ଫେବୃୟାରୀ ୧୩ ତାରିଖ ଦିନ ପଞ୍ଜାବର ଜଣେ ସମାଜ ବିଜ୍ଞାନର ଛାତ୍ର ଦବିନ୍ଦର ସିଂ ଭାଙ୍ଗୁ କୃଷକମାନଙ୍କ ଆନ୍ଦୋଳନରେ ଯୋଗ ଦେବା ପାଇଁ ସାଙ୍ଗମାନଙ୍କ ସହ ଶମ୍ଭୁ ସୀମାକୁ ଯାଇଥିଲେ। ସେମାନେ ପହଞ୍ଚିଲା ବେଳକୁ ପ୍ରାୟ ଦିନ ୨ଟା ବାଜିଥିଲା। ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ଏବଂ ହରିୟାଣା ସୀମାବର୍ତ୍ତୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଥିଲେ।
ଦବିନ୍ଦରଙ୍କର ବନ୍ଧୁ ତରଣବୀର ସିଂ କହିଲେ, ‘‘ସେ ଗୋଟିଏ ଦଳ ଭିତରେ ଶାନ୍ତିପୂର୍ଣ୍ଣ ଭାବରେ ଠିଆ ହୋଇଥିଲା ବେଳେ ତାଙ୍କ ବାମ ଆଖିରେ ଗୋଟିଏ ରବର ଗୁଳି ବାଜିଲା। ଦବିନ୍ଦର ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ। ଆମେ ତାଙ୍କୁ ତଳୁ ଉଠାଇବା ପାଇଁ ଚେଷ୍ଟା କଲାବେଳେ ପୋଲିସ୍ ଆମ ଉପରକୁ ତିନିରୁ ଚାରିଟି ଟିୟର୍ ଗ୍ୟାସ୍ ସେଲ୍ ଫାୟାର୍ କଲା।’’ ଏହା ପ୍ରାୟ ଅପରାହ୍ଣ ୩ଟା ବେଳେ, ଆମେ ବିକ୍ଷୋଭ ସ୍ଥଳରେ ପହଞ୍ଚିବାର ଘଣ୍ଟାଏ ମଧ୍ୟରେ ଘଟିଗଲା।
ଚାଷୀମାନେ ଦିଲ୍ଲୀରେ ଫେବୃୟାରୀ ୧୩ ତାରିଖ ଦିନ ଅନ୍ୟାନ୍ୟ ସମସ୍ୟା ସହିତ ଏନଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପାଇଁ ଆଇନତଃ ନିଶ୍ଚିତତା ଦାବି କରି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କ ଶମ୍ଭୁ ସୀମାରେ ପଞ୍ଜାବ ଓ ହରିୟାଣା ମଝିରେ ପୋଲିସ୍ ଏବଂ ଆରଏଏଫ୍ ଦ୍ୱାରା ଅଟକା ଯାଇଥିଲା ଓ ସେମାନଙ୍କ ଯାତ୍ରାରେ ବାଧା ଦେବା ପାଇଁ ବ୍ୟାରକେଡ୍ ସ୍ଥାପନ କରାଯାଇଥିଲା। ଯେତେବେଳେ ଚାଷୀମାନେ ଆଗକୁ ଚାଲିବାକୁ ଚେଷ୍ଟା କଲେ ସେମାନଙ୍କ ଉପରେ ଟିୟର୍ ଗ୍ୟାସ୍ ସେଲ୍ ଓ ରବର ପ୍ୟାଲେଟ୍ ବା ଗୁଳିରେ ଆକ୍ରମଣ କରାଗଲା। (ଏହା ସହିତ ମଧ୍ୟ ପଢ଼ନ୍ତୁ: ‘‘ମୋତେ ଶମ୍ଭୁ ସୀମାରେ ବନ୍ଦି ହେବା ପରି ଲାଗିଲା ’’)।
ଟିୟର୍ ଗ୍ୟାସ୍ ସେଲ୍ର ତୀବ୍ର ଗନ୍ଧଯୁକ୍ତ ଧୂଆଁର ମୁକାବିଲା କରି ଦବିନ୍ଦରଙ୍କ ସାଙ୍ଗମାନେ ନିଜର ଉଦ୍ୟମ ଆରମ୍ଭ କଲେ, ତାଙ୍କ ଦେହରୁ ରକ୍ତସ୍ରାବ ହେଉଥିଲା ବେଳେ ତାଙ୍କୁ ତୁରନ୍ତ ଉଠାଇ ଆଣିଲେ। ତାଙ୍କୁ ସେହି ସ୍ଥାନରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ୨୨ ବର୍ଷର ପୁରୁଣା ସରକାରୀ ଡାକ୍ତରଖାନାକୁ ବାନୁର୍କୁ ଆମ୍ବୁଲାନ୍ସ ଯୋଗେ ଆଣିଲେ। ସେଠାରେ ଡାକ୍ତର ତାଙ୍କୁ ଚଣ୍ଡିଗଡ଼ର ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ରେଫର କଲେ, ଯେଉଁଠାରେ ଫେବୃୟାରୀ ୧୫ ତାରିଖ ଦିନ ତାଙ୍କ ଆଖିରେ ଅସ୍ତ୍ରୋପଚାର କରାଗଲା। ଡାକ୍ତରମାନେ କହୁଛନ୍ତି ତାଙ୍କର ବାମ ଆଖିର ଦୃଷ୍ଟିଶକ୍ତି ଫେରି ପାଇବାର ସମ୍ଭାବନା ଖୁବ୍ କମ୍।
ଦବିନ୍ଦରଙ୍କର ପିତା ମନଜିତ୍ ସିଂ, ଜଣେ ଚାଷୀ ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପୁଅ ବିଦେଶ ନ ଯିବାକୁ ସ୍ଥିର କରିଥିଲା, ବରଂ ଏଠାରେ ରହି ପୋଲିସ୍ ଚାକିରିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିଲା।


ବାମ: ଦବିନ୍ଦର ସିଂ ଭାଙ୍ଗୁ ତାଙ୍କ ସାଙ୍ଗମାନଙ୍କ ସହ ଚାଷୀଙ୍କ ବିକ୍ଷୋଭରେ ଯୋଗ ଦେବା ପାଇଁ ଶମ୍ଭୁ ସୀମାକୁ ଯାଇଥିଲେ। ସେଠାରେ ପହଞ୍ଚିବାର ଏକ ଘଣ୍ଟା ମଧ୍ୟରେ ତାଙ୍କ ବାମ ଆଖିରେ ଅଧିକାରୀମାନଙ୍କ ଦ୍ୱାରା ଫାୟାର୍ କରାଯାଇଥିବା ଟିୟର୍ ଗ୍ୟାସ୍ ସେଲ୍ ବାଜିଥିଲା ଓ ସେଠାରୁ ତାଙ୍କୁ ଡାକ୍ତରଖାନାକୁ ଯିବାକୁ ପଡ଼ିଥିଲା। ଡାହାଣ: ତାଙ୍କର ପିତା ମନଜିତ୍ ସିଂ କହିଛନ୍ତି ଯେ ଦବିନ୍ଦର ବିଦେଶ ନ ଯିବାକୁ ବାଛିଥିଲେ ଯାହାଫଳରେ ସେ ପୋଲିସ୍ ଚାକିରିରେ ଯୋଗ ଦେଇପାରିଥାନ୍ତେ


ବାମ: ଚାଷୀମାନେ ଶମ୍ଭୁରେ ଏକ ଟ୍ରାକ୍ଟର ଉପରେ ତିଆରି ହୋଇଥିବା ଏକ ଅସ୍ଥାୟୀ ମଞ୍ଚଆଡ଼କୁ ଯାଉଛନ୍ତି। ଡାହାଣ: ବିକ୍ଷୋଭ କରୁଥିବା ଚାଷୀମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ପୋଷ୍ଟର - ‘ଆମେ ଚାଷୀ, ଆତଙ୍କବାଦୀ ନୁହଁ’
ଏହି ପରିବାରର ପଟିଆଲା ଜିଲ୍ଲାରେ ଶେଖପୁର ଗ୍ରାମରେ ନିଜର ଆଠ ଏକର ସମ୍ପତ୍ତି ଅଛି ଏବଂ ୨୦୨୦-୨୧ ରେ ଦିଲ୍ଲୀ ସୀମାରେ ତିନୋଟି କୃଷି ଆଇନ ବିରୋଧରେ ଚାଷୀମାନଙ୍କର ବିକ୍ଷୋଭରେ ଯୋଗ ଦେଇଥିଲେ। ଏହି ଆନ୍ଦୋଳନ ବିଷୟରେ ପରୀରେ ରହିଥିବା କାହାଣୀଗୁଡ଼ିକ ପଢ଼ନ୍ତୁ: କୃଷି ନିୟମ ବିରୋଧରେ ବିରୋଧ: ସଂପୂର୍ଣ୍ଣ କଭରେଜ୍ |
ବିକ୍ଷୋଭ ସ୍ଥଳରେ ରହିଥିବା ଚାଷୀମାନେ ଜାଣିବାକୁ ଚାହାନ୍ତି ଯେ ପଞ୍ଜାବର ନ୍ୟାୟିକ ପରିସର ଭିତରେ ହରିୟାଣା ପୋଲିସ୍ କିପରି ଭାବରେ ରବର ଗୁଳି ଓ ଟିୟର୍ ଗ୍ୟାସ୍ ସେଲ୍ ଫାୟାର କରିବାକୁ ସକ୍ଷମ ହେଲେ। ‘‘ଯଦି ଆମେ ଆମ ରାଜ୍ୟରେ ସୁରକ୍ଷିତ ନୋହୁଁ, ତେବେ କେଉଁଠାରେ ସୁରକ୍ଷିତ ରହିବୁ?’’ ସେମାନେ ପଚାରିଥିଲେ ଏବଂ ଆହୁରି କହିଥିଲେ ଯେ ପୋଲିସ୍ ଶାନ୍ତିପୂର୍ଣ୍ଣ ଭାବରେ ଠିଆ ହୋଇଥିବା ବିକ୍ଷୋଭକାରୀଙ୍କୁ ଲକ୍ଷ୍ୟ କରି ଏହା ଫାୟାର କରିଥିଲା। ସେମାନଙ୍କର ମତ ‘‘ପଞ୍ଜାବ ସରକାର କିଛି କରିବା ଉଚିତ୍’’।
ଜଣେ କୃଷକ ନେତା, ଗୁରମନୀତ୍ ସିଂ ପରୀକୁ କହିଥିଲେ ଯେ ସେମାନେ ପଞ୍ଜାବ ପୋଲିସ୍ ନିକଟରେ ଏପରିକି ଡେପୁଟି କମିଶନରଙ୍କ ନିକଟରେ ଏହି ସମସ୍ୟା ଉପସ୍ଥାପନ କରିଥିଲେ। ସେମାନେ କହିଥିଲେ ଯେ ପୋଲିସ ଅମ୍ବାଲାରେ ରହିଥିବା ତାଙ୍କର ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି। କିନ୍ତୁ ଏବେ ବି ଟିୟର୍ ଗ୍ୟାସ ସେଲିଂ ବନ୍ଦ ହୋଇ ନାହିଁ।
ୱାଟର କ୍ୟାନନ୍, ଟିୟର୍ ଗ୍ୟାସ୍ ସେଲ୍ ଏବଂ ପେଲେଟସ୍ ବ୍ୟବହାର କାରଣରୁ ୧୦୦ରୁ ଅଧିକ ବିକ୍ଷୋଭ କରୁଥିବା ଚାଷୀ ଆଘାତପ୍ରାପ୍ତ ହୋଇଛନ୍ତି। ସେମାନେ ତାଙ୍କର ଚକ୍ଷୁ ହରାଇଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ହରିୟାଣା ପୋଲିସର ଚାଷୀମାନଙ୍କ ଉପରେ ଏହି ‘ଅକାରଣ’ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି।
ତାର୍ନ ତରନ୍ ଜିଲ୍ଲାରେ ଧରିୱାଲ୍ ଗ୍ରାମର ଜଣେ କୃଷକ ହେଉଛନ୍ତି ଜାର୍ନେଲ୍ ସିଂ, ଫେବୃୟାରୀ ୧୩ ତାରିଖ ଦିନ ଲାଠି ଚାର୍ଜ ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୁଣ୍ଡରେ ୫ଟି ଷ୍ଟିଜ୍ ପଡ଼ିଛି, କିନ୍ତୁ ସେ ଘରକୁ ଫେରିବାକୁ ଚାହାନ୍ତି ନାହିଁ। ସେ କହନ୍ତି ‘‘ଏଠାରେ ସମସ୍ତେ ପ୍ରତିବାଦ କରୁଛନ୍ତି ମୁଁ କାହିଁକି ମୋ ଘରକୁ ଯିବି’’।
ଡାକ୍ତର ମନଦୀପ୍ ସିଂ, ବିକ୍ଷୋଭ ସ୍ଥଳରେ ଏକ ସ୍ୱାସ୍ଥ୍ୟ ଶିବିର ଚଳାଉଛନ୍ତି ସେ କହିଛନ୍ତି ଯେ ସେମାନେ ବିକ୍ଷୋଭ ଆରମ୍ଭ ହେବା ପରଠାରୁ ଆଘାତ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରାୟ ୪୦୦ ରୋଗୀଙ୍କର ଚିକିତ୍ସା କଲେଣି।


ବାମ: ଚାଷୀମାନେ ତାଙ୍କର ଟ୍ରଲି ଘରେ ପ୍ରସ୍ତୁତ ହୋଇ ବିକ୍ଷୋଭ ପାଇଁ ଆସିଛନ୍ତି। ଡାହାଣ: ଡକ୍ଟର ମନଦୀପ୍ ସିଂ ଲାଠି ଚାର୍ଜ ସମୟରେ ମୁଣ୍ଡରେ ଆଘାତ ଲାଗିଥିବା ଜାର୍ନେଲ୍ ସିଂଙ୍କର ଚିକିତ୍ସା କରୁଛନ୍ତି ଏବଂ ତାଙ୍କ ମୁଣ୍ଡରେ ଛଅଟି ଷ୍ଟିଚ୍ ପଡ଼ିଛି


ବାମ: କୃଷକ ସଂଘମାନେ ଦୁର୍ବୁତ୍ତମାନଙ୍କ ଦ୍ୱାରା ବିଭିନ୍ନ ଆକ୍ରମଣ ପରେ ସାମ୍ବାଦିକମାନଙ୍କୁ ସ୍ୱାକ୍ଷରିତ ଆଇଡି ପ୍ରଦାନ କରୁଛନ୍ତି। କୃଷକ ନେତା ରଞ୍ଜିତ ସିଂ ରାଜୁ (କେନ୍ଦ୍ର) ସାମ୍ବାଦିକମାନଙ୍କ ବିବରଣୀ ଟିପି ରଖନ୍ତି ଏବଂ ସେମାନଙ୍କୁ କୌଣସି ପରିସ୍ଥିତିରେ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ବିଷୟରେ ସୂଚନା ଦିଅନ୍ତି। ଡାହାଣ: ସ୍ୱେଚ୍ଛାସେବୀ ଭାବରେ ନିଯୁକ୍ତ ଯେ କି ଦୁର୍ବୁତ୍ତଙ୍କ ଉପରେ ନଜର ରଖିବା ପାଇଁ ରକ୍ଷୀ ବା ପ୍ରହରୀ ଭାବରେ କାମ କରନ୍ତି
ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ବଳବୀର ସିଂ, ନିଜେ ଜଣେ ଚକ୍ଷୁ ଶଲ୍ୟ ବିଶେଷଜ୍ଞ, ବିକ୍ଷୋଭ ସମୟରେ ଆଘାତପ୍ରାପ୍ତ ରୋଗୀମାନଙ୍କୁ ନିଜେ ବୁଲି ଦେଖିଛନ୍ତି। ଫେବୃୟାରୀ ୧୪ ତାରିଖରେ ସେ ଘୋଷଣା କରିଥିଲେ ଯେ ବିକ୍ଷୋଭରେ ଆହତ ଚାଷୀମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ବହନ କରିବେ।
ବିକ୍ଷୋଭ ସ୍ଥଳରେ ବହୁ ଗଣମାଧ୍ୟମ ବ୍ୟକ୍ତିଙ୍କୁ ଧମକ ଦିଆଯାଇଛି ଏବଂ ଆକ୍ରମଣ କରାଯାଇଛି। ଗଣମାଧ୍ୟମର ସହାୟତା ପାଇଁ ଏବଂ ଏହି ଦୁର୍ବୁତ୍ତମାନଙ୍କୁ ଦମନ କରିବା ପାଇଁ କୃଷକ ସଂଘ ତରଫରୁ ସ୍ୱେଚ୍ଛାସେବୀମାନଙ୍କୁ ରକ୍ଷୀ ବା ପ୍ରହରୀ ଭାବରେ ନିଯୁକ୍ତ କରାଯାଇଛି।
ଏହି ସଂଘଗୁଡ଼ିକ ମଧ୍ୟ ବିକ୍ଷୋଭର ସୂଚନା ପ୍ରସାରଣ ପାଇଁ ଆସୁଥିବା ସାମ୍ବାଦିକମାନଙ୍କୁ ସେମାନଙ୍କ ଦ୍ୱାରା ଅଧିକୃତ ମିଡିଆ କାର୍ଡ ଜାରି କରୁଛନ୍ତି। କୃଷକଙ୍କ ନେତା ରଞ୍ଜିତ୍ ସି ରାଜୁ କହନ୍ତି ଏହା ସାମ୍ବାଦିକମାନଙ୍କର ନିରାପତ୍ତା ପାଇଁ ଉଦ୍ଦିଷ୍ଟ। ଏହି କାର୍ଡରେ ସାମ୍ବାଦିକଙ୍କର ବିବରଣୀ ରହିଥାଏ ଏବଂ ଜଣେ ଲିଡରଙ୍କ ଦ୍ୱାରା ସ୍ୱାକ୍ଷର କରାଯାଇଥାଏ ଯେ କି ସେମାନଙ୍କର ବିବରଣୀ ଏକ ରେଜିଷ୍ଟରରେ ଟିପି ରଖିଥାନ୍ତି।
*****
ଦବିନ୍ଦରଙ୍କ ପରି ଶମ୍ଭୁ ସୀମାରେ ବିକ୍ଷୋଭ ସ୍ଥଳରେ ବହୁ ବ୍ୟକ୍ତି ୨୦୨୦-୨୦୨୧ ବିକ୍ଷୋଭରେ ଜଡ଼ିତ ଥିଲେ।
ବାବା ଲାଭ୍ ସିଂ, କର ସେବା ଦଳର ଜଣେ ସଦସ୍ୟ ଦିଲ୍ଲୀ ସୀମାରେ ବିକ୍ଷୋଭ ସୀମାରେ ତାଙ୍କର ସମ୍ପର୍କୀୟ ଭାଇଙ୍କୁ ହରାଇଥିଲେ। ଶମ୍ଭୁ ସୀମାରେ ଫେବୃୟାରୀ ୧୮ ତାରିଖ ଦିନ ସମବେତ ଜନତାଙ୍କୁ ସମ୍ବୋଧନ କରି ୬୨ ବର୍ଷ ବୟସରେ ଉପନୀତ ବ୍ୟକ୍ତି କହିଥିଲେ ‘‘ମୋର ସମ୍ପର୍କୀୟ ଭାଇ ଆଜୀବ ସିଂ ବିକ୍ଷୋଭ ସ୍ଥଳରେ ନିମୋନିଆ ଯୋଗୁଁ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଦୁଇ ସନ୍ତାନ ଅନାଥ ହୋଇଗଲେ’’।
‘‘ନିର୍ବାଚନ ସମୟରେ, ଏହି ଲୋକମାନେ ହାତ ଯୋଡ଼ି ଆମ ନିକଟକୁ ଆସନ୍ତି, କିନ୍ତୁ ଆମେ ଯେତେବେଳେ ଆମ ଦାବି ନେଇ ତାଙ୍କ ପାଖକୁ ଆସୁ ସାମାନ୍ୟ କର୍ଣ୍ଣପାତ କରନ୍ତି ନାହିଁ,’’ ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଯିବ ଓ ଆସିବ, ଲୋକମାନଙ୍କୁ ସବୁବେଳେ ନିଜ ପାଇଁ ସଂଘର୍ଷ କରିବାକୁ ହେବ।


ବାମ: ବାବା ଲାଭ୍ ସିଂ୨୦୨୦-୨୦୨୧ରେ ତାଙ୍କର ଭାଇଙ୍କୁ ହରାଇଥିଲେ, ଯେ କି ଶମ୍ଭୁରେ କୃଷକମାନଙ୍କୁ ସମ୍ବୋଧିତ କରୁଥିଲେ। ଡାହାଣ: ହରଭଜନ୍ କୌର୍ (ଡାହାଣ) ଶମ୍ଭୁରେ ପହଞ୍ଚିବା ପାଇଁ ୨ ଦିନ ଧରି ଯାତ୍ରା କରି ଆସିଛନ୍ତି। ‘ମୋ ପୁଅ ମୋତେ ଏଠାକୁ ଆଣିବାକୁ ଚାହୁଁନଥିଲା କିନ୍ତୁ ମୁଁ ବାଧ୍ୟ କଲି,’ ସେ କହନ୍ତି

![Right: Like many of the protestors, the vehicles at Shambhu border were also a part of the 2020-21 protests. The quote on this tractor reads: 'Haar paawange, haar puaawange...Sun Dilliye, par haar ke nahi jawange' [Will honour you and will be honoured...Listen Delhi, but we will not return defeated/dishonoured]](/media/images/07b-IMG_2634-AA-If_we_are_not_safe_in_our_.max-1400x1120.jpg)
ବାମ: ବିକ୍ଷୋଭ କରୁଥିବା ଚାଷୀମାନେ ଜାଣିବାକୁ ଚାହାନ୍ତି ଯେ ପଞ୍ଜାବର ନ୍ୟାୟିକ ପରିସର ମଧ୍ୟରେ ହରିୟାଣା ପୋଲିସ କିପରି ଭାବରେ ପ୍ୟାଲେଟ ଓ ଟିୟର ଗ୍ୟାସ୍ ସେଲ୍ ଫାୟାର କରିବାକୁ ସକ୍ଷମ ହେଲା। ‘ଯଦି ଆମେ ଆମ ରାଜ୍ୟରେ ସୁରକ୍ଷିତ ନୋହୁଁ, କେଉଁଠାରେ ସୁରକ୍ଷିତ ରହିବୁ?’ ସେମାନେ ପଚାରୁଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ଶାନ୍ତିପୂର୍ଣ୍ଣ ଭାବରେ ଠିଆ ହୋଇଥିବା ବିକ୍ଷୋଭକାରୀଙ୍କୁ ଲକ୍ଷ୍ୟ ରଖିଥିଲା। ଡାହାଣ: ବହୁ ବିକ୍ଷୋଭକାରୀଙ୍କ ପରି ଶମ୍ଭୁ ସୀମାରେ ରହିଥିବା ଯାନଗୁଡ଼ିକ ୨୦୨୧-୨୦୨୨ ବିକ୍ଷୋଭର ଏକ ଅଂଶ ଥିଲା। ଏହି ଟ୍ରକରେ ଲେଖାଯାଇଥିଲା ‘ହାର୍ ପାୱାଙ୍ଗେ, ହାର୍ ପୁଆୱାଙ୍ଗେ... ସୁନ୍ ଦିଲ୍ଲୀୟେ, ପର୍ ହାର୍ କେ ନେହିଁ ଯାୱାଙ୍ଗ୍’ (ଆମେ ଆପଣଙ୍କୁ ସମ୍ମାନ ଦେଉ ଏବଂ ସମ୍ମାନିତ ହେବୁ... ଶୁଣି ନିଅ ଦିଲ୍ଲୀ, କିନ୍ତୁ ହାରିଯାଇ ଫେରିଯିବୁ ନାହିଁ)
ହରଭଜନ କୌର ହେଉଛନ୍ତି ଗୁରୁଦାସପୁରରେ ଡୁଗ୍ରୀରୁ ଯୋଗ ଦେଇଥିବା ମହିଳା ଚାଷୀ ଗୋଷ୍ଠୀ ମଧ୍ୟରୁ ଜଣେ। .ସେମାନେ ଶମ୍ଭୁ ସୀମାରେ ପହଞ୍ଚିବା ପାଇଁ ୨ ଦିନ ଧରି ଯାତ୍ରା କରିଥିଲେ। ‘‘ମୋ ପୁଅ ମୋତେ ଏଠାକୁ ଆଣିବାକୁ ଚାହୁଁନଥିଲା’’, କହନ୍ତି ୭୮ ବର୍ଷ ବୟସ୍କା ମହିଳା, ‘‘ମୁଁ ଗାଁରେ ଏକୁଟିଆ ରହି କ’ଣ କରିବି? ଯଦି ମରିବାର କଥା ଆସେ, ତେବେ ଅନ୍ୟ କେହି ମରିବା ପୂର୍ବରୁ ମୁଁ ପ୍ରଥମେ ମରିବି’’ ସେ କହନ୍ତି।
ସେ ଗାଁର ଅନ୍ୟ ମହିଳାଙ୍କ ସହ ଦିଲ୍ଲୀ ସୀମାରେ ୨୦୨୦-୨୦୨୧ ବିକ୍ଷୋଭରେ ମଧ୍ୟ ସାମିଲ୍ ହୋଇଥିଲେ।
କେବଳ ଲୋକେ ନୁହନ୍ତି, ଯାନବାହନଗୁଡ଼ିକ ମଧ୍ୟ ପୂର୍ବବର୍ତ୍ତୀ ବିକ୍ଷୋଭର ଅଂଶ ହୋଇଥିଲା। ଶମ୍ଭୁ ସୀମାରେ ମଧ୍ୟ ଏକ ଟ୍ରାକ୍ଟରରେ ଗୋଟିଏ ଧାଡ଼ି ତିନି ବର୍ଷ ତଳେ ରଙ୍ଗରେ ଲେଖା ଯାଇଥିଲା ‘‘ହାର୍ ପାୱାଙ୍ଗେ, ହାର୍ ପୁଆୱାଙ୍ଗେ... ସୁନ୍ ଦିଲ୍ଲୀୟେ, ପର୍ ହାର୍ କେ ନେହିଁ ଯାୱାଙ୍ଗ୍’ (ଆମେ ଆପଣଙ୍କୁ ସମ୍ମାନ ଦେଉ ଏବଂ ସମ୍ମାନିତ ହେବୁ... ଶୁଣି ନିଅ ଦିଲ୍ଲୀ, କିନ୍ତୁ ହାରିଯାଇ ଫେରିଯିବୁ ନାହିଁ)’’।
ଆଉ ଗୋଟିଏ କାର୍ ରେ ଲେଖାଯାଇଛି:
‘‘ଜଡ଼ ପତା ହୋୱେ ସିନେୟନ୍ ଚ ଚେକ୍ ହୋଙ୍ଗେ, ଓଡନ୍ ଯାଙ୍ଗ ଯାନୱାଲ୍ ବନ୍ଦେ ଆମେ ନେହିଁ ହୁନ୍ଦେ
(ଯେତେବେଳେ ଜଣାଥାଏ ଯେ ଛାତିରେ ଛିଦ୍ର ହେବ [ଗୁଳି ମାଧ୍ୟମରେ], ଯୁଦ୍ଧକୁ ଯାଉଥିବା ଲୋକେ ସାଧାରଣ
ହୋଇନଥାନ୍ତି)।’’
କୃଷକ ନେତାମାନେ ଫେବୃୟାରୀ ୧୮ ତାରିଖ ରବିବାର ଦିନ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଏକ ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବିଷୟରେ ପ୍ରସ୍ତାବ ଦେବା ପରେ, ସାମୟିକ ଭାବରେ ଦିଲ୍ଲୀ ଚଲୋ ଶୋଭାଯାତ୍ରାରେ ଅଟକିଥିଲେ। ଏହାକୁ ସମୀକ୍ଷା କରିବା ପରେ, ଚାଷୀମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ ଶୋଭାଯାତ୍ରା ପୁନଃ ଆରମ୍ଭ କରିଥିଲେ।

ବିକ୍ଷୋଭକାରୀମାନେ ହରିୟାଣା ଆଡ଼କୁ ମୁହଁ କରି କଂକ୍ରିଟ୍ ବ୍ୟାରିକେଡ୍ ଆଡକୁ ବସିରହିଛନ୍ତି

ଗୁରବାଣୀ (ଶିଖ୍ ମନ୍ତ୍ର),ଉଚ୍ଚାରଣ କରୁଥିବା ବିକ୍ଷୋଭରତ ଚାଷୀମାନେ ବ୍ୟାରିକେଡଠାରୁ ୧୦୦ ମିଟର ଦୂରରେ ରହିଛନ୍ତି

ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ସମ୍ମୁଖରେ ସତନାମ ୱାହେଗୁରୁ ପଢ଼ୁଛନ୍ତି

ଜଣେ ବୟସ୍କ ଚାଷୀ ତାଙ୍କ ସଂଘର ପତାକା ସହିତ ବସି ରହିଛନ୍ତି

ବୟସ୍କ ଚାଷୀମାନେ ବିକ୍ଷୋଭ ସ୍ଥଳରେ ବକ୍ତାଙ୍କର କଥା ଶୁଣିଲ ବେଳେ ଏକ ପତାକା ଖୁଣ୍ଟକୁ ଆଶ୍ରା କରିଛନ୍ତି

ସଡ଼କର ଅପର ପାର୍ଶ୍ୱରେ ବିକ୍ଷୋଭକାରୀ ଏବଂ ଫୋର୍ସ ପରସ୍ପର ଆଡ଼କୁ ମୁହଁ କରି ଘାଗର ନଦୀ ବ୍ୟାପୀ ବସିଛନ୍ତି

ଶମ୍ଭୁ ସୀମାରେ ଚାଷୀମାନେ ହରିୟାଣା ପୋଲିସ୍ ଏବଂ ଆରଏଏଫର ସମ୍ମୁଖୀନ ହେଉଛନ୍ତି

ବ୍ୟାରିକେଡ୍ ସମ୍ମୁଖରେ ଜମା ହୋଇଥିବା ଇଟାପଥର
ଅନୁବାଦ: ଓଡ଼ିଶାଲାଇଭ୍