“କୁଦାଲୁ! କୁଦାଲୁ! ପାତ୍ରେ କୁଦାଲୁ (କେଶ! କେଶ! ବାସନ ବଦଳରେ କେଶ!)”
ବାଙ୍ଗାଲୋରର ମଟିକେରେ ଅଞ୍ଚଳର ଗଳିକନ୍ଦିରେ ପ୍ରତିଧ୍ୱନିତ ହୁଏ ସାକେ ସରସ୍ୱତୀଙ୍କ ତୀବ୍ର କଣ୍ଠସ୍ୱର। ମଣିଷଙ୍କ କେଶ ସଂଗ୍ରହ କରିବାକୁ ଏମିତି ଡାକି ଡାକି ସେ ଘରକୁ ଘର ବୁଲନ୍ତି। କେଶ ବଦଳରେ ସେ ଦିଅନ୍ତି ହାଲୁକା ଆଲୁମିନିୟମର ବାସନ କୁସନ- ଯେମିତି କି ପାଣି ରଖିବା ପାଇଁ ଛୋଟ ଛୋଟ ଗରା, ଡେକ୍ଚି, କଡ଼େଇ ଓ ତାୱା, ଡଙ୍କି, ବଡ଼ ବଡ଼ ଚାଲୁଣି ଏବଂ ଆହୁରି ଅନେକ କିଛି।
ବାଙ୍ଗାଲୋରର ଏହି ୨୩ ବର୍ଷୀୟା ବୁଲାବିକାଳି ଯୁବତୀ ଜଣକ କହନ୍ତି, “ମୋ ଭାଉଜ ଶିବାମ୍ମାଙ୍କ ନିକଟରୁ ମୁଁ ଏହି କାମ ଶିଖିଲି। ଅଧିକରୁ ଅଧିକ ଗରାଖଙ୍କ ଧ୍ୟାନ ଆକର୍ଷଣ ଲାଗି କେମିତି ମୋ କଣ୍ଠସ୍ୱରକୁ ବ୍ୟବହାର କରିହେବ, ସେକଥା (ମଧ୍ୟ) ସେ ମୋତେ ଶିଖାଇଲେ।”
ତାଙ୍କର ଏହି ପାରିବାରିକ ବୃତ୍ତିରେ ତୃତୀୟ ପିଢ଼ିର ସଦସ୍ୟା ସରସ୍ୱତୀ କହନ୍ତି, “ବିବାହ ପୂର୍ବରୁ ମୋ ମାଆ ଗଙ୍ଗାମ୍ମା ଏହି କାମ କରୁଥିଲେ। ହେଲେ ପିଠି ଓ ଆଣ୍ଠୁରେ ଭୀଷଣ ଯନ୍ତ୍ରଣା ହେବାରୁ ସେ କାମ କମ୍ କରିଦେଲେ।” ୩୦ ବର୍ଷ ତଳେ, ତାଙ୍କ ବାପା ପୁଲ୍ଲାନ୍ନା ଏବଂ ମାଆ ଗଙ୍ଗାମ୍ମା ଆନ୍ଧ୍ରପ୍ରଦେଶରୁ ବାଙ୍ଗାଲୋରକୁ ଚାଲି ଆସିଥିଲେ।
ଏହି ପରିବାର କୋରଚା ସଂପ୍ରଦାୟର, ଯାହାକି ଆନ୍ଧ୍ର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (OBC) ରୂପେ ତାଲିକାଭୁକ୍ତ। ଆଜିକାଲି ୮୦ ବର୍ଷୀୟ ପୁଲ୍ଲାନ୍ନା ଶୁଖିଲା ଖଜୁରି ଏବଂ ତାଳପତ୍ରରୁ ଝାଡୁ ତିଆରି କରି ଗୋଟିକୁ ୨୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି।

ଉତ୍ତର ବାଙ୍ଗାଲୋରର କୋଣ୍ଡାପ୍ପା ଲେଆଉଟ୍ରେ ସରସ୍ୱତୀ ତାଙ୍କ ପରିବାର ସହିତ ରହନ୍ତି । ତାଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳରୁ ସେ ଘରକୁ ଘର ବୁଲି କେଶ ସଂଗ୍ରହ କରିଆସୁଛନ୍ତି
ପରିବାର ଚଳାଇବା ପାଇଁ ତାଙ୍କ ବାପାଙ୍କ ରୋଜଗାର ପର୍ଯ୍ୟାପ୍ତ ହେଉ ନଥିଲା। ତେଣୁ ପାଞ୍ଚ ବର୍ଷ ତଳେ ସରସ୍ୱତୀଙ୍କ ବୟସ ଯେତେବେଳେ ୧୮ ବର୍ଷ ହେଲା ସେ ଏହି କାମ ଆରମ୍ଭ କଲେ। ସେତେବେଳେ ସେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ପାଇଁ ପଢୁଥିଲେ। ଉତ୍ତର ବାଙ୍ଗାଲୋରର କୋଣ୍ଡାପ୍ପା ଲେଆଉଟ୍ରେ ତାଙ୍କ ପରିବାର ରହନ୍ତି। ପରିବାରରେ ତାଙ୍କ ବାପାମାଆ, ଦୁଇ ଜଣ ବଡ଼ ଭାଇ ଓ ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ରହୁଛନ୍ତି।
ସୋମବାରରୁ ଶନିବାର ଯାଏଁ ସରସ୍ୱତୀ କଲେଜ ଯାଆନ୍ତି। ରବିବାର ଦିନ ସକାଳ ୬ଟାରେ ତାଙ୍କ ଦିନ ଆରମ୍ଭ ହୁଏ ଏବଂ ସେହି ସମୟରୁ ହିଁ ସେ ବିଭିନ୍ନ ଘରକୁ ଯାଇ କେଶ ସଂଗ୍ରହ କରନ୍ତି। କାମକୁ ଯିବା ପୂର୍ବରୁ ସେ ତାଙ୍କ ପରିବାର ପାଇଁ ସକାଳର ଜଳଖିଆ ପ୍ରସ୍ତୁତ କରନ୍ତି। ସେ କହନ୍ତି, “ଆମେ ବାହାରେ ଥିବା ସମୟରେ ପିଲାମାନଙ୍କୁ ଭୋକ ଲାଗେ। ତେଣୁ ମୁଁ କିଛି ଅଧିକ ରାନ୍ଧି ଦେଇଥାଏ।”
ସରସ୍ୱତୀ ଓ ତାଙ୍କ ଭାଉଜ ଶିବାମ୍ମା ସେମାନଙ୍କର ଦରକାରୀ ଉପକରଣ ସବୁ ନେଇ କାମକୁ ବାହାରି ଯାଆନ୍ତି : ସେଥିରେ ଥାଏ ଗୋଟିଏ ପାଉଁଶିଆ ରଙ୍ଗର ବ୍ୟାଗ୍ ଯେଉଁଥିରେ ଆଲୁମିନିୟମ୍ ବାସନ ଥାଏ, ଏବଂ କ୍ଷୀରବିକାଳିଙ୍କ ପାତ୍ର ଭଳି ଷ୍ଟିଲ୍ର ଏକ ପାତ୍ର- ଯେଉଁଥିରେ ସେମାନେ ସଂଗୃହୀତ କେଶ ରଖନ୍ତି।
ସରସ୍ୱତୀ କହନ୍ତି, “କାମ ଆରମ୍ଭ କରିବା ପୂର୍ବରୁ ଆମେ ଆମ ଖାଇବା କଥା ନିଶ୍ଚିତ ଭାବରେ ବୁଝିନେଉ।” ସାଧାରଣତଃ ସେମାନେ ଗୋଟିଏ ପ୍ଲେଟ୍ ଇଡ୍ଲି ଓ ବଡ଼ା, ଗୋଟିଏ ଆମ୍ଲେଟ୍ କିମ୍ବା ମସଲା ଭାତ ଖାଇଥାଆନ୍ତି।
ଯେଉଁ ସବୁ ଅଞ୍ଚଳକୁ ସେମାନେ ପ୍ରାୟ ସବୁ ସପ୍ତାହରେ ଯାଆନ୍ତି ସେଗୁଡ଼ିକରେ ରହିଛି ମଟ୍ଟିକେରେ, ୟେଲାଙ୍କା ନ୍ୟୁ ଟାଉନ୍, କଲ୍ୟାଣ ନଗର, ବନସୱାଡ଼ି ଏବଂ ବିଜୟନଗର। ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗର ଲୋକେ ରହୁଥିବା ଅଞ୍ଚଳ ଦେଇ ସରସ୍ୱତୀ ଯାଇଥାଆନ୍ତି।

ସରସ୍ୱତୀ କେଶ ବଦଳରେ ହାଲୁକା ଆଲୁମିନିୟମର ବାସନ କୁସନ – ଯେମିତି କି ପାଣି ରଖିବାକୁ ଛୋଟ ଛୋଟ ଗରା, ଡେକ୍ଚି, କଡ଼େଇ ଓ ତାୱା, ଡଙ୍କି ଏବଂ ଆହୁରି ଅନେକ କିଛି ଦିଅନ୍ତି। ସଂଗୃହୀତ କେଶକୁ ସେ ୱିଗ୍ ବା ପରଚୂଳ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି
ସାଧାରଣତଃ ଏହି ଭାଉଜ-ନଣନ୍ଦ ଯୋଡ଼ି ଦିନକୁ ପ୍ରାୟ ୧୦ ଘଣ୍ଟା କାମ କରନ୍ତି ଏବଂ ସେହି ସମୟ ଭିତରେ ଖାଇବା ପାଇଁ ଦୁଇ ଥର ବିରତି ନିଅନ୍ତି।
ଯେଉଁ ଲୋକଙ୍କ ଘରୁ ସରସ୍ୱତୀ କେଶ ସଂଗ୍ରହ କରନ୍ତି ସେମାନେ ପ୍ଲାଷ୍ଟିକ୍ ବ୍ୟାଗ୍, ପ୍ଲାଷ୍ଟିକ୍ରେ ତିଆରି ଖାଦ୍ୟ ପ୍ୟାକେଟ୍, ପ୍ଲାଷ୍ଟିକ୍ ଜାର୍, ଟିଣ ବାକ୍ସ ଏବଂ ଏମିତି କି ଚିରା କ୍ଷୀର ପ୍ୟାକେଟ୍ରେ ବି କେଶ ରଖିଥାଆନ୍ତି।
ସରସ୍ୱତୀ କହନ୍ତି, “ମୁଁ ଏହି କେଶକୁ ଟାଣି (ଏହାର ଗୁଣ) ପରୀକ୍ଷା କରି ଦେଖେ।” ସେ ପୁଣି କହନ୍ତି, “ବ୍ୟୁଟି ପାର୍ଲରରେ ରଖାଯାଇଥିବା କେଶଗୁଡ଼ିକ କଟା ହୋଇଥାଏ ଏବଂ ତାହା କାମରେ ଲାଗେନି।” ଯେଉଁ କେଶ ଅକ୍ଷତ ଅବସ୍ଥାରେ ଥିବ ଅର୍ଥାତ୍ ଯାହାର କେଶମୂଳ ଲାଗି ରହିଥିବ ତାହା ହିଁ ସେମାନେ ଦରକାର କରନ୍ତି। ସେଥିରେ ପୁଣି ଏକ ସର୍ବନିମ୍ନ ଲମ୍ବା ସଂପର୍କିତ ପ୍ରସଙ୍ଗ ଜଡ଼ିତ, ଅର୍ଥାତ୍, ଏହା ଛଅ ଇଞ୍ଚରୁ ଅଧିକ ଲମ୍ବା ହୋଇଥିବା ଦରକାର।
ଲମ୍ବା ମାପିବା ପାଇଁ କୌଣସି ଉପକରଣ ନଥିବାରୁ ସେମାନେ କେଶକୁ ନିଜ ନିଜ ହାତମୁଠା ଚାରିପଟେ ଗୁଡ଼ାଇ ପରଖି ନିଅନ୍ତି। ତାହା ଅନ୍ତତଃ ଦୁଇ ଥର ଗୁଡ଼ାଇ ହୋଇଯିବା କଥା। ତା’ହେଲେ ସେମାନେ କେଶଗୁଚ୍ଛକୁ ଗୁଡ଼ାଇ ଗୁଡ଼ାଇ ବଲ୍ ଭଳି ଆକାର ଦିଅନ୍ତି।
ଏହିଭଳି କେଶର ଦୈର୍ଘ୍ୟ ମାପିବା ପରେ, ସରସ୍ୱତୀ ଓ ତାଙ୍କ ଭାଉଜ କେତେକ ହାଲୁକା ଆଲୁମିନିୟମ୍ ବାସନ ବାହାର କରନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କ ପାଖରୁ କେଶ ଆଣନ୍ତି ତାଙ୍କ ଆଗରେ ଦୁଇଟି ବାସନର ବିକଳ୍ପ ରଖନ୍ତି। ଏ ସଂପର୍କରେ ବୁଝାଇ ଦେବାକୁ ଯାଇ ସେ କହନ୍ତି, “ଗ୍ରାହକମାନେ ଯଦି ନଛୋଡ଼ବନ୍ଧା ଧରଣର ହୋଇଥାଆନ୍ତି, ତେବେ ସେମାନେ ଯୁକ୍ତିତର୍କ କରନ୍ତି ଏବଂ ଅଳ୍ପ କେଶ ବଦଳରେ ବଡ଼ ବାସନ ନେବାକୁ ଅଡ଼ି ବସନ୍ତି।”


ସରସ୍ୱତୀ ଯେଉଁ କେଶ ସଂଗ୍ରହ କରନ୍ତି ତାହା ଛଅ ଇଞ୍ଚ କିମ୍ବା ତା’ଠାରୁ ଅଧିକ ଲମ୍ବର ହୋଇଥିବା ଦରକାର। ମାପିବା ପାଇଁ କୌଣସି ଉପକରଣ ନ ଥିବାରୁ ସେ ତାଙ୍କ ହାତମୁଠା ଚାରିପଟେ ଦୁଇଥର ଗୁଡ଼ାଇ କେଶର ଲମ୍ବା ପରଖି ନିଅନ୍ତି


ଲମ୍ବା ଠିକ୍ ଥିଲେ ସେ କେଶଗୁଚ୍ଛକୁ ଗୁଡ଼ାଇ ବଲ୍ ଭଳି ଆକାର ଦିଅନ୍ତି
ଯେହେତୁ ସମସ୍ତଙ୍କ ଘରେ ବାସନକୁସନ ବ୍ୟବହାର ହୁଏ ଅଦଳବଦଳ ନିମନ୍ତେ ତାହା ଖୁବ୍ ଭଲ ମାଧ୍ୟମ ରୂପେ ପରିଗଣିତ ହୁଏ। ତଥାପି, କେତେ ଜଣ ଗ୍ରାହକ ଟଙ୍କା ନେବାକୁ ଜିଦ୍ କରନ୍ତି ବୋଲି ସେ କହନ୍ତି। “କିନ୍ତୁ ଆମେ ସେମାନଙ୍କୁ ଟଙ୍କା ଦେଇପାରିବୁନି। ମାତ୍ର ୧୦ରୁ ୨୦ ଗ୍ରାମ୍ ଓଜନର କେଶ ପାଇଁ ସେମାନେ ୧୦୦ରୁ ଅଧିକ ଟଙ୍କା ମାଗନ୍ତି।”
ଦିନ ଯାକ ବୁଲିବୁଲି ସେ ଖୁବ୍ ଅଳ୍ପ କେଶ ସଂଗ୍ରହ କରିପାରନ୍ତି। ବେଳେବେଳେ ଏହା ୩୦୦ ଗ୍ରାମରୁ ବି କମ୍ ହୁଏ। ସେ କହନ୍ତି, “ଏମିତି ସମୟ ବି ଆସିଛି, ଯେତେବେଳେ ମୁଁ କେଶ ମାଗିବାକୁ କାହାରି ପାଖକୁ ଯାଇ ‘କେଶ ବିକ୍ରି ହୋଇଯାଇଛି’ ବୋଲି ବି ଶୁଣିଛି। କେହି ଜାଣି ପାରିବେନି ଯେ ସେମାନେ (ଅନ୍ୟ କେଶ ସଂଗ୍ରାହକମାନେ) କେଉଁ କେଉଁ ଅଞ୍ଚଳ ବୁଲି କେଶ ନେଇ ସାରିଲେଣି।”
ସଂଗୃହୀତ କେଶକୁ ପାର୍ବତୀ ଆମ୍ମା ନାମ୍ନୀ ଜଣେ ବ୍ୟବସାୟୀଙ୍କୁ ବିକନ୍ତି ସରସ୍ୱତୀ।
“ଋତୁ ଅନୁସାରେ କେଶର ଦର ନିର୍ଦ୍ଧାରିତ ହୋଇଥାଏ। ଏଥିରେ ଘର ଚଳାଇବା ଲାଗି ନିଶ୍ଚିତ ରୋଜଗାର ହୁଏ ନାହିଁ। ସାଧାରଣତଃ ଗୋଟିଏ କିଲୋ କଳା କେଶ ୫,୦୦୦ରୁ ୬,୦୦୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ବର୍ଷା ଋତୁରେ ଏହି କିଲୋ ପିଛା ଦର ୩,୦୦୦ରୁ ୪,୦୦୦ ଟଙ୍କାକୁ ଖସି ଆସେ।
ପାର୍ବତୀ ଆମ୍ମା କେଶକୁ ଏକ ଡିଜିଟାଲ ଓଜନ ମେସିନ୍ରେ ଓଜନ କରନ୍ତି।


ବାମ : ବାଙ୍ଗାଲୋରର ବିଭିନ୍ନ ପାଇକାରୀ ବଜାରରୁ ସରସ୍ୱତୀ ଆଲୁମିନିୟମ୍ ବାସନ କିଣନ୍ତି । ପାର୍ବତୀ ଆମ୍ମା କେଶକୁ ଓଜନ ଯନ୍ତ୍ରରେ ଓଜନ କରନ୍ତି
ପାର୍ବତୀ ଆମ୍ମାଙ୍କ ପାଖରୁ ବିଭିନ୍ନ କମ୍ପାନୀ କେଶ କିଣି ନେଇ ସେଥିରୁ ପରଚୂଳ ବା ୱିଗ୍ ତିଆରି କରନ୍ତି। ୫୦ ବର୍ଷୀୟା ପାର୍ବତୀ କହନ୍ତି, “କେଶକୁ ଅଲଗା ଅଲଗା କରି ସଫା କରିବା ଲାଗି ପ୍ରାୟ ୫,୦୦୦ ମହିଳା କାମ କରନ୍ତି। ସେମାନେ ସେଥିରେ ସାବୁନ, ତେଲ, ସାମ୍ପୁ ଲଗାନ୍ତି ଏବଂ ଏହା ସଫା ହୋଇ ଶୁଖିଯିବା ଲାଗି ଗୋଟିଏ ରାତି ଛାଡ଼ି ଦିଅନ୍ତି। ତା’ପରେ ବିକ୍ରି ହେବା ପୂର୍ବରୁ ପୁରୁଷମାନେ କେଶର ଲମ୍ବା ପରଖି ଦେଖନ୍ତି।”
ଆଗାମୀ ଦିନ ପାଇଁ ଯୋଜନା କରନ୍ତି ସରସ୍ୱତୀ। “ମୁଁ ଯଦି ଆଜି ବାସନ କିଣିବାକୁ ଯିବି, ତା’ହେଲେ, ପାର୍ବତୀ ଆମ୍ମାଙ୍କ ପାଖରୁ ଗତକାଲିର କେଶ ବାବଦ ପଇସା ସଂଗ୍ରହ କରି ନେବି।” ତାଙ୍କ କାମର ରୂପରେଖ ସଂପର୍କରେ ବୁଝାଇବାକୁ ଯାଇ ସେ କହନ୍ତି.”ମୁଁ କେଶ ଆଣି ମାସେ ଅପେକ୍ଷା କରିବାକୁ ଚାହେଁ ନାହିଁ। ଆଣିବା ସାଙ୍ଗେ ସାଙ୍ଗେ ମୁଁ ତାକୁ ବିକିଦିଏ।”
ଏହି କେଶ ସଂଗ୍ରାହକ ଯୁବତୀ ଜଣକ କହନ୍ତି ଯେ ସେ ଦିନକୁ ୧୨ରୁ ୧୫ କିଲୋମିଟର ଯାଏ ପାଦରେ ଚାଲି ଚାଲି ବୁଲନ୍ତି। କାରଣ, “ବସ୍ କଣ୍ଡକ୍ଟରମାନେ ଆମକୁ KSRTC (କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗ) ବସ୍ରେ ପଶିବାକୁ ଦିଅନ୍ତିନି।”
ଗୋଟିଏ କାନ୍ଧରୁ ଅନ୍ୟ କାନ୍ଧ କରି ଓଜନିଆ ଭାର ବୋହିବା କାରଣରୁ “ଏ କାମର କୁପରିଣତି ମୋ ଶରୀରରେ ପ୍ରତିଫଳିତ ହୁଏ। ମୋର ସାରା ଶରୀର ଓ ବେକରେ ଯନ୍ତ୍ରଣା ହୁଏ।” ତଥାପି ସେ ଏହି କାମ କରି ଚାଲିଛନ୍ତି।
ସେ କହନ୍ତି, “ଏ ବେପାରରୁ ଆମ ହାତରେ ପ୍ରାୟ କିଛି ରହେନି।”
ଅନୁବାଦ : ଓଡ଼ିଶାଲାଇଭ୍