ରାସ୍ତାରେ ଚାରିଦିନ ଧରି ରହଣି ତଥା ୭୫୦ କି.ମି ପଥ ଅତିକ୍ରାନ୍ତ କରିବା ପରେ ଟେମ୍ପୋ ଏବଂ ଜୀପର କାଫିଲାଗୁଡିକ ରାଜସ୍ଥାନର କୋଟାର ଏକ ଗୁରୁଦ୍ୱାରରେ ମଧ୍ୟାହ୍ନ ଭୋଜନ ପାଇଁ ଅଟକିଲା। ୨୪ ଡ଼ିସେମ୍ବରର ଶୀତୁଆ ମଧ୍ୟାହ୍ନରେ ମହାରାଷ୍ଟ୍ରରୁ - କୃଷକ ଏବଂ କୃଷି ଶ୍ରମିକମାନେ ରାତିସାରା ଯାତ୍ରା କରି ଥକି ଯାଇଛନ୍ତି କିନ୍ତୁ ଗୁରୁଦ୍ୱାରର ସାର୍ବଜନୀନ ରୋଷଶାଳାରେ ନିଜର ଭୋଜନ ପାଇଁ ଅପେକ୍ଷା କରିଥିବା ବେଳେ ସବିତା ଗୁଞ୍ଜଲଙ୍କ ଗୀତ ସେମାନଙ୍କ ଉତ୍ସହାକୁ ଶିଖରରେ ରଖିଛି - କାମଗର ଚ୍ୟା କସ୍ତାନା ନତାବଲା ଜଗାଲା, ଜୀବନ ନାହିଁ ଜୋତାଲା, କପଡ଼ା ନାହିଁ ନେସୟାଲା ( 'ଶ୍ରମିକମାନଙ୍କର ଶ୍ରମ ଜଗତକୁ ସୁନ୍ଦର କରିଥାଏ, କିନ୍ତୁ ସେମାନଙ୍କର ଖାଇବାକୁ ରୁଟି ନାହିଁ କିମ୍ବା ପିନ୍ଧିବାକୁ ପୋଷାକ ନାହିଁ )
ଗାଢ ନାଲି ରଙ୍ଗର ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବା ୧୬ ବର୍ଷୀୟ ଭିଲ୍ ଆଦିବାସୀ ଗାୟିକା କୁହନ୍ତି, “ମୁଁ ଗୀତ ଗାଇବାକୁ ଏଠାକୁ ଆସିଛି ।" ନାସିକ ଜିଲ୍ଲାର ଚାନ୍ଦୱାଦ ତାଲୁକାର ଚାନ୍ଦୱାଦ ଗ୍ରାମରୁ ଆସିଥିବା ସବିତା କୁହନ୍ତି,“ମୁଁ କୃଷକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବାକୁ ଚାହୁଁଛି। ଆମର ଅବସ୍ଥା ବିଷୟରେ ସାରା ବିଶ୍ୱବାସୀଙ୍କୁ ମୁଁ କହିବାକୁ ଚାହୁଁଛି।" ସେ ଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳରେ ହେଉଥିବା ବିକ୍ଷୋଭରେ ଯୋଗ ଦେବାକୁ କୃଷକମାନଙ୍କର ଜାଠଯାନରେ ଡିସେମ୍ବର ୨୧ ରେ ନାସିକରୁ ବାହାରିଥିଲେ। ଲକ୍ଷ ଲକ୍ଷ କୃଷକ ତିନୋଟି କୃଷି ଆଇନକୁ ବିରୋଧ କରି ଆସୁଛନ୍ତି। ପ୍ରଥମେ ଜୁନ ୫, ୨୦୨୦ ରେ ନିୟମ ପ୍ରଣୟନ କରାଯାଇଥିଲା ଏବଂ ପରେ ସେପ୍ଟେମ୍ବର ୧୪ ରେ ସଂସଦରେ କୃଷି ବିଧେୟକ (ଫାର୍ମ ବିଲ) ଭାବେ ପ୍ରବର୍ତ୍ତିତ ହୋଇଥିଲା ଏବଂ ସେହି ମାସର ୨୦ ତାରିଖ ସୁଦ୍ଧା କାର୍ଯ୍ୟ ହେବା ପାଇଁ ଚେଷ୍ଟା କରାଯାଇଥିଲା।
ନିଜ ଗ୍ରାମକୁ ଫେରି, ସବିତା ସପ୍ତାହାନ୍ତ ଏବଂ ଛୁଟିଦିନଗୁଡିକରେ କୃଷି ଶ୍ରମିକ ଭାବରେ କାର୍ଯ୍ୟକରି ଦିନକୁ ୧୫୦-୨୦୦ ଟଙ୍କା ରୋଜଗାର କରନ୍ତି । ସେ କୁହନ୍ତି - "ଯଦି କୌଣସି କାର୍ଯ୍ୟ ଅଛି ମତେ ଖେତକୁ ଯିବାକୁ ପଡିବ।" କୋଭିଡ -୧୯ର ତାଲାବନ୍ଦ ସମୟରେ, ଚାନ୍ଦୱାଦରେ କୃଷିକ୍ଷେତ୍ରରେ କାର୍ଯ୍ୟ କରିବାରେ ସେ ଅନେକ ସମୟ ଅତିବାହିତ କରିଛନ୍ତି। ସେ କୁହନ୍ତି - ତାଲାବନ୍ଦ ସମୟରେ କାମ କାମ ଥିଲା । ମୋତେ ଯାହାକିଛି ମିଳିବ ମୁଁ ତାକୁ ଗ୍ରହଣ କରିବି ଏବଂ ଯେତିକି ସମ୍ଭବ ମୁଁ ରୋଜଗାର କରିବି। "ସେ ଚଳିତ ବର୍ଷ (୨୦୨୦) ହାଇସ୍କୁଲ ସମାପ୍ତ କରିଛନ୍ତି, କିନ୍ତୁ ମହାମାରୀ ଯୋଗୁଁ କଲେଜ ଆରମ୍ଭ କରିପାରିନାହାନ୍ତି।ସବିତା ଚାନ୍ଦୱାଦର ବିଭିନ୍ନ ସର୍ବସାଧାରଣ ସଭାରେ ନିଜର ଗୋଷ୍ଠୀମାନଙ୍କ ସହିତ ସଙ୍ଗୀତ ପରିବେଷଣ କରିଥାନ୍ତି, ଯେଉଁଥିରେ କି ତାଙ୍କର ବଡ ଭାଇ ସନ୍ଦୀପ ଏବଂ ତାଙ୍କର ସାଙ୍ଗ କୋମଲ, ଅର୍ଚ୍ଚନା ଏବଂ ସପନା ଅନ୍ତର୍ଭୁକ୍ତ ସେ ତାଙ୍କର ଭାଇଙ୍କ ସହଯୋଗରେ ସମସ୍ତ ଗୀତଗୁଡିକର ରଚନା କରିଥାନ୍ତି । ୨୪ ବର୍ଷୀୟ ସନ୍ଦୀପ, ଜଣେ କୃଷି ଶ୍ରମିକ, ଯିଏକି ହଳ କରିବାକୁ ଟ୍ରାକ୍ଟର ଚଳାଇଥାନ୍ତି । ସବିତା କୁହନ୍ତି - ଏହା ଏକ କଠିନ କାର୍ଯ୍ୟ, ଏବଂ ତାଙ୍କର ଆୟ ଜମିର ଆକାର ଏବଂ ଏହା ଉପରେ କାର୍ଯ୍ୟ କରୁଥିବା ସମୟ ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ, ତାଙ୍କୁ ୬ - ୭ ଏକର ଜମିକୁ ହଳ କରିବାକୁ ତିନି ଦିନ ଓ ତିନି ରାତି ସମୟ ଲାଗିଥାଏ, ଯେଉଁଥିରେ କି ସେ ୪୦୦୦ ଟଙ୍କା ରୋଜଗାର କରିଥାନ୍ତି ।
ତାଙ୍କ ଭାଇଙ୍କୁ ଏତେ କଠିନ ପରିଶ୍ରମ କରୁଥିବାର ଦେଖି ତାଙ୍କୁ ତାଙ୍କର ନିଜର ସଙ୍ଗୀତ ରଚନା କରିବାକୁ ପ୍ରେରଣା ମିଳିଥାଏ, "ମୁଁ କୃଷକମାନଙ୍କର ଦୈନନ୍ଦିନ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗୀତ ଗାଉଛି । ଦିନ ପରେ ଦିନ ସେମାନେ ଜମି ଗୁଡିକରେ କଠିନ ପରିଶ୍ରମ କରିଥାନ୍ତି, କିନ୍ତୁ ତଥାପି ସେମାନେ ଚାଷ କରୁଥିବା ଶସ୍ୟ ପାଇଁ ଉପଯୁକ୍ତ ମୂଲ୍ୟ ପାଆନ୍ତି ନାହିଁ । ଏହି କାରଣରୁ କୃଷକମାନେ ପଛରେ ପଡିଯାଇଛନ୍ତି । ଆମ ଦେଶରେ ଗରିବ ଲୋକ ଗରିବ ହେବାରେ ଲାଗିଛନ୍ତି ଏବଂ ଧନୀ ଲୋକମାନେ ଧନୀ ହେବାରେ ଲାଗିଛନ୍ତି ।"
ବିରୋଧକାରୀ କୃଷକମାନେ କହନ୍ତି ଯେ, ଏହି ତିନୋଟି ନୂଆ ନିୟମ ଅଧିକ ଧ୍ବଂସର କାରଣ ହେବ । ନିୟମ ଗୁଡିକ ହେଉଛି : କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ( ପଦୋନ୍ନତି ଏବଂ ସୁବିଧା ) ଅଧିନିୟମ ୨୦୨୦ ; ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା ) ଚୁକ୍ତିନାମା ୨୦୨୦ ; ଏବଂ ଆବଶ୍ୟକୀୟ ପଣ୍ୟଦ୍ରବ୍ୟ ( ସଂଶୋଧନ ) ଅଧିନିୟମ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଖଣ୍ଡନ କରି ସମସ୍ତ ଭାରତୀୟ ନାଗରିକଙ୍କ ଆଇନଗତ ଆଶ୍ରୟର ଅଧିକାରକୁ ଅକ୍ଷମ କରିଥିବାରୁ ତଥା ଆଇନଗୁଡିକ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଥିବାରୁ ମଧ୍ୟ ସମାଲୋଚିତ ହୋଇଛି ।

ସବିତା ଗୁଞ୍ଜଲ ( ବାମ ) ଏହି ସଙ୍ଗୀତଗୁଡିକର ରଚନା କରିଛନ୍ତି, ଯାହାକୁ କି ମହାରାଷ୍ଟ୍ରର (ଦକ୍ଷିଣ) କୃଷକ ସଙ୍ଗଠନ ତାଙ୍କର ଯାତ୍ରା ସମୟରେ ସେହି ଗୀତଗୁଡିକୁ ଗାଇଥିଲେ
ସବିତାଙ୍କ ପରିବାର ତିନି ଏକର ଜମିର ମାଲିକ, ଯାହା କି ସେମାନେ ଜୀବନ ନିର୍ବାହ ପାଇଁ ଚାଷ କରିଥାନ୍ତି । ତାଙ୍କର ପିତା ୪୫ ବର୍ଷୀୟ ହନୁମାନ ଗୁଞ୍ଜଲ, ଏବଂ ୪୦ ବର୍ଷୀୟ ମା ତାଇ ଗୁଞ୍ଜଲ ଉଭୟ କୃଷକ । ସେମାନେ ଗହମ, ବାଜରା, ଚାଉଳ ଏବଂ ପିଆଜ ଚାଷ କରନ୍ତି । ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ସବିତାଙ୍କ ସାନ ଭଉଣୀ ଅନିତା ମଧ୍ୟ ଚାଷ କାର୍ଯ୍ୟରେ ମା’କୁ ସାହାଯ୍ୟ କରନ୍ତି । ତାଙ୍କର ଅନ୍ୟ ଭାଇ ୧୮ ବର୍ଷୀୟ ସଚିନ ଚାନ୍ଦୱାଦରେ ଇଞ୍ଜିନିୟରିଂ ପଢୁଛନ୍ତି । ସନ୍ଦୀପ ପରି ସେ ଜମି ହଳ କରନ୍ତି ଏବଂ ଚାଷ କରନ୍ତି କିନ୍ତୁ ପାର୍ଟ ଟାଇମ ।
ସବିତାଙ୍କ ୬୬ ବର୍ଷୀୟ ଜେଜେ ମା (ଉପରେ ଥିବା ପ୍ରଚ୍ଛଦ ଚିତ୍ରର ଏକାନ୍ତ ବାମ ପାର୍ଶ୍ୱ ) ଯାଠ ଯାନରେ ତାଙ୍କ ସହିତ ଅଛନ୍ତି । କଲୟବାଈଙ୍କୁ ୧୬ ବର୍ଷ ବୟସ ହୋଇଥିଲା ବେଳେ ସେ ସର୍ବଭାରତୀୟ କିଷାନ ସଭା ଚାନ୍ଦୱାଦର ପ୍ରଥମ ମହିଳା ନେତ୍ରୀ ହୋଇଥିଲେ ।" ମୋର ଆଜୀ (ଜେଜେମା ) ମୋତେ ଆହୁରି ଅଧିକ ଗୀତ ଗାଇବାକୁ ଉତ୍ସାହିତ କରନ୍ତି । ଅଜୋବା ( ଜେଜେବାପା ) ତାଙ୍କୁ ସଙ୍ଗୀତ ଶିଖାଇଥିଲେ ଏବଂ ସେ ମୋତେ ଶିଖେଇଲେ । ସବିତା କୁହନ୍ତି, ଆଜୀ ମୋତେ ନିଜର ସଙ୍ଗୀତ ଲେଖିବାକୁ କୁହନ୍ତି "
କବି ଆନ୍ନାଭାଉ ସାଥେ ଏବଂ କାର୍ଯ୍ୟକର୍ତ୍ତା ରମେଶ ଗାଇଚର ମଧ୍ୟ ସବିତାଙ୍କୁ ପ୍ରେରଣା ଦେଇଛନ୍ତି। “ଯେତେବେଳେ ମୁଁ ସଙ୍ଗୀତ ଲେଖେ ସେତେବେଳେ ମୁଁ ଆନ୍ନାଭାଉଙ୍କ ବିଷୟରେ ଚିନ୍ତା କରେ। ତାଙ୍କର ଗୀତ, ମତ ଘୁଟଘୁଟ କର ରେହନା ସେହନେସେ ଜୁଲମ ବଢତା ହୈ (ଯନ୍ତ୍ରଣାକୁ ସହିଯାଅ ନାହିଁ, ନୀରବରେ ସହି ଗଲେ ଅତ୍ୟାଚାର ଆହୁରି ବଢିବ) ହେଉଛି ମୋର ପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ । ସେ ଜଣେ ବିପ୍ଳବୀ । ତାଙ୍କ ପରି ମୁଁ ଚାହେଁ ମୋର ଭଉଣୀମାନେ ସେମାନଙ୍କର ଅତ୍ୟାଚାରିଙ୍କ ବିରୁଦ୍ଧରେ ଲଢନ୍ତୁ । ଆମ ଦେଶ ମହିଳାଙ୍କୁ ସମ୍ମାନ କରେ ନାହିଁ। ଆମେ ବଳାତ୍କାର ହୋଇଥାଉ ଏବଂ କେହି ଭ୍ରୁକ୍ଷେପ କରନ୍ତି ନାହିଁ । ତାଙ୍କ ଗୀତ ଗାଇ ମୁଁ ଝିଅମାନଙ୍କୁ ଲଢ଼ିବାକୁ ଉତ୍ସାହିତ କରିବାକୁ ଚାହେଁ, କାରଣ ସେତେବେଳେ ହିଁ ଆମକୁ ସ୍ୱାଧୀନତା ମିଳିବ।”
“ଯେତେବେଳେ ମୁଁ ଗୀତ ଗାଏ, ମୋତେ ଲାଗେ ଯେ ମୋ ଜୀବନର ଏକ ଉଦ୍ଦେଶ୍ୟ ଅଛି । ମୁଁ ଦିଲ୍ଲୀ ପର୍ଯ୍ୟନ୍ତ ଗୀତ ଗାଇବି,”ସେ କୁହନ୍ତି, ଟେମ୍ପୋ ନିକଟକୁ ଯିବା ସମୟରେ ଯେଉଁଠାରେ କି ୨୦ ଜଣ କୃଷକ ତାଙ୍କୁ ସମବେତ ଗାନର ନେତୃତ୍ୱ ନେବାକୁ ଅପେକ୍ଷା କରିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍