘର ଛାଡ଼ିଥିଲେ। ପକେଟରେ ମାତ୍ର ୧,୫୦୦ ଟଙ୍କା ନେଇ ସେ ନିଜର ଜଣେ ବନ୍ଧୁଙ୍କ ସହିତ ମୁମ୍ବାଇ ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ସହାୟତାରେ ସେ ସହରର ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ସୁରକ୍ଷାକର୍ମୀ ଭାବେ କାମ ପାଇଥିଲେ, କିନ୍ତୁ ସେଠି ସେ ଅଧିକ ଦିନ ରହିପାରିଲେ ନାହିଁ। ‘‘ମୁଁ ଅଧାରୁ ଚାକିରି ଛାଡ଼ି ଚାଲିଆସିଛି। ସେ କାମ କରିବାକୁ ମୋତେ ଖରାପ ଲାଗୁଥିଲା । ତେଣୁ ମୋତେ ସେହି ଚାକିରି ଦେଇଥିବା ସମ୍ପର୍କୀୟଙ୍କୁ ମୁଁ ଚିଠି ଲେଖି ଜଣାଇଲି ଯେ, ‘ଦୟାକରି ମୋତେ ନ୍ୟୁନ କରି ଦେଖନ୍ତୁ ନାହିଁ। ମୋତେ ଏହି କାମ ଭଲ ଲାଗୁନଥିବାରୁ ମୁଁ ଏହି ଚାକିରି ଛାଡ଼ିବା ଜରୁରି ହୋଇପଡ଼ିଛି। ମୋତେ ଏ କାମରେ ସନ୍ତୋଷ ମିଳୁନାହିଁ’।’’
ଏହାପରେ ସେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁରେ କିଛି କିଛି ସମୟ ପାଇଁ କାମ କରିଥିଲେ ସେଠାରେ ସେ ପଞ୍ଜାବୀ, ଗୁଜରାଟୀ, ଇଣ୍ଡୋ-ଚାଇନିଜ୍ ଏବଂ ଏପରିକି କଣ୍ଟିନେଣ୍ଟାଲ ଶୈଳୀର ରୋଷେଇ ଶିଖିଥିଲେ। ପ୍ରଥମେ ସେ ବାହାରୁ ଥାଇ ସବୁ କାମ ଦେଖିଥିଲେ। ‘‘ଆରମ୍ଭରେ ମୁଁ ପ୍ଲେଟ୍ ସଫା କରୁଥିଲି ଏବଂ ଟେବୁଲ ସଜେଇ ରଖୁଥିଲି,’’ ସେ କୁହନ୍ତି। ୨୦୧୦ରେ, ବିମନ ହାଇଦ୍ରାବାଦରେ ଏଟିକୋ ନାମକ ଏକ ଫୁଡ୍ କୋର୍ଟରେ କାମ କରିବାର ସୁଯୋଗ ପାଇଲେ; ତାଙ୍କୁ ଉଚ୍ଚ ପଦବୀ ମିଳିଲା ଓ ସେ ଏଠାରେ ମ୍ୟାନେଜର ଭାବେ କାମ କରିବା ଆରମ୍ଭ କଲେ।


ବିମନ କହନ୍ତି
‘ମାଜୁଲିରେ ସବୁଠୁ ପରିଷ୍କାର ରୋଷେଇ ଘର ପାଇଁ ମୋର ସୁନାମ ଅଛି’ । ଡାହାଣ: ତାଙ୍କର ସାନ ସମ୍ପର୍କୀୟ
ଯେ କି ପ୍ରାୟ ସମୟରେ ଆସି ରୋଷେଇରେ ସାହାଯ୍ୟ କରନ୍ତି
ଇତିମଧ୍ୟରେ ସେ ଦେବଯାନୀଙ୍କ ପ୍ରେମରେ ପଡ଼ିଲେ ଏବଂ ତାଙ୍କୁ ବାହା ହୋଇଥିଲେ। ଏବେ କେଏଫସିରେ ଦେବଯାନୀ ତାଙ୍କର ବ୍ୟବସାୟିକ ସହଯୋଗୀ। ବିମନଙ୍କର ସାନ ସମ୍ପର୍କୀୟ ଭଉଣୀ ଶିବାନୀ ଏବଂ ଭଉଣୀ ଯାହାଙ୍କ ନାମ ମଧ୍ୟ ଦେବଯାନୀ ସେମାନେ ମଧ୍ୟ ଆସି ଏ ଭୋଜନାଳୟରେ ସହାୟତା କରିଥାନ୍ତି।
ହାଇଦ୍ରାବାଦରେ କାମ କରିବା ପରେ ବିମନ ମାଜୁଲି ଫେରି ଆସିବାକୁ ନିଷ୍ପତ୍ତି ନେଲେ ଏବଂ ପ୍ରାରମ୍ଭରେ ଆସାମର ଶିବସାଗର ଜିଲ୍ଲାରେ ଥିବା ଦେମୋ ବ୍ଲକର ଏକ ରେସ୍ତୋରାଁରେ କାମ କରିଥିଲେ। ଏହି ସମୟରେ ନିଜର ଏକ ରେସ୍ତୋରାଁ ଖୋଲିବା ଲାଗି ରହିଥିବା ତାଙ୍କର ସ୍ୱପ୍ନକୁ ସେ ସାକାର ରୂପ ଦେବାକୁ ସେ ପ୍ରୟାସ କରିଥିଲେ। ସେ ଏପରି କରିବାରେ ସକ୍ଷମ ହୋଇଥିଲେ - ଆଜି ସେ ଇଟା ଓ ପଥରରେ ତିଆରି ଏକ ରେସ୍ତୋରାଁ ଚଳାଇ ପାରୁଛନ୍ତି। ‘‘ମୁଁ ରୋଷେଇ ଘର ତିଆରି କରିଛି (ରେସ୍ତୋରାଁ ପଛପଟେ) କିନ୍ତୁ ବସିବା ସ୍ଥାନକୁ ମାସିକ ୨,୫୦୦ ଟଙ୍କା ଭଡ଼ାରେ ନେଇଛି,’’ ବିମନ କୁହନ୍ତି।
ମୁଁ ତାଙ୍କର କାହାଣୀ ଶୁଣିବା ସମୟରେ ୧୨୦ ଟଙ୍କା ଦେଲି ଏବଂ ଚମତ୍କାର ବର୍ଗର ଓ ଫ୍ରାଇଜ୍ ଖାଇବାର ମଜା ନେଲି। ସେ କୁହନ୍ତି, ଗ୍ରାହକଙ୍କ ମନପସନ୍ଦର ଅନ୍ୟ ବ୍ୟଞ୍ଜନ ମଧ୍ୟରେ ରହିଛି ତାଙ୍କର ପିଜ୍ଜା ଯାହାର ଦାମ ୨୭୦ ଟଙ୍କା। ସେ ଭଲ ଲେମ୍ବୁ ପାଣି ସରବତ, ମିଲ୍କ ଶେକ୍ ଓ ପନିପରିବାରେ ପ୍ରସ୍ତୁତ ରୋଲ୍ସ ମଧ୍ୟ ଗ୍ରାହକଙ୍କୁ ପରଷି ଦେଉଥିବା ରିଭ୍ୟୁରେ ଉଲ୍ଲେଖ କରାଯାଇଛି।
କୁଲମୋରାଠାରୁ ୧୦ କିଲୋମିଟର ଦୂର ସେନସେୱାରେ ବିମନ ଓ ତାଙ୍କ ପରିବାର ରୁହନ୍ତି। ସେ ସବୁଦିନ ନିଜର ସୁଇଫ୍ଟ ଡିଜାୟାର କାର ନେଇ ନିଜର ରେସ୍ତୋରାଁକୁ ଆସନ୍ତି। ‘‘ସକାଳ ୯ଟାରୁ ମୋର କାମ ଆରମ୍ଭ ହୋଇଯାଏ। ପ୍ରଥମେ ମୁଁ ପନିପରିବା ଓ କୁକୁଡ଼ା ମାଂସ କାଟିବା ସହିତ ସେଗୁଡ଼ିକୁ ପ୍ରସ୍ତୁତ କରିଥାଏ,’’ ବିମନ କହିଥାନ୍ତି।


ବିମନ
ଙ୍କ ସମ୍ପର୍କୀୟ ଭଉଣୀ ନିକିତା ଚାଟ୍ଟାର୍ଜୀଙ୍କୁ ତାଙ୍କର ବର୍ଗର୍
ଦେଉଛନ୍ତି (ବାମ), ଡାହାଣ: କେଏଫସି ହେଉଛି ମଜୁଲି
ଦ୍ୱୀପର କୁଲାମୋରାର ଅନ୍ୟତମ ଆକର୍ଷଣ
ଦିନ ଭଲ ଥିଲେ, ସେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି। ବିଶେଷ କରି ପର୍ଯ୍ୟଟନ ଋତୁ ଅକ୍ଟୋବର-ଡିସେମ୍ବର ମାସରେ ଏପରି ହୋଇଥାଏ। ଅନ୍ୟ ଦିନରେ ସେ ପାଖାପାଖି ୫,୦୦୦ ଟଙ୍କା ଆୟ କରୁଥିବା କୁହନ୍ତି।
ଠିକ୍ ଏହି ସମୟରେ, ନିୟମିତ ଗ୍ରାହକ ନିକିତା ଚାଟ୍ଟାର୍ଜୀ ଚାଲି ଚାଲି ସେ ସ୍ଥାନକୁ ଆସନ୍ତି ଓ ନିଜ ଖାଇବା ଅର୍ଡର ଦିଅନ୍ତି। ସମାଜସେବୀ ନିକିତା ଗୋଟିଏ ବର୍ଷରୁ କମ୍ ସମୟ ହେବ ମୁମ୍ବାଇରୁ ମାଜୁଲିକୁ ଆସିଛନ୍ତି। ସେ କୁହନ୍ତି, ‘‘କେଏଫସି ଏକ ଜୀବନରକ୍ଷକ ଭାବେ କାମ କରିଥାଏ। ପ୍ରଥମେ ମୁଁ ଯେତେବେଳେ କ୍ରିଷ୍ଣା ଫ୍ରାଏଡ୍ ଚିକେନ୍ ବିଷୟରେ ଶୁଣିଥିଲେ, ଲୋକମାନେ କହିଥିଲେ ଯେ ମାଜୁଲିର ମାନକୁ ଦେଖିଲେ ଏହା ଖୁବ୍ ଭଲ। କିନ୍ତୁ ମୁଁ ଯେତେବେଳେ ଏଠାରେ ଆସି ଖାଇଲି, ଏଠାକାର ଖାଦ୍ୟର ମାନ ଅନ୍ୟ ଯେକୌଣସି ଭଲ ସ୍ଥାନ ସହିତ ତୁଳନୀୟ।’’
ବିମନଙ୍କ ଆଡ଼କୁ ଚାହିଁ ନିକିତା ଆହୁରି କୁହନ୍ତି, ‘‘ଯଦିଓ ମୋର କିଛି ଆପତ୍ତି ରହିଛି। ଦୁଇ ଦିନ ପାଇଁ ତୁମେ କାହିଁକି ବନ୍ଦ ରଖିଥିଲ?’’ ଆସାମରେ ଏକ ବଡ଼ ପର୍ବ ଭାବେ ପାଳିତ ହେଉଥିବା ବିହୁ ସମୟରେ ସାରା ଦ୍ୱୀପାଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିଲା।
ବିମନ ମଜାରେ ପଚାରିଥିଲେ, ‘‘ତୁମେ କ’ଣ ଗଲା ଦୁଇ ଦିନ ହେବ କିଛି ଖାଇନାହଁ?’’
ଯଦି ଆପଣ କେବେ ନତୁନ କୁଲାମୋରା ଚାପୋରି ଗାଁକୁ ବୁଲିବାକୁ ଯାଆନ୍ତି, ତା’ହେଲେ ନିଶ୍ଚିତ ଭାବେ କ୍ରିଷ୍ଣା ଫ୍ରାଏଡ ଚିକେନକୁ ଯିବେ। ଏଠି ଖାଇଲେ ‘ଆଙ୍ଗୁଳି ଚାଟିବା’ ଭଳି ସ୍ୱାଦ ମିଳିଥାଏ।
ଅନୁବାଦ : ଓଡ଼ିଶାଲାଇଭ୍