ମୋ ଘର ଇନ୍ଦିରା କଲୋନୀ ନାମକ ଏକ ଆଦିବାସୀ ଗ୍ରାମରେ ରହିଛି । ଏଠାରେ ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୋଟ୍ ୨୫ ପରିବାର ରୁହନ୍ତି। ଆମ ଗାଁରେ ଏକ ପାଣି ଟାଙ୍କି ଏବଂ ଏକ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ପିଇବା ପାଣି ପାଇଁ ଗୋଟିଏ କୂଅ ଅଛି ।
ଗାଁର କିଛି ଲୋକଙ୍କ ପାଖରେ ଚାଷ ଉପଯୋଗୀ ଜମି ରହିଛି । ସେଥିରେ ସେମାନେ ଧାନ, ବାଇଗଣ, ମକା, ଝୁଲଣା, ଭେଣ୍ଡି, କଲରା, ଲାଉ ବ୍ୟତୀତ କୋଳଥ, କାନ୍ଦୁଲ ଭଳି ବିଭିନ୍ନ ପ୍ରକାରର ଡାଲି ଚାଷ କରିଥାନ୍ତି। ଅଧିକାଂଶ ଲୋକ ନିଜ ଆବଶ୍ୟକତାକୁ ଧ୍ୟାନରେ ରଖି ଧାନ ଚାଷ କରିଥାନ୍ତି। ଧାନ ଚାଷ ବର୍ଷା ଋତୁରେ ହୋଇଥାଏ।
ଫସଲ କାଟିବା ସମୟରେ ଆମେ ନିଜ ଖାଇବା ପାଇଁ କିଛି ଧାନ ରଖି ବାକି ଧାନକୁ ବଜାରରେ ବିକ୍ରି କରି ଦେଇଥାଉ। ଫସଲ ବିକ୍ରି କରି ଆମକୁ ଯେଉଁ ଟଙ୍କା ମିଳିଥାଏ ସେଥିରେ ସାର ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ବାଦ୍ ଦେବା ପରେ ବାକିତକ ଆମର ଆୟ ହୋଇଥାଏ।
ଆମ ଗାଁର କିଛି ଘର ନଡ଼ା ଛପରରେ ନିର୍ମିତ। ଏହା ଆମକୁ ଖରା, ବର୍ଷା ଓ ଶୀତରୁ ସୁରକ୍ଷା ଦେଇଥାଏ। ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଥରେ ନଡ଼ା ଛପରକୁ ବଦଳାଇବାକୁ ପଡ଼ିଥାଏ। ଘର ମରାମତି ପାଇଁ ଆମେ ବଗୁଲି ଘାସ, ସାଲୁଆ, ବାଉଁଶ, ଲାହି ଏବଂ ଜଙ୍ଗଲର କାଠ ଉପଯୋଗ କରିଥାଉ।


ବାମ : ଇନ୍ଦିରା କଲୋନୀସ୍ଥିତ ନିଜ ଘର ଆଗରେ ଛିଡ଼ା ହୋଇଛନ୍ତି ମାଧବ। ଡାହାଣ : ଗାଁରେ ଗୋରୁମାନେ ଚରୁଛନ୍ତି


ବାମ: କୁକୁଡ଼ା, ଗାଈ ଏବଂ ବଳଦଙ୍କ ବ୍ୟତୀତ ଗାଁର ଲୋକମାନେ ଛେଳି ପାଳିଥାନ୍ତି। ଡାହାଣ: ଶୁଖିଲା କେନ୍ଦୁ ପତ୍ର, ଯାହାକୁ ଏକତ୍ରିତ କରାଯିବ
ଏହା ହେଉଛି ବଗୁଲି ଘାସକୁ ନଡ଼ା ଛପର ଭାବେ ବ୍ୟବହାର କରାଯାଇଥାଏ। ଆମେ ଜଙ୍ଗଲରୁ ଏହି ଘାସକୁ ଜଙ୍ଗଲରୁ କାଟି ଆଣିଥାଏ ଏବଂ ଦୁଇରୁ ତିନି ମାସ ପାଇଁ ଖରାରେ ଶୁଖାଇଥାଉ। ଏହାପରେ, ଆମେ ତା’କୁ ଆହୁରି କିଛି ଦିନ ପର୍ଯ୍ୟନ୍ତ ଶୁଖିଲା ରଖିଥାଉ ଏବଂ ବର୍ଷାଠାରୁ ସେଗୁଡ଼ିକୁ ସୁରକ୍ଷିତ ରଖିବାକୁ ପଡ଼ିଥାଏ, ଯେମିତି ସେଗୁଡ଼ିକ ଖରାପ ହେବ ନାହିଁ। କଚ୍ଚା ଘର ଛାତ ପକାଇବା ପାଇଁ ଆମେ ମାଟି ଟାଇଲ ଉପଯୋଗ କରିଥାଉ, ଯାହାକୁ ଆମେ ଗାଁରେ ତିଆରି କରିଥାଉ।
ଏହା ହେଉଛି ଏକ ବଳଦ ଗାଡ଼ି ଏବଂ କେବଳ ଚକକୁ ବାଦ୍ ଦେଲେ ଏହି ଗାଡ଼ିର ଅଧିକାଂଶ ଭାଗ କାଠ ଓ ବାଉଁଶରେ ତିଆରି। ଆମେ କ୍ଷେତରୁ ଧାନ ଆଣିବା ଏବଂ ଜଙ୍ଗଲରୁ କାଠ ବୋହିବା ପାଇଁ ଏହି ଗାଡ଼ିକୁ ଉପଯୋଗ କରିଥାଉ। ବେଳେବେଳେ ଜମିକୁ ଗୋବର ଖତ ବୋହିବାକୁ ଆମେ ଏହାକୁ ବ୍ୟବହାର କରିଥାଉ। ବର୍ତ୍ତମାନ ସମୟରେ ଏଭଳି ଗାଡ଼ିର ବ୍ୟବହାର ଧୀରେ ଧୀରେ ବନ୍ଦ ହୋଇଗଲାଣି।
ମୋ ଗାଁର ଅଧିକାଂଶ ଲୋକ ଗାଈ, ବଳଦ, ଛେଳି ଓ କୁକୁଡ଼ା ପାଳନ କରିଥାନ୍ତି। ଆମେ ସେମାନଙ୍କୁ ପେଜ, କୁଣ୍ଡା ଓ ମୁଗ ଖାଇବାକୁ ଦେଉ। ରାତିରେ ଆମ ଗୃହପାଳିତ ପଶୁମାନେ ଶୁଖିଲା ଗୋଖାଦ୍ୟ ଚୋ ବାଇଥାନ୍ତି। ଆମେ ଆମ ଗାଈ ଓ ବଳଦମାନଙ୍କୁ ଜଙ୍ଗଲ କିମ୍ବା ଚାଷ ଜମିକୁ ଚରେଇବାକୁ ନେଇଥାଉ। ବର୍ଷା ହେବା ସମୟରେ ସବୁଜ ଘାସ ମିଳିଥାଏ କିନ୍ତୁ ଖରା ମାସରେ ସବୁ ଶୁଖିଯାଏ ଏବଂ ଗାଈ ଓ ବଳଦମାନଙ୍କୁ ଚରିବା ପାଇଁ ଯଥେଷ୍ଟ ଖାଦ୍ୟ ମିଳେ ନାହିଁ।


ବାମ : ରଞ୍ଜନ କୁମାର ନାୟକ ଜଣେ ଠିକାଦାର ଯିଏକି ଗାଁର ଲୋକଙ୍କଠାରୁ କେନ୍ଦୁ ପତ୍ର କିଣିଥାନ୍ତି। ଡାହାଣ: ଗାଁରେ ଥିବା ଏକ ଛପର ଘର
ଆମେ ଆମ ଜମିରେ ଗୋରୁଙ୍କ ଗୋବର ଖତ ଉପଯୋଗ କରିଥାଉ। ଚାଷ ଆରମ୍ଭ କରିବା ପୂର୍ବରୁ ଗୋବରଖତକୁ ଜମିରେ ଖେଳାଇ ଦିଆଯାଏ। ଗାଈ ଓ ବଳଦ ବିକ୍ରି କରି ଗାଁ ଲୋକମାନେ ରୋଜଗାର କରିଥାନ୍ତି। ଗୋଟିଏ ଗାଈ ପ୍ରାୟ ୧୦ ହଜାର ଟଙ୍କାରେ ବିକ୍ରି ହୁଏ।
ଅତିରିକ୍ତ ଆୟ ପାଇଁ ଆମ ଗାଁର କିଛି ମା’ମାନେ ଏବେ କେନ୍ଦୁ ପତ୍ର, ଶାଳ ପତ୍ର ଏବଂ ମହୁଲ ତୋଳୁଛନ୍ତି।
ଏହା ହେଉଛି ଶୁଖିଲା ମହୁଲ ଫୁଲ। ଗାଁର ମା’ମାନେ ସକାଳୁ ଉଠି ଜଙ୍ଗଲକୁ ଚାଲି ଯାଆନ୍ତି ଏବଂ ୧୧ଟା ସୁଦ୍ଧା ଏହାକୁ ଧରି ଘରକୁ ଫେରନ୍ତି। ଫୁଲଗୁଡ଼ିକୁ ସଂଗ୍ରହ କରିବା ପରେ ଛଅ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଆଯାଏ। ଏହାପରେ ସେଗୁଡ଼ିକୁ ଅଧିକ ଶୁଖିବା ପାଇଁ ବସ୍ତାରେ ଭର୍ତ୍ତି କରି ଦୁଇରୁ ତିନି ମାସ ପର୍ଯ୍ୟନ୍ତ ରଖାଯାଏ। ଗୋଟିଏ ମଗ ମହୁଲ ରସକୁ ଆମେ ୬୦ ଟଙ୍କାରେ ବିକ୍ରି କରିଥାଉ ଏବଂ ପୂରା ମଗ ମହୁଲ ଫୁଲ ୫୦ ଟଙ୍କାରେ ବିକ୍ରି ହୁଏ। ଏହି ମହୁଲ ଫୁଲ ସଂଗ୍ରହ କରିବା ଅତି କଷ୍ଟକର କାମ।
ଆମ ସମ୍ପ୍ରଦାୟ ଆମ ପରିବାର ଭଳି ଏବଂ ଆମେ ପରସ୍ପରକୁ ସାହାଯ୍ୟ କରିଥାଉ।
ଏହି ଷ୍ଟୋରୀ ପ୍ରସ୍ତୁତ କରିବାରେ ସହାୟତା ଲାଗି ଗ୍ରାମ ବିକାଶ ଆବାସିକ ବିଦ୍ୟାଳୟର ନବସୃଜନ ଓ ରଣନୀତି ପରିଚାଳକ ଶର୍ବାଣୀ ଚଟ୍ଟୋରାଜ ଏବଂ ସନ୍ତୋଷ ଗୌଡ଼ଙ୍କୁ ପରୀ ଏଜୁକେସନ ଟିମ୍ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।
ଅନୁବାଦ: ଓଡ଼ିଶାଲାଇଭ୍