“ହାରମୋନିୟମ ହେଉଛି ଆମର ଆତ୍ମା ଏବଂ ଜୀବନରେଖା, ଆମର କୃଷିଉଦ୍ୟାନ ଏବଂ ଆମର ଗୃହ ।”
ସେହି ଚବିଶ ବର୍ଷ ବୟସର ଆକାଶ ଯାଦବ ଯେ କି, ବାୟୁ ଲିକ୍ ପରୀକ୍ଷା ନିମିତ୍ତ ହାରମୋନିୟମର ଢ଼ାଙ୍କୁଣୀକୁ ପମ୍ପ କରୁଥିବା ବେଳେ କୁହନ୍ତି । ସେ ଚାବିଗୁଡିକୁ ଖୋଲି ସେଗୁଡିକୁ ସଫା କରିବା ପାଇଁ ତାହାକୁ ତଳଉପର କରିଦେଇ କଥାକୁ ଜାରି ରଖିଲେ, “ଆମେ ବହୁ କଷ୍ଟରେ ଗୋଟିଏ ଓଳିର ଭୋଜନ ଯୋଗାଡ଼ କରିପାରୁ । ଆମେ ଅସହାୟ ଭାବରେ ଆମର ପିଲାଙ୍କ ଆଡକୁ ଦେଖୁ, ଯେଉଁମାନେ କି ଅଭିଯୋଗଟିଏ ମଧ୍ୟ କରନ୍ତି ନାହିଁ, ଭୋକରେ ଶୋଇଥାନ୍ତି । ଏହି ତାଲାବନ୍ଦ, ହେଉଛି ଆମ ଜୀବନର ସବୁଠାରୁ ନିଷ୍ଠୁର ତଥା ଆଘାତଜନକ ସମୟ ।
ଆକାଶ ଏବଂ ତାଙ୍କର ୧୭ ସହଯୋଗୀ ମରାମତିକାରୀ ଏଠାରେ ଏକ ବିରଳ ଗୋଷ୍ଠୀ। ଯେଉଁମାନେ କି ମଧ୍ୟପ୍ରଦେଶରୁ ପ୍ରତିବର୍ଷ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଛୋଟ ବଡ ୨୦ଟି ସହରକୁ ହାରମୋନିୟମ ମରାମତି କରିବା ପାଇଁ ଯାଇଥାନ୍ତି । ତାହା ଏପରି ଏକ ଜୀବିକା ଯାହାକି ଉତ୍ତମ କାର୍ଯ୍ୟକୁଶଳତା ସହିତ ଶାସ୍ତ୍ରୀୟ ସଙ୍ଗୀତରେ ସର୍ବୋତ୍ତମ ଦକ୍ଷତା ଏବଂ ଅସାଧାରଣ ଶ୍ରବଣ କ୍ଷମତା ଅଭିଯାଚନା କରିଥାଏ ।
ସେମାନେ ବହନ କରୁଥିବା ହାରମୋନିୟମ ଏବଂ ଟୁଲବକ୍ସ ଯୋଗୁଁ ସେମାନେ ଯାଉଥିବା ଅଧିକାଂଶ ସ୍ଥାନରେ ସେମାନଙ୍କୁ ପେଟୀଵାଲା କୁହାଯାଏ । ସେମାନେ ସମସ୍ତେ କରାହୀର, ମଧ୍ୟପ୍ରଦେଶର ଅହୀର କିମ୍ବା ଗାୱଲି ସମ୍ପ୍ରଦାୟର ଏକ ଉପଗୋଷ୍ଠୀ, (ଓବିସି) ଯାଦବ ଜାତି ସମୂହ ମଧ୍ୟରେ ଗଣ୍ୟ ।
ମହାରାଷ୍ଟ୍ରର ଲାଟୁର ସହରଠାରୁ ୧୮ କି. ମି ଦୂରତାରେ ଥିବା ରେନାପୁରରେ ଆକାଶ ମତେ କହୁଥିଲା, ସର୍ବମୋଟ ୮୧ ଜଣ ସଦସ୍ୟ ବିଶିଷ୍ଟ ୧୮ ଜଣ ହାରମୋନିୟମ ଟ୍ୟୁନରଙ୍କର ପରିବାର ସେମାନଙ୍କ ସହିତ ଅଛନ୍ତି, ତାଲାବନ୍ଦମାନଙ୍କୁ ଏକ ଉନ୍ମୁକ୍ତ ପ୍ରାନ୍ତରରେ ତମ୍ବୁ ମଧ୍ୟରେ ଅଟକାଇ ରଖେଇଛି ଯାହାକି ରେନାପୁର ନଗରନିଗମ ପରିଷଦ ସେମାନଙ୍କୁ ସେହି ସ୍ଥାନ ଅଧିକୃତ କରିବାକୁ ଅନୁମତି ଦେଇଥିଲା ।
ସେମାନେ ସମସ୍ତେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଗାନ୍ଧୀଗ୍ରାମ ସିହୋରା ତହସିଲର । ୯୪୦ ଜନବସତି ବିଶିଷ୍ଟ ଗ୍ରାମ (ଜନଗଣନା ୨୦୧୧) ଅନୁଯାୟୀ । ଯଦି ଏହି ବ୍ୟାଧି (କୋଭିଡ ୧୯) କାୟମ ରହେ ଏବଂ ଯାତ୍ରା ସ୍ଥିତି ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଆମେ ନିଶ୍ଚୟ ମରିବୁ । ଆମ ପାଖରେ ଧନ ନାହିଁ । ପ୍ରତିବର୍ଷ ଆମେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମେ ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡିକ ଆମ ଗ୍ରାମର ପଡୋଶୀମାନଙ୍କ ନିକଟରେ ରଖୁ କାରଣ ସେଠାରେ ଆମେ ମାଟି କାଦୁଅ ଘରେ ବାସ କରୁ । ତେଣୁ କରି ଆମ ପାଖରେ ଆମର ‘ହଳଦୀବର୍ଣ୍ଣ’ର ରାସନ କାର୍ଡ ନାହିଁ । ଆମେ ଏଠାରେ ଭୋକରେ ଅଛୁ । ଆପଣ ଦୟାକରି ଆମ୍ଭେମାନେ ଫେରିଯିବାକୁ ଅଧିକାରୀଙ୍କ ନିକଟରେ ଅନୁରୋଧ କରିପାରିବେ କି ? ଆକାଶ ପଚାରନ୍ତି ।
ହାରମୋନିୟମ ଟ୍ୟୁନିଙ୍ଗ ପାଇଁ ସ୍ଵର ଏବଂ ଶ୍ରୁତିର ଅସାଧାରଣ ଜ୍ଞାନ ଆବଶ୍ୟକ ହୁଏ । ସ୍ଵର ହେଉଛି ସାତଟି ମୌଳିକ ଧ୍ୱନି ଏବଂ ବାଇଶିଟି ଶ୍ରୁତିଗୁଡିକ ହେଉଛି ସ୍ଵର ମଧ୍ୟରେ ଥିବା ତାରତମ୍ୟ
ତାଲାବନ୍ଦ ଘୋଷଣା ହେବାର କିଛିଦିନ ପୂର୍ବରୁ ଉକ୍ତ ଗୋଷ୍ଠୀ ରଙ୍ଗ ପଞ୍ଚମୀ (ହୋଲି)ରେ ଲାଟୁରରେ ପହଞ୍ଚିଥିଲା । ଆକାଶ କୁହନ୍ତି ଯେ, “ସେହି କିଛିଦିନ ଭିତରେ ମୁଁ ବହୁ କଷ୍ଟରେ ୧୫୦୦ ଟଙ୍କା ରୋଜଗାର କରିଥିଲି ।” “ଅଧିକାଂଶଙ୍କର ସମଦଶା । ବର୍ତ୍ତମାନ ଦୁଇମାସରୁ ଅଧିକ ସମୟ ବିତିଗଲାଣି ଏବଂ ଆମ ପାଖରେ କିଛି ଟଙ୍କା ନାହିଁ ।”
ଆକାଶଙ୍କ ପତ୍ନୀ ଅମିଥି ଆହୁରି ମଧ୍ୟ କହିଛନ୍ତି, “ଖାଦ୍ୟ ଭୁଲିଯାଅ, ବିଶୁଦ୍ଧ ପାନୀୟ ଜଳ ପାଇବା ମଧ୍ୟ ଏକ ଆହ୍ୱାନ। ପାଣି ନ ଥିବାରୁ ମୁଁ ଏକ ସପ୍ତାହରୁ ଅଧିକ ହେବ ପୋଷାକ ମଧ୍ୟ ଧୋଇପାରିଲି ନାହିଁ । ରେନାପୁର ନଗରନିଗମ ପରିଷଦ ସପ୍ତାହରେ ଥରେ ଜଳ ଯୋଗାଏ । ମୁଁ ଅଧକିଲୋମିଟର ଚାଲିକରି ନିକଟସ୍ଥ ସର୍ବସାଧାରଣ ପାନୀୟ ନଳ ନିକଟକୁ ଯାଏ । ଆମ ନିକଟରେ ସଂରକ୍ଷଣ କ୍ଷମତା ନାହିଁ ଯାହାକି ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରିବ ।” ତେଣୁକରି ସେମାନେ ଜଳ ଯୋଗାଣ ଦିନମାନଙ୍କରେ ଅନେକ ଥର ପଦଯାତ୍ରା କରିଥାନ୍ତି । “ଆମେ ଆମର ଝିଅମାନଙ୍କୁ ମଧ୍ୟ ଠିକ ସମୟରେ ଖାଇବାକୁ ଦେଇପାରୁ ନାହୁଁ ।” ତାଙ୍କର କନିଷ୍ଠ କନ୍ୟା ଯାମିନୀ ମାତ୍ର ୧୮ ମାସର ଏବଂ ତାଙ୍କର ଜ୍ୟେଷ୍ଠ କନ୍ୟା ଦାମିନୀ ୫ ବର୍ଷର, ସେ କୁହନ୍ତି, ବେଳେବେଳେ ସେମାନଙ୍କୁ ପାଣିରେ ବିସ୍କୁଟକୁ ବୁଡାଇ ତାକୁ ଭୋଜନ ଭାବରେ ଖାଇବାକୁ ହୋଇଥାଏ ।
୮୧ ଜଣିଆ ଏହି ଗୋଷ୍ଠୀରେ ୧୮ ଜଣ ପୁରୁଷ, ୧୭ ମହିଳା ୧୬ ବର୍ଷରୁ କମ ବୟସର ୪୬ ଜଣ ପିଲା ଅଛନ୍ତି । ମହିଳାମାନେ ସମସ୍ତ ପରିବାର ସଦସ୍ୟଙ୍କର ଯତ୍ନ ନିଅନ୍ତି । ଆକାଶ କୁହନ୍ତି –“ପୁରୁଷମାନେ ହାରମୋନିୟମ ମରାମତି କାର୍ଯ୍ୟ କରନ୍ତି ।” ଆମେ ଳେବେଳେ ମାସକୁ ୬୦୦୦ ଟଙ୍କା ରୋଜଗାର କରିଥାଉ - ବେଳେବେଳେ ମାତ୍ର ୫୦୦ ଟଙ୍କା । ଗୋଟିଏ ହାରମୋନିୟମ ଟ୍ୟୁନିଙ୍ଗ ବାବଦରେ ୧୦୦୦ ରୁ ୨୦୦୦ ମିଳିଥାଏ, ଯେଉଁଠାରେ କି ଅନ୍ୟାନ୍ୟ କ୍ଷୁଦ୍ର ସେବା ଯେପରିକି ଲିକେଜ ଫିକ୍ସିଂ, ବେଲୋ ଚେକ କରିବା, ଚମଡାକୁ ପୁନଃ ସ୍ଥାପନ କରିବା, ଚାବି ସଫା କରିବା ଏବଂ ସ୍କେଲ ପରିବର୍ତ୍ତନ ମରାମତି ପାଇଁ ଟାଣିଟୁଣି କରି ୫୦୦ – ୭୦୦ ମିଳିଥାଏ । ଆମେ ପରିଭ୍ରମଣ କରୁଥିବା ସହର ଏବଂ ସେଠାରେ ସେବାର ଚାହିଦା ଉପରେ ସବୁକିଛି ନିର୍ଭର କରେ ।
ସେମାନେ ନିଜ ପରିବାର ସହିତ ପ୍ରତିବର୍ଷ ଅକ୍ଟୋବରରୁ ଜୁନ ମଧ୍ୟରେ ଜବଲପୁରରୁ ମହାରାଷ୍ଟ୍ର ଯାତ୍ରା କରନ୍ତି ଏବଂ ମୌସୁମୀ ସମୟରେ ବିନା ବିରତିରେ ଘରେ ରୁହନ୍ତି । ସେମାନେ ୩୦ ବର୍ଷ ହେଲା ପ୍ରତ୍ୟେକ ବର୍ଷ ମହାରାଷ୍ଟ୍ରକୁ ଭ୍ରମଣ କରିଆସୁଛନ୍ତି । ସମାନ ପଥକୁ ଅନୁସରଣ କରି ଜଳଗାଓଁ ଜିଲ୍ଲାର ଭୁଜୱଲ ପାଇଁ ଜବଲପୁରରୁ ରେଳଯାତ୍ରା ଆରମ୍ଭ କରିଥାନ୍ତି । ସେଠାରୁ ସେମାନେ କୋହ୍ଲାପୁର, ଲାଟୁର, ନାନ୍ଦେଡ଼, ନାଗପୁର, ପୁନେ, ସାଙ୍ଗଲି, ୱାର୍ଧା ଏବଂ ଅନ୍ୟାନ୍ୟ ସହିତ ଏହି ରାଜ୍ୟର ଅତି କମରେ ୨୦ଟି ଭିନ୍ନ ଛୋଟବଡ ସହରକୁ ଯାଇଥାନ୍ତି ।


ଆକାଶ ଯାଦବ ତାଙ୍କର ପତ୍ନୀ ଅମିଥି, ଦାମିନୀ ଏବଂ ଯାମିନୀ ସହ ରେନାପୁରରେ ଅଟକ ଥିବାର ଦୃଶ୍ୟ । ଆକାଶ ତାଙ୍କ କର୍ମରେ, ତାଙ୍କର ପିତା ଅଶୋକ (ଗୋଲାପୀ ବର୍ଣ୍ଣର ସାର୍ଟରେ) ଚାହିଁ ରହିଛନ୍ତି
ସେମାନଙ୍କର ସାମାନ ମଧ୍ୟରେ ତମ୍ବୁ, କିଛି ବାସନ, କିଛି ରାସନ ଓ ଖାଦ୍ୟ ସାମଗ୍ରୀ -ଏବଂ ହାରମୋନିୟମ ଏବଂ ମରାମତି ଉପକରଣ ଅନ୍ତର୍ଭୁକ୍ତ । ଏହି ଭାର ସେମାନଙ୍କର ଯାତ୍ରା ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରିଥାଏ । ୮୦ ଜଣଙ୍କ ପାଇଁ ଦୁଇଟି ମିନିବସ ଭଡା କରିବାକୁ ୫୦ କିଲୋମିଟର ପାଇଁ ୨୦୦୦ ଟଙ୍କା ଖର୍ଚ୍ଚ ହୁଏ । ତେଣୁ ସେମାନେ ଟ୍ରେନ ଦ୍ୱାରା କିମ୍ବା ଚାଲିକରି ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ସେମାନେ ଚାଲୁଥିଲେ -ଉଦାହରଣ ପାଇଁ -ସେମାନଙ୍କ ମଧ୍ୟରେ ଅନେକ ଖାଲିପାଦରେ -ଛଅଦିନ ମଧ୍ୟରେ ନାନ୍ଦେଡ଼ରୁ ରେନାପୁର ୧୩୬ କିଲୋମିଟର ଗମନ।
ଆକାଶଙ୍କ ପିତା ୫୦ ବର୍ଷ ବୟସ୍କ ଅଶୋକ ଯାଦବ କୁହନ୍ତି, -“କିନ୍ତୁ ଏହି ତାଲାବନ୍ଦ ପାଇଁ ଆମେ ବର୍ତ୍ତମାନ ସୁଦ୍ଧା ବୈଦର୍ଭର ଆମରାବତୀ ଜିଲ୍ଲାରେ ପହଞ୍ଚିସାରିଛୁ ।” “ସେଠାରୁ ଆଉ ୧୫୦ କିଲୋମିଟର ପରେ ଆମେ ମଧ୍ୟପ୍ରଦେଶ ସୀମାରେ ପହଞ୍ଚିଥାଆନ୍ତୁ। ସବୁକିଛି ଉତ୍ତମ ଏବଂ ପ୍ରକୃତିସ୍ଥ ହୋଇଥାନ୍ତା । ମୁଁ କେବେ ବି ଭାବି ନଥିଲି ମୋ ନିଜ ଦେଶର ଯାତ୍ରା କରିବା ଆମ ଜୀବନକୁ ନଷ୍ଟ କରିପାରେ।” ଜୀବନର ଅନେକ କଷ୍ଟକୁ ଅତିକ୍ରମ କରିଥିବା ଏବଂ ଯାହାକୁ ସେ ‘ସାଧାରଣ’ ବୋଲି ବର୍ଣନା କରିଛନ୍ତି କିନ୍ତୁ ତାଲାବନ୍ଦର ପ୍ରଭାବ ସେସବୁ କଷ୍ଟକୁ ଅତିକ୍ରମ କରିଯାଇଛି ।
ଅଶୋକ ଯାଦବ କୁହନ୍ତି, “ଏହି ମହାନ ସଂଗଠନ ହେତୁ ଆମେ ଏତେ କମ୍ରେ ଜୀବିତ ଅଛୁ ।” ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ଲାଟୁର ଆଧାରିତ ଆବର୍ତ୍ତନ ପ୍ରତିଷ୍ଠାନ ସମ୍ବନ୍ଧରେ ସେ କୁହନ୍ତି ଯେ, ଟ୍ୟୁନର ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରାଯାଉଥିବା ସାଧାରଣ କାର୍ଯ୍ୟକଳାପ ପଥପ୍ରଦର୍ଶକ ହୋଇଛି । ଏହା ସ୍ଥାପିତ ହେବାପରେ ପ୍ରତ୍ୟେକ ପରିବାରକୁ ୧୧,୫୦୦ ଟଙ୍କାର ରାସନ କିଟ ଯୋଗାଇଥାଏ, ଯେଉଁଥିରେ କି ୧୫ କିଲୋଗ୍ରାମ ଗହମ, ୨ ପ୍ୟାକେଟ ବିସ୍କୁଟ, ୨ ଲିଟର ତେଲ, କିଛି ସାବୁନ ଏବଂ ଅନ୍ୟାନ୍ୟ ବସ୍ତୁ ଅନ୍ତର୍ଭୁକ୍ତ ।
“ଶାସ୍ତ୍ରୀୟ ସଙ୍ଗୀତର ସଂରକ୍ଷଣକାରୀଙ୍କୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ’’ ବୋଲି ଆବର୍ତ୍ତନର ପ୍ରତିଷ୍ଠାତା ତଥା ସଂଗୀତ ଶିକ୍ଷକ ଶଶୀକାନ୍ତ ଦେଶମୁଖ କୁହନ୍ତି ।
ସେମାନେ କିପରି ହାରମୋନିୟମ ମରାମତିକାରୀ ହେଲେ ? ଅଶୋକ ଯାଦବ ମତେ କହିଛନ୍ତି, “ମୋ ପୁଅ ଆକାଶ ଏଇ ବୃତ୍ତିରେ ଆମର ଚତୁର୍ଥ ପିଢ଼ିକୁ ପ୍ରତିନିଧିତ୍ୱ କରନ୍ତି ।” “ମୋ ଜେଜେବାପା ଆମ ପରିବାରରେ ପ୍ରଥମ ଥିଲେ ଯିଏ ହାରମୋନିୟମ ଟ୍ୟୁନିଂ ଏବଂ ମରାମତି କରିଥିଲେ । ୬୦ - ୭୦ ବର୍ଷ ପୂର୍ବେ ଜବଲପୁରରେ ବାଦ୍ୟଯନ୍ତ୍ର ମାଲିକମାନଙ୍କଠାରୁ ସେ ଶିଖିଥିଲେ। ସେହି ସମୟରେ, ଅନେକ ବ୍ୟକ୍ତି ଶାସ୍ତ୍ରୀୟ ସଙ୍ଗୀତରେ ଥିଲେ ଏବଂ ହାରମୋନିୟମ ବଜାଉଥିଲେ। ଏହି କୌଶଳ ଆମ ଭୂମିହୀନ ପରିବାରକୁ ବଞ୍ଚିବା ପାଇଁ ରୋଜଗାର ଦେଇଥିଲା’’।

ଉପର ବାମ: ଅଶୋକ ଯାଦବ ଏକ କନିଷ୍ଠ ମରାମତିକାରୀ ରୂପେ ଏକ ସମସ୍ୟା ସହିତ ମୁକାବିଲା କରୁଥିବା ପରି ଦେଖାଯାଉଛନ୍ତି। ଉପର ଡାହାଣ: ପଲିସ, ଧାତୁନିର୍ମିତ ଚାବି ଏବଂ ସଫା ତଥା ମରାମତି ପାଇଁ ଉପକରଣ । ତଳ ବାମ: ମରାମତି ଅଧୀନରେ ଥିବା ଏକ ହାରମୋନିୟମ, ଯାହାର କି କୀବୋର୍ଡ (କୁଂଜୀପଟଳ) ଏବଂ ଚାବିଗୁଡ଼ାକ କଢ଼ାହୋଇଯାଇଛି । ତଳ ଡାହାଣ: ଅଶୋକ ଏବଂ ଆକାଶ ସେମାନଙ୍କର କାର୍ଯ୍ୟର ପ୍ରଦର୍ଶନ କରୁଛନ୍ତି
ୟୁରୋପୀୟ ଉଦ୍ଭବ ବାଦ୍ୟଯନ୍ତ୍ର ହାରମୋନିୟମ ଯାହାକି ଉନବିଂଶ ଶତାବ୍ଦୀର ଶେଷଭାଗରେ ଭାରତରେ ପ୍ରବେଶ କରିଥିଲା । ପ୍ରଥମ ଭାରତୀୟ ସଂସ୍କରଣ - ହସ୍ତପରିଚାଳିତ ଘଣ୍ଟି ସହିତ ୧୮୭୫ ରେ ଦୃଶ୍ୟମାନ ହୋଇଥିଲା ଏବଂ ଉତ୍ତରରେ ଦ୍ରୁତଗତିରେ ବହୁଳ ଭାବରେ ବ୍ୟବହୃତ ବାଦ୍ୟଯନ୍ତ୍ରମାନଙ୍କ ମଧ୍ୟରେ ଅନ୍ୟତମ ହେଲା । ଆମ ଦେଶରେ ଏହାର ଅସ୍ତିତ୍ଵର ପାଖାପାଖି ଅର୍ଦ୍ଧାଧିକ ସମୟ ଅଶୋକ ଯାଦବଙ୍କ ପରିବାର ହାରମୋନିୟମ ସହିତ ଜଡ଼ିତ ଥିଲେ ।
ତେବେ ଅଶୋକ କୁହନ୍ତି, ଗତ କିଛିଦିନ ମଧ୍ୟରେ “ଅନ୍ୟ ବାଦ୍ୟଯନ୍ତ୍ର ଗୁଡିକ ଅଧିକ ଲୋକପ୍ରିୟତା ହାସଲ କରିଥିଲା ।” ଏହା ସହିତ, ହାରମୋନିୟମ ଏବଂ ମରାମତିକାରୀଙ୍କ ଭାଗ୍ୟ ହ୍ରାସ ପାଇଲା । ବର୍ତ୍ତମାନ ଏକ ଦଶନ୍ଧି ଧରି ସେମାନେ ଶ୍ରମିକ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ବୋଲି ସେ କୁହନ୍ତି । ମୁଖ୍ୟତଃ ଚାଷ ଜମିରେ, ବିଶେଷ କରି ଜୁନରୁ ଅକ୍ଟୋବର ମଧ୍ୟରେ, ଜବଲପୁରରେ ନିଜ ଗ୍ରାମକୁ ଫେରିବା ସମୟରେ। ସେ କୁହନ୍ତି, ସେଠାରେ ଦୈନିକ ମଜୁରୀ ପୁରୁଷଙ୍କ ପାଇଁ ୨୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୫୦ ଏବଂ ତାହା ସେମାନେ ସୀମିତ ଦିନ ପାଇଁ ପାଇଥାନ୍ତି । ଏଠାରେ ଲାଟୁରରେ ଗୋଟିଏ ଦିନରେ ହାରମୋନିୟମ ମରାମତି ପାଇଁ ୧୦୦୦ ଟଙ୍କା ରୋଜଗାର କରିପାରନ୍ତି -ଯଦିଓ ଏହିପରି ଦିନଗୁଡ଼ିକ ସୀମିତ ଅଟେ ।
ପ୍ରତିବର୍ଷ କେବଳ ମହାରାଷ୍ଟ୍ର ଭ୍ରମଣ କାହିଁକି ? ଅଶୋକ ଯାଦବ କୁହନ୍ତି, ସେମାନେ କିଛି ଦଶନ୍ଧି ପୂର୍ବରୁ ଛତିଶଗଡ ଏବଂ ଗୁଜୁରାଟ ପରି ରାଜ୍ୟ ଗସ୍ତ କରୁଥିଲେ, କିନ୍ତୁ ସେହିସବୁ ସ୍ଥାନରୁ ଆୟ ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ହ୍ରାସ ପାଇଥିଲା । ତେଣୁ ଗତ ୩୦ ବର୍ଷ ହେବ ମହାରାଷ୍ଟ୍ର ସେମାନଙ୍କର ଏକମାତ୍ର ବ୍ୟାପାର କେନ୍ଦ୍ର ହୋଇଆସୁଛି ।
ଅଶୋକ କୁହନ୍ତି, “ଆମର ସେବା ପାଇଁ ଅନ୍ୟ କୌଣସି ରାଜ୍ୟରେ ଏପରି ଉତ୍ତମ ଏବଂ ନିରନ୍ତର ଚାହିଦା ନାହିଁ । ସେ କୁହନ୍ତି, ସେମାନଙ୍କର ସର୍ବୋତ୍ତମ ରୋଜଗାର କୋହ୍ଲାପୁର -ସାଙ୍ଗଲି -ମୀରାଜ ବେଲ୍ଟରୁ ଆସିଥାଏ । “ଯାହାର କି ହାରମୋନିୟମ ସମେତ ଭାରତୀୟ ବାଦ୍ୟଯନ୍ତ୍ର ପାଇଁ ଏକ ବଡ ବଜାର ଅଛି । ପଣ୍ଡରପୁର ଏବଂ ପୁଣେ ମଧ୍ୟ ଆମକୁ ଭଲ ରୋଜଗାର ଦେଇଥାଏ ।”

ତାଲାବନ୍ଦ ଦେଖିଛି ୧୮ ଟି ପରିବାର ଏକ ଖୋଲା ପ୍ରାନ୍ତରରେ ତମ୍ବୁଗୁଡିକ ଭିତରେ ବାନ୍ଧି ହୋଇ ରହିବାର ଦୃଶ୍ୟ ଯାହାକି ରେନାପୁର ନଗରନିଗମ ପରିଷଦ ସେମାନଙ୍କୁ ଦଖଲ କରିବାକୁ ଅନୁମତି ଦେଇଥିଲା
ଆବର୍ତ୍ତନର ଶଶିକାନ୍ତ ଦେଶମୁଖ କୁହନ୍ତି, ହାର୍ମୋନିୟମର ଟ୍ୟୁନିଙ୍ଗ ପାଇଁ ସ୍ୱର ଏବଂ ଶ୍ରୁତିର ଅସାଧାରଣ ଜ୍ଞାନ ଆବଶ୍ୟକ ହୁଏ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସ୍ୱର ହେଉଛି ସାତଟି ମୌଳିକ ଧ୍ୱନି ଏବଂ ୨୨ ଟି ଶ୍ରୁତି ହେଉଛି ସ୍ୱର ମଧ୍ୟରେ ଥିବା ତାରତମ୍ୟ । ପ୍ରତ୍ୟେକ ସ୍ୱର ଓ ଶ୍ରୁତିର ଭିନ୍ନତାକୁ ବୁଝି ଏବଂ ତାପରେ ସ୍ୱର ସହିତ ତାଳମେଳ ଏବଂ ସନ୍ତୁଳନ, ଆବୃତି , ସ୍ୱରମାନ, ଲୟ [ ତାଳର ଗତି ] ଉପରେ ମହାନ ନୈପୁଣ୍ୟତା ଆବଶ୍ୟକ ।
ଦେଶମୁଖ ଆହୁରି କୁହନ୍ତି , ''ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ କାରଣ ହେଉଛି " ସୂକ୍ଷ୍ମ ସ୍ତରର ପରିବର୍ତ୍ତନଗୁଡିକର ପାର୍ଥକ୍ୟ ଶୁଣିବା ଏବଂ ଅନୁଭବ କରିବାକୁ ତୀକ୍ଷ୍ଣ କାନର ଆବଶ୍ୟକତା ଥାଏ । ଏହି ଦକ୍ଷତା ବିରଳ ଅଟେ କାରଣ ସ୍ଵର କେନ୍ଦ୍ର [ ସ୍ଵରର ଉପର କେନ୍ଦ୍ର ] କୁ ପହଞ୍ଚିବାକୁ ଚରମ ଉତ୍କର୍ଷର ଆବଶ୍ୟକତା ଥାଏ। ଏହିଭଳି ଲୋକମାନେ ପରଫେକ୍ସନିଷ୍ଟ ବା ପୂର୍ଣ୍ଣତାବାଦୀ ଅଟନ୍ତି। ହାରମୋନିଅମ ବିଜ୍ଞାନ ଜାଣିବାକୁ ସେମାନଙ୍କର ଏକ ଦୀର୍ଘ ଉତ୍ତରାଧିକାରୀ ଅଛି । ଶାସ୍ତ୍ରୀୟ ସଙ୍ଗୀତ ସଂରକ୍ଷଣକାରୀଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ।
ଯଦିଓ ସେମାନଙ୍କର ରୋଜଗାର ସେମାନଙ୍କର ଦକ୍ଷତାଠାରୁ ପଛରେ ଅଛି । ଦେଶମୁଖ କୁହନ୍ତି - ଗୋଟିଏ ପିଆନୋ ଟ୍ୟୁନ୍ ହେବା ପାଇଁ ହାରାହାରି ୭୦୦୦ - ୮୦୦୦ ଖର୍ଚ୍ଚ ହୋଇଥାଏ " ଏବଂ ହାରମୋନିଅମ ଟ୍ୟୁନର - ସେମାନେ ଗୋଟିଏ ବାଦ୍ୟଯନ୍ତ୍ରରେ ୨୦୦୦ ଟଙ୍କାରୁ କମ୍ ପାଇଥାନ୍ତି ।"
ଅଶୋକ ଯାଦବ ଦୁଃଖରେ କୁହନ୍ତି, "ଆଉ କେହି ଏବେ ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ମହତ୍ୱ ଦେଉନାହାନ୍ତି ।" ସମୟ ସହିତ ଏହି ଦେଶର ନିଜସ୍ୱ କଳା, ମହିମା ଏବଂ ଖ୍ୟାତି ହରାଉଛି । ବର୍ତମାନ ଏହି ସୁନ୍ଦର ଯନ୍ତ୍ରକୁ ଅଲଗା ରଖି, କୀବୋର୍ଡ଼ ଅଥବା କମ୍ପ୍ୟୁଟରୀକରଣ ଯନ୍ତ୍ରପାତି [ଯେପରିକି ଇଲୋକ୍ଟ୍ରୋନିକ କିମ୍ବା ଡିଜିଟାଲ କମ୍ପ୍ୟୁଟର ଅର୍ଗାନ ପରି ] ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଆମର ଭବିଷ୍ୟତ ଦାୟାଦ ସେମାନଙ୍କର ପେଟ ଭରିବାକୁ କ’ଣ କରିବେ ?
ମରାମତି କରୁଥିବା ଏକ ଚାବିକୁ ଚୂଡାନ୍ତ ସ୍ପର୍ଶ ଦେବାବେଳେ ଆକାଶ ପଚାରିଥିଲେ : “ଯେତେବେଳ ହାରମୋନିଅମର ବାୟୁ ଲିକ୍ ହୁଏ, ଆମେ ଏହାକୁ ଠିକ୍ କରିଥାଉ । ସମସ୍ୟାକୁ ଅଣଦେଖା କରିବା ଏହାକୁ କେବଳ ସ୍ୱରବୈଷମ୍ୟ ଏବଂ ଅମାନୁଷିକ କରିବ, ଏହା ଆମ ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ ନୁହେଁ କି ?
ଜୁନ ୯ ରେ ଅଶୋକ ଯାଦବ ମୋତେ ଫୋନରେ କହିଥିଲେ ଯେ, ସେମାନେ ମଧ୍ୟପ୍ରଦେଶର ଗାନ୍ଧୀଗ୍ରାମରେ ପହଞ୍ଚିଛନ୍ତି, ଏବଂ ଏଠାରେ ପହଞ୍ଚିବା ପରେ ପରିବାର ପ୍ରତି ୩ କିଲୋ ଚାଉଳ ପାଇଛନ୍ତି, ଏବଂ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଛି । ନିଜ ଭବିଷ୍ୟତ ଦେଖିବାକୁ ସେମାନଙ୍କ ପାଖରେ କୌଣସି କାମ ନାହିଁ ଏବଂ ସେମାନେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବେ ବୋଲି ଆଶା କରୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍