“ପ୍ରଥମେ ବାମ ପଟେ ବୁଲ। ଆଉ ଟିକିଏ ତଳକୁ ଗଲେ ଗୋଟିଏ କଳା ଖମ୍ବ ଉପରେ ଆପଣ ଫୌଜିଙ୍କ ଫଟୋ ଦେଖିବେ। ସେଇଟା ତାଙ୍କ ଘର”। ରାମଗଡ଼ ସର୍ଦ୍ଦାରା  ଜଣେ ବୟସ୍କ ସାଇକେଲ କାରିଗର ରାସ୍ତାର ସୀମାରେ ଥିବା ମୋଡ଼ ଆଡ଼କୁ ଦେଖାଇ ଦିଅନ୍ତି। ଗାଁର ଲୋକମାନେ ଅଜୟ କୁମାରଙ୍କୁ ଜଣେ ସୈନିକ କିମ୍ବା ସହିଦ ବୋଲି କହନ୍ତି।

କିନ୍ତୁ ଭାରତ ସରକାରଙ୍କ ଦୃଷ୍ଟିରେ ସେ କେଉଁଟା ବି ନୁହନ୍ତି।

ଏହି ୨୩-ବର୍ଷୀୟ ଯୁବକ ଜାମ୍ମୁ ଓ କାଶ୍ମୀରଠାରେ ହୋଇଥିବା ଉଗ୍ରବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ନିଜ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ଲଢ଼େଇରେ ସେ ଦେଇଥିବା ଶେଷ ରକ୍ତବିନ୍ଦୁର କୌଣସି ଅର୍ଥ ନାହିଁ। ତାଙ୍କର ବୃଦ୍ଧ, ଭୂମିହୀନ, ଦଳିତ ବାପା ମା’ କୌଣସି ଭତ୍ତା କିମ୍ବା ପୁଅ ପାଇଁ ସହିଦ ମାନ୍ୟତା ପାଇବା କଥା ସ୍ଵପ୍ନରେ ବି ଭାବି ପାରିବେ ନାହିଁ। ପୂର୍ବ-ସୈନିକ ସହଯୋଗ ସ୍ଵାସ୍ଥ୍ୟ ଯୋଜନାରୁ ମିଳୁଥିବା ସାହାଯ୍ୟ କି କ୍ୟାଣ୍ଟିନ ଷ୍ଟୋରରୁ ମିଳୁଥିବା ରିହାତି ପାଇବାକୁ ମଧ୍ୟ ସେମାନେ ଯୋଗ୍ୟ ନୁହନ୍ତି। କାରଣ, ସରକାରୀ ରେକର୍ଡ ଅନୁଯାୟୀ ଅଜୟ କୁମାର ନା ଥିଲେ ସୈନିକ, ନା ଥିଲେ ସହିଦ।

ସେ କେବଳ ଥିଲେ ଜଣେ ଅଗ୍ନିବୀର

ଅବଶ୍ୟ ଲୁଧିଆଣା ଜିଲ୍ଲାର ଏହି ଗାଁରେ ସରକାରୀ ନଥିପତ୍ରକୁ କିଛିଟା ଗୁରୁତ୍ଵ ଦିଆଯାଏ। ଗ୍ରାଣ୍ଡ ଟ୍ରଙ୍କ ରୋଡ୍‌ରୁ ୪୫ ମିନିଟ ଗାଡ଼ିରେ ଗଲେ ସୋରିଷ କ୍ଷେତରେ ଫୁଟିଥିବା ଫୁଲର ସୌନ୍ଦର୍ଯ୍ୟ ଆପଣଙ୍କୁ ନେଇଯିବ ରାମଗଡ଼ ସର୍ଦ୍ଦାରା, ଯେଉଁଠାରେ କାନ୍ଥଗୁଡ଼ିକରେ ସତେ ଯେମିତି ଲେଖାହୋଇ ରହିଛି ଏହାର ନିଜସ୍ଵ ନଥି। ସେହି କାନ୍ଥଗୁଡ଼ିକ ଭରି ହୋଇ ରହିଛି ସବୁଜ ରଙ୍ଗର ସୁଦର୍ଶନ ଅଜୟଙ୍କ ଫଟୋଗୁଡ଼ିକରେ, ଓ ତାହା ସ୍ଥାନିତ ହୋଇଛି ସମାନ ଧାଡ଼ିରେ, ଯେଉଁଥିରେ ନ’ ଦଶକ ତଳେ ସହିଦ ଭଗତ ସିଂ ଓ ତାଙ୍କ ସାଥୀମାନେ ଫାଶୀଖୁଣ୍ଟକୁ ଚଢ଼ିଥିଲେ, କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ପକ୍ଷରୁ ସହିଦ ମାନ୍ୟତା ଦିଆଯାଇ ନାହିଁ।

ଗାଁର ପ୍ରଜ୍ଞାପନ ବୋର୍ଡ଼ଗୁଡିକରୁ ଗୋଟିକରେ ଲେଖା ଅଛି:

ନୌଜୱାନ ଜାଦ ଉଠଦେ ଣେ
ତାଆନ ନିଜାମ ବଦଲ ଯାନ୍ଦି ନେ,
ଭଗତ ସିଂ ଆଯ ଭି ପୈଦା ହୁନ୍ଦେ ନେ,
ବସ ନାମ ବଦଲ ଯାନ୍ଦେ ନେ...

[ଯୁବକମାନେ ଯେବେ ଉଠନ୍ତି ଜାଗି
ରାଜ ମୁକୁଟ ଯାଏ ହଟି,
ଭଗତ ସିଂ ପ୍ରତିଦିନ ଜନ୍ମ ହୁଅନ୍ତି,
ଖାଲି ବଦଳି ଯାଇଥାଏ ନାଁଟି...]

PHOTO • Vishav Bharti
PHOTO • Vishav Bharti

ଅଜୟ କୁମାରଙ୍କ ଘରକୁ ପ୍ରବେଶ ପଥରେ ଥିବା କଳା ଖମ୍ବରେ ଲାଗିଥିବା ତାଙ୍କ ଫଟୋ । ଡାହାଣରେ: ରାମଗଡ଼ ସର୍ଦ୍ଦାରା ର ଗୋଟିଏ ପ୍ରଜ୍ଞାପନ ଫଳକରେ ଲେଖା ଯାଇଥିବା ଉପରୋକ୍ତ କବିତା

ଅଜୟ ସିଂ ଜାମ୍ମୁ ଓ କାଶ୍ମୀରଠାରେ ୨୦୨୪ ଜାନୁୟାରୀରେ ପ୍ରାଣତ୍ୟାଗ କଲେ। ଜେଜେ ବାପା ହାବଲଦାର ପିୟାରା ଲାଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପିଲାଦିନରୁ ହିଁ ଅଜୟ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଚାହୁଁଥିଲେ। “ସେ ଦଶମ ଶ୍ରେଣୀ ପରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ”, କହନ୍ତି ତାଙ୍କ ବାପା ଚରଣଜିତ ସିଂ।

“କିନ୍ତୁ ନିଯୁକ୍ତି ପାଇଲା ବେଳେ ଜଣେ ଅଗ୍ନିବୀର ଓ ସୈନିକ ଭିତରେ ଥିବା ଭିନ୍ନତା ବିଷୟରେ ସେ ଜାଣି ନଥିଲା”, ସେ କହନ୍ତି। ଏବେ ତାର ସହିଦତ୍ଵ ପ୍ରାପ୍ତି ପରେ ଖାଲି ତାଙ୍କ ପରିବାର ନୁହେଁ, ବରଂ ଆଖପାଖର ସବୁ ଗାଁର ଯୁବକମାନେ ‘ଚୁକ୍ତିଭିତ୍ତିକ ସୈନିକ’ ଅର୍ଥ କ’ଣ ଜାଣିଲେଣି।

“ଆମ ସହ ଯେଉଁଭଳି ଅନ୍ୟାୟ କରାଗଲା, ତାହା ଯୁବକମାନଙ୍କୁ ହତୋତ୍ସାହ କରିଛି”, ଅଜୟଙ୍କ ଛ’ ଭଉଣୀଙ୍କ ଭିତରୁ ସବା ସାନ ଭଉଣୀ ଅଞ୍ଜଳି ଦେବୀ ଆମକୁ କହିଲେ। “ସହିଦତ୍ଵ ପ୍ରାପ୍ତି ପରେ ବି ଜଣେ ସୈନିକଙ୍କ ପରିବାରକୁ ଯାହାସବୁ ସୁବିଧା ମିଳେ ଅଗ୍ନିବୀରଙ୍କୁ ତାହା ମିଳେ ନାହିଁ ବୋଲି ସେମାନେ ଜାଣିଲେଣି”।

ରାଗ ଓ ଅପମାନରେ ଜର୍ଜ୍ଜରିତ ତାଙ୍କର ଭାବ ହୋଇଯାଇଛି ଅତି ତୀକ୍ଷ୍ମ। “ସେମାନେ ଅଗ୍ନିବୀରମାନଙ୍କୁ ରକ୍ଷା କବଚ ପରି ବ୍ୟବହାର କରୁଛନ୍ତି, ଯଦି ଜଣେ ଅଗ୍ନିବୀର ମରିଯାଏ ସେଥିପାଇଁ ସରକାରଙ୍କର କୌଣସି ଦାୟିତ୍ଵ ନାହିଁ। ସତେ ଯେମିତି ସେମାନଙ୍କ ଜୀବନ ଅନ୍ୟମାନଙ୍କଠାରୁ ନ୍ୟୁନ”।

ଅଗ୍ନିବୀରମାନଙ୍କୁ ଦିଆଯାଉଥିବା ଏଭଳି ପାତରଅନ୍ତର ବ୍ୟବହାର କଥା ଏହି ରାଜ୍ୟ, ଯାହାର ପିଲାମାନେ ବ୍ରିଟିଶରାଜ ସମୟରୁ ପଦାତିକ ବାହିନୀରେ ଯୋଗଦେଇ ଆସୁଛନ୍ତି ସେଭଳି ଆଶାୟୀମାନଙ୍କୁ ଆତ୍ମିକ ଭାବେ ନିରୂତ୍ସାହିତ କରୁଛି। ୧୦୩ ବର୍ଷ ତଳେ ପ୍ରଥମ ବିଶ୍ଵ ମହାଯୁଦ୍ଧ କାଳରେ, ଯାହା ୧୯୧୮ରେ ଶେଷ ହୋଇଥିଲା, ସେତେବେଳେ ବ୍ରିଟିଶ ଭାରତୀୟ ସେନା ବାହିନୀର ପ୍ରତି ଦୁଇଜଣ ସୈନିକଙ୍କ ମଧ୍ୟରୁ ଜଣେ ପଞ୍ଜାବର ଥିଲେ – ଯେଉଁଥିରେ କି ଆଜିକାର ହାରିୟାଣା ଓ ତା’ ସହିତ ଆଜିକା ଦିନରେ ପାକିସ୍ତାନରେ ରହିଥିବା ପଶ୍ଚିମ ପଞ୍ଜାବ ସହ ମିଶି ରହିଥିଲା। ୧୯୨୯ ରେ ସେନା ବାହିନୀର ସମୁଦାୟ ୧,୩୯,୨୦୦ ସୈନିକଙ୍କ ମଧ୍ୟରୁ ପଞ୍ଜାବୀ ସୈନିକଙ୍କ ସଂଖ୍ୟା ଥିଲା ୮୬,୦୦୦।

କିଛି ବର୍ଷ ତଳ ପର୍ଯ୍ୟନ୍ତ ସେହି ସମାନ ଧାରା ପ୍ରଚଳିତ ରହିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୧୫, ୨୦୨୧ରେ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତୀୟ ସେନା ବାହିନୀରେ ଯୋଗଦେଇଥିବା  ୮୯,୦୦୦ ସୈନିକଙ୍କ ସହ ପଞ୍ଜାବର ସ୍ଥାନ ହେଉଛି ଦ୍ଵିତୀୟ। [ପ୍ରଥମ ସ୍ଥାନରେ ଥିବା ଉତ୍ତର ପ୍ରଦେଶର ଜନସଂଖ୍ୟା ହେଉଛି ପଞ୍ଜାବର ଜନସଂଖ୍ୟାଠାରୁ ସାଢ଼େ-ସାତ ଗୁଣା ଅଧିକ।] ସାରା ଭାରତର ଜନସଂଖ୍ୟା ତୁଳନାରେ ପଞ୍ଜାବର ଜନସଂଖ୍ୟା ମାତ୍ର ୨.୩ ପ୍ରତିଶତ ହୋଇଥିବା ସତ୍ତ୍ଵେ ଏଠାରୁ ଆର୍ମି ପଦାଧିକାରୀ ଭାବେ ଏଠାରୁ ୭.୭ ପ୍ରତିଶତ ରହିଛନ୍ତି। ଅବଶ୍ୟ ଉତ୍ତର ପ୍ରଦେଶରୁ ସୈନିକମାନଙ୍କ ସଂଖ୍ୟା ୧୪.୫ ପ୍ରତିଶତ, ତେବେ ଭାରତୀୟ ସମୁଦାୟ ଜନସଂଖ୍ୟାରୁ ଏହାର ଜନସଂଖ୍ୟା ୧୬.୫ ପ୍ରତିଶତ।

PHOTO • Courtesy: Surinder Singh

୨୦୨୨ରେ ସଙ୍ଗରୁର ଜିଲ୍ଲାର ଲେହେରାଗାଗାସ୍ଥିତ ଫିଜିକାଲ ଏକାଡ଼େମୀଠାରେ ସେନାବାହିନୀରେ ଯୋଗଦେବା ପାଇଁ ଆଶାୟୀମାନେ ଧା ଡ଼ି ରେ ଥିବା ବେଳର ଫଟୋ, ଯେଉଁ ଏକାଡ଼େମୀ ଦୁଇ ବର୍ଷ ତଳେ ଅଗ୍ନିବୀର ଯୋଜନା ଆରମ୍ଭ ହେବା ପରେ ବନ୍ଦ ହୋଇଗଲା

ସେ ଯାହା ବି ହେଉନା କାହିଁକି, ଅଗ୍ନିବୀର ଯୋଜନା ଆରମ୍ଭ ହେବା ପରେ, ବାସ୍ତବ ପରିସ୍ଥିତିରେ ନାଟକୀୟ ପରିବର୍ତ୍ତନ ହେଲା। ସାରା ରାଜ୍ୟର ଉଭୟ ଛୋଟବଡ଼ ସହରରେ ରହିଥିବା ସେନାବାହିନୀରେ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ସାଧାରଣ ଭାବେ ଦୃଷ୍ଟିକୁ ଆସୁଥିଲା। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ, ସଶସ୍ତ୍ର ବାହିନୀରେ ଯୋଗ ଦେବାକୁ ଆଶାୟୀ ପ୍ରାର୍ଥୀମାନଙ୍କ ସଂଖ୍ୟା ହଠାତ୍ କମିଯିବାରୁ ଗତ ଦୁଇ ବର୍ଷ ମଧ୍ୟରେ ବନ୍ଦ ହୋଇଗଲା।

ସଙ୍ଗରୁର ଜିଲ୍ଲାର ଲେହେରାଗାଗାଠାରେ ଗତ ଦଶ ବର୍ଷ ହେଲା ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସୁରିନ୍ଦର ସିଂ ଚଲାଉଥିବା ପ୍ରଶିକ୍ଷଣ କେନ୍ଦ୍ର ‘ଫିଜିକାଲ ଆକାଡ଼େମୀ’କୁ ସେ ବନ୍ଦ କରି ଦେଇଛନ୍ତି। ସେ ‘ପରୀ’କୁ କହନ୍ତି ଯେ ପାଟିଆଲା, ସଙ୍ଗରୁର, ବର୍ନାଲା, ଫତେହଗଡ଼ ସାହିବ ଓ ମାନସା ଆଦି ଜିଲ୍ଲାର ହଜାର ହଜାର ଯୁବାଙ୍କୁ ଏକାଧିକ ବ୍ୟାଚ୍‌ରେ ଏକାଡ଼େମୀରେ ପ୍ରଶିକ୍ଷଣ ଦିଆ ଯାଉଥିଲା। କିନ୍ତୁ ଯେଉଁ ବର୍ଷ ଅଗ୍ନିବୀର ଯୋଜନା ଆରମ୍ଭ ହେଲା ଅନୁସନ୍ଧାନକାରୀ ଆଶାୟୀଙ୍କ ସଂଖ୍ୟା ୫୦କୁ ଖସିଗଲା। “ଆମେ ଖର୍ଚ୍ଚ ମଧ୍ୟ ତୁଲେଇ ପାରିଲୁ ନାହିଁ, ତେଣୁ ଏହି କେନ୍ଦ୍ରକୁ ଆମେ ବନ୍ଦ କରିଦେଲୁ”, ସେ ଦୁଃଖର ସହ କହନ୍ତି।

୨୦୧୧ରେ ଏହି କେନ୍ଦ୍ର ଆରମ୍ଭ ହେବାଠାରୁ ୨୦୨୨ ଶେଷ ବେଳକୁ ଏହା ବନ୍ଦ ହେବା ମଧ୍ୟରେ, “ଏଠାରେ ପ୍ରଶିକ୍ଷଣ ପାଇଥିବା ପ୍ରାୟ ୧,୪୦୦ରୁ ୧,୫୦୦ ଯୁବକ ଭାରତୀୟ ସେନାବାହିନୀରେ ଯୋଗ ଦେଇଛନ୍ତି”, ସେ କହନ୍ତି।

ସୁରିନ୍ଦର ସିଂ କହନ୍ତି କି ପଞ୍ଜାବ, ହରିୟାଣା ଓ ରାଜସ୍ଥାନର ଅନ୍ୟ ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ଅବସ୍ଥା ବି କିଛି ଅଲଗା ନୁହେଁ। “ସେଗୁଡ଼ିକରୁ ପ୍ରାୟ ୮୦ ଭାଗ ବନ୍ଦ ହୋଇଗଲାଣି”, ସେ କହନ୍ତି। ଅବଶିଷ୍ଟ ଯେଉଁ ୨୦ ଭାଗ ପ୍ରଶିକ୍ଷଣ କେନ୍ଦ୍ର ଚାଲିଛି ସେଗୁଡ଼ିକ ତାଙ୍କର ଧ୍ୟାନ ବଦଳାଇ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି କ୍ଷେତ୍ରରେ କାମ କରୁଛନ୍ତି।

“ପୂର୍ବରୁ ଗୋଟିଏ ଗୋଟିଏ ଗାଁରୁ ୫୦ରୁ ୧୦୦ ଯୁବକ ସାମରିକ ବାହିନୀରେ ଯୋଗ ଦେବାକୁ ଆଗ୍ରହୀ ଥିଲାବେଳେ ଏବେ ସେହି ସଂଖ୍ୟା ୨ରୁ ୫। ଏହା ହେଉଛି ଅଗ୍ନିବୀର ଯୋଜନାର ଗୁରୁତର ପ୍ରଭାବ”, ସେ କହନ୍ତି।

ପାଟିଆଲା ଜିଲ୍ଲାର ନଭା ଟାଉନସ୍ଥିତ ନିଉ ସୈନିକ ପବ୍ଲିକ ଆକାଡ଼େମୀକୁ ଏକଦା ଚଳାଉଥିବା କରମଜିତ ସିଂ ଆମକୁ କହନ୍ତି କି ଯେ ୨୦୨୩ରେ ସେନାବାହିନୀ ପାଇଁ ଲିଖିତ ପରୀକ୍ଷାରେ ୬୦ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିଲେ। ତେବେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଶାରୀରିକ ପ୍ରଶିକ୍ଷଣ ନେବାକୁ ଆସିଲେ, କାରଣ ନୂଆ ଯୋଜନାର ପ୍ରଭାବ ବାବଦରେ ସେମାନଙ୍କର ସ୍ପଷ୍ଟ ଧାରଣା ଥିଲା। ପରବର୍ତ୍ତୀ ସମୟରେ ଏକାଡ଼େମୀ ବନ୍ଦ ହୋଇଗଲା।

PHOTO • Courtesy: Surinder Singh
PHOTO • Courtesy: Surinder Singh

ଙ୍ଗ ରୁର ଏହି ଭଳି ସାରା ରାଜ୍ୟରେ ଥିବା ସେନାବାହିନୀରେ ନିଯୁକ୍ତି ପାଇଁ ପ୍ରଶିକ୍ଷଣ କେନ୍ଦ୍ରଗୁ ଡ଼ି କ ଗତ ଦୁଇ ବର୍ଷ ମଧ୍ୟରେ ଆଶାୟୀମାନଙ୍କ ସଂଖ୍ୟା ହଠା ତ୍‌ କମି ଯିବା ଯୋ ଗୁଁ ବନ୍ଦ ହୋଇଯାଇଛି

ସଙ୍ଗରୁର ଜିଲ୍ଲା ଅନ୍ତର୍ଗତ ଆଲିପୁର ଖାଲସା ଗାଁର ଜଗସିର ଗାର୍ଗ ଥିଲେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣେ, କିନ୍ତୁ ଶାରୀରିକ ପରୀକ୍ଷା ପାଇଁ ଗଲେ ନାହିଁ। କାରଣ କ’ଣ? “ମୋ ବାପା ମା’ କହିଲେ ଯେ କେବଳ ଚାରି ବର୍ଷର ଚାକିରି ପାଇଁ ଜୀବନକୁ ବାଜି ଲଗେଇବା କିଛି ଦରକାର ନାହିଁ। ଯଦି କୌଣସି ଅଘଟଣ ଘଟିବ, ତେବେ ପରିବାରକୁ କିଛି ମିଳିବ ନାହିଁ। ଏକାଡ଼େମୀର ମୋ ବ୍ୟାଚରେ ଥିବା ଅନେକ ପିଲା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସତ୍ତ୍ଵେ ଶାରୀରିକ ପରୀକ୍ଷା ପାଇଁ ଗଲେ ନାହିଁ”, ସେ କହନ୍ତି। ଜଗସିର ଏବେ ପୁରୁଣା ମୋଟର ବାଇକ କିଣାବିକା ବ୍ୟବସାୟ କରୁଛନ୍ତି।

ପିଲାମାନଙ୍କୁ ସେନାବାହିନୀକୁ ପଠେଇବାର ଦୀର୍ଘ ଦିନର ପରମ୍ପରା ଯୋଗୁଁ ପଞ୍ଜାବର ସମସ୍ତ ବଡ଼ ସହର ଓ ଛୋଟ ଟାଉନଗୁଡ଼ିକରେ ନିଯୁକ୍ତି ଏକାଡ଼େମୀଗୁଡ଼ିକର ଉପସ୍ଥିତି ରହିଥିଲା। ସୁରିନ୍ଦର ସିଂଙ୍କ ଉଲ୍ଲେଖ ଅନୁଯାୟୀ ଏବେ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଗଲାଣି କିମ୍ବା ପୋଲିସ ନିଯୁକ୍ତି ପ୍ରଶିକ୍ଷଣ ଦେଲେଣି। ପ୍ରଥମତଃ, ଏହି କେନ୍ଦ୍ରଗୁଡ଼ିକର ନିଯୁକ୍ତିକୁ ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ନିଷେଧ କରି ଦିଆଗଲା। ମୁଖ୍ୟତଃ କୋଭିଡ ସଂକ୍ରମଣ ପାଇଁ ଓ ତା’ ପରେ ପରେ ପ୍ରଶ୍ନ ପତ୍ର ପ୍ରଘଟ ହେବା ନେଇ ମଧ୍ୟ।

ତା’ ପରେ ଜୁନ ସରକାର ଅଗ୍ନିପଥ ଯୋଜନା ଆଣିଲେ। ଜୁନ ୧୪, ୨୦୨୨ରେ କେନ୍ଦ୍ର କ୍ୟାବିନେଟ ଦ୍ଵାରା ଏହାକୁ ଏକ ଅତି ଆକର୍ଷଣୀୟ ନିଯୁକ୍ତି ଯୋଜନା ବୋଲି ଘୋଷଣା କରାଗଲା। ଏହି ଯୋଜନାରେ ସେନାବାହିନୀରେ ଯୁବକମାନଙ୍କୁ ନିୟମିତ ପାହ୍ୟାରେ ସର୍ବନିମ୍ନ ୧୫ ବର୍ଷ ବଦଳରେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ମିଳିବ।

ଏହି ଯୋଜନାକୁ ସରକାରଙ୍କ ପକ୍ଷରୁ ଡିଣ୍ଡିମ ପିଟି ପ୍ରଚାର କରାଗଲା କି “ସେନାବାହିନୀର ତିନିଟି ଯାକ ସେବାରେ ମାନବ ସମ୍ବଳ ନୀତିରେ ଏହା ଦ୍ଵାରା ଏକ ନୂଆ ଯୁଗର ଆରମ୍ଭ ହେବ”। ‘ପରୀ’ ଖବରଦାତାମାନଙ୍କ ପକ୍ଷରୁ ପୂର୍ବରୁ ପ୍ରଦାନ କରାଯାଇଥିବା ବିବରଣୀ ଅନୁଯାୟୀ: ୨୦୨୦ ସୁଦ୍ଧା ସଶସ୍ତ୍ରବାହିନୀରେ ବାର୍ଷିକ ୬୧,୦୦୦ ନିଯୋଜିତ ହେବେ। ଅଗ୍ନିପଥ ଯୋଜନାରେ ଏହି ସଂଖ୍ୟା ୪୬,୦୦୦କୁ କମିଯିବ।

ଏହି ହ୍ରାସ ଯୋଗୁଁ ସାରା ଜୀବନ ପାଇଁ କର୍ମଜୀବୀ ଭାବେ ସେନାବାହିନୀରେ ଯୋଗ ଦେବାକୁ ଗ୍ରାମାଞ୍ଚଳ ଯୁବକମାନଙ୍କର ଯେଉଁ ସ୍ଵପ୍ନ ଥିଲା ତାହା ମରିଗଲା। ଏବେଠାରୁ ସେମାନେ ମାତ୍ର ଚାରି ବର୍ଷ କାର୍ଯ୍ୟ ଅବଧି ପାଇଁ ଯୋଗ ଦେବେ, ଯାହା ପରେ ସେମାନଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ସେନାବାହିନୀରେ ନିୟମିତ ପଦବୀରେ ଅବସ୍ଥାପିତ ହେବେ।

ପାଟିଆଲାସ୍ଥିତ ପଞ୍ଜାବୀ ବିଶ୍ଵବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ ଡିଫେନସ ଏଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜ ବିଭାଗର ପୂର୍ବତନ ମୁଖ୍ୟ ଡଃ ଉମରାଓ ସିଂଙ୍କ କହିବା ଅନୁଯାୟୀ ସେନାବାହିନୀରେ ପଞ୍ଜାବୀମାନେ ଅତି ଆଗ୍ରହରେ ଯୋଗ ଦେବାର କାରଣ ହେଉଛି କି ଗ୍ରାମୀଣ ସମାଜରେ ସଶସ୍ତ୍ରବାହିନୀରେ ଯୋଗ ଦେଲେ ଯେଉଁ ସମ୍ମାନ ଓ ପ୍ରତିପତ୍ତି ମିଳେ, ତା’ ଛଡା କାର୍ଯ୍ୟକାଳ ଭିତରେ ମିଳୁଥିବା ସୁବିଧା ସୁଯୋଗର ଯଥେଷ୍ଟ ଭୂମିକା ରହିଛି।

PHOTO • Courtesy: Surinder Singh
PHOTO • Courtesy: Surinder Singh

ପିଲାମାନଙ୍କୁ ସେନାବାହିନୀକୁ ପଠେଇବାର ଦୀର୍ଘ ଦିନର ପରମ୍ପରା ଯୋଗୁଁ ପଞ୍ଜାବର ସମସ୍ତ ବ ସହର ଓ ଛୋଟ ଟାଉନଗୁ ଡ଼ି କରେ ନିଯୁକ୍ତି ଏକାଡ଼େମୀଗୁଡ଼ିକର ଉପସ୍ଥିତି ରହିଥିଲା

“ଅଗ୍ନିବୀର ଯୋଜନା ଆରମ୍ଭ ହେବା ପରେ ଏହି ଚାକିରିକୁ ଯେଉଁ ସମ୍ମାନ ମିଳୁଥିଲା ତାହା କମିଗଲା। ସେମାନଙ୍କୁ ଏବେ କହୁଛନ୍ତି ଠେକେ ୱାଲେ ଫୌଜି – ବା ଠିକା ସୈନିକ। ଏଭଳି ସମ୍ମାନ ହ୍ରାସ ପାଇବା ଯୋଗୁଁ ଆଶାୟୀଙ୍କ ସଂଖ୍ୟା ଅତ୍ୟଧିକ ଭାବେ ହ୍ରାସ ପାଇଲା। ଅଗ୍ନିବୀର ଆରମ୍ଭ ହେବା ପରେ ବିଦେଶକୁ ଯିବା ଯୁବକମାନଙ୍କ ସଂଖ୍ୟା ହଠାତ୍‌ ବଢ଼ିଗଲା। କିନ୍ତୁ କାନାଡା ସହ ସମ୍ପର୍କ ବିଗିଡ଼ି ଯିବା କାରଣରୁ ଏବେ ସେହି ପସନ୍ଦ ମଧ୍ୟ ସମ୍ଭବ ହେଉନି। କୃଷି ସଙ୍କଟ ମଧ୍ୟରେ ରହିଥିବା ପଞ୍ଜାବର ଗ୍ରାମୀଣ ସମାଜ ସତେ ଯେମିତି ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି”, କହନ୍ତି ଡଃ ସିଂ।

ନିଯୁକ୍ତି ଆଶାୟୀ ମଧ୍ୟରୁ ବହୁ ସଂଖ୍ୟାରେ ଚାଷୀ ନଚେତ ଭୂମିହୀନ ଦଳିତ ପରିବାରଗୁଡ଼ିକରୁ ଆସିଥାନ୍ତି। ମାନସା ଜିଲ୍ଲାର ରଙ୍ଗରିଆଲ ଗାଁର ଯାଦବିନ୍ଦର ସିଂ ଯେ କି ଲିଖିତ ପରୀକ୍ଷା ପାଇଁ ଆଶାୟୀମାଙ୍କୁ ପ୍ରସ୍ତୁତ କରାନ୍ତି, କହନ୍ତି: “ପୂର୍ବରୁ ପାଞ୍ଚ-ସାତ ଏକର ଜମି ଥିବା ପରିବାରଗୁଡ଼ିକର ପୁଅମାନେ ଯଥେଷ୍ଟ ଅଧିକ ଆଗ୍ରହୀ ହେଉଥିଲେ, କିନ୍ତୁ ଏବେ କୃଷି ପୃଷ୍ଠଭୂମିରୁ କେହି କ୍ଵଚିତ ଆଶାୟୀ ଆସୁଛନ୍ତି। ବର୍ତ୍ତମାନ ଦଳିତ ପରିବାରଗୁଡ଼ିକର ଯୁବକମାନେ, ଯେଉଁମାନଙ୍କର ଅନ୍ୟ କୌଣସି ଉପାୟ ନାହିଁ କେବଳ ସେହିମାନେ ହିଁ ଆଗ୍ରହ ଦେଖାଉଛନ୍ତି”।

ଅଜୟ କୁମାର ସେହି ଭଳି ଏକ ଦଳିତ ପରିବାରର ପୁଅ। “ନିଜ ସ୍ଵପ୍ନ ସାକାର କରିବା ପାଇଁ ବହୁ ବର୍ଷ ପର୍ଯ୍ୟନ୍ତ ସେ ଜଣେ ଦିନ ମଜୁରିଆ ଭାବେ କାମ କଲା, ଓ ତା’ର ମା’ ଜମିଦାରମାନଙ୍କ ଗୋରୁଗୋଠ ସଫା କରିବାଠାରୁ ମନରେଗା ପରି ନାନାଦି ଛୋଟମୋଟ କାମ କରୁଥିଲେ”, କହନ୍ତି ଅଜୟଙ୍କ ବାପା ଚରଣଜିତ ସିଂ। “ତେବେ ସେଥିରୁ ଆମକୁ କ’ଣ ମିଳିଲା? ଟଙ୍କା? ଟଙ୍କା ତ ପବନରେ ମିଳେଇ ଯିବ”। [ସେ ବୀମା ଅର୍ଥ ବିଷୟରେ କହୁଥିଲେ, ଓ କ୍ଷତିପୂରଣ ବାବଦରେ ନୁହେଁ, କାରଣ ଅଜୟ ସେଭଳି କୌଣସି ସୁବିଧାର ହକଦାର ନଥିଲେ।]

ଚରଣଜିତ ରହି ଯାଇଥିବା ଜିନିଷଗୁଡ଼ିକୁ ଦେଖାନ୍ତି: ଯତ୍ନର ସହ ରଖାଯାଇଥିବା ଗୋଟିଏ କଳା ରଙ୍ଗର ଟ୍ରଙ୍କ ଯାହା ଉପରେ ଛତା ଅକ୍ଷରରେ ଲେଖାଯାଇଛି, ‘ଅଗ୍ନିବୀର ଅଜୟ କୁମାର’। ସେହି ତିନିଟି ଶବ୍ଦ ଭାଙ୍ଗି ଯାଇଥିବା ସ୍ଵପ୍ନର କଥା କହେ, କେବଳ ଅଜୟଙ୍କର ନୁହେଁ, ବରଂ ପଞ୍ଜାବର ସମୁଦାୟ ଗୋଟିଏ ଯୁବ ପିଢ଼ିର।

PHOTO • Vishav Bharti
PHOTO • Vishav Bharti

ବାମରେ: ଅଗ୍ନିବୀର ଅଜୟ କୁମାରଙ୍କ ତାଙ୍କ ଘରେ ଥିବା ଚିତ୍ରରୂପ। ଡାହାଣରେ: ଅଜୟ ଲ ଢ଼େ ଇ କରିଥିବା ୨୫ ଇନଫାଣ୍ଟରି ଡିଭିଜନର ଜେନେରାଲ ଅଫିସର କମା ଣ୍ଡି ଙ୍ଗ ମେଜର ଜେନେରାଲ ଗୌରବ ଋଷି ମନୋଜଙ୍କ ପରିବାର ନିକଟକୁ ପଠେଇଥିବା ସମବେଦନା ପତ୍ର

PHOTO • Vishav Bharti
PHOTO • Vishav Bharti

ବାମରେ: ଅଗ୍ନିବୀର ଅଜୟ କୁମାରଙ୍କ ଘରେ ଥିବା ତାଙ୍କ ଟ୍ରଙ୍କ। ଡାହାଣରେ: ଜନ୍ମଭୂମି ଓ ବଳିଦାନ ସମ୍ପର୍କରେ ଲେଖାଥିବା ଗୋଟିଏ ଫ୍ଲେକ୍ସ ସମ୍ମୁଖରେ ଥିବା ଅଗ୍ନିବୀର ଅଜୟ କୁମାରଙ୍କ ବାପା ମା’ ଚରଣଜିତ ସିଂ ଓ ମନଜିତ କୌର (ନି ମ୍ନୋକ୍ତ ପାଠ ପଢନ୍ତୁ)

ଅଜୟଙ୍କ ଘରେ ନୂଆ ତିଆରି ହୋଇଥିବା ବଖରାଏ ଘର ଲାଗେ ଅତି ଶୀଘ୍ର ଅତୀତରେ ମିଶିଗଲା ପରି, ଏକ ମାତ୍ର ପୁଅ ଓ ବାହା ହୋଇ ନଥିବା ଦୁଇ ଜଣଙ୍କ ସହ ଛ’ ଭଉଣୀଙ୍କ ଭିତରେ ଗୋଟିଏ ବୋଲି ଭାଇର ସ୍ମୃତିରେ ଭରପୁର ହୋଇ ରହିଥିବା ଆଇରନ୍ ହୋଇଥିବା ୟୁନିଫର୍ମ, ସାଇତି ରଖାଯାଇଥିବା ପଗଡ଼ି, ପାଲିସ ହୋଇଥିବା ଜୋତା ଓ ବନ୍ଧେଇ ହୋଇ ରହିଥିବା ଫଟୋଗୁଡ଼ିକରେ।

କଥାବାର୍ତ୍ତା ମଝିରେ ଦୀର୍ଘ ନୀରବତା ବେଳେ ଅଜୟଙ୍କ ବାପାଙ୍କୁ ଆମେ ନିର୍ଦ୍ଦିଷ୍ଟ ଭାବେ ପଚାରିଲୁ, ସେ କ’ଣ ଏବେ ବି ଗାଁର ଯୁବକମାନଙ୍କୁ ସେନାବାହିନୀରେ ଯୋଗଦେବାକୁ କହିବେ? “ମୁଁ ତାହା କାହିଁକି କରିବି? ମୋ ପୁଅ ତ କିଛି ନପାଇ ଚାଲିଗଲା। ଅନ୍ୟମାନଙ୍କ ପିଲାମାନେ ସେହି ସମାନ ଦଶା କାହିଁକି ଭୋଗିବେ?”, ସେ ପଚାରନ୍ତି।

ତାଙ୍କ ପଛପଟେ ଥିବା କାନ୍ଥରେ ଅଜୟଙ୍କ ଫଟୋ ଥାଇ ଲାଗିଥିବା ଫ୍ଲେକ୍ସରେ ଥିବା ଲେଖା କହେ:

ଲିଖ ଦିଓ ଲହୁ ନାଲ ଅମର କାହାନୀ, ବତନ ଦି ଖାତିର
କର ଦିଓ କୁର୍ବାନ ଏହ ଜୱାନୀ, ବତନ ଦି ଖାତିର

[ମାତୃଭୂମିର ପ୍ରେମରେ, ନିଜ ରକ୍ତରେ ଲେଖିଦିଅ ଅମର କାହାଣୀ
ମାତୃଭୂମିର ପ୍ରେମରେ, ଉତ୍ସର୍ଗ କରିଦିଅ ନିଜ ଯୌବନ...]

ସ୍ମୃତିର ସମୁଦ୍ରରେ ହଜି ଯାଇଥିବା ଚରଣଜିତ ସିଂଙ୍କ ଆଖି ଲାଗେ ପଚାରିଲା ପରି: ପ୍ରତିବଦଳରେ କ'ଣ ଦିଏ ମାତୃଭୂମି?

ଉପସଂହାର:

୨୪ ଜାନୁଆରୀ, ୨୦୨୫ରେ ତ୍ରିରଙ୍ଗାରେ ଗୁଡ଼ା ହୋଇଥିବା ଆଉ ଗୋଟିଏ ଶବ ପଞ୍ଜାବର ମାନସା ଜିଲ୍ଲା ଅକଲିୟା ଗାଁରେ ଜଣେ କ୍ଷୁଦ୍ର ଚାଷୀଙ୍କ ଘରେ ପହଞ୍ଚିଥିଲା ମୃତକ ଥିଲେ ୨୪ ବର୍ଷୀୟ ଲଭପ୍ରୀତ ସିଂହ ସେ ଗତ ୧୫ ମାସ ଧରି ଦେଶର ସୀମାକୁ ସୁରକ୍ଷା ଦେଉଥିବା ବେଳେ ନିଜର ପ୍ରାଣବଳୀ ଦେଇଥିବା ପଞ୍ଜାବର ତୃତୀୟ ଅଗ୍ନିବୀର ଥିଲେ

ସେମାନେ ସମସ୍ତେ କାଶ୍ମୀରରେ ପ୍ରାଣ ହରାଇଥିଲେ ସର୍ବପ୍ରଥମ ଅଗ୍ନିବୀର ଅମୃତପାଲ ସିଂହଙ୍କର ଅକ୍ଟୋବର ୨୦୨୩ରେ ମୃତ୍ୟୁ ହୋଇଥିଲା ଏହାପରେ ଜାନୁଆରୀ ୨୦୨୪ରେ ଅଜୟ କୁମାରଙ୍କର ମୃତ୍ୟୁ ଘଟିଥିଲା, ଯାହାଙ୍କ ଉପରେ କାହାଣୀଟି କେନ୍ଦ୍ରିତ ଅଜୟ କୁମାରଙ୍କ ପରିବାର ଭଳି ଲଭପ୍ରୀତଙ୍କ ବାପା ବେଅନ୍ତ ସିଂହଙ୍କ ପାଖରେ ମଧ୍ୟରେ କେବଳ ସ୍ମୃତି ରହିଯାଇଛି

‘‘ ଲଭପ୍ରୀତଙ୍କ ଘରେ ଗୋଟେ ନୂଆ ଘଣ୍ଟା ପହଞ୍ଚିଥିଲା; ସେ ଘରକୁ ଫେରି ଏହାକୁ ପିନ୍ଧିଥା’ ନ୍ତେ କିନ୍ତୁ ତାହା ଏବେ ହୋଇପାରିବ ନାହିଁ,’’ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ବେଅନ୍ତ ସିଂ କାନ୍ଦି କାନ୍ଦି କହିଥା’ ନ୍ତି ଆଉ ଗୋଟିଏ ପରିବାର ପାଇଁ ସମୟ ଯେପରି ଅଟକି ଯାଇଛି ତେବେ ପ୍ରତ୍ୟେକ ଯୁବକ ସହିଦ ହେବା ସହିତ ପଞ୍ଜାବରେ ଅଗ୍ନିବୀରମାନଙ୍କୁ ସମ୍ମାନ ନ୍ୟାୟ ପାଇଁ ଦାବି ଅଧିକ ତୀବ୍ର ହେବାରେ ଲାଗିଛି

ଅନୁବାଦ : ଓଡ଼ିଶାଲାଇଭ୍‍

Vishav Bharti

Vishav Bharti is a journalist based in Chandigarh who has been covering Punjab’s agrarian crisis and resistance movements for the past two decades.

Other stories by Vishav Bharti
Editor : P. Sainath
psainath@gmail.com

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE