ଦିଲୀପ କୋଲିଙ୍କ ପାଇଁ ବିଗତ କେତେଟା ବର୍ଷ ଅନେକ ଝଡ଼ଝଞ୍ଜା ଭିତରେ ବିତିଛି – ଝଡ଼ବାତ୍ୟା, ମାଛଧରା ହ୍ରାସ, ବିକ୍ରି କମ୍ ହୋଇଛି । ହେଲେ, ୨୦୨୦ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକ୍ଡାଉନ ହିଁ ସବୁଠାରୁ କଷ୍ଟଦାୟକ ସାବ୍ୟସ୍ତ ହୋଇଛି ।
ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଅବସ୍ଥିତ କୋଲିୱାଡ଼ାର ଏହି ୫୦ ବର୍ଷୀୟ ମତ୍ସ୍ୟଜୀବୀ ଦିଲୀପ କହନ୍ତି, “ଅତୀତରେ ଆମେ ଯେତେ ସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ, ସେସବୁ ଗତ ବର୍ଷ ତୁଳନାରେ ଅଧା ବି ନୁହେଁ । ଲୋକଙ୍କର ମାଛ ଧରିବାକୁ ଇଚ୍ଛା ଥିଲା ଏବଂ ମାଛ ଖାଇବାକୁ ବି ଲୋକେ ପ୍ରସ୍ତୁତ ଥିଲେ, କିନ୍ତୁ (ଲକ୍ଡାଉନ୍ ଯୋଗୁଁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ) ମାଛ ବିକ୍ରି ହେଉ ନଥିଲା । ସବୁ ବଜାର ବନ୍ଦ ହୋଇଯାଇଥିଲା ଏବଂ ଆମେ ଧରିଥିବା ମାଛକୁ ପୁଣି ସମୁଦ୍ରରେ ଫିଙ୍ଗି ଦେବାକୁ ବାଧ୍ୟ ହେଉଥିଲୁ ।”
ପ୍ରାୟ ୩୫ ବର୍ଷ ହେଲା ଦକ୍ଷିଣ ମୁମ୍ବାଇର ସାସନ୍ ଡକ୍ରେ କାମ କରିଆସୁଛନ୍ତି ଦିଲୀପ । ସେ ତିନିଟି ଡଙ୍ଗାର ମାଲିକ ଏବଂ ଏଥିରେ ୮-୧୦ ଜଣ ମତ୍ସ୍ୟଜୀବୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେ କହନ୍ତି, “ଲକ୍ଡାଉନ୍ ସମୟରେ ଆମେ ଅନ୍ତତଃ ଆମ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିନେଲୁ । କିନ୍ତୁ କୋଲି ସଂପ୍ରଦାୟର ଅନ୍ୟ ଗରିବ ଲୋକଙ୍କ ପାଖରେ ଖାଦ୍ୟ ନଥିଲା କି ପଇସା ନଥିଲା ।”
ମତ୍ସ୍ୟଜୀବୀମାନେ ଭୋର ପ୍ରାୟ ୪ଟାରୁ କାମ ଆରମ୍ଭ କରନ୍ତି ଏବଂ ବର୍ଷା ମାସରେ କୂଳରୁ ବେଶୀ ଦୂର ଯାଏ ନ ଯାଇ ୪୦ ମିନିଟ୍ ଲେଖାଏଁ ସମୟ ପାଇଁ ବହୁ ଥର ସମୁଦ୍ର ଭିତରକୁ ଯାଆନ୍ତି । ସମୁଦ୍ର ଜୁଆରରେ ପରିବର୍ତ୍ତନ ଆରମ୍ଭ ହେଲେ ସେମାନେ ପ୍ରାୟ ଘଣ୍ଟାଏ ପାଇଁ ବିଶ୍ରାମ ନେବା ପରେ ପୁଣି ସମୁଦ୍ର ଭିତରକୁ ଯାଇଥାଆନ୍ତି । ଦିଲୀପ କହନ୍ତି, “ଆମେ ବଡ଼ି ଭୋରରୁ କାମ ଆରମ୍ଭ କରୁ ଏବଂ ଅପରାହ୍ଣ ୨ଟା କି ୩ଟା ବେଳକୁ କାମ ସାରିଦେଉ । ଜହ୍ନକୁ ଦେଖି ଆମେ ସମୁଦ୍ରରେ ଜୁଆର ସଂପର୍କରେ ଜାଣିପାରୁ । କେବଳ ଅତି କମ୍ କିମ୍ବା ଅତି ବେଶୀ ଜୁଆର ଥିବା ସମୟରେ ହିଁ ଆମେ ମାଛ ଧରିବାକୁ ଯାଉନାହିଁ ।”
ତାଙ୍କ ଡଙ୍ଗାରେ କାମ କରୁଥିବା କେତେକ କୋଲି ସଂପ୍ରଦାୟର ମତ୍ସ୍ୟଜୀବୀ, ଟ୍ରେନ୍ରେ କିମ୍ବା ଭଡ଼ାରେ ନେଇଥିବା ଗାଡ଼ିରେ ପ୍ରାୟ ୧୫୦ କିଲୋମିଟର ଯାତ୍ରା କରି ରାୟଗଡ଼ ଜିଲ୍ଲାର ତାଲା ତାଲୁକା ଅନ୍ତର୍ଗତ ୧୦୪୦ ଜଣ ଲୋକସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ୱାଶି ହାବେଲି ନାମକ ଗାଁରୁ ଦକ୍ଷିଣ ମୁମ୍ବାଇର ସାସନ ଡକ୍କୁ ଆସିଥାଆନ୍ତି । ସେଠାରେ ସେମାନେ ପାଖାପାଖି ଜୁନ୍ରୁ ଅଗଷ୍ଟ ଯାଏ, ଗଣପତି ଉତ୍ସବ ଆରମ୍ଭ ହେବାର ପୂର୍ବ ସମୟ ଯାଏ, କାମ କରନ୍ତି । ବର୍ଷର ଅବଶିଷ୍ଟ ସମୟରେ ସେମାନେ ମହାରାଷ୍ଟ୍ରର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳକୁ- ମୁଖ୍ୟତଃ ରତ୍ନାଗିରି ଏବଂ ରାୟଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ- ଯାଇଥାଆନ୍ତି ଏବଂ ସେଠାରେ ଅନ୍ୟ ଲୋକଙ୍କ ଡଙ୍ଗାରେ କାମ କରି ମାସକୁ ୧୦,୦୦୦- ୧୨,୦୦୦ ଟଙ୍କା ରୋଜଗାର କରନ୍ତି ।

ରାୟଗଡ଼ ଜିଲ୍ଲାର ମତ୍ସ୍ୟଜୀବୀ ଗାଁ ୱାଶି ହାବେଲିର କୋଲି ମତ୍ସ୍ୟଜୀବୀମାନେ ବର୍ଷା ମାସରେ ସାସନ ଡକ୍ରେ କାମ କରନ୍ତି । ଅନେକ ସେଠାକୁ ଋତୁକାଳୀନ ବୋମ୍ବିଲ (ବମ୍ବେ ଡକ୍) ପାଇଁ ଆସନ୍ତି । ସେମାନେ ଭୋର ୪ଟାରୁ କାମ ଆରମ୍ଭ କରନ୍ତି ଏବଂ ଅପରାହ୍ଣ ୨ଟା କିମ୍ବା ୩ଟା ବେଳକୁ କାମ ସାରି ଦିଅନ୍ତି
ଯଦିଓ ମେ ଶେଷଭାଗରୁ ଅଗଷ୍ଟ ମାସର ପୂର୍ବ ଭାଗ ପର୍ଯ୍ୟନ୍ତ ଗଭୀର ସମୁଦ୍ରରୁ ମାଛଧରା କାର୍ଯ୍ୟକଳାପ ଉପରେ ନିଷେଧାଦେଶ ରହିଥାଏ, ଦିଲୀପ କହନ୍ତି, “ଅଗଭୀର କ୍ଷୁଦ୍ର ଉପସାଗରରୁ ମାଛଧରା ବା କ୍ରୀକ୍ ଫିସିଙ୍ଗ୍କୁ (ଡଲ୍ ଜାଲ ସାହାଯ୍ୟରେ) ଏଠାରେ ଅନୁମତି ମିଳିଥାଏ । ବମ୍ବିଲ (ବମ୍ବେ ଡକ୍) ମାଛ ପାଇଁ ଆମ କୋଲାବା କ୍ରୀକ୍ ପ୍ରସିଦ୍ଧ ଏବଂ ଏହି ମାଛ କେବଳ ଜୁନ୍ ଏବଂ ଜୁଲାଇରେ ଏଠାକୁ ଆସିଥାଏ । ମହାରାଷ୍ଟ୍ରର ବିଭିନ୍ନ ଛୋଟ ଛୋଟ ଗାଁର ମତ୍ସ୍ୟଜୀବୀମାନେ ବମ୍ବେ ଡକ୍ ପାଇଁ ଏଠାକୁ ଆସନ୍ତି । ୨-୩ ମାସ ପାଇଁ ସେମାନେ କୋଲାବାରେ ଘର କରି ରହନ୍ତି । ଏହା ଏକ ଭଲ ବ୍ୟବସାୟ ।”
ଯେଉଁ ମାସରେ ସେମାନେ ସାସନ୍ ଡକ୍ରେ ରହନ୍ତି, ସେ ଓ ଅନ୍ୟ ମତ୍ସ୍ୟଜୀବୀମାନେ କାରବାର ଲାଭାଂଶର ପ୍ରତିଶତ ଭିତ୍ତିରେ କାମ କରନ୍ତି ବୋଲି କହନ୍ତି ୱାଶି ହାବେଲି ଗାଁର ପ୍ରିୟଲ ଦୁରି । ସେ କହନ୍ତି, “ଦିନକର ମାଛଧରାରୁ ଯେଉଁ ଲାଭ ହୁଏ ତା’ର ଅଧା ଭାଗ ଡଙ୍ଗା ମାଲିକ ନିଅନ୍ତି ଏବଂ ବାକି ଅଧା ଆମ ଭିତରେ ଭାଗ ହୁଏ ।” ପ୍ରିୟଲ ଗତ ବର୍ଷ କୋଭିଡ୍ରେ ବାପାଙ୍କୁ ହରାଇବାର ତିନି ମାସ ଭିତରେ ରକ୍ତହୀନତା ରୋଗରେ ମାଆଙ୍କୁ ହରାଇଥିଲେ । ସେ ୧୨ଶ ଶ୍ରେଣୀ ପାଠପଢ଼ା ସାରିପାରିଲେନି କାରଣ “ ଆଇଙ୍କ ଚିକିତ୍ସା ପାଇଁ ଆମର ଟଙ୍କା ଦରକାର ହେଉଥିଲା” । ୨୭ ବର୍ଷର ଏହି ଯୁବକ ଜଣକ ପ୍ରାୟ ୧୦ ବର୍ଷ ହେଲା ସମୁଦ୍ରରୁ ମାଛ ଧରି ଆସୁଛନ୍ତି ।
ସେ ଆହୁରି କହନ୍ତି, “ବର୍ଷା ଋତୁରେ ଆମେ ଦିନକୁ ପ୍ରାୟ ୭୦୦ ଟଙ୍କା ରୋଜଗାର କରୁ, କିନ୍ତୁ ଗତ ବର୍ଷ ଅତି ବେଶୀରେ ଆମେ ଦିନକୁ ୫୦ ଟଙ୍କା ରୋଜଗାର କରିପାରୁଥିଲୁ । କୋଭିଡ୍ ଯୋଗୁଁ ପୂରା ଗୋଟିଏ ବର୍ଷ ଆମେ ଘରେ ବସିଲୁ । କୌଣସି କାମ ମିଳୁ ନଥିବାରୁ ୨୦୨୦ ମେ ମାସ ସୁଦ୍ଧା ୱାଶି ହାବେଲି ଗାଁର ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ସରି ଆସିଥିଲା । “ଆଖପାଖର ସମୁଦ୍ର ଶାଖାରୁ ଯେତିକି ମାଛ ଧରୁଥିଲୁ ସେତିକି ହିଁ ଖାଉଥିଲୁ । କିନ୍ତୁ ଝଡ଼ବାତ୍ୟା (ନିସର୍ଗ) ପରେ ଖାଦ୍ୟ ଓ ପାଣି ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲା । ଆମେ ଆଗରୁ ଏତେ ଖରାପ ସମୟ ଦେଖି ନଥିଲୁ ଏବଂ ଏହା ଆମ ପାଇଁ ସବୁଠାରୁ ଖରାପ ବର୍ଷ (୨୦୨୦) ଥିଲା” ।
‘ନିସର୍ଗ’ ନାମକ ଝଡ଼ବାତ୍ୟା ୨୦୨୦ ମସିହା ଜୁନ୍ ୩ ତାରିଖ ଦିନ ମହାରାଷ୍ଟ୍ରର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିଲା । ବାତ୍ୟାରେ ସେ ଓ ତାଙ୍କ ବଡ଼ଭାଇ ଚନ୍ଦ୍ରକାନ୍ତ (ସେ ମଧ୍ୟ ଜଣେ ମତ୍ସ୍ୟଜୀବୀ) ରହୁଥିବା ଘରଟି ଭାଙ୍ଗି ଯିବା ପରେ ଏହାକୁ ପୁଣି ତିଆରି କରିବା ପାଇଁ ଜଣେ ବନ୍ଧୁଙ୍କ ପାଖରୁ ୪୦,୦୦୦ ଟଙ୍କା ଧାର ନେଇଥିଲେ ପ୍ରିୟଲ । ସେ କହନ୍ତି, “ମାସେ କାଳ ଆମର ବିଦ୍ୟୁତ ନ ଥିଲା କି ଫୋନ୍ ସଂଯୋଗ ନ ଥିଲା । ଆମ ସମସ୍ତଙ୍କର ଘର ପୂରା ନଷ୍ଟ ହୋଇଯାଇଥିଲା ଏବଂ ଆମେ ସରକାରଙ୍କ ପାଖରୁ କୌଣସି କ୍ଷତିପୂରଣ ବି ପାଇଲୁନି ।”


ହାତରେ କଙ୍କଡ଼ାଟିଏ ଧରିଛନ୍ତି ଦିଲୀପ କୋଲି : ' ସଂକଟ ସମୟରେ ଚାଷୀମାନେ ଅନ୍ତତଃ ସରକାରଙ୍କ ପାଖରୁ କ୍ଷତିପୂରଣ ପାଆନ୍ତି । କିନ୍ତୁ ମତ୍ସ୍ୟଜୀବୀମାନେ କିଛି ହେଲେ ପାଆନ୍ତି ନାହିଁ, ଯଦିଓ ଉଭୟ ଚାଷୀ ଓ ମତ୍ସ୍ୟଜୀବୀ ଭାଇ ଭଳି'
ଏହା ପରେ ପୁଣି ୨୦୨୧ ମେ ୧୪ ତାରିଖ ଦିନ ଆସିଲା ଘୂର୍ଣ୍ଣିଝଡ଼ ତାଉତେ । ଦିଲୀପ କହନ୍ତି, “ସମୁଦ୍ରର ତୀବ୍ର ଜୁଆରରେ ଆମ ଡଙ୍ଗାଗୁଡ଼ିକ ନଷ୍ଟ ହୋଇଗଲା । ଆମେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲୁ । ସରକାର ଆମକୁ ମାତ୍ର କେଇ ହଜାର ଟଙ୍କା ଦେବେନି, କିନ୍ତୁ ଅନ୍ୟ ଲୋକଙ୍କ ପାଖରେ ଭଲ ବୋଲି ଦେଖାଇ ହେବେ । ମତ୍ସ୍ୟଜୀବୀମାନେ (ଏହି କଥାକୁ ନେଇ) ଏବେ ବି କ୍ଷୁବ୍ଧ । ଦିଲୀପଙ୍କର ତିନି ପୁଅ ବି ମତ୍ସ୍ୟଜୀବୀ ଏବଂ ୪୯ ବର୍ଷୀୟା ସ୍ତ୍ରୀ ଭାରତୀ ସାସନ୍ ଡକ୍ରେ ପାଇକାରୀ ବେପାରୀମାନଙ୍କୁ ମାଛ ବିକନ୍ତି (ଦେଖନ୍ତୁ: କୋଲି ମହିଳା : ମାଛ, ବନ୍ଧୁ ତ୍ୱ ଏବଂ ଲଢୁଆ ମନୋଭାବ ) । ସେ ଆହୁରି କହନ୍ତି, “ଆମ କୋଲି ମତ୍ସ୍ୟଜୀବୀମାନଙ୍କ ପାଇଁ ସେମାନେ କେବେ ହେଲେ କିଛି କରନ୍ତିନି । କିନ୍ତୁ ଏଭଳି ଝଡ଼ବାତ୍ୟା ସମୟରେ ଆମକୁ ପୂରା କ୍ଷତିପୂରଣ ଦିଆଯିବା ଉଚିତ ।”
ଏସବୁ କ୍ଷୟକ୍ଷତି ବ୍ୟତୀତ ମାଛଧରା ବି ଦିନକୁ ଦିନ କମିବାରେ ଲାଗିଛି । ଦିଲୀପ କହନ୍ତି, “ମୋ ପିଲାଦିନେ ମାଛ ଦର କମ୍ ଥିଲା । କିନ୍ତୁ ଡିଜେଲ (ବୋଟ୍ ପାଇଁ) ଦର ବି ଲିଟର ପିଛା ୨୦ ଟଙ୍କା ଥିଲା । ଏବେ ଡିଜେଲ ଲିଟରକୁ ପ୍ରାୟ ୧୦୦ ଟଙ୍କା ଏବଂ ଆମେ ଧରୁଥିବା ମାଛର ପରିମାଣ ବି କମିଯାଇଛି ।”
ସେ କହନ୍ତି ଯେ ଆଜିକାଲି ମାଛଧରାଳିଙ୍କ ଜାଲରେ ସୁରମଇ , ଚାନ୍ଦି ଓ କୋକଲି ଭଳି ଲୋକପ୍ରିୟ ମାଛ କମ୍ ପଡୁଛନ୍ତି । କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ସଂସ୍ଥାର ରିପୋର୍ଟ ଅନୁସାରେ ୨୦୧୯ରେ ମହାରାଷ୍ଟ୍ରର ସମୁଦ୍ର ଉପକୂଳରେ ମାଛଧରା (ସମୁଦ୍ରରୁ ଧରା ହୋଇ ବିଭିନ୍ନ ବନ୍ଦରରେ ପହଞ୍ଚୁଥିବା) ପରିମାଣ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ହ୍ରାସ ପାଇଥିଲା । ସେ ବର୍ଷ, ଛଅଟି ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟା ସମେତ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ଝଡ଼ବାତ୍ୟାକୁ ଏହାର କାରଣ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା।
ଦିଲୀପ କହନ୍ତି, “ଆମ ଜୀବିକା ସଂପୂର୍ଣ୍ଣ ଭାବରେ ପ୍ରକୃତି ଉପରେ ନିର୍ଭର କରେ । ଯଦି ପ୍ରକୃତି ଆମ ପ୍ରତି ସଦୟ ନହୁଏ ତେବେ ଆମେ ଉଭୟ କାମ ଓ ଜୀବନ ହରାଇ ବସିବୁ ।”
ଏବଂ ଏବେ ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ର ପ୍ରକୋପକୁ ବି ପ୍ରତିହତ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି ସାସନ ଡକ୍ର ମତ୍ସ୍ୟଜୀବୀମାନେ ।

ବର୍ଷା ଋତୁରେ ସମୁଦ୍ର ଭିତରକୁ ୪୦ ମିନିଟ୍ ପାଇଁ ଯାତ୍ରା କରି ମତ୍ସ୍ୟଜୀବାମାନେ ମୋଟାମୋଟି ୪୦୦-୫୦୦ କିଲୋଗ୍ରାମ ମାଛ ଧରୁଥିଲେ ଏବଂ ୧୦-୧୨ ଘଣ୍ଟା ଭିତରେ ଏଭଳି ଅନେକ ଥର ଯାତ୍ରା କରୁଥିଲେ

ମତ୍ସ୍ୟଜୀବୀମାନେ କହନ୍ତି ଯେ ‘ଜେଲିଫିସ୍’କୁ ପୁଣି ସମୁଦ୍ର ଭିତରକୁ ଫିଙ୍ଗି ଦିଆଯାଏ କାରଣ ଏଥିରୁ ଦୁର୍ଗନ୍ଧ ବାହାରେ ଏବଂ ଭାରତରେ ପ୍ରାୟତଃ କେହି ଏହି ସାମୁଦ୍ରିକ ଜୀବକୁ ଖାଆନ୍ତି ନାହିଁ

୧୦ ବର୍ଷରୁ ଅଧିକ ସମୟ ଧରି ମାଛ ଧରି ଆସୁଥିବା ୩୪ ବର୍ଷୀୟ ରାମନାଥ କୋଲି ଜାଲରେ ଧରାପଡ଼ିଥିବା ଏକ ସମୁଦ୍ର ସାପକୁ ଧରିଛନ୍ତି । ସେ କହନ୍ତି, ' ଆମକୁ ଦିନରାତି କାମ କରିବାକୁ ପଡ଼େ । କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ କି ରୋଜଗାର ବି ସ୍ଥିର ନୁହେଁ '

୪୯ ବର୍ଷୀୟ ନାରାୟଣ ପାଟିଲଙ୍କର ତିନିଟି ଝିଅ ଓ ଗୋଟିଏ ପୁଅ ୱାଶି ହାବେଲି ଗାଁର ଜିଲ୍ଲା ପରିଷଦ ସ୍କୁଲରେ ପଢ଼ନ୍ତି । ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ । ସେ ପ୍ରାୟ ୨୦ ବର୍ଷ ହେଲା ମାଛ ଧରି ଆସୁଛନ୍ତି । ' ମୋ ପିଲାମାନେ ଏହି କାରବାର କରନ୍ତୁ ବୋଲି ମୁଁ ଚାହେଁନାହିଁ '

ଅଧିକ ମାଛ ପାଇବା ଆଶାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରର ଆଉ ଏକ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି

ରାମନାଥ କୋଲି ପାଣି ଭିତରେ ବୁଡ଼ି ଜାଲକୁ ଦୁଇ ଭାଗ କରନ୍ତି ଯାହା ଦ୍ୱା ରା କି ଧରାହୋଇଥିବା ମାଛର ଓଜନ ଦୁଇ ଭାଗ ହୋଇଯିବ ଏବଂ ଜାଲକୁ ଡଙ୍ଗା ଉପରକୁ ଟାଣି ଆଣିବା ସହଜ ହେବ

ପାଣି ଭିତରୁ ଜାଲକୁ ଡଙ୍ଗା ଉପରକୁ ଟାଣି ଆଣିବା ଲାଗି ସେମାନଙ୍କୁ ସମସ୍ତ ଶକ୍ତି ଖଟାଇବାକୁ ପଡ଼େ

ଜାଲରେ ପଡ଼ିଥିବା ମାଛକୁ ସେମାନେ ଡଙ୍ଗାର ଗୋଟିଏ କୋଣରେ ରଖନ୍ତି

ପାଖରେ ଯାଉଥିବା ଆଉ ଏକ ଡଙ୍ଗାରୁ ପିଲାମାନେ ମତ୍ସ୍ୟଜୀବୀମାନଙ୍କୁ ହାତ ହଲାଇ ଅଭିବାଦନ କରନ୍ତି

କୁଳରୁ ବେଶୀ ଦୂର ଯାଏ ନଗଲେ, ଥରଟିଏ ସମୁଦ୍ର ଭିତରକୁ ଯାଇ ଫେରି ଆସିବା ଲାଗି ପ୍ରାୟ ୪୦ ମିନିଟ୍ ସମୟ ଲାଗେ । କୂଳରେ ଡଙ୍ଗା ଲାଗିବା ବେଳକୁ ସେଠାରେ ଗ୍ରାହକମାନେ ଆଗରୁ ଅପେକ୍ଷା କରିଥାଆନ୍ତି ଏବଂ ଡଙ୍ଗାର ମତ୍ସ୍ୟଜୀବୀମାନେ କୂଳକୁ ଡେଇଁ ପଡ଼ନ୍ତି ଏବଂ ଜଣେ ଅନ୍ୟ ଜଣଙ୍କ ହାତକୁ ବଡ଼ ବଡ଼ ପ୍ଲାଷ୍ଟିକ୍ ବାଲ୍ଟି ବଢ଼ାଇ ଦିଅନ୍ତି

୨୬ ବର୍ଷୀୟ ଗୌରବ କୋଲି କହନ୍ତି ଯେ ସେ ଜଣେ ମତ୍ସ୍ୟଜୀବୀ ହେବାକୁ ଚାହୁଁଥିଲେ । ସେ ୧୨ଶ ଶ୍ରେଣୀ ଯାଏ ପଢ଼ିବା ପରଠାରୁ ତାଙ୍କ ବାପା ଦିଲୀପ କୋଲିଙ୍କ ସହ କାମ କରିଆସୁଛନ୍ତି

୧୯ ବର୍ଷୀୟ ହର୍ଷଦ କୋଲି (ସାମନା ପଟେ, ହଳଦିଆ ଶାର୍ଟରେ) ତିନି ବର୍ଷ ତଳେ ୧୦ମ ଶ୍ରେଣୀ ପାସ୍ କରିଥିଲେ ଏବଂ ସେବେଠାରୁ ସେ ମାଛଧରା କାମ କରିଆସୁଛନ୍ତି । ୱାଶି ହାବେଲି ଗାଁରେ ତାଙ୍କ ପରିବାରର ଗୋଟିଏ ଡଙ୍ଗା ଅଛି ବୋଲି ସେ କହନ୍ତି । 'ସେଠାରେ କେହି ଗ୍ରାହକ ନାହାନ୍ତି, ତେଣୁ ମୁଁ ମୁମ୍ବାଇରେ କାମ କରିବା ପାଇଁ ଏଠାକୁ ଆସିଲି'

ମାଛ କିଣିବାକୁ ଏବଂ ନିଲାମ ଡାକିବାକୁ ଆସିଥିବା ଲୋକେ ମାଛ ନେଇ ଆସୁଥିବା ଡଙ୍ଗା ଜେଟିରେ ପହଞ୍ଚିବା ଯାଏ ଅପେକ୍ଷା କରିଥାଆନ୍ତି

ମାଛ ବିକାଳିମାନେ ବିଭିନ୍ନ ପ୍ରକାର ମାଛକୁ ବରଫ ଦେଇ ସାଇତି ରଖନ୍ତି

ପାଇକାରୀ ଗ୍ରାହକ ଖୋଜିବା ପାଇଁ କେତେକ ମତ୍ସ୍ୟଜୀବୀ ପାଲଘର ଜିଲ୍ଲାରୁ ଆସିଛନ୍ତି

କେତେକ ମତ୍ସ୍ୟଜୀବୀ ସାସନ୍ ଡକ୍ ନିକଟ ବିଭିନ୍ନ ଖୋଲା
ଜାଗାରେ
କୋଲିମ
(ଛୋଟ-ଚିଙ୍ଗୁଡ଼ି) ଖରାରେ ଶୁଖାଇ ଦିଅନ୍ତି

ଜାଲ ମରାମତି କରିବା ଲାଗି ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ କୁଶଳୀ ଶ୍ରମିକମାନେ ମୁମ୍ବାଇର ସାସନ୍ ଡକ୍କୁ ଆସିଥାଆନ୍ତି ଏବଂ ସେଠାରେ ସେମାନେ ଦିନକୁ ୫୦୦-୬୦୦ ଟଙ୍କା ରୋଜଗାର କରନ୍ତି

ବିଶ୍ୱ ମହାମାରୀ କୋଭିଡ୍-୧୯ର ପ୍ରାଦୁର୍ଭାବ ପୂର୍ବରୁ ଭୋର ୪ଟା ବେଳକୁ ସାସନ ଡକ୍ରେ ମାଛଧରାଳି, ମାଛ ବିକାଳି, ଡଙ୍ଗା ଚାଳକ ଏବଂ ଅନ୍ୟ ଶ୍ରମିକମାନଙ୍କର ଭିଡ଼ ଜମିଯାଇଥାଏ । ୨୦୨୦ ମାର୍ଚ୍ଚରେ ଲକ୍ଡାଉନ୍ ଆରମ୍ଭ ହେବା ପରଠାରୁ ଆଉ ସେଭଳି ଭିଡ଼ ଲାଗିନାହିଁ
ଅନୁବାଦ: ଓଡ଼ିଶାଲାଇଭ୍