ବେଳେବେଳେ ଦେବଦେବୀ ନିଜ ଭକ୍ତମାନଙ୍କ ସହିତ ଯାତ୍ରା କରିଥାନ୍ତି। କିଛି ନହେଲେ ମା’ ଅଙ୍ଗାରମୋତୀ ତ’ ନିଶ୍ଚିତ ଭାବେ ଯାତ୍ରା କରନ୍ତି।
ପ୍ରାୟ ୪୫ ବର୍ଷ ପୂର୍ବରୁ ଏହି ଆଦିବାସୀ ଦେବୀ ଧ୍ୟାୟ-ଚାଓଁର ଗାଁରେ ରହୁଥିଲେ। ଈଶ୍ୱର ନେତାମ୍ (୫୦)ଜଣେ ଗୋଣ୍ଡ ଆଦିବାସୀ ଏବଂ ସେ ଦେବୀଙ୍କ ମୁଖ୍ୟ ପୂଜାରୀ ବା ବୈଗା ଅଟନ୍ତି। ସେ କୁହନ୍ତି, ‘‘ମା’ ଅଙ୍ଗାରମୋତୀ ମହାନଦୀ ଓ ସୁଖାନଦୀ ମଧ୍ୟବର୍ତ୍ତୀ ଗୋଟିଏ ସ୍ଥାନରେ ରହୁଥିଲେ।
ବିସ୍ଥାପିତ ହେବା ସତ୍ତ୍ୱେ ମା’ ଅଙ୍ଗାରମୋତୀଙ୍କ ଲୋକପ୍ରିୟତା କମି ନାହିଁ । ଗାଁ ଓ ଅନ୍ୟ ସ୍ଥାନରୁ ୫୦୦ରୁ ୧,୦୦୦ ଶ୍ରଦ୍ଧାଳୁ ଏବେ ବି ସବୁଦିନ ତାଙ୍କ ମନ୍ଦିରରେ ପହଞ୍ଚିଥା’ନ୍ତି। ଦେବୀଙ୍କ ନାମରେ ମେଳା ଆୟୋଜନ କରାଯାଏ, କିନ୍ତୁ ଏହା ଗଙ୍ଗ୍ରେଲ ମଡ଼ଇ ନାମରେ ମଧ୍ୟ ପ୍ରସିଦ୍ଧ ଯେଉଁଥିରେ ଗାଁ ଓ ନିକଟବର୍ତ୍ତୀ ବନ୍ଧର ଉଲ୍ଲେଖ ମିଳିଥାଏ। ଦେବୀ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଭୁଲି ନାହାନ୍ତି । ପ୍ରତିବର୍ଷ ଦୀପାବଳି ପରବର୍ତ୍ତୀ ପ୍ରଥମ ଶୁକ୍ରବାର ଦିନ ମା’ ଅଙ୍ଗାରମୋତୀ ବାର୍ଷିକ ଉତ୍ସବ ପାଇଁ ଆଖପାଖ ଗାଁର ଦେବଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥା’ନ୍ତି ।
ଗୋଣ୍ଡ ଆଦିବାସୀ ନେତା ଏବଂ ପ୍ରତିବର୍ଷ ଏହି ସମୟରେ ଗଙ୍ଗ୍ରେଲରେ ମେଳା ଆୟୋଜନ କରୁଥିବା ଦଳର ସଦସ୍ୟ ବିଷ୍ଣୁ ନେତାମ୍ କୁହନ୍ତି, ‘‘ଆମେ ଆମ ପୂର୍ବପୁରୁଷ ଅମଳରୁ ପ୍ରାୟ ପ୍ରତ୍ୟେକ ଆଦିବାସୀ ଗାଁରେ ଏହି ମଡ଼ଇ (ମେଳା) ଆୟୋଜନ କରି ଆସୁଛୁ।’’
‘‘ମଡ଼ଇ ଆମ ପାରମ୍ପରିକ ଆଦିବାସୀ ସଂସ୍କୃତିର ଅଂଶବିଶେଷ,’’ ସେ ଆହୁରି କହିଥାନ୍ତି। ସ୍ଥାନୀୟ ଲୋକଙ୍କ ବ୍ୟତୀତ ଗାଁ ବାହାରୁ ମଧ୍ୟ ଲୋକମାନେ ମେଳା ବୁଲିବାକୁ ଆସନ୍ତି, ସେମାନେ ଭଲ ଫସଲ ପାଇଁ ଦେବଦେବୀମାନଙ୍କୁ ଫୁଲ ଚଢ଼ାନ୍ତି ଓ ଆସନ୍ତା ବର୍ଷ ପାଇଁ ବରଦାନ ମାଗନ୍ତି। ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୫୦ଟି ମେଳା ଆୟୋଜନ କରାଯାଏ ସେଥିମଧ୍ୟରେ ମଡ଼ଇ ଅନ୍ୟତମ। ଏହା ହେଉଛି ମଧ୍ୟ ଭାରତର ଏହି ଜିଲ୍ଲାରେ ଆୟୋଜିତ ହେଉଥିବା ମଡ଼ଇ ଶୃଙ୍ଖଳାର ପ୍ରଥମ ମେଳା।
ସ୍ଥାନୀୟ ଲୋକଙ୍କ ବ୍ୟତୀତ ଗାଁ ବାହାରୁ ମଧ୍ୟ ଲୋକମାନେ ମେଳା ବୁଲିବାକୁ ଆସନ୍ତି, ସେମାନେ ଭଲ ଫସଲ ପାଇଁ ଦେବଦେବୀଙ୍କୁ ଫୁଲ ଚଢ଼ାନ୍ତି ଓ ଆସନ୍ତା ବର୍ଷ ପାଇଁ ବରଦାନ ମାଗନ୍ତି
୧୯୭୮ ମସିହାରେ ଜଳସେଚନ ଏବଂ ଭିଲାଇ ଇସ୍ପାତ କାରଖାନାକୁ ଜଳ ଯୋଗାଣ ନିମନ୍ତେ ମହାନଦୀ ଉପରେ ଏକ ନଦୀ ବନ୍ଧ ନିର୍ମାଣ କରାଗଲା। ତେବେ, ପଣ୍ଡିତ ରବିଶଙ୍କର ନଦୀବନ୍ଧ ନାମରେ ଅଧିକୃତ ଭାବେ ନାମକରଣ ହୋଇଥିବା ଏହି ନଦୀବନ୍ଧ ଦେବୀ ଓ ତାଙ୍କୁ ପୂଜା କରୁଥିବା ଗ୍ରାମବାସୀଙ୍କ ପାଇଁ ବିପଦ ଆଣିଲା।
ନିର୍ମାଣ ସମୟରେ, ବାରମ୍ବାର ବନ୍ୟା ଆସିବା ଯୋଗୁ ଚାଓଁର ଗାଁର ଲୋକମାନେ ନିଜ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେଲେ। ଈଶ୍ୱର କୁହନ୍ତି, ‘‘ପାଖାପାଖି ୫୨-୫୪ ଗ୍ରାମ ଜଳମଗ୍ନ ହୋଇଯାଇଥିଲା ଏବଂ ଲୋକମାନେ ବିସ୍ଥାପିତ ହୋଇଥିଲେ।’’
ସେଥିପାଇଁ ସେମାନେ ଗାଁ ଛାଡ଼ିଗଲେ କିନ୍ତୁ ସେମାନଙ୍କ ଦେବୀଙ୍କୁ ମଧ୍ୟ ସାଥୀରେ ନେଲେ ଏବଂ ନଦୀବନ୍ଧଠାରୁ ୧୬ କିଲୋମିଟର ଦୂର ଧମତରୀର ଗଙ୍ଗ୍ରେଲ ଅଞ୍ଚଳରେ ଯାଇ ବସତି ସ୍ଥାପନ କଲେ।
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ, ଆଜି ଏହି ନଦୀବନ୍ଧ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପାଲଟିଛି, କିନ୍ତୁ ବିସ୍ଥାପିତ ହୋଇଥିବା ଅନେକ ଗ୍ରାମବାସୀ ଆଜି ବି ସରକାରଙ୍କଠାରୁ କ୍ଷତିପୂରଣ ପାଇବାକୁ ଅପେକ୍ଷା କରି ରହିଛନ୍ତି ।


ବାମ : ମଡ଼ଇକୁ ଯାଇଥିବା ରାସ୍ତା । ଡାହାଣ : ଈଶ୍ୱର ନେତାମ (ବାମରୁ ତୃତୀୟ) ନିଜ ସହଯୋଗୀ ବୈଗାଙ୍କ ସହିତ ପର୍ବରେ ଯୋଗ ଦେଇଛନ୍ତି


ବାମ : ଅଙ୍ଗଦେବମାନଙ୍କୁ ପ୍ରତିନିଧିତ୍ୱ କରୁଥିବା କାଠ ପାଲିଙ୍କୀ ପଡ଼ୋଶୀ ଗାଁରୁ ଅଣାଯାଇଛି । ଡାହାଣ : ଦେବ ନାଚରେ ବ୍ୟବହାର କରାଯାଉଥିବା ସାମଗ୍ରୀ
ଦିନିକିଆ ମଡ଼ଇ ଉତ୍ସବ ଅପରାହ୍ଣରେ ଆରମ୍ଭ ହୋଇଥାଏ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଦେବୀଙ୍କୁ ନଦୀ ବନ୍ଧ ପାଖରେ ରଖାଯାଏ ଏବଂ ସକାଳୁ ସେଠାକୁ ଭକ୍ତମାନଙ୍କର ଆସିବା ଲାଗି ରହିଥାଏ। ସେମାନଙ୍କ ମଧ୍ୟରୁ କେତେଜଣ ଫଟୋ ଉଠାଇବା କିମ୍ବା ସେଲଫି ନେବା ପାଇଁ ବନ୍ଧ ଆଡ଼େ ବୁଲି ଆସନ୍ତି ।
ମଡ଼ଇ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତା କଡ଼ରେ ମିଠା ଓ ଜଳଖିଆ ଦୋକାନ ପଡ଼ିଛି। କିଛି ଦୋକାନ ପୁରୁଣା ହୋଇଥିବା ବେଳେ ବାକି ପର୍ବ ପାଇଁ ଖୋଲାଯାଇଛି।
ବିଧିବଦ୍ଧ ଭାବେ ମଡ଼ଇ ଚାଲିବା ବେଳକୁ ପ୍ରାୟ ପାଞ୍ଚରୁ ଛଅ ହଜାର ଲୋକ ଆଖପାଖ ଅଞ୍ଚଳରୁ ଆସି ସାରିଛନ୍ତି । ଧମତରୀ ସହର ବାସିନ୍ଦା ନୀଲେଶ ରାଇଚୁରା ରାଜ୍ୟର ଅନେକ ମେଳା ବୁଲିଛନ୍ତି । ସେ କୁହନ୍ତି, ‘‘ମୁଁ କାଙ୍କେର, ନରହରପୁର, ନଗରୀ-ସିହାୱା, ଚରାମା, ପଖାଞ୍ଜୁର ଏବଂ ଅନ୍ୟ ସ୍ଥାନରେ ମଡ଼ଇ ଦେଖିଛି, କିନ୍ତୁ ଗଙ୍ଗ୍ରେଲ ମଡ଼ଇର ସ୍ୱାତନ୍ତ୍ର୍ୟ ରହିଛି’’।
ଏଠାରେ ଗର୍ଭଧାରଣ କରିପାରୁନଥିବା ମହିଳାମାନେ ମଡ଼ଇରେ ପୂଜାର୍ଚ୍ଚନା କରିଥା’ନ୍ତି। ଆଦିବାସୀ ନେତା ଓ ସାମାଜିକ କର୍ମୀ ଈଶ୍ୱର ମଣ୍ଡାଭୀ କୁହନ୍ତି, ‘‘ନିଃସନ୍ତାନ ମହିଳାମାନେ ମା’ ଅଙ୍ଗାରମୋତୀଙ୍କ ଆଶୀର୍ବାଦ ନେବାକୁ ଆସନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଇଚ୍ଛା ପୂରଣ ହୋଇଛି ।’’


ମଡ଼ଇକୁ ଯାଇଥିବା ରାସ୍ତା କଡ଼ରେ ମିଠା ଓ ଜଳଖିଆ ଦୋକାନ ସବୁ ପଡ଼ିଛି


ବାମ : ମହିଳାମାନେ ମା’ ଅଙ୍ଗାରମୋତୀଙ୍କ ଆଶୀର୍ବାଦ ନେବା ପାଇଁ ମଡ଼ଇକୁ ଆସନ୍ତି। ଆଦିବାସୀ ନେତା ଓ ସାମାଜିକ କର୍ମୀ ଈଶ୍ୱର ମଣ୍ଡାଭୀ କୁହନ୍ତି, ‘ସେମାନଙ୍କ ମଧ୍ୟରୁ ଅନେକଙ୍କ ଇଚ୍ଛା ପୂରଣ ହୋଇଛି।’ ଡାହାଣ : ଭକ୍ତମାନେ ଦେବତାଙ୍କ ପ୍ରତୀକ ପତାକା ଥିବା ଡାଙ୍ଗ ବା ବାଉଁଶ ଖୁଣ୍ଟ ଧରି ମଡ଼ଇକୁ ଆସନ୍ତି
ଆମେ ଏମିତି କିଛି ମହିଳାଙ୍କୁ ଭେଟିଲୁ ଯେଉଁମାନେ ରାୟପୁର (୮୫ କିମି), ଜାଞ୍ଜଗିର୍ (୨୬୫ କିମି) ଏବଂ ବେମେତରା (୧୩୦ କିମି) ଭଳି ଦୂରବର୍ତ୍ତୀ ଅଞ୍ଚଳରୁ ଏଠାକୁ ଆସିଛନ୍ତି । ସେମାନେ ଧାଡ଼ିରେ ଛିଡ଼ା ହୋଇ ଆଶୀର୍ବାଦ ପାଇବା ଲାଗି ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି ।
‘‘ମୋ ବାହାଘରକୁ ପାଞ୍ଚ ବର୍ଷ ହେଲାଣି,’’ ସେମାନଙ୍କ ମଧ୍ୟରୁ ଜଣେ ମହିଳା କହିଥା’ନ୍ତି, ‘‘କିନ୍ତୁ ମୋର ପିଲା ନାହାନ୍ତି। ତେଣୁ ମୁଁ ଏଠାକୁ ଆର୍ଶୀବାଦ ନେବା ଲାଗି ଆସିଛି ।’’ ମେଳାରେ ସକାଳୁ ଉପବାସ କରିଥିବା ତିନି ଶହରୁ ଚାରି ଶହ ମହିଳାଙ୍କ ମଧ୍ୟରୁ ଏହି ମହିଳା ଜଣଙ୍କ ଅନ୍ୟତମ ଏବଂ ସେ ନିଜ ପରିଚୟ ପ୍ରଘଟ କରିବାକୁ ରାଜି ହୋଇନଥିଲେ।
ଅନ୍ୟ ଗାଁରୁ ଶ୍ରଦ୍ଧାଳୁମାନେ ଦେବ ନାଚ (ଦେବଦେବୀଙ୍କ ନୃତ୍ୟ)ରେ ଭାଗ ନେବା ପାଇଁ ନିଜ ଡାଙ୍ଗ (ଦେବତାଙ୍କ ପ୍ରତୀକ ପତାକା ଥିବା ବାଉଁଶ ଖୁଣ୍ଟ) ଏବଂ ଅଙ୍ଗା (ଦେବତା)ଙ୍କୁ ସାଥୀରେ ନେଇ ଏଠାକୁ ଆସନ୍ତି। ସେମାନେ ଏହି ଖୁଣ୍ଟ ଏବଂ କାଠ ପାଲିଙ୍କିକୁ ଅଞ୍ଚଳ ପରିକ୍ରମା କରାଇବେ ଏବଂ ଶ୍ରଦ୍ଧାଳୁମାନେ ଭଗବାନଙ୍କଠାରୁ ବରଦାନ ମାଗିବେ ।
‘‘ଏସବୁ ମଡ଼ଇରେ, ମୁଁ ଆଦିବାସୀ ସଂସ୍କୃତି ଏବଂ ଜୀବନକୁ ଅତି ନିକଟରୁ ଦେଖିପାରୁଛି।’’
ଅନୁବାଦ: ଓଡ଼ିଶାଲାଇଭ୍