ମହମ୍ମଦ ଅସଗରଙ୍କ ହାତ ମେସିନ୍ ଭଳି ନିଖୁଣ ଭାବେ ଚାଲିଥାଏ ଏବଂ କଥା କହିବା ସମୟରେ ସୁଦ୍ଧା ସେ ଅଟକି ଯାଇନଥା’ନ୍ତି।
‘‘ କୁଚ୍ଛ ପଲ୍ କେ ଲିୟେ ଭି ହାତ୍ ରୁକ୍ ଗୟା, ତୋ କାମ୍ ଖରାବ୍ ହୋ ଯାଏଗା (ଗୋଟିଏ ମୁହୂର୍ତ୍ତ ପାଇଁ ହାତ ଅଟକି ଗଲେ କାମ ନଷ୍ଟ ହୋଇଯିବ),’’ ତିନି ଶତାବ୍ଦୀ ପୁରୁଣା ଏହି ହସ୍ତଶିଳ୍ପରେ ସିଦ୍ଧହସ୍ତ ୪୦ ବର୍ଷ ବୟସ୍କ ଅସଗର୍ କୁହନ୍ତି।
ଅସଗର ଜଣେ ଛାପା କାରୀଗର (ହାତରେ କରୁଥିବା ବ୍ଲକ୍-ପ୍ରିଣ୍ଟିଂ କାରୀଗର) ଏବଂ ଗତ ଏକ ଦଶନ୍ଧି ଧରି ସେ ଏହି କାମ କରୁଛନ୍ତି । ଅନ୍ୟ ବ୍ଲକ୍ ପ୍ରିଣ୍ଟିଂ କାରୀଗରମାନେ ରଙ୍ଗରେ ବୁଡ଼ା ହୋଇଥିବା ବ୍ଲକ୍ ଜରିଆରେ କପଡ଼ାରେ ବିଭିନ୍ନ ଡିଜାଇନ୍ ଛାପିଥା’ନ୍ତି, କିନ୍ତୁ ସେ କପଡ଼ା ଉପରେ ଧାତୁର ଫୁଲ ଏବଂ ଅନ୍ୟ ଡିଜାଇନ୍ ଛାପିଥା’ନ୍ତି। ଏଥିପାଇଁ ସେ ଅତି ପତଳା ଆଲୁମିନିୟମ ଶିଟ୍ ବ୍ୟବହାର କରିଥା’ନ୍ତି।
ଏହି ପତଳା ଆଲୁମିନିୟମ ଫଏଲ୍କୁ ତବକ୍ କୁହାଯାଏ। ଏହାକୁ କପଡ଼ା ଉପରେ ଛପା ଗଲେ, ଶାଢ଼ୀ, ସାରାରା, ଲେହଙ୍ଗା ଏବଂ ମହିଳାଙ୍କ ଅନ୍ୟ ପୋଷାକରେ ଉତ୍ସବର ଚମକ ଆସିଯାଇଥାଏ। ଅସଗରଙ୍କ ପଛରେ ଥିବା ଥାକରେ ନିଖୁଣ ଡିଜାଇନ ବିଶିଷ୍ଟ ଏପରି କିଛି କାଠ ଛାଞ୍ଚ ରହିଛି ଯାହା ସାଧାରଣ କପଡ଼ାର ସ୍ୱରୂପ ପରିବର୍ତ୍ତନ କରି ଦେଇପାରିବ।


ମହମ୍ମଦ ଅସଗର (ବାମ) ବିବାହ ଋତୁରେ ଜଣେ ଛାପା କାରୀଗର ଭାବେ କାମ କରନ୍ତି। ବର୍ଷର ଅନ୍ୟ ଦିନଗୁଡ଼ିକରେ ଚାହିଦା କମିଗଲେ, ସେ ନିର୍ମାଣ ସ୍ଥଳୀରେ ମଜୁରିଆ କାମ କରିଥାନ୍ତି। ସେ ଉତ୍ସବ ସମୟରେ ପିନ୍ଧାଯାଉଥିବା ପୋଷାକ ଉପରେ ଆକର୍ଷଣୀୟ ଡିଜାଇନ୍ ଛାପିବା ପାଇଁ କାଠ ଛାଞ୍ଚ (ଡାହାଣ) ବ୍ୟବହାର କରିଥା’ନ୍ତି। ବିହାର ମଗଧ ଅଞ୍ଚଳରେ ମୁସଲିମ୍ ମାନଙ୍କ ବାହାଘର ସମୟରେ ବିଶେଷ କରି ଏପରି ହୋଇଥାଏ
ବିହାର ନାଳନ୍ଦା ଜିଲ୍ଲାର ବିହାର ଶରିଫରେ ପ୍ରାୟ ୬ଟି ଛାପା ଦୋକାନ ରହିଛି। ନିଜ ଗ୍ରାହକଙ୍କ ଭଳି ଛାପା କାରୀଗରମାନେ ବିଶେଷ କରି ମୁସଲିମ୍ ହୋଇଥାନ୍ତି ଏବଂ ରଙ୍ଗରେଜ (ରଙ୍ଗ କାମ କରୁଥିବା) ଜାତିର ଅଟନ୍ତି। ବିହାରରେ ସେମାନଙ୍କୁ ଆର୍ଥିକ ପଛୁଆ ବର୍ଗ (ଇବିସି) ଭାବେ ବର୍ଗୀକୃତ କରାଯାଇଛି। ବିହାର ସରକାରଙ୍କ ନୂଆ ଜାତିଗତ ଜନଗଣନା ଅନୁସାରେ ସେମାନଙ୍କ ଆନୁମାନିକ ସଂଖ୍ୟା ୪୩,୩୪୭ ହେବ।
ପପ୍ପୁ କୁହନ୍ତି, ‘‘ତିରିଶ ବର୍ଷ ପୂର୍ବରୁ ମୋ ପାଖରେ ଅନ୍ୟ କାମ କରିବା ଲାଗି ସୁଯୋଗ ନଥିଲା। ମୁଁ ଏହି କାମ ଆରମ୍ଭ କରି ଦେଇଥିଲି। ମୋ ଅଜା ଛାପା କାମ କରୁଥିଲେ। ବଂଶଗତ ଭାବେ ମୋତେ ଏହି କାମ ମିଳିଥିଲା। ନିଜ ସମୟରେ ସେମାନେ ଏହି କାମ କରିଥିଲେ, ଆଉ ଏବେ ମୁଁ କରୁଛି।’’ ୫୫ ବର୍ଷ ବୟସ୍କ ପପ୍ପୁ ବିହାର ରାଜଧାନୀ ପାଟନାର ବ୍ୟସ୍ତତମ ଓ ଜନବହୁଳ ଇଲାକା ସବ୍ଜିବାଗରେ ୩୦ ବର୍ଷ ଧରି ଛାପା କପଡ଼ା ଦୋକାନ ଚଳାଉଛନ୍ତି।
ସେ କୁହନ୍ତି ଏହି କାରୀଗରୀର ଚାହିଦା କମୁଛି: ‘‘ପୂର୍ବରୁ ପାଟନାରେ ୩୦୦ ଦୋକାନ ଥିଲା, କିନ୍ତୁ ଏବେ ମାତ୍ର ୧୦୦ ଦୋକାନ ଚାଲୁଛି,’’ ଏବଂ ସୁନା ଓ ରୂପା ଛାପିବା କାମ ଆଉ ହେଉନାହିଁ। ଏହା ସ୍ଥାନରେ ଏବେ ଆଲୁମିନିୟମ ଛପା ଯାଉଛି।
ସବ୍ଜି ବାଜାରରେ ଗୋଟିଏ ଛୋଟ ୱର୍କଶପ୍ରେ କାମ କରୁଥିବା ଅସଗର କୁହନ୍ତି ଯେ ୨୦ ବର୍ଷ ପୂର୍ବରୁ ତବକ କେବଳ ବିହାରଶରିଫ ସହରରେ ତିଆରି ହେଉଥିଲା। ‘‘ପୂର୍ବରୁ, ତବକ୍ କେବଳ ସହରରେ ତିଆରି ହେଉଥିଲା କିନ୍ତୁ ଶ୍ରମିକମାନଙ୍କ ଅଭାବ କାରଣରୁ ଏଠାରେ ଆଉ ହେଉନାହିଁ। ବର୍ତ୍ତମାନ ଏହା ପାଟନାରୁ ଆସୁଛି,’’ ସେ କୁହନ୍ତି।


ବାମ: ପପ୍ପୁ ବଂଶଗତ ଭାବେ ନିଜ ଅଜାଙ୍କଠାରୁ ଛାପା କୌଶଳ ଶିଖିଥିଲେ, କିନ୍ତୁ ସେ ନିଜ ପିଲାମାନଙ୍କୁ ଏହା ଶିଖାଇବେ ନାହିଁ ବୋଲି କୁହନ୍ତି। ଡାହାଣ: ବିହାର ପାଟନାର ସବ୍ଜିବାଗ୍ ଅଞ୍ଚଳରେ ଥିବା ପପ୍ପୁଙ୍କ ୱର୍କଶପ୍ରେ ଛାପା କପଡ଼ା। ଏଥିରେ ଲାଗିଥିବା ଅଠାରୁ ଦୁର୍ଗନ୍ଧ ଆସିଥାଏ ଏବଂ ଥରେ ଦୁଇ ଥର ଧୋଇବା ପରେ ଫଏଲ୍ ବାହାରି ଯାଇଥାଏ, ସେଥିପାଇଁ ଏହି ପୋଷାକ ବେଶୀ ଦିନ ତିଷ୍ଠି ରହିନଥାଏ
ଛାପା କାମର ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ତବକ , ଯାହା ଏତେ ଚିକ୍କଣ ହୋଇଥାଏ ଯେ ସାମାନ୍ୟ ପବନ ବାଜିଲେ ଉଡ଼ିବା ଆରମ୍ଭ କରିଥାଏ। ଏହାର କିଛି ଭାଗ ଅସଗରଙ୍କ ମୁହଁ ଏବଂ ପୋଷାକରେ ଲାଗିଯାଏ। ଦିନର ସବୁ କାମ ସରିବା ପରେ, ସେ ଏହାକୁ ଝାଡ଼ି ସଫା କରିବେ ଏବଂ ହାତରେ ଲାଗିଥିବା ମୋଟା ଅଠା ପରସ୍ତକୁ ଛଡ଼ାଇବେ। ‘‘ମୋ ହାତରୁ ଅଠା ଛଡ଼ାଇବା ପାଇଁ ଦୁଇ ଘଣ୍ଟା ଲାଗେ। ଏଥିପାଇଁ ମୁଁ ଗରମ ପାଣି ବ୍ୟବହାର କରେ,’’ ସେ କୁହନ୍ତି।
ତିଆରି ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ଆମକୁ ଦେଖାଇ ଦେଇ ଅସଗର୍ କୁହନ୍ତି, ‘‘ଅଠା ଶୀଘ୍ର ଶୁଖିଯାଏ, ତେଣୁ ସବୁ କାମ ଶୀଘ୍ର ଶୀଘ୍ର ସାରିବାକୁ ହୋଇଥାଏ। ଟିଣ ପାତ୍ରରେ ରଖିଥିବା ଅଠାକୁ ବାମ ହାତ ପାପୁଲିରେ ଦଳିବାଠାରୁ କାମ ଆରମ୍ଭ ହୋଇଥାଏ। ଥରେ ହାତ ପାପୁଲି ଅଠାରେ ଭରିଗଲେ, ସେ ପାପୁଲି ଉପରେ ଫୁଲ ଛାଞ୍ଚକୁ ବୁଲାଇ ସେଥିରେ ଅଠା ଲଗାନ୍ତି ଓ ଏହାପରେ ଛାଞ୍ଚକୁ କପଡ଼ା ଉପରେ ଲଗାଇ ଦିଅନ୍ତି।
ସତର୍କତାର ସହିତ ହାତ ଚଳାଇ, ସେ ପେପରୱେଟ୍ ତଳେ ଚାପି ହୋଇ ରହିଥିବା ଅତି ପତଳା ଶିଟ୍ ମଧ୍ୟରୁ ଗୋଟିଏ ଫଏଲ୍କୁ ଟାଣନ୍ତି ଏବଂ ତା’ପରେ ଛପା ହୋଇଥିବା ଭାଗରେ ଏହାକୁ ଲଗାଇ ଦିଅନ୍ତି। ଅଠା କାରଣରୁ ଛାଞ୍ଚର ପାଟର୍ଣ୍ଣ ଅନୁଯାୟୀ ଫଏଲ୍ କପଡ଼ାରେ ଲାଗିଯାଏ।
ଥରେ ଫଏଲ୍ କପଡ଼ାରେ ଲାଗିଯିବା ପରେ ତାହାକୁ କପଡ଼ା ଗଦି ଉପରେ ରଖି ଦବାଇଥା’ନ୍ତି, ଫଳରେ ତାହା ଭଲ ଭାବେ ଲାଗିଯାଏ। ସେ ଆଗକୁ କୁହନ୍ତି, ‘‘ଅଠାରେ ତବକ୍ ଠିକ୍ ଭାବେ ଲାଗିଯିବା ପାଇଁ ଏପରି କରାଯାଏ।’’
ଏହା ଅତି ନିଖୁଣ କାମ ଯାହାକୁ ଶୀଘ୍ର ଶୀଘ୍ର କରିବାକୁ ହୁଏ। କିଛି ସେକେଣ୍ଡ ମଧ୍ୟରେ କପଡ଼ା ଉପରେ ଗୋଟିଏ ଗୋଲାକାର ଆକୃତି ତିଆରି ହୋଇଯାଏ। ନୂଆ କରି ପ୍ରସ୍ତୁତ ହୋଇଥିବା ଛାପା କପଡ଼ାକୁ ଅତି କମ୍ରେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଖରାରେ ରଖାଯାଏ, ଯାହାଫଳରେ ଏହାର ଅଠା ଭଲ ଭାବେ ଶୁଖିଯିବ ଏବଂ ଫଏଲ ସମ୍ପୂର୍ଣ୍ଣ ଭାବେ ଲାଗିଯିବ।
କାରୀଗର ମାନେ ଏହି ପ୍ରକ୍ରିୟାକୁ ବାରମ୍ବାର କରନ୍ତି, ବିନା ବିଶ୍ରାମରେ ଲଗାତାର କରିଚାଲିଥା’ନ୍ତି। ବର୍ତ୍ତମାନ ସେ ଯେଉଁ ଲାଲ କପଡ଼ା ଉପରେ ଛାପିବା କାମ କରୁଛନ୍ତି ତାହା ହେଉଛି ଗୋଟିଏ ଦଲ୍ଢ଼କ୍କନ୍ ଯାହାକି ବାଉଁଶ ଝୁଡ଼ିକୁ ଘୋଡ଼ାଇବା ପାଇଁ ବ୍ୟବହାର କରାଯାଏ।


ବାମ : ଟିଣ ପାତ୍ରରେ ରଖାଯାଇଥିବା ଅଠାକୁ ମହମ୍ମଦ ଅସଗର ନିଜ ବାମ ପାପୁଲିରେ ବୋଳୁଛନ୍ତି। ବାରମ୍ବାର ପ୍ରୟୋଗ କରିବା କାରଣରୁ ତାଙ୍କ ପାପୁଲି ଉପରେ ଅଠାର ଏକ ମୋଟା ପରସ୍ତ ଲାଗିଯାଏ ଏବଂ ଏହାକୁ ବାହାର କରିବା ପାଇଁ ଦୁଇ ଘଣ୍ଟା ଲାଗେ। ଡାହାଣ : ସେ କାଠ ଫୁଲ ଛାଞ୍ଚକୁ ନିଜ ପାପୁଲିରେ ବୁଲାଇ ସେଥିରେ ଅଠା ଲଗାଉଛନ୍ତି


ଅସଗର ସେହି ଅଠାକୁ ପ୍ରଥମେ କପଡ଼ା ଉପରେ ଛାପିଥା’ନ୍ତି। ତା’ପରେ ଛପା ଭାଗରେ ଫଏଲ୍ ଶିଟ୍କୁ ଯତ୍ନର ସହକାରେ ଲଗାଇଥାନ୍ତି ଏବଂ ଭଲ ଭାବେ ଲାଗିବା ପାଇଁ ଏହାକୁ ଏକ ଗଦି ଉପରେ ଲଗାତର ଚାପନ୍ତି। ଡାହାଣ: ଏହି ନିଖୁଣ ପ୍ରକ୍ରିୟା ଶୀଘ୍ର ଶୀଘ୍ର କରାଯାଏ ଏବଂ କପଡ଼ା ଉପରେ ଡିଜାଇନ୍ ଛାପି ହୋଇଯିବା ପରେ ଏହାକୁ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ
୧୦-୧୨ ବର୍ଗ ସେଣ୍ଟିମିଟର ଲେଖାଏଁ ୪୦୦ ଖଣ୍ଡ ଆଲୁମିନିୟମ ଶିଟ୍ ଦାମ୍ ୪୦୦ ଟଙ୍କା ହୋଇଥାଏ ଏବଂ ଗୋଟିଏ କିଲୋଗ୍ରାମ ଅଠା ଦାମ୍ ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ହୋଇଥାଏ। ‘‘ ଛାପା ଦାମ୍କୁ ୭୦୦-୮୦୦ ଟଙ୍କାକୁ ବଢ଼ାଇ ଦେଇଥାଏ,’’ ଛାପା ଦୋକାନ ମାଲିକ ପପ୍ପୁ (ସେ କେବଳ ଏହି ନାଁ ବ୍ୟବହାର କରନ୍ତି) କୁହନ୍ତି।
ବିହାର, ବିଶେଷ କରି ରାଜ୍ୟର ଦକ୍ଷିଣରେ ଥିବା ମଗଧ ଅଞ୍ଚଳରେ ମୁସଲିମ୍ ସମ୍ପ୍ରଦାୟର ବିବାହ ଉତ୍ସବରେ ପାରମ୍ପରିକ ଭାବେ ଛାପା ପୋଷାକ ବ୍ୟବହାର କରାଯାଇଥାଏ। ଏହା କେତେକ ପରମ୍ପରାର ଏକ ଅଭିନ୍ନ ଅଙ୍ଗ - କନ୍ୟା ଏବଂ ତାଙ୍କ ପରିବାର ନିଜର ସାମାଜିକ ସ୍ଥିତି ନିର୍ବିଶେଷରେ ଛାପା ଶାଢ଼ି କିମ୍ବା ଏହା ସହ ଜଡ଼ିତ ପୋଷାକ ପିନ୍ଧିବା ବାଧ୍ୟତାମୂଳକ।
ସାଂସ୍କୃତିକ ମହତ୍ୱ ସତ୍ତ୍ୱେ, ଛାପା ପୋଷାକ ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧାଯାଏ ନାହିଁ। ‘‘ଏହାକୁ ଛାପିବାରେ ବ୍ୟବହୃତ ହେଉଥିବା ଅଠାରୁ ଅତି ଦୁର୍ଗନ୍ଧ ବାହାରେ। ତା’ଛଡ଼ା ଛାପିବା ଏତେ ଦୁର୍ବଳ ହୋଇଥାଏ ଯେ ଥରେ କିମ୍ବା ଦୁଇ ଥର ଧୋଇଦେଲେ ସମ୍ପୂର୍ଣ୍ଣ ଆଲୁମିନିୟମ ଫଏଲ୍ ବାହାରକୁ ବାହାରି ଆସେ,’’ ପପ୍ପୁ କୁହନ୍ତି।
ତିନି-ଚାରି ମାସ ବାହାଘର ଋତୁ ପରେ, ଛାପା କାମ ବନ୍ଦ ହୋଇଯାଏ ଏବଂ କାରୀଗରମାନେ ଅନ୍ୟ କାମ ସନ୍ଧାନ କରନ୍ତି।


ମହମ୍ମଦ ରିୟାଜ (ଚଷମା ପିନ୍ଧିଥିବା) ଜଣେ ଛାପା କାରୀଗର ଭାବେ ପପ୍ପୁଙ୍କ ଦୋକାନରେ କାମ କରନ୍ତି। ସେ ଜଣେ ପାଣିପାଇପ୍ ମିସ୍ତ୍ରୀ ଓ ସଙ୍ଗୀତକାର ଏବଂ ଛାପା କାମ ଉପଲବ୍ଧ ନଥିଲେ ସେ ତାଙ୍କ କୌଶଳ ଉପଯୋଗ କରିଥା’ନ୍ତି
ଅସଗର୍ କୁହନ୍ତି, ‘‘ମୁଁ ଆଠରୁ ୧୦ ଘଣ୍ଟା ଦୋକାନରେ କାମ କରିବା ପରେ ତିନୋଟି ଶାଢ଼ିରେ ଛାପା କାମ ସାରିଥାଏ। ଏହି କାମରୁ ଦିନକୁ ମୁଁ ପ୍ରାୟ ୫୦୦ ଟଙ୍କା ରୋଜଗାର କରିଥାଏ, କିନ୍ତୁ ଏହା କେବଳ ତିନିରୁ ଚାରି ମାସ ପର୍ଯ୍ୟନ୍ତ ଉପଲବ୍ଧ ଥାଏ। କୌଣସି ଛାପା କାମ ନଥିଲେ, ମୁଁ ନିର୍ମାଣ ସ୍ଥଳୀରେ କାମ କରିଥାଏ।’’
ଅସଗର ବିହାରଶରିଫ ସହରରେ ରୁହନ୍ତି। ଏଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ନିଜ ୱର୍କଶପ୍ରେ ସେ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ କାମ କରନ୍ତି। ‘‘ଟଙ୍କା ବଞ୍ଚାଇବା ପାଇଁ, ମୋ ପୁଅ ମଧ୍ୟାହ୍ନ ସମୟରେ ଘରେ ପ୍ରସ୍ତୁତ ହୋଇଥିବା କିଛି ଖାଦ୍ୟ ନେଇ ଆସେ,’’ ସେ କୁହନ୍ତି।
ପାଞ୍ଚ ବର୍ଷ ପାଇଁ ସେ ଦିଲ୍ଲୀ ଚାଲି ଯାଇଥିଲେ ଏବଂ ସେଠାରେ ବିଭିନ୍ନ ନିର୍ମାଣ ସ୍ଥଳୀରେ କାମ କରିଥିଲେ। ଏବେ ସେ ଏଠାରେ ନିଜ ପତ୍ନୀ ଓ ୧୪ ଓ ୧୬ ବର୍ଷର ଦୁଇ ପୁଅଙ୍କ ସହ ରହୁଛନ୍ତି। ତାଙ୍କ ପୁଅମାନେ ଏବେ ସ୍କୁଲ୍ରେ ପଢ଼ୁଛନ୍ତି। ଅସଗର କୁହନ୍ତି ସେ ବିହାରଶରିଫରେ ନିଜ ରୋଜଗାରକୁ ନେଇ ସନ୍ତୁଷ୍ଟ ଏବଂ ପରିବାର ସହ ରହିବା ତାଙ୍କ ପାଇଁ ବୋନସ୍ ଭଳି। ‘‘ ୟହାଁ ଭି କାମ ହୋଇଏ ରହା ହୈ ତୋ କାହେ ଲା ବାହାର୍ ଜାଏଙ୍ଗେ (ଏଠି ତ’ କାମ ମିଳି ଯାଉଛି, ତା’ହେଲେ ବାହାରକୁ କାହିଁକି ଯିବି)?’’ ସେ ଏହି ରିପୋର୍ଟରଙ୍କୁ କହିଥିଲେ।
ପପ୍ପୁଙ୍କ ଦୋକାନରେ ଜଣେ ଛାପା କାରୀଗର ଭାବେ ମହମ୍ମଦ ରିୟାଜ କାମ କରନ୍ତି। ବର୍ଷସାରା ଜୀବିକା ସୁନିଶ୍ଚିତ କରିବା ଲାଗି ସେ ଅନ୍ୟ କୌଶଳ ଶିଖିଛନ୍ତି : ‘‘ ଛାପା କାମ ନଥିଲେ, ମୁଁ ଏକ (ସଙ୍ଗୀତ) ବ୍ୟାଣ୍ଡରେ କାମ କରେ। ଏହାଛଡ଼ା, ପାଣିପାଇପ୍ ମିସ୍ତ୍ରୀ କାମ ମଧ୍ୟ ଜାଣେ। ଏହି କାମ ମୋତେ ବର୍ଷ ସାରା କାମ ଦେଇଥାଏ।’’
ପପ୍ପୁ କୁହନ୍ତି ଏ କାମରୁ ହେଉଥିବା ରୋଜଗାର ଯଥେଷ୍ଟ ନୁହେଁ । ଏଥିରେ ପରିବାର ଚଳାଇବା କଷ୍ଟକର। ତାଙ୍କ ପରିବାରରେ ପତ୍ନୀ ଏବଂ ୭ରୁ ୧୬ ବର୍ଷ ବୟସ୍କ ତିନି ଜଣ ପିଲା ରହିଛନ୍ତି। ‘‘ଏଥିରୁ ହେଉଥିବା ରୋଜଗାର ସାମାନ୍ୟ କିମ୍ବା ଆଦୌ ନାହିଁ କହିଲେ ଚଳେ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଛାପା ପୋଷାକରୁ ମୁଁ କେତେ ଟଙ୍କା ଲାଭ ପାଉଛି ତାହା ହିସାବ କରିପାରୁନାହିଁ। ଯାହା ଯେମିତି ହେଉ, ମୁଁ ମୋ ପରିବାର ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ସକ୍ଷମ ହୋଇପାରୁଛି,’’ ସେ କୁହନ୍ତି।
ସେ ନିଜ ପୁଅମାନଙ୍କୁ ଏହି ହସ୍ତଶିଳ୍ପ ଶିଖାଇବାକୁ ଚାହୁଁନାହାନ୍ତି ଯେଉଁଥିରେ ରୋଜଗାରର କୌଣସି ଠିକ୍ ଠିକଣା ନାହିଁ। ‘‘ ହମ୍ ପାଗଲ ନହିଁ ହୈ ଜୋ ଚାହେଙ୍ଗେ ମେରେ ବେଟେ ଇସ୍ ଲାଇନ୍ ମେ ଆଏ। (ମୋର କ’ଣ ମୁଣ୍ଡ ଖରାପ ହୋଇଯାଇଛି ଯେ ମୋ ପିଲାମାନଙ୍କୁ ମଧ୍ୟ ଏ ବେଉସାକୁ ଆଣିବି)’’

ଛାପାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ତବକ (ଆଲୁମିନିୟମ ଫଏଲ)। ଏହା ଏତେ ଚିକ୍କଣ ଯେ ହାଲୁକା ପବନରେ ମଧ୍ୟ ଉଡ଼ିବାକୁ ଆରମ୍ଭ କରିଥାଏ। ଏହାର କିଛି ଅଂଶ କାରୀଗରଙ୍କ ମୁହଁ ଓ ପୋଷାକରେ ଲାଖିଯାଏ
*****
ଛାପା କେମିତି ଆରମ୍ଭ ହୋଇଥିଲା ଏବଂ ବିହାରୀ ମୁସଲମାନଙ୍କ ସଂସ୍କୃତିରେ କିଭଳି ଏହାକୁ ଏତେ ଗୁରୁତ୍ୱ ଦିଆଗଲା, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିନଥାଏ। ଜଣେ ବ୍ରିଟିଶ ଡାକ୍ତର ଏବଂ ସର୍ବେକ୍ଷକ ଫ୍ରାନ୍ସିସ୍ ବୁକାନନ ବିହାରରେ ହାତରେ ହେଉଥିବା ବ୍ଲକ୍ ପ୍ରିଣ୍ଟିଂ କାରୀଗରଙ୍କ ପାଇଁ ‘ ଛାପାଗର ’ ଶବ୍ଦ ବ୍ୟବହାର କରିଛନ୍ତି। ପାଟନାର ଇତିହାସ ପ୍ରେମୀ ଉମର ଅଶରଫ କୁହନ୍ତି, ‘‘ମୁସଲିମ୍ ବିବାହ ଉତ୍ସବରେ ଛପା ହେଉଥିବା ପୋଷାକ ପିନ୍ଧିବାର ପ୍ରଥା କିଭଳି ଆରମ୍ଭ ହେଲା ତାହା ଜାଣିବା କଷ୍ଟକର। ଏହି ପରମ୍ପରା ମଗଧ ମୁସଲମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ, ସେଥିପାଇଁ ଏଠାରେ ଏହି କାରୀଗରୀ ଆରମ୍ଭ ହୋଇଥିଲା ବୋଲି ବିବେଚନା କରାଯାଏ।’’
ଅଶରଫ ହେରୀଟେଜ୍ ଟାଇମ୍ସ ନାମରେ ଏକ ୱେବ୍ ପୋର୍ଟାଲ ଏବଂ ଫେସବୁକ୍ ପେଜ୍ ଚଳାଇଥାନ୍ତି, ଯେଉଁଥିରେ ସେ ବିହାର ମୁସଲମାନଙ୍କ ଲୁପ୍ତପ୍ରାୟ ସଂସ୍କୃତି ଓ ଐତିହ୍ୟର ଦସ୍ତାବିଜ୍ ପ୍ରସ୍ତୁତ କରିଥାନ୍ତି।
ଏହି ହସ୍ତଶିଳ୍ପ ବିକାଶର ଶ୍ରେୟ ଦ୍ୱାଦଶ ଶତାବ୍ଦୀରେ ମଗଧକୁ ଆସିଥିବା ମୁସଲମାନଙ୍କୁ ଦିଆଯାଇଥାଏ। ଅଶରଫ କୁହନ୍ତି, ‘‘ବୋଧହୁଏ ସେମାନେ ବାହାଘର ସମୟରେ ଛପା ହେଉଥିବା ପୋଷାକ ପିନ୍ଧିବାର ପରମ୍ପରା ସାଥୀରେ ନେଇ ଆସିଥିଲେ ଏବଂ ସେମାନେ ଏହାକୁ ମଗଧରେ ମଧ୍ୟ ଜାରି ରଖିଥିଲେ।’’
ଛାପା ବିହାରରୁ ବିଶ୍ୱର ଅନ୍ୟ ଭାଗରେ ମଧ୍ୟ ପହଞ୍ଚିଥିଲା। ସେ କୁହନ୍ତି, ‘‘ଏମିତି ଅନେକ ଉଦାହରଣ ରହିଛି ଯେଉଁଥିରେ ୟୁରୋପ, ଆମେରିକା ଓ କାନାଡ଼ାରେ ରହୁଥିବା ବିହାରୀ ମୁସଲମାନ ଭାରତରୁ ନିଜ ସହ ଛାପା ପୋଷାକ ନେଇଯାଇଛନ୍ତି। ସେମାନେ ସେଠାରେ ବିବାହ ଉତ୍ସବରେ ସେସବୁ ପିନ୍ଧିଥା’ନ୍ତି।
ଏ କାହାଣୀ ବିହାରର ଜଣେ ଶ୍ରମିକ ସଂଘ ନେତାଙ୍କ ସ୍ମୃତିରେ ଜାରି ଫେଲୋଶିପ୍ ଅଧୀନରେ ଲେଖାଯାଇଛି, ଯିଏକି ରାଜ୍ୟର ଅବହେଳିତ ଲୋକମାନଙ୍କ ଅଧିକାର ପାଇଁ ସଂଘର୍ଷ କରିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍