ପ୍ରତିବର୍ଷ, ‘ପରୀ’ ସହିତ ଇଣ୍ଟର୍ନ ଭାବରେ କାମ କରିବା ଲାଗି ଅନେକ ଯୁବକଯୁବତୀ ଆମକୁ ଲେଖି ଜଣାନ୍ତି । ଏ ବର୍ଷ ଆମେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନ ଭାବରେ ପାଇଥିଲୁ – ସମଗ୍ର ଦେଶର ବିଭିନ୍ନ ଭାଗରୁ ଏବଂ ବିଭିନ୍ନ ବିଷୟରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ଆମ ସହିତ କାମ କରିବା ଲାଗି ଯୋଗାଯୋଗ କରିଥିଲେ । ସେମାନେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍, ବାଙ୍ଗାଲୋରର ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳଯ, ସୋନିପତର ଅଶୋକା ବିଶ୍ୱବିଦ୍ୟାଳୟ, ପୁଣେର ‘ଫ୍ଲେମ୍’ ବିଶ୍ୱବିଦ୍ୟାଳୟ, ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମଗ୍ର ଦେଶର ଅନେକ ଶିକ୍ଷାନୁଷ୍ଠାନରୁ ସେମାନେ ଆସିଥିଲେ ।
ଗତ କେଇ ବର୍ଷ ଭିତରେ ଆମର ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ରୂପରେଖ ବଦଳି ଯାଇଛି – ଉଭୟ ଏହାର ପରିଧି ଓ ପରିସର ବୃଦ୍ଧି ପାଇଛି, ନୂଆ ନୂଆ ପ୍ରଶ୍ନ ଓ କାର୍ଯ୍ୟଭାରକୁ ଏଥିରେ ସାମିଲ କରାଯାଇଛି । ହେଲେ ଅପରିବର୍ତ୍ତିତ ରହିଛି ଏହାର ଲକ୍ଷ୍ୟ – ଅସମାନତା, ଅନ୍ୟାୟ ଏବଂ ସାମାଜିକ ଉତ୍ପୀଡ଼ନ ଭଳି ଆମ ସମୟର ବିଭିନ୍ନ ସମସ୍ୟା ସହିତ ଯୁବ ପିଢ଼ିକୁ ପରିଚିତ କରାଇବା ସହିତ କାରଣ ଓ ନିରାକରଣ ବାଟ ଖୋଜିବା ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ।
‘ପରୀ’ର ଇଣ୍ଟର୍ନମାନଙ୍କୁ ଅବିଳମ୍ବେ ବାସ୍ତବ କ୍ଷେତ୍ରରେ କାମ କରିବାକୁ ପଡ଼େ - ଗ୍ରାମାଞ୍ଚଳ ଏବଂ ନିଷ୍ପେଷିତ ସଂପ୍ରଦାୟ ଉପରେ ଲେଖା ପ୍ରସ୍ତୁତି ନିମନ୍ତେ ଗବେଷଣା, ସାକ୍ଷାତକାର, ଲିଖନ, ତଥ୍ୟ ଯାଞ୍ଚ, ଫଟୋ ଉତ୍ତୋଳନ, ଚଳଚ୍ଚିତ୍ର ପାଇଁ ଚିତ୍ର ଉତ୍ତୋଳନ ଏବଂ ଲେଖା ପାଇଁ ଚିତ୍ରସଜ୍ଜା କରିବା ଭଳି ସମସ୍ତ କାମ ସେମାନେ କରନ୍ତି । ଏବଂ ଏହି କାର୍ଯ୍ୟରେ ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ଅରୁଣାଚଳ ପ୍ରଦେଶ, ତାମିଲନାଡୁ, ଓଡ଼ିଶା, ମହାରାଷ୍ଟ୍ର, କେରଳ ଏବଂ ଜାମ୍ମୁ ଓ କାଶ୍ମୀରରୁ ସେମାନେ ରିପୋର୍ଟ ପଠାଇ ସାରିଛନ୍ତି ।
ସେମାନେ ମଧ୍ୟ ଲାଇବ୍ରେରୀ ରିପୋର୍ଟ, ଚଳଚ୍ଚିତ୍ର ଓ ଭିଡିଓ, ସାମାଜିକ ଗଣମାଧ୍ୟମ ପୋଷ୍ଟ କରିବା ଉପରେ କାମ କରନ୍ତି ଏବଂ ଦରକାର ପଡ଼ିଲେ ଅନୁବାଦ ବି କରନ୍ତି ।
ଅନେକ ଛାତ୍ରଛାତ୍ରୀ ଲିଙ୍ଗଭେଦରେ ଅନ୍ୟାୟ ଭଳି ବିଷୟ ଉପରେ ଅନୁସନ୍ଧାନ କରି ସେମାନଙ୍କ ରିପୋର୍ଟ ମାଧ୍ୟମରେ ଏହାକୁ ଲୋକଲୋଚନକୁ ଆଣିବା ଲାଗି ଚାହିଁଲେ, ଏବଂ ସେମାନେ ଯାହା କଲେ ତାହା ଏମିତି :
ଏକ ଶୌଚାଳୟ ବିରତି ବିନା ପରିଶ୍ରମ କରିବା ଶୀର୍ଷକ ରିପୋର୍ଟରେ ପଶ୍ଚିମବଙ୍ଗର ଚା’ ବଗିଚାରେ କାମ କରୁଥିବା ମହିଳାମାନଙ୍କ ଜୀବନଧାରା ଏବଂ ଲିଙ୍ଗଭେଦ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଉନ୍ମୋଚନ କରିଥିଲେ ଇଣ୍ଟର୍ନ ଆଧ୍ୟେତା ମିଶ୍ରା । ସେତେବେଳେ, ଆଧ୍ୟେତା ଯାଦବପୁର ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ସାହିତ୍ୟର ଜଣେ ଛାତ୍ରୀ ଥିଲେ ଏବଂ ମହିଳା ଶ୍ରମିକମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନଙ୍କର ଏବଂ ସେମାନେ କାର୍ଯ୍ୟ କରୁଥିବା ବଗିଚାର ପରିଚୟ ଗୋପନ ରଖିବା ଦିଗରେ ତାଙ୍କୁ ଖୁବ୍ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥିଲା।


ବାମ: କେମିତି ପଶ୍ଚିମ ବଙ୍ଗର ଚା’ ବଗିଚାରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କ ପାଇଁ ଶୌଚାଳୟ ଯିବା ଏକ ସମସ୍ୟାବହୁଳ ଏବଂ ବିପଜ୍ଜନକ କାମ ଥିଲା, ତାହାକୁ ଆଧ୍ୟେତା ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଡାହାଣ: ଜୀବିକା ଅର୍ଜନର ଅନ୍ୟ ବିକଳ୍ପ ନଥିବାରୁ, ବିହାରରେ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଅଳ୍ପବୟସ୍କା ଯୁବତୀମାନେ କିଭଳି ଉତ୍ପୀଡ଼ନର ଶିକାର ହେଉଛନ୍ତି ତାହାକୁ ତାଙ୍କ ରିପୋର୍ଟରେ ଲେଖିଥିଲେ ଦୀପଶିଖା ସିଂହ
ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଡେଭଲପମେଣ୍ଟ ବିଭାଗ ଛାତ୍ରୀ ଦୀପଶିଖା ଆମ ସହିତ ଇଣ୍ଟର୍ନସିପ୍ କରିବା ଅବସରରେ ବିହାରରୁ କାମ କରି ଗ୍ରାମାଞ୍ଚଳରେ ନୃତ୍ୟ ପରିବେଷଣ କରୁଥିବା ମହିଳାମାନଙ୍କ ସଂପର୍କରେ ଲୋମଟାଙ୍କୁରା ଏହି ରିପୋର୍ଟ କରିଥିଲେ: ଅଶ୍ଳୀଳ ଗୀତ ତାଳରେ ନାଚିବାର ବାଧ୍ୟବାଧକତା । “ଆପଣ ମୋତେ ଦେଇଥିବା ଦିଗଦର୍ଶନ ଏବଂ ମତାମତ କେବଳ ଯେ ମୋର ଲେଖା ଶୈଳୀକୁ ସମୃଦ୍ଧ କରିଲା ତାହା ନୁହେଁ, ବରଂ ମୋ ଲେଖାର ଗୁଣମାନ ବଢ଼ାଇବା ସହିତ ଜଣେ ଲେଖିକା ହିସାବରେ ମୋର ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ସିଦ୍ଧ ହେଲା । ‘ପରୀ’ ମଞ୍ଚରେ ମୋର ଲେଖା ପ୍ରକାଶ ପାଇବା ଲାଗି ମୋର ସ୍ୱପ୍ନ ସାକାର ହେଲା... ଆଗକୁ ଆହୁରି ଅଧିକ ବସ୍ତୁନିଷ୍ଠ ରିପୋର୍ଟ ପ୍ରସ୍ତୁତି ଅବ୍ୟାହତ ରଖିବା ଦିଗରେ ମୋର ଏହି ଅନୁଭୂତି ମୋତେ ଅନୁପ୍ରେରିତ କରିଛି ।”
ଏ ବର୍ଷର ଶେଷ ଭାଗରେ, ମଧ୍ୟ ପ୍ରଦେଶର ଦାମୋହରୁ ସାକ୍ଷାତକାର ମାଧ୍ୟମରେ ଇଣ୍ଟର୍ନ କୁହୁଓ ବଜାଜ ଲେଖିଥିଲେ ଦୁର୍ବିସହ ପାଲଟିଛି ବିଡ଼ି ଶ୍ରମିକଙ୍କ ଜୀବନ । “ଏହା ସାମ୍ବାଦିକତାରେ ମୋର ପ୍ରଥମ ଅନୁଭୂତି... ଏହି ପ୍ରକ୍ରିୟାରୁ ମୁଁ ବହୁତ କିଛି ଶିଖିଛି ଏବଂ ପରବର୍ତ୍ତୀ ସମୟରେ ମୋର ପ୍ରତିଟି ରିପୋର୍ଟରେ ମୋର ଏହି କାମକୁ ପ୍ରଶଂସା କରିବା ଆରମ୍ଭ କରିଦେଇଛି,” ବୋଲି କହିଛନ୍ତି ଅଶୋକା ବିଶ୍ୱବିଦ୍ୟାଳୟର ଏହି ଛାତ୍ରୀ ଜଣକ, ଯାହାଙ୍କର ରିପୋର୍ଟରେ ଜୀବିକାର ବିକଳ୍ପ ପନ୍ଥା ବିନା ବିଡ଼ି ତିଆରି କରିବା ଭଳି କଠିନ ଶାରୀରିକ ପରିଶ୍ରମ କରୁଥିବା ଏବଂ ଶୋଷଣର ଶିକାର ହେଉଥିବା ମହିଳମାନଙ୍କ ଜୀବନର ବାସ୍ତବ ଚିତ୍ର ଫୁଟି ଉଠିଛି ।


ବାମ: କୁହୁଓ ବଜାଜଙ୍କ ଲେଖାରେ ଫୁଟି ଉଠେ ମଧ୍ୟ ପ୍ରଦେଶର ଦାମୋହ ଜିଲ୍ଲାରେ ମହିଳା ବିଡ଼ି ଶ୍ରମିକମାନଙ୍କ ଜୀବନ ଓ ଜୀବିକାର ନିଚ୍ଛକ ଚିତ୍ର । ଡାହାଣ: ଆମର ସର୍ବକନିଷ୍ଠ ରିପୋର୍ଟର ହନି ମଞ୍ଜୁନାଥ ଲେଖିଥିଲେ ଟୁମକୁର ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁରେ କାର୍ଯ୍ୟରତ ଗ୍ରାମାଞ୍ଚଳର ଜଣେ ଡାକ କର୍ମଚାରୀ ରେଣୁକା ପ୍ରସାଦଙ୍କ ସଂପର୍କରେ
ଏ ବର୍ଷରେ ଆମର ସର୍ବକନିଷ୍ଠ ରିପୋର୍ଟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ହନି ମଞ୍ଜୁନାଥ ଲେଖିଥିଲେ ଗାଁରେ କାର୍ଯ୍ୟରତ ଜଣେ ଡାକବାଲାଙ୍କ ସଂପର୍କରେ: ଦେବରାୟପାଟନାରେ, ‘ଆପଣଙ୍କର ଚିଠି ଆସିଛି!’ । ଖରାବର୍ଷାକୁ ଖାତିର ନ କରି ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁଥିଲେ ହେଁ ଅବସର ପରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହେଉ ନଥିବା ଡାକ ସେବକମାନଙ୍କ ଜୀବନର ବାସ୍ତବତା ସହିତ ଚିଠିପତ୍ର ସହିତ ଯୋଡ଼ି ହୋଇ ରହିଥିବା ଅତୀତର ସ୍ମୃତି ମଧ୍ୟରେ ସେ ଭାରସାମ୍ୟ ବଜାୟ ରଖିଥିଲେ ।
‘ ପରୀ ’ ରେ ଇଣ୍ଟର୍ନସିପ୍ କରିବା ପାଇଁ education@ruralindiaonline.org କୁ ଲେଖନ୍ତୁ ।
ଯଦି ଆମେ କରୁଥିବା କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ‘ ପରୀ ’ ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ contact@ruralindiaonline.org ମେଲ୍ ଆଇଡିରେ ଲେଖନ୍ତୁ । ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱାଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱାଗତ କରୁଛୁ ।
‘ପରୀ’ ଏକ ଲାଭକାରୀ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ । ଆପଣ ଯଦି ‘ପରୀ’କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍