ଅଶୋକ ତାଙ୍ଗଡ଼େ ଦିନେ ଅପରାହ୍ଣରେ ନିଜ ଫୋନ ଖେଳାଉଥିବା ବେଳେ ଗୋଟିଏ ହ୍ୱାଟ୍ସଆପ୍ ନୋଟିଫିକେସନ୍ ତାଙ୍କର ଧ୍ୟାନ ଆକର୍ଷଣ କଲା। ତାହା ଏକ ଡିଜିଟାଲ ବିବାହ ନିମନ୍ତ୍ରଣ ପତ୍ର ଥିଲା ଯେଉଁଥିରେ ବର ଓ କନ୍ୟାଙ୍କ କଅଁଳ ମୁହଁ ଥିଲା ଏବଂ ସେମାନେ ପରସ୍ପରକୁ ଅଜବ ଦୃଷ୍ଟିରେ ଚାହିଁ ରହିଥିଲେ। ସେହି କାର୍ଡରେ ସମୟ, ତାରିଖ ଏବଂ ବିବାହ ସ୍ଥାନ ବିଷୟରେ ସୂଚନା ରହିଥିଲା।
କିନ୍ତୁ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଏହା ତାଙ୍ଗଡ଼େଙ୍କ ପାଇଁ ଏକ ନିମନ୍ତ୍ରଣ ନଥିଲା।
ପଶ୍ଚିମ ଭାରତରେ ଥିବା ତାଙ୍କ ନିଜ ଜିଲ୍ଲାରେ ତାଙ୍ଗଡ଼େଙ୍କ ଜଣେ ସୂଚନାଦାତା ତାଙ୍କୁ ଏହି କାର୍ଡ ପଠାଇଥିଲେ। ବିବାହ କାର୍ଡ ସହିତ, ସେ ମଧ୍ୟ କନ୍ୟାର ଜନ୍ମ ପ୍ରମାଣପତ୍ର ପଠାଇଥିଲେ। ତାଙ୍କୁ ୧୭ ବର୍ଷ ହୋଇଥିଲା ଓ ଆଇନ ଅନୁଯାୟୀ ସେ ଜଣେ ନାବାଳିକା ଥିଲେ।
କାର୍ଡକୁ ପଢ଼ିବା ପରେ ୫୮ ବର୍ଷ ବୟସ୍କ ତାଙ୍ଗଡ଼େ ଜାଣିପାରିଲେ ଯେ ଆଉ ଘଣ୍ଟାଏ ଭିତରେ ବାହାଘର ହେବାକୁ ଯାଉଛି। ସେ ତୁରନ୍ତ ନିଜର ସହକର୍ମୀ ଓ ବନ୍ଧୁ ତତ୍ତ୍ୱଶୀଲ କାମ୍ବଲେଙ୍କୁ ଫୋନ୍ କଲେ ଏବଂ ସେମାନେ ଶୀଘ୍ର କାର୍ ଧରି ବାହାରି ପଡ଼ିଲେ।
ଜୁନ୍ ୨୦୨୩ର ଏହି ଘଟଣା କଥା ମନେ ପକାଇ ତାଙ୍ଗଡ଼େ କୁହନ୍ତି, ‘‘ବୀଡ଼ ସହରରେ ଆମେ ରହୁଥିବା ସ୍ଥାନଠାରୁ ଉକ୍ତ ସ୍ଥାନଟି ଅଧଘଣ୍ଟାର ବାଟ ଥିଲା। ରାସ୍ତାରେ ଯିବାବେଳେ ଆମେ ସେହି ଫଟୋଗୁଡ଼ିକୁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍ ଏବଂ ଗ୍ରାମ ସେବକଙ୍କଙ୍କୁ ହ୍ୱାଟ୍ସଆପ୍ରେ ପଠାଇଲୁ, ଯାହାଫଳରେ ଆମର ସମୟ ନଷ୍ଟ ହେବ ନାହିଁ।’’
ତାଙ୍ଗଡ଼େ ଓ କାମ୍ବଲେ ଶିଶୁ ଅଧିକାର କର୍ମୀ ଭାବେ ମହାରାଷ୍ଟ୍ରର ବୀଡ଼ ଜିଲ୍ଲାରେ ସ୍ୱର ଉତ୍ତୋଳନକାରୀ କାମ କରି ଆସୁଛନ୍ତି।
ସେମାନଙ୍କୁ ଏହି ମହତ କାର୍ଯ୍ୟରେ ସହାୟତା କରିବା ଲାଗି ବିଭିନ୍ନ ବର୍ଗର ବହୁସଂଖ୍ୟକ ସୂଚନାଦାତା ରହିଛନ୍ତି : କନ୍ୟାଙ୍କ ପ୍ରତି ଆଗ୍ରହୀ ଥିବା ଗାଁର ଜଣେ ବାଳକଠାରୁ ଆରମ୍ଭ କରି ଜଣେ ସ୍କୁଲ ଶିକ୍ଷକ କିମ୍ବା ଜଣେ ସାମାଜିକ କର୍ମୀ, ଅଥବା ଏମିତି ଜଣେ ବ୍ୟକ୍ତି ଯିଏକି ବାଲ୍ୟ ବିବାହକୁ ଏକ ଅପରାଧ ବୋଲି ଭାବନ୍ତି ସେ ସୂଚନାଦାତା ହୋଇପାରିବେ। ଗତ କିଛି ବର୍ଷ ମଧ୍ୟରେ ଏହି ଦୁଇ ସାମାଜିକ କର୍ମୀ ଜିଲ୍ଲାସାରା ୨,୦୦୦ରୁ ଅଧିକ ସୂଚନାଦାତାଙ୍କ ଏକ ନେଟୱର୍କ ସୃଷ୍ଟି କରିଛନ୍ତି ଯେଉଁମାନେ ସେମାନଙ୍କୁ ବାଲ୍ୟ ବିବାହକୁ ଠାବ କରିବାରେ ସହାୟତା କରିଥା’ନ୍ତି।

ତତ୍ତ୍ୱଶୀଳ କାମ୍ବଲେ ( ବାମ ) ଏବଂ ଅଶୋକ ତାଙ୍ଗଡ଼େ ( ଡାହାଣ ) ମହାରାଷ୍ଟ୍ରର ବୀଡ଼ରେ ଶିଶୁ ଅଧିକାର କର୍ମୀ ଭାବେ କାମ କରୁଛନ୍ତି । ବିଗତ ଦଶନ୍ଧିରେ , ଉଭୟ ମିଶି ୪ , ୦୦୦ରୁ ଅଧିକ ବାଲ୍ୟ ବିବାହ ବନ୍ଦ କରିଛନ୍ତି
‘‘ଲୋକମାନେ ଆମ ପାଖକୁ ଆସିବାକୁ ଲାଗିଲେ ଏବଂ ଏହିପରି ଭାବେ ଆମେ ବିଗତ ଏକ ଦଶନ୍ଧିରେ ଆମର ସୂଚନାଦାତାମାନଙ୍କୁ ପ୍ରସ୍ତୁତ କଲୁ। ଆମ ଫୋନ୍ରେ ନିୟମିତ ଭାବେ ବାହାଘର କାର୍ଡ ଆସିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ କାହାରିକୁ ନିମନ୍ତ୍ରଣ ମିଳିନଥାଏ,’’ ସେ ହସି ହସି କୁହନ୍ତି।
କାମ୍ବଲେ କୁହନ୍ତି, ହ୍ୱାଟ୍ସଆପ୍ ସହାୟତାରେ ସୂଚନାଦାତାମାନେ ସହଜରେ ଏକ କାଗଜପତ୍ରର ଏକ ଫଟୋ ନେଇ ଏହାକୁ ପଠାଇପାରିବେ। ଯଦି କାଗଜପତ୍ର ଉପଯୋଗୀ ହୋଇନଥାଏ ସେମାନେ ଝିଅର ସ୍କୁଲକୁ ଯାଇ ବୟସ ପ୍ରମାଣ ମାଗିଥା’ନ୍ତି। ‘‘ଏହି କାରଣରୁ ସୂଚନାଦାତାମାନଙ୍କ ପରିଚୟ ଗୋପନ ରହିଥାଏ,’’ ସେ କୁହନ୍ତି। ‘‘ହ୍ୱାଟ୍ସଆପ୍ ପୂର୍ବରୁ ସୂଚନାଦାତାମାନେ ବ୍ୟକ୍ତିଗତ ଭାବେ ପ୍ରମାଣ ସଂଗ୍ରହ କରୁଥିଲେ, ଯାହାକି ବିପଦପୂର୍ଣ୍ଣ ଥିଲା। ଗାଁର ଜଣେ ବ୍ୟକ୍ତି ସୂଚନାଦାତା ବୋଲି ଜଣାପଡ଼ିଲେ ଲୋକମାନେ ତାଙ୍କ ଜୀବନକୁ ନର୍କ କରି ଦିଅନ୍ତି।’’
ଏହି ୪୨ ବର୍ଷ ବୟସ୍କ ସାମାଜିକ କର୍ମୀ ଆହୁରି କହିଥା’ନ୍ତି, ହ୍ୱାଟ୍ସଆପ୍ ସେମାନଙ୍କ ମହତ କାର୍ଯ୍ୟରେ ଯଥେଷ୍ଟ ସହାୟତା କରିଛି ଯାହାକି ସେମାନଙ୍କୁ ତୁରନ୍ତ ପ୍ରମାଣ ସଂଗ୍ରହ କରିବା ଏବଂ ଶେଷ ମୁହୂର୍ତ୍ତରେ ଲୋକମାନଙ୍କୁ ଏକାଠି କରିବାରେ ସହାୟକ ହୋଇଛି।
ଭାରତୀୟ ଇଣ୍ଟରନେଟ୍ ଓ ମୋବାଇଲ୍ ଆସୋସିଏସନ୍ ( ଆଇଏଏମ୍ଏଆଇ ) ପକ୍ଷରୁ ପ୍ରକାଶ ପାଇଥିବା ୨୦୨୨ର ତଥ୍ୟ ଅନୁଯାୟୀ, ଭାରତରେ ୭୫୯ ନିୟୁତ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ୩୯୯ ନିୟୁତ ଗ୍ରାମୀଣ ଭାରତରେ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରେ ଅଧିକାଂଶ ସକ୍ରିୟ ହ୍ୱାଟ୍ସଆପ୍ ବ୍ୟବହାର ରହିଛନ୍ତି।
କାମ୍ବଲେ କୁହନ୍ତି, ‘‘ଆବଶ୍ୟକ ଆଇନଗତ ଓ ପୁଲିସ ବଳଙ୍କୁ ନେଇ ଠିକ୍ ସମୟରେ ସେଠାରେ ପହଞ୍ଚିବା ଏକ ଆହ୍ୱାନ। ଏଥିସହିତ ଆମ ଆଗମନକୁ ଗୁପ୍ତ ରଖିବା ମଧ୍ୟ ଜରୁରି,’’ କାମ୍ବଲେ କୁହନ୍ତି। ‘‘ହ୍ୱାଟ୍ସଆପ୍ ଆସିବା ପୂର୍ବରୁ, ଆହୁରି ବଡ଼ ଆହ୍ୱାନ ଥିଲା।’’
ବିବାହ ସ୍ଥଳୀରେ ସୂଚନାଦାତାଙ୍କ ସହିତ କଥାବାର୍ତ୍ତା କରିବା ବେଶ୍ ଆମୋଦଦାୟକ ହୋଇଥାଏ, ତାଙ୍ଗଡ଼େ କୁହନ୍ତି। ସେ କୁହନ୍ତି, ‘‘ଆମେ ସେମାନଙ୍କୁ ସ୍ୱାଭାବିକ ବ୍ୟବହାର କରିବା ଲାଗି କହିଥାଉ। ଏପରିକି ସେମାନେ ଆମକୁ ଜାଣିନଥିବା ଭଳି ଦେଖାଇ ହୁଅନ୍ତି। କିନ୍ତୁ ସମସ୍ତେ ଏଥିରେ ଭଲ କରନ୍ତି ନାହିଁ। ଆମକୁ ବେଳେ ବେଳେ ସମସ୍ତଙ୍କ ଆଗରେ ସୂଚନାଦାତାଙ୍କ ସହିତ କଠୋର ବ୍ୟବହାର କରିବାର ନାଟକ କରିବାକୁ ପଡ଼େ ଯଦ୍ୱାରା ବାଲ୍ୟ ବିବାହ ବନ୍ଦ କରିବା ପରେ କେହି ସେମାନଙ୍କ ଉପରେ ସନ୍ଦେହ କରିବେ ନାହିଁ।’’
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ( ଏନ୍ଏଫ୍ଏଚ୍ଏସ୍ ୫ )ର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତରେ ୨୦-୨୪ ବର୍ଷ ବୟସ୍କ ୨୩.୩ ପ୍ରତିଶତ ମହିଳା କହିଛନ୍ତି ଯେ ସେମାନଙ୍କ ବାହାଘର ୧୮ ବର୍ଷ ପୂର୍ବରୁ ହୋଇସାରିଛି, ଯାହାକି ଦେଶର ଆଇନ ଅନୁଯାୟୀ ବିବାହର ଉପଯୁକ୍ତ ବୟସ ନୁହେଁ। ବୀଡ୍ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ ହୋଇଥିବା ବେଳେ ଏଠାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ପ୍ରାୟ ଦୁଇ ଗୁଣ - ୪୩.୭ ପ୍ରତିଶତ ରହିଛି। ଅପ୍ରାପ୍ତ ବୟସରେ ବିବାହ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା କାରଣ ଏହାଦ୍ୱାରା ଅକାଳ ଗର୍ଭଧାରଣ, ମାତୃ ମୃତ୍ୟୁ ହାର ଆଶଙ୍କା ବୃଦ୍ଧି ଓ ଅପପୁଷ୍ଟି ଦେଖା ଦେଇଥାଏ।

ତୁରନ୍ତ ପ୍ରମାଣ ସଂଗ୍ରହ କରିବା ଏବଂ ଶେଷ ମୁହୂର୍ତ୍ତରେ ଲୋକମାନଙ୍କୁ ଏକାଠି କରିବାରେ ସହାୟତା କରିବାରେ ହ୍ୱାଟ୍ସଆପ୍ ସେମାନଙ୍କୁ ବିଶେଷ ସହାୟକ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଏହି ଦୁଇ ସାମାଜିକ କର୍ମୀ ୨,୦୦୦ରୁ ଅଧିକ ସୂଚନାଦାତାଙ୍କ ଏକ ନେଟୱର୍କ ପ୍ରସ୍ତୁତ କରିଛନ୍ତି
ବୀଡ୍ରେ ବାଲ୍ୟ ବିବାହ ରାଜ୍ୟରେ ସକ୍ରିୟ ଚିନି ଉଦ୍ୟୋଗ ସହ ଗଭୀର ଭାବେ ଜଡ଼ିତ। ଏହି ଜିଲ୍ଲା ମହାରାଷ୍ଟ୍ରରେ ଆଖୁ କାଟିବା ଲୋକଙ୍କ କେନ୍ଦ୍ରସ୍ଥଳୀ। ଆଖୁ କାରଖାନା ପାଇଁ ଆଖୁ କାଟିବା ଲାଗି ସେମାନେ ପ୍ରତିବର୍ଷ ଶତାଧିକ କିଲୋମିଟର ଯାତ୍ରା କରି ରାଜ୍ୟର ପଶ୍ଚିମାଞ୍ଚଳକୁ ଆସିଥା’ନ୍ତି। ଅଧିକାଂଶ ଶ୍ରମିକ ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟର ହୋଇଥା’ନ୍ତି ଯେଉଁମାନେ ଭାରତରେ ସବୁଠୁ ବଞ୍ଚିତ ବର୍ଗ ଭାବେ ପରିଗଣିତ ହୁଅନ୍ତି।
ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଫସଲ ଦର କମିବା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଜିଲ୍ଲାର ଚାଷୀ ଓ ଶ୍ରମିକମାନେ ଆଉ ନିଜର ଏକମାତ୍ର ଆୟ କୃଷି ଉପରେ ନିର୍ଭର କରିପାରୁନାହାନ୍ତି। ସେମାନେ ଛଅ ମାସ ପ୍ରବାସ କରି ହାଡ଼ଭଙ୍ଗା ପରିଶ୍ରମ କରିବା ପରେ ପ୍ରାୟ ୨୫,୦୦୦-୩୦,୦୦୦ ଟଙ୍କା ରୋଜଗାର କରିଥା’ନ୍ତି ( ପଢ଼ନ୍ତୁ : ଆଖୁ କ୍ଷେତକୁ ଲମ୍ବା ରାସ୍ତା )
ଏହି ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଥିବା ଠିକାଦାରମାନେ ବିବାହିତ ଦମ୍ପତିଙ୍କୁ ନିଯୁକ୍ତି ଦେବାକୁ ପସନ୍ଦ କରିଥା’ନ୍ତି କାରଣ କାମରେ ଦୁଇ ଜଣଙ୍କ ଆବଶ୍ୟକତା ଥାଏ - ଜଣେ ଆଖୁ କାଟନ୍ତି ଓ ଆଉ ଜଣେ ବିଡ଼ା ବାନ୍ଧି ତା’କୁ ଟ୍ରାକ୍ଟରରେ ଲଦନ୍ତି। ଦମ୍ପତିଙ୍କୁ ଗୋଟିଏ ୟୁନିଟ୍ ଭାବେ ବିଚାର କରାଯାଏ ଏବଂ ସେମାନଙ୍କୁ ପାରିଶ୍ରମିକ ପୈଠ କରିବା ସହଜ ହୋଇଥାଏ। ଏହା ପରସ୍ପର ସହ ସମ୍ପର୍କ ନଥିବା ଦୁଇ ଜଣ ଶ୍ରମିକଙ୍କ ଭିତରେ ଦେଖାଦେବାକୁ ଥିବା ବିବାଦକୁ ଦୂର କରିଥାଏ।
‘‘ବଞ୍ଚିବା ଲାଗି ବ୍ୟଗ୍ରତାର ପରିଣାମ ସ୍ୱରୂପ ଅଧିକାଂଶ (ଆଖୁ କଟାଳି) ପରିବାରଗୁଡ଼ିକ ବାଲ୍ୟ ବିବାହ କରିବାକୁ ବାଧ୍ୟ ହୋଇଥା’ନ୍ତି। ଏହା ସମ୍ପୂର୍ଣ୍ଣ କଳା କିମ୍ବା ଧଳା ନୁହେଁ,’’ ତାଙ୍ଗଡ଼େ କୁହନ୍ତି। ବାଲ୍ୟ ବିବାହ ନିରୋଧ ଆଇନ, ୨୦୦୬ ଅନୁଯାୟୀ ଏହି ପ୍ରଥା ବେଆଇନ ବୋଲି ସେ ଉଲ୍ଲେଖ କରିଥାନ୍ତି। ‘‘ବର ପରିବାର ପାଇଁ ଏହା ଅତିରିକ୍ତ ରୋଜଗାର ପାଇଁ ଏକ ଉତ୍ସ ଖୋଲିଥାଏ। କନ୍ୟା ପରିବାର ପାଇଁ ଖୁଆଇବା ପାଇଁ ଗୋଟିଏ ପେଟ କମିଯାଏ,’’ ସେ କହିଛନ୍ତି।
କିନ୍ତୁ ଏହାଦ୍ୱାରା ତାଙ୍ଗଡ଼େ ଓ କାମ୍ବଲେଙ୍କ ଭଳି ସାମାଜିକ କର୍ମୀମାନେ ବ୍ୟସ୍ତ ରହିଥା’ନ୍ତି।
ବୀଡ୍ ଜିଲ୍ଲାରେ କିଶୋର ନ୍ୟାୟ ଅଧିନିୟମ ୨୦୧୫ ଅଧୀନରେ ଗଠନ କରାଯାଇଥିବା ଏକ ପାଞ୍ଚ ଜଣିଆ ସ୍ୱୟଂ ଶାସିତ ଅନୁଷ୍ଠାନ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ମୁଖ୍ୟ ଭାବେ ତାଙ୍ଗଡ଼େ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ଅପରାଧ ବିରୋଧରେ ତାଙ୍କର ସହଯୋଗୀ ଥିବା କାମ୍ବଲେ ଏହି ଜିଲ୍ଲାର ଜଣେ ପୂର୍ବତନ ସିଡବ୍ଲୁସି ସଦସ୍ୟ ଏବଂ ବର୍ତ୍ତମାନ ଶିଶୁ ଅଧିକାର ପାଇଁ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଜଡ଼ିତ ଅଛନ୍ତି। ‘‘ବିଗତ ପାଞ୍ଚ ବର୍ଷ ଧରି ଆମ ଭିତରୁ ଜଣଙ୍କ ପାଖରେ କ୍ଷମତା ରହିଛି ତ’ ଆଉ ଜଣେ କ୍ଷେତ୍ରରେ କାମ କରିଛନ୍ତି। ଆମେ ଉଭୟ ଏକ ଦୃଢ଼ ଦଳ ଗଠନ କରିଛୁ,’’ ତାଙ୍ଗଡ଼େ କୁହନ୍ତି।
*****

ବୀଡ୍ରେ ବାଲ୍ୟ ବିବାହ ରାଜ୍ୟରେ ସକ୍ରିୟ ଚିନି ଉଦ୍ୟୋଗ ସହ ଗଭୀର ଭାବେ ଜଡ଼ିତ । ଠିକାଦାରମାନେ ବିବାହିତ ଦମ୍ପତିଙ୍କୁ ନିଯୁକ୍ତି ଦେବାକୁ ପସନ୍ଦ କରିଥା’ନ୍ତି କାରଣ କାମରେ ଦୁଇ ଜଣଙ୍କ ଆବଶ୍ୟକତା ଥାଏ; ଦମ୍ପତିଙ୍କୁ ଗୋଟିଏ ୟୁନିଟ୍ ଭାବେ ବିଚାର କରାଯାଏ ଏବଂ ସେମାନଙ୍କୁ ପାରିଶ୍ରମିକ ପୈଠ କରିବା ସହଜ ହୋଇଥାଏ
ପୂଜା ତାଙ୍କ ମାମୁ ସଞ୍ଜୟ ଓ ମାଇଁ ରାଜଶ୍ରୀଙ୍କ ସହିତ ବୀଡ୍ରେ ରୁହନ୍ତି। ଉଭୟ ଆଖୁ କଟାଳୀ ଯେଉଁମାନେ ଦୀର୍ଘ ୧୫ ବର୍ଷ ଧରି ଆଖୁ କାଟିବା ଲାଗି ବାର୍ଷିକ ପ୍ରବାସ କରି ଆସୁଛନ୍ତି। ଜୁନ୍ ୨୦୨୩ରେ ପୂଜାଙ୍କର ବେଆଇନ ବିବାହ ବନ୍ଦ କରିବା ଲାଗି ତାଙ୍ଗଡ଼େ ଓ କାମ୍ବଲେ ଯାଇଥିଲେ।
ଏ ଦୁଇ ସାମାଜିକ କର୍ମୀ ବିବାହ ମଣ୍ଡପରେ ପହଞ୍ଚିବା ବେଳକୁ ଗ୍ରାମ ସେବକ ଓ ପୁଲିସ୍ ସେଠାରେ ପହଞ୍ଚିସାରିଥିଲେ ଏବଂ କୋଳାହଳ ଆରମ୍ଭ ହୋଇସାରିଥିଲା। ବିବାହ ଉତ୍ସବର ଉତ୍ସାହ ପ୍ରଥମେ ଚିନ୍ତାଜନକ ଦ୍ୱନ୍ଦ୍ୱରେ ପରିଣତ ହୋଇଥିଲା ଏବଂ ତା’ପରେ ଅନ୍ତିମ ସଂସ୍କାର ଭଳି ପରିବେଶ ସୃଷ୍ଟି ହୋଇଥିଲା। ଏହି ବାହାଘର ପଛରେ ଥିବା ବୟସ୍କମାନେ ଏବେ ଜାଣିପାରିଥିଲେ ଯେ ସେମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ ହେବ। କାମ୍ବଲେ କୁହନ୍ତି, ‘‘ଶତାଧିକ ଅତିଥି ହଲ୍ରୁ ବାହାରକୁ ଚାଲି ଯାଉଥିଲେ ଏବଂ ବର ଓ କନ୍ୟାଙ୍କ ପରିବାର ପୁଲିସ ଗୋଡ଼ ତଳେ ପଡ଼ି କ୍ଷମା କରି ଦେବାକୁ ନେହୁରା ହେଉଥିଲେ।’’
ଏ ବାହାଘର ଆୟୋଜନ କରୁଥିବା ସଞ୍ଜୟ (୩୫) ନିଜ ଭୁଲ ବୁଝିପାରିଥିଲେ। ‘‘ମୁଁ ଜଣେ ଗରିବ ଆଖୁ ଶ୍ରମିକ। ମୁଁ ଆଉ କିଛି କଥା ବିଷୟରେ ଚିନ୍ତା କରିପାରିଲି ନାହିଁ,’’ ସେ କୁହନ୍ତି।
ପୂଜା ଓ ତାଙ୍କର ବଡ଼ ଭଉଣୀ ଊର୍ଜା ଅତି ଛୋଟ ହୋଇଥିବା ବେଳେ ସେମାନଙ୍କ ବାପା ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କ ମା’ ଦ୍ୱିତୀୟ ବିବାହ କରିଥିଲେ। ନୂଆ ପରିବାର ଝିଅମାନଙ୍କୁ ସ୍ୱୀକାର କଲା ନାହିଁ। ସଞ୍ଜୟ ଓ ରାଜଶ୍ରୀ ଉଭୟଙ୍କୁ ପାଳିଥିଲେ।
ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ ସଞ୍ଜୟ ତାଙ୍କର ଭାଣିଜୀମାନଙ୍କୁ ବୀଡ୍ ଠାରୁ ୨୫୦ କିଲୋମିଟର ଦୂର ପୁଣେ ସହରର ଏକ ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ।
ତେବେ ଊର୍ଜା ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେହି ବିଦ୍ୟାଳୟର ପିଲାମାନେ ପୂଜାଙ୍କୁ ଚିଡ଼ାଇବା ଆରମ୍ଭ କଲେ। ‘‘‘ଜଣେ ଗାଁ ଲୋକ ଭଳି କଥା କହୁଥିବା’ କହି ସେମାନେ ମୋତେ ଚିଡ଼ାଉଥିଲେ,’’ ସେ କୁହନ୍ତି। ‘‘ମୋ ଭଉଣୀ ସେଠାରେ ଥିବା ବେଳେ ମୋତେ ସୁରକ୍ଷା ଦେଉଥିଲା। ସେ ଚାଲି ଆସିବା ପରେ, ମୁଁ ସହିପାରିଲି ନାହିଁ ଏବଂ ଘରକୁ ପଳାଇ ଆସିଲି।’’
!['Most of the [sugarcane-cutting] families are forced into it [child marriage] out of desperation. It isn’t black or white...it opens up an extra source of income. For the bride’s family, there is one less stomach to feed,' says Tangde](/media/images/06-IMG20230630115802_copy-PMN-In_Beed-blowin.max-700x560.jpg)
‘ଅଧିକାଂଶ (ଆଖୁ କଟାଳି) ପରିବାର ବ୍ୟଗ୍ରତା କାରଣରୁ (ବାଲ୍ୟ ବିବାହ) କରାଇବାକୁ ବାଧ୍ୟ ହୁଅନ୍ତି। ଏହା କଳା କିମ୍ବା ଧଳା ନୁହେଁ… ଏହା ଆୟର ଏକ ଅତିରିକ୍ତ ଉତ୍ସ ଖୋଲିଥାଏ। ତାଙ୍ଗଡ଼େ କୁହନ୍ତି, ‘‘କନ୍ୟା ପରିବାର ପାଇଁ ଖୁଆଇବା ପାଇଁ ଗୋଟିଏ ପେଟ କମିଯାଏ’
ନଭେମ୍ବର ୨୦୨୨ରେ ସେ ଫେରିବା ପରେ ସଞ୍ଜୟ ଓ ରାଜଶ୍ରୀ ଛଅ ମାସ ପାଇଁ ଆଖୁ କାଟିବା ଲାଗି ପ୍ରାୟ ୫୦୦ କିଲୋମିଟର ଦୂର ସତାରା ଜିଲ୍ଲାକୁ ଯାତ୍ରା କରିଥିଲେ। ସେମାନେ ସାଙ୍ଗରେ ପୂଜାଙ୍କୁ ନେଇ ଯାଇଥିଲେ। ତାଙ୍କୁ ଏକାକୀ ଛାଡ଼ିଯିବାକୁ ଦମ୍ପତି ଉଚିତ୍ ମଣିନଥିଲେ। ତେବେ ସେମାନେ କୁହନ୍ତି, କାର୍ଯ୍ୟସ୍ଥଳୀରେ ରହିବାର ସ୍ଥିତି ଅତି ଦୟନୀୟ।
ସଞ୍ଜୟ କୁହନ୍ତି, ‘‘ଆମେ ନଡ଼ାରେ ତିଆରି ଅସ୍ଥାୟୀ କୁଡ଼ିଆରେ ରହିଥାଉ। କୌଣସି ଶୌଚାଳୟ ନାହିଁ। ଆମେ ବିଲକୁ ଖୋଲାରେ ଶୌଚ ହେବାକୁ ଯାଉ। ଦିନରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଆଖୁ କାଟିବା ସହିତ ଖୋଲା ଆକାଶ ତଳେ ଆମକୁ ରୋଷେଇ କରିବାକୁ ହୁଏ। ଏତେ ବର୍ଷ କାମ କରିବା ପରେ ଆମେ ଏଥିରେ ଅଭ୍ୟସ୍ତ ହୋଇଯାଇଛୁ। କିନ୍ତୁ ପୂଜା ପାଇଁ ଏହା କଠିନ ସମୟ ଥିଲା।’’
ସତାରାରୁ ଫେରିବା ପରେ, ସଞ୍ଜୟ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ପୂଜାଙ୍କ ପାଇଁ ବରପାତ୍ରଟିଏ ଖୋଜିଲେ ଏବଂ ପୂଜା ନାବାଳିକା ହୋଇଥିବା ସତ୍ତ୍ୱେ ତାଙ୍କ ବାହାଘର କରିବାକୁ ନିଷ୍ପତ୍ତି ନେଲେ। ଘରେ ରହିବା ଏବଂ ଆଖାପାଖରେ କାମ ଖୋଜିବା ଏହି ଦମ୍ପତିଙ୍କ ପାଇଁ ସମ୍ଭବପର ନଥିଲା।
ସଞ୍ଜୟ କୁହନ୍ତି, ‘‘ପାଣିପାଗ ଅତି ଅନିଶ୍ଚିତ ହୋଇପଡ଼ିଥିବାରୁ ଚାଷ କରିବା ସମ୍ଭବପର ନୁହେଁ। ଆମର ଦୁଇ ଏକର ଜମିରେ, ଆମେ କେବଳ ନିଜ ଖାଇବା ପାଇଁ ଖାଦ୍ୟାନ୍ନ ଚାଷ କରିପାରିବୁ। ତା’ ପାଇଁ ଆମେ ଯାହା ଭଲ ବୋଲି ଭାବିଥିଲୁ ମୁଁ ତାହା କଲି। ଆସନ୍ତା ଥର ପ୍ରବାସ କରିବା ସମୟରେ ଆମେ ତା’କୁ ସାଙ୍ଗରେ ନେଇପାରିବୁ ନାହିଁ ଏବଂ ସୁରକ୍ଷା ଭୟରେ ତାଙ୍କୁ ଏକାକୀ ଛାଡ଼ି ଯାଇପାରିବୁ ନାହିଁ।’’
*****
ଅଶୋକ ତାଙ୍ଗଡ଼େଙ୍କ ପତ୍ନୀ ମନୀଷା ଟୋକ୍ଲେ ଜଣେ ବିଶିଷ୍ଟ ସାମାଜିକ କର୍ମୀ। ସେ ମହିଳା ଆଖୁ କଟାଳିଙ୍କ କଲ୍ୟାଣ ପାଇଁ କାମ କରନ୍ତି। ୧୫ ବର୍ଷ ପୂର୍ବରୁ ତାଙ୍କ ସହିତ ବୀଡ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସମୟରେ ତାଙ୍ଗଡ଼େ ପ୍ରଥମେ ଆଖୁ କଟାଳି ପରିବାର ମଧ୍ୟରେ ବହୁ ପ୍ରଚଳିତ ଥିବା ବାଲ୍ୟବିବାହ ଘଟଣାଗୁଡ଼ିକ ବିଷୟରେ ଜାଣିବାକୁ ପାଇଥିଲେ।
ସେ କୁହନ୍ତି, ‘‘ମୁଁ ଯେତେବେଳେ ମନୀଷାଙ୍କ ସହିତ ପ୍ରଥମ ଥର ପାଇଁ ସେମାନଙ୍କୁ ଭେଟିଥିଲି, ମୁଁ ଜାଣିବାକୁ ପାଇଥିଲି ଯେ ସେମାନେ ସମସ୍ତେ ନିଜ କିଶୋରାବସ୍ଥା କିମ୍ବା ତା’ପୂର୍ବରୁ ବିବାହ କରିସାରିଛନ୍ତି। ଏହା ଉପରେ ବିଶେଷ ଭାବେ କାମ କରିବାକୁ ହେବ ବୋଲି ମୁଁ ଚିନ୍ତା କରିଥିଲି।’’
ସେ କାମ୍ବଲେଙ୍କୁ ସାକ୍ଷାତ କଲେ ଯିଏକି ବୀଡ୍ରେ ବିକାଶମୂଳକ କ୍ଷେତ୍ରରେ କାମ କରିଥିଲେ। ଉଭୟ ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଲେ।
ପ୍ରାୟ ୧୦-୧୨ ବର୍ଷ ପୂର୍ବରୁ, ସେମାନେ ଯେତେବେଳେ ଏକ ବାଲ୍ୟ ବିବାହକୁ ପ୍ରଥମ ଥର ପାଇଁ ବନ୍ଦ କରିଥିଲେ ଏ କାମ ବୀଡ୍ରେ ସମ୍ପୂର୍ଣ୍ଣ ନୂଆ ଥିଲା।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦-୨୪ ବର୍ଷ ବୟସ ମଧ୍ୟରେ ପ୍ରତି ପାଞ୍ଚ ଜଣରେ ଜଣେ ମହିଳା ୧୮ ବର୍ଷ ହେବା ପୂର୍ବରୁ ବାହାଘର ହୋଇସାରିଥିଲା। ପାଖାପାଖି ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବୀଡ୍ ଜିଲ୍ଲାରେ ଏହି ସଂଖ୍ୟା ଜାତୀୟ ହାରଠାରୁ ପ୍ରାୟ ଦୁଇ ଗୁଣ ଅଧିକ
‘‘ଲୋକମାନେ ଚକିତ ହୋଇଯାଇଥିଲେ ଏବଂ ସେମାନେ ଆମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ,’’ ତାଙ୍ଗଡ଼େ କୁହନ୍ତି। ‘‘ଏଥିରେ ସମ୍ପୃକ୍ତ ବୟସ୍କମାନେ ବିଶ୍ୱାସ କରିପାରୁନଥିଲେ ଯେ ଏପରି କିଛି ହୋଇପାରିବ। ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ସାମାଜିକ ବୈଧତା ମିଳିଥିଲା। ବେଳେବେଳେ ଠିକାଦାର ନିଜେ ବିବାହ ସମାରୋହ ପାଇଁ ଖର୍ଚ୍ଚ ଦେଉଥିଲେ ଏବଂ ବର ଓ କନ୍ୟାଙ୍କୁ ଆଖୁ କାଟିବାକୁ ନେଇ ଯାଉଥିଲେ।
ଏହା ପରେ ଦୁହେଁ ମିଶି ବସ୍ ଓ ଦୁଇ ଚକିଆରେ ବୀଡ୍ର ବିଭିନ୍ନ ଗାଁରେ ବୁଲିବା ଆରମ୍ଭ କରି ଦେଇଥିଲେ। ଉଭୟ ମିଶି କିଛି ଲୋକଙ୍କୁ ଏକାଠି କରି ଏକ ନେଟୱର୍କ ତିଆରି କଲେ ଯେଉଁମାନେ ପରବର୍ତ୍ତୀ ସମୟରେ ସୂଚନାଦାତା ଭାବେ କାମ ଆରମ୍ଭ କଲେ। କାମ୍ବଲେ କୁହନ୍ତି, ସ୍ଥାନୀୟ ସମ୍ବାଦପତ୍ରଗୁଡ଼ିକ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାରେ ଆମର ପରିଚୟକୁ ଲୋକପ୍ରିୟ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ବିଗତ ୧୦ ବର୍ଷ ମଧ୍ୟରେ ସେମାନେ ଜିଲ୍ଲାରେ ୪,୫୦୦ରୁ ଅଧିକ ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି। ବାହାଘର ବନ୍ଦ କରିବା ପରେ ସେଥିରେ ସାମିଲ ବୟସ୍କଙ୍କ ବିରୋଧରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଅଧୀନରେ ମାମଲା ରୁଜୁ କରାଯାଇଥାଏ। ଯଦି ବିବାହ ହୋଇସାରିଥାଏ, ପୁରୁଷଙ୍କ ବିରୋଧରେ ‘ଯୌନ ଅପରାଧଠାରୁ ଶିଶୁଙ୍କ ସୁରକ୍ଷା ( ପୋକ୍ସୋ ) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଉଥିବା ବେଳେ ନାବାଳିକାକୁ ସିଡବ୍ଲୁସି ନିଜ ହେପାଜତକୁ ନେଇଥାଏ।
‘‘ଆମେ ଝିଅକୁ, ତା’ର ବାପା-ମା’ଙ୍କୁ ବୁଝାଇଥାଉ ଏବଂ ବାଲ୍ୟ ବିବାହର ଆଇନଗତ ପରିଣାମ ବିଷୟରେ ସେମାନଙ୍କୁ କହିଥାଉ,’’ ତାଙ୍ଗଡ଼େ କୁହନ୍ତି। ‘‘ଝିଅକୁ ଯେମିତି ଆଉ ଥରେ ବାହାଘର କରି ଦିଆଯିବ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ସିଡବ୍ଲୁସି ପ୍ରତି ମାସରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥାଏ। ଏଥିରେ ସମ୍ପୃକ୍ତ ରହୁଥିବା ଅଧିକାଂଶ ବାପା-ମା’ ଆଖୁ କଟାଳି ହୋଇଥା’ନ୍ତି।
*****
ଜୁନ୍ ୨୦୨୩ର ପ୍ରଥମ ସପ୍ତାହରେ, ବୀଡ୍ ଜିଲ୍ଲାର ଏକ ପାର୍ବତ୍ୟ, ଉପାନ୍ତ ଗାଁରେ ବାଲ୍ୟ ବିବାହ ହେବା ସମ୍ପର୍କରେ ତାଙ୍ଗଡ଼େଙ୍କୁ ଖବର ମିଳିଲା - ଏହି ସ୍ଥାନ ତାଙ୍କ ଘର ଠାରୁ ଦୁଇ ଘଣ୍ଟା ଦୂରରେ ଥିଲା। ‘‘ସେହି ତାଲୁକାରେ ଥିବା ମୋର ସହଯୋଗୀଙ୍କୁ ମୁଁ କାଗଜପତ୍ର ପଠାଇଲି କାରଣ ମୁଁ ଠିକ୍ ସମୟରେ ସେଠାରେ ପହଞ୍ଚିବା ସ୍ଥିତିରେ ନଥିଲି,’’ ସେ କୁହନ୍ତି। ‘‘ଯାହା କରିବା କଥା ସେ କଲେ। ମୋ ଲୋକମାନେ ଏବେ ସବୁ ପ୍ରକ୍ରିୟା ଜାଣି ସାରିଛନ୍ତି।’’
କର୍ତ୍ତୃପକ୍ଷ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ବାହାଘର ବନ୍ଦ କଲେ, ସେମାନେ ଜାଣିବାକୁ ପାଇଲେ ଯେ ଏହା ସେହି ଝିଅର ତୃତୀୟ ବିବାହ ଥିଲା। ପୂର୍ବର ଦୁଇଟି ବିବାହ କୋଭିଡ-୧୯ର ଦୁଇ ବର୍ଷ ମଧ୍ୟରେ ହୋଇଥିଲା। ସେ ଝିଅ ଲକ୍ଷ୍ମୀର ବୟସ ମାତ୍ର ୧୭ ବର୍ଷ ଥିଲା।
ମାର୍ଚ୍ଚ ୨୦୨୦ରେ ଆସିଥିବା କୋଭିଡ-୧୯ର ପ୍ରକୋପ ତାଙ୍ଗଡ଼େ ଓ କାମ୍ବଲେଙ୍କ ବହୁ ବର୍ଷର କଠିନ ପରିଶ୍ରମ ପାଇଁ ଏକ ବଡ଼ ଧକ୍କା ଥିଲା। ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକ୍ଡାଉନ୍ କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ହୋଇଯାଇଥିଲା, ଯାହାଫଳରେ ପିଲାମାନେ ଘରେ ରହିଲେ। ମାର୍ଚ୍ଚ ୨୦୨୧ରେ ଜାରି ଏକ ୟୁନିସେଫ୍ ରିପୋର୍ଟ ରେ କୁହାଯାଇଛି ଯେ ବିଦ୍ୟାଳୟ ବନ୍ଦ ହେବା, ଦାରିଦ୍ର୍ୟ ବୃଦ୍ଧି, ବାପା-ମା’ଙ୍କ ମୃତ୍ୟୁ ଏବଂ କୋଭିଡ-୧୯ ପାଇଁ ଦେଖା ଦେଇଥିବା ଅନ୍ୟ କାରଣରୁ ‘‘ଅତି କଷ୍ଟକର ଜୀବନ ନିର୍ବାହ କରୁଥିବା ଝିଅମାନଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଛି।’’
ବୀଡ୍ ଜିଲ୍ଲାରେ ତାଙ୍ଗଡ଼େ ଏହାକୁ ଅତି ନିକଟରୁ ଅନୁଭବ କରିଛନ୍ତି, ଯେଉଁଠି ନାବାଳିକାମାନଙ୍କୁ ଅତି ବ୍ୟାପକ ଭାବେ ବିବାହ କରି ଦିଆଯାଇଥିଲା ( ପଢ଼ନ୍ତୁ : ବୀଡ୍ର ବାଳିକା ବଧୂ : ଆଖୁ କାଟୁଛନ୍ତି, ଆଶା ପେଡ଼ୁଛନ୍ତି )।

ଜୁନ ୨୦୨୩ରେ ତାଙ୍ଗଡ଼େ ଓ କାମ୍ବଲେ ନାବାଳିକା ଲକ୍ଷ୍ମୀଙ୍କ ତୃତୀୟ ବିବାହ ବନ୍ଦ କରିବା ବେଳକୁ ତାଙ୍କର ଦୁଇ ଥର ବାହାଘର ହୋଇସାରିଥିଲା
୨୦୨୧ରେ, ମହାରାଷ୍ଟ୍ରରେ ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ସମୟରେ ଲକ୍ଷ୍ମୀଙ୍କ ମା’ ବିଜୟମାଲା ବୀଡ଼ ଜିଲ୍ଲାରେ ନିଜ ଝିଅ ପାଇଁ ବର ଖୋଜି ନେଇଥିଲେ। ସେ ସମୟରେ ଲକ୍ଷ୍ମୀଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା।
ବିଜୟମାଲା କୁହନ୍ତି, ‘‘ମୋ ସ୍ୱାମୀ ଜଣେ ମଦ୍ୟପ। ଯେଉଁ ଛଅ ମାସ ଆମେ ପ୍ରବାସୀ ଶ୍ରମିକ ଭାବେ ଆଖୁ କାଟିବାକୁ ଯାଉ ସେତିକି ସମୟକୁ ବାଦ୍ ଦେଲେ ସେ ବେଶୀ କିଛି କାମ କରନ୍ତି ନାହିଁ। ସେ ପ୍ରଚୁର ମଦ ପିଇ ଆସି ମୋତେ ପିଟନ୍ତି। ମୋ ଝିଅ ଅଟକାଇବାକୁ ଚେଷ୍ଟା କଲେ ତା’କୁ ମଧ୍ୟ ପିଟନ୍ତି। ମୁଁ ଝିଅକୁ ତା’ ବାପାଠାରୁ ଦୂରେଇ ଦେବାକୁ ଚାହିଁଥିଲି,’’ ୩୦ ବର୍ଷ ବୟସ୍କ ଏହି ମା’ ଜଣଙ୍କ କୁହନ୍ତି ।
କିନ୍ତୁ ଲକ୍ଷ୍ମୀଙ୍କ ଶାଶୁ ଘର ଲୋକମାନେ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ବାହା ହେବାର ଗୋଟିଏ ମାସ ପରେ ସେ ନିଜ ସ୍ୱାମୀ ଓ ତାଙ୍କ ପରିବାର କବଳରୁ ମୁକ୍ତି ପାଇବା ପାଇଁ ନିଜ ଉପରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଶାଶୁ ଘର ଲୋକମାନେ ତାଙ୍କୁ ବାପ ଘରେ ଛାଡ଼ି ଦେଇଗଲେ ଏବଂ ଆଉ କେବେ ଫେରିଲେ ନାହିଁ ।
ପ୍ରାୟ ଛଅ ମାସ ପରେ ନଭେମ୍ବରରେ ବିଜୟମାଲା ଓ ତାଙ୍କ ସ୍ୱାମୀ ପୁରୁଷୋତ୍ତମ (୩୫)ଙ୍କୁ ଆଖୁ କାଟିବା ଲାଗି ପଶ୍ଚିମ ମହାରାଷ୍ଟ୍ର ଯିବାକୁ ପଡ଼ିଲା। ସେମାନେ ଲକ୍ଷ୍ମୀଙ୍କୁ ନିଜ ସହ ନେଇଗଲେ ଯାହାଫଳରେ ସେ ଶ୍ରମବହୁଳ କ୍ଷେତ୍ରରେ କାମରେ ଲାଗି ପାରିବେ। ଲକ୍ଷ୍ମୀଙ୍କୁ କାର୍ଯ୍ୟ ସ୍ଥଳରେ ନିମ୍ନ ମାନର ଜୀବନ ନିର୍ବାହ ସମ୍ପର୍କରେ ଜଣାନଥିଲା। କିନ୍ତୁ ଆଗକୁ ଯେଉଁ ପରିସ୍ଥିତି ଆସିବାର ଥିଲା ସେଥିପାଇଁ ସେ ପ୍ରସ୍ତୁତ ନଥିଲେ।
ଆଖୁ କ୍ଷେତରେ ପୁରୁଷୋତ୍ତମ ବିବାହ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କୁ ଭେଟିଲେ। ସେ ତାଙ୍କୁ ନିଜ ଝିଅ ବିଷୟରେ କହିଲେ ଏବଂ ସେହି ବ୍ୟକ୍ତି ଜଣଙ୍କ ରାଜି ହୋଇଗଲେ। ଉକ୍ତ ବ୍ୟକ୍ତିଙ୍କ ବୟସ ୪୫ ବର୍ଷ ଥିଲା। ଲକ୍ଷ୍ମୀ ଓ ବିଜୟମାଲାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଏମିତି ଜଣେ ପୁରୁଷ ସହ ବିବାହ କରାଇ ଦିଆଗଲା ଯିଏକି ଲକ୍ଷ୍ମୀଙ୍କଠାରୁ ବୟସରେ ତିନି ଗୁଣା ବଡ଼ ଥିଲେ।
ବିଜୟମାଲା କୁହନ୍ତି, ‘‘ଏପରି ନକରିବାକୁ ମୁଁ ତାଙ୍କୁ ନେହୁରା ହୋଇଥିଲି। କିନ୍ତୁ ସେ ମୋ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ମୋତେ ଚୁପ୍ ରହିବାକୁ କୁହାଗଲା ଏବଂ ମୁଁ ମୋ ଝିଅକୁ ସାହାଯ୍ୟ କରିପାରିଲି ନାହିଁ। ଏହି ଘଟଣା ପରେ ମୁଁ ତାଙ୍କ ସହ କଥା ହୋଇନଥିଲି।’’
କିନ୍ତୁ ଗୋଟିଏ ମାସ ପରେ ଲକ୍ଷ୍ମୀ ନିର୍ଯାତନା ସହିନପାରି ପୁଣିଥରେ ଘରକୁ ଚାଲିଆସିଲେ। ‘‘ଏଠି ମଧ୍ୟ ସମାନ ସ୍ଥିତି ଥିଲା। ସେ ଲୋକଟି ଜଣେ ଚାକରାଣୀ ଚାହୁଁଥିଲା, ପତ୍ନୀ ନୁହେଁ।’’
![Laxmi's mother Vijaymala says, 'my husband is a drunkard [...] I just wanted her to be away from him.' But Laxmi's husband and in-laws turned out to be abusive and she returned home. Six months later, her father found another groom, three times her age, who was also abusive](/media/images/08a-IMG20230701113447-PMN-In_Beed-blowing_.max-1400x1120.jpg)
![Laxmi's mother Vijaymala says, 'my husband is a drunkard [...] I just wanted her to be away from him.' But Laxmi's husband and in-laws turned out to be abusive and she returned home. Six months later, her father found another groom, three times her age, who was also abusive](/media/images/08b-IMG20230701113703-PMN-In_Beed-blowing_.max-1400x1120.jpg)
ଲକ୍ଷ୍ମୀଙ୍କ ମା’ ବିଜୟମାଲା କୁହନ୍ତି, ‘ମୋ ସ୍ୱାମୀ ଜଣେ ମଦ୍ୟପ (…) ମୁଁ ଝିଅକୁ ତାଙ୍କଠାରୁ ଦୂରେଇ ରଖିବାକୁ ଚାହିଁଥିଲି।’ କିନ୍ତୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଲେ ଓ ସେ ଘରକୁ ଫେରି ଆସିଲେ। ଛଅ ମାସ ପରେ, ତାଙ୍କ ବାପାଙ୍କୁ ତାଙ୍କଠାରୁ ବୟସରେ ତିନି ଗୁଣ ବଡ଼ ଜଣେ ବରପାତ୍ର ମିଳିଲା ଯାହାକି ଆହୁରି ଅପମାନଜନକ ଥିଲା
ଏହାପରେ ଲକ୍ଷ୍ମୀ ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ବାପା-ମା’ଙ୍କ ପାଖରେ ରହିଲେ। ସେ ଘର କାମ କରୁଥିବା ବେଳେ ବିଜୟମାଲା ନିଜର ଛୋଟ ଜମିରେ କାମ କରୁଥିଲେ, ଯେଉଁଠି ଏହି ପରିବାର ନିଜ ଖାଇବା ପାଇଁ ବାଜରା ଚାଷ କରୁଥିଲା। ବିଜୟମାଲା କୁହନ୍ତି, ‘‘ମୁଁ ଅତିରିକ୍ତ ରୋଜଗାର କରିବା ପାଇଁ ଅନ୍ୟମାନଙ୍କ ଜମିରେ ଶ୍ରମିକ ଭାବେ ମଧ୍ୟ କାମ କରିଥାଏ।’’ ତାଙ୍କର ମାସିକ ଆୟ ପ୍ରାୟ ୨,୫୦୦ ଟଙ୍କା। ‘‘ଦାରିଦ୍ର୍ୟ ହିଁ ମୋର ଦୁର୍ଭାଗ୍ୟ। ମୋତେ ଏହା ବିରୋଧରେ ଲଢ଼ିବାକୁ ହେବ,’’ ସେ ଆହୁରି କୁହନ୍ତି।
ମେ ୨୦୨୩ରେ, ପରିବାରର ଜଣେ ସମ୍ପର୍କୀୟ ବିଜୟମାଲାଙ୍କୁ ଭେଟିଲେ ଓ ତାଙ୍କୁ ଏକ ବାହାଘର ପ୍ରସ୍ତାବ ବିଷୟରେ କହିଲେ। ‘‘ପୁଅଟି ଭଲ ପରିବାରର ଥିଲା,’’ ସେ କୁହନ୍ତି। ‘‘ଆର୍ଥିକ ଦୃଷ୍ଟିରୁ ସେମାନେ ଆମଠାରୁ ବହୁତ ଭଲ ସ୍ଥିତିରେ ଥିଲେ। ଏହା ଝିଅ ପାଇଁ ଭଲ ହେବ ବୋଲି ମୁଁ ଭାବିଲି। ମୁଁ ଜଣେ ଅଶିକ୍ଷିତ ମହିଳା। ମୁଁ ନିଜର ସର୍ବୋଚ୍ଚ କ୍ଷମତା ଅନୁଯାୟୀ ନିଷ୍ପତ୍ତି ନେଇଥିଲି।’’ ଏହା ସେହି ବାହାଘର ଥିଲା ଯାହା ବିଷୟରେ ତାଙ୍ଗଡ଼େ ଓ କାମ୍ବଲେଙ୍କୁ ସୂଚନା ମିଳିଥିଲା।
ଆଜି, ବିଜୟମାଲା କୁହନ୍ତି, ଏହା ଠିକ୍ କାମ ନୁହେଁ ।
ସେ କୁହନ୍ତି, ‘‘ମୋ ବାପା ଜଣେ ମଦ୍ୟପ ଥିଲେ ଏବଂ ସେ ୧୨ ବର୍ଷ ବୟସରେ ମୋର ବିବାହ କରାଇ ଦେଇଥିଲେ। ସେବେଠାରୁ, ମୁଁ ମୋ ସ୍ୱାମୀଙ୍କ ସହ ପ୍ରବାସୀ ଶ୍ରମିକ ଭାବେ ଆଖୁ କାଟିବାକୁ ଯାଉଛି। କିଶୋରାବସ୍ଥାରେ ଥିବା ସମୟରେ ମୁଁ ଲକ୍ଷ୍ମୀକୁ ଜନ୍ମ ଦେଇଥିଲି। ମୋ ବାପା ଯାହା କରିଥିଲେ, ମୁଁ ଅଜାଣତରେ ସେହି କାମ କରିଥିଲି। ମୁଁ ଠିକ୍ କରୁଛି କି ଭୁଲ କରୁଛି ସେ କଥା କହିବା ଲାଗି ମୋ ପାଖରେ କେହି ନାହାନ୍ତି। ମୁଁ ସମ୍ପୂର୍ଣ୍ଣ ଏକୁଟିଆ।’’
ତିନି ବର୍ଷ ହେବ ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିବା ଲକ୍ଷ୍ମୀ ଆଉ ପଢ଼ିବାକୁ ଆଗ୍ରହୀ ନାହାନ୍ତି। ‘‘ମୁଁ ସବୁବେଳେ ଘର କଥା ବୁଝିଛି ଓ ଘରକାମ କରିଛି,’’ ସେ କୁହନ୍ତି। ‘‘ମୁଁ ସ୍କୁଲକୁ ଫେରି ପାରିବି କି ନାହିଁ ଜାଣେନା। ମୋ ପାଖରେ ଆତ୍ମବିଶ୍ୱାସ ନାହିଁ।’’
*****
ତାଙ୍ଗଡ଼େଙ୍କ ସନ୍ଦେହ ରହିଛି ଯେ ୧୮ ବର୍ଷ ହେବା କ୍ଷଣି ଲକ୍ଷ୍ମୀଙ୍କ ମା’ ତୁରନ୍ତ ତାଙ୍କ ବାହାଘର ବ୍ୟବସ୍ଥା କରିବାକୁ ଚେଷ୍ଟା କରିବେ । କିନ୍ତୁ ଏହା ସେତେ ସହଜ ହୋଇନପାରେ।
‘‘ଆମ ସମାଜରେ ଏକ ସମସ୍ୟା ରହିଛି ଏବଂ ତାହା ହେଉଛି ଗୋଟିଏ ଝିଅର ଯଦି ଦୁଇଟି ବିବାହ ବିଫଳ ହୋଇଥାଏ ଏବଂ ଗୋଟିଏ ବିବାହ ଅଧାରୁ ଅଟକି ଯାଇଥାଏ, ତା’ହେଲେ ଲୋକମାନେ ସେହି ଝିଅ ବିଷୟରେ ଖରାପ କଥା ଭାବନ୍ତି,’’ ତାଙ୍ଗଡ଼େ କୁହନ୍ତି । ‘‘ସେ ଯେଉଁ ପୁରୁଷକୁ ବାହା ହୋଇଥାଏ ତା’କୁ କେହି ପ୍ରଶ୍ନ କରନ୍ତି ନାହିଁ। ଏହି କାରଣରୁ ଆମେ ଆଜି ମଧ୍ୟ ଭାବମୂର୍ତ୍ତିକୁ ନେଇ ରହିଥିବା ସମସ୍ୟାରେ ପଡ଼ିଛୁ। ଲୋକମାନେ ଆମକୁ ବାହାଘର ବନ୍ଦ କରୁଥିବା ଏବଂ ଝିଅର ସମ୍ମାନହାନି କରୁଥିବା ଲୋକ ଭାବେ ଦେଖିଥା’ନ୍ତି’’।

ଯଦିଓ ତାଙ୍ଗଡ଼େ ଓ କାମ୍ବଲେ ନିଜ ପାଇଁ ଜିଲ୍ଲାବ୍ୟାପୀ ସୂଚନାଦାତାଙ୍କର ଏକ ନେଟୱର୍କ ପ୍ରସ୍ତୁତ କରିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି କାମ କରନ୍ତି, ତଥାପି ସେମାନଙ୍କ ସହାୟତାକୁ ସବୁବେଳେ ପ୍ରଶଂସା ମିଳେ ନାହିଁ। କାମ୍ବଲେ କୁହନ୍ତି, ‘ଆମ ଉପରେ ଆକ୍ରମଣ ହୋଇଛି, ଅପମାନିତ କରାଯାଇଛି ଓ ଧମକ ମଧ୍ୟ ମିଳିଛି’
ସଞ୍ଜୟ ଓ ରାଜଶ୍ରୀ ନିଜ ଭାଣିଜୀ ପୂଜାଙ୍କ ବାହାଘର ବନ୍ଦ କରିଥିବା ଏହି ଦୁଇ ସାମାଜିକ କର୍ମୀଙ୍କୁ ଠିକ ଏମିତି ହିଁ ବୁଝିଛନ୍ତି।
ରାଜଶ୍ରୀ (୩୩) କୁହନ୍ତି, ‘‘ସେମାନେ ଏ ବାହାଘର ବନ୍ଦ କରି ନଥିଲେ ଭଲ ହୋଇଥା’ନ୍ତ। ପୁଅ ଘର ଲୋକମାନେ ଭଲ ଥିଲେ। ସେମାନେ ଝିଅର ଯତ୍ନ ନେଇଥା’ନ୍ତେ। ତା’କୁ ୧୮ ବର୍ଷ ହେବାକୁ ଆଉ ଗୋଟିଏ ବର୍ଷ ବାକି ଅଛି ଏବଂ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପୁଅ ଘର ଲୋକମାନେ ରାଜି ନାହାନ୍ତି। ଆମେ ବାହାଘର ପାଇଁ ୨ ଲକ୍ଷ (ଟଙ୍କା) ଧାର ଆଣିଥିଲୁ। ଆମକୁ କ୍ଷତି ସହିବାକୁ ପଡ଼ିବ।
ସଞ୍ଜୟ ଓ ରାଜଶ୍ରୀଙ୍କ ବଦଳରେ ଗାଁର କେହି ପ୍ରଭାବଶାଳୀ ପରିବାର ହୋଇଥିଲେ, ସେମାନଙ୍କୁ ବେଶ୍ ଶତ୍ରୁତାର ସାମ୍ନା କରିବାକୁ ପଡ଼ିଥା’ନ୍ତା। ‘‘ଏହି କାମ କରିବା କାରଣରୁ ଆମର ବହୁ ଶତ୍ରୁ ସୃଷ୍ଟି ହୋଇଛନ୍ତି,’’ ସେ କୁହନ୍ତି। ‘‘ଆମକୁ କୌଣସି ସୂଚନା ମିଳିବା ପରେ, ଆମେ ସେଥିରେ ସାମିଲ ପରିବାରର ପୃଷ୍ଠଭୂମି ଯାଞ୍ଚ କରିଥାଉ।’’
ଯଦି ମାମଲା ସ୍ଥାନୀୟ ରାଜନେତାଙ୍କ ସହ ସମ୍ପର୍କ ଥିବା ପରିବାରର ହୋଇଥାଏ, ତା’ହେଲେ ଉଭୟ ପ୍ରଥମେ ପ୍ରଶାସନକୁ ଫୋନ୍ କରିଥାନ୍ତି ଏବଂ ଅତିରିକ୍ତ ସହାୟତା ପାଇଁ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥା’ନ୍ତି।
‘‘ଆମ ଉପରେ ଆକ୍ରମଣ ହୋଇଛି, ଅପମାନିତ କରାଯାଇଛି ଓ ଧମକ ମଧ୍ୟ ମିଳିଛି,’’ କାମ୍ବଲେ କୁହନ୍ତି। ‘‘ସବୁ ଲୋକ ନିଜ ଭୁଲ ମାନନ୍ତି ନାହିଁ।’’
ଗୋଟିଏ ଘଟଣା କଥା ମନେ ପକାଇ ତାଙ୍ଗଡ଼େ କୁହନ୍ତି, ଥରେ ବର ମା’ ପ୍ରତିବାଦ ସ୍ୱରୂପ କାନ୍ଥରେ ନିଜ ମୁଣ୍ଡକୁ ପିଟି ଦେଇଥିଲେ। ତାଙ୍କ କପାଳରୁ ରକ୍ତ ବୋହିଗଲା। କର୍ତ୍ତୃପକ୍ଷଙ୍କୁ ଭାବପ୍ରବଣତା ଜରିଆରେ ଧମକାଇବା ପାଇଁ ସେ ଏପରି କାର୍ଯ୍ୟ କରିଥିଲେ। ତାଙ୍ଗଡ଼େ ହସି ହସି କୁହନ୍ତି, ‘‘କିଛି ଅତିଥି ମୁହଁ ଲୁଚାଇ ତରବର ହୋଇ ନିଜ ଖାଦ୍ୟ ଖାଇ ଚାଲିଥିଲେ। କିନ୍ତୁ ସେହି ପରିବାରକୁ ନିୟନ୍ତ୍ରଣ କରିବା ଅତି କଷ୍ଟ କାମ ଥିଲା। ବେଳେବେଳେ ବାଲ୍ୟ ବିବାହ ବନ୍ଦ କରିବା ସମୟରେ ଆମ ସହିତ ଅପରାଧୀଙ୍କ ଭଳି ବ୍ୟବହାର କରାଯାଏ। ଆମେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ୁ କିନ୍ତୁ ଆମେ ଭାବୁ ଆମ ସହ ଏପରି ବ୍ୟବହାର କରାଯିବା ଉଚିତ୍ ହେଉଛି କି।

ଗୋଟିଏ ୧୭ ବର୍ଷର ଝିଅ ବାହାଘର ବନ୍ଦ କରିବାର ତିନି ବର୍ଷ ପରେ ମେ ୨୦୨୩ରେ ସେ ଝିଅର ବାପା ଗୋଟିଏ ମିଠା ପ୍ୟାକେଟ୍ ଧରି ଦୁଇ ଜଣଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଶେଷରେ ତାଙ୍ଗଡ଼େ ଓ କାମ୍ବଲେଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କରାଗଲା
କିନ୍ତୁ ଏପରି କିଛି ଅନୁଭୂତି ରହିଛି ଯାହା ସେମାନଙ୍କ କାର୍ଯ୍ୟକୁ ସାର୍ଥକ କରିଥାଏ।
୨୦୨୦ ପ୍ରାରମ୍ଭିକ ଭାଗରେ ତାଙ୍ଗଡ଼େ ଓ କାମ୍ବଲେ ଜଣେ ୧୭ ବର୍ଷୀୟା ଝିଅର ବାହାଘର ବନ୍ଦ କରିଥିଲେ। ଝିଅଟି ସେତେବେଳେ ନିଜ ଦ୍ୱାଦଶ ବୋର୍ଡ ପରୀକ୍ଷା ଶେଷ କରିଥିଲା ଏବଂ ଦାରିଦ୍ର୍ୟରେ ପୀଡ଼ିତ ତାଙ୍କର ଆଖୁ କଟାଳି ବାପା ଏବେ ତାଙ୍କର ବାହାଘର କରିବାର ସମୟ ଆସିଯାଇଛି ବୋଲି ନିଷ୍ପତ୍ତି କରି ନେଇଥିଲେ। କିନ୍ତୁ ଦୁଇ ସାମାଜିକ କର୍ମୀ ବାହାଘର ସମ୍ପର୍କରେ ସୂଚନା ପାଇବା ପରେ ଅଧାରୁ ଏହାକୁ ବନ୍ଦ କରିଥିଲେ। ଏହା ସେହି କେତୋଟି ବିବାହ ମଧ୍ୟରୁ ଗୋଟିଏ ଥିଲା ଯାହାକୁ ସେମାନେ କୋଭିଡ-୧୯ ପ୍ରକୋପ ଆସିବା ପରେ ବନ୍ଦ କରିବାରେ ସକ୍ଷମ ହୋଇଥିଲେ।
‘‘ଆମେ ନିଜର ସ୍ୱାଭାବିକ ପ୍ରକ୍ରିୟା ଅନୁସରଣ କଲୁ,’’ ତାଙ୍ଗଡ଼େ ସେହି ଘଟଣା ବିଷୟରେ ମନେ ପକାଇ କୁହନ୍ତି। ‘‘ଆମେ ଏକ ପୁଲିସ ମାମଲା ଦାଏର କଲୁ, କାଗଜପତ୍ର କାମ ସାରିଲୁ ଏବଂ ଝିଅର ବାପାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ। କିନ୍ତୁ ଝିଅକୁ ପୁଣିଥରେ ବିବାହ କରାଇ ଦେବାର ଭୟ ସବୁବେଳ ଲାଗି ରହୁଥିଲା।
ମେ ୨୦୨୩ରେ ଝିଅର ବାପା ବୀଡ୍ରେ ଥିବା ତାଙ୍ଗଡ଼େଙ୍କ କାର୍ଯ୍ୟାଳୟକୁ ଆସିଲେ। କିଛି ସମୟ ପାଇଁ
ତାଙ୍ଗଡ଼େ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଉଭୟଙ୍କ ମଧ୍ୟରେ ସାକ୍ଷାତକୁ କିଛି ବର୍ଷ ବିତିଯାଇଥାଏ। ବାପା ପୁଣିଥରେ ନିଜର ପରିଚୟ ଦେଲେ ଏବଂ ତାଙ୍ଗଡ଼େଙ୍କୁ କହିଲେ ଯେ ଝିଅ ସ୍ନାତକ ପଢ଼ିସାରିବା ପରେ ତା’ର ବାହାଘର କରାଇବା ପାଇଁ ସେ ଅପେକ୍ଷା କରି ରହିଥିଲେ। ଝିଅ ରାଜି ହେବା ପରେ ଯାଇ ପୁଅ ଯୋଗାଡ଼ କରାଯାଇଛି। ସେ ତାଙ୍ଗଡ଼େଙ୍କୁ ତାଙ୍କର ସେବା ପାଇଁ ଧନ୍ୟବାଦ ଜଣାଇଲେ ଏବଂ ତାଙ୍କ ହାତକୁ ଗୋଟିଏ ଉପହାର ବାକ୍ସ ବଢ଼ାଇଦେଲେ।
ପ୍ରଥମ ଥର ପାଇଁ ତାଙ୍ଗଡ଼େଙ୍କୁ ଏପରି ଏକ ବାହାଘର କାର୍ଡ ମିଳିଥିଲା ଯାହା ଏକ ନିମନ୍ତ୍ରଣ ପତ୍ର ଥିଲା।
ପରିଚୟ ଲୁଚାଇବା ପାଇଁ ଏକ କାହାଣୀରେ ଥିବା ନାବାଳିକା ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଛଦ୍ମ ନାମ ବ୍ୟବହାର କରାଯାଇଛି।
ଥମ୍ସନ୍ ରଏଟର୍ସ ଫାଉଣ୍ଡେସନ୍ ସହାୟତାରେ ଏ କାହାଣୀ ପ୍ରସ୍ତୁତ କରାଯାଇଛି । ବିଷୟବସ୍ତୁ ପାଇଁ ଲେଖକ ଓ ପ୍ରକାଶକ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ।
ଅନୁବାଦ: ଓଡ଼ିଶାଲାଇଭ୍