ସକାଳ ୭ଟା ବାଜିଛି ଏବଂ ଡାଲଟନଗଞ୍ଜ ସହରର ସାଦିକ୍ ମଞ୍ଜିଲ୍ ଚୌକ ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ହୋଇଗଲାଣି - ଟ୍ରକଗୁଡ଼ିକ ଘୁଁ ଘୁଁ ଶବ୍ଦ କରି ଚାଲିଲାଣି, ଦୋକାନରୁ ସଟର୍ ଉଠା ହେଉଛି ଏବଂ ନିକଟରେ ଥିବା ମନ୍ଦିରରୁ ରେକର୍ଡ ବାଜୁଥିବା ହନୁମାନ ଚାଳିଶାର ଧ୍ୱନି ଶୁଣିବାକୁ ମିଳୁଛି।
ଦୋକାନର ପାହାଚ ଉପରେ ବସି, ରିଷି ମିଶ୍ରା ସିଗାରେଟ୍ ପିଉଛନ୍ତି ଏବଂ ତାଙ୍କ ଚାରି ପାଖରେ ଥିବା ଲୋକଙ୍କ ସହ ବଡ଼ ପାଟିରେ କଥା ହେଉଛନ୍ତି। ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ଏବଂ ନୂଆ ସରକାର ଗଠନ ଉପରେ ସେମାନଙ୍କର ଆଲୋଚନା କେନ୍ଦ୍ରିତ ହୋଇଛି। ହାତ ପାପୁଲିରେ ତମାଖୁ ଦଳୁଥିବା ନଜରୁଦ୍ଦିନ ଅହମ୍ମଦ ନିଜ ଆଖପାଖରେ ଥିବା ଲୋକଙ୍କୁ ଯୁକ୍ତିତର୍କ କରୁଥିବା ଦେଖି ଶେଷରେ ହସ୍ତକ୍ଷେପ କରି କୁହନ୍ତି, ‘‘ଆପଣମାନେ କାହିଁକି ଯୁକ୍ତିତର୍କ କରୁଛନ୍ତି? ଯିଏ ବି ସରକାର ଗଢ଼ୁ ଆମର ଯାଏ ଆସେ ନାହିଁ, ଆମକୁ ନିଜର ଜୀବିକା ନିର୍ବାହ କରିବାକୁ ହେବ।’’
‘ଲେବର୍ ଚୌକ’ ନାମରେ ପରିଚିତ ଏହି ଅଞ୍ଚଳରେ ରିଷି ଓ ନଜରୁଦ୍ଦିନଙ୍କ ସମେତ ବହୁସଂଖ୍ୟାରେ ଦିନ ମଜୁରିଆ ଶ୍ରମିକ ପ୍ରତିଦିନ ସକାଳେ ଏକାଠି ହୋଇଥା’ନ୍ତି। ପଲାମୁ ଆଖପାଖ ଗ୍ରାମରେ କୌଣସି କାମ ନାହିଁ, ସେମାନେ କୁହନ୍ତି। ଏଠାରେ ସାଦିକ ମଞ୍ଜିଲ୍ ନିକଟ ଚୌକ (ଛକ)ରେ ୨୫-୩୦ ଜଣ ଶ୍ରମିକ ଦିନ ମଜୁରି କାମ ପାଇଁ ଏଠାରେ ଏକାଠି ହୋଇଥା’ନ୍ତି। ଝାଡ଼ଖଣ୍ଡର ଏହି ସହରରେ ଏପରି ପାଞ୍ଚଟି ଛକ ଅଛି ଯେଉଁଠି ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକମାନେ ସବୁଦିନ ସକାଳେ କାମ ଆଶାରେ ଏକାଠି ହୋଇଥା’ନ୍ତି।


ସିଂରାହା କଲାଁ ଗ୍ରାମର ରିଷି ମିଶ୍ରା (ବାମ) ଏବଂ ପାଲମୁ ଜିଲ୍ଲା ନେଉରା ଗ୍ରାମର ନଜରୁଦ୍ଦିନ (ଡାହାଣ)ଙ୍କ ସମେତ ବହୁ ସଂଖ୍ୟାରେ ଦିନ ମଜୁରିଆ ଶ୍ରମିକ ପ୍ରତିଦିନ ସକାଳେ ଡାଲଟନଗଞ୍ଜରେ ଥିବା ସାଦିକ ମଞ୍ଜିଲଠାରେ କାମ ପାଇଁ ଏକାଠି ହୋଇଥା’ନ୍ତି। ଶ୍ରମିକମାନେ କୁହନ୍ତି ଯେ ଗାଁରେ ଆଦୌ କାମ ନାହିଁ


ସାଦିକ୍ ମଞ୍ଜିଲ ବା ‘ଲେବର ଚୌକ’ ନାମରେ ପରିଚିତ ଏହି ଛକ ଡାଲଟନଗଞ୍ଜର ପାଞ୍ଚଟି ଏଭଳି ଛକ ମଧ୍ୟରୁ ଅନ୍ୟତମ। ‘ପ୍ରତିଦିନ ଏଠାରୁ ୫୦୦ ଲୋକ ଆସନ୍ତି। ମାତ୍ର ୧୦ ଜଣଙ୍କୁ କାମ ମିଳେ, ଅବଶିଷ୍ଟ ଲୋକ ଘରକୁ ଖାଲି ହାତରେ ଯାଆନ୍ତି,’’ ନଜରୁଦ୍ଦିନ କୁହନ୍ତି
‘‘ଆଠଟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏଠାକୁ ଏତେ ଲୋକ ଆସିଯିବେ ଯେ ଛିଡ଼ା ହେବା ପାଇଁ ମଧ୍ୟ ଜାଗା ମିଳିବ ନାହିଁ,’’ ନିଜ ମୋବାଇଲ ଫୋନରେ ଟାଇମ୍ ଯାଞ୍ଚ କରି ରିଷି କୁହନ୍ତି।
ରିଷି ୨୦୧୪ରେ ଆଇଟିଆଇ ତାଲିମ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ସେ ଡ୍ରିଲିଂ ମେସିନ ଅପରେଟ୍ କରିପାରିବେ, ଆଜି ସେ ସେହି କାମ ଆଶାରେ ରହିଛନ୍ତି। ‘‘ଆମେ ଚାକିରି ଆଶାରେ ଏ ସରକାରକୁ ଭୋଟ୍ ଦେଇଥିଲୁ। (ନରେନ୍ଦ୍ର) ମୋଦୀ ୧୦ ବର୍ଷ ହେବ କ୍ଷମତାରେ ଅଛନ୍ତି। କେତେକ ଖାଲି ପଦବୀ ଘୋଷଣା କରାଯାଇଛି ଏବଂ କେତେ ଚାକିରି ଦିଆଯାଇଛି?’’ ସିଂରାହା କଲାଁ ଗ୍ରାମର ଏହି ୨୮ ବର୍ଷୀୟ ଯୁବକ ଜଣଙ୍କ ପ୍ରଶ୍ନ କରିଥା’ନ୍ତି। ‘‘ଯଦି ଏହି ସରକାର ଆଉ ପାଞ୍ଚ ବର୍ଷ ପାଇଁ ରହିଯାଏ, ଆମର କୌଣସି ଆଶା ରହିବ ନାହିଁ।’’
ନଜରୁଦ୍ଦିନ (୪୫) ମଧ୍ୟ ଏହି କଥା ଚିନ୍ତା କରିଥାନ୍ତି। ନେଉରା ଗ୍ରାମର ଏହି ରାଜମିସ୍ତ୍ରୀ ଜଣଙ୍କ ତାଙ୍କର ସାତ ଜଣିଆ ପରିବାରରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି । ‘‘ଗରିବ ଓ ଚାଷୀଙ୍କ ବିଷୟରେ ପଚାରେ କିଏ?’’ ନଜରୁଦ୍ଦିନ ପ୍ରଶ୍ନ କରନ୍ତି। ‘‘ପ୍ରତିଦିନ ୫୦୦ ଲୋକ ଏଠାକୁ ଆସନ୍ତି। ମାତ୍ର ୧୦ ଜଣଙ୍କୁ କାମ ମିଳିବ, ଅବଶିଷ୍ଟ ଖାଲି ହାତରେ ଯିବେ।’’


ଶ୍ରମିକମାନେ, ପୁରୁଷ ଓ ମହିଳାମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଧାଡ଼ି ହୋଇ ଛିଡ଼ା ହୁଅନ୍ତି। କେହି ଜଣେ ଆସିଲେ ସେମାନେ ତାଙ୍କ ଚାରି ପାଖରେ କାମ ଆଶାରେ ଏକାଠି ହୋଇଯାଆନ୍ତି
ମୋଟରବାଇକରେ ଆସିଥିବା ଜଣେ ବ୍ୟକ୍ତିଙ୍କ ପହଞ୍ଚିବା ପରେ ଆଲୋଚନା ବାଧାପ୍ରାପ୍ତ ହୁଏ। ପୁରୁଷମାନେ ଦୌଡ଼ି ଯାଇ ତାଙ୍କ ଚାରି ପାଖରେ ଘେରିଯାଆନ୍ତି, ସେଦିନର କାମ ମିଳିବା ଆଶା ନେଇ । ମଜୁରି ଧାର୍ଯ୍ୟ ହେବା ପରେ, ଜଣେ ଯୁବକ ବଛା ହୁଅନ୍ତି। ତାଙ୍କୁ ପଛରେ ବସାଇ ବାଇକ୍ ଚାଲିଯାଏ।
ରିଷି ଓ ତାଙ୍କର ସହଯୋଗୀ ଶ୍ରମିକମାନେ ପୁଣି ସେହି ଜାଗାକୁ ଫେରି ଆସନ୍ତି। ‘‘ ତମାଶା (ସର୍କସ)କୁ ଦେଖନ୍ତୁ। ଜଣେ ଆସୁଛି ଏବଂ ସମସ୍ତେ ଡେଇଁପଡ଼ୁଛନ୍ତି,’’ ବାଧ୍ୟବାଧକତାପୂର୍ଣ୍ଣ ହସ ହସି ରିଷି କହୁଛନ୍ତି।
ପଛରେ ତଳେ ବସି ସେ କୁହନ୍ତି, ‘‘ଯିଏବି ସରକାର କରୁ, ଗରିବଙ୍କ କଲ୍ୟାଣ ହେବା ଉଚିତ୍। ମେହଙ୍ଗାଇ (ଦରଦାମ ବୃଦ୍ଧି) କମିବା ଦରକାର। ମନ୍ଦିର ତୋଳି ଦେଲେ ଗରିବ ଲୋକଙ୍କ ପେଟ ଭରିଯିବ କି?’’
ଅନୁବାଦ : ଓଡ଼ିଶାଲାଇଭ୍