ଉତ୍ତର କୋଲକାତାର କୁମାରତୁଲିର ଅଣଓସାରିଆ ଗଳି, ଯେଉଁଠି କି ଅତି କଷ୍ଟରେ ହାତଟଣା ରିକ୍ସାଟିଏ ହିଁ ଯାଇପାରିବ, ସେଠି ସାଧାରଣତଃ ଆପଣ କେବଳ ସେଇ କୁମାରମାନଙ୍କୁ ହିଁ ଭେଟିବେ-ଯେଉଁମାନେ କି ସହରରେ ମୂର୍ତ୍ତି କାରିଗର ଭାବେ ପରିଚିତ । ପ୍ରତି ବର୍ଷ ଏହି ସ୍ଥାନରୁ ଯାଇ କୋଲକାତା ନଗରୀରେ ପହଞ୍ଚନ୍ତି ଦେବୀ ଦୁର୍ଗା ଏବଂ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ସମୂହ ।
ଏଠାରେ କାର୍ତ୍ତିକ ପଲ୍ଙ୍କର ଏକ କାର୍ଯ୍ୟଶାଳା ରହିଛି, ଯାହାକି ବାସ୍ତବରେ ବାଉଁଶ ଏବଂ ପ୍ଲାଷ୍ଟିକ୍ର ଏକ ଚାଳିଆ ଏବଂ ଯାହାର ନାଁ ଦିଆଯାଇଛି ‘ବ୍ରଜେଶ୍ୱର ଆଣ୍ଡ ସନ୍ସ’ (ତାଙ୍କ ବାପାଙ୍କ ନାମରେ ନାମିତ) । ମୂର୍ତ୍ତି ଗଢ଼ିବାର ଲମ୍ବା ଏବଂ ପର୍ଯ୍ୟାୟଭିତ୍ତିକ ପ୍ରକ୍ରିୟା ସଂପର୍କରେ ସେ ଆମକୁ କହନ୍ତି। ମୂର୍ତ୍ତି ଗଢ଼ିବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମାଟିର ମିଶ୍ରଣ ବ୍ୟବହୃତ ହୁଏ, ଯେମିତି କି ଗଙ୍ଗାମାଟି (ନଦୀକୂଳରୁ ଅଣାଯାଇଥିବା କାଦୁଆ ମାଟି) ଏବଂ ପାଥ ମାଟି (ଝୋଟଗୁଣ୍ଡ ଏବଂ ଗଙ୍ଗାମାଟିର ଏକ ମିଶ୍ରଣ)।

କୁମାରତୁଲିର ତାଙ୍କ କାର୍ଯ୍ୟଶାଳାରେ କାର୍ତ୍ତିକ ପଲ୍
ଏଠାରେ କାର୍ତ୍ତିକ ପଲ୍ଙ୍କର ଏକ କାର୍ଯ୍ୟଶାଳା ରହିଛି, ଯାହାକି ବାସ୍ତବରେ ବାଉଁଶ ଏବଂ ପ୍ଲାଷ୍ଟିକ୍ର ଏକ ଚାଳିଆ ଏବଂ ଯାହାର ନାଁ ଦିଆଯାଇଛି ‘ବ୍ରଜେଶ୍ୱର ଆଣ୍ଡ ସନ୍ସ’ (ତାଙ୍କ ବାପାଙ୍କ ନାମରେ ନାମିତ) । ମୂର୍ତ୍ତି ଗଢ଼ିବାର ଲମ୍ବା ଏବଂ ପର୍ଯ୍ୟାୟଭିତ୍ତିକ ପ୍ରକ୍ରିୟା ସଂପର୍କରେ ସେ ଆମକୁ କହନ୍ତି। ମୂର୍ତ୍ତି ଗଢ଼ିବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମାଟିର ମିଶ୍ରଣ ବ୍ୟବହୃତ ହୁଏ, ଯେମିତି କି ଗଙ୍ଗାମାଟି (ନଦୀକୂଳରୁ ଅଣାଯାଇଥିବା କାଦୁଆ ମାଟି) ଏବଂ ପାଥ ମାଟି (ଝୋଟଗୁଣ୍ଡ ଏବଂ ଗଙ୍ଗାମାଟିର ଏକ ମିଶ୍ରଣ)।
ଆମେ କଥାବାର୍ତ୍ତା କରୁଥିବା ବେଳେ, ପଲ୍ ତାଙ୍କ କୁଶଳୀ ହାତରେ ଓଦା ମାଟିରେ ତିଆରି କାର୍ତ୍ତିକ ଦେବଙ୍କ ଏକ ମୂର୍ତ୍ତିର ମୁହଁକୁ ସୂକ୍ଷ୍ମ ଭାବେ ରୂପ ଦେବାରେ ଲାଗିଥାଆନ୍ତି । ଏଥିପାଇଁ ସେ ଏକ ରଙ୍ଗମରା ବ୍ରସ୍ ଏବଂ ଚିୟାରି ନାମକ ମୂର୍ତ୍ତି ଗଢ଼ିବା ଲାଗି ହାତରେ ମସୃଣ କରାଯାଇଥିବା ବାଉଁଶ ତିଆରି ଏକ ଉପକରଣ ବ୍ୟବହାର କରନ୍ତି
ପାଖରେ ଥିବା ଅନ୍ୟ ଏକ କାର୍ଯ୍ୟଶାଳାରେ, ଗୋପାଲ ପଲ୍ ଏକ ଅଠା ପ୍ରସ୍ତୁତ କରିଛନ୍ତି, ଯାହାକୁ ମାଟିର ଢାଞ୍ଚା ଉପରେ ଏକ ପତଳା ତଉଲିଆ ଭଳି ପଦାର୍ଥ ଲଗାଇବାରେ ବ୍ୟବହାର କରିହେବ ଏବଂ ଏଥିରେ ତ୍ୱଚାର ରୂପ ଫୁଟି ଉଠିବ । ଗୋପାଳଙ୍କ ଘର କୋଲକାତାର ଉତ୍ତରରେ ପ୍ରାୟ ୧୨୦ କିଲୋମିଟର ଦୂର ନଦିଆ ଜିଲ୍ଲା କ୍ରିଷ୍ଣନଗରରେ। ଏଠାକାର ଅଧିକାଂଶ କର୍ମୀ ସେଇ ଜିଲ୍ଲାରୁ ଆସିଛନ୍ତି ଏବଂ ସମସ୍ତେ ପୁରୁଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ଅଞ୍ଚଳରେ, କାର୍ଯ୍ୟଶାଳା ମାଲିକ ଯୋଗାଇ ଦେଇଥିବା କ୍ୱାର୍ଟରରେ ରହନ୍ତି । ପୂଜାଋତୁର କେଇ ମାସ ଆଗରୁ ଏହି କର୍ମୀମାନଙ୍କୁ ନିୟୋଜିତ କରାଯାଏ । ସେମାନେ ଆଠ ଘଣ୍ଟିଆ ସିଫ୍ଟରେ କାମ କରନ୍ତି । କିନ୍ତୁ ଶାରଦୀୟ ପର୍ବର ଠିକ୍ ପୂର୍ବରୁ ଏହି କାରିଗରମାନେ ସାରା ରାତି କାମ କରନ୍ତି ଏବଂ ଅତିରିକ୍ତ ସମୟ ବାବଦରେ ଅଧିକ ମଜୁରି ନିଅନ୍ତି ।
ପ୍ରଥମେ ପ୍ରାୟ ୩୦୦ ବର୍ଷ ତଳେ କୁମ୍ଭାରମାନେ କ୍ରିଷ୍ଣନଗର ଛାଡ଼ି କୁମାରତୁଲିକୁ ଆସିଥିଲେ । ନୂତନ ଭାବେ ଗଢ଼ି ଉଠୁଥିବା କୁମାରତୁଲିରେ ସେମାନେ ଅଳ୍ପ କେଇ ମାସ ପାଇଁ ରହିଲେ । ସହଜରେ ନଦୀରୁ ମାଟି ପାଇବା ଲାଗି ସେମାନେ ବାଗବାଜାର ଘାଟ ନିକଟରେ ରହିଲେ । ଏବଂ ସେମାନେ ଜମିଦାରମାନଙ୍କ ଘରେ ରହି କାମ କଲେ, ଦୁର୍ଗାପୂଜା ଉତ୍ସବର କିଛି ସପ୍ତାହ ପୂର୍ବରୁ ବିଭିନ୍ନ ଠାକୁରଦାଲାନରେ (ଜମିଦାରମାନଙ୍କ ବାସଗୃହ ପରିସରରେ ଧାର୍ମିକ ପର୍ବ ପାଳନ ଲାଗି ଚିହ୍ନିତ ଅଞ୍ଚଳରେ)ମୂର୍ତ୍ତି ଗଢ଼ିବାରେ ଲାଗିଲେ ।

ଝୋଟଗୁଣ୍ଡ ସହିତ ଗଙ୍ଗାରୁ ଅଣାଯାଇଥିବା ‘ ଆଟେଲ ମାଟି’ ମିଶାଇ କାରିଗରମାନେ ‘ ପାଥ୍ ମାଟି’ ନାମକ ଏକ କାଦୁଅ ପ୍ରସ୍ତୁତ କରନ୍ତି


ମୂର୍ତ୍ତିକୁ ଧରି ରଖିବା ପାଇଁ ନିର୍ମିତ ବାଉଁଶର ଏକ ଢାଞ୍ଚା ‘ କାଠାମୋ’ ରୁ ଆରମ୍ଭ ହୁଏ ମୂର୍ତ୍ତି ଗଢ଼ିବା ପ୍ରକ୍ରିୟା । ବାଉଁଶର ଢାଞ୍ଚାଟି ପ୍ରସ୍ତୁତ ହୋଇଗଲା ପରେ ଏଥିରେ ଏକ ବ୍ୟବସ୍ଥିତ ଧାରାରେ ନଡ଼ା ଗୁଡ଼ାଇ ମୂର୍ତ୍ତିର ଏକ ଆକୃତି ପ୍ରସ୍ତୁତ ହୁଏ; ଏଥିପାଇଁ ଆବଶ୍ୟକ କଞ୍ଚାମାଲ ନିକଟବର୍ତ୍ତୀ ବାଗ୍ ବାଜାର ମାର୍କେଟରୁ ଅଣାଯାଏ

ଜଣେ କାରିଗର ନଡ଼ାର ଏହି ଢାଞ୍ଚାରେ କଳାରଙ୍ଗର ଅଠାଳିଆ କାଦୁଅ ଲେପି ଏହାକୁ ମୁର୍ତ୍ତିର ଆକାର ଦିଅନ୍ତି; ମାଟିର ଏହି ଢାଞ୍ଚାକୁ ଶୁଖାଇବା ଲାଗି ୩- ୪ ଦିନ ଖରାରେ ରଖାଯାଏ

ସୂକ୍ଷ୍ମ କାର୍ଯ୍ୟ ନିମନ୍ତେ ଏକ ରଙ୍ଗମରା ବ୍ରସ୍ ଏବଂ ବାଉଁଶ ତିଆରି ମୂର୍ତ୍ତିଗଢ଼ା ଉପକରଣ ବ୍ୟବହୃତ ହୁଏ

ପାଖରେ ଥିବା ଅନ୍ୟ ଏକ କାର୍ଯ୍ୟଶାଳାରେ ମୂର୍ତ୍ତିରେ ତ୍ୱଚାର ରୂପ ଫୁଟାଇବାକୁ ସରୁ ତଉଲିଆ ଭଳି ପଦାର୍ଥ ବ୍ୟବହାର କରନ୍ତି ଗୋପାଲ ପଲ୍

ଶେଷରେ, ମହାଳୟାର ଶୁଭ ଅବସରରେ ମା’ ଦୁର୍ଗାଙ୍କ ଚକ୍ଷୁ ଚିତ୍ରଣ କରାଯିବା ସହିତ ମୃଣ୍ମୟ ପ୍ରତିମାରେ ପ୍ରାଣ ସଞ୍ଚାରିତ ହୁଏ
ଦେଖନ୍ତୁ:‘ ଯାତ୍ରାପଥରେ କୁମାରତୁଲି’ ଫଟୋ ଆଲବମ୍
ଏହି ଭିଡିଓ ଏବଂ ଲେଖା ସିଞ୍ଚିତା ମାଜିଙ୍କ ୨୦୧୫- ୨୦୧୬ ପରୀ ଫେଲୋସିପ୍ ର ଅଂଶ ରୂପେ ପ୍ରସ୍ତୁତ ହୋଇଥିଲା
ଅନୁବାଦ: ଓଡ଼ିଶାଲାଇଭ୍