‘‘ଏହା ରୋଷେଇ ଘରୁ ଆରମ୍ଭ ହୋଇଥିଲା,’’ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଯୋଶୀମଠ ସହରର ଜଣେ ବାସିନ୍ଦା ଅଜିତ ରାଘବ ୩ ଜାନୁଆରୀ, ୨୦୨୩ର ସକାଳେ ଘଟିଥିବା ଆକସ୍ମିକ ଘଟଣା ସମ୍ପର୍କରେ ମନେ ପକାଇ କୁହନ୍ତି।
୩୭ ବର୍ଷ ବୟସ୍କ ଏହି ଜିପ ଟାକ୍ସି ଡ୍ରାଇଭର କୁହନ୍ତି ପ୍ରଥମେ ରୋଷେଇ ଘରେ ଫାଟ ଦେଖିବାକୁ ମିଳିଥିଲା ଏବଂ ଧୀରେ ଧୀରେ ଏହା ତାଙ୍କ ଘରର ଅନ୍ୟ ସ୍ଥାନକୁ ବ୍ୟାପି ଯାଇଥିଲା। ତାଙ୍କର ସାଧାରଣ ଦୁଇ ମହଲା ବିଶିଷ୍ଟ ଘରେ ଅଳ୍ପ ଫାଟ ଥିବା ଏକମାତ୍ର କୋଠରୀକୁ ତୁରନ୍ତ ସେମାନେ ରୋଷେଇ ଘର ଭାବେ ପରିଣତ କରି ଦେଇଥିଲେ। ତାଙ୍କର ଆଠ ଜଣିଆ ପରିବାର ପାଇଁ ହଠାତ୍ ସ୍ଥାନାଭାବ ଦେଖା ଦେଇଥିଲା।
‘‘ଆମର ଦୁଇ ବଡ଼ ଝିଅ ଐଶ୍ୱର୍ଯ୍ୟା (୧୨) ଏବଂ ସୃଷ୍ଟି (୯) ଙ୍କୁ ମୁଁ ମୋର ବଡ଼ ଭଉଣୀ ଘରକୁ ପଠାଇ ଦେଇଥିଲି,’’ ରାଘବ କୁହନ୍ତି। ପରିବାରର ଅବଶିଷ୍ଟ ସଦସ୍ୟ - ରାଘବ, ତାଙ୍କର ପତ୍ନୀ ଗୌରୀ ଦେବୀ, ଛଅ ବର୍ଷର ଝିଅ ଆୟେଶା ଏବଂ ଦୁଇ ବୟସ୍କ ଖୁଡ଼ି - ଏଠାରେ ଭୋଜନ କଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ନିକଟରେ ଥିବା ସଂସ୍କୃତ ମହାବିଦ୍ୟାଳୟ ସ୍କୁଲରେ ଆଶ୍ରୟ ନେବାକୁ ପଡ଼ିଥିଲା। ଏହି ସ୍ଥାନକୁ ଯୋଶୀମଠର ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା। ପ୍ରାୟ ୨୫-୩୦ ବିସ୍ଥାପିତ ପରିବାର ସେଠାରେ ରହିବାକୁ ଆସିଥିଲେ।
ଜାନୁଆରୀ ୨୧, ୨୦୨୩ରେ ଚାମୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବୁଲେଟିନ ରେ ଯୋଶୀମଠର ନଅଟି ୱାର୍ଡରେ ଥିବା ୧୮୧ଟି ଘରକୁ ଅସୁରକ୍ଷିତ ଭାବେ ଘୋଷଣା କରାଯାଇଛି ଏବଂ ୮୬୩ଟି କୋଠାରେ ଫାଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ରାଘବ ନିଜ ପଡ଼ୋଶୀଙ୍କ ଘରେ ସୃଷ୍ଟି ହୋଇଥିବା ଫାଟ ପରୀକୁ ଦେଖାଇ ଦେଇଥିଲେ। ଅବିଚାରିତ ବିକାଶ ଯୋଗୁଁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିବା ବିଷୟରେ ମତବ୍ୟକ୍ତ କରି ସେ କହିଥିଲେ, ‘‘ଏଠାକାର ପ୍ରତ୍ୟେକ ଘରେ ଯୋଶୀମଠର ଏକ କାହାଣୀ ରହିଛି।’’
ରାଘବ କୁହନ୍ତି, ୩ ଜାନୁଆରୀ ୨୦୨୩ରେ ଯୋଶୀମଠରେ ଥିବା କୋଠାଗୁଡ଼ିକର କାନ୍ଥ, ଛାତ, ଚଟାଣ ଫାଟିବା ଆରମ୍ଭ ହୋଇଥିଲା। ମାତ୍ର କିଛି ଦିନ ମଧ୍ୟରେ ଏହା ଏକ ଗମ୍ଭୀର ସଙ୍କଟରେ ପରିଣତ ହୋଇଥିଲା। ସେହି ସମୟରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧୀନ ରାଷ୍ଟ୍ରୀୟ ଦୂର ସମ୍ବେଦନ କେନ୍ଦ୍ର (ଏନଆରଏସସି) ଜାରି ହୋଇଥିବା କେତେକ ଚିତ୍ରରେ ଯୋଶୀମଠର ଭୂମି ତଳକୁ ଦବିଥିବା ଦେଖାଯାଇଥିଲା। ଡିସେମ୍ବର ୨୦୨୨ ଶେଷଠାରୁ ଜାନୁଆରୀ ୨୦୨୩ ମଧ୍ୟରେ ୫.୪ ସେଣ୍ଟିମିଟର ଧସିଥିଲା। ଏବେ କିନ୍ତୁ ଏନଆରଏସସି ୱେବସାଇଟ୍ରେ ଫଟୋ ଦେଖିବାକୁ ମିଳୁନାହିଁ।
ରାଘବ ରହୁଥିବା ସିଂହଦାର ୱାର୍ଡରେ, ୧୫୧ଟି କୋଠାରେ ଫାଟ ଥିବା ସ୍ପଷ୍ଟ ଭାବେ ଦେଖାଯାଉଛି; ୯୮ଟି କୋଠା ଅସୁରକ୍ଷିତ ଜୋନ୍ରେ ରହିଛି। ଏସବୁ ବସବାସ ଅନୁପଯୋଗୀ ଏବଂ ଅସୁରକ୍ଷିତ ବୋଲି ଦର୍ଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ କୋଠାରେ ଲାଲ ରଙ୍ଗର ଛକି ମାରି ଚିହ୍ନିତ କରାଯାଇଛି।


ବାମ : ଅଳ୍ପ ଫାଟ ଥିବା କୋଠରୀକୁ ଏହି ପରିବାର ଅସ୍ଥାୟୀ ରୋଷେଇ ଘରରେ ପରିଣତ କରି ଦେଇଛନ୍ତି। ଡାହାଣ : ପୋଷାକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ସୁଟ୍କେସରେ ଗଦା ହୋଇ ରହିଛି, ସ୍ଥାନାନ୍ତର ହେବା ଲାଗି ଏହା ପ୍ରସ୍ତୁତ


ବାମ : ଜଣେ ପଡ଼ୋଶୀ ମହିଳା ନିଜ ଛାତ ଉପରେ ଛିଡ଼ା ହୋଇ ଗୌରୀ ଦେବୀ (ଫଟୋରେ ନାହାନ୍ତି)ଙ୍କ ସହିତ କଥା ହେଉଛନ୍ତି; ରାଘବ ଓ ତାଙ୍କ ଝିଅ ଆୟେଶା ସେମାନଙ୍କ ଘର ଆଗରେ ଛିଡ଼ା ହୋଇଛନ୍ତି। ଡାହାଣ : ଚାମୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଗୌରୀ ଦେବୀ
ରାଘବ ସାରା ଜୀବନ ଏଇଠି ବିତାଇଛନ୍ତି, ବିପଦପୂର୍ଣ୍ଣ ବୋଲି ଦର୍ଶାଇ ତାଙ୍କ ଘରେ ନାଲି ରଙ୍ଗର ଛକି ଚିହ୍ନ ନ ଲାଗୁ, ଏଥିପାଇଁ ସେ ବହୁ ଚେଷ୍ଟା କରିଥିଲେ। ‘‘ମୁଁ ପୁଣିଥରେ ଏଠାକୁ ଆସି ମୋ ଛାତ ଉପର ଖରାରେ ବସିବାକୁ ଚାହୁଁଛି ଓ ପାହାଡ଼କୁ ଟିକିଏ ଦେଖିବାକୁ ଚାହୁଁଛି,’’ ସେ କୁହନ୍ତି । ପିଲାଦିନୁ ଏଠାରେ ସେ ନିଜର ମାତାପିତା ଓ ବଡ଼ ଭାଇଙ୍କ ସହ ରହି ଆସିଛନ୍ତି । ସେମାନେ ସମସ୍ତେ ଏବେ ଆରପାରିକୁ ଚାଲିଗଲେଣି।
‘‘ନାଲି ଛକିର ଅର୍ଥ ହେଉଛି କର୍ତ୍ତୃପକ୍ଷ (ଚାମୋଲି ଜିଲ୍ଲା ପ୍ରଶାସନ) ସେହି ସ୍ଥାନକୁ ସିଲ୍ କରିଦେବା। ଏହାର ଅର୍ଥ ଲୋକମାନେ ସେମାନଙ୍କ ଘରକୁ ଫେରି ଆସିପାରିବେ ନାହିଁ,’’ ସେ କୁହନ୍ତି।
ରାତି ହୋଇଗଲାଣି ଏବଂ ପରିବାର ଲୋକମାନେ ସେମାନଙ୍କ ରାତ୍ରିଭୋଜନ ଶେଷ କରିସାରିଲେଣି। ରାଘବଙ୍କ ଖୁଡ଼ି ସେମାନଙ୍କ ଅସ୍ଥାୟୀ ଘର - ସ୍କୁଲ- ଶୋଇବାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ସେମାନଙ୍କ ଘରେ ସବୁ ଜିନିଷ ଏପଟସେପଟ ହୋଇପଡ଼ିଛି: ଏକ ଖୋଲା ସୁଟକେସ ଉପରେ କପଡ଼ା ଗଦା ହୋଇଛି, ମୂଲ୍ୟବାନ ଧାତୁର ଆଲମାରୀକୁ ଖାଲି କରି ଦିଆଯାଇଛି । କାନ୍ଥ ପାଖରୁ ଫ୍ରିଜକୁ ଘୁଞ୍ଚାଇ ଦିଆଯାଇଛି ଏବଂ ପରିବାର ଲୋକଙ୍କ ଜିନିଷପତ୍ର, ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁସନରେ ଭର୍ତ୍ତି ଛୋଟ ଛୋଟ ବ୍ୟାଗ ଓ ପେଟିଗୁଡ଼ିକୁ ଏଣେତେଣେ ଥୁଆ ହୋଇଛି, ସେଗୁଡ଼ିକୁ ଅନ୍ୟତ୍ର ନେଇଯିବା ପାଇଁ ପ୍ରସ୍ତୁତ ରଖାଯାଇଛି।
‘‘ମୋ ପାଖରେ (କେବଳ) ୨,୦୦୦ ଟଙ୍କାର ଖଣ୍ଡେ ନୋଟ୍ ଅଛି, ସେଥିରେ ଗୋଟିଏ ଟ୍ରକ କରି ମୋର ସବୁ ଜିନିଷପତ୍ର ବୋହି ନେବା ସମ୍ଭବ ନୁହେଁ,’’ ରାଘବ ଏଣେତେଣେ ଚାହିଁ କୁହନ୍ତି।


ବାମ : ରାଘବ ଓ ଆୟେଶା ସେମାନଙ୍କ ଘର ପାଖରେ ଛିଡ଼ା ହୋଇ ଚଟାଣରେ ଥିବା ଫାଟ ଅନୁଧ୍ୟାନ କରୁଛନ୍ତି। ରାଘବ କୁହନ୍ତି, ‘ଯୋଶୀମଠର ସବୁଆଡ଼େ ମୋ ଭଳି ପରିସ୍ଥିତି ଦେଖିବାକୁ ମିଳିଛି।’ ଡାହାଣ : ପ୍ରଶାସନ ପକ୍ଷରୁ ସିଲ୍ ହୋଇଥିବା ବିପଦପୂର୍ଣ୍ଣ ଘରେ ଲାଲ ରଙ୍ଗର ଛକି ଚିହ୍ନ ଦିଆଯାଇଛି ଏବଂ ଏହାର ବାସିନ୍ଦାମାନଙ୍କୁ ଉଦ୍ଧାର କରାଯାଇ ସାରିଛି


ରାଘବ ଓ ଆୟେଶା ସେମାନଙ୍କ ଘର ଛାତ ଉପରେ ଛିଡ଼ା ହୋଇଛନ୍ତି। ‘ମୁଁ ପୁଣିଥରେ ଏଠାକୁ ଆସି ନିଜ ଛାତ ଉପରେ ଖରାରେ ବସିବା ଏବଂ ପାହାଡ଼କୁ ଦେଖିବା ଲାଗି ଚାହୁଁଛି’। ଡାହାଣ : ଯୋଶୀମଠ ସହର ଏବଂ ଆଖପାଖ ପାହାଡ଼ର ଏକ ଦୃଶ୍ୟ ଯେଉଁଠି ଭୂତଳ ଖନନ ଜାରି ରହିଛି
ଜିଲ୍ଲା କର୍ତ୍ତୃପକ୍ଷ ‘‘ଦୁଇ ଦିନ ମଧ୍ୟରେ ଘର ଖାଲି କରିବାକୁ ମାଇକରେ କହିଯାଇଛନ୍ତି’’, ବୋଲି ରାଘବଙ୍କର ପତ୍ନୀ ଗୌରୀ ତାଙ୍କୁ ମନେ ପକାଇ ଦେଇଥାନ୍ତି।
ଏହାର ଉତ୍ତରରେ ସେ କୁହନ୍ତି, ‘‘ମୁଁ ଯୋଶୀମଠ ଛାଡ଼ିବି ନାହିଁ। ମୁଁ ଅନ୍ୟ କେଉଁଠିକୁ ପଳାଇ ଯିବି ନାହିଁ। ଏହା ମୋର ପ୍ରତିବାଦ, ମୋର ଲଢ଼େଇ।’’
ତାହା ଥିଲା ଜାନୁଆରୀ ଦ୍ୱିତୀୟ ସପ୍ତାହର କଥା।
*****
ଏହାର ଗୋଟିଏ ସପ୍ତାହ ପରେ ୨୦ ଜାନୁଆରୀ ୨୦୨୩ରେ ରାଘବ ଦୁଇ ଜଣ ଦିନ ମଜୁରିଆଙ୍କୁ ଆଣିବା ପାଇଁ ଯାଇଛନ୍ତି। ଗୋଟିଏ ରାତି ପୂର୍ବରୁ ମାମଲା ବିଗିଡ଼ି ଯାଇଥିଲା କାରଣ ଯୋଶୀ ମଠରେ ଭାରୀ ହିମପାତ ହୋଇଥିଲା, ଅସ୍ଥିର ଘର ଥିବା ଲୋକଙ୍କ ଚିନ୍ତାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିଲା। ଅପରାହ୍ଣ ୧ଟା ବେଳକୁ ମଜୁରିଆମାନେ କାମରେ ଲାଗିଯାଇଛନ୍ତି ଏବଂ ଘରେ ଥିବା ଓଜନିଆ ସାମଗ୍ରୀ ଯେପରିକି ଖଟ ଓ ଫ୍ରିଜ ଆଦିକୁ ସଂକୀର୍ଣ୍ଣ ଗଳିରେ ବୋହି ନେଇ ଏକ ଟ୍ରକରେ ଲଦୁଛନ୍ତି।
‘‘ବରଫ ପଡ଼ିବା ବନ୍ଦ ହୋଇଯାଇଛି କିନ୍ତୁ ରାସ୍ତା ଓଦା ଓ ଖସଡ଼ା ଅଛି। ଆମେ ପଡ଼ିଯାଉଛୁ,’’ ରାଘବ ଫୋନ୍ରେ କହୁଛନ୍ତି। ‘‘ଆମର ଜିନିଷପତ୍ର ବୋହି ନେବାରେ ସମସ୍ୟା ଦେଖା ଦେଇଛି।’’ ସେ ତାଙ୍କ ପରିବାର ଲୋକମାନଙ୍କୁ ନେଇ ପ୍ରାୟ ୬୦ କିଲୋମିଟର ଦୂର ନନ୍ଦପ୍ରୟାଗ ସହରକୁ ଯାଉଛନ୍ତି। ସେଠାରେ ଏକ ଭଡ଼ା ଘରେ ରହିବାର ଯୋଜନା ଅଛି, ଯେଉଁଠି ତାଙ୍କ ଭଉଣୀ ମଧ୍ୟ ରୁହନ୍ତି।
ବରଫର ମୋଟା ଆସ୍ତରଣ ଯୋଶୀମଠର ସବୁ ଘରକୁ ଢାଙ୍କି ଦେଇଥିବା ସତ୍ତ୍ୱେ ବିପଦସଙ୍କୁଳ ଘରେ ଫାଟ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦେଖାଯାଉଛି, ଏପରିକି ବାହାର କାନ୍ଥରେ ଚିହ୍ନିତ ହୋଇଥିବା ଲାଲ ରଙ୍ଗର ଛକି ଚିହ୍ନ ମଧ୍ୟ। ଏଠାକାର ସଂଖ୍ୟାଧିକ ଘର, ଦୋକାନ ଏବଂ ପ୍ରତିଷ୍ଠାନର ମୂଳଦୁଆରେ ମଧ୍ୟ ଫାଟ ଦେଖା ଯିବା ପରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ଉଦ୍ଧାର କରି ଅଣାଯାଇଛି।


ବାମ : ରଞ୍ଜିତ ସିଂ ଚୌହାନ ଯୋଶୀମଠ ସ୍ଥିତ ନିଜର ଘର ବାହାରେ ଛିଡ଼ା ହୋଇଛନ୍ତି ଯାହାକୁ ରହିବା ଲାଗି ଅନୁପଯୋଗୀ ବୋଲି ଦର୍ଶାଇ ଲାଲ ରଙ୍ଗର ଛକିରେ ଚିହ୍ନିତ କରାଯାଇଛି । ଡାହାଣ : ଯୋଶୀମଠର ମନୋହର ବାଗ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ନଷ୍ଟ ହୋଇଯାଇଥିବା ଏକ ଘର
ରଣଜୀତ ସିଂ ଚୌହାନ (୪୩) ସୁନୀଲ ୱାର୍ଡରେ ଥିବା ନିଜର ଦୁଇ ମହଲା ବିଶିଷ୍ଟ ବରଫ ଆଚ୍ଛାଦିତ ଘରେ ଛିଡ଼ା ହୋଇଛନ୍ତି, ସେଥିରେ ମଧ୍ୟ ରେଡ୍ କ୍ରସ ଚିହ୍ନ ରହିଛି। ସିଂହଙ୍କୁ ତାଙ୍କ ପତ୍ନୀ ଏବଂ ତିନି ଜଣ ପିଲାଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲରେ ଅସ୍ଥାୟୀ ଆଶ୍ରୟ ଦିଆଯାଇଛି। ସେମାନଙ୍କର ଅଧିକାଂଶ ସାମଗ୍ରୀ ସେହି ଘର ଭିତରେ ରହିଛି। ବରଫପାତ ସତ୍ତ୍ୱେ, ସିଂହ ସବୁଦିନ ତାଙ୍କ ଘରକୁ ଆସି ଜିନିଷପତ୍ର ଦେଖି ଯାଉଛନ୍ତି। ସେସବୁ ଚୋରି ହୋଇଯିବାର ଆଶଙ୍କା ରହିଛି।
‘‘ମୁଁ ମୋ ପରିବାର ଲୋକଙ୍କୁ ନେଇ ଡେରାଡୁନ୍ କିମ୍ବା ଶ୍ରୀନଗର - କୌଣସି ଏକ ନିରାପଦ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବି,’’ ସେ କୁହନ୍ତି। ବଦ୍ରିନାଥରେ ଚୌହାନଙ୍କର ଏକ ହୋଟେଲ ରହିଛି। କେବଳ ଗ୍ରୀଷ୍ମ ଋତୁରେ ତାଙ୍କର ବ୍ୟବସାୟ ଚାଲିଥାଏ। ଏବେ ତାଙ୍କ ଭବିଷ୍ୟତ କ’ଣ ହେବ ସେ ଜାଣିନାହାନ୍ତି। କିନ୍ତୁ ସେ ଗୋଟିଏ କଥାକୁ ନେଇ ନିଶ୍ଚିନ୍ତ ଅଛନ୍ତି - ନିରାପଦ ରହିବାର ଆବଶ୍ୟକତା। ଇତିମଧ୍ୟରେ ୧୧ ଜାନୁଆରୀ, ୨୦୨୩ରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଘୋଷିତ ଦେଢ଼ ଲକ୍ଷ ଟଙ୍କାର ଅନ୍ତରୀଣ ରିଲିଫ ସହାୟତାକୁ ସେ ଅପେକ୍ଷା କରି ରହିଛନ୍ତି।
ଭୂସ୍ଖଳନର ଶିକାର ଏହି ହିମାଳୟ ସହରରେ ସବୁ ସ୍ଥାନରେ ଅର୍ଥାଭାବ ଦେଖା ଦେଇଛି। ରାଘବ କେବଳ ନିଜର ଘର ହରାଇବାକୁ ନେଇ ଦୁଃଖପ୍ରକାଶ କରୁନାହାନ୍ତି ବରଂ ଏଥିରେ ସେ ନିବେଶ କରିଥିବା ଅର୍ଥ ମଧ୍ୟ ତାଙ୍କ ହାତରୁ ଚାଲିଯାଇଛି। ‘‘ନୂଆ ଘର ତିଆରି କରିବା ପାଇଁ ମୁଁ ୫ ଲକ୍ଷ ଟଙ୍କା ନିବେଶ କରିଥିଲି। ମୁଁ ଆହୁରି ୩ ଲକ୍ଷ ଟଙ୍କା ଋଣ ନେଇଥିଲି ଯାହାକି ସୁଝିବାକୁ ବାକି ଅଛି,’’ ସେ କୁହନ୍ତି। ସେ ଆହୁରି କିଛି ଯୋଜନା ମଧ୍ୟ କରିଥିଲେ। ତାଙ୍କର ବାମ ଆଖିକୁ ଠିକ୍ ଭାବେ ଦେଖାଯାଉ ନଥିବାରୁ ଗାଡ଼ି ଚଳାଇବା ଛାଡ଼ି ସେ ଗ୍ୟାରେଜ୍ ଖୋଲିବାକୁ ଭାବୁଥିଲେ। ‘‘ସବୁ କିଛି ସରିଗଲା।’’
*****
ଏଭଳି କ୍ଷତି ପାଇଁ ଏକାଧିକ ବିକାଶମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ଦାୟୀ କରାଯାଉଛି। ବିଶେଷ କରି ନିକଟରେ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି)ର ତପୋବନ ବିଷ୍ଣୁଗଡ଼ ଜଳ ବିଦ୍ୟୁତ କାରଖାନା ପାଇଁ ସୁଡ଼ଙ୍ଗ ଖୋଳିବା ଯୋଗୁଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ, ଉତ୍ତରାଖଣ୍ଡରେ ପାଖାପାଖି ୪୨ ଟି କାର୍ଯ୍ୟକ୍ଷମ ଜଳବିଦ୍ୟୁତ ପ୍ରକଳ୍ପ ରହିଛି ଏବଂ ଆହୁରି କିଛି ପ୍ରକଳ୍ପ କାମ ଜାରି ରହିଛି। ଜଳବିଦ୍ୟୁତ ସହ ଜଡ଼ିତ ବର୍ତ୍ତମାନର ଯୋଶୀମଠ ବିପତ୍ତି ପ୍ରଥମ ନୁହେଁ।
ସହରରେ ଅନ୍ୟ ଲୋକମାନଙ୍କ ଭଳି, ରାଘବ ମଧ୍ୟ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ବାହାରେ ଏନଟିପିସି ବିରୋଧରେ ଆନ୍ଦୋଳନ କରିଥିଲେ। ପ୍ରଥମେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଅନୀତା ଲାମ୍ବା କୁହନ୍ତି, ‘‘ଆମର ଘର ବରବାଦ ହୋଇଯାଇଛି କିନ୍ତୁ ଆମର ସହର ଜନଶୂନ୍ୟ ହେବା ଉଚିତ୍ ନୁହେଁ।’’ ୩୦ ବର୍ଷରୁ ଅଧିକ ବୟସ୍କ ଏହି ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ଘରକୁ ଘର ବୁଲି ଲୋକମାନଙ୍କୁ ‘‘ଏନଟିପିସି ଓ ସେମାନଙ୍କର ବିନାଶକାରୀ ପ୍ରକଳ୍ପ ହଟାଇବାକୁ ଲଢ଼ିବା ପାଇଁ’’ ସଚେତନ କରାଉଛନ୍ତି।


ବାମ : ସୁଡ଼ଙ୍ଗ ଖୋଳିବା ଏବଂ ଭୂତଳ ଖନନକୁ ଭୂସ୍ଖଳନ ପାଇଁ ଦାୟୀ କରି ଲୋକମାନେ ଧାରଣାରେ ବସି ବିରୋଧ ପ୍ରଦର୍ଶନ କରୁଛନ୍ତି। ସ୍ଥାନୀୟ ଜଣେ ଡେଲିଭରୀ ଏଜେଣ୍ଟ ନିଜ ଗାଡ଼ି ପଛପଟେ ‘ଫେରିଯାଅ ଏନଟିପିସି’ ସ୍ଲୋଗାନ୍ ଲେଖିଛନ୍ତି। ଯୋଶୀମଠ ଏବଂ ଆଖପାଖ ଅଞ୍ଚଳର ମହିଳାମାନେ ସହରରେ ବିରୋଧ ପ୍ରଦର୍ଶନ କରୁଛନ୍ତି


ବାମ : ଠାକୁରଙ୍କ ଫଟୋ ଏବେ ସୁଦ୍ଧା ପ୍ୟାକିଂ ହୋଇନାହିଁ ଏବଂ ରାଘବ ଏକ ଚେୟାର ଉପରେ ଛିଡ଼ା ହୋଇ ପ୍ରାର୍ଥନା କରୁଛନ୍ତି। ଡାହାଣ : ଆୟେଶା ଚୁନ୍ୟାତ୍ୟାର ପର୍ବ ପାଇଁ ଚୁନି ରୁଟି ତିଆରି କରୁଥିବା ତାଙ୍କ ମା’ ଗୌରୀଙ୍କୁ ଚାହିଁଛନ୍ତି
୨୦୧୭ ମସିହାରେ ୱାଟର ଏଣ୍ଡ ଏନର୍ଜି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଥିବା ଏକ ସ୍ତମ୍ଭ ‘ହାଇଡ୍ରୋପାୱାର ଡେଭଲପମେଣ୍ଟ ଇନ ଉତ୍ତରାଖଣ୍ଡ ରିଜିଅନ୍ ଅଫ୍ ଇଣ୍ଡିଆନ ହିମାଲୟାଜ୍’ ରେ ଲେଖକ ସଞ୍ଚିତ ସରନ ଅଗ୍ରୱାଲ ଏବଂ ଏମ. ଏଲ କାଁସାଲ ଉତ୍ତରାଖଣ୍ଡରେ ଜଳବିଦ୍ୟୁତ ପ୍ରକଳ୍ପ କାରଣରୁ ଦେଖା ଦେଉଥିବା ପରିବେଶଗତ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ। ଆହୁରି, ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା ନିର୍ମାଣ କରାଯାଇଥିବା ଚାର ଧାମ ପ୍ରକଳ୍ପ ଏବଂ ହେଲାଙ୍ଗ ବାଇପାସ ପରିସ୍ଥିତିକୁ ଆହୁରି ଖରାପ କରି ଦେଇଛି।
ପରିବେଶ କର୍ମୀ ଅତୁଲ ସତୀ ଯୋଶୀମଠରେ ଆଉ ଏକ ଆନ୍ଦୋଳନ କରିଥିଲେ। ସେ କୁହନ୍ତି ଯେ, ବଦ୍ରିନାଥ ତୀର୍ଥସ୍ଥଳୀକୁ ଲୋକପ୍ରିୟ କରିବା ଲାଗି ପ୍ରୟାସକ୍ରମେ ଅନେକ ହୋଟେଲ ଓ ବାଣିଜ୍ୟିକ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଫଳରେ ଭୂମି ଉପରେ ଚାପ ପଡ଼ୁଛି । ପ୍ରମୁଖ ଧାର୍ମିକ ପୀଠ ବଦ୍ରିନାଥ ଯାତ୍ରା କରିବା ଲାଗି ଯୋଶୀମଠ ସହର ଏକ ପ୍ରାରମ୍ଭିକ ସ୍ଥାନ। ଏହା ମଧ୍ୟ ଦୁଃସାହସିକ ପାର୍ବତ୍ୟ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୋଇଥାଏ। ୨୦୨୧ରେ, ଉଭୟ ସହରକୁ ୩.୫ ଲକ୍ଷ ପର୍ଯ୍ୟଟକ ଆସିଥିଲେ, ଯାହାକି ଯୋଶୀମଠର ଜନସଂଖ୍ୟା (୨୦୧୧ ଜନଗଣନା) ଠାରୁ ଦଶ ଗୁଣ ଅଧିକ।
*****
ରାଘବ ଚେୟାର ଉପରେ ରଖିଥିବା ଧୂପ ଷ୍ଟାଣ୍ଡରେ ତିନୋଟି ଧୂପ ଜଳୁଛି। ସେଗୁଡ଼ିକର ବାସ୍ନା ଛୋଟିଆ କୋଠରୀରେ ଖେଳିଯାଇଛି।
ସେମାନଙ୍କ ସବୁ ସାମଗ୍ରୀ ପ୍ୟାକିଂ ହେଉଛି, କିନ୍ତୁ ଦେବତା ଓ ଖେଳନା ସାମଗ୍ରୀରେ ହାତ ମରା ହୋଇନାହିଁ। ନିରାଶା ଏବଂ ଅନିଶ୍ଚିତ ଭବିଷ୍ୟତକୁ ନେଇ ଶଙ୍କାଗ୍ରସ୍ତ ହୋଇ ପଡ଼ିଥିବା ସତ୍ତ୍ୱେ ତାଙ୍କ ପରିବାର ଚୁନ୍ୟାତ୍ୟାର ପାଳନ କରିବା ଯୋଜନାରେ ରହିଛି। ଶୀତ ଋତୁ ଶେଷ ହେବାର ସଙ୍କେତ ଦେଉଥିବା ଏହା ଏକ କୃଷିଭିତ୍ତିକ ପର୍ବ। ଚୁନି ରୋଟି ଏକ ପ୍ରକାରର ରୁଟି ଯାହାକୁ ଲୋକମାନେ ଏହି ପର୍ବ ସମୟରେ ତିଆରି କରି ଖାଇଥାନ୍ତି।
ସନ୍ଧ୍ୟାର
କ୍ଷୀଣ ଆଲୋକରେ ଆୟେଶା ତାଙ୍କ ବାପାଙ୍କର ସ୍ଲୋଗାନକୁ ଦୋହରାଉଛନ୍ତି :
‘‘ଚୁନି ରୋଟି
ଖାୟେଙ୍ଗେ, ଯୋଶୀମଠ ବଚାୟେଙ୍ଗେ (ଚୁନି ରୋଟି
ଖାଇବୁ; ଯୋଶୀ ମଠକୁ ବଞ୍ଚାଇବୁ)
ମନୀଶ ଉନ୍ନିୟାଲ
ନୂଆଦିଲ୍ଲୀରେ ଅବସ୍ଥାପିତ ଜଣେ ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର
ଅନୁବାଦ : ଓଡ଼ିଶାଲାଇଭ୍