“ଜୁନ୍ ମାସରେ ଏସଡିଏମ୍ (ଉପଖଣ୍ଡୀୟ ମାଜିଷ୍ଟ୍ରେଟ) ଆସିଲେ ଏବଂ କହିଲେ, ‘ଏଇଟା ହେଉଛି ଏ ଜାଗା ଛାଡ଼ି ଚାଲିଯିବା ପାଇଁ ନୋଟିସ୍’।”
ତାଙ୍କ ଗାଁ ଗହଦାରାର ପ୍ରବେଶ ପଥରେ ଥିବା ଏକ ବଡ଼ ବରଗଛ ଆଡ଼କୁ ଆଙ୍ଗୁଠି ଦେଖାନ୍ତି ବାବୁଲାଲ ଆଦିବାସୀ। ଏହି ସ୍ଥାନରେ ତାଙ୍କ ସମାଜର ବୈଠକ ବସିଥାଏ – ଏବଂ ଏବେ, ଠିକ୍ ଏହି ସ୍ଥାନରେ ହିଁ ଗୋଟିଏ ଦିନରେ ବଦଳି ଯାଇଥିଲା ତାଙ୍କ ଲୋକମାନଙ୍କର ଭବିଷ୍ୟତ।
ଗୋଟିଏ ବନ୍ଧ ଓ ଗୋଟିଏ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ସେମାନଙ୍କ ଘର ଓ ଜମି ଛାଡ଼ି ଦେବା ଲାଗି ମଧ୍ୟ ପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ପିଟିଆର) ଓ ଏହାକୁ ଘେରି ରହିଥିବା ଅଞ୍ଚଳର ୨୨ଟି ଗାଁର ହଜାର ହଜାର ଲୋକଙ୍କୁ କୁହାଯାଇଛି। ବହୁ ଦିନ ତଳେ, ୨୦୧୭ରେ ଏଥିପାଇଁ ପରିବେଶ ସଂକ୍ରାନ୍ତ ଚୂଡ଼ାନ୍ତ ମଞ୍ଜୁରି ଆସିଥିଲା, ଏବଂ ଏବେ ଜାତୀୟ ଉଦ୍ୟାନରେ ଗଛକଟା ଆରମ୍ଭ ହୋଇଛି। ହେଲେ ଆସନ୍ନ ଉଚ୍ଛେଦ ଆଶଙ୍କା ଏବେ ଘନେଇବାରେ ଲାଗିଛି।
ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପ୍ରସ୍ତାବ ପର୍ଯ୍ୟାୟରେ ରହିଆସିଥିବା ଏହି ପ୍ରକଳ୍ପ ହେଉଛି କେନ ଓ ବେତୱା ନଦୀକୁ ସଂଯୋଗ କରିବା ଲାଗି ୨୧୮ କିଲୋମିଟର ଲମ୍ବା ଏକ କେନାଲ ନିର୍ମାଣ ସକାଶେ ୪୪,୬୦୫ କୋଟି ଚଙ୍କାର ଏକ ଯୋଜନା ( ପ୍ରଥମ ପର୍ଯ୍ୟା ୟ)।
ଏହି ପ୍ରକଳ୍ପ ବ୍ୟାପକ ସମାଲୋଚିତ ହୋଇଛି। ଜଳସଂପଦ କ୍ଷେତ୍ରରେ ୩୫ ବର୍ଷ ଧରି ଜଡ଼ିତ ବିଜ୍ଞାନୀ ହିମାଂଶୁ ଠକ୍କର କହନ୍ତି, “ଏହି ପ୍ରକଳ୍ପର କୌଣସି ଯଥାର୍ଥତା ନାହିଁ, ଏମିତି କି ଜଳବିଜ୍ଞାନ ଦୃଷ୍ଟିକୋଣରୁ ବି ଯଥାର୍ଥତା ନାହିଁ।” ସେ ଆହୁରି କହନ୍ତି, “ପ୍ରଥମ କଥା ହେଲା କେନ ନଦୀରେ ବଳକା ପାଣି ନାହିଁ। ଏ ସଂପର୍କରେ କୌଣସି ବିଶ୍ୱସନୀୟ ଆକଳନ କିମ୍ବା ବସ୍ତୁନିଷ୍ଠ ଅଧ୍ୟୟନ କରାଯାଇନାହିଁ, କେବଳ ପୂର୍ବରୁ ସ୍ଥିରୀକୃତ ସିଦ୍ଧାନ୍ତ ଯାହା ରହିଛି।”
ଠକ୍କର ହେଉଛନ୍ତି ବନ୍ଧ, ନଦୀ ଓ ଲୋକଙ୍କ ବିଷୟରେ ଗଠିତ ସଂଗଠନ ‘ସାଉଥ୍ ଏସିଆ ନେଟୱର୍କ ଅନ୍ ଡ୍ୟାମସ, ରିଭରସ ଆଣ୍ଡ ପିପୁଲ (SANDRP)’ର ସଂଯୋଜକ। ନଦୀ ସଂଯୋଗୀକରଣ ନିମନ୍ତେ ଜଳସଂପଦ ମନ୍ତ୍ରାଳୟ (ବର୍ତ୍ତମାନ ଜଳ ଶକ୍ତି) ଦ୍ୱାରା ପାଖାପାଖି ୨୦୦୪ ମସିହାରେ ଗଠିତ ବିଶେଷଜ୍ଞ କମିଟିରେ ସେ ଜଣେ ସଦସ୍ୟ ଥିଲେ। ସେ କହନ୍ତି ଯେ, ଏହି ପ୍ରକଳ୍ପର ମୂଳ ଆଧାର ହିଁ ବିସ୍ମୟକର: “ନଦୀ ସଂଯୋଗୀକରଣର ପରିବେଶଗତ ଓ ପରିଣାମଗତ ସାମାଜିକ ପ୍ରଭାବ ଜଙ୍ଗଲ, ନଦୀ, ଜୈବ ବିବିଧତା ଉପରେ ଖୁବ୍ ଅଧିକ ପଡ଼ିବ ଏବଂ ଏଠାକାର ଏବଂ ବୁନ୍ଦେଲଖଣ୍ଡ ଭଳି ଦୂରବର୍ତ୍ତୀ ସ୍ଥାନର ଲୋକେ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବେ।”


ବାମ : ପାନ୍ନା ଜିଲ୍ଲାର ଗହଦାରା ଗାଁର ପ୍ରବେଶ ଦ୍ୱାରରେ ଥିବା ବରଗଛ। ଏହିଠାରେ ଆୟୋଜିତ ଏକ ବୈଠକରେ ହିଁ ଗାଁ ଲୋକଙ୍କୁ ସୂଚାଇ ଦିଆଯାଇଥିଲା ଯେ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ କ୍ଷତିପୂରଣ ଭିତ୍ତିକ ଜମି ପାଇଁ ଗାଁକୁ ବନ ବିଭାଗ ହାତକୁ ନେଇଛି । ଡାହାଣ : ଗହଦାରା ଗାଁର ବାବୁଲାଲ ଆଦିବାସୀ କହନ୍ତି ଯେ, ସେମାନଙ୍କ ସହିତ ଆଲୋଚନା କରାଯାଇ ନଥିଲା, କେବଳ ଉଚ୍ଛେଦ ସଂପର୍କରେ ସୂଚାଇ ଦିଆଯାଇଥିଲା


ବାମ : ଛତରପୁର ଜିଲ୍ଲାର ସୁଖୱାହା ଗାଁର ଜଣେ ପଶୁପାଳକ ମହାସିଂହ ରାଜଭର, ବନ୍ଧ ତିଆରି ହେଲେ ତାଙ୍କ ଗାଁ ସଂପୂର୍ଣ୍ଣ ବୁଡ଼ିଯିବ । ଡାହାଣ : ଏ ଅଞ୍ଚଳରେ ରୋଷେଇବାସ ପାଇଁ ମୁଖ୍ୟ ଜାଳେଣି- ଜାଳେଣି କାଠ ସଂଗ୍ରହ କରି ଘରକୁ ଫେରୁଛନ୍ତି ଗାଁର ମହିଳାମାନେ
ଏହି ବନ୍ଧର ୭୭ ମିଟର ଉଚ୍ଚ ଜଳଭଣ୍ଡାରରେ ୧୪ଟି ଗାଁ ଲୀନ ହୋଇଯିବ। ଏହା ସହିତ ବାଘମାନଙ୍କର ପ୍ରମୁଖ ବାସସ୍ଥଳୀ ବୁଡ଼ିଯିବ, ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ ଚଳପ୍ରଚଳ ଅଞ୍ଚଳ ବିଚ୍ଛିନ୍ନ ହୋଇଯିବ ଏବଂ କ୍ଷତିପୂରଣ ଭିତ୍ତିରେ ବନ ବିଭାଗକୁ ରାଜ୍ୟ ସରକାର ହସ୍ତାନ୍ତର କରିଥିବା ବାବୁଲାଲଙ୍କ ଗାଁ ଭଳି ଅନ୍ୟ ଆଠଟି ଗାଁର ଜମି ମଧ୍ୟ ବୁଡ଼ିଯିବ।
ଏ ପର୍ଯ୍ୟନ୍ତ, କିଛି ହେଲେ ଅସ୍ୱାଭାବିକ ନୁହେଁ। ଚିତାବାଘ, ବାଘ , ଅକ୍ଷୟ ଶକ୍ତି, ବନ୍ଧ ଏବଂ ଖଣିକୁ ବାଟ ଛାଡ଼ି ଦେବା ଲାଗି ଲକ୍ଷ ଲକ୍ଷ ଭାରତୀୟଙ୍କୁ, ବିଶେଷତଃ ଆଦିବାସୀମାନଙ୍କୁ, ନିୟମିତ ଭାବେ ବାସଚ୍ୟୁତ କରାଯାଇ ଆସୁଛି।
ଏବେ ୫୧ତମ ବର୍ଷରେ ପାଦ ଥାପିଥିବା ବ୍ୟାଘ୍ର ପ୍ରକଳ୍ପକୁ ବିଶାଳ ସଫଳତା - ୩,୬୮୨ ଟି ବାଘ (୨୦୨୨ ବାଘ ଗଣନା), ମିଳିଛି ସତ, ହେଲେ ପ୍ରତିବଦଳରେ ଭାରତର ଦେଶୀୟ ବନବାସୀ ସଂପ୍ରଦାୟକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏହି ସବୁ ସଂପ୍ରଦାୟର ବହୁ ଭାଗ ଲୋକ ହେଉଛନ୍ତି ଦେଶର ସର୍ବାଧିକ ଅବହେଳିତ ନାଗରିକ।
୧୯୭୩ରେ ଭାରତରେ ନଅଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଥିଲା, ଆଜି ଆମ ପାଖରେ ୫୩ଟି ରହିଛି। ୧୯୭୨ ମସିହାରୁ ଏ ପର୍ଯ୍ୟନ୍ତ ଆମେ ଏଥିରେ ସାମିଲ କରିଥିବା ପ୍ରତିଟି ବାଘ ପାଇଁ ହାରାହାରି ୧୫୦ ଜଣ ବନବାସୀଙ୍କୁ ବାସଚ୍ୟୁତ କରିଛୁ। ଏହା ମଧ୍ୟ, ଏହା ଏକ ଚିନ୍ତାଜନକ ଅବମୂଲ୍ୟାୟନ ମାତ୍ର।
ଏତିକିରେ କଥା ସରିଯାଇନି – ୨୦୨୪ ଜୁନ୍ ୧୯ ତାରିଖ ଦିନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA) ଜାରି କରିଥିବା ଏକ ପତ୍ରରେ ଆଉ ଲକ୍ଷ ଲକ୍ଷ ଲୋକଙ୍କୁ - ଦେଶର ବିଭିନ୍ନ ଭାଗରେ ଥିବା ୫୯୧ଟି ଗାଁକୁ ପ୍ରାଥମିକତା ଭିତ୍ତିରେ ହଟାଇବାକୁ କହିଲେ।
ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (PTR)ରେ ୭୯ଟି ମହାବଳ ବାଘ ଅଛନ୍ତି ଏବଂ ବନ୍ଧ ନିର୍ମାଣ ପାଇଁ ଜଙ୍ଗଲର ଆଭ୍ୟନ୍ତରୀଣ ମୂଳ ଅଞ୍ଚଳ ବୁଡ଼ିଗଲେ ସେମାନଙ୍କର ବି କ୍ଷତିଭରଣା କରିବାକୁ ପଡ଼ିବ। ବାଘମାନଙ୍କ ରହଣି ପାଇଁ ଗହାଦାରା ଗାଁରେ ଥିବା ବାବୁଲାଲଙ୍କ ଜମି ଓ ଘର ବି ଚାଲିଯିବ।
ସରଳ ଭାଷାରେ କହିଲେ: ବନ ବିଭାଗକୁ ହିଁ ‘କ୍ଷତିପୂରଣ’ ଦିଆଯାଉଛି, ସବୁଦିନ ପାଇଁ ନିଜ ନିଜର ବାସଗୃହ ହରାଉଥିବା ଗାଁ ଲୋକଙ୍କୁ ନୁହେଁ।


ମିଳିତ ଜାତିସଂଘର ସଂରକ୍ଷିତ ଜୈବମଣ୍ଡଳ ନେଟୱର୍କ ତାଲିକାରେ ରହିଥିବା ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ବହୁସଂଖ୍ୟକ ଲୁପ୍ତପ୍ରାୟ ସ୍ତନ୍ୟପାୟୀ ଓ ପକ୍ଷୀ ବସବାସ କରନ୍ତି । ବନ୍ଧ ଓ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ମୂଳ ଜଙ୍ଗଲ ଅଞ୍ଚଳର ଷାଠିଏ ବର୍ଗ କିଲୋମିଟର ପାଣିରେ ବୁଡ଼ିଯିବ


ବାମ : ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭିତରେ ଥିବା ଚାଷୀ ଓ ପଶୁପାଳକମାନଙ୍କର ମୋଟ ୧୪ଟି ଗାଁ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ। ଡାହାଣ : ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକା ଏବଂ ସୁଖୱାହାରେ ରହୁଥିବା ଅଧିକାଂଶ ପରିବାର ପଶୁପାଳନ କରନ୍ତି
“ଆମେ ଏଠାରେ ପୁଣି ଜଙ୍ଗଲ ସୃଷ୍ଟି କରିବୁ,” ପାନ୍ନା ବନାଞ୍ଚଳର ଉପ ବନ ଅଧିକାରୀ ଅଞ୍ଜନା ତିର୍କି କହନ୍ତି। କଥା ଆଗକୁ ବଢ଼ାଇ ସେ କହନ୍ତି “ଆମ କାମ ହେଲା ଏହାକୁ ତୃଣଭୂମିରେ ପରିବର୍ତ୍ତନ କରିବା ଏବଂ ବନ୍ୟପ୍ରାଣୀ ପରିଚାଳନା କରିବା,” କିନ୍ତୁ କୃଷି ଓ ପରିବେଶ ଉପରେ ପ୍ରକଳ୍ପର ପ୍ରଭାବ ସଂପର୍କରେ କିଛି ମତାମତ ଦେବାକୁ ସେ ଅନିଚ୍ଛୁକ।
ଯଦିଚ ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀମାନେ ସ୍ୱୀକାର କରନ୍ତି ଯେ, ଜଳମଗ୍ନ ହେବାକୁ ଯାଉଥିବା ୬୦ ବର୍ଗ କିଲୋମିଟର ଘଞ୍ଚ ଓ ଜୈବବିବିଧତା ସଂପନ୍ନ ଜଙ୍ଗଲ ବାବଦ କ୍ଷତିଭରଣା ଲାଗି ପ୍ରତିବଦଳରେ ସେମାନେ ଅତି ବେଶିରେ କେବଳ ବୃକ୍ଷରୋପଣ ଯାହା କରିପାରିବେ। ପାନ୍ନାକୁ ‘ୟୁନେସ୍କୋ’ ବିଶ୍ୱ ସଂରକ୍ଷିତ ଜୀବମଣ୍ଡଳ ନେଟୱର୍କ ରେ ସାମିଲ କରିବାର ଠିକ୍ ଦୁଇ ବର୍ଷ ପରେ ଏହା ଘଟୁଛି। ଏମିତି କି ପ୍ରାକୃତିକ ଜଙ୍ଗଲ ଭିତରୁ ୪୬ ଲକ୍ଷ ଗଛ (୨୦୧୭ରେ ଜଙ୍ଗଲ ପରାମର୍ଶଦାତା କମିଟି ବୈଠକରେ ପ୍ରଦତ୍ତ ଆକଳନ ଅନୁସାରେ) କାଟି ଦେଲେ ଜଳବିଜ୍ଞାନ ଦୃଷ୍ଟିକୋଣରୁ ଏହାର କି ପ୍ରଭାବ ପଡ଼ିବ, ତାହାର ଆକଳନ କରାଯାଇନାହିଁ।
କେବଳ ବାଘମାନେ ହିଁ ହତଭାଗ୍ୟ ବନ୍ୟଜୀବ ନୁହଁନ୍ତି। ଭାରତର ତିନୋଟି ଘଡ଼ିଆଳ (କୁମ୍ଭୀର) ଅଭୟାରଣ୍ୟ ମଧ୍ୟରୁ କେବଳ ଗୋଟିଏ ପ୍ରସ୍ତାବିତ ବନ୍ଧଠାରୁ ମାତ୍ର କେଇ କିଲୋମିଟର ଦୂରରେ ରହିଛି। ଏହା ମଧ୍ୟ ପ୍ରକୃତିର ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ- IUCNର ରେଡ୍ ଲିଷ୍ଟ ରେ ଅତି ବିଲୁପ୍ତପ୍ରାୟ ପକ୍ଷୀ ରୂପେ ସ୍ଥାନ ପାଇଥିବା ଭାରତୀୟ ଶାଗୁଣାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବାସସ୍ଥଳୀ। ଏହା ବ୍ୟତୀତ, ଏଥିରେ ବସବାସ କରୁଥିବା ଅନେକ ଶାକାହାରୀ ଓ ମାଂସାହାରୀ ପଶୁପକ୍ଷୀ ସେମାନଙ୍କର ବାସସ୍ଥଳୀ ହରାଇବେ।
ବାବୁଲାଲ ଜଣେ କ୍ଷୁଦ୍ରଚାଷୀ ଏବଂ ତାଙ୍କର ଅଳ୍ପ କେଇ ବିଘା ବୃଷ୍ଟି ନିର୍ଭରଶୀଳ ଜମି ରହିଛି। ପରିବାର ଚଳାଇବା ପାଇଁ ସେ ଏହି ଜମି ଉପରେ ଭରସା କରନ୍ତି। “ଗାଁ ଛାଡ଼ି ଯିବା ପାଇଁ କୌଣସି ତାରିଖ ଦିଆଯାଇ ନଥିବାରୁ ଆମେ ଭାବିଲୁ ଯେ, ନିଜ ଆହାର ପାଇଁ କିଛି ମକ୍କାଇ (ମକା) ଲଗାଇ ଦେବୁ।” ସେ ଓ ତାଙ୍କ ଭଳି ଗାଁର ଶହ ଶହ ଅନ୍ୟ ଲୋକ ନିଜ ନିଜର କ୍ଷେତ ପ୍ରସ୍ତୁତ କରିସାରିବା ପରେ ବନଖଣ୍ଡ ଅଧିକାରୀମାନେ ଉଭା ହେଲେ। “ସେମାନେ ଆମକୁ କାମ ବନ୍ଦ କରିବାକୁ କହିଲେ। ସେମାନେ କହିଲେ, ‘ତୁମେମାନେ ଯଦି ଆମ କଥା ନ ଶୁଣିବ ତେବେ ଆମେ ଟ୍ରାକ୍ଟର ଆଣି ତୁମ ଜମିରେ ଚଢ଼ାଇ ଦେବୁ’।”
‘ପରୀ’କୁ ପଡ଼ିଆ ପଡ଼ିଥିବା ତାଙ୍କ ଜମି ଦେଖାଇ ସେ ଗରଗର ହୋଇ କହନ୍ତି, “ନା ସେମାନେ ଆମକୁ ପୂରା କ୍ଷତିପୂରଣ ଦେଇ ଏଠାରୁ ଚାଲିଯିବାକୁ ଛାଡ଼ିଲେ, ନା ଏଠାରେ ରହି ଚାଷବାସ କରିବାକୁ ଅନୁମତି ଦେଲେ। ଆମେ ସରକାରଙ୍କୁ ପଚାରୁଛୁ- ଯେତେ ଦିନ ପର୍ଯ୍ୟନ୍ତ ଏଠି ଆମ ଗାଁ ଅଛି, ଆମକୁ ଆମ ଜମି ଚାଷ କରିବାକୁ ଦିଅନ୍ତୁ... ନହେଲେ ଆମେ ଖାଇବୁ କ’ଣ?”
ପୈତୃକ ଘର ହରାଇବା ଆଉ ଏକ ଶକ୍ତ ଆଘାତ। ଚିନ୍ତାଗ୍ରସ୍ତ ଦେଖାଯାଉଥିବା ସ୍ୱାମୀ ପ୍ରସାଦ ପରୋହର ‘ପରୀ’କୁ କହନ୍ତି ଯେ, ୩୦୦ ବର୍ଷରୁ ଅଧିକ ସମୟ ହେଲା ତାଙ୍କ ପରିବାର ଗହଦାରା ଗାଁରେ ରହିଆସୁଛି। “ଆମ ପାଖରେ ଚାଷବାସ, ବର୍ଷ ସାରା ମହୁଆ, ତେନ୍ଦୁ ଭଳି ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରିବାର ଆମଦାନି (ଆୟ) ପନ୍ଥା ଥିଲା। ଏବେ ଆମେ କେଉଁଠିକି ଯିବୁ ? କେଉଁଠି ମରିବୁ ? କେଉଁଠି ବୁଡ଼ିବୁ... କିଏ ଜାଣେ ?” ଆଗାମୀ ପିଢ଼ି ଜଙ୍ଗଲ ସହ ସମସ୍ତ ସଂପର୍କ ହରାଇ ବସିବ ବୋଲି ଚିନ୍ତା ପ୍ରକଟ କରନ୍ତି ଏହି ୮୦ ବର୍ଷୀୟ ବୃଦ୍ଧ।


ବାମ: ଗହଦାରାରେ, ତାଙ୍କ ଜମି ଦେଖାଇ ଦିଅନ୍ତି ବାବୁଲାଲ ଆଦିବାସୀ। ଆସନ୍ନ ଉଚ୍ଛେଦ ଦୃଷ୍ଟିରୁ ଚଳିତ ଋତୁରେ(୨୦୨୪) ଜମିରେ ଗଛ ଲଗାଇବା ପାଇଁ ତାଙ୍କୁ ଅନୁମତି ଦିଆଗଲା ନାହିଁ। ଡାହାଣ: ଗାଁର ସ୍ୱାମୀ ପ୍ରସାଦ ପରୋହର (ସବା ଡାହାଣ)ଙ୍କ ସହିତ (ବାମରୁ ଡାହାଣକୁ) ପରାମଲାଲ, ସୁଦାମା ପ୍ରସାଦ, ଶରଦ ପ୍ରସାଦ ଏବଂ ବୀରେନ୍ଦ୍ର ପାଠକ କହନ୍ତି ଯେ, କେବେ ସଂପୂର୍ଣ୍ଣ ଏବଂ ଚୂଡ଼ାନ୍ତ ବନ୍ଦୋବସ୍ତ ହେବ, ସେ ସଂପର୍କରେ ସେମାନଙ୍କର କୌଣସି ଧାରଣା ନାହିଁ
*****
‘ବିକାଶ’ ପାଇଁ ସରକାରଙ୍କର ସର୍ବଶେଷ ଜମି ଅକ୍ତିଆର ଉପାୟ ହେଉଛି ନଦୀ ସଂଯୋଗୀକରଣ ପ୍ରକଳ୍ପ।
୨୦୨୩ ଅକ୍ଚୋବରରେ ଯେତେବେଳେ କେନ-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପ (KBRLP) ଚୂଡ଼ାନ୍ତ ମଞ୍ଜୁରି ହାସଲ କଲା, ସେତେବେଳେ ଏହାକୁ ତତ୍କାଳୀନ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅତି ଆନନ୍ଦରେ ସ୍ୱାଗତ କରିଥିଲେ। ଏହାକୁ ସେ “ପଛୁଆ ବୁନ୍ଦେଲଖଣ୍ଡର ଅଧିବାସୀମାନଙ୍କ ପାଇଁ ଏକ ସୌଭାଗ୍ୟର ଦିବସ” ରୂପେ ଅଭିହିତ କରିଥିଲେ। ହେଲେ ଏହି ପ୍ରକଳ୍ପ ଯୋଗୁଁ ବଞ୍ଚିତ ହେବାକୁ ଯାଉଥିବା ତାଙ୍କ ରାଜ୍ୟର ହଜାର ହଜାର ଚାଷୀ, ପଶୁପାଳକ, ବନବାସୀ ଏବଂ ସେମାନଙ୍କ ପରିବାର ସଂପର୍କରେ ସେ କିଛି ହେଲେ କହି ନଥିଲେ। ଏହା ବି ସେ ଦେଖି ନଥିଲେ ଯେ ପାନ୍ନା ବାଘ ସଂରକ୍ଷଣ ପ୍ରକଳ୍ପ ବାହାରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବା ସର୍ତ୍ତରେ ପରିବେଶ ସଂକ୍ରାନ୍ତ ମଞ୍ଜୁରି ଦିଆଯାଇଥିଲା, କିନ୍ତୁ ଏବେ ଶକ୍ତି ଉତ୍ପାଦନ ଭିତରେ କରାଯାଉଛି।
ବଳକା ପାଣି ଥିବା ନଦୀକୁ ନିଅଣ୍ଟିଆ ନଦୀ ସହିତ ସଂଯୋଗ କରିବାର ଏହି ପରିକଳ୍ପନା ୧୯୭୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ଏଥିରୁ ଜନ୍ମ ନେଇଥିଲା ଜାତୀୟ ଜଳ ଉନ୍ନୟନ ସଂସ୍ଥା (NWDA)। ଏହା ସାରା ଦେଶରେ ପ୍ରବାହିତ ନଦୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ୩୦ଟି ସଂଯୋଗୀକରଣ ସମ୍ଭାବନା ନିରୂପଣ କରିଥିଲେ – ଯାହାକୁ କୁହାଯାଉଥିଲା କେନାଲର ଏକ ‘ଭବ୍ୟ ପୁଷ୍ପମାଳା’।
ଗଙ୍ଗା ଅବବାହିକାର ଏକ ଅଂଶ କେନ ନଦୀ, ମଧ୍ୟ ଭାରତର କୈମୁର ପର୍ବତରୁ ବାହାରି ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଯମୁନା ସହ ମିଶିଛି। ୪୨୭ କିଲୋମିଟର ଲମ୍ବା ଗତିପଥରେ ବହି ଯିବା ବେଳେ ଏହା ପାନ୍ନା ବ୍ୟାଘ୍ର ପ୍ରକଳ୍ପ ଭିତର ଦେଇ ଯାଇଛି। ଏହି ଉଦ୍ୟାନ ଭିତରେ ଥିବା ଧୋଦନ ଗାଁ ହେଉଛି ନଦୀବନ୍ଧ ନିର୍ମାଣ ସ୍ଥଳୀ।
କେନ ନଦୀର ସୁଦୂର ପଶ୍ଚିମରେ ପ୍ରବାହିତ ହେଉଛି ବେତୱା ନଦୀ। ‘ବଳକା’ କେନ ନଦୀରୁ ପାଣି ନେଇ ‘ନିଅଣ୍ଟିଆ’ ବେତୱା ନଦୀର ଉପର ମୁଣ୍ଡକୁ ପଠାଇବା ହେଉଛି କେନ-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପର ଲକ୍ଷ୍ୟ। ଏହି ଦୁଇ ନଦୀକୁ ସଂଯୋଗ କରାଗଲେ, ଅର୍ଥନୈତିକ ଦୃଷ୍ଟିରୁ ଏକ ପଛୁଆ ଅଞ୍ଚଳ ତଥା ଭୋଟ୍ ବ୍ୟାଙ୍କ ରୂପେ ବିବେଚିତ ବୁନ୍ଦେଲଖଣ୍ଡ ଅଞ୍ଚଳର ୩୪୩,୦୦୦ ହେକ୍ଟର ଜଳକ୍ଲିଷ୍ଟ ଜମିକୁ ଜଳସେଚିତ କରାଯାଇପାରିବାର ଆଶା ରହିଛି। କିନ୍ତୁ ବାସ୍ତବରେ, ବିଜ୍ଞାନୀମାନେ ମତ ଦିଅନ୍ତି ଯେ, ଏହି ପ୍ରକଳ୍ପ ବୁନ୍ଦେଲଖଣ୍ଡ ଅଞ୍ଚଳର ପାଣିକୁ ବେତୱା ନଦୀର ଉପର ଅବବାହିକାରେ ଥିବା ବୁନ୍ଦେଲଖଣ୍ଡ ବାହାର ଅଞ୍ଚଳକୁ ପଠାଇବାରେ ସହାୟକ ହେବ।


ବାମ : ପ୍ରସ୍ତାବିତ ବନ୍ଧ ଦ୍ୱାରା ବୁଡ଼ି ଯିବାକୁ ଥିବା କେନ ନଦୀ ଉପରମୁଣ୍ଡର ପାଖାପାଖି ପାଞ୍ଚରୁ ଛଅ କିଲୋମିଟର ଅଞ୍ଚଳର ଏକ ଦୃଶ୍ୟ ସୌଜନ୍ୟ : SANDRP ( ଫଟୋ : ଜୋଆନ୍ନା ଭାନ୍ ଗ୍ରୁସେଁ ) । ଡାହାଣ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରହୁଥିବା ଜୀବଜନ୍ତୁଙ୍କ ବ୍ୟତୀତ ସମଗ୍ର କେନ ନଦୀ କୂଳରେ ବସବାସ କରୁଥିବା ପଶୁପାଳକ ସଂପ୍ରଦାୟର ଲୋକେ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ଏହି ପାଣି ଉପରେ ନିର୍ଭର କରନ୍ତି


ବାମ : ଏପ୍ରିଲ ୨୦୧୮ରେ ଅମାନଗଞ୍ଜ ନିକଟ ପାଣ୍ଡବନରେ କେନ୍ ନଦୀର ବିଭିନ୍ନ ଭାଗ ସଂପୂର୍ଣ୍ଣ ଶୁଖିଯାଇଛି, ଏବଂ ଜଣେ ଚାହିଁଲେ ନଦୀଶଯ୍ୟା ମଝିରେ ଚାଲି ଚାଲି ଯାଇପାରିବେ । ଡାହାଣ : ପାୱାଇ ପାଖରେ କେନ ନଦୀ ମାଇଲ ମାଇଲ ଧରି ଶୁଖିଲା ପଡ଼ିଛି
କେନ ନଦୀରେ ବଳକା ପାଣି ରହୁଛି ବୋଲି ଯେଉଁ ଧାରଣା ରହିଛି, ତା’ ଉପରେ ପ୍ରଶ୍ନ ଉଠିବା ଆବଶ୍ୟକ ବୋଲି କହନ୍ତି ଡକ୍ଟର ନଚିକେତ କେଲକାର। ଏବେ ନଦୀ ଉପରେ ଥିବା ବନ୍ଧଗୁଡ଼ିକ - ବାରିୟାରପୁର ବ୍ୟାରେଜ୍, ଗଙ୍ଗାଉ ବନ୍ଧ ଏବଂ ପାୱାଇ ନିକଟ ଏକ ବନ୍ଧ- ଜଳସେଚନ ସୁବିଧା ଯୋଗାଇ ଦେଉଥିବା କଥା। “କିଛି ବର୍ଷ ତଳେ ମୁଁ ଯେତେବେଳେ କେନ ନଦୀତଟ ସଂଲଗ୍ନ ବାନ୍ଦା ଓ ଆଖପାଖ ଅଞ୍ଚଳ ଗସ୍ତ କରିଥିଲି, ସେତେବେଳେ ସେଠାରେ ଜଳସେଚନ ପାଇଁ ପାଣି ମିଳୁ ନଥିବା କଥା ବାରମ୍ବାର ଶୁଣିଥିଲି,” ୱାଇଲଡଲାଇଫ୍ କନଜରଭେସନ୍ ଟ୍ରଷ୍ଟର ଏହି ପରିବେଶ ବିଜ୍ଞାନୀ ଜଣକ କହନ୍ତି।
୨୦୧୭ ମସିହାରେ କେନ୍ ନଦୀ ତଟବର୍ତ୍ତୀ ସମଗ୍ର ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇଥିବା SANDRPର ଗବେଷକମାନେ ଗୋଟିଏ ରିପୋର୍ଟ ରେ ଲେଖିଥିଲେ, “….ବର୍ତ୍ତମାନ ସବୁ ସ୍ଥାନରେ କେନ୍ ଏକ ଚିରସ୍ରୋତା ନଦୀ ନୁହେଁ... ନଦୀର ବହୁ ଅଂଶରେ ପାଣିର ଧାର ନାହିଁ ଏବଂ ପାଣି ନାହିଁ।”
ଜଳସେଚନ ଦୃଷ୍ଟିରୁ କେନ ଏକ ନିଅଣ୍ଟିଆ ନଦୀ ହୋଇଥିବାରୁ, ବେତୱା ନଦୀକୁ ପାଣି ଯୋଗାଇ ଦେଲେ ଏହାକୁ ନିଜସ୍ୱ ସେଚ ଅଞ୍ଚଳକୁ ଜଳ ଯୋଗାଣ ପରିମାଣ କାଟିବାକୁ ପଡ଼ିବ। ଏହି କଥା କହନ୍ତି ସାରା ଜୀବନ ପାନ୍ନାରେ କଟାଇଥିବା ନୀଲେଶ ତିୱାରୀ। ସେ କହନ୍ତି ଯେ, ପ୍ରସ୍ତାବିତ ବନ୍ଧ ଯୋଗୁଁ ମଧ୍ୟ ପ୍ରଦେଶର ଲୋକେ ସବୁଦିନ ପାଇଁ ବଞ୍ଚିତ ହେଉଥିବା ବେଳେ ପଡ଼ୋଶୀ ଉତ୍ତର ପ୍ରଦେଶକୁ ଏହା ଫାଇଦା ଦେବା ଭଳି ଜଣାପଡୁଥିବାରୁ ଏହି ବନ୍ଧକୁ ନେଇ ଏଠାରେ ତୀବ୍ର ଆକ୍ରୋଶ ଦେଖାଦେଇଛି।
“ବନ୍ଧ ଯୋଗୁଁ ଲକ୍ଷ ଲକ୍ଷ ଗଛ, ହଜାର ହଜାର ଜୀବଜନ୍ତୁ ବୁଡ଼ିଯିବେ। ଲୋକେ (ବନବାସୀମାନେ) ସେମାନଙ୍କ ସ୍ୱାଧୀନତା ହରାଇବେ, ସେମାନେ ବେଘର (ଗୃହହୀନ) ହୋଇଯିବେ। ଲୋକେ ରାଗି ଯାଇଛନ୍ତି, କିନ୍ତୁ ସରକାର ଧ୍ୟାନ ଦେଉନାହାନ୍ତି,” ତିୱାରୀ କହନ୍ତି।
“କେଉଁଠି ସେମାନେ (ସରକାର) ଜାତୀୟ ଉଦ୍ୟାନ ଗଢୁଛନ୍ତି, ତ ଆଉ କେଉଁଠି, ଏ ନଦୀ ଉପରେ କି ସେ ନଦୀ ଉପରେ ବନ୍ଧଟିଏ ... ଏବଂ ଲୋକେ ବାସଚ୍ୟୁତ ହୋଇଛନ୍ତି, ବାହାରି ଯାଇଛନ୍ତି...” ଜନକା ବାଇ କହନ୍ତି। ୨୦୧୫ରେ ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ସଂପ୍ରସାରଣ ଯୋଗୁଁ ସେ ଉମରାୱନରେ ଥିବା ତାଙ୍କ ଘର ହରାଇଥିଲେ।
ପର୍ଯ୍ୟାପ୍ତ କ୍ଷତିପୂରଣ ପାଇବା ଲାଗି ଆଜିକୁ ଦଶ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି ବୟସର ପଚାଶ ଦଶକରେ ଉପନୀତ ଗୋଣ୍ଡ ଆଦିବାସୀମାନଙ୍କର ଏକ ଗାଁ ଉମରାୱନର ଏହି ବାସିନ୍ଦା ଜଣକ। ବାଘମାନଙ୍କ ପାଇଁ ସରକାର ହାତକୁ ନେଇଥିବା ଜମିରେ ଏବେ ଏକ ରିସୋର୍ଟ ତିଆରି ହେବାକୁ ଯାଉଥିବା କଥାକୁ ଉପଲକ୍ଷ୍ୟ କରି ସେ କହନ୍ତି, “ସରକାର ଆମ ଭବିଷ୍ୟତ, ଆମ ପିଲାମାନଙ୍କ ଭବିଷ୍ୟତ ସଂପର୍କରେ ଆଦୌ ଚିନ୍ତିତ ନୁହଁନ୍ତି। ସେମାନେ ଆମକୁ ବୋକା ବନେଇ ଦେଇଛନ୍ତି। ଦେଖନ୍ତୁ ଆମକୁ ଏଠାରୁ ତଡ଼ି ଦେଲା ପରେ, ଏବେ ସେମାନେ ପର୍ଯ୍ୟଟକମାନେ ଆସି ରହିବା ଲାଗି ଏ ଜାଗାରେ ସର୍ଭେ କରିଛନ୍ତି।”


ବାମ : ସ୍ୱାମୀ କପୁର ସିଂହଙ୍କ ସହିତ ସେମାନଙ୍କ ଘରେ ଜନକା ବାଇ । ଡାହାଣ : ଉମରାୱନର ଶାସକି ପ୍ରାଥମିକଶାଳା (ସରକାରୀ ପ୍ରାଥମିକ ବିଦ୍ୟାଳୟ), ଶିକ୍ଷକମାନେ କହନ୍ତି ଯେ, ଏଠାରେ ଛାତ୍ର ଉପସ୍ଥାନ ହାର ଦ୍ରୁତ ଗତିରେ କମିବାରେ ଲାଗିଛି କାରଣ, କେତେବେଳେ ଯେ ସେମାନେ ବାସଚ୍ୟୁତ ହେବେ, ସେ ସଂପର୍କରେ ସ୍ଥାନୀୟ ଲୋକେ ନିଶ୍ଚିତ ନୁହଁନ୍ତି


ବାମ: ଜନକା ବାଇ ସେହି ସ୍ଥାନରେ ଅଛନ୍ତି, ଯେଉଁଠାରେ ଉଚ୍ଛେଦ ବିରୋଧରେ ପ୍ରତିବାଦ ସ୍ୱରୂପ ସେ ଓ ଉମରାୱନର ଅନ୍ୟ ମହିଳାମାନେ ସେମାନଙ୍କ ଗାଁରୁ ବିଦ୍ୟୁତ ଟ୍ରାନସଫର୍ମର ଲଦି ନେଇଯାଉଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ ଏବଂ ଆଗକୁ ଯିବାକୁ ଦେଇ ନଥିଲେ। ଡାହାଣ: ଜନକା ବାଇଙ୍କ ସହିତ ସୁର୍ମିଲା (ଲାଲ ଶାଢ଼ିରେ), ଲୀଲା (ବାଇଗଣି ରଙ୍ଗର ଶାଢ଼ିରେ) ଏବଂ ଗୋନି ବାଇ- ସେମାନେ ସମସ୍ତେ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଉମରାୱନରେ ରହି ଆସୁଛନ୍ତି
*****
୨୦୧୪ ଡିସେମ୍ବରରେ, ଜନଶୁଣାଣି ବୋଲି ଧରି ନିଆଯାଇଥିବା ଏକ ସଭାରେ କେନ-ବେତୱା ନଦୀ ସଂଯୋଗୀକରଣ ସଂପର୍କରେ ଘୋଷଣା କରାଯାଇଥିଲା।
ହେଲେ ସ୍ଥାନୀୟ ଲୋକେ ଶପଥ କରି କହନ୍ତି ଯେ କୌଣସି ଜନଶୁଣାଣି ହୋଇ ନଥିଲା, କେବଳ ଉଚ୍ଛେଦ ପାଇଁ ନୋଟିସ୍ ଏବଂ ମୌଖିକ ପ୍ରତିଶ୍ରୁତି ଦିଆଯାଇଥିଲା। ତାହା ଉଚିତ କ୍ଷତିପୂରଣ ଏବଂ ଜମି ଅଧିଗ୍ରହଣରେ ସ୍ୱଚ୍ଛତା, ଥଇଥାନ ଏବଂ ପୁନର୍ବାସ ଆଇନ , ୨୦୧୩ (LARRA)ର ଉଲ୍ଲଂଘନ କରେ। ଏହି ଆଇନରେ ବର୍ଣ୍ଣିତ ଆଦେଶ ଅନୁସାରେ, “ଜମି ଅଧିଗ୍ରହଣ ସଂପର୍କିତ ବିଷୟବସ୍ତୁ ସରକାରୀ ଗେଜେଟରେ, ସ୍ଥାନୀୟ ବିଭିନ୍ନ ଖବରକାଗଜରେ, ସ୍ଥାନୀୟ ଭାଷାରେ ଏବଂ ଉପଯୁକ୍ତ ସରକାରୀ ୱେବସାଇଟରେ ଘୋଷିତ ହେବା ଉଚିତ।” ଥରେ ବିଜ୍ଞପ୍ତି ପ୍ରକାଶ ପାଇଗଲେ, ଏହି ଉଦ୍ଦେଶ୍ୟରେ ଗାଁରେ ଆହୂତ ବୈଠକରେ ଗ୍ରାମ ସଭା (ପରିଷଦ)କୁ ଏ ସଂପର୍କରେ ସୂଚନା ଦେବା ନିହାତି ଆବଶ୍ୟକ।
“ଏହି ଆଇନରେ ନିର୍ଦ୍ଧାରିତ କୌଣସି ଉପାୟ ଜରିଆରେ ସରକାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦେଇ ନଥିଲେ। ଆମେ ଏଥିପାଇଁ ଅନେକ ଥର ପଚାରିଛୁ ଯେ ‘ଆଇନର କେଉଁ ଧାରା ଅନୁସାରେ ଆପଣ ଏଭଳି କରୁଛନ୍ତି ତାହା ଆମକୁ କହନ୍ତୁ’,” ସାମାଜିକ କର୍ମୀ ଅମିତ ଭଟନାଗର କହନ୍ତି। ଗ୍ରାମସଭା ସମାପିତ ହୋଇଥିବା ସଂପର୍କରେ ପ୍ରମାଣ ଦେଖାଇବା ଦାବିରେ ଏ ବର୍ଷ ଜୁନରେ ସେ ଜିଲ୍ଲାପାଳଙ୍କ ଅଫିସରେ ଏକ ଆନ୍ଦୋଳନ ଆୟୋଜନ କରିଥିଲେ। ସେମାନଙ୍କ ଉପରେ ଲାଠିମାଡ଼ କରାଯାଇଥିଲା।
“ପ୍ରଥମେ ଆମକୁ କହନ୍ତୁ ଯେ ଆପଣ (ସରକାର) କେଉଁ ପ୍ରକାର ଗ୍ରାମସଭା ବୈଠକ କରିଥିଲେ, କାରଣ ଆପଣ ଆଦୌ କରି ନଥିଲେ,” ଆମ୍ ଆଦମୀ ପାର୍ଟିର ଜଣେ ସଦସ୍ୟ ଭଟନାଗର କହନ୍ତି। “ଦ୍ୱିତୀୟରେ, ଆଇନ କହେ ଯେ, ଏହି ଯୋଜନା ପାଇଁ ଲୋକଙ୍କ ସମ୍ମତି ନିଶ୍ଚିତ ଆବଶ୍ୟକ, ଯାହା କି ସେମାନଙ୍କ ପାଖରେ ନାହିଁ। ଏବଂ ତୃତୀୟରେ, ଯଦି ସେମାନେ ଘର ଛାଡ଼ି ଯାଉଛନ୍ତି, ତେବେ ଆପଣ ସେମାନଙ୍କୁ କେଉଁଠାକୁ ପଠାଉଛନ୍ତି? ଆପଣ କିଛି ହେଲେ କହିନାହାନ୍ତି, ଏ ସଂପର୍କରେ କୌଣସି ନୋଟିସ କିମ୍ବା ସୂଚନା ଦେଇନାହାନ୍ତି।”
କେବଳ ଯେ ଜମି ଅଧିଗ୍ରହଣରେ ସ୍ୱଚ୍ଛତା, ଥଇଥାନ ଏବଂ ପୁନର୍ବାସ ଆଇନ- LARRAକୁ ଏଡ଼ାଇ ଦିଆଯାଇଥିଲା ତାହା ନୁହେଁ, ବରଂ ସରକାରୀ ଅଧିକାରୀମାନେ ସର୍ବସାଧାରଣ ମଞ୍ଚରେ ପ୍ରତିଶ୍ରୁତି ଦେବାରେ ଲାଗିଲେ। ଧୋଦନ ଗାଁ ବାସିନ୍ଦା ଗୁରୁଦେବ ମିଶ୍ରା କହନ୍ତି ଯେ, ସମସ୍ତେ ଠକି ହୋଇଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି। “ଅଧିକାରୀମାନେ କହିଲେ, ‘ଆମେ ତୁମ ଜମି ବଦଳରେ ତୁମକୁ ଜମି ଦେବୁ, ଘର ବଦଳରେ ଗୋଟିଏ ପକ୍କା ଘର ଦେବୁ, ତୁମକୁ ଚାକିରି ମିଳିବ। ଘରୁ ନିଜ ଅଲିଅଳୀ ଝିଅକୁ ବିଦା କରିବା ଭଳି ତୁମମାନଙ୍କୁ ବିଦା କରିବୁ’।”
ଜଣେ ପୂର୍ବତନ ସରପଞ୍ଚ, ଏକ ଅନୌପଚାରିକ ଗାଁ ବୈଠକରେ ‘ପରୀ’କୁ ସେ କହୁଛନ୍ତି। “ଆମେ କେବଳ ତାହା ହିଁ ଚାହୁଁଛୁ, ଯାହା ସରକାର ପ୍ରତିଶ୍ରୁତି ଦେଇଥିଲେ, ଏଠାକୁ ଆସିବା ସମୟରେ ଜିଲ୍ଲାପାଳ (ଛତରପୁରର), ମୁଖ୍ୟମନ୍ତ୍ରୀ, (କେନ ବେତୱା ନଦୀ ସଂଯୋଗୀକରଣ) ପ୍ରକଳ୍ପର ଅଧିକାରୀମାନେ ଆମକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ,” ସେ କହନ୍ତି। “କିନ୍ତୁ ସେମାନେ ସେଥିରୁ କୌଣସି ଗୋଟିଏ ହେଲେ କରିନାହାନ୍ତି।”


ବାମ: ଧୋଦନ ଗାଁର ଯେଉଁ ସ୍ଥାନରେ କେନ ନଦୀ ଉପରେ ବନ୍ଧ ନିର୍ମାଣ କରାଯିବ ସେଠାରେ ପଶୁପାଳକ ବିହାରୀ ଯାଦବଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବନ୍ଧକୁ ବିରୋଧ କରୁଥିବା ଆନ୍ଦୋଳନକାରୀ ଅମିତ ଭଟନାଗର। ଡାହାଣ: ଏହି ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବୁଡ଼ିଯିବ ଧୋଦନ ଗାଁ ଓ ଏହାକୁ ଘେରି ରହିଥିବା ଅଞ୍ଚଳ


ବାମ: ଧୋଦନ ଗାଁର ଗୁରୁଦେବ ମିଶ୍ରା ପ୍ରଶ୍ନ କରନ୍ତି ଯେ କାହିଁକି କ୍ଷତିପୂରଣ ଓ ଥଇଥାନ ସଂପର୍କରେ ପ୍ରଶାସନ ନିଜ ପ୍ରତିଶ୍ରୁତି ପୂରଣ କରୁନାହିଁ। ଡାହାଣ: ବନ୍ଧଠାରୁ ଅତି ବେଶିରେ ୫୦ ମିଟର ଦୂରରେ ରହନ୍ତି କୈଳାସ ଆଦିବାସୀ, କିନ୍ତୁ ତାଙ୍କର ଜମି ମାଲିକାନା ସଂପର୍କିତ କାଗଜପତ୍ର ନଥିବାରୁ ତାଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି କହିଦିଆଯାଇଛି
ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୂର୍ବ ପଟେ ଗହଦାରାର ସ୍ଥିତି ବି କିଛି ଅଲଗା ନୁହେଁ। “ଜିଲ୍ଲାପାଳ (ପାନ୍ନାର) କହିଲେ ଯେ ଆମେ ତୁମମାନଙ୍କୁ ପୂର୍ବରୁ ଯେମିତି ଥିଲ, ପୁଣି ସେମିତି ରଖାଇ ଦେବୁ। ଏଥିରେ ତୁମମାନଙ୍କର ସୁବିଧା ହେବ। ତୁମମାନଙ୍କ ପାଇଁ ଆମେ ପୁଣି ଏହି ଗାଁ ତିଆରି କରିଦେବୁ,” ଅଶୀରୁ ଅଧିକ ବର୍ଷ ବୟସର ପରୋହର କହନ୍ତି। “କିଛି ହେଲେ କରାଯାଇନାହିଁ, ଏବଂ ଏବେ ଆମକୁ ଛାଡ଼ି ପଳାଇ ଯିବା ଲାଗି କୁହାଯାଇଛି।”
କ୍ଷତିପୂରଣ ବାବଦ ଅର୍ଥର ପରିମାଣ ବି ସ୍ପଷ୍ଟ ହୋଇନାହିଁ ଏବଂ ଲୋକମୁଖରେ ଭିନ୍ନ ଭିନ୍ନ ଅଙ୍କ ଘୂରି ବୁଲୁଛି- ୧୮ ବର୍ଷରୁ ଅଧିକ ବୟସର ପ୍ରତି ପୁରୁଷଙ୍କୁ ୧୨ରୁ ୨୦ ଲକ୍ଷ ଟଙ୍କା। ଏଠାକାର ଲୋକେ ପଚାରନ୍ତି: “ସେଇଟା ମୁଣ୍ଡପିଛା ନା ପରିବାର ପିଛା ? ଯେଉଁ ପରିବାରର ମୁଖିଆ ମହିଳା ହୋଇଥିବେ, ସେମାନଙ୍କୁ କ’ଣ ମିଳିବ ? ଏବଂ ଜମି ପାଇଁ ସେମାନେ କ’ଣ ଆମକୁ ଅଲଗା କ୍ଷତିପୂରଣ ଦେବେ ? ଆମ ଗୃହପାଳିତ ପଶୁମାନଙ୍କର କଥା କ’ଣ ? ଆମକୁ କୌଣସି କଥା ସ୍ପଷ୍ଟ ଭାବରେ କୁହାଯାଇନାହିଁ।”
ସରକାରୀ କାର୍ଯ୍ୟାନୁଷ୍ଠାନ ପଛରେ ଥିବା ଏହି ମିଛ ଓ ଅସ୍ପଷ୍ଟତାର ପରିଣତି ଏମିତି ଯେ, ‘ପରୀ’ ଗସ୍ତ କରିଥିବା ପ୍ରତିଟି ଗାଁରେ କେହି ହେଲେ ଜାଣିନାହାନ୍ତି ଯେ ସେମାନେ କେଉଁଠିକି ଯିବେ, କିମ୍ବା ଠିକ୍ କେତେ ପରିମାଣରେ/ କେଉଁ ହାରରେ ଘର, ଜମି, ଗୃହପାଳିତ ପଶୁ ଓ ଗଛ ବାବଦରେ କ୍ଷତିପୂରଣ ମିଳିବ। ମନେହୁଏ, ଏଠାକାର ୨୨ଟି ଗାଁର ଲୋକେ ଏବେ ଏକ ସାମୟିକ ନିଶ୍ଚଳ ସ୍ଥିତିରେ କାଳ କାଟୁଛନ୍ତି।
ବନ୍ଧ ନିର୍ମାଣ ହେଲେ ବୁଡ଼ି ଯିବାକୁ ଥିବା ଧୋଦନ ଗାଁର ତାଙ୍କ ଘର ବାହାରେ ବସିଥିବା ଚିନ୍ତାଗ୍ରସ୍ତ କୈଳାସ ଆଦିବାସୀ ତାଙ୍କ ଜମି ଉପରେ ମାଲିକାନା ସାବ୍ୟସ୍ତ କରିବାକୁ ପୁରୁଣା ରସିଦ ଓ ସରକାରୀ କାଗଜପତ୍ର ଆଣି ଦେଖାନ୍ତି। “ସେମାନେ କହନ୍ତି ମୋ ପାଖରେ ଗୋଟିଏ ପଟ୍ଟା (ମାଲିକାନା ନିରୂପଣ କରୁଥିବା ସରକାରୀ ଦଲିଲ) ନାହିଁ। କିନ୍ତୁ ମୋ ପାଖରେ ଏ ସବୁ ରସିଦ ଅଛି। ମୋ ବାପା, ତାଙ୍କ ବାପା, ତାଙ୍କ ବାପା.... ସେମାନେ ସମସ୍ତେ ଏହି ଜମିର ମାଲିକ ଥିଲେ। ମୋ ପାଖରେ ସବୁ ରସିଦ ଅଛି।”
ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁସାରେ, “ଆଦିବାସୀ କିମ୍ବା ଜଙ୍ଗଲରେ ବସବାସ କରୁଥିବା ସଂପ୍ରଦାୟ, ଯେ କୌଣସି ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା କୌଣସି ରାଜ୍ୟ ସରକାର ଜାରି କରିଥିବା ଜଙ୍ଗଲ ଜମି ସଂପର୍କିତ ପଟ୍ଟା କିମ୍ବା ଲିଜ୍ କିମ୍ବା ଅନୁମୋଦନ ପତ୍ରକୁ ସ୍ୱତ୍ୱ ଦଲିଲରେ ପରିବର୍ତ୍ତନ କରିପାରିବେ।”
କିନ୍ତୁ ତାଙ୍କ ପାଖରେ ଥିବା କାଗଜପତ୍ର ‘ଯଥେଷ୍ଟ ନୁହେଁ’ ବୋଲି କହି କୈଳାସଙ୍କୁ କ୍ଷତିପୂରଣ ଦେବାକୁ ମନା କରାଯାଉଛି। “ଏହି ଜମି ଓ ଘର ଉପରେ ଆମର ଅଧିକାର ଅଛି କି ନାହିଁ ବୋଲି ଆମେ ସ୍ପଷ୍ଟ ଭାବେ ଜାଣିନାହୁଁ। ଆମେ କ୍ଷତିପୂରଣ ପାଇବୁ ବୋଲି ଆମକୁ କୁହାଯାଇନାହିଁ। ସେମାନେ ଆମକୁ ଘଉଡ଼ାଇ ଦେବାକୁ ଚାହାଁନ୍ତି। ଆମ କଥା କେହି ଶୁଣୁନାହାନ୍ତି।”
ବନ୍ଧର ଜଳଭଣ୍ଡାରରେ ୧୪ଟି ଗାଁ ବୁଡ଼ିଯିବ। କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ବନ ବିଭାଗକୁ ଅନ୍ୟ ଆଠଟି ଗାଁ ହସ୍ତାନ୍ତର କରିଛନ୍ତି
ପାଖ ଗାଁ ପାଲକୋହାର ଯୁଗଳ ଆଦିବାସୀ ଏକାନ୍ତରେ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି। “ଗାଁର ପଟୱାରୀ (ମୁଖିଆ) କହି ବୁଲନ୍ତି ଯେ ଆମ ପାଖରେ ତୁମର ସେହି ପଟ୍ଟା ନାହିଁ” ଆମେ ଗାଁ ମଝିରୁ ଚାଲି ଚାଲି ଯିବା ବାଟରେ ସେ କହନ୍ତି। “ଅଧା ଲୋକ କିଛି କିଛି କ୍ଷତିପୂରଣ ପାଇଛନ୍ତି, ଏବଂ ବାକି ଲୋକ କିଛି ପାଇନାହାନ୍ତି।” ତାଙ୍କର ବଡ଼ ଚିନ୍ତା ଯେ, ସବୁ ବର୍ଷ ଭଳି ଏ ବର୍ଷ ବି କାମଧନ୍ଦା ପାଇଁ ଗାଁ ଛାଡ଼ି ବାହାରକୁ ଯିବାର ସମୟ ଆସିଗଲାଣି ଏବଂ ଯଦି ସେ ଚାଲିଯାଆନ୍ତି ତେବେ ହୁଏତ ତାଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ହରାଇ ବସିବେ ଏବଂ ତାଙ୍କର ସାତ ଜଣ ପିଲାଙ୍କ ଭବିଷ୍ୟତ ବିପନ୍ନ ହୋଇପଡ଼ିବ।
ଅତୀତର କଥା ମନେ ପକାଇ ସେ କହନ୍ତି, “ମୋ ପିଲାଦିନେ, ମୁଁ ସେହି ଜମିରେ କାମ କରୁଥିଲି ଏବଂ ଆମେ ଜଙ୍ଗଲ ଭିତରକୁ ଯାଉଥିଲୁ।” କିନ୍ତୁ ଗଲା ୨୫ ବର୍ଷ ଭିତରେ, ଜଙ୍ଗଲଟି ବାଘମାନଙ୍କ ପାଇଁ ସଂରକ୍ଷିତ ଅଞ୍ଚଳରେ ପରିଣତ ହେବା ପରେ ତାଙ୍କ ଭଳି ଆଦିବାସୀମାନଙ୍କର ଜଙ୍ଗଲ ଯିବା ଉପରେ କଟକଣା ଲାଗିଯାଇଛି ଏବଂ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେମାନେ ଦିନ ମଜୁରିଆ ଭାବେ କାମ କରିବାକୁ ବାହାରକୁ ଚାଲିଯାଉଛନ୍ତି।
ଲୋକେ ବାସଚ୍ୟୁତ ହେବା ଅପେକ୍ଷାରେ ଥିବା ଗାଁଗୁଡ଼ିକର ମହିଳାମାନେ କ୍ଷତିପୂରଣରେ ସେମାନଙ୍କର ଭାଗକୁ ନେଇ ଅଡ଼ି ବସିଛନ୍ତି। “(ପ୍ରଧାନ ମନ୍ତ୍ରୀ) ମୋଦି ସବୁବେଳେ କହୁଛନ୍ତି, ‘ମହିଳାଙ୍କ ପାଇଁ ଏ ଯୋଜନା... ମହିଳାଙ୍କ ପାଇଁ ସେ ଯୋଜନା’। ଆମେ ତାହା ଚାହୁଁନାହୁଁ। ଆମେ ଆମର ଅଧିକାର ଚାହୁଁଛୁ,” ପାଲକୋହା ଗାଁର ଜଣେ ଚାଷୀ, ରବିଦାସ (ଦଳିତ) ସଂପ୍ରଦାୟର ସୁନ୍ନି ବାଇ କହନ୍ତି।
“କେବଳ ପୁରୁଷମାନେ କାହିଁକି (କ୍ଷତିପୂରଣ) ପ୍ୟାକେଜ୍ ପାଉଛନ୍ତି ଏବଂ ମହିଳାଙ୍କ ପାଇଁ କିଛି ନାହିଁ। କେଉଁ ଆଧାରରେ ସରକାର ଏହି ଆଇନ କରିଛନ୍ତି?” ବୋଲି ପଚାରନ୍ତି ଗୋଟିଏ ପୁଅ ଓ ଦୁଇଟି ଝିଅର ଏହି ମାଆ ଜଣକ। “ଯଦି ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଭିତରେ ଅପଡ଼ ହୁଏ ତେବେ ସେ କେମିତ ତା’ର ପିଲାମାନଙ୍କୁ ଓ ନିଜକୁ ଖୁଆଇବ? ଆଇନ ଏସବୁ ବିଷୟରେ ଚିନ୍ତା କରିବା କଥା... ସର୍ବୋପରି ଜଣେ ମହିଳା ବି ଜଣେ ଭୋଟର।”


ବାମ : ଛତରପୁର ଜିଲ୍ଲାର ପାଲକୋହାରେ ଯୁଗଳ ଆଦିବାସୀ ଆନ୍ଦୋଳନକାରୀଙ୍କ ଦ୍ୱାରା ବ୍ୟବହୃତ ପୋଷ୍ଟର ଦେଖାଉଛନ୍ତି । ଡାହାଣ : ସୁନ୍ନି ବାଇ ତାଙ୍କ ପିଲାମାନଙ୍କ ସହିତ- ପୁଅ ବିଜୟ, ରେଶମା (କଳା କୁର୍ତା) ଏବଂ ଅଞ୍ଜଳି । ସେ କହନ୍ତି ମହିଳାମାନଙ୍କୁ କ୍ଷତିପୂରଣ ଦେବା କଥା ବିଚାର କରାଯାଉନାହିଁ
*****
ଏଠାକାର ଲୋକେ ‘ପରୀ’କୁ କହନ୍ତି, “ ଜଲ, ଜୀବନ, ଜଙ୍ଗଲ ଔର ଜାନୱର (ଜଳ, ଜୀବିକା, ଜଙ୍ଗଲ ଓ ଜୀବଜନ୍ତୁ), ଏଥିପାଇଁ ଆମେ ଲଢ଼େଇ କରୁଛୁ।”
ଧୋଦନର ଗୁଲାବ ବାଇ ଆମକୁ ତାଙ୍କ ଘରର ବଡ଼ ଅଗଣା ଦେଖାନ୍ତି ଏବଂ କହନ୍ତି ଯେ ଘର ପାଇଁ କ୍ଷତିପୂରଣରୁ ଏହି ଅଗଣା ଓ ରନ୍ଧାଘରକୁ ବାଦ ଦିଆଯାଇଛି, କାରଣ ଏଗୁଡ଼ିକ ସେମାନେ ରହୁଥିବା କୋଠରିର ‘କାନ୍ଥ’ ବାହାରେ ରହିଛି। ହେଲେ ପଛଘୁଞ୍ଚା ଦେବାକୁ ଅରାଜି ଏହି ୬୦ ବର୍ଷୀୟା ମହିଳା ଜଣକ। “ ଶାସନ (ପ୍ରଶାସନ) ପାଖରୁ (ମୋ ଭଳି) ଆଦିବାସୀ କିଛି ହେଲେ ପାଉନାହାନ୍ତି। ମୁଁ ଏଠାରୁ ଭୋପାଳ (ରାଜ୍ୟ ରାଜଧାନୀ) ଯାଏଁ ଲଢ଼ିବି। ମୋ ପାଖରେ ସେ ଶକ୍ତି ଅଛି। ମୁଁ ଡରୁ ନାହିଁ। ମୁଁ ଆନ୍ଦୋଳନ (ପ୍ରତିବାଦ) ଲାଗି ପ୍ରସ୍ତୁତ।”
୨୦୧୭ରେ ଛୋଟ ଛୋଟ ଗାଁ ବୈଠକ ଜରିଆରେ କେନ-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ୨୦୨୧ ଜାନୁଆରୀ ୩୧ ତାରିଖ ଦିନ ଏହି ଆନ୍ଦୋଳନ ସେତେବେଳେ ଜୋର ଧରିଥିଲା, ଯେତେବେଳେ ଜମି ଅଧିଗ୍ରହଣରେ ସ୍ୱଚ୍ଛତା, ଥଇଥାନ ଏବଂ ପୁନର୍ବାସ ଆଇନର ଉଲ୍ଲଂଘନ ପ୍ରତିବାଦରେ ୩୦୦ରୁ ଅଧିକ ଲୋକ ଛତରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏକତ୍ର ହୋଇଥିଲେ। ୨୦୨୩ ଗଣତନ୍ତ୍ର ଦିବସରେ ଆୟୋଜିତ ପ୍ରଥମ ଜ ଳ ସତ୍ୟାଗ୍ରହ (ପାଣି ସଂପର୍କିତ ସମସ୍ୟା ବିରୋଧରେ ପ୍ରତିବାଦ)ରେ ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ୧୪ଟି ଗାଁର ହଜାର ହଜାର ଲୋକ ଯୋଗ ଦେଇ ସେମାନଙ୍କର ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ପ୍ରତିବାଦରେ ସ୍ୱର ଉଠାଇଥିଲେ।
ସ୍ଥାନୀୟ ଲୋକେ କହନ୍ତି ସେମାନଙ୍କ ଅସନ୍ତୋଷର ସ୍ୱର ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି ଏବଂ ତେଣୁ ସେ ଗତ ବର୍ଷ ଧୋଦନରେ ପ୍ରସ୍ତାବିତ ବନ୍ଧ ଉଦଘାଟନ ଲାଗି ନ ଆସିବାକୁ ସ୍ଥିର କରିଥିଲେ। କିନ୍ତୁ ଏ କଥାର ସତ୍ୟତାକୁ ଏହି ରିପୋର୍ଟର ସ୍ୱାଧୀନ ଭାବରେ ନିରୂପଣ କରିପାରି ନଥିଲେ।
ପ୍ରକଳ୍ପକୁ ଘେରି ରହିଥିବା ବାଦ, ବିବାଦ ଏବଂ ବିଦ୍ୱେଷ ଯୋଗୁଁ ୨୦୨୩ ଅଗଷ୍ଟରେ ପ୍ରକଳ୍ପ କାମ ପାଇଁ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟା ବି ବାଧାପ୍ରାପ୍ତ ହୋଇଥିଲା। କେହି ହେଲେ ଟେଣ୍ଡର ଡାକିବାକୁ ଆସି ନଥିଲେ। ତେଣୁ ଏହାର ତାରିଖକୁ ଛଅ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

ଧୋଦନ ଗାଁର ଗୁଲାବ ବାଇ କହନ୍ତି ଯେ ଉଚିତ କ୍ଷତିପୂରଣ ପାଇଁ ଲଢ଼େଇ କରିବାକୁ ସେ ପ୍ରସ୍ତୁତ
ସରକାରୀ କାର୍ଯ୍ୟାନୁଷ୍ଠାନ ପଛରେ ଥିବା ଏହି ମିଛ ଓ ଅସ୍ପଷ୍ଟତା କାରଣରୁ ‘ପରୀ’ ଗସ୍ତ କରିଥିବା ପ୍ରତିଟି ଗାଁରେ କେହି ହେଲେ ଜାଣି ନଥିଲେ ଯେ, ସେମାନେ କେଉଁଠିକି ଯିବେ, କିମ୍ବା ଠିକ୍ କେତେ ପରିମାଣରେ/ କେଉଁ ହାରରେ ଘର, ଜମି, ଗୃହପାଳିତ ପଶୁ ଓ ଗଛ ବାବଦରେ କ୍ଷତିପୂରଣ ମିଳିବ ଏବଂ କେବେ ଏହା ସେମାନଙ୍କୁ ପ୍ରଦାନ କରାଯିବ
*****
“ମଧ୍ୟ ଭାରତରେ ସେତେ ବେଶି ଲୋକ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା କରନ୍ତି ନାହିଁ, କିନ୍ତୁ ଏହିଠାରେ ହିଁ ଅତି ଅଧିକ ବୃଷ୍ଟିପାତ ଓ ମରୁଡ଼ି ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଥିବା ପରିଲକ୍ଷିତ ହୋଇଆସୁଛି ଏବଂ ଉଭୟ ପରିସ୍ଥିତି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସୂଚାଏ,” ପରିବେଶ ବିଜ୍ଞାନୀ କେଲକାର କହନ୍ତି। “ଜଳବାୟୁ ପରିବର୍ତ୍ତନ କାରଣରୁ ମଧ୍ୟ ଭାରତର ଅଧିକାଂଶ ନଦୀରେ ପ୍ରଖର ସୁଅ ଦେଖାଦେଉଛି, କିନ୍ତୁ ତାହା ବେଶୀ ଦିନ ରହିବ ନାହିଁ। ଏହି ସୁଅ ଯୋଗୁଁ ନଦୀରେ ବଳକା ପାଣି ଥିବା ଧାରଣାକୁ ଖୋରାକ ମିଳୁଛି ସତ, କିନ୍ତୁ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଏ କଥା ସ୍ପଷ୍ଟ ଯେ, ଏଗୁଡ଼ିକ ସ୍ୱଳ୍ପ ସମୟ ପାଇଁ।”
ଏହି ସ୍ୱଳ୍ପକାଳୀନ ପରିବର୍ତ୍ତନ ଭିତ୍ତିରେ ନଦୀଗୁଡ଼ିକର ସଂଯୋଗୀକରଣ କରାଗଲେ, ଆଗକୁ ଏ ଅଞ୍ଚଳରେ ଅଧିକ ଗୁରୁତର ମରୁଡ଼ି ପରିସ୍ଥିତି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେ ସତର୍କ କରାଇ ଦିଅନ୍ତି।
ଠକ୍କର ମଧ୍ୟ ସତର୍କ କରାଇ ଦିଅନ୍ତି ଯେ ଜଳବିଜ୍ଞାନ ଦୃଷ୍ଟିକୋଣରୁ ବିଶାଳ ପ୍ରାକୃତିକ ବନାଞ୍ଚଳକୁ ନଷ୍ଟ କରିଦିଆଯିବା ଏକ ବହୁତ ବଡ଼ ଭୁଲ। “ସୁପ୍ରିମ କୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟିର ରିପୋର୍ଟରେ ଏହା ଉପରେ ଆଲୋକପାତ କରାଯାଇଛି, କିନ୍ତୁ ସେହି ରିପୋର୍ଟକୁ ନିଜେ ସୁପ୍ରିମ କୋର୍ଟ ବି ବିଚାରକୁ ନେଇନାହାନ୍ତି।”
ନଦୀ ସଂଯୋଗୀକରଣ ବିଷୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି (IIT) ମୁମ୍ବାଇ ପକ୍ଷରୁ ‘ ନେଚର କମ୍ୟୁନିକେସନ ’ ପତ୍ରିକାରେ ୨୦୨୩ରେ ପ୍ରକାଶିତ ଏକ ଗବେଷଣା ପତ୍ର ରେ ମଧ୍ୟ ଏହି ସତର୍କବାଣୀ ରହିଛି: “ସ୍ଥାନାନ୍ତରିତ ଜଳରେ ବର୍ଦ୍ଧିତ ଜଳସେଚନ କାରଣରୁ ଭାରତର ବିଭିନ୍ନ ଜଳକ୍ଲିଷ୍ଟ ଅଞ୍ଚଳରେ ସେପଟେମ୍ବର ମାସରେ ହାରାହାରି ବୃଷ୍ଟିପାତ ୧୨% ପର୍ଯ୍ୟନ୍ତ ହ୍ରାସ ପାଇଛି... ସେପ୍ଟେମ୍ବରରେ ବୃଷ୍ଟିପାତ ହାର ହ୍ରାସ ପାଇଲେ ମୌସୁମୀ ପରବର୍ତ୍ତୀ ସମୟରେ ନଦୀଗୁଡ଼ିକ ଶୁଖିଯାଇପାରେ, ସାରା ଦେଶରେ ଜଳାଭାବ ସମସ୍ୟା ବୃଦ୍ଧି ପାଇପାରେ ଏବଂ ଏହା ନଦୀ ସଂଯୋଗୀକରଣକୁ ଅକାମୀ କରିଦେଇପାରେ।


ବାମ: ଅନେକ ସମୟରେ ଖରାଦିନେ କେନ୍ ନଦୀ କେତେକ ସ୍ଥାନରେ ଶୁଖିଯାଏ। ଡାହାଣ: ୨୦୨୪ର ମୌସୁମୀ ବର୍ଷା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ କେନ ନଦୀ। ମୌସୁମୀ ପରବର୍ତ୍ତୀ ସମୟରେ ନଈର ଏହି ସୁଅ ବଳକା ପାଣିକୁ ସୂଚାଏ ନାହିଁ
ଏହି ପ୍ରକଳ୍ପ ଜାତୀୟ ଜଳ ଉନ୍ନୟନ ସଂସ୍ଥା (NWDA) ଅଧୀନରେ ରହିଛି ଏବଂ ଯେଉଁ ସବୁ ତଥ୍ୟ ଭିତ୍ତିରେ ଏହି ସଂସ୍ଥା ପ୍ରକଳ୍ପର ପରିକଳ୍ପନା କରିଛି, ସେ ସବୁକୁ ଜାତୀୟ ସୁରକ୍ଷାର ପ୍ରଶ୍ନ ବୋଲି ଦର୍ଶାଇ ବିଜ୍ଞାନୀମାନଙ୍କୁ ଜଣାଇବାକୁ ରାଜି ନୁହେଁ, ହିମାଂଶୁ ଠକ୍କର କହନ୍ତି।
୨୦୧୫ରେ, ଯେତେବେଳେ ବନ୍ଧ ନିର୍ମାଣ ସମ୍ଭାବ୍ୟ ବାସ୍ତବତା ଭଳି ଲାଗିଲା, ଠକ୍କର ଓ ‘ସାଉଥ୍ ଏସିଆ ନେଟୱର୍କ ଅନ୍ ଡ୍ୟାମସ, ରିଭରସ ଆଣ୍ଡ ପିପୁଲ (SANDRP)’ର ଅନ୍ୟମାନେ ପରିବେଶ ଆକଳନ କମିଟି (EAC)କୁ ଅନେକ ଚିଠି ଲେଖିଥିଲେ। ସେଥିରୁ ‘ତ୍ରୁଟିପୂର୍ଣ୍ଣ କେନ ବେତୱା ପରିବେଶଗତ ପ୍ରଭାବ ଆକଳନ ଏବଂ ଜନ ଶୁଣାଣିରେ ନୀତି ଉଲ୍ଲଂଘନ’ ଶୀର୍ଷକ ଗୋଟିଏ ଚିଠିରେ କୁହାଯାଇଥିଲା, “ଏହି ପ୍ରକଳ୍ପର ପରିବେଶଗତ ପ୍ରଭାବ ଆକଳନ (EIA) ମୌଳିକ ତ୍ରୁଟିପୂର୍ଣ୍ଣ, ଅସଂପୂର୍ଣ୍ଣ ଏବଂ ଏହାର ବିଭିନ୍ନ ଜନଶୁଣାଣିରେ ଅଂସଖ୍ୟ ନୀତି ଉଲ୍ଲଂଘନ ଜଡ଼ିତ। ପର୍ଯ୍ୟାପ୍ତ ଅଧ୍ୟୟନ କରାଯାଇ ନଥିବା ଏହି ପ୍ରକଳ୍ପକୁ କୌଣସି ପ୍ରକାର ଅନୁମୋଦନ ପ୍ରଦାନ କେବଳ ଯେ ଭୁଲ ହେବ ତାହା ନୁହେଁ, ବରଂ ଆଇନାନୁସାରେ ମଧ୍ୟ ଗ୍ରହଣୀୟ ନୁହେଁ।”
ଇତିମଧ୍ୟରେ ସେଠାରେ ୧୫-୨୦ ଲକ୍ଷ ଗଛ କଟା ସରିଲାଣି। କ୍ଷତିପୂରଣ ସଂପର୍କରେ କୌଣସି ସ୍ପଷ୍ଟ ଧାରଣା ନଥାଇ ଉଚ୍ଛେଦ ଆଶଙ୍କା ଲାଗି ରହିଛି। ଚାଷକାମ ବନ୍ଦ ହୋଇଗଲାଣି। କ୍ଷତିପୂରଣ ନାଁରେ ମିଳିବାକୁ ଥିବା କୌଣସି ସମ୍ଭାବ୍ୟ ପାଉଣା ତାଲିକାରୁ ବାଦ ପଡ଼ିବା ଆଶଙ୍କାରେ ଦିନ ମଜୁରିଆ କାମ ପାଇଁ ବାହାରକୁ ଯାଉଥିବା ଲୋକେ ବି ଆଶଙ୍କିତ।
ସୁନ୍ନି ବାଇଙ୍କର ଏହି ଅଳ୍ପ କେଇ ପଦ କଥାରେ ଏସବୁର ସାରାଂଶ ନିହିତ: “ଆମେ ସବୁ କିଛି ହରାଉଛୁ। ସେମାନେ ଏହାକୁ ଛଡ଼ାଇ ନେଇଛନ୍ତି। ସେମାନେ ଆମକୁ ସାହାଯ୍ୟ କରିବା ଉଚିତ। ତା ବଦଳରେ ସେମାନେ କହନ୍ତି ‘ଏଇ ଦେଖ ପ୍ୟାକେଜ୍, ଏ ଫର୍ମରେ ଦସ୍ତଖତ କର, ତମ ପଇସା ନିଅ ଆଉ ଚାଲିଯାଅ’।”
ଅନୁବାଦ : ଓଡ଼ିଶାଲାଇଭ୍