ସକାଳ ୬ଟା ୩୦ରୁ କାମରେ ଲାଗିଛନ୍ତି ତୁଫାନି ଏବଂ ତାଙ୍କ ବୁଣାକାର ଦଳ । ଦିନକୁ ୧୨ ଇଞ୍ଚ ହିସାବରେ, ୨୩x୬ ଫୁଟ୍ର ଏହି ଗାଲିଚା ତିଆରି କରିବା ପାଇଁ ଚାରି ଜଣିଆ ଏହି ବୁଣାକାର ଦଳକୁ ୪୦ ଦିନ ଲାଗିବ ।
ବିଳମ୍ବିତ ମଧ୍ୟାହ୍ନରେ, ବିଶ୍ରାମ ନେବାକୁ ଗୋଟିଏ କାଠ ବେଞ୍ଚ ଉପରେ ବସି ପଡ଼ନ୍ତି ତୁଫାନି ବିନ୍ଦ । ତାଙ୍କ ପଛରେ, ଟିଣ ଛାତଦିଆ ଛୋଟିଆ ଘରଟିଏ, ଯେଉଁଥିରେ ସେ କାମ କରନ୍ତି । ଉତ୍ତର ପ୍ରଦେଶର ପୁର୍ଜାଗିର ମୁଜେହାରା ଗାଁର ତାଙ୍କର ଏହି କର୍ମଶାଳାରେ, ଗୋଟିଏ କାଠ ଫ୍ରେମ୍ରୁ ଝୁଲୁଥାଏ ଅନେକ ଧଳା କପାସୂତା । ଏହା ହିଁ ରାଜ୍ୟରେ ଗାଲିଚା ବୁଣା ଶିଳ୍ପର କେନ୍ଦ୍ରସ୍ଥଳ, ଯେଉଁ ଶିଳ୍ପର ଶୁଭାରମ୍ଭ ହୋଇଥିଲା ମୋଗଲ ଅମଳରେ ଏବଂ ଯାହା ଶିଳ୍ପର ରୂପ ନେଲା ବ୍ରିଟିଶ ଅମଳରେ। ଦରି, ଚଟେଇ ଏବଂ ଗାଲିଚା ବୁଣା କ୍ଷେତ୍ରରେ ଉତ୍ତର ପ୍ରଦେଶର ପ୍ରାଧାନ୍ୟ ରହିଆସିଛି ଏବଂ ୨୦୨୦ର ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ଅନୁସାରେ, ଦେଶରେ ଉତ୍ପାଦିତ ମୋଟ ଗାଲିଚାର ପ୍ରାୟ ଅଧା (୪୭ ପ୍ରତିଶତ) ଏଠାରୁ ପ୍ରସ୍ତୁତ କରାଯାଇଥାଏ ।
ମିର୍ଜାପୁର ସହରରୁ ଜାତୀୟ ରାଜପଥ ଛାଡ଼ି ଆଗକୁ ଚାଲିଲେ ପୁର୍ଜାଗିର ମୁଜେହାରା ଗାଁ ଯାଏଁ ଲମ୍ବିଥିବା ରାସ୍ତାଟି ଧୀରେ ଧୀରେ ଅଣଓସାରିଆ ହୋଇଯାଏ । ଗାଁ ରାସ୍ତାର ଉଭୟ ପାଖରେ ରହିଛି ପ୍ରାୟତଃ ଗୋଟିଏ ମହଲାର ପକ୍କା ଘର ଏବଂ ଚାଳଛପର କଚ୍ଚା ଘର, ଘର ଭିତରୁ ଘଷି ଧୂଆଁ ବାହାରି ପବନରେ ମିଶୁଥାଏ । ଦିନବେଳା ଗାଁର ପୁରୁଷମାନେ ବାହାରେ ଦେଖାଯାଆନ୍ତି ନାହିଁ, କିନ୍ତୁ ମହିଳାମାନେ ନିତିଦିନିଆ କାମରେ ବ୍ୟସ୍ତ ଥାଆନ୍ତି । କେଉଁଠି ହ୍ୟାଣ୍ଡ ପମ୍ପ୍ ପାଖରେ ଲୁଗା ଧୋଉଥାଆନ୍ତି ତ ଆଉ କେଉଁଠି ପରିବା ବିକାଳି କିମ୍ବା ପ୍ରସାଧନ ସାମଗ୍ରୀ ବିକାଳିଙ୍କ ସହିତ କଥାବାର୍ତ୍ତା କରୁଥାଆନ୍ତି ।
ଏହା ଯେ ବୁଣାକାରମାନଙ୍କର ଏକ ବସତି ବୋଲି ଗାଁର କେଉଁଠୁ ହେଲେ ସଙ୍କେତ ମିଳେନି- କେଉଁଠି ହେଲେ ଗାଲିଚା ଝୁଲୁ ନଥାଏ କି ବାହାରେ ଥାକମରା ହୋଇ ରଖାଯାଇ ନଥାଏ । ହେଲେ ପ୍ରତି ପରିବାର ପାଖରେ ଗାଲିଚା ବୁଣିବା ଉଦ୍ଦେଶ୍ୟରେ କିଛି ସ୍ଥାନ କିମ୍ବା ଏକ ଅତିରିକ୍ତ କୋଠରିଟିଏ ଥାଏ । ଗାଲିଚା ବୁଣା ସରିବା ମାତ୍ରେ ହିଁ ଏହାକୁ ଧୋଇ ସଫା କରିବା ଲାଗି ମଧ୍ୟସ୍ଥମାନେ ନେଇଯାଆନ୍ତି ।
ବିଶ୍ରାମ ନେଉ ନେଉ ‘ପରୀ’ ସହ କଥାବାର୍ତ୍ତା ଆରମ୍ଭ କରି ତୁଫାନି କହନ୍ତି, “ମୁଁ ଏହା (ବାନ୍ଧ ବୁଣାକାମ) ମୋ ବାପାଙ୍କ ପାଖରୁ ଶିଖିଲି ଏବଂ ୧୨-୧୩ ବର୍ଷ ବୟସରୁ ଏହା କରିଆସୁଛି ।” ତାଙ୍କ ପରିବାର ବିନ୍ଦ ସଂପ୍ରଦାୟର (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) । ଜନଗଣନା ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ଅଧିକାଂଶ ବୁଣାକାର ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ ହୋଇଛନ୍ତି।

ତାଙ୍କ ତନ୍ତ ଆଗରେ ଗୋଟିଏ କାଠପଟା ଉପରେ ବସିଛନ୍ତି ତୁଫାନି ବିନ୍ଦ , ପୁର୍ଜାଗିର ମୁଜେହାରାର ଜଣେ ବୁଣାକାର


ବାମ : ଗାଲିଚା ବୁଣା ହେଉଥିବା କୋଠରିର ଉଭୟ ପା ର୍ଶ୍ୱ ରେ ଖୋଳା ଯାଇଥିବା ଅଣଓସାରିଆ ଖାତ ଭିତରେ ତନ୍ତ ରଖା ଯାଇଥାଏ । ଡାହାଣ : ପୁର୍ଜାଗିର ଗାଁରେ ଇଟା ଓ ମାଟିରେ ଗଢ଼ା ହୋଇଥିବା ଏକ ସାଧାରଣ ତନ୍ତଶାଳା
ସେମାନଙ୍କର ତନ୍ତଶାଳା କହିଲେ ମାଟିର ଚଟାଣ ଉପରେ ଏକ ସଂକୀର୍ଣ୍ଣ ସ୍ଥାନ, ବାୟୁ ଚଳାଚଳ ପାଇଁ ଖୋଲା ରହିଥିବା ଗୋଟିଏ ବୋଲି ଝରକା ଓ ଗୋଟିଏ ଦୁଆର, କୋଠରି ବା ଖାଲି ସ୍ଥାନର ଅଧିକାଂଶ ଭାଗରେ ତନ୍ତ ବସିଥାଏ । ତୁଫାନିଙ୍କ ଭଳି ଆଉ କେତେ ଜଣଙ୍କର ତନ୍ତଶାଳା ଆକାରରେ ଲମ୍ବା ଏବଂ ଅଣଓସାରିଆ, ଯେଉଁଠାରେ ଥରକରେ ସଂଖ୍ୟାଧିକ ବୁଣାକାର ବସି ଲୁହା ତନ୍ତରେ ବୁଣାକାମ କରିପାରିବେ । ପରିବାରର ଅନ୍ୟମାନେ ଘର ଭିତରେ ରହି ଲୁହା କିମ୍ବା କାଠର ଛଡ଼ ଉପରେ ରଖାଯାଇଥିବା ଛୋଟ ଆକାରର ତନ୍ତରେ କାମ କରନ୍ତି । ବୁଣାକାମରେ ସାରା ପରିବାର ଲାଗିଥାଆନ୍ତି ।
ଗୋଟିଏ କପାସୂତାର ଫ୍ରେମ ଉପରେ ଉଲ୍ ଦେଇ ସିଲେଇ କରିବାରେ ଲାଗିଛନ୍ତି ତୁଫାନି- ଏହି ଶୈଳୀକୁ କହନ୍ତି ବାନ୍ଧ (କିମ୍ବା ଟପ୍କା ) ବୁଣା, ଟପ୍କା କହିଲେ ଗୋଟିଏ ଗାଲିଚାର ପ୍ରତି ବର୍ଗ ଇଞ୍ଚରେ କରାଯାଇଥିବା ସିଲେଇର ସଂଖ୍ୟାକୁ ବୁଝାଏ । ଅନ୍ୟ ଶୈଳୀର ବୁଣାକାମ ତୁଳନାରେ ଏହି କାମରେ ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡ଼ିଥାଏ କାରଣ, କାରିଗରମାନେ ହାତରେ ସିଲେଇ କରିଥାଆନ୍ତି । ଏହାକୁ ଠିକ୍ ଭାବରେ କରିବା ପାଇଁ, ତୁଫାନି ଅଳ୍ପ କେଇ ମିନିଟ୍ର ବ୍ୟବଧାନରେ ଥରେ ଲେଖାଏଁ ଉଠି ସୂତ (ସୂତା)ର ଫ୍ରେମ୍କୁ ଦମ୍ଭ (ବାଉଁଶ ଠେକ) ସହାୟତାରେ ସଜାଡ଼ି ନିଅନ୍ତି । ବାରମ୍ବାର ଉଠିବା ଓ ପୁଣି ଚକାପାରି ବସିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼େ ।
ଗୋଛା ବୁଣା ଅପେକ୍ଷାକୃତ ଭାବେ ଗାଲିଚା ବୁଣାର ଏକ ପ୍ରକାର ନୂଆ ଶୈଳୀ, ଯେଉଁଥିରେ ହାତରେ ଧରାଯାଉଥିବା ଗୋଟିଏ ଯନ୍ତ୍ର ଦ୍ୱାରା ଏମ୍ବ୍ରୟଡରି ବା ସିଲେଇ କରି ସୂକ୍ଷ୍ମ କାରୁକାର୍ଯ୍ୟ କରିହୁଏ । କିନ୍ତୁ ବାନ୍ଧବୁଣା ବା ହାତରେ ସିଲେଇ କରି ବୁଣାକାମରେ ଏଭଳି କରାଯାଏନି । ବାନ୍ଧ ବୁଣା କାମ ଅଧିକ କଠିନ ହୋଇଥିଲେ ହେଁ ଏଥିରେ କମ୍ ମଜୁରି ମିଳିଥାଏ । ତେଣୁ, ଗତ କେଇ ଦଶନ୍ଧି ହେଲା ଅଧିକାଂଶ ବୁଣାକାର ବାନ୍ଧ ବୁଣାକୁ ଛାଡ଼ି ଗୋଛା ବୁଣାକୁ ଆପଣେଇ ନେଇଛନ୍ତି । ଅନେକ ତ ପୂରା ଏହି ବୁଣାକାମ ଛାଡ଼ି ଦେଇଛନ୍ତି । ସେମାନଙ୍କ ପାଇଁ ଦିନକୁ ୨୦୦-୩୫୦ ଟଙ୍କାର ରୋଜଗାର ଆଦୌ ଯଥେଷ୍ଟ ନୁହେଁ । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ଦିନକୁ ୪୫୧ ଟଙ୍କା ବୋଲି ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ୨୦୨୪ ମେ ମାସରେ ଘୋଷଣା କରାଗଲା । କିନ୍ତୁ ଏଠାକାର ବୁଣାକାରମାନଙ୍କୁ ତାହା ମିଳେ ନାହିଁ ବୋଲି ସେମାନେ କହନ୍ତି ।
ପୁର୍ଜାଗିରର ବୁଣାକାରମାନଙ୍କ ଆଗରେ ପ୍ରତିଯୋଗିତା ବି ରହିଛି ବୋଲି କହନ୍ତି ମିର୍ଜାପୁର ଶିଳ୍ପ ବିଭାଗର ଡେପୁଟି କମିଶନର ଅଶୋକ କୁମାର । ଉତ୍ତର ପ୍ରଦେଶର ସୀତାପୁର, ଭଦୋହି ଜିଲ୍ଲା ଏବଂ ପାନିପତରେ ମଧ୍ୟ ଗାଲିଚା ବୁଣାଯାଉଛି । “ଆଜିକାଲି ଏହାର ଚାହିଦା କମିବାରେ ଲାଗିଥିବାରୁ ଏହା ଯୋଗାଣକୁ ପ୍ରଭାବିତ କରୁଛି,” ସେ କହନ୍ତି ।
ସେଥିରେ ଆଉ କେତେକ ଅନ୍ୟ ସମସ୍ୟା ବି ରହିଛି । ୨୦୦୦ ଦଶକର ପ୍ରାରମ୍ଭରେ ଗାଲିଚା ଶିଳ୍ପରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ଅଭିଯୋଗରୁ ଏହାର ଛବି ମଳିନ ହୋଇପଡ଼ିଥିଲା । ୟୁରୋପରେ ତୁର୍କୀର ମେସିନ ତିଆରି ଗାଲିଚା ପହଞ୍ଚିବା ପରେ ଏବଂ ଏହା କମ୍ ଦାମରେ ମିଳୁଥିବା କାରଣରୁ ୟୁରୋପୀୟ ବଜାର ବି ଆମ ହାତରୁ ଖସି ଯାଇଥିଲା ବୋଲି କହନ୍ତି ସିଦ୍ଧନାଥ ସିଂହ, ମିର୍ଜାପୁରର ଜଣେ ଗାଲିଚା ରପ୍ତାନିକାରୀ । ସେ ଆହୁରି କହନ୍ତି ଯେ, ସରକାର ଆଗରୁ ୧୦ରୁ ୨୦ ପ୍ରତିଶତ ଯାଏଁ ରିହାତି ଦେଉଥିବା ବେଳେ ଏବେ ଏହା ୩ରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।
“ଦିନକୁ ୧୦-୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରି ୩୫୦ (ଟଙ୍କା) ରୋଜଗାର କରିବା ବଦଳରେ ବଡ଼ ସହରରେ କାମ କରି ଦିନକୁ ୫୫୦ ଟଙ୍କା ମଜୁରି ପାଇବା ଭଲ,” ଗାଲିଚା ରପ୍ତାନୀ ଉନ୍ନୟନ ପରିଷଦ (ସିଇପିସି)ର ପୂର୍ବତନ ଅଧ୍ୟକ୍ଷ ସିଂହ କହନ୍ତି ।


ତନ୍ତର ଲୁହା ପାଇପ୍ ଉପରେ କପା ତନ୍ତୁ ରଖାଯାଏ (ବାମ) ଏବଂ ତନ୍ତୁର ଫ୍ରେମକୁ ବାହାର କରିବା ସକାଶେ ଏହା ସହିତ ଏକ ବାଉଁଶ ଖିଲର ଠେସା ଦିଆଯାଏ (ଡାହାଣ)
ଦିନ ଥିଲା, ଥରକରେ ୫-୧୦ଟି ରଙ୍ଗର ସୂତାକୁ ଛନ୍ଦି ବୁଣିବା କଳାରେ ସିଦ୍ଧହସ୍ତ ଥିଲେ ତୁଫାନି । କିନ୍ତୁ କମ୍ ମଜୁରି ଯୋଗୁଁ ତାଙ୍କର ସେହି ଉତ୍ସାହରେ ଭଟ୍ଟା ପଡ଼ିଯାଇଛି । “ସେମାନେ (ମଧ୍ୟସ୍ଥମାନେ) ହେଉଛନ୍ତି କାମ ବରାଦ ଦେଲା ଲୋକ । ଆମେ ଦିନରାତି ପରିଶ୍ରମ କରି ବୁଣିଥାଉ ସିନା, ସେମାନେ ଆମଠାରୁ ଅଧିକ ରୋଜଗାର କରନ୍ତି,” ହତାଶ କଣ୍ଠରେ ସେ କହନ୍ତି ।
ଆଜିକାଲି ସେ ୧୦-୧୨ ଘଣ୍ଟା କାମ କରି ଦିନକୁ ୩୫୦ ଟଙ୍କା ରୋଜଗାର କରନ୍ତି । ତାହା ବି ତାଙ୍କ ବୁଣିବା ପରିମାଣ ଉପରେ ନିର୍ଭର କରେ ଏବଂ ମାସ ଶେଷରେ ତାଙ୍କୁ ମଜୁରି ମିଳେ । କିନ୍ତୁ ତାଙ୍କ ମତରେ ଏହି ପଦ୍ଧତି ବନ୍ଦ ହେବା ଦରକାର । କାରଣ, ସେ କେତେ ଘଣ୍ଟା କାମ କଲେ ସେ କଥା ହିସାବକୁ ନିଆଯାଉନାହିଁ । ତାଙ୍କର ଏହି କୁଶଳୀ କାମ ଲାଗି ଦିନକୁ ସବୁ ମିଶି ୭୦୦ ଟଙ୍କା ମିଳିବା ଦରକାର ବୋଲି ସେ ଅନୁଭବ କରନ୍ତି ।
ଯେଉଁ ମଧ୍ୟସ୍ଥ ତାଙ୍କ ପାଇଁ କାମ ବରାଦ ଆଣନ୍ତି ସେ ଗଜ (ଗୋଟିଏ ଗଜ ଅର୍ଥ ପ୍ରାୟ ୩୬ ଇଞ୍ଚ) ହିସାବରେ ପାଉଣା ନିଅନ୍ତି। ଗୋଟିଏ ଗାଲିଚାର ହାରାହାରି ଲମ୍ବା ଚାରିରୁ ପାଞ୍ଚ ଗଜ ଏବଂ ଏଥିପାଇଁ ସଂପୃକ୍ତ ଠିକାଦାର ୨,୨୦୦ ଟଙ୍କା ପାଉଥିବା ବେଳେ ବୁଣାକାର ଜଣକ ମାତ୍ର ୧,୨୦୦ ଟଙ୍କା ରୋଜଗାର କରନ୍ତି । ହେଲେ, ଠିକାଦାର ଜଣକ କାଟି (ଉଲ ସୂତା) ଏବଂ ସୂତ (ସୂତା ତନ୍ତୁ) ଭଳି କଞ୍ଚାମାଲ ପାଇଁ ପଇସା ଦିଅନ୍ତି ।
ତୁଫାନିଙ୍କର ଚାରି ପୁଅ ଏବଂ ଗୋଟିଏ ଝିଅ । ସମସ୍ତେ ସ୍କୁଲରେ ପଢୁଛନ୍ତି ଏବଂ ପିଲାମାନେ ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ସେ ଚାହାଁନ୍ତି ନାହିଁ । “ସେମାନଙ୍କ ବାପା ଓ ଜେଜେବାପା ଯେଉଁ କାମରେ ସାରା ଜୀବନ ବିତାଇ ଦେଲେ, ସେହି କାମକୁ ସେମାନେ କାହିଁକି କରିବେ ? ସେମାନେ ପାଠ ପଢ଼ି ଆଉ କିଛି ଭଲ କାମ କରିବା ଉଚିତ ନୁହେଁ କି ?”
*****
ଦିନକୁ ୧୨ ଘଣ୍ଟା ପରିଶ୍ରମ କରି, ବର୍ଷକରେ ତୁଫାନି ଓ ତାଙ୍କର ବୁଣାକାର ଦଳ ୧୦-୧୨ଟି ଗାଲିଚା ତିଆରି କରନ୍ତି । ତାଙ୍କ ସହିତ କାମ କରୁଥିବା ରାଜେନ୍ଦ୍ର ମୌର୍ଯ୍ୟା ଏବଂ ଲାଲଜୀ ବିନ୍ଦଙ୍କ ବୟସ ୫୦ରୁ ଅଧିକ । ସେମାନେ ଗୋଟିଏ ଛୋଟ କୋଠରିରେ କାମ କରନ୍ତି, ଯେଉଁଥିରେ କି ବାୟୁ ଚଳାଚଳ ପାଇଁ କେବଳ ଗୋଟିଏ ଦୁଆର ଓ ଗୋଟିଏ ଝରକା ରହିଛି । ବିଶେଷତଃ ଖରାଦିନେ ଏଥିରେ କାମ କରିବା କଷ୍ଟକର । ତାପମାତ୍ରା ବଢ଼ିଲେ, କୋଠରି ତାତିଯାଏ । ଏସବୁ ଅର୍ଦ୍ଧ-ପକ୍କାଘରର ଆଜବେଷ୍ଟସ ଛାତ ଖରାତାତି ରୋକିବାରେ ବିଫଳ ହୋଇଥାଏ ।
“ଗାଲିଚା ବୁଣିବାର ପ୍ରଥମ କାମ ହେଉଛି ତାନା କିମ୍ବା ତାନାନା ,” ତୁଫାନି କହନ୍ତି । ଏହ ହେଉଛି ତନ୍ତରେ କପାସୂତାର ଫ୍ରେମ୍ ଚଢ଼ାଇବା କାମ ।


ବାମ : ଉଲ ସୂତାକୁ ସିଧା କରୁଛନ୍ତି ରାଜେନ୍ଦ୍ର ମୌର୍ଯ୍ୟା, ତୁଫାନିଙ୍କ ସହକର୍ମୀ ଏବଂ ସାଥୀ ବୁଣାକାର । ଡାହାଣ : ସେମାନଙ୍କ ସହକର୍ମୀ ଲାଲଜୀ ବିନ୍ଦ କହନ୍ତି ଯେ ଦୀର୍ଘ ସମୟ ଧରି ବୁଣାକାମ ଯୋଗୁଁ ତାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଇଛି


ବାମ : ସୂତା ତନ୍ତୁର ଫ୍ରେମ୍ ଖସି ନଯିବା ପାଇଁ ତନ୍ତର ଲୁହା ଛଡ଼ରେ ଗୋଟିଏ ହୁକ୍ ଲାଗିଥାଏ । ଡାହାଣ : ସିଲେଇକୁ ବ୍ୟବସ୍ଥିତ କରିବା ଲାଗି ବୁଣାକାରମାନେ ଲୁହାର ପାନିଆ ବ୍ୟବହାର କରନ୍ତି
ତନ୍ତ ରଖାଯିବା ଲାଗି ୨୫x୧୧ ଫୁଟ୍ର ଏକ ଆୟତାକାର କୋଠରିର ଉଭୟ ପାର୍ଶ୍ୱରେ ଖାତ ଖୋଳାଯାଇଥାଏ । ଏହି ତନ୍ତ ଲୁହାରେ ତିଆରି ଏବଂ ଗାଲିଚାର ଫ୍ରେମ୍କୁ ଧରି ରଖିବା ଲାଗି ଏହାର ଗୋଟିଏ ପାଖରେ ରସି ଲାଗିଥାଏ । ପାଞ୍ଚ କି ଛଅ ବର୍ଷ ତଳେ ତୁଫାନି ଋଣ ନେଇ ଏହାକୁ କିଣିଥିଲେ । ଏଥିପାଇଁ ସେ ମାସକୁ ୭୦,୦୦୦ ଟଙ୍କା କିସ୍ତି ପରିଶୋଧ କରୁଛନ୍ତି । “ମୋ ବାପାଙ୍କ ଅମଳରେ ସେମାନେ ପଥର ଖମ୍ବ ଉପରେ ରଖାଯାଉଥିବା କାଠ ତନ୍ତ ବ୍ୟବହାର କରୁଥିଲେ,” ସେ କହନ୍ତି ।
ଗାଲିଚାର ପ୍ରତିଟି ଗ୍ରନ୍ଥିର ଛର୍ରି (ଧାଡ଼ିରେ ସିଲେଇ)ରେ ବୁଣାକାରମାନେ ଉଲ୍ ସୂତା ବ୍ୟବହାର କରନ୍ତି । ଏହାକୁ ସ୍ଥିର କରି ରଖିବା ଲାଗି ତୁଫାନି କପାସୂତାରେ ଧାଡ଼ିଏ ଲଚ୍ଛି ( କପାସୂତାର ତନ୍ତୁ ଚାରିପଟେ ଇଂରାଜୀ ‘ୟୁ’ ଅକ୍ଷର ଭଳି ଏକ ଘେର) କରନ୍ତି । ସେ ଏହାକୁ ଉଲ ସୂତାର ମେଲା ପଟ ଆଗକୁ ଆଣନ୍ତି ଏବଂ ଗୋଟିଏ ଛୁରା (ଛୋଟ ଛୁରୀ)ରେ ଏହାକୁ କାଟି ସମାନ କରନ୍ତି । ତା’ପରେ ସେ ଗୋଟିଏ ଲୁହାର ପାନିଆରେ ସମଗ୍ର ସିଲେଇ ଧାଡ଼ିକୁ ଧୀରେ ଧୀରେ ବାଡ଼େଇ ଦିଅନ୍ତି । “ କାଟ୍ନା ଔର ଠୋକ୍ନା (କାଟିବା ଏବଂ ବାଡ଼େଇବା), ଏହା ହିଁ ବାନ୍ଧ ବୁଣାକାମ,” ତାଙ୍କ କାମ ସଂପର୍କିତ କଥା ଶେଷ କରିବାକୁ ଯାଇ ସେ କହନ୍ତି ।
କାରିଗରଙ୍କ ସ୍ୱାସ୍ଥ୍ୟ ଉପରେ ବୁଣାକାମର ପ୍ରତିକୂଳ ପ୍ରଭାବ ପଡ଼େ । ୩୫ ବର୍ଷ ହେଲା ଏହି ବୃତ୍ତିରେ ଥିବା ଲାଲଜୀ ବିନ୍ଦ କହନ୍ତି, “ବର୍ଷ ବର୍ଷ ଧରି ଏହି କାମ କରିବା ଯୋଗୁଁ ମୋର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଗଲାଣି ।” କାମ କରିବା ବେଳେ ତାଙ୍କୁ ଚଷମା ପିନ୍ଧିବାକୁ ପଡୁଛି । ଅନ୍ୟ କେତେକ ବୁଣାକାର ବି ପିଠିବ୍ୟଥା, ଏମିତି କି ସାଇଟିକା ବା ଅଣ୍ଟା ଓ ଗୋଡ଼ର ସ୍ନାୟୁଗତ ରୋଗରେ ପୀଡ଼ିତ ବୋଲି କହନ୍ତି । ସେମାନଙ୍କୁ ଲାଗେ ଯେ ଏହି ବୃତ୍ତିକୁ ଆପଣେଇ ନେବା ବ୍ୟତୀତ ସେମାନଙ୍କ ଆଗରେ ଆଉ କିଛି ବିକଳ୍ପ ନାହିଁ । “ଆମ ପାଖରେ ବିକଳ୍ପ ଅତି କମ୍,” ତୁଫାନି କହନ୍ତି । ଜନଗଣନା ରିପୋର୍ଟ କହେ, ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ୭୫ ପ୍ରତିଶତ ବୁଣାକାର ମୁସଲମାନ ।
“ଏଠାରେ, ୧୫ ବର୍ଷ ତଳେ ପ୍ରାୟ ୮୦୦ ବୁଣାକାର ପରିବାର ଥିଲେ ଏବଂ ସେମାନେ ସମସ୍ତେ ଏହି ବାନ୍ଧ ବୁଣା କାମ କରୁଥିଲେ,” ପୁରୁଣା କଥାକୁ ମନେ ପକାଇ କହନ୍ତି ପୁର୍ଜାଗିରର ଜଣେ ବୁଣାକାର ଅରବିନ୍ଦ କୁମାର ବିନ୍ଦ । “ଏବେ ଏହି ସଂଖ୍ୟା ୧୦୦କୁ ଖସି ଆସିଲାଣି ।” ପୁର୍ଜାଗିର ମୁଜେହାରା ଗାଁର ମୋଟ ଲୋକସଂଖ୍ୟା ୧,୧୦୭ର (୨୦୧୧ ଜନଗଣନା) ଏକ ତୃତୀୟାଂଶରୁ ଅଧିକ ।


ବାମ : ସୂତା ତନ୍ତୁ ଓ ଉଲ ସୂତାରେ ଗାଲିଚାର ବାନ୍ଧବୁଣା କାମ ଚାଲିଛି ଏବଂ ଏହା ସହିତ ସମାନ୍ତରାଳ ଭାବରେ ତନ୍ତ ଲମ୍ବାରେ ଏକ ଡିଜାଇନ୍ର ରେଖାଚିତ୍ର ଚାଲିଛି । ଡାହାଣ : ବୁଣାକାରମାନେ ଉଲ୍ ସୂତାକୁ ଛର୍ରି ବା ଧାଡ଼ି ସିଲେଇ ପାଇଁ ବ୍ୟବହାର କରନ୍ତି


ବାମ : ଇଂରାଜୀ ‘ ୟୁ ’ ଅକ୍ଷର ଭଳି ଘେର ବା ଲଚ୍ଛି ତିଆରି କରିବା ଲାଗି କପାସୂତା ବ୍ୟବହାର କରାଯାଏ । ଡାହାଣ : ଗାଲିଚା ଲୋମଶ ଦେଖାଯିବା ପାଇଁ ଗୋଟିଏ ଛୁରା (ଛୁରୀ) ବ୍ୟବହାର କରି ବାହାରକୁ ବାହାରିଥିବା ଉଲ୍ ସୂତାକୁ କାଟି ଦିଆଯାଏ
ପାଖରେ ଥିବା ଆଉ ଏକ ତନ୍ତଶାଳାରେ ବାଲଜୀ ବିନ୍ଦ ଏବଂ ତାଙ୍କ ସ୍ତ୍ରୀ ତାରା ଦେବୀ ନିରବରେ ଗୋଟିଏ ସୁମାକ ବା ବାନ୍ଧ ବୁଣା ଗାଲିଚା ତିଆରି କାମରେ ପୂରାପୂରି ଧ୍ୟାନମଗ୍ନ ଭାବରେ ମଜ୍ଜି ଯାଇଛନ୍ତି । ମଝିରେ ମଝିରେ କେବଳ ଛୁରୀରେ ସୂତା ଛିଣ୍ଡାଇବାର ଶବ୍ଦ ଯାହା ଶୁଭୁଛି । ସୁମାକ ହେଉଛି ଗୋଟିଏ ରଙ୍ଗ ଏବଂ ସମାନ ଡିଜାଇନର ଏକ ଗାଲିଚା । ଛୋଟ ତନ୍ତ ରଖିଥିବା ବୁଣାକାରମାନେ ଏହା ବୁଣିବାକୁ ପସନ୍ଦ କରନ୍ତି । “ଏହି ଗୋଟିକର କାମ ମାସକ ଭିତରେ ସାରି ପାରିଲେ ମୁଁ ୮,୦୦୦ ଟଙ୍କା ପାଇବି,” ବାଲଜୀ କହନ୍ତି ।
ଉଭୟ ପୁର୍ଜାଗିର ଓ ବାଗ କୁଞ୍ଜଲଗିର ବୁଣାକାର ବସତିରେ ବାଲଜୀଙ୍କ ପତ୍ନୀ ତାରାଙ୍କ ଭଳି ମହିଳାମାନେ ପୁରୁଷମାନଙ୍କ ସହିତ ମିଶି କାମ କରନ୍ତି ଏବଂ ସବୁ ପ୍ରକାର ବୁଣାକାମର ପ୍ରାୟ ଏକ ତୃତୀୟାଂଶ ସେମାନେ କରୁଥିଲେ ହେଁ ଏଥିରେ ସେମାନଙ୍କ ଅବଦାନକୁ ଅନ୍ୟମାନେ ସ୍ୱୀକାର କରନ୍ତି ନାହିଁ । ଏମିତି କି ଛୋଟ ପିଲାମାନେ ବି ସ୍କୁଲ ସମୟ ବାହାରେ ଏବଂ ଖରାଛୁଟି ସମୟରେ ଗାଲିଚା ବୁଣାରେ ସହାୟତା କରନ୍ତି ଏବଂ ସେମାନଙ୍କ ଶ୍ରମ ସହଯୋଗରେ ବୁଣାକାମ ତ୍ୱରାନ୍ୱିତ ହୋଇଥାଏ ।
ଗୋଟିଏ ଗାଲିଚା କାମ ଠିକ୍ ସମୟରେ ସାରିବାକୁ ଲାଗି ପଡ଼ିଛନ୍ତି ହଜାରି ବିନ୍ଦ ଏବଂ ତାଙ୍କ ସ୍ତ୍ରୀ ଶ୍ୟାମ ଦୁଲାରି । ସେ ତାଙ୍କ ଦୁଇ ପୁଅଙ୍କ ଅନୁପସ୍ଥିତି ଅନୁଭବ କରନ୍ତି । ମଜୁରିଆ କାମ କରିବା ଲାଗି ସେମାନେ ସୁରତ ପଳାଇ ଯାଇଛନ୍ତି । “ ବଚୋଁ ନେ ହମ୍ସେ ବୋଲା କି ହମ୍ ଲୋଗ ଇସ୍ମେ ନହିଁ ଫସେଙ୍ଗେ, ପାପା (ମୋ ପିଲାମାନେ ମୋତେ କହିଲେ ଯେ ଆମେ ଏ କାମରେ ଫସିଯିବାକୁ ଚାହୁଁନାହୁଁ, ପାପା) ।”


ବାମ : ବାଲଜୀ ବିନ୍ଦ ଏବଂ ତାଙ୍କ ପତ୍ନୀ ତାରା ଦେବୀ ସୁମାକ କୁହାଯାଉଥିବା ଗୋଟିଏ ବାନ୍ଧ ଗାଲିଚା ବୁଣୁଛନ୍ତି । ଏହା ଗୋଟିଏ ରଙ୍ଗର ଏବଂ ସମାନ ଡିଜାଇନର ଗାଲିଚା । ଡାହାଣ : ଶାହ-ଏ-ଆଲମ ଗୋଛା ବୁଣା କାମରେ ଲାଗୁଥିବା ଲୁହା ଉପକରଣ ଦେଖାଉଛନ୍ତି , ଅବ୍ୟବହୃତ ଅବସ୍ଥାରେ ରହି ସେଗୁଡ଼ିକରେ କଳଙ୍କି ଲାଗିଗଲାଣି


ବାମ : ହଜାରି ବିନ୍ଦଙ୍କ ଘରେ ରହିଛି ସୁମାକ ବୁଣିବା ଲାଗି ଉଦ୍ଦିଷ୍ଟ ଗୋଟିଏ ତନ୍ତ । ଡାହାଣ : ତୁଳାର ତନ୍ତୁ ପାଖରେ ଠିଆ ହୋଇଛନ୍ତି ହଜାରିଙ୍କ ପତ୍ନୀ ଶ୍ୟାମ ଦୁଲାରି । ପୁର୍ଜାଗିର ଭଳି ବୁଣାକାର ବସତିରେ ମହିଳାମାନେ ବୁଣାକାମରେ ଭାଗ ନିଅନ୍ତି ସତ, ହେଲେ ସେମାନଙ୍କ ପରିଶ୍ରମକୁ ଅନ୍ୟମାନେ ସ୍ୱୀ କାର କରନ୍ତି ନାହିଁ
ଦିନକୁ ଦିନ କମିବାରେ ଲାଗିଥିବା ରୋଜଗାର ଏବଂ କଠିନ ପରିଶ୍ରମର ଆବଶ୍ୟକତା ଥିବାରୁ କେବଳ ଯେ ଯୁବ ପିଢ଼ି ଏହି କାମରୁ ଦୂରେଇ ଯାଉଛନ୍ତି ତାହା ନୁହେଁ, ତିନି ବର୍ଷ ତଳେ ବୁଣାକାମ ଛାଡ଼ିଥିବା ୩୯ ବର୍ଷ ବୟସ୍କ ଶାହ-ଏ-ଆଲମ ଆଜିକାଲି ଗୋଟିଏ ଇ-ରିକ୍ସା ଚଳାଉଛନ୍ତି । ପୁର୍ଜାଗିରଠାରୁ ଆଠ କିଲୋମିଟର ଦୂର ନଟୱାର ବାସିନ୍ଦା ଶାହ-ଏ-ଆଲମ ୧୫ ବର୍ଷ ବୟସରୁ ଗାଲିଚା ବୁଣିବା କାମ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ୧୨ ବର୍ଷରେ ସେ ବାନ୍ଧ ଗାଲିଚା ବୁଣିବା କାମ ଛାଡ଼ି ଗୋଛା ବୁଣା ଗାଲିଚା କାମରେ ମଧ୍ୟସ୍ଥ ଭାବରେ କାମ କରୁଥିଲେ । ତିନି ବର୍ଷ ତଳେ ସେ ତାଙ୍କ ତନ୍ତ ବିକ୍ରି କରିଦେଲେ ।
“ ପୋଷା ନହିଁ ରହା ଥା (ଆମ ଚଳିବା ପାଇଁ ଯଥେଷ୍ଟ ହେଉ ନଥିଲା),” ତାଙ୍କର ନବନିର୍ମିତ ଦୁଇ ବଖୁରିଆ ଘରେ ବସି ସେ କହନ୍ତି । ୨୦୧୪ରୁ ୨୦୨୨ ଭିତରେ ସେ ଦୁବାଇର ଏକ ଟାଇଲ କମ୍ପାନୀରେ କାମ କରି ମାସକୁ ୨୨,୦୦୦ ଟଙ୍କା ଦରମା ପାଉଥିଲେ । “ତାହା ହିଁ ମୋତେ ଏହି ବସା ଖଣ୍ଡକ ତିଆରିରେ ସାହାଯ୍ୟ କଲା,” ତାଙ୍କ ଘରର ଟାଇଲ ଚଟାଣକୁ ଆଙ୍ଗୁଠି ଦେଖାଇ ସେ କହନ୍ତି । “ଜଣେ ବୁଣାକାର ଭାବରେ ମୁଁ ଦିନକୁ ୧୫୦ ଟଙ୍କା ରୋଜଗାର କରୁଥିବା ବେଳେ ଏବେ ଅନ୍ତତଃ ଜଣେ ଡ୍ରାଇଭର ଭାବରେ ଦିନକୁ ୨୫୦ରୁ ୩୦୦ ଟଙ୍କା ତ ରୋଜଗାର କରିପାରୁଛି ।”
ରାଜ୍ୟ ସରକାରଙ୍କ ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’ ଯୋଜନାରେ ଗାଲିଚା ବୁଣାକାରମାନଙ୍କୁ ଆର୍ଥିକ ସହାୟତା ମିଳୁଥିବା ବେଳେ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ସେମାନଙ୍କୁ ରିହାତି ସୁଧହାରରେ ଋଣ ମିଳିପାରୁଛି । କିନ୍ତୁ ସରକାରଙ୍କ ତରଫରୁ ବ୍ଲକ୍ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ଶାହ-ଏ-ଆଲମଙ୍କ ଭଳି ବୁଣାକାରମାନେ ସେ ସବୁ ଯୋଜନା ରହିଛି ବୋଲି ଜାଣିନାହାନ୍ତି ।
ପୁର୍ଜାଗିର ମୁଜେହାରାଠାରୁ କିଛି ଦୂରରେ, ସେଠାକାର ବାଗ କୁଞ୍ଜଲ ଗିର ଗାଁର ଜାହିରୁଦ୍ଦିନ ଗୁଲତରାଶ କାରିଗରୀ- ଅର୍ଥାତ୍ ଗୋଛା ବୁଣା ଗାଲିଚାର ସୁନ୍ଦର ସୁନ୍ଦର ଡିଜାଇନ ପ୍ରସ୍ତୁତ କରନ୍ତି । ମୁଖ୍ୟମନ୍ତ୍ରୀ ହସ୍ତଶିଳ୍ପ ପେନ୍ସନ ଯୋଜନାରେ ନାମ ତାଲିକାଭୁକ୍ତ କରାଇଥିଲେ ୮୦ ବର୍ଷ ବୟସ୍କ ଜାହିରୁଦ୍ଦିନ । ୨୦୧୮ରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର କାରିଗରମାନଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ମିଳିଥାଏ । କିନ୍ତୁ ତିନି ମାସ ମିଳିବା ପରେ ହଠାତ୍ ଭତ୍ତା ମିଳିବା ବନ୍ଦ ହୋଇଗଲା ବୋଲି ଜାହିରୁଦ୍ଦିନ କହନ୍ତି ।
ହେଲେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)ରେ ତାଙ୍କୁ ମିଳୁଥିବା ଖାଉଟି ସାମଗ୍ରୀ ପାଇ ସେ ଖୁସିରେ ଅଛନ୍ତି । ଏମିତି କି ପୁର୍ଜାଗିର ଗାଁର ଅନ୍ୟ କେତେକ ବୁଣାକାର ମଧ୍ୟ ‘ପରୀ’କୁ ‘ ମୋଦି କା ଗଲ୍ଲା ’ ( ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଯୋଜନା ମୁତାବକ ଖାଦ୍ୟ ଶସ୍ୟ) ପାଉଥିବା କଥା କହିଥିଲେ ।


ବାମ : ବାଗ କୁଞ୍ଜଲ ଗିର ଗାଁ ବାସିନ୍ଦା ଜାହିରୁଦ୍ଦିନ ଗୁଲତରାଶ – ଗୋଟିଏ ଗୋଛା ବୁଣା ଗାଲିଚା ଉପରେ (ବାମ) ସୁନ୍ଦର ସୁନ୍ଦର ଡିଜାଇନ୍ର କାରିଗରୀ କରନ୍ତି । ସେ କାମ କରିଥିବା ଏକ ଗୋଛାବୁଣା ଗାଲିଚା ଦେଖାଉଛନ୍ତି (ଡାହାଣ), ଯାହା କି ଗୋଟିଏ ପାପୋଛ ଆକାରର


ବାମ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ତାଙ୍କର ଫଟୋ ‘ ପରୀ ’ କୁ ଦେଖାଉଛନ୍ତି ପଦ୍ମଶ୍ରୀ ଉପାଧିପ୍ରାପ୍ତ ଖଲିଲ ଅହମଦ । ଡାହାଣ : ଇରାନ, ବ୍ରାଜିଲ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶ ବୁଲିବା ପରେ ଖଲିଲ ପ୍ରସ୍ତୁତ କରିଥିବା କେତେକ ଡିଜାଇନ
ତାଙ୍କ ଲୁହା ଚରଖାରେ ସେ ସଳଖ କରୁଥିବା ପ୍ରତି ଏକ କିଲୋ କପାସୂତା ( ସୂତ ) ପାଇଁ ସାତ ଟଙ୍କା ଲେଖାଏଁ ମଜୁରି ପାଆନ୍ତି ୬୫ ବର୍ଷର ଶମସୁ-ନିଶା । ଏ ହିସାବରେ ସେ ଦିନକୁ ପ୍ରାୟ ୨୦୦ ଟଙ୍କା ରୋଜଗାର କରନ୍ତି । ୨୦୦୦ ଦଶକର ଆଦ୍ୟ ଭାଗରେ ତାଙ୍କ ପରିବାର ଗୋଛାବୁଣା ଗାଲିଚା କାମ ଆରମ୍ଭ କରିବା ପୂର୍ବରୁ ତାଙ୍କ ସ୍ୱାମୀ ସ୍ୱର୍ଗତ ହସରୁଦ୍ଦିନ ଆନସାରୀ ବାନ୍ଧବୁଣା ଗାଲିଚା କାମ କରୁଥିଲେ । ବୁଣାକାମରେ ଭବିଷ୍ୟତ ଗଢ଼ି ହେବ ନାହିଁ ବୋଲି ଭାବନ୍ତି ତାଙ୍କ ପୁଅ ସିରାଜ ଆନସାରୀ । ଏମିତି କି ଗୋଛାବୁଣା କାମର ବଜାର ବି ମାନ୍ଦା ହୋଇଗଲାଣି ବୋଲି ସେ କହନ୍ତି ।
ଜାହିରୁଦ୍ଦିନ ରହୁଥିବା ସେହି ଅଞ୍ଚଳରେ ନିଜ ପରିବାର ସହିତ ରହନ୍ତି ଖଲିଲ ଅହମଦ । ଦରି ଶିଳ୍ପ ପ୍ରତି ତାଙ୍କର ଅବଦାନ ଯୋଗୁଁ ୨୦୨୪ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ଏହି ୭୫ ବର୍ଷୀୟ କାରିଗର ଜଣକ । ତାଙ୍କ ପାଖରେ ଥିବା ଅନେକ ଡିଜାଇନ ଭିତରୁ ଖୋଜି ଖୋଜି ସେ ଗୋଟିଏ ବାହାର କରନ୍ତି, ଯେଉଁଥିରେ କି ଉର୍ଦ୍ଦୁରେ ଲେଖା ହୋଇଛି, “ ଇସ୍ ପର ଜୋ ବୈଠେଗା, ୱହ କିସ୍ମତୱାଲା ହୋଗା (ଯିଏ ଏହି ଗାଲିଚା ଉପରେ ବସିବେ ସେ ସୌଭାଗ୍ୟପ୍ରାପ୍ତ ହେବେ),” ସେ ପଢ଼ି ଶୁଣାନ୍ତି ।
କିନ୍ତୁ ଏହାର ବୁଣାକାରମାନଙ୍କ ସୌଭାଗ୍ୟ ଏବେ ଅପହଞ୍ଚ ଦୂରତାରେ ।
ଅନୁବାଦ : ଓଡ଼ିଶାଲାଇଭ୍