ଡାଲ୍ ହ୍ରଦର ଘାଟ ସଂ.୧୫ରେ ଗୁଲ୍ଜାର ଅହମଦ୍ ଭଟ୍ ଏକ କାଠ ବେଞ୍ଚ ଉପରେ ଚୁପ୍ଚାପ୍ ବସିଛନ୍ତି । ଶ୍ରୀନଗରର ଅନ୍ୟ ଶିକାରା ଚାଳକଙ୍କ ଭଳି ସେ ମଧ୍ୟ ଅଗଷ୍ଟ ୨ରେ ଜମ୍ମୁ କଶ୍ମୀର ସରକାର ପର୍ଯ୍ୟଟକଙ୍କୁ ତତ୍କ୍ଷଣାତ୍ କଶ୍ମୀର ଉପତ୍ୟାକା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶନାମା ଜାରି କରିବା ପରେ ଅତି କମ୍ ଗ୍ରାହକ ତାଙ୍କ ପାଖକୁ ଆସୁଥିବା ଲକ୍ଷ୍ୟ କରୁଛନ୍ତି । “ତାହା ଆମର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ଚଳିତ ବର୍ଷ ମେ ୧୮ରେ ଏତେ ବେଶୀ ପରିମାଣରେ ବୁକିଂ ହେବା [ପ୍ରତ୍ୟାହାର କରାଯାଉଥିବା] ମୁଁ ଆଗରୁ କେବେ ଦେଖିନିଥିଲି,” ବୋଲି ୩୨ବର୍ଷ ବୟସ୍କ ଗୁଲ୍ଜାର କହନ୍ତି ।
ଅକ୍ଟୋବର ୧୦ରେ ସରକାର ଏହି ନିର୍ଦ୍ଦେଶନାମା ଉଠେଇ ଦେବା ପରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଶିକାରା ରେ ବସି ବୁଲିବା ପାଇଁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଟ୍ରାଭେଲ୍ ଏଜେଣ୍ଟମାନେ ଆଣିଛନ୍ତି ଓ ସେମାନେ ଅତ୍ୟଧିକ ମୂଲଚାଲ କରୁଛନ୍ତି । “ଗ୍ରାହକମାନେ ସିଧାସଳଖ ଆମ ପାଖକୁ ଆସିଲେ ଆମେ ସେମାନଙ୍କୁ ଶିକାରାରେ ବସେଇ ଗୋଟିଏ ଘଣ୍ଟା ବୁଲାଇବା ପାଇଁ ୬୦୦ଟଙ୍କା [ ସରକାରଙ୍କ ଦ୍ୱାରା ଅନୁମୋଦିତ ମୂଲ୍ୟ] ଦାବି କରିଥାଉ। କିନ୍ତୁ ସେହି ସମାନ ସମୟ ପାଇଁ ଏଜେଣ୍ଟ ଆମକୁ କେବଳ ୨୫୦ଟଙ୍କା ଦେଇଥାଏ । ଏହି ସମୟରେ ଆମେମାନେ ତାଙ୍କୁ ମନା ମଧ୍ୟ କରିପାରିବୁନି,” ବୋଲି ୪୨ବର୍ଷ ବୟସ୍କ ମେହେରାଜ-ଉଦ୍-ଦିନ୍ ପାକ୍ତୋ କହନ୍ତି ଯିଏ ଏବେ ବି ନଭେମ୍ବରର ମଧ୍ୟ ଭାଗରେ ପର୍ଯ୍ୟଟକମାନଙ୍କୁ ଅପେକ୍ଷା କରି ରହିଛନ୍ତି, ଏହି ହିମକାକର ଶୀତରେ ମଧ୍ୟ ସେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ସମର୍ଥ ହୋଇପାରିବେ ବୋଲି ଆଶାବାଦୀ ଅଛନ୍ତି ।
ସାଧାରଣତଃ ନୌକା ମାଲିକମାନେ ଶିକାରା ଚଲେଇଥାନ୍ତି ବା ଏହାକୁ ଜଣେ ଚାଳକକୁ ଭଡାରେ ଦେଇଦିଅନ୍ତି, ଗୋଟିଏ ଋତୁ ପାଇଁ ପ୍ରାୟ ୩୦,୦୦୦ଟଙ୍କା ବିନିମୟରେ । ଛଅ ମାସର ଏହି ପର୍ଯ୍ୟଟନ ଋତୁରେ ଜଣେ ଚାଳକ ୨ଲକ୍ଷ ରୁ ୨.୫ଲକ୍ଷ ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଥାନ୍ତି । ଭଡା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ଦେଇ ସାରିବା ପରେ, ତାଙ୍କ ପାଖରେ ପ୍ରାୟ ୧୮୦,୦୦୦ଟଙ୍କା ବଳକା ରହେ । ସେତିକି ଉପାର୍ଜନରେ ୧୨ମାସ ଚଳିବାକୁ ହେବ – ଅର୍ଥାତ୍ ମାସକୁ ୧୫,୦୦୦ଟଙ୍କା । ଅଫ୍-ସିଜନରେ ଶିକାରାୱାଲାଙ୍କ ପାଖରେ କରିବାକୁ କିଛି କାମ ନଥାଏ ବା ସେମାନେ ଏଣୁତେଣୁ କିଛି କାମ କରନ୍ତି ଓ ବିକ୍ରି ଉଦ୍ଦେଶ୍ୟରେ ବା ଘରେ ଖାଇବା ପାଇଁ ହ୍ରଦରେ କିଛି ମାଛ ଧରିବାକୁ ଚେଷ୍ଟା କରନ୍ତି ।
ଉପତ୍ୟାକାରେ ପର୍ଯ୍ୟଟନ ଋତୁ ମୁଖ୍ୟତଃ ମେ ରୁ ଅକ୍ଟୋବର ପର୍ଯ୍ୟନ୍ତ ରହିଥାଏ । ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ଓ ପ୍ରାରମ୍ଭିକ ତୁଷାରପାତ ପରେ ଚଳିତ ବର୍ଷ କଶ୍ମୀରରେ ପର୍ଯ୍ୟଟକ ଖୋଜୁଥିବା ଶିକାରାର ସଂଖ୍ୟା ମଧ୍ୟ କମ୍ ରହିବା ସମ୍ଭାବନା ରହିଛି । ଗତ ବର୍ଷ (୨୦୧୮), ପର୍ଯ୍ୟଟନ ଅପେକ୍ଷାକୃତ ମାନ୍ଦା ଥିଲେ ମଧ୍ୟ ଦେଶ ବିଦେଶରୁ ପ୍ରାୟ ୮.୫ଲକ୍ଷ ପର୍ଯ୍ୟଟକ କଶ୍ମୀର ଉପତ୍ୟାକା ବୁଲିବାକୁ ଆସିଥିଲେ । ତେବେ ଚଳିତ ବର୍ଷ ଏହି ସଂଖ୍ୟା କେତେ କମିଛି ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ ।
ଡାଲ୍ ହ୍ରଦ ସହିତ କଶ୍ମୀରର ବିଭିନ୍ନ ଜଳାଶୟରେ ଅନାୟାଶରେ ବୁଲୁଥିବା ୪,୮୦୦ ଶିକାରାକୁ ଅଗଷ୍ଟ ପରେ ଭାରି କ୍ଷତି ସହିବାକୁ ପଡୁଛି ବୋଲି ଅଲ୍ ଜେ ଏଣ୍ଡ କେ ଟ୍ୟାକ୍ସି ଶିକାରା ଓନର୍ସ ଆସୋସିଏସନ୍ ଓ ଅଲ୍ ଜେ ଏଣ୍ଡ କେ ଶିକାରା ୱାର୍କର୍ସ ଆସୋସିଏସନ୍ର ସଭାପତି ୬୦ବର୍ଷ ବୟସ୍କ ୱାଲି ମହମ୍ମଦ୍ ଭଟ କହନ୍ତି । ଡାଲ୍ ହ୍ରଦ, ନାଇଜିନ ହ୍ରଦ, ମାନ୍ସବଲ୍ ହ୍ରଦ ଓ ଝେଲମ ନଦୀରେ ଚାଲୁଥିବା ୯୬୦ ହାଉସ୍ବୋଟ୍ର ମାଲିକମାନେ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଥିବା କଥା କଶ୍ମୀର ହାଉସ୍ବୋଟ୍ ଓନର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ଅବ୍ଦୁଲ ରସିଦ୍ କଲ୍ଲୁ କହନ୍ତି ।
“ଡାଲ୍ ହ୍ରଦରେ [ଯେଉଁଥିରେ ୩୭ଟି ଘାଟ ବା ଛୋଟ ଡକ୍ ରହିଛି] କେବଳ ଶିକାରୱାଲାଙ୍କୁ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଭଟ ଆକଳନ କରି କହନ୍ତି। ସେମାନଙ୍କ ମଧ୍ୟରୁ କିଛି ଶିକାରା କିଣିବା ପାଇଁ ବିଭିନ୍ନ ଉତ୍ସରୁ ଋଣ ନେଇଥିବା ସେ କୁହନ୍ତି- ଗୋଟିଏ ନୂଆ ଶିକାରା ର କ୍ରୟ ମୂଲ୍ୟ ପ୍ରାୟ ୧.୫ଲକ୍ଷ ଟଙ୍କା ହୋଇଥିବା ବେଳେ ସେମାନେ ଏବେ ତାର କିସ୍ତି ପଇଠ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ଭଟ୍ ଆହୁରି ମଧ୍ୟ କହନ୍ତି ଯେ ଅନ୍ୟ କେତେଜଣ ଋଣଦାତାଙ୍କ ଚାପ ସହ୍ୟ କରିପାରିଲେ ନାହିଁ ଓ ସେମାନେ ଋଣ ପରିଶୋଧ କରିବା ପାଇଁ ସେମାନଙ୍କ ଶିକାରା ବିକ୍ରି କରିଦେଲେ । ଅନେକ ପରିବାରର ଜୀବିକାନିର୍ବାହର ଏକମାତ୍ର ପନ୍ଥା ଶିକାରା ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ପ୍ରସ୍ତୁତ କରାଯାଇ ନାହିଁ ।

ଶ୍ରୀନଗରରେ ଡାଲ୍ ହ୍ରଦର ଶାନ୍ତ ଜଳରେ ଶିକାରାଗୁଡିକ ଗୋଟିଏ ସ୍ଥାନରେ ସ୍ଥିର ରହି ଗ୍ରାହକଙ୍କୁ ଅପେକ୍ଷା କରୁଛନ୍ତି

ଆଦ୍ୟ ନଭେମ୍ବରର ତୁଷାରପାତ ମଧ୍ୟରେ ମଝିରେ ମଝିରେ ଧୀରେ ଧୀରେ ସେବା ବଦଳରେ ଅର୍ଥ ପ୍ରଦାନ କରୁଥିବା ଗ୍ରାହକଙ୍କ ଆଗମନ ଯୋଗୁଁ କେତେଜଣ ନୌକା ଚଲାଇବା ଆରମ୍ଭ କରିଛନ୍ତି

“ମୁଁ ମୋର ଝିଅର ବିବାହ ପାଇଁ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ୨୦୧୭ ରେ ୩ଲକ୍ଷ ଟଙ୍କା ଋଣ କରିଥିଲି ଓ ଏଥିରୁ ୧ଲକ୍ଷ ଟଙ୍କା ପରିଶୋଧ କରିସାରିଛି । ଆଉ ବଳକା ଟଙ୍କା ମୁଁ ଏହି ଋତୁରେ ପରିଶୋଧ କରିଦେବି ବୋଲି ଆଶା କରୁଥିଲି । କିନ୍ତୁ ଅଗଷ୍ଟ ପରେ, ମୁଁ ହତବାକ୍ ହୋଇଯାଇଛି। ଏହି ଋଣ ମୁଁ କିଭଳି ପରିଶୋଧ କରିପାରିବି ତାହା ମୁଁ ଜାଣେନି,’’ ବୋଲି ୬୦ ବର୍ଷ ବୟସ୍କ ଗୁଲାମ ଅହମଦ ମାଟ୍ଟୋ କହନ୍ତି । ନିଜ ପରିବାର ପାଇଁ କିଛି ଆୟ କରିବାକୁ ଚେଷ୍ଟା କରିବା ପାଇଁ ସେ ନିଜ ପୁଅକୁ କେରଳରେ ଚାଲିଥିବା ରାଜ୍ୟ ନୌକା ଦୌଡରେ ଅଂଶଗ୍ରହଣ କରିବାକୁ ପଠାଇଛନ୍ତି

ମେହେରାଜ-ଉଦ୍-ଦିନ ପାକ୍ଟ୍ଟୁ ଡାଲ୍ ହ୍ରଦରେ ଗତ ୨୦ବର୍ଷ ହେବ ତାଙ୍କ ଶିକାରା ଚଲେଇ ଆସୁଛନ୍ତି । “ଅଗଷ୍ଟରେ ସରକାର ଉପତ୍ୟାକା ଛାଡ଼ି ଚାଲିଯିବା ପାଇଁ ପର୍ଯ୍ୟଟକମାନଙ୍କୁ କହିବା ଠାରୁ ମୁଁ ଗୋଟିଏ ଥର ମଧ୍ୟ ଯାତ୍ରାର ସୁଯୋଗ ପାଇନି । ଶିକାରା ବ୍ୟବସାୟ ବ୍ୟତୀତ ମୋର ଆଉ କୌଣସି ଅବଲମ୍ବନ ନାହିଁ” ବୋଲି ସେ କହନ୍ତି । “ଏବଂ ମୋର ତିନି ସନ୍ତାନ ଅଛନ୍ତି ଓ ସେମାନଙ୍କ ପାଠ ପଢା (ଦାୟିତ୍ୱ ମଧ୍ୟ) ରହିଛି । ଏହି ଋତୁରେ ଆମେ ଯାହା ଉପାର୍ଜନ କରୁ ତାହା ଆମେ ଶୀତରେ ଖର୍ଚ୍ଚ କରୁ, ଏଣୁ ଏହି ଶୀତରେ ମୁଁ କିଭଳି ବଞ୍ଚିବି ତାହା ମୁଁ ଜାଣିନି ’’

“ଏହା ଆମ ପାଇଁ ଅନ୍ୟଦିନ ଭଳି ଏକ ସାଧାରଣ ଦିନ ଥିଲା [ଯେଉଁଦିନ ଏହି ନିର୍ଦ୍ଦେଶନାମା ଜାରି କରାଗଲା]; ଆମେମାନେ ଡାଲ୍ ହ୍ରଦରେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲୁ । ସରକାର ଏକ ନିର୍ଦ୍ଦେଶନାମା ଜାରି କରି ପର୍ଯ୍ୟଟକମାନଙ୍କୁ ରାଜ୍ୟ ଛାଡ଼ି ଚାଲି ଯିବାକୁ କହିବା ଏକ ଗୁଜବ ବୋଲି ଆମେ ଭାବିଥିଲୁ । ପ୍ରକୃତରେ କ’ଣ ହେବାକୁ ଯାଉଛି ସେ ବିଷୟରେ ଆମେ ସଚେତନ ନଥିଲୁ,” ବୋଲି ୫୦ବର୍ଷ-ବୟସ୍କ ଅବ୍ଦୁଲ ରସିଦ ସାହ କହନ୍ତି । “ଗତ ଋତୁରେ ମୁଁ କିଛି ଟଙ୍କା ସଞ୍ଚୟ କରିଥିଲି, ତାହା ମଧ୍ୟ ଏବେ ସରିଗଲା । ମୁଁ ଭୟ କରୁଛି ଯେ ମୋର ପରିବାରକୁ ଭୋକଉପାସରେ ଦିନ କାଟିବାକୁ ପଡିପାରେ…”

ଅଲ୍ ଜେ ଆଣ୍ଡ କେ ଟ୍ୟାକ୍ସି ଶିକାରା ଓନର୍ସ ଆସୋସିଏସନ୍ ଓ ଶିକାରା ୱାର୍କର୍ସ ଆସୋସିଏସନ୍ର ସଭାପତି ୱାଲି ମହମ୍ମଦ ଭଟ୍ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛନ୍ତି

ଶ୍ରୀନଗରରେ ଜଣେ ଶିକାରା-ଚାଳକ (ଯିଏ ନିଜ ନାମ ଗୁପ୍ତ ରଖିବାକୁ ଚାହୁଁଛନ୍ତି) ନଭେମ୍ବରର ଆଦ୍ୟ ତୁଷାରପାତ ବେଳେ ଡାଲ୍ ହ୍ରଦରେ ପର୍ଯ୍ୟଟକଙ୍କୁ ହାଉସ୍ବୋଟ୍ରୁ ଘାଟ ସଂ. ୧୩କୁ ନେବା ଆଣିବା କରୁଛନ୍ତି । ସେ କହିଲେ ଯେ ସରକାର ଉପତ୍ୟାକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ଏହା ହେଉଛି ଚଳିତ ଋତୁରେ ତାଙ୍କର ତୃତୀୟ ଯାତ୍ରା

ଶିକାରା ଚାଳକ ଗୁଲଜାର ଅହମଦ୍ ଭଟ୍, ୩୨, ( ସେ ଏକ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଭ୍ୟାଲି ଅଫ୍ ସେଣ୍ଟ୍ସ’ରେ ଅଭିନୟ କରିଛନ୍ତି) ଗତ ୧୮ ବର୍ଷ ହେବ ଏହି ବ୍ୟବସାୟ ସହିତ ଯୋଡ଼ି ହୋଇ ରହିଛନ୍ତି । “ମୋର ଭୟ ହେଉଛି ପର୍ଯ୍ୟଟକଙ୍କ ପାଖରେ ଆମେ ଯେଉଁ ପରିଚୟ ସୃଷ୍ଟି କରିପାରିଥିଲୁ ତାହା ଆମେ ହରାଇ ଦେଇଛୁ – ଆମେ ଆମର ଆତିଥେୟତା ପାଇଁ ପ୍ରସିଦ୍ଧ ଥିଲୁ,” ବୋଲି ସେ କହନ୍ତି । “କିନ୍ତୁ ଅଗଷ୍ଟରେ ସବୁକିଛି ବଦଳିଗଲା । ଦେଶର ଅନ୍ୟ ଭାଗରେ ଆମର ଛବି ଖରାପ ହୋଇଯାଇଛି । ପର୍ଯ୍ୟଟକମାନେ କଶ୍ମୀରକୁ ଆସିବାକୁ ଡରୁଛନ୍ତି” । ଏହି ଋତୁରେ ଆମେ ବଞ୍ଚିବୁ କିପରି? “ ସଂଘର୍ଷ ଆମକୁ ବହୁତ କଥା ଶିଖେଇଛି,” ବୋଲି ସେ ଉତ୍ତର ଦିଅନ୍ତି, “ ଓ ସେ ମଧ୍ୟରେ ଗୋଟିଏ ହେଉଛି ଅର୍ଥ ସଞ୍ଚୟ କରି ରିଖିବା କାରଣ କଶ୍ମୀରରେ କୌଣସି ଜିନିଷର ନିଶ୍ଚିତତା ନାହିଁ । ଆମେ ଜାଣୁ ଯେ ପ୍ରତି ୨-୩ ବର୍ଷରେ ଥରେ ଆମକୁ କିଛି ନା କିଛି ଦୁଃସ୍ଥିତିର ସାମନା କରିବାକୁ ପଡ଼ିପାରେ’’

ଇମ୍ତିଆଜ୍ ଜାଲା, ୪୦, ଏହି ଶିକାରାକୁ ଜୁଲାଇ ୨୦୧୯ ପୂର୍ବରୁ ଋଣରେ କିଣିଥିଲେ । ଚଳିତ ବର୍ଷ ଅଗ୍ରୀମ ଭାବେ ବହୁଳ ବୁକିଂ ହୋଇଥିବାରୁ ଭଲ ଲାଭ ହେବା ନେଇ ସେ ଆଶାବାଦୀ ଥିଲେ । କିନ୍ତୁ ବର୍ତ୍ତମାନ, ପର୍ଯ୍ୟଟନ ଋତୁ ସରିଯାଇଥିବାରୁ, ସେ ଋଣ ପରିଶୋଧ କରିପାରିବେ ନାହିଁ ବୋଲି ଭାବି ସେ ନିଜ ଶିକାରା ବିକ୍ରି କରିବାକୁ ଭାବୁଛନ୍ତି । ତାଙ୍କର ତିନି ଝିଅ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି । “ବିଦ୍ୟାଳୟ କତ୍ତୃପକ୍ଷ ମୋତେ ସେମାନଙ୍କ ତିନି ମାସର ଫି ଭର୍ତ୍ତି କରିବାକୁ କହିଲେ, ତାହା ସମ୍ଭବ ନହେବାରୁ ମୁଁ ସେମାନଙ୍କ ଫଳାଫଳ ଦେଖି ପାରିଲି ନାହିଁ [ ସ୍କୁଲ ସେମାନଙ୍କ ଫଳାଫଳ ପ୍ରକାଶ କରିଲାନି]” ବୋଲି ସେ କହନ୍ତି

ଯେଉଁଠି ସବୁଆଡ଼େ ସେନା ଛାଉଣି ଥିବ ସେଠାକୁ ପର୍ଯ୍ୟଟକ ଆସିବେ କିପରି, ବୋଲି ଉତ୍ତର ଶ୍ରୀନଗରର ରୈନାୱାରୀ ଅଞ୍ଚଳର ଜଣେ ଶିକାରା ଚାଳକ ୫୦ ବର୍ଷ ବୟସ୍କ ମହମ୍ମଦ ଅବ୍ଦୁଲା କହନ୍ତି । “ଯଦି ଚଳିତ ବର୍ଷ ସରକାର ଏଠାକୁ ପଠାଇଥିବା ଅତିରିକ୍ତ ସେନା ଦଳକୁ ଏଠାରୁ ପ୍ରତ୍ୟାହାର କରିବେ ତେବେ ଯାଇ ଏଠାକୁ କିଛି ପର୍ଯ୍ୟଟକ ଆସିବା ସମ୍ଭାବନା ଅଛି ବୋଲି ମୁଁ ଆଶା କରୁଛି,” ବୋଲି ସେ କହନ୍ତି । “ମୁଁ ପୁଣିଥରେ ୯୦ଦଶକ ପୂର୍ବର ସେହି କଶ୍ମୀରକୁ ଦେଖିପାରନ୍ତି କି, ଯେତେବେଳେ ଆମ ଅଞ୍ଚଳ ସଂଘର୍ଷ ମୁକ୍ତ ଥିଲା”

ଗୁଲାମ ମହମ୍ମଦ୍, ଜଣେ ବଢେଇ, ଗତ ୪୦ ବର୍ଷ ହେବ ଶିକାରା ନିର୍ମାଣ କରି ଆସୁଛନ୍ତି; ସେ ଏହି କାରିଗରୀ ଓ ବ୍ୟବସାୟ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି । “ ଅଗଷ୍ଟ ୨୦୧୯ ପୂର୍ବରୁ ମୁଁ ଆଠଟି ଶିକାରା ନିର୍ମାଣ କରିବା ପାଇଁ ଅର୍ଡର ଗ୍ରହଣ କରିଥିଲି କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଆସିବା ପରେ ସବୁ ଅର୍ଡର ରଦ୍ଦ ହୋଇଗଲା,” ବୋଲି ସେ କୁହନ୍ତି

ତାଙ୍କର ସମସ୍ତ ଅର୍ଡର ରଦ୍ଦ ହୋଇଯିବା ପରେ, ଶିକାରା ନିର୍ମାଣ କରିବା ପାଇଁ ଗୁଲାମ ମହମ୍ମଦ ୩ ଲକ୍ଷ ଟଙ୍କା ଦେଇ କିଣିଥିବା ଦେବଦାରୁ କାଠ ସବୁ ତାଙ୍କ କର୍ମଶାଳାରେ ପଡ଼ିରହିଛି । ସେ କୁହନ୍ତି: “ଏହି ଋତୁରେ ମୋ ଭଳି ଲୋକମାନେ ବଞ୍ଚି ରହିବା ଅତ୍ୟନ୍ତ କଷ୍ଟଦାୟକ ହେବ”

ନଭେମ୍ବରର ଆଦ୍ୟ ଭାଗରେ ଶିକାରୱାଲାମାନେ ଡାଲ୍ ହ୍ରଦ ନିକଟରେ ଥିବା ତାଙ୍କ ଆସୋସିଏସନ୍ର କାର୍ଯ୍ୟାଳୟ ଚାରିଆଡେ ବସି ସମୟ ବିତାଉଛନ୍ତି

ପର୍ଯ୍ୟଟନ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି – ଡାଲ୍ ହ୍ରଦ ପାଖରେ ଥିବା ସ୍ଥାନୀୟ ହସ୍ତତନ୍ତ ଦୋକାନୀମାନେ ଗ୍ରାହକଙ୍କୁ ଅପେକ୍ଷା କରି ରହିଛନ୍ତି, ଯେଉଁମାନଙ୍କୁ ସାଧାରଣତଃ ଶିକାରାୱାଲାମାନେ ସେମାନଙ୍କ ଦୋକାନକୁ ଆଣିଥାନ୍ତି

ପର୍ଯ୍ୟଟନ ଋତୁ ପ୍ରାୟତଃ ସରି ଆସୁଥିବାରୁ ଓ ପର୍ଯ୍ୟଟକମାନଙ୍କ ଆଗମନକୁ ମାସ ମାସ ଧରି ଅପେକ୍ଷା କରି ରହିବା ପରେ. ଶିକାରାୱାଲାମାନେ ବର୍ତ୍ତମାନ ଏକ ଲମ୍ବା, କଠିନ ଓ ଅନିଶ୍ଚିତ ଶୀତର ସମ୍ମୁଖୀନ ହେବାକୁ ଯାଉଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍