‘ଚନ୍ଦ୍ର ବଦନି ଖୋଲୋ ଦ୍ୱା ର/ତିହାରେ ମନମୋହନ ଥାରେ ହୈ ହୋଲି ଖେଲନେ କୋ ( ଦ୍ୱା ର ଖୋଲ, ଚନ୍ଦ୍ର/ କୃଷ୍ଣ ହୋଲି ଖେଳିବାକୁ ଅପେକ୍ଷା କରିଛନ୍ତି)’
ମାର୍ଚ୍ଚ ମାସରେ ଏକ ଶୀତୁଆ ଅପରାହ୍ନରେ ପଞ୍ଚଚୁଲି ଶୃଙ୍ଗର ପାଦଦେଶରେ ମହିଳାଙ୍କ ସ୍ୱର ଗୁଞ୍ଜରିତ ହେଉଥିଲା । ସକାଳୁ ବର୍ଷା ହୋଇଥିଲା ଏବଂ ଆକାଶରେ ଏବେ ବି ବାଦଲ ଭାସୁଥିଲା । ମୁଁ ପିଥୋରଗଡ଼ ଜିଲ୍ଲା ମୁନସିଆରୀ ବ୍ଲକ୍ ସାରମୋଲି ଗାଁର ପଞ୍ଚାୟତ ଅଫିସ୍ ଆଡ଼କୁ ଯିବାରୁ ଢୋଲ ର ଶବ୍ଦ ଆହୁରି ତୀବ୍ର ହେଲା । ମୁଁ ପାହାଡ଼ର ମୋଡ଼କୁ ଅତିକ୍ରମ କରିବା ପରେ ଦେଖିଲି ଯେ କିଛି ମହିଳା ଗୋଲାକାରରେ ବୁଲୁଛନ୍ତି ଏବଂ ବିସ୍ତୃତ ମୁକ୍ତ ଆକାଶ ତଳେ ହିମାଳୟର ଛାୟାରେ ହୋଲିର ଗୀତ ଗାଉଛନ୍ତି ।
ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳରେ ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ ଆରମ୍ଭ ହୋଇଥିବା ହୋଲି କେବଳ ରଙ୍ଗର ଉତ୍ସବଠାରୁ ଅଧିକ- ଏହା ଗୀତ ଓ ସଙ୍ଗୀତର, ତାଳ ଓ ମାଧୁର୍ଯ୍ୟର ଉତ୍ସବ । ଏହି ଅଞ୍ଚଳରେ ହୋଲିର ବିଭିନ୍ନ ରୂପକୁ ପାଳନ କରାଯାଏ, ସବୁଗୁଡ଼ିକ ସଙ୍ଗୀତମୟ । ଏହା ହେଉଛି ଏମିତି ଏକ ସମୟ ଯେଉଁ ସମୟରେ ମହିଳାଙ୍କ ସହ ପୁରୁଷମାନେ ସଂଗୀତମୟ ହୋଲିୟାରରେ ପରିଣତ ହୋଇଯାନ୍ତି । ଯେଉଁମାନେ ହୋଲି ଗୀତ ଗାଇଥାନ୍ତି ସେମାନଙ୍କୁ ହୋଲିୟାର ବୋଲି କୁହାଯାଏ ।
ସମାବେଶ( ବୈଠକ )କୁ ‘ବୈଠକୀ ହୋଲି’ କୁହାଯାଏ । ଏହା କୁମାଉଁର ସହର ଓ ଗାଁଗୁଡ଼ିକରେ ବେଶ୍ ଲୋକପ୍ରିୟ । ମହିଳାମାନେ ସେମାନଙ୍କର ଘରେ ବୈଠକ କରିଥାନ୍ତି । ସେମାନେ ହିନ୍ଦୀ, ବ୍ରଜଭାଷା, ଅୱଧି ଏବଂ କୁମାଓନି ଭାଷାରେ ହାରମୋନିୟମ୍, ତାବ୍ଲା ଓ ଡ୍ରମବାଦନର ତାଳେ ତାଳେ ଗୀତ ଗାଇଥାନ୍ତି ।
ସାରମୋଲିର ସୁନ୍ଦରୀ ଲାଚପାଲ କହନ୍ତି, ‘‘ଏହି ସମୟରେ ଆମେ ହସୁ, ମଜା କରୁ, ଉଚ୍ଚ ସ୍ୱରରେ ଗୀତ ଗାଉ ଏବଂ ନାଚୁ । ଅନ୍ୟ ସମୟରେ ଆମେ ଆମର ଚାଷ, ପିଲା ଓ ଗୋରୁଗାଈଙ୍କୁ ନେଇ ବ୍ୟସ୍ତ ରହୁ। ଏହି ଗୀତ ମାଧ୍ୟମରେ ଆମେ ପରସ୍ପରର ମଜା ଉଡ଼ାଉ କିମ୍ବା ଗାଁର ଦୁର୍ନୀତି ବିଷୟରେ କଥା ହେଉ । ଆପଣମାନେ ନୃତ୍ୟ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ଯେ ଏମାନେ ହେଉଛନ୍ତି ସେହି ମହିଳା ଯେଉଁମାନେ ପାହାଡ଼ରେ ମୁହଁ ତଳକୁ କରି ଏତେ କଠିନ ପରିଶ୍ରମ କରନ୍ତି ।’’
ବୈଠକି ହୋଲି ଊନବିଂଶ ଶତାଦ୍ଦୀର ମଧ୍ୟଭାଗରୁ ଚାଲି ଆସୁଥିବା କୁହାଯାଏ। ଯେତେବେଳେ ଉତ୍ତରପ୍ରଦେଶ ରାମପୁର ଜିଲ୍ଲାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମାନୁଲ୍ଲା ଖାନ ଏହାକୁ ଅଲମୋରାରେ ପ୍ରଚଳିତ କରାଇଲେ । ଅଲମୋରାର ଜଣେ ହୋଲିୟାର ନବୀନ ବିଷ୍ଟ କହିଲେ, ‘‘କୁହାଯାଏ ଯେ [ବର୍ଷ] ୧୮୫୦ବେଳକୁ ଖାନ୍ ଅଲମୋରାକୁ ଆସିଲେ ଏବଂ ଏଠାରେ ପାରମ୍ପରିକ ସଙ୍ଗୀତ ଆରମ୍ଭ କଲେ ।’’ ‘‘ କିନ୍ତୁ ହିନ୍ଦୁସ୍ଥାନୀ ପାରମ୍ପରିକ ସଙ୍ଗୀତ ସଂପର୍କରେ କୌଣସି ଜ୍ଞାନ ନଥିବା ଲୋକମାନେ ମଧ୍ୟ ଏହାକୁ ଶିଖିପାରିବେ ଏବଂ ହୋଲି ଗୀତ ଗାଇପାରିବେ ଯେଉଁଥିପାଇଁ ହୋଲିୟାର ପରମ୍ପରା ଏବେ ବି ବଞ୍ଚିଛି ।’’
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କୁମାଉଁରେ ହୋଲି ଡିସେମ୍ବର ମାସରେ, ପୌଷମାସର ପ୍ରଥମ ଦିନରେ ଆରମ୍ଭ ହୋଇଥାଏ । କିନ୍ତୁ ଉତ୍ସବ ବାସ୍ତବରେ କେବଳ ମାର୍ଚ୍ଚ ମାସରେ, ଧୌଲେନ୍ଦିର ଏକ ସପ୍ତାହ ପୂର୍ବରୁ କିମ୍ବା ବା ରଙ୍ଗ ସହ ହୋଲି ଦିନ ବ୍ୟାପକ ହୋଇଥାଏ । ଏହି ସମୟରେ ବୈଠକି ହୋଲି ଖଡି ହୋଲିକୁ ପରିବର୍ତ୍ତିତ ହୋଇଥାଏ । ବସନ୍ତର ଆଗମନ ଉତ୍ସବ ପାଳନ କରିବା ଲାଗି ଛିଡ଼ା ହୋଇ ନୃତ୍ୟ କରିବାକୁ ଖଡି ହୋଲି କୁହାଯାଏ । କିଛି ଗାଁରେ ମହିଳାମାନେ ଗାଁର ପ୍ରତି ଘରକୁ ଯାଇଥାନ୍ତି ଏବଂ ସେମାନେ ହୋଲି ଗୀତରେ ନାଚନ୍ତି ।
ଏହାପରେ ମହିଳା ହୋଲି ହୋଇଥାଏ, ତାକୁ ମଧ୍ୟ କେବଳ ମହିଳାମାନେ ଘରେ ଏବଂ ମନ୍ଦିରରେ ହୋଲି ଦିନର ସପ୍ତାହେ ପୂର୍ବରୁ ପାଳନ କରିଥାନ୍ତି । ସେମାନେ ଏକତ୍ରିତ ହୋଇଥାନ୍ତି, ନୃତ୍ୟ କରନ୍ତି ଏବଂ ରାଧାକୃଷ୍ଣ, ଗଣେଶ ଓ ଶିବ ଭଗବାନଙ୍କ ଉଦ୍ଦେଶ୍ୟରେ ଗୀତ ଗାଆନ୍ତି ।
ମାର୍ଚ୍ଚ ମାସର ଆରମ୍ଭରେ ମୁଁ ପିଥୋରଗଡ଼ ଜିଲ୍ଲା ମୁନିସିଆରୀ ବ୍ଲକ୍ର ଗାଁଗୁଡ଼ିକରେ ୩ଟି ମହିଳା ହୋଲି ପାଳନରେ ସାମିଲ ହେଲି । ଏହି ଫଟୋ ନିବନ୍ଧ ଶୀତୁଆ ମୁନସିଆରୀ (‘ବରଫର ସ୍ଥାନ’) ରେ ଉତ୍ସବର ଦସ୍ତାବିଜ - ଯାହାକି ସମୁଦ୍ର ପତ୍ତନଠାରୁ ୨୨୭୦ ମିଟର ଉଚ୍ଚତାରେ ଅବସ୍ଥିତ ଏବଂ ଏହା କୁମାଓଁନି ମହିଳାଙ୍କ ଦ୍ୱାରା ଗାନ କରାଯାଇଥିବା ହୋଲି ଗୀତକୁ ଲିପିବଦ୍ଧ କରେ।

ସାରମୋଲିର ପଞ୍ଚାୟତ ଅଫିସ୍ ବାହାରେ ସୁନ୍ଦରୀ ଲାଚପାଲ ଢୋଲ ବଜାଉଛନ୍ତି ଯେତେବେଳେ କି ଅନ୍ୟ ମହିଳାମାନେ ଗୋଲାକୃତି ହୋଇ ବୁଲୁଛନ୍ତି ଏବଂ ହୋଲି ଗୀତ ଗାଉଛନ୍ତି । ଡ୍ରମ୍ରେ ବନ୍ଧା ହୋଇଥିବା ରିବନଗୁଡ଼ିକ ଇଷ୍ଟଦେବତା, ଜଣେ ଦେବତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ମହିଳାମାନେ ପଞ୍ଚାୟତ ଅଫିସ୍ରେ ପହଞ୍ଚିବା ପରେ, ଅନ୍ୟମାନେ ସେମାନଙ୍କ ମଥାରେ ରଙ୍ଗ ଲଗାନ୍ତି – ଉତ୍ସବ ବଢ଼ିବା ବେଳକୁ, ରଙ୍ଗ ବୋଳା ବି ବଢ଼ିଚାଲିଲା

ହୀରା ଦେବୀ ସୁନ୍ଦରୀ ଲାଚପାଲଙ୍କଠାରୁ ଡ୍ରମ୍ ନେଲେ । ମହିଳାମାନେ ନୃତ୍ୟ କରିବାକୁ ବୁଲିଲେ, ଯେତେବେଳେକି ୮ ବର୍ଷର ଭବେଶ ସିଂହ, ବଡ଼ ଆଗ୍ରହର ସହ ସିମବାଲ୍ସ ବଜାଇଲେ । ସାରମୋଲିରେ ମହିଳା ହୋଲି ୫ ଦିନ ଧରି ଜାରି ରହେ

ଚୁଲାରେ ପ୍ରାୟ ୫୦ ଜଣ ମହିଳାଙ୍କ ଲାଗି ଗରମ ଚା ପ୍ରସ୍ତୁତ କରାଯାଉଛି । ପକୋଡ଼ା, ହାଲୱା, ଚିପ୍ସ ଏବଂ ଚା ସମସ୍ତଙ୍କୁ ପରିବେଷଣ କରାଯାଉଛି । ମହିଳା ହୋଲିର ଉତ୍ସବ ଗୋଟିଏ ପରେ ଗୋଟିଏ ବସ୍ତିକୁ ଯାଉଥିବାବେଳେ ବିଭିନ୍ନ ବସ୍ତିର ବିଭିନ୍ନ ଗୋଷ୍ଠୀର ଲୋକେ ପାଳି କରି ଦିନକ ପାଇଁ ଭୋଜନର ବ୍ୟବସ୍ଥା କରନ୍ତି । ଘୋରପଟ୍ଟା ମଲ୍ଲା ଗାଁର ମଞ୍ଜୁ ତ୍ରିପାଠୀ କହନ୍ତି, ‘ଉତ୍ସବ ମହିଳାଙ୍କ ଦ୍ୱାରା ଆୟୋଜିତ ହୁଏ – ଗାଁରେ ଗୋଟିଏ ଅଂଶରେ ଗୋଟିଏ ଦିନ ଏବଂ ଅନ୍ୟ ଅଂଶରେ ପରଦିନ ଏବଂ ଏହିପରି ଜାରି ରହେ, ଯେମିତିକି ସମସ୍ତଙ୍କ ପାଖରେ ହୋଲି ଆୟୋଜନ କରିବାର ସୁଯୋଗ ରହିବ । ଏଥିପାଇଁ ଖର୍ଚ୍ଚ ମଧ୍ୟ ସମସ୍ତେ ସମାନ ଭାବେ ବହନ କରନ୍ତି’

ଘୋରପଟ୍ଟା ମଲ୍ଲାର ମହିଳାମାନଙ୍କ ମାର୍ଚ୍ଚ ୯ରେ ବୈଠକୀ ହୋଲି ପାଳନ । ସେମାନେ ହୋଲି ଗୀତ ପୁସ୍ତିକାରୁ ରାଧା କୃଷ୍ଣ, ଶିବ ଏବଂ ଗଣେଶଙ୍କ ସମ୍ପର୍କରେ ଗୀତ ଗାଇଲେ

ଢୋଲ ଏବଂ ତାମ୍ବୁରିନ୍ କୁମାଓନି ହୋଲିର ଗୁରୁତ୍ୱପୂର୍ଣ୍ଣ ଅଂଶ

ବୈଠକୀ ହୋଲି ପରେ ପଡ଼େ ଖଡ଼ି ହୋଲି – ଏଠାରେ ଦିନର ଆୟୋଜକ ମଞ୍ଜୁ ତ୍ରିପାଠୀ, ହୋଲି ସଂଗୀତରେ ନୃତ୍ୟ କରୁଛନ୍ତି, ୭ ବର୍ଷର ଚେତନା ସିଂହ ବି ନାଚୁଛନ୍ତି

ସାରମୋଲିରେ ଡାରକୋଟ, ନାନସେମ୍, ନୟା ବସ୍ତି, ସାରମୋଲି ଏବଂ ଶଙ୍କଧୁରାର ମହିଳାମାନେ ମାଟି ସଂଗଠନର ଏକ କୋଠରୀ ବିଶିଷ୍ଟ କାର୍ଯ୍ୟାଳୟ ଭିତରେ ଏକା ସାଙ୍ଗରେ ବସିଛନ୍ତି, ଯାହା ମହିଳାଙ୍କର ଏକ ନେଟ୍ୱର୍କ ଯାହାକି ମହିଳା ହୋଲି ପାଳନ ପାଇଁ ହୋମ୍ଷ୍ଟେର ବ୍ୟବସ୍ଥା ଆୟୋଜନ କରେ । ବାହାରେ ଏବେ ବରଫ ପଡ଼ିବା ଆରମ୍ଭ ହୋଇଛି

ମହିଳାମାନେ ପରସ୍ପରକୁ ରଙ୍ଗ ଲଗାଉଛନ୍ତି, ଯେତେବେଳେକି ବର୍ଷା ଓ ବରଫାତ ସତ୍ୱେ ଅନ୍ୟ ବହୁ ଜଣ ଆସିବା ଆରମ୍ଭ କରିଛନ୍ତି

ମାର୍ଚ୍ଚ
୧୦ ତାରିଖରେ, ମୁନ୍ସିଆରୀର ଗାଁଗୁଡ଼ିକ ବରଫାଚ୍ଛନ୍ନ ରହିଛି, ଯେତେବେଳେ କି ପଞ୍ଚଚୁଲିର ଆଇଭରୀ
ରଙ୍ଗର ଶୀର୍ଷ ଉତ୍ସବ ଉପରେ ନଜର ରଖିଛି କାରଣ ପାହାଡ଼ ମଧ୍ୟରେ ସଂଗୀତର ଧ୍ୱନି ଗୁଞ୍ଜରିତ ହେଉଛି
ଅନୁବାଦ : ଓଡ଼ିଶାଲାଇଭ୍