କୃଷ୍ଣାଜୀ ଭରୀତରେ ଗୋଟିଏ ହେଲେ ହାତ ଖାଲି ନଥିଲା।
ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନ ପୂର୍ବରୁ ଏବଂ ଜଲଗାଓଁ ରେଳ ଷ୍ଟେସନରେ ଦୂରଗାମୀ ଟ୍ରେନ୍ ରହଣୀ ପୂର୍ବରୁ, ଏଠାରେ ପ୍ରାୟ ୩୦୦ କିଲୋଗ୍ରାମ ବାଇଗଣ ଭରୀତ ଦୈନିକ ରୋଷେଇ ହୋଇଥାଏ, ପରଷା ଯାଇଥାଏ ଏବଂ ପ୍ୟାକ୍ କରି ପଠାଯାଇଥାଏ। ଏହା ହେଉଛି ଜଲଗାଓଁ ସହରର ପୁରୁଣା ବିଜେ ମାର୍କେଟ୍ ଅଞ୍ଚଳରେ ଥିବା ଏକ ଚମତ୍କାର ଭୋଜନାଳୟ। ଏହାର ଗ୍ରାହକଙ୍କ ମଧ୍ୟରେ ବଡ଼ ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ମଜୁରିଆ, ସାଂସଦ ଆଶାୟୀଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀ ସାମିଲ ରହିଛନ୍ତି।
ଗୋଟିଏ ଉଷ୍ଣ କାର୍ଯ୍ୟ ଦିବସର ସନ୍ଧ୍ୟାରେ ରାତ୍ରୀ ଭୋଜନର ଠିକ୍ ପୂର୍ବରୁ କୃଷ୍ଣାଜୀ ଭରୀତର ଆଭ୍ୟନ୍ତରୀଣ ପରିସରରେ ସଫା କରିବା, କାଟିବା, ଦଳିବା, ଚୋପା ଛଡ଼େଇବା, ଭାଜିବା, ଛାଣିବା, ଛାଙ୍କିବା, ପରିବେଷଣ କରିବା ଏବଂ ପ୍ୟାକିଂ କରିବାର କାର୍ଯ୍ୟବ୍ୟସ୍ତତା ଜାରି ରହିଛି । ପୁରୁଣା ସିଙ୍ଗଲ୍ ସ୍କ୍ରିନ୍ ସିନେମା ହଲ୍ର ବକ୍ସ ଅଫିସ ବାହାରେ ଯେମିତି ଧାଡ଼ି ଦେଖିବାକୁ ମିଳିଥାଏ ଠିକ୍ ସେମିତି ପୁରୁଷମାନଙ୍କ ଧାଡ଼ି ରେସ୍ତୋରାଁ ବାହାରେ ରହିଥିବା ତିନୋଟି ଷ୍ଟିଲ୍ ରେଲିଂ ପାର୍ଶ୍ୱରେ ଲାଗି ରହିଛି।
ଏଠାରେ ୧୪ ଜଣ ମହିଳା ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି।

ଜଲଗାଁଓ ଜିଲ୍ଲାପାଳ ଆୟୁଷ ପ୍ରସାଦ ଏପ୍ରିଲ୍ ୨୦୨୪ର ଅନ୍ତିମ ସପ୍ତାହରେ କୃଷ୍ଣାଜୀ ଭରୀତ ପରିସରରେ ଏକ ନିର୍ବାଚନ ସଚେତନତା ଭିଡିଓ ଶୁଟିଂ କରିଥିଲେ। ଜିଲ୍ଲା ସୂଚନା ଅଧିକାରୀଙ୍କ କହିବା ଅନୁଯାୟୀ, ଭିଡିଓକୁ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ ଏବଂ ଡାଉନଲୋଡ୍ କରିଥିଲେ
ସେମାନେ ବିସ୍ତୃତ ପ୍ରସ୍ତୁତିର ମେରୁଦଣ୍ଡ ଭଳି କାର୍ଯ୍ୟ କରିଥାନ୍ତି। ଦୈନିକ ସେମାନେ ତିନି କୁଇଣ୍ଟାଲ୍ ବାଇଗଣରେ ବାଇଗଣ ଭରୀତ ରାନ୍ଧନ୍ତି, ଏହାକୁ ଦେଶର ଅନ୍ୟ ଭାଗରେ ବୈଗନ୍ କା ଭର୍ତ୍ତା (ବାଇଗଣ ଭର୍ତ୍ତା) କୁହାଯାଏ। ଜଲଗାଁଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ବ୍ୟସ୍ତବହୁଳ ଭୋଜନାଳୟ ବାହାରେ ଏକ ନିର୍ବାଚନ ସଚେତନତା ଭିଡିଓ ଶୁଟିଂ କରାଯିବା ପରେ, ସେମାନେ ଏବେ ଲୋକପ୍ରିୟ ଚେହେରା ପାଲଟିଯାଇଛନ୍ତି।
ଜଲଗାଁଓ ସଂସଦୀୟ କ୍ଷେତ୍ରରେ ମେ ୧୩ ତାରିଖରେ ମତଦାନ ହେବା ପୂର୍ବରୁ ଏଠାରେ ମହିଳାଙ୍କ ମତଦାନ ହାରରେ ସୁଧାର ଆଣିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓରେ କୃଷ୍ଣାଜୀ ଭରୀତର ମହିଳାମାନେ ସେମାନଙ୍କ ଅଧିକାର ବିଷୟରେ କ’ଣ ଜାଣନ୍ତି ଏବଂ ମତଦାନ ଦିନ ନିଜର ମତାଧିକାର ସାବ୍ୟସ୍ତ କରିବା ପ୍ରକ୍ରିୟା ବିଷୟରେ କ’ଣ ଶିଖିଛନ୍ତି ସେ ବିଷୟରେ କରୁଥିବା ଆଲୋଚନା ପ୍ରଦର୍ଶିତ ହୋଇଛି ।
‘‘ଜିଲ୍ଲାପାଳଙ୍କ ଠାରୁ ମୁଁ ଜାଣିବାକୁ ପାଇଲି ଯେ ସେହି ଗୋଟିଏ ମୁହୂର୍ତ୍ତରେ ଯେତେବେଳେ ଆମେ ଭୋଟିଂ ମେସିନ୍ ସାମ୍ନାରେ ଛିଡ଼ା ହୋଇଥାଉ, ଆମ ଆଙ୍ଗୁଠିରେ କାଳି ଲାଗେ, ସେତେବେଳେ ଆମେ ପ୍ରକୃତରେ ସ୍ୱାଧୀନ ହୋଇଥାଉ,’’ ମୀରାବାଇ ନାରାଲ କୋଣ୍ଡେ କୁହନ୍ତି । ଗୋଟିଏ ଛୋଟ ସେଲୁନ୍ରେ ତାଙ୍କ ପରିବାର ଚଳେ। ରେସ୍ତୋରାଁରୁ ତାଙ୍କୁ ମିଳୁଥିବା ବେତନ ପରିବାରର ଆୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ‘‘ଆମ ସ୍ୱାମୀ କିମ୍ବା ବାପା-ମା’ କିମ୍ବା ମୁନିବ କିମ୍ବା ନେତାଙ୍କୁ ନପଚାରି ମଧ୍ୟ ଆମେ ନିଜ ପସନ୍ଦ ବାଛି ପାରିବୁ।’’
ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ ବ୍ୟସ୍ତ ଋତୁରେ କୃଷ୍ଣାଜୀ ଭରୀତର ଭୋଜନାଳୟରେ ଉତ୍ପାଦନ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ, କାରଣ ଏହି ସମୟରେ ସ୍ଥାନୀୟ ବଜାରରେ ଶୀତଦିନିଆ ଉନ୍ନତ ବାଇଗଣ ଅଧିକ ମାତ୍ରାରେ ଅମଳ ହୁଏ। ମହିଳାମାନେ କୁହନ୍ତି, ସତେଜ ଗୁଣ୍ଡ ଓ ଭଜା ହୋଇଥିବା ଲଙ୍କା, ଧନିଆ, ଭଜା ଚିନାବାଦାମ, ରସୁଣ ଓ ନଡ଼ିଆ ଆକର୍ଷଣର ଗୋଟିଏ ଅଂଶବିଶେଷ ହୋଇଥାଏ। ଅନ୍ୟ ଭାଗ ହେଉଛି ଶସ୍ତା ଦାମ୍। ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ପରିବାର ପାଇଁ ଗୋଟିଏ କିଲୋ ଭରୀତ ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ ନେଇ ହେବ।
୧୦ x ୧୫ ଫୁଟ୍ ରୋଷେଇ ଘରେ ଗୋଟିଏ ଭାଟି ଓ ଚାରିଟି ଚୁଲା ବ୍ୟସ୍ତ ରହିଲେ, ଡାଲ୍ ଫ୍ରାଏ, ପନୀର-ମଟର ଏବଂ ଅନ୍ୟ ଶାକାହାରୀ ବ୍ୟଞ୍ଜନ ସମେତ ମୋଟ୍ ୩୪ଟି ଆଇଟମ୍ ପ୍ରସ୍ତୁତ ହୋଇଥାଏ। ତେବେ ଏସବୁ ଉତ୍ପାଦ ମଧ୍ୟରେ ସବୁଠୁ ଲୋକପ୍ରିୟ ହେଉଛି ଭରୀତ୍ ଏବଂ ବେସନରେ ଟାଣ କରି ଛଣା ହୋଇଥିବା ସେଓରେ ପ୍ରସ୍ତୁତ ସ୍ୱାଦିଷ୍ଟ ସେଓ ଭାଜି ।


ବାମ : ପ୍ରତିଦିନ ୩ରୁ ୫ କୁଇଣ୍ଟାଲ୍ ବାଇଗଣ ଭରୀତ ପ୍ରସ୍ତୁତ କରିବା ଲାଗି କୃଷ୍ଣା ଭରୀତ ସ୍ଥାନୀୟ ଚାଷୀ ଏବଂ ବଜାରରୁ ଶ୍ରେଷ୍ଠ ମାନର ବାଇଗଣ କିଣିଥାଏ। ଡାହାଣ : ରାତ୍ରିଭୋଜନ ପାଇଁ ସତେଜ ତରକାରୀ ଓ ଭରୀତ ତିଆରି କରିବା ଲାଗି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ପିଆଜ କଟାଯିବାକୁ ଅପେକ୍ଷା ରହିଛି


ବାମ : କୃଷ୍ଣାଜୀ ଭରୀତର ଛୋଟିଆ ରୋଷେଇ ଘରେ ଥିବା ଚାରିଟି ଚୁଲା ମଧ୍ୟରୁ ଗୋଟିଏ ଚୁଲା ପାଖରେ ମଟର, ମସଲା, ବଡ଼ ଖଣ୍ଡେ ପନୀର ଏବଂ ସଦ୍ୟ ରନ୍ଧା ହୋଇଥିବା ଡାଲ୍ ଫ୍ରାଏ ରଖାଯାଇଛି। ଡାହାଣ : ରଜିଆ ପଟେଲ କୁଟା କିମ୍ବା ବଟା ଯିବାକୁ ଥିବା ଶୁଖିଲା ନଡ଼ିଆକୁ ଛୋଟ ଛୋଟ ଖଣ୍ଡ କରି କାଟୁଛନ୍ତି। ସେ ପ୍ରତିଦିନ ୪୦ଟି ନଡ଼ିଆକୁ ଏପରି ପ୍ରସ୍ତୁତ କରିଥାନ୍ତି
ସୁଲଭତା ଏବଂ ଗୁଜୁରାଣ ମେଣ୍ଟାଇବା ସମ୍ପର୍କରେ ଆଲୋଚନା ଆରମ୍ଭ ହେବା ପରେ, ମହିଳାମାନେ ଅଚାନକ କୁଣ୍ଠାବୋଧ କରନ୍ତି ନାହିଁ । ୪୬ ବର୍ଷୀୟା ପୁଷ୍ପା ରାଓସାହେବ ପାଟିଲ ସୁରକ୍ଷିତ ରୋଷେଇ ଇନ୍ଧନ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରର ଲାଭ ପାଇପାରୁନାହାନ୍ତି । କାଗଜପତ୍ରକୁ ନେଇ ସମସ୍ୟା ରହିଛି, ସେ କୁହନ୍ତି।
ଉଷାବାଇ ରମା ସୁତାରଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ, ତାଙ୍କର ଘର ନାହିଁ । ‘‘ ଲୋକନ୍ ନା ମୂଲ୍ ଭୂତ୍ ସୁବିଧା ମିଲାୟାଲାହା ବୟେତ୍ , ନାହି (ଲୋକମାନେ ମୌଳିକ ସୁବିଧା ପାଇବା ଉଚିତ୍ କି ନୁହେଁ ?’’ କିଛି ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ହରାଇବା ପରେ ନିଜ ପୈତୃକ ବାସସ୍ଥାନ ଥିବା ସହରକୁ ଫେରି ଆସିଥିବା ଏହି ବିଧବା ମହିଳା ଜଣଙ୍କ କୁହନ୍ତି। ‘‘ପ୍ରତ୍ୟେକ ନାଗରିକଙ୍କର ରହିବା ଲାଗି ଘର ଥିବା ଉଚିତ୍।’’
ଅଧିକାଂଶ ମହିଳା ଭଡ଼ା ଘରେ ରୁହନ୍ତି। ରଜିଆ ପଟେଲ (୫୫) କୁହନ୍ତି, ତାଙ୍କର ସ୍ୱଳ୍ପ ମାସିକ ଆୟର ପ୍ରାୟ ଏକ ତୃତୀୟାଂଶ ଭାଗ ଅର୍ଥାତ୍ ୩,୫୦୦ ଟଙ୍କା ଭଡ଼ା ଦେବାରେ ଯାଏ। ‘‘ନିର୍ବାଚନ ପରେ ନିର୍ବାଚନ ଆସୁଛି, ଆମେ ମହଙ୍ଗାଇ (ଦରଦାମ ବୃଦ୍ଧି)କୁ ନେଇ ନାନା ପ୍ରତିଶ୍ରୁତି ଶୁଣୁଛୁ,’’ ସେ କୁହନ୍ତି । ‘‘ନିର୍ବାଚନ ପରେ, ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଉଛି।’’
ନିଜେ ସ୍ୱାଧୀନ ରହିବା ଏବଂ ଅନ୍ୟ କୌଣସି ବିକଳ୍ପ ନଥିବା କାରଣରୁ ମହିଳାମାନେ ଏହି କାମ କରୁଥିବା କୁହନ୍ତି । କିଛି ମହିଳା ବହୁ ବର୍ଷ ଧରି ଏଠାରେ କାମ କରି ଆସୁଛନ୍ତି - ସୂତାର ୨୧ ବର୍ଷ, ସଙ୍ଗୀତା ନାରାୟଣ ସିନ୍ଦେ ୨୦ ବର୍ଷ, ମାଲୁବାଇ ଦେବୀଦାସ ମାହାଲେ ୧୭ ବର୍ଷ ଏବଂ ଉଷା ଭୀମରାଓ ଧନଗର ୧୪ ବର୍ଷ ହେବ କାମ କରୁଛନ୍ତି।
୪୦ରୁ ୫୦ କିଲୋଗ୍ରାମ ବାଇଗଣକୁ ପ୍ରସ୍ତୁତ କରିବା ଠାରୁ ସେମାନଙ୍କ ଦିନ ଆରମ୍ଭ ହୁଏ। ଦିନର ପ୍ରଥମ ପର୍ଯ୍ୟାୟରେ ସେମାନେ ଅନେକ ବାଇଗଣକୁ ପ୍ରସ୍ତୁତ କରନ୍ତି । ସେଗୁଡ଼ିକୁ ସିଝାଇବା, ଭାଜିବା, ଚୋପା ଛଡ଼ାଇବା ଏବଂ ଏହା ଭିତରେ ଥିବା ମାଂସଳ ଭାଗକୁ ବାହାର କରିବା ଏବଂ ହାତରେ ଚକଟିବା କାମ କରିବାକୁ ହୁଏ। କିଲୋ ଆକାରରେ କଞ୍ଚା ଲଙ୍କା, ରସୁଣ ଏବଂ ଚିନାବାଦାମ ଗୋଳାଯାଏ। ପ୍ରଥମେ ଗରମ ତେଲରେ ଏହି ଠେଚା (କଞ୍ଚା ଲଙ୍କା ଓ ଚିନାବାଦାମକୁ ଛେଚି ପ୍ରସ୍ତୁତ କରାଯାଇଥିବା ଚଟଣି) ସହିତ ଛୋଟ ଛୋଟ କରି କଟା ହୋଇଥିବା ଧନିଆ ପତ୍ର ପକାଯାଏ, ଏହା ପରେ ପିଆଜ ଓ ବାଇଗଣ ପଡ଼େ। ମହିଳାମାନେ ସବୁଦିନ କେତେ ଡଜନ କିଲୋଗ୍ରାମ ପିଆଜ କାଟିଥା’ନ୍ତି ।


ବାମ : ମହିଳାମାନେ ଦୈନିକ ପ୍ରାୟ ୨,୦୦୦ ପୋଲି ବା ଚପାତି (ରୁଟି) ବେଲନ୍ତି ଏବଂ ଏହା ବ୍ୟତୀତ ବାଜରାରେ ୧,୫୦୦ ଭାକରୀ ତିଆରି କରନ୍ତି । ଡାହାଣ : କୃଷ୍ଣାଜୀ ଭରୀତର ‘ପାର୍ସଲ ଡେଲିଭରୀ’ ଝରକା ବାହାରେ ତରକାରୀ ଭର୍ତ୍ତି ପ୍ଲାଷ୍ଟିକ୍ ଥଳି ରଖାଯାଇଛି
କୃଷ୍ଣାଜୀ ଭରୀତ କେବଳ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ନୁହେଁ; ଦୂରସୁଦୂର ସହର ଓ ତହସିଲର ଲୋକମାନଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ରସ୍ଥଳୀ। ଏଠାରୁ ୨୫ରୁ ୫୦ କିଲୋମିଟର ଦୂର ପଚୋରା ଏବଂ ଭୁସାବଲରୁ ଆସିଥିବା କିଛି ଲୋକ ଭିତରେ ପଡ଼ିଥିବା ନଅଟି ଛୋଟ ଛୋଟ ଟେବୁଲରେ ଆଗୁଆ ରାତ୍ରିଭୋଜନ କରି ନେଉଛନ୍ତି।
ଡୋମ୍ବିୱଲି, ଠାଣେ, ପୁଣେ ଓ ନାସିକ ସମେତ ୪୫୦ କିଲୋମିଟର ଦୂରରେ ଥିବା ସ୍ଥାନକୁ କୃଷ୍ଣାଜୀ ଭରୀତରୁ ଦୈନିକ ୧,୦୦୦ ପାର୍ସଲ ପଠାଯାଇଥାଏ।
ଅଶୋକ ମୋତିରାମ ଭୋଲେ ୨୦୦୩ରେ କୃଷ୍ଣାଜୀ ଭରୀତ ପ୍ରତିଷ୍ଠା କରିଥିଲେ। ଶାକାହାରୀ ଭୋଜନାଳୟ ପ୍ରତିଷ୍ଠା କଲେ ଲାଭଦାୟକ ହେବ ବୋଲି ଜଣେ ସ୍ଥାନୀୟ ଧର୍ମଗୁରୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କର ନାମାନୁସାରେ ଏହାର ନାମକରଣ କରାଯାଇଥିଲା। ଏଠାକାର ପରିଚାଳକ ଦେବେନ୍ଦ୍ର କିଶୋର ଭୋଲେ କୁହନ୍ତି, ଏଠାକାର ଭରୀତ ଏକ ଅସଲି ଘର ତିଆରି ବ୍ୟଞ୍ଜନ ଯାହାକୁ ଲେୱା ପାଟିଲ୍ ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ରାନ୍ଧିଥା’ନ୍ତି।
ଉତ୍ତର ମହାରାଷ୍ଟ୍ରର ଖାନ୍ଦେଶ ଅଞ୍ଚଳରେ ଲେୱା-ପାଟିଲ ସମ୍ପ୍ରଦାୟର ସାମାଜିକ-ରାଜନୈତିକ ପ୍ରଭୁତ୍ୱ ରହିଛି। ଏମାନେ ଏକ କୃଷିଜୀବୀ ସମ୍ପ୍ରଦାୟ ଯେଉଁମାନଙ୍କର ନିଜସ୍ୱ କଥିତ ଭାଷା ଓ ଖାଦ୍ୟ ଓ ସାଂସ୍କୃତିକ ମୂଳଦୁଆ ରହିଛି।
ବାଇଗଣ ତରକାରୀର ସୁଗନ୍ଧ ରେସ୍ତୋରାଁ ସାରା ବ୍ୟାପିବା ସହିତ ମହିଳାମାନେ ରାତ୍ରିଭୋଜନ ପାଇଁ ପୋଲି ଓ ଭାକରୀ ତିଆରି କରିବା ଆରମ୍ଭ କରି ଦେଇଛନ୍ତି। ମହିଳାମାନେ ଦୈନିକ ପ୍ରାୟ ୨,୦୦୦ ପୋଲି (ଚପାତି ବା ଗହମରେ ତିଆରି ରୁଟି) ଏବଂ ପ୍ରାୟ ୧,୫୦୦ ଭାକରୀ (କୃଷ୍ଣାଜୀ ଭରୀତରେ ବାଜରାରେ ତିଆରି ରୁଟି)
ଖୁବଶୀଘ୍ର ରାତ୍ରି ଭୋଜନ ସମୟ ଆସିଯିବ ଏବଂ ଦିନର କାମ ଶେଷ ହେବା ସହିତ ମହିଳାମାନେ ବିଶ୍ରାମ ନେବେ, ଥରକେ ଗୋଟିଏ ଭରୀତ ପାର୍ସଲ।
ଅନୁବାଦ: ଓଡ଼ିଶାଲାଇଭ୍