“କେବଳ ମୋ ପରିବାର ଲୋକେ ହିଁ ମୋତେ ସ୍ୱୀକାର କରିବାକୁ ଦ୍ୱିଧାବୋଧ କରୁଥିଲେ, ମତ୍ସ୍ୟଜୀବୀମାନେ ନୁହଁନ୍ତି। ଡଙ୍ଗା ମାଲିକମାନେ ମୋତେ ଜଣେ କଇରାସି (ଶୁଭ ହାତ ଥିବା ବ୍ୟକ୍ତି) ଭାବରେ ଦେଖନ୍ତି,” ମନୀଷା କହନ୍ତି। ଜଣେ ଉଭୟଲିଙ୍ଗୀ ମହିଳା ମାଛ ନିଲାମ ଡକାଳି ମନୀଷା ଖୁସିରେ କହନ୍ତି, “ସେମାନେ ମୋତେ ନାପସନ୍ଦ କଲେ ନାହିଁ। ମୁଁ କିଏ, ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ। ସେମାନେ କେବଳ ଏତିକି ଚାହାଁନ୍ତି ଯେ, ସେମାନଙ୍କର ମାଛ ବିକ୍ରି ହୋଇଯାଉ।”
କଡ୍ଡଲୁର୍ ପୁରୁଣା ସହରର ମାଛଧରା ମୁହାଣରେ କାର୍ଯ୍ୟରତ ପ୍ରାୟ ୩୦ ଜଣ ମହିଳା ମାଛ ନିଲାମ ଡକାଳିଙ୍କ ମଧ୍ୟରୁ ଜଣେ ହେଲେ ୩୭ ବର୍ଷୀୟା ମନୀଷା। “ମୁଁ ବଡ଼ ପାଟି କରି ଡାକି ପାରୁଥିବାରୁ ମୋତେ ଆଉ ଅଧିକ ପଇସା ବି ମିଳିଥାଏ। ଅନେକ ଲୋକ ମୋ ପାଖରୁ ମାଛ କିଣିବାକୁ ଚାହାଁନ୍ତି,” ସେ କହନ୍ତି। ଗ୍ରାହକମାନଙ୍କୁ ଡାକିଲା ବେଳେ ଅନ୍ୟ ମାଛ ବିକାଳିଙ୍କ ତୁଳନାରେ ସେ ଜୋରରେ ପାଟି କରି ପାରନ୍ତି।
ତାଙ୍କ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାରର ବହୁ ପୂର୍ବରୁ ମନୀଷା ଜଣେ ମାଛ ନିଲାମ ଡକାଳି ଏବଂ ଶୁଖୁଆ ବେପାରୀ।। ଏହି ଜୀବିକାରେ ପ୍ରତି ଦିନ ଡଙ୍ଗା ମାଲିକ ଏବଂ ମତ୍ସ୍ୟଜୀବୀମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିଥାଏ। “ସେମାନଙ୍କର କିଛି ସମସ୍ୟା ନଥାଏ, ମୁଁ ଅନ୍ୟମାନଙ୍କ ତୁଳନାରେ ଭଲ ନିଲାମ ଡାକିପାରେ।”
ସେ କହନ୍ତି ଯେ, ଡଙ୍ଗା ମାଲିକମାନଙ୍କ ନୈତିକ ସହଯୋଗ ବିନା ୨୦୧୨ରେ ସେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଇ ପାରି ନ ଥାଆନ୍ତେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କର ଘନିଷ୍ଠ ଏବଂ ବିଶ୍ୱସ୍ତ ବନ୍ଧୁ। ଏହି ଅସ୍ତ୍ରୋପଚାର ପ୍ରକ୍ରିୟା ପରେ ସେ ତାଙ୍କୁ ଏଠାକାର ଏକ ମନ୍ଦିରରେ ବିବାହ କରିଥିଲେ।


ମନୀଷା (ଡାହାଣ) ଜଣେ ମାଛ ନିଲାମ ଡକାଳି ଏବଂ ଶୁଖୁଆ ବ୍ୟବସାୟୀ। କଡ୍ଡଲୁର୍ ପୁରୁଣା ସହରର ମୁହାଣ (ବାମ) ନିକଟରେ ଦେଖାଯାଇଛି ଯେଉଁଠାରେ ଏହି ବୃତ୍ତିରେ ଥିବା ଅନ୍ୟ ୩୦ ଜଣ ମହିଳାଙ୍କ ମଧ୍ୟରୁ ସେ ଜଣେ


ତାଙ୍କ ସହିତ କେହି କୌଣସି ପ୍ରକାର ଭେଦଭାବ କରନ୍ତି ନାହିଁ ବୋଲି କହନ୍ତି ମନୀଷା, ଜଣେ ଉଭୟଲିଙ୍ଗୀ ମହିଳା , ଯେ କି ପ୍ରତିଦିନ ଡଙ୍ଗା ମାଲିକ ଏବଂ ମତ୍ସ୍ୟଜୀବୀମାନଙ୍କ ସହିତ କଥାବାର୍ତ୍ତା କରନ୍ତି : ‘ ସେମାନଙ୍କର କିଛି ସମସ୍ୟା ନଥାଏ ’
ମନୀଷାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ବଡ଼ ଶୁଖୁଆ ବ୍ୟବସାୟୀଙ୍କ ପାଇଁ କାମ ଆରମ୍ଭ କଲେ ଏବଂ ଏହି ବ୍ୟବସାୟର କୌଶଳ ଶିଖିବା ପରେ, ଦଶ ବର୍ଷ କାଳ ପରିଶ୍ରମ କରି ନିଜର ବ୍ୟବସାୟ ଠିଆ କରାଇଲେ। “ଏହି ବ୍ୟବସାୟ ଜରିଆରେ ମୋର ବହୁ ଲୋକଙ୍କ ସହିତ ସଂପର୍କ ରହିଲା। କେବଳ ଖରାରେ ଶୁଖୁଆ ଶୁଖାଇବା କାମ ନ କରି ମାଛ ନିଲାମ ଡାକିବା ଲାଗି ସେମାନଙ୍କ ମଧ୍ୟରୁ କେହି କେହି ମୋତେ ପ୍ରସ୍ତାବ ଦେଲେ। ଧୀରେ ଧୀରେ ମୁଁ ଏହି କାରବାର ଭିତରକୁ ପଶିଆସିଲି।”
ମାଛ ନିଲାମ ଡକାଳିଙ୍କ ମଧ୍ୟରୁ ୯୦ ପ୍ରତିଶତ ମହିଳା ଏବଂ ମାଛ ନିଲାମ ଡାକିବାକୁ ହେଲେ ସେମାନଙ୍କୁ ଡଙ୍ଗା ମାଲିକମାନଙ୍କୁ ଅଗ୍ରୀମ ଟଙ୍କା ଦେବାକୁ ହୁଏ। ମନୀଷା କହନ୍ତି, “ମୁଁ ଚାରିଟି ଡଙ୍ଗା ପାଇଁ ନିଲାମ ଡାକି ଆସୁଛି। ସବୁଥିରେ ମାଛ ଧରିବା ପାଇଁ ଘେରି ଜାଲ ବ୍ୟବହାର କରାଯାଉଛି। ମୁଁ ସେମାନଙ୍କୁ ତିନି-ଚାରି ଲକ୍ଷ ଟଙ୍କା ଲେଖାଏଁ ଅଗ୍ରୀମ ଦେଇ କାମ ଆରମ୍ଭ କରିଥିଲି। ମୋ ପାଖରେ କିଛି ସଞ୍ଚିତ ଟଙ୍କା ଥିଲା ଏବଂ ଜଣେ ବନ୍ଧୁଙ୍କ ପାଖରୁ ମଧ୍ୟ ମୁଁ ଧାର ଆଣିଥିଲି।”। କଥା ଆଗକୁ ବଢ଼ାଇ ସେ କହନ୍ତି, “ଉଭୟ ଶୁଖୁଆ କାରବାର ଏବଂ ମାଛ ନିଲାମ ଡାକିବାରୁ ମିଳୁଥିବା ଲାଭ ଟଙ୍କାରେ ମୁଁ ଋଣ ପରିଶୋଧ କରିଥିଲି।”
ଥରେ ମାଛଧରା ଡଙ୍ଗା ମୁହାଣରେ ଲାଗିଗଲେ ମନୀଷାଙ୍କ ଭଳି ନିଲାମ ଡକାଳିମାନଙ୍କ କାମ ଆରମ୍ଭ ହୋଇଯାଏ। ଏହି ଡଙ୍ଗାଗୁଡ଼ିକ ଖୁବ୍ ବଡ଼ ଆକାରର ଏବଂ ଏଥିରେ ସେମାନେ ଘେରି ଜାଲ ( ସୁରୁକାବାଲାଇ , କିମ୍ବା ଛୋଟ ଆକାରର ଘେରି ଜାଲ) ବ୍ୟବହାର କରନ୍ତି। ବେଳେବେଳେ କେତେକ ଛୋଟ ଫାଇବର ନିର୍ମିତ ଡଙ୍ଗାରେ ମାଛ ମାରୁଥିବା ମାଛ ଧରାଳି ଦଳ ମଧ୍ୟ ମାଛ ଧରି କୂଳକୁ ଆଣିଥାଆନ୍ତି।
“ମାଛ ପଚିଯାଇଥିଲେ, ଏହାକୁ କୁକୁଡ଼ା ଖାଦ୍ୟ କରିବାକୁ ମୁଁ ଶୁଖାଇ ଦେଉଥିଲି, ଅନ୍ୟଥା ଏହାକୁ ଖାଦ୍ୟ ଉପଯୋଗୀ ଶୁଖୁଆ କରୁଥିଲି,” ସେ ବୁଝାଇ ଦିଅନ୍ତି। ଲାଭରେ ମିଳୁଥିବା ଟଙ୍କାକୁ ପୁଣି ବିନିଯୋଗ କରି ମନୀଷା ତାଙ୍କ ବ୍ୟବସାୟକୁ ଭଲ ଭାବରେ ବଢ଼ାଇ ପାରିଛନ୍ତି।


ଥରେ ମାଛ ମୁହାଣରେ ଲାଗିଗଲେ ମନୀଷାଙ୍କ ଭଳି ମାଛ ନିଲାମ ଡକାଳିମାନଙ୍କର କାମ ଆରମ୍ଭ ହୋଇଯା ଏ । ପଚିସଢ଼ି ନଯିବା ପାଇଁ କେତେକ ମାଛକୁ ବରଫ ବାକସରେ ରଖିବା ଦରକାର ହୁଏ , ଆଉ କେତେକ ଖୋଲା ସ୍ଥାନରେ (ବାମ) ରଖାଯାଏ


ବାମ : ମାଛ ନିଲାମ ଆରମ୍ଭ ହେବା ପାଇଁ ମନୀ ଷା ଅନ୍ୟ ମହିଳାମାନଙ୍କ ସହିତ ଅପେକ୍ଷା କ ରିଛନ୍ତି। ଡାହାଣ: ସମସ୍ତ ବିକ୍ରେତା ପ୍ରାୟ ୫ ଟା ସମୟରେ ସେତୁ ଛାଡିଥାନ୍ତି
ପାଞ୍ଚ ବର୍ଷ ତଳେ ତାଙ୍କ ବ୍ୟବସାୟର ସ୍ଥିତି ସେତେବେଳେ ବଦଳି ଗଲା, ଯେତେବେଳେ ଯେଉଁ ସ୍ଥାନରେ ସେ ମାଛ ଶୁଖାଇ ଶୁଖୁଆ କରୁଥିଲେ, ସେହି ସ୍ଥାନକୁ ସେଠାରେ ଗଢ଼ା ହେବାକୁ ଥିବା ବନ୍ଦରର ବୋଟ୍ ହାଉସ୍ ନିର୍ମାଣ କରିବା ଲାଗି ସରକାର ହାତକୁ ନେଇଗଲେ। ପୂର୍ବରୁ ମଧ୍ୟ ସେ ତାଙ୍କ ବ୍ୟବସାୟ ପ୍ରତି ବିରୋଧର ସମ୍ମୁଖୀନ ହୋଇଥିଲେ। ସେହି ସ୍ଥାନରେ ଆବର୍ଜନା ହେବା ସହିତ ସେଠାରେ ଉତ୍କଟ ଦୁର୍ଗନ୍ଧ ହେଉଥିବା ଦର୍ଶାଇ କେତେକ ବ୍ୟକ୍ତି ତାଙ୍କ ବିରୋଧରେ ଏକ ଆବେଦନ କରିଥିଲେ। ଏବେ ବ୍ୟବସାୟ ପାଇଁ ଜାଗା ନଥିବାରୁ ଏବଂ ମାଛ ପାଇବା ବି କଷ୍ଟକର ହୋଇ ପଡ଼ିଥିବାରୁ ସେ ତାଙ୍କ ବ୍ୟବସାୟ ବନ୍ଦ କରିଦେଲେ।
*****
କୋଭିଡ- ୧୯ ଦୁର୍ବିପାକ ଯୋଗୁଁ ୨୦୨୦ ମସିହାରେ ମାଛ ଓ ଶୁଖୁଆ ପରିବହନରେ ଏବଂ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି ହେଲା। କାରଣ, ଖୁବ୍ ଅଳ୍ପ ଡଙ୍ଗା ସମୁଦ୍ରକୁ ଯାଇ ମୁହାଣକୁ ଫେରୁଥିଲେ। ୨୦୨୧ରେ ତାମିଲନାଡୁ ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ଆଇନରେ ସଂଶୋଧନ କରାଯାଇ ଘେରି ଜାଲ ଉପରେ ନିଷେଧାଦେଶ ଲାଗୁ ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ପ୍ରତି ଦ୍ୱିତୀୟ ଧକ୍କା ସଦୃଶ ହେଲା। ପଢ଼ନ୍ତୁ: ଶୁଖୁଆ ପ୍ରସ୍ତୁତି ଓ ଭାଗ୍ୟର ଅଧୋଗତି
୨୦୧୯ ମସିହାରେ ମନୀଷା ତାଙ୍କ ସ୍ୱାମୀଙ୍କ ଷ୍ଟିଲ ଡଙ୍ଗାରେ ଟଙ୍କା ଲଗାଇଥିଲେ। “ଏହି ସବୁ ଡଙ୍ଗାରେ ଟଙ୍କା ଲଗାଇବା ପାଇଁ ଅନେକ ଲୋକ ଆମକୁ ଉଧାର ଦେଇଥିଲେ,” ସେ କହନ୍ତି। “ଆମ ପାଖରେ ସେହିଭଳି କେତେକ ଡଙ୍ଗା ଥିଲା। ମୁଁ ପ୍ରତି ଡଙ୍ଗା ପିଛା ୨୦ ଲକ୍ଷ ଟଙ୍କା ହିସାବରେ ଚାରିଟି ଡଙ୍ଗାରେ ପଇସା ଲଗାଇଥିଲି। କିନ୍ତୁ ସରକାରଙ୍କ ନିଷେଧାଦେଶ ପରେ କେହି ହେଲେ ଆମ ପାଖରୁ ସେହି ସବୁ ଡଙ୍ଗାକୁ କିଣିଲେ ନାହିଁ। ଆଉ ଡଙ୍ଗା ମାଛ ଧରିବାକୁ ନ ଗଲେ, ଆମ ରୋଜଗାର ଶୂନ ହୋଇଯାଏ। ତେଣୁ ଆମେ ଋଣ ଟଙ୍କା କେମିତି ଶୁଝିବୁ?”
୨୦୨୩ ଜାନୁଆରୀରେ ତାମିଲନାଡୁର ସାମୁଦ୍ରିକ ସୀମା ବାହାରେ ମାଛ ମାରିବା ଲାଗି ଘେରି ଜାଲ ନେଇ ଯାଉଥିବା ଡଙ୍ଗାକୁ ସୁପ୍ରିମ କୋର୍ଟଙ୍କ ଅନୁମତି ମିଳିଲା। କିନ୍ତୁ କେତେକ ସର୍ତ୍ତ ସହିତ ବିଶେଷ ଅର୍ଥନୈତିକ ଜୋନ୍ ପରିସର ମଧ୍ୟରେ ମାଛ ଧରିବାକୁ କୋର୍ଟ ଅନୁମତି ଦେଇଥିଲେ। ଘେରି ଜାଲ ବା ନିର୍ଦ୍ଦିଷ୍ଟ ସ୍ଥାନରେ ଜାଲ ରଖି ମାଛ ମାରିବା ଜ୍ଞାନକୌଶଳ ଉପଯୋଗକୁ କେନ୍ଦ୍ର କରି କଡ୍ଡଲୁର୍ରେ ବିବାଦ ଉପୁଜିବାରୁ ଯେଉଁ ସବୁ ଡଙ୍ଗା ଲାଗି ମନୀଷା ନିଲାମ ଡାକୁଥିଲେ, ସେଗୁଡ଼ିକ ପୁଡୁଚେରୀ ସମୁଦ୍ର ଉପକୂଳରେ ଲାଗିବାକୁ ବାଧ୍ୟ ହେଲେ। ତାଙ୍କ ଉପରେ ଏବେ ବି ଆଉ ୨୫ ଲକ୍ଷ ଟଙ୍କାର ଋଣ ରହିଛି। ଏଥିପାଇଁ ସେ ସେ ତାଙ୍କ ଗହଣା (୧୦୫ ସଭରେନ୍ ଓଜନର) ବିକି ଦେଇଛନ୍ତି ଏବଂ ତିନି କୋଠରି ବିଶିଷ୍ଟ ପକ୍କା ଘରକୁ ବ୍ୟାଙ୍କରେ ବନ୍ଧା ପକାଇ ସାରିଛନ୍ତି।


ନିଜ ରୋଜଗାରରେ ସେ ତୋଳିଥିବା ତାଙ୍କ ଘର ଆଗରେ ମନୀଷା (ବାମ) । ମାଛ ବିକ୍ରି ସହିତ ଆଉ କିଛି ଅତିରିକ୍ତ ଆୟ ଲାଗି ସେ ମଧ୍ୟ କେତେକ ଗାଈ, ଛେଳି ଓ କୁକୁଡ଼ା ପାଳିଛନ୍ତି (ଡାହାଣ)
କଡ୍ଡଲୁର୍ ପୁରୁଣା ସହର ୱାର୍ଡରେ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ରହିଛି ଏବଂ ସେମାନଙ୍କ ପାଖରେ ଦାଖଲ କରିବା ପାଇଁ ତାଙ୍କ ପାଖରେ ସବୁ ପ୍ରକାର କାଗଜପତ୍ର ରହିଥିଲେ ହେଁ ସେ ତାଙ୍କର ସବୁ ପ୍ରକାର ବିନିଯୋଗ ଲାଗି ଘରୋଇ ଋଣ କରିଛନ୍ତି। ସେ କହନ୍ତି, “ସେମାନେ ମୋତେ ସ୍ୱୀକାର କରିବାକୁ ରାଜି ନୁହଁନ୍ତି। ମୁଁ କିନ୍ନର ହୋଇଥିବାରୁ କୌଣସି ବ୍ୟାଙ୍କ ବି ମୋତେ ଋଣ ଦିଅନ୍ତି ନାହିଁ, ସେମାନେ ମୋ ଉପରେ ଭରସା କରନ୍ତି ନାହିଁ।”
ବ୍ୟାଙ୍କ ଋଣ ଏବଂ ସରକାରୀ ସହାୟତା ତାଙ୍କ କାମରେ ଲାଗିପାରିଥାଆନ୍ତା ବୋଲି ସେ ମନେ କରନ୍ତି। ପ୍ରାୟ ୭୦ ଜଣ କିନ୍ନରଙ୍କୁ ସରକାର ତିରୁମଣିକୁଡ଼ିରେ ଗୋଟିଏ ଲେଖାଏଁ ବଖୁରିକିଆ ଘର ଦେଇଛନ୍ତି। କିନ୍ତୁ ଜଙ୍ଗଲ ମଝିରେ ଥିବା ଏହି ଘରଗୁଡ଼ିକୁ ପାଣି ଯୋଗାଇ ଦିଆଯାଇନାହିଁ କି ପରିବହନ ସୁବିଧା ମଧ୍ୟ ନାହିଁ। ସେଠାକୁ କିଏ ବା ଯିବ ? ସେଠାରେ ନିର୍ମିତ ଘରଗୁଡ଼ିକ ଛୋଟ ଛୋଟ ଏବଂ ନିର୍ଜନ ଅଞ୍ଚଳରେ ରହିଛି। ଆମକୁ କେହି ମାରିଦେଲେ ବି କେହି ଜାଣି ପାରିବେ ନାହିଁ। ଆମେ ପାଟି କଲେ ବି କାହାରିକୁ ଶୁଭିବ ନାହିଁ। ଆମେ ସେହି ସବୁ ଘରର ପଟ୍ଟା ସରକାରଙ୍କୁ ଫେରାଇ ଦେଲୁ।”
*****
ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ମନୀଷାଙ୍କ ଜନ୍ମ ସମୟରେ ତାଙ୍କୁ ପୁରୁଷ ବୋଲି ଦର୍ଶାଯାଇଥିଲା ଏବଂ ୧୫ ବର୍ଷ ବୟସରୁ ସେ ରୋଜଗାର କରିବା ଆରମ୍ଭ କରିଥିଲେ। ତାଙ୍କ ବାପା ଥିଲେ ଜଣେ ବହିଃଶୁଳକ ବିଭାଗ ଅଧିକାରୀ ଏବଂ ମୂଳତଃ ପୁଡୁଚେରୀ ନିକଟ ପିଲ୍ଲେଇଚାୱଡ଼ି ଗାଁର ବାସିନ୍ଦା। ଚାକିରି କାଳରେ ତାଙ୍କୁ କଡ୍ଡଲୁର ପୁରୁଣା ସହର ମୁହାଣରେ ଅବସ୍ଥାପିତ କରାଯାଇଥିଲା। ତାଙ୍କ ମାଆ ଥିଲେ ବାପାଙ୍କର ଦ୍ୱିତୀୟ ପତ୍ନୀ। ସେ ଥିଲେ ଅଧିସୂଚିତ ଜାତିର ଏବଂ ସେଠାରେ ଗୋଟିଏ ଚା’ ଦୋକାନ କରିଥିଲେ।
ମନୀଷାଙ୍କ ବାପାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାମାନେ ତାଙ୍କ ଗାଁରେ ରହୁଥିଲେ। ସେ ଥିଲେ ଜଣେ ମଦ୍ୟପ ଏବଂ କଡ୍ଡଲୁରରେ ଦ୍ୱିତୀୟ ପରିବାରର ଭରଣପୋଷଣ ଲାଗି କିଛି ହେଲେ ଦେଉ ନଥିଲେ କି ପାଖରେ ରହୁ ନଥିଲେ। ମନୀଷାଙ୍କ ୫୦ ବର୍ଷୀୟ ସବା ବଡ଼ଭାଇ ସୌନ୍ଦରରାଜନ ୧୫ ବର୍ଷ ବୟସରୁ ମାଛ ମାରିବା ଆରମ୍ଭ କରି ତାଙ୍କ ମାଆ ଓ ଭାଇଭଉଣୀମାନଙ୍କ ସହାୟତା କରୁଥିଲେ। ତାଙ୍କର ତିନି ଭଉଣୀ ଅଛନ୍ତି। ଶକୁନ୍ତଳା, ୪୫, ଶକୀଲା, ୪୩ ଏବଂ ଆନନ୍ଦି, ୪୦; ଶକୀଲା ମାଛ ବିକନ୍ତି ଏବଂ ଅନ୍ୟ ଦୁଇ ଜଣ ବିବାହ କରି ନିଜ ନିଜ ଘର ଚଳାଉଛନ୍ତି।


ମାଛ ବ୍ୟତୀତ, ମନୀଷା କ୍ଷୀର ମଧ୍ୟ ବିକ୍ରି କରନ୍ତି (ଡାହାଣ)
ତାଙ୍କର ସବୁ ଭାଇଭଉଣୀ ୧୫ ବର୍ଷ ବୟସରୁ ହିଁ କାମ କରିବା ଆରମ୍ଭ କରିଦେଇଥିଲେ। ମନୀଷାଙ୍କ ମାଆ ଓ ଭଉଣୀ ମୁହାଣ ନିକଟରେ ଚା’ ଓ ଜଳଖିଆ ବିକ୍ରି କରନ୍ତି। ମନୀଷା ସବା ସାନ ହୋଇଥିବାରୁ ମାଆ ଯାହା କରିବାକୁ କହନ୍ତି, ତାହା କରନ୍ତି। ୨୦୦୨ରେ ୧୬ ବର୍ଷ ବୟସରେ ସେ କଡ୍ଡଲୁରର ଇଣ୍ଡିଆନ ଟେକନିକାଲ ଇନଷ୍ଟିଚ୍ୟୁଟ (ଆଇଟିଆଇ)ରେ ନାମ ଲେଖାଇଲେ ଏବଂ ସେଠାରେ ୱେଲଡିଂରେ ବର୍ଷିକିଆ ପାଠ୍ୟକ୍ରମ ଶେଷ କଲେ। ସେ ଗୋଟିଏ ୱେଲଡିଂ ୱାର୍କସପରେ ବି ମାସେ କାମ କଲେ, କିନ୍ତୁ ତାଙ୍କୁ ତାହା ଭଲ ଲାଗିଲାନି।
ସେ ଏକ ଶୁଖୁଆ ପ୍ରସ୍ତୁତକାରୀ ସଂସ୍ଥାରେ କାମ ଆରମ୍ଭ କରି ଦିନକୁ ୭୫ ଟଙ୍କା ରୋଜଗାର କରୁଥିଲେ। ସେଠାରେ ସେ ମାଛକୁ ମୁଣ୍ଡରେ ବୋଝେଇ କରି ଆଣି, ସଫା କରି, ଲୁଣ ଦେଇ ଶୁଖାଉ ଥିଲେ।
ଶୁଖୁଆ ବ୍ୟବସାୟ ଲାଗି ଆବଶ୍ୟକ କୌଶଳ ଶିଖିନେବା ପରେ ସେ ପାଖାପାଖି ୨୦୦୬ ମସିହାରେ, ୨୦ ବର୍ଷ ବୟସରେ ହିଁ ନିଜେ ନିଜେ ଶୁଖୁଆ ପ୍ରସ୍ତୁତ କରିବା ଆରମ୍ଭ କଲେ ଏବଂ ଏଥିପାଇଁ ସେ ଜଙ୍ଗଲ ଜମିର ଖଣ୍ଡେ ଜାଗାକୁ ସଫା କରି କାମରେ ଲଗାଇଲେ। ଦୁଇ ଭଉଣୀଙ୍କ ବିବାହ ପରେ ତାଙ୍କ ଉପରେ କରଜ ଭାର ବଢ଼ିବାରେ ଲାଗିଲା। ସେହି ସମୟରେ, ସେ ଦୁଇଟି ଗାଈ ଆଣି ମାଛ ବ୍ୟବସାୟ ସହିତ କ୍ଷୀର ବିକିବା ଆରମ୍ଭ କଲେ। ମାଛ ନିଲାମ ଡାକିବା ଏବଂ ବିକିବା କାମ ସହିତ ଏବେ ତାଙ୍କ ପାଖରେ ପାଞ୍ଚଟି ଗାଈ, ସାତଟି ଛେଳି ଏବଂ ୩୦ଟି କୁକୁଡ଼ା ଅଛନ୍ତି।
*****
ଜନ୍ମ ସମୟରେ ଚିହ୍ନଟ ହୋଇଥିବା ତାଙ୍କ ଲିଙ୍ଗକୁ ନେଇ ୧୦ ବର୍ଷ ବୟସରୁ ମନୀଷାଙ୍କୁ ଅଡୁଆ ଲାଗୁ ଥିଲା ଏବଂ ଜଣେ କିଶୋରୀ ଭାବରେ ଥରେ ରୋଜଗାର ଆରମ୍ଭ କରିବା ପରେ ସେ ଏ ସଂପର୍କରେ କହିବା ଆରମ୍ଭ କଲେ। ସେ ତାଙ୍କ ମାଆ ଓ ଭଉଣୀମାନଙ୍କ ପାଇଁ ଗହଣା ଓ ଶାଢ଼ି କିଣିବା ବେଳେ ସେଥିରୁ କିଛି ନିଜ ପାଇଁ ରଖି ଦିଅନ୍ତି। ତାଙ୍କ ବୟସ ୨୦ ବର୍ଷ ହେବା ବେଳକୁ ସେ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାର କରାଇବାକୁ ସ୍ଥିର କରିନେଲେ।


ବାମ : ଜଣେ ବନ୍ଧୁଙ୍କ ସହିତ ମନୀଷା। ଡାହାଣ : ତାଙ୍କ ଘର ବାହାରେ
ସେ ଅନ୍ୟ ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ସହିତ ମିଳାମିଶା ଆରମ୍ଭ କଲେ। ଅସ୍ତ୍ରୋପଚାର ଲାଗି ତାଙ୍କ ସହିତ ତାଙ୍କର ଜଣେ ବାନ୍ଧବୀ ମୁମ୍ବାଇ ଯାଇଥିଲେ। ସେଠାରେ ୧୫ ବର୍ଷ ଧରି ରହିବା ପରେ ସେ କଡ୍ଡଲୁର୍କୁ ଫେରିଥିଲେ। ସେ ତାଙ୍କୁ ସହାୟତା କରିବାକୁ ଚାହୁଁଥିଲେ, କିନ୍ତୁ ମନୀଷା ତାଙ୍କ ପରିବାରକୁ ଛାଡ଼ି ମୁମ୍ବାଇରେ ରହିବାକୁ ଚାହୁଁ ନଥିଲେ।
ସେ କଡ୍ଡଲୁରର ଏକ ବେସରକାରୀ ହାସପାତାଳକୁ ଯାଇ ସେଠାରେ ଜଣେ ମନୋବିଜ୍ଞାନୀ ଏବଂ ଜଣେ ଆଇନଜୀବୀଙ୍କ ପାଖରୁ ମିଳିଥିବା ପ୍ରମାଣପତ୍ର ଦାଖଲ କରିଥିଲେ ଏବଂ ଏହି ଅସ୍ତ୍ରୋପଚାର କରାଇବାର କାରଣ ସଂପର୍କରେ ହାସପାତାଳ କର୍ତ୍ତୃପକ୍ଷଙ୍କୁ ବୁଝାଇଥିଲେ। ଅସ୍ତ୍ରୋପଚାର ପାଇଁ ସେ ତାଙ୍କ ବ୍ୟବସାୟରୁ ଅର୍ଜନ କରି ରଖିଥିବା ଟଙ୍କା ଦେଇଥିଲେ ଏବଂ ସମଗ୍ର ଡାକ୍ତରୀ ପ୍ରକ୍ରିୟା ସମୟରେ ନିଜ ଖର୍ଚ୍ଚ ନିଜେ ତୁଲାଇଥିଲେ।
ପରିବର୍ତ୍ତନର ଏହି ବର୍ଷଗୁଡ଼ିକରେ ତାଙ୍କ ପରିବାର ସହିତ ମନୀଷାଙ୍କ ସଂପର୍କ ସେତେଟା ଭଲ ନଥିଲା। ଏହି ଅସ୍ତ୍ରୋପଚାର ପରେ ମନୀଷା ନିଜେ ତିଆରି କରିଥିବା ତାଙ୍କ ଘରେ ରହୁଥିଲେ ହେଁ ପଡ଼ିଶା ଘରେ ରହୁଥିବା ତାଙ୍କ ମାଆ ଓ ଭଉଣୀମାନେ ତାଙ୍କ ସହିତ ବହୁ ବର୍ଷ ଧରି କଥାବାର୍ତ୍ତା କରି ନଥିଲେ। ତାଙ୍କ ମାଆ ଏତେ ମାତ୍ରାରେ ବ୍ୟଥିତ ହୋଇଥିଲେ ଯେ ଭଲରେ ଖିଆପିଆ ମଧ୍ୟ କରୁ ନଥିଲେ। ସେ ମନୀଷାଙ୍କୁ ଜଣାଇ ଦେବା ଲାଗି ଚାହୁଁଥିଲେ ଯେ, ସେ ଦେଖିଆସିଥିବା ଅନ୍ୟ କିନ୍ନରମାନଙ୍କ ଭଳି ରାସ୍ତାରେ ସେ କେବେ ବି ଭିକ ମାଗିବେ ନାହିଁ ବୋଲି ସ୍ଥିର କରନ୍ତୁ।
କିଛି ବର୍ଷ ତଳେ, ମନୀଷାଙ୍କ ମାଆ ଆନ୍ତ୍ରିକ କ୍ୟାନସରରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ସେ ତାଙ୍କ ଅସ୍ତ୍ରୋପଚାର ଏବଂ ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଏହା ପରେ ହିଁ ତାଙ୍କ ମାଆଙ୍କ ମନ ତରଳିଥିଲା। ବର୍ଷେ ପରେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଲା। ହେଲେ ମାଆଙ୍କ ପାଇଁ ତାଙ୍କର ସେବାଯତ୍ନ ଯୋଗୁଁ ଭାଇଭଉଣୀମାନଙ୍କ ସହିତ ତାଙ୍କ ସଂପର୍କ ସ୍ୱାଭାବିକ ହୋଇଯାଇଥିଲା।
ମନୀଷାଙ୍କର ଦୃଢ଼ ମତ ଯେ, ଅଧିକାଂଶ ଉଭୟଲିଙ୍ଗୀ ବ୍ୟକ୍ତି ବା କିନ୍ନର, ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ଭଳି କଠିନ ପରିଶ୍ରମ କରିବାକୁ ଚାହାଁନ୍ତି। ହେଲେ ସରକାରୀ ସହାୟତା ଅଭାବରୁ ସେମାନେ ଶାରୀରିକ ଶୋଷଣର ଶିକାର ହୋଇଥାଆନ୍ତି। “କେବେ କେବେ ଘରେ ଏକୁଟିଆ ଥିବା ସମୟରେ ମୋତେ କବାଟ ଖୋଲିବାକୁ ଡର ଲାଗେ,” ସେ କହନ୍ତି। “ପାଖରେ ଥିଲେ ବି ମୋ ଭଉଣୀମାନେ ଅଲଗା ରହୁଛନ୍ତି। କିନ୍ତୁ ମୁଁ ଡାକିଲେ ସେମାନେ ତୁରନ୍ତ ଆସି ପହଞ୍ଚିଯିବେ।”
ଅନୁବାଦ : ଓଡ଼ିଶାଲାଇଭ୍