ଅସ୍ତବ୍ୟସ୍ତ, ଅପରିଷ୍କାର ଏବଂ ଛିନଛତ୍ର - ସବୁ ପ୍ରକାର ଜିନିଷ କୁପ୍ପାପୁରମ୍ ହ୍ରଦ କୂଳରେ ପଡ଼ିରହିଛି । ଏପରିକି ବ୍ୟାଙ୍କ୍ର ଜିନିଷପତ୍ର ମଧ୍ୟ ।
ହ୍ରଦଠାରୁ ମାତ୍ର ୮-୧୦ଫୁଟ୍ ଦୂରତାରେ ଥିବା କୁଟ୍ଟମଙ୍ଗଳମ୍ ସେବା କୋଅପରେଟିଭ୍ ବ୍ୟାଙ୍କ୍ କେରଳର ଅଗଷ୍ଟ ବନ୍ୟା ପରେ ହୋଇଥିବା ପ୍ରଳୟରୁ ନିଜକୁ ଉଦ୍ଧାର କରୁଛି । ଯେଉଁ ଜଳସ୍ରୋତ ତାଙ୍କ ଏହି ବ୍ରାଞ୍ଚରେ ପାଣି ଭର୍ତ୍ତି କରିଦେଇଥିଲା, ତାହାରି କୂଳରେ ଏହାର ଜିନିଷପତ୍ର ଗଦା ହୋଇ ରହିଛି । କୈନାକରି ପଞ୍ଚାୟତର ସମସ୍ତେ ଏହା କରୁଛନ୍ତି । କାରଣ ନିଜ ଜିନିଷ ଶୁଖାଇବା ପାଇଁ ଅନ୍ୟ କୌଣସି ସ୍ଥାନ ନାହିଁ । ତେବେ ବ୍ୟାଙ୍କ୍ର ଜିନିଷପତ୍ର ମଧ୍ୟରେ ରହିଛି ଲେଜର, ଫାଇଲ୍, ବିଭିନ୍ନ ଡିଡ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ।
ଯେତେବେଳେ ଆମେ ଚାରିଆଡ଼କୁ ଦେଖୁ, ଆମେ ଆଶା କରୁଯେ ସବୁ ବ୍ୟାଙ୍କ୍ର ରେକର୍ଡ କମ୍ପ୍ୟୁଟରୀକୃତ ହୋଇଥିବ । କମ୍ପ୍ୟୁଟର୍ ଶୁଖା ଯାଉଥିବା ଏବଂ ସଫା କରାଯାଉଥିବାର ଦୃଶ୍ୟ କେବେ ବି ଆଶ୍ୱସ୍ତିକାରକ ନୁହେଁ । ଆଲପୂଜା ଜିଲ୍ଲାର ଏହି ତଳୁଆ କୁଟ୍ଟନାଦ ଅଞ୍ଚଳ ସମୁଦ୍ର ପତନରୁ ପ୍ରାୟ ତଳେ ରହିଛି । ଗତ ଅଗଷ୍ଟ ମାସରେ ବର୍ଷା ଏବଂ କୂଳ ଲଙ୍ଘିଥିବା ନଦୀଗୁଡ଼ିକ ଯୋଗୁ ହୋଇଥିବା ବନ୍ୟା କାରଣରୁ ୧୦ ହଜାର ଲୋକଙ୍କୁ ଅନ୍ୟ ସ୍ଥାନରେ ଥିବା ରିଲିଫ୍ କ୍ୟାମ୍ପକୁ ନିଆଯାଇଥିଲା । ପ୍ରାୟ ଦୁଇ ସପ୍ତାହ କିମ୍ବା ଏହାଠାରୁ ଅଧିକ ଦିନପରେ ଅଧିକାଂଶ ଲୋକେ ନଷ୍ଟ ହୋଇଯାଇଥିବା ଘରକୁ ଫେରିଗଲେ । କେତେକଙ୍କ ଘରେ ସେତେବେଳେ ବି ପାଣି ଥିଲା ।
ବ୍ୟାଙ୍କର କ୍ୟାସିୟର ଗିରିଶ କୁମାର ଏଚ୍ କୁହନ୍ତି, “ପାଣି ଆମ ଅଟ୍ଟାଳିକାର ସାମ୍ନା କବାଟ ସ୍ତର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ସବୁକିଛି ଏହା ଭିତରେ ଭାସିଗଲା ଏବଂ ବୁଡ଼ିଗଲା । ବ୍ୟାଙ୍କର ଭଲ୍ଟ ଅଧିକ ତଳସ୍ତରରେ ଥିଲା, ଅଧା ବେସ୍ମେଣ୍ଟ ପରି ସ୍ଥାନରେ, ଏହା ପରିସ୍ଥିତିକୁ ଆହୁରି ଖରାପ କରିଦେଲା । ଭଲ୍ଟର କବାଟ ଜାମ୍ ହୋଇ ଆଗକୁ ଯାଉନଥିଲା, ଅଧା ଖୋଲା ଅବସ୍ଥାରେ ଥିଲା । ଏହା ଭିତରେ ଦୁଇଟି ପୁରୁଣାକାଳିଆ କାଷ୍ଟ୍ ଆଇରନ୍ ସେଫ୍ ପାଣିରେ ରହିବା ଯୋଗୁ କଳଙ୍କି ଏବଂ ଅନ୍ୟାନ୍ୟ ଦାଗ ହୋଇଥିଲା ।
କୈନାକାରୀ ଗାଁର କେନାଲ କୂଳରେ ଲୋକମାନେ କ’ଣ ସଫା କରିବା ଏବଂ ଶୁଖାଇବା ପାଇଁ ରଖିଛନ୍ତି ତାହା ଦେଖିବାକୁ ଆମେ ଧୀରେ ଧୀରେ ଚାଲୁଥିଲୁ । ଆସବାବପତ୍ର, ଗଦି, ରେଫ୍ରିଜେରେଟର, ସ୍କୁଲ ବହି, ପିଲାଙ୍କ ହୋମ୍ ୱାର୍କ, କମ୍ବଳ । ଏଠି ଗୋଟେ ବାଇବେଲ୍, ସେଠି ଗୋଟେ ଭଗବତ ଗୀତା- ଏପରିକି ଗୋଟେ କିଷାନ କ୍ରେଡିଟ୍ କାର୍ଡ ।
କିନ୍ତୁ ଏସବୁ ଅସ୍ତବ୍ୟସ୍ତତା ପ୍ରତି ଏକ ଶାନ୍ତ ନମନୀୟ ମନୋଭାବ ଥିଲା । ସମସ୍ତେ ଏ ସବୁ ଅସ୍ତବ୍ୟସ୍ତତାକୁ ସଜାଡ଼ି ଜୀବନକୁ ଆଗେଇ ନେବାକୁ ଲାଗିଥିଲେ । ବ୍ୟାଙ୍କ୍ ଭିତରେ ଏହାର କର୍ମଚାରୀମାନେ ମଧ୍ୟ ସବୁକିଛିକୁ ସଜାଡ଼ିବା ପାଇଁ ଏବଂ ବ୍ୟବସ୍ଥିତ କରିବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିଥିବେ । ସେମାନେ ପାଣିକୁ ଭଲ୍ଟସ୍ତରରୁ ସଫା କରିଦେଇଥିଲେ । ଅନେକ ଲେଜର୍ ଏବଂ ରେକର୍ଡ ଶୁଖାଇ ଦେଇଥିଲେ । ଅଫିସ୍ ଦେଖାଯିବା ଭଳି ଅବସ୍ଥାକୁ ଆସିଯାଇଥିଲା । ଏହି ପରିସ୍ଥିତିରେ ସେମାନେ ସବୁଠାରୁ ଭଲ ଯାହା କରିପାରିଥାନ୍ତେ କରିଥିଲେ । ଅନେକ ଫାଇଲ୍ ଏବଂ ଲେଜର୍ରୁ ଦୁର୍ଗନ୍ଧ ବାହାରୁଥିଲା । ଏଗୁଡ଼ିକ ଉପରେ ଫିମ୍ପି ଏବଂ କାଦୁଅ ଲାଗିଥିବା ଦେଖାଯାଉଥିଲା ।
ଏହି ବନ୍ୟା ସମୟରେ ବ୍ୟାଙ୍କର କର୍ମଚାରୀମାନେ ଯାହା କରିପାରିବା କଥା, ତାହା କରିଥିଲେ । ସେମାନେ ୫.୫ କେଜି ସୁନା, ଅନେକ ନଗଦ ଟଙ୍କା ଏବଂ ବିଭିନ୍ନ ସମ୍ପତ୍ତିର ମାଲିକାନା ନଥିପତ୍ର ଆଦି ଆଲାପୁଝା ସହର ସ୍ଥିତ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ । ବ୍ୟାଙ୍କର ଅଧ୍ୟକ୍ଷ ପି.ଜି. ସନଲ୍ କୁମାର ମୋର ସହକର୍ମୀ (ଏବଂ ପରି ସହଯୋଗୀ ) ଶଶି କୁମାର ଭି. ଙ୍କୁ ଫୋନ୍ରେ କହିଥିଲେ ଯେ, ସେମାନଙ୍କର ସମସ୍ତ ଆକାଉଣ୍ଟ ଏବଂ ଅନ୍ୟ ମୂଲ୍ୟବାନ ଦସ୍ତାବିଜ୍ର ବ୍ୟାକ୍ ଅପ୍ ଅଛି ଏବଂ ସେଗୁଡ଼ିକ ବେଙ୍ଗାଲୁରୁରେ ଏକ ସର୍ଭର୍ରେ ସୁରକ୍ଷିତ ଭାବରେ ରହିଛି ।
ଏହା ଜାଣି ଭଲ ଲାଗିଲା । ବିଶେଷକରି ଯେତେବେଳେ ଆଉ ଏକ ପର୍ଯ୍ୟାୟର ଭୀଷଣ ବର୍ଷାର ଆଶଙ୍କା କେରଳ ପ୍ରତି ରହିଛି ।

ବନ୍ୟା ପରେ ଯେଉଁମାନେ କଷ୍ଟକର ସଫେଇ କାମ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୁଟ୍ଟମଙ୍ଗଳମ୍ ସର୍ଭିସ୍ କୋ-ଅପରେଟିଭ୍ ବ୍ୟାଙ୍କର କ୍ୟାସିୟର୍ ଗିରୀଶ କୁମାର।

ଖୋଲା ଷ୍ଟିଲ୍ ଥାକଗୁଡ଼ିକର ଉପର ସ୍ତରରେ ରଖାଯାଇଥିବା ଅସଂଖ୍ୟ ଲେଜର୍ ଏବଂ ଫାଇଲ୍ ଏବେ ବି ଶୁଖାଯାଉଛି ।

ବ୍ୟାଙ୍କ୍ର ଭଲ୍ଟରେ ଥିବା ଏହି ଦୁଇ ଆଇରନ୍ ସେଫ୍ ପାଣି ତଳେ ସେମାନଙ୍କର ଦିନଗୁଡ଼ିକର ପ୍ରଭାବ ସମ୍ପର୍କରେ ଦୃଶ୍ୟମାନ ସୂଚନା ପ୍ରଦାନ କରୁଛନ୍ତି ।

ଏହି ପୁରୁଣା ଲେଜର୍ ଗୁଡ଼ିକ ଉପରେ ଫିମ୍ପି ଓ ଶିଉଳି ନିଜର ଛାପ ଛାଡ଼ିଛନ୍ତି ।



ହ୍ରଦ ଠାରୁ ମାତ୍ର କେଇ ଫୁଟ୍ ଦୂରତାରେ ଷ୍ଟିଲ୍ ଡ୍ରୟାର୍ରେ ଭର୍ତ୍ତି ହୋଇ , ରାକ୍ ଉପରେ ଥାକରେ ରଖାଯାଇ ଦସ୍ତାବିଜ୍ , ଫାଇଲ୍ , ବହି ଏବଂ ରେକର୍ଡ଼ ଆଦି ଶୁଖାଯାଉଛି ।

କୈନାକାରୀର ଜଣେ ବାସିନ୍ଦା ବ୍ୟାଙ୍କ ଠାରୁ ଅନତି ଦୂରରେ କେନାଲ କୂଳରେ ଜମା ହୋଇଥିବା ଘରୋଇ ଜିନିଷର ଗଦା ପାର୍ଶ୍ଵ ଦେଇ ସ୍ୱାଭାବିକ ଭାବରେ ନୌକାରେ ପେଡ଼ାଲ୍ ମାରି ଅତିକ୍ରମ କରୁଛନ୍ତି ।

ସୂର୍ଯ୍ୟଙ୍କ ସହ ଦିନ କଟାଉଛି ଗୋଟିଏ କିସାନ୍ କ୍ରେଡ଼ିଟ୍ କାର୍ଡ଼। ପାଖରେ ଗୋଟିଏ ବାଇବେଲ୍ ଏବଂ ଗୋଟିଏ ଭଗବତ୍ ଗୀତା ମଧ୍ୟ ତାହା ହିଁ କରୁଛନ୍ତି ।

ସମୁଦ୍ର ପତ୍ତନରୁ ତଳେ ଥିବା ଏହି ଅଞ୍ଚଳରରେ ଅନ୍ୟ ଜଣେ ବାସିନ୍ଦା କେନାଲରୁ ହ୍ରଦ ଆଡ଼କୁ ଡଙ୍ଗା ବାହି ନେଉଥିବା ବେଳେ ଘରୋଇ ଆସବାବ ପତ୍ରର ଏହି ବିଶାଳ ଗଦାକୁ ଦେଖୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍