ନିଷ୍ପେଷିତ ସମାଜ ପାଖରେ ଏକ ସର୍ବକାଳୀନ ଅପହଞ୍ଚ ବିଷୟ ଭାବରେ ରହିଆସିଛି ଫଟୋଗ୍ରାଫି। କାରଣ ଏତିକି ନୁହେଁ ଯେ ସେମାନେ କ୍ୟାମେରାଟିଏ କିଣିବାକୁ ସକ୍ଷମ ନୁହଁନ୍ତି। ସେମାନଙ୍କର ଏହି ଅସହାୟବୋଧକୁ ହୃଦୟଙ୍ଗମ କରିବା ସହିତ ଏ କ୍ଷେତ୍ରରେ ବିଦ୍ୟମାନ ଶୂନ୍ୟସ୍ଥାନ ପୂରଣ କରିବା ଲକ୍ଷ୍ୟରେ ଫଟୋଗ୍ରାଫିକୁ ନିଷ୍ପେଷିତ ସମାଜର ଯୁବ ପିଢ଼ି ପାଖରେ, ବିଶେଷତଃ ପିଢ଼ି ପରେ ପିଢ଼ି ଧରି ଉତ୍ପୀଡ଼ନର ସମ୍ମୁଖୀନ ହୋଇଆସୁଥିବା ଦଳିତ ବର୍ଗ, ମତ୍ସ୍ୟଜୀବୀ, ସମଲିଙ୍ଗୀ ସମାଜ, ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ଏବଂ ଅନ୍ୟମାନଙ୍କ ପାଖରେ, ପହଞ୍ଚାଇବାକୁ ମୁଁ ମନସ୍ଥ କଲି।
ମୋ ଛାତ୍ରଛାତ୍ରୀମାନେ ନିଜ ନିଜ ଜୀବନର ଜଣାଅଜଣା କାହାଣୀ କହନ୍ତୁ ବୋଲି ମୁଁ ଚାହୁଁଥିଲି। ଏହି ସବୁ କର୍ମଶାଳାରେ ସେମାନେ ସେମାନଙ୍କ ନିତିଦିନିଆ ଜୀବନର ବିଭିନ୍ନ ବିଷୟକୁ ଫଟୋରେ ତୋଳି ଧରୁଛନ୍ତି। ଏ ସବୁ ସେମାନଙ୍କ ନିଜର କାହାଣୀ, ଅନ୍ତରର ନିଭୃତ କକ୍ଷର କାହାଣୀ। ହାତରେ କ୍ୟାମେରାଟିଏ ପାଇ ସେଥିରେ ଫଟୋ ଉଠାଇବାକୁ ସେମାନେ ଖୁବ୍ ଭଲ ପାଆନ୍ତି। ମୁଁ ଚାହେଁ ସେମାନେ ତାହା ହିଁ କରନ୍ତୁ ଏବଂ କ୍ୟାମେରାରେ ଫଟୋର ଫ୍ରେମ୍ ଗଠନ ଏବଂ ଆଙ୍ଗଲ କଥା ପରେ ଭାବନ୍ତୁ।
ସେମାନେ ନିଜ ନିଜ ଜୀବନର ଯେଉଁ ସବୁ ଫଟୋ ଉଠାନ୍ତି, ସେଗୁଡ଼ିକ ଭିନ୍ନ ଧରଣର।
ସେମାନେ ଯେତେବେଳେ ମୋତେ ସେହି ଫଟୋଗୁଡ଼ିକ ଦେଖାନ୍ତି, ମୁଁ ବି ଫଟୋର ରାଜନୀତି ଏବଂ ଏଥିରେ ଫୁଟି ଉଠୁଥିବା ପରିସ୍ଥିତି ସଂପର୍କରେ ଆଲୋଚନା କରେ। କର୍ମଶାଳା ଶେଷରେ, ସେମାନେ ଆହୁରି ବଡ଼ ବଡ଼ ସାମାଜିକ-ରାଜନୈତିକ ପ୍ରସଙ୍ଗ ସଂପର୍କରେ ସଚେତନ ହୋଇ ଉଠନ୍ତି।


ବାମ: ନାଗପଟ୍ଟିନମ୍ ସମୁଦ୍ର ଉପକୂଳରେ ଜଣେ ମତ୍ସ୍ୟଜୀବୀଙ୍କୁ ନିଜେ ଉଠାଇଥିବା ଫଟୋ ଦେଖାଉଛନ୍ତି ମାଗା ଆକ୍କା। ଡାହାଣ: ଚେନ୍ନାଇ ନିକଟ କୋସସ୍ଥଲାୟାର ନଦୀ ନିକଟରେ ଫଟୋ ଉଠାଉଛନ୍ତି ହାଏରୁ ନିଶା

ଏମ୍. ପାଲାନି କୁମାରଙ୍କ ଫଟୋଗ୍ରାଫି କ୍ଲାସ୍ରେ ଚେନ୍ନାଇର ବ୍ୟାସରବାଡ଼ିରେ ଥିବା ଡକ୍ଟର ଆମ୍ବେଦକର ପାଗୁତାରିବୁ ପାଡାସାଲାଇର ଛାତ୍ରଛାତ୍ରୀମାନେ
ଅଧିକାଂଶ ଫଟୋରେ କ୍ଲୋଜ୍ ଅପ୍ ବା ଖୁବ୍ ପାଖରୁ ଚିତ୍ର ନିଆଯାଇଥିଲା ଏବଂ ନିଜ ଘର ଓ ପରିବାର ହୋଇଥିବାରୁ ସେମାନେ ଏତେ ପାଖକୁ ଯାଇପାରିଥିଲେ। ଅନ୍ୟ ଜଣେ କେହି ବାହାରର ବ୍ୟକ୍ତି ହୋଇଥିଲେ ସେ କିଛିଟା ଦୂରତା ବଜାୟ ରଖିଥାଆନ୍ତେ। କିନ୍ତୁ ସେମାନେ ସେମିତି କରି ନଥିଲେ, କାରଣ ଫଟୋରେ ଥିବା ଚରିତ୍ର ବା ବିଷୟବସ୍ତୁ ସହିତ ସେମାନଙ୍କର ବିଶ୍ୱାସଭରା ସଂପର୍କ ସ୍ଥାପିତ ହୋଇସାରିଥିଲା।
କେତେକ ସମଭାବାପନ୍ନ ବ୍ୟକ୍ତିଙ୍କ ସହାୟତାରେ ମୁଁ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ କ୍ୟାମେରା କିଣିଲି, କାରଣ, ଡିଏସ୍ଏଲ୍ଆର କ୍ୟାମେରା ସହିତ ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କ ପାଇଁ ବୃତ୍ତିଗତ ଭାବେ ସହାୟକ ହେବ।
ଯେଉଁ ବିଷୟବସ୍ତୁକୁ ନେଇ ସେମାନେ କେତେକ ଫଟୋ ଉଠାଇଥିଲେ ତାହା ଥିଲା, ‘ନୂତନ ଦୃଷ୍ଟିକୋଣ- ଯୁବ ବାସିନ୍ଦାଙ୍କ ନଜରରେ ଉତ୍ତର ଚେନ୍ନାଇ’। ବାହାର ଲୋକଙ୍କ ଦୃଷ୍ଟିରେ, ଗତାନୁଗତିକ ଧାରାରେ ଉତ୍ତର ଚେନ୍ନାଇକୁ ଏକ ଶିଳ୍ପ କେନ୍ଦ୍ର ରୂପେ ବିଚାର କରିଆସୁଥିବା ସମାଜ ପାଇଁ ଏହି ଚିନ୍ତାଧାରାକୁ ବଦଳାଇବା ଏବଂ ନୂତନ ଦୃଷ୍ଟିକୋଣରୁ ଏହାକୁ ଗ୍ରହଣ କରିବା ଦିଗରେ ଏହା ଏକ ସତର୍କବାଣୀ ସଦୃଶ ଥିଲା।
ମୋ ସହିତ ମଦୁରାଇର ମଞ୍ଜମେଡୁରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କର ବାର ଜଣ ପିଲାଙ୍କୁ ନେଇ ଗଠିତ ଏକ ଦଳ (୧୬ରୁ ୨୧ବର୍ଷ ବୟସ ବର୍ଗର) ଏକ ୧୦ ଦିନିଆ କର୍ମଶାଳାରେ ଭାଗ ନେଇଥିଲେ। ନିଷ୍ପେଷିତ ସଂପ୍ରଦାୟର ଏହି ପିଲାମାନଙ୍କ ପାଇଁ ଏହା ଥିଲା ଏହି ଧରଣର ସର୍ବପ୍ରଥମ କର୍ମଶାଳା। ଏହି କର୍ମଶାଳା ଅବସରରେ, ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଦେଖିଲେ ଯେ କିଭଳି ସ୍ଥିତିରେ ସେମାନଙ୍କ ବାପାମାଆ କାମ କରୁଛନ୍ତି। ସେମାନଙ୍କର ଏହି କାହାଣୀ ସାରା ପୃଥିବୀକୁ ଶୁଣାଇବା ଲାଗି ସେମାନେ ଆଗଭର ହୋଇ ଉଠିଲେ।
ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସାତ ଜଣ ଏବଂ ତାମିଲନାଡୁର ନାଗପଟ୍ଟିନମର ଆଠ ଜଣ ମତ୍ସ୍ୟଜୀବୀ ମହିଳାଙ୍କ ପାଇଁ ମୁଁ ଗୋଟିଏ ତିନିମାସିଆ କର୍ମଶାଳାର ଆୟୋଜନ କରିଥିଲି। ଗଞ୍ଜାମ ଏଭଳି ଏକ ଅଞ୍ଚଳ, ଯାହା ଲଗାତାର ସମୁଦ୍ର ମାଡ଼ି ଆସିବା କାରଣରୁ ମୃତ୍ତିକା କ୍ଷୟ ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଆସୁଛି। ନାଗପଟ୍ଟିନମ୍ ଏକ ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁଠି ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଏବଂ ମତ୍ସ୍ୟଜୀବୀ ବସବାସ କରିଆସୁଛନ୍ତି ଏବଂ ବିଭିନ୍ନ ସମୟରେ ସେମାନେ ଶ୍ରୀଲଙ୍କା ନୌସେନାର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।
ଏହି ସବୁ କର୍ମଶାଳାରୁ ମିଳିଥିବା ଫଟୋରେ ସେମାନଙ୍କୁ ଘେରି ରହିଥିବା ବିଭିନ୍ନ ସ୍ୱତନ୍ତ୍ର ସମସ୍ୟାର ପ୍ରତିଫଳନ ଘଟିଥିଲା।


ପାଲାନିଙ୍କ ସହିତ ଫଟୋଗ୍ରାଫି ଶିକ୍ଷା ଅବସରରେ ନାଗପଟ୍ଟିନମ୍ (ବାମ) ଏବଂ ଗଞ୍ଜାମ (ଡାହାଣ)ର ମହିଳା ମତ୍ସ୍ୟଜୀବୀଗଣ
ସିଏଚ୍. ପ୍ରତିମା,
୨୨
ଦକ୍ଷିଣ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀ
ପୋଡ଼ମପେଟା, ଗଞ୍ଜାମ, ଓଡ଼ିଶା
ଫଟୋ ଉଠାଇବା ଯୋଗୁଁ ମୋତେ ମୋ ସଂପ୍ରଦାୟର ଲୋକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଏବଂ ମୋ ଚାରିପଟେ ଥିବା ଲୋକଙ୍କ ନିକଟତର ହେବାକୁ ସୁଯୋଗ ମିଳିଲା।
ମୋର ଅତି ପ୍ରିୟ ଫଟୋଗ୍ରାଫ ଭିତରୁ ଗୋଟିଏ ହେଲା ଯେଉଁଥିରେ ପିଲାମାନେ ଖେଳ ଖେଳିବା ଭଳି ମୁହାଣରେ ଗୋଟିଏ ଡଙ୍ଗାକୁ ଓଲଟାଇ ଦେଉଛନ୍ତି। ସମୟର କୌଣସି ଏକ ମୁହୂର୍ତ୍ତକୁ ସ୍ଥିର କରି ରଖିଦେବାରେ ଫଟୋଗ୍ରାଫିର ଶକ୍ତିକୁ ମୁଁ ବୁଝିପାରିଲି।
ମୁଁ ଏମିତି ଗୋଟିଏ ଫଟୋ ଉଠାଇଥିଲି, ଯେଉଁଥିରେ ଆମ ମତ୍ସ୍ୟଜୀବୀ ସଂପ୍ରଦାୟର ଜଣେ ସଦସ୍ୟ, ସମୁଦ୍ର ମାଡ଼ି ଆସିବା ଯୋଗୁଁ କ୍ଷତିଗ୍ରସ୍ତ ଘର ଭିତରୁ ସେମାନଙ୍କ ଜିନିଷପତ୍ର ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି। ଏହି ଫଟୋରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନିଷ୍ପେଷିତ ସଂପ୍ରଦାୟ ସମ୍ମୁଖୀନ ହେଉଥିବା ସମସ୍ୟାର ଚିତ୍ର ଫୁଟି ଉଠୁଛି ଏବଂ ଏହାକୁ ଉଠାଇ ଥିବାରୁ ମୁଁ ଖୁବ୍ ଖୁସି।
ପ୍ରଥମ ଥର ପାଇଁ ଯେତେବେଳେ ମୋତେ ଏହି କ୍ୟାମେରା ମିଳିଲା, ମୁଁ ଏହାକୁ ଚଳାଇବାରେ ସକ୍ଷମ ହେବି ବୋଲି ଭାବି ପାରି ନଥିଲି। ମୋତେ ଲାଗିଲା ଯେମିତି କି ମୁଁ ଗୋଟିଏ ଭାରୀ ମେସିନ୍କୁ ବୋହିନେଉଛି। ଏହା ଥିଲା ସଂପୂର୍ଣ୍ଣ ନୂଆ ଅନୁଭୂତି। ପୂର୍ବରୁ ମୁଁ ମୋ ମୋବାଇଲରେ ଏଣୁତେଣୁ ଫଟୋ ଉଠାଉଥିଲି। କିନ୍ତୁ ଏହି କର୍ମଶାଳାରେ ମୋ ଆଖି ଖୋଲିଗଲା ଏବଂ ଫଟୋଗ୍ରାଫ ଜରିଆରେ ଯେ ସଂପର୍କ ଗଢ଼ି ହେବ ଏବଂ କାହାଣୀ ଶୁଣାଇ ହେବ, ସେକଥା ମୁଁ ଜାଣିପାରିଲି। ପ୍ରଥମେ ପ୍ରଥମେ ଫଟୋଗ୍ରାଫ ସଂପର୍କିତ ତତ୍ତ୍ୱ ଓ ସିଦ୍ଧାନ୍ତ ଶିଖିବା ବେଳେ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ କର୍ମଶାଳା ଏବଂ କ୍ୟାମେରା ସହିତ ବ୍ୟାବହାରିକ ଅନୁଭୂତି ବଳରେ ସବୁ କିଛି ସ୍ପଷ୍ଟ ହେବାରେ ଲାଗିଲା ଏବଂ ମୁଁ ଶ୍ରେଣୀରେ ପଢ଼ିଥିବା ତତ୍ତ୍ୱକୁ ବାସ୍ତବ ଜଗତରେ ପ୍ରୟୋଗ କରିପାରିଲି।

ପୋଡ଼ମପେଟାର ମତ୍ସ୍ୟଜୀବୀମାନେ ସେମାନଙ୍କ ରହଣି ସ୍ଥଳରେ ଜାଲ ସଫା କରୁଛନ୍ତି

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମତ୍ସ୍ୟଜୀବୀମାନେ ଜାଲରେ ମାଛ ଧରିବାକୁ ପ୍ରସ୍ତୁତ ହେଉଛନ୍ତି

ଓଡ଼ିଶାର ଆର୍ଜିପଲ୍ଲୀ ମାଛଧରା ବନ୍ଦରରେ ମରୁଆ କୋକଲି ମାଛ ନିଲାମ ସମୟରେ

ପୋଡ଼ମପେଟାରେ, ସମୁଦ୍ର ମାଡ଼ି ଆସିବା ଯୋଗୁଁ କ୍ଷତିଗ୍ରସ୍ତ ଏକ ଘର ଆଉ ବାସୋପଯୋଗୀ ନୁହେଁ

ପୋଡ଼ମପେଟା ଗାଁର ଜଣେ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଛି । ବାରମ୍ବାର ସମୁଦ୍ର ମାଡ଼ି ଆସିବା ଯୋଗୁଁ ମୃତ୍ତିକା କ୍ଷୟ ଘଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି କାରଣରୁ ସାରା ଗାଁର ଲୋକେ ଅନ୍ୟତ୍ର ପଳାଇଛନ୍ତି

ସମୁଦ୍ର ମାଡ଼ି ଆସିବା ଯୋଗୁଁ ମୃତ୍ତିକା କ୍ଷୟ ଘଟି କ୍ଷତିଗ୍ରସ୍ତ ଘର

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ଗାଁରେ ସମୁଦ୍ର ଯୋଗୁଁ ନିରନ୍ତର ମୃତ୍ତିକା କ୍ଷୟ

ପୋଡ଼ମପେଟା ଗାଁରେ ଏକ ଘରର ଭଗ୍ନାବଶେଷକୁ ଚାହିଁ ରହିଛନ୍ତି ଆଉତି
*****
ପି. ଇନ୍ଦ୍ରା,
୨୨
ବିଏସ୍ସି ପଦାର୍ଥ ବିଜ୍ଞାନର ଛାତ୍ର, ଡ
କ୍ଟ
ର ଆମ୍ବେଦକର ସାନ୍ଧ୍ୟ ଶିକ୍ଷା କେନ୍ଦ୍ର
ଆରପା
ଳ
ୟମ, ମଦୁରାଇ, ତାମିଲନାଡୁ
“ଆପଣ ନିଜକୁ, ଆପଣଙ୍କ ପରିବେଶକୁ ଏବଂ କାମ କରୁଥିବା ବେଳର ନିଜ ଲୋକମାନଙ୍କୁ ରେକର୍ଡଭୁକ୍ତ କରିନିଅନ୍ତୁ।”
ମୋ ହାତରେ କ୍ୟାମେରା ଦେଲା ସମୟରେ ପାଲାନି ଆନ୍ନା ତାହା ହିଁ କହିଥିଲେ। ମୁଁ ଏଠାକୁ ଆସି ଖୁବ୍ ଆନନ୍ଦିତ, କାରଣ ପ୍ରଥମେ ମୋ ବାପା ମୋତେ ଏହି କର୍ମଶାଳାରେ ଯୋଗ ଦେବାକୁ ଛାଡୁ ନଥିଲେ ଏବଂ ତାଙ୍କୁ ରାଜି କରାଇବା ପାଇଁ କିଛି ବୁଝାଶୁଝା କରିବାକୁ ପଡ଼ିଲା। ପରିଶେଷରେ ସେ ମୋ ଫଟୋଗ୍ରାଫିର ବିଷୟବସ୍ତୁ ପାଲଟି ଗଲେ।
ମୁଁ ସଫେଇ କର୍ମଚାରୀଙ୍କ ଗହଣରେ ରହେ। ମୋ ବାପାଙ୍କ ଭଳି, ସେମାନେ ଉତ୍ପୀଡ଼ନକାରୀ ଜାତିପ୍ରଥା ଯୋଗୁଁ ବଂଶାନୁକ୍ରମିକ କର୍ମନିଯୁକ୍ତି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ମୋ ବାପା ସେମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ହେଁ ଏହି କର୍ମଶାଳାକୁ ଆସିବା ପୂର୍ବରୁ ମୁଁ ସେମାନଙ୍କ କାମ ଓ ସମସ୍ୟା ସଂପର୍କରେ ଜାଣି ନଥିଲି। ମୋତେ ଯେଉଁ ଗୋଟିଏ କଥା କୁହାଯାଉଥିଲା, ତାହା ହେଲା, ଭଲ ପାଠ ପଢ଼ ଏବଂ ସରକାରୀ ଚାକିରି କର, ଏବଂ କେବେହେଲେ ସଫେଇ କର୍ମଚାରୀ ହୁଅ ନାହିଁ। ଆମ ସ୍କୁଲ ଶିକ୍ଷକ ଆମକୁ ଏହା ହିଁ କହିବାରେ ଲାଗିଥିଲେ।
ଶେଷରେ ମୁଁ ମୋ ବାପାଙ୍କ କାମକୁ ସେତେବେଳେ ବୁଝିପାରିଲି, ଯେତେବେଳେ ମୁଁ ତାଙ୍କ ସାଙ୍ଗରେ ଦୁଇରୁ ତିନି ଦିନ ପାଇଁ କାମକୁ ଗଲି ଏବଂ ତାଙ୍କୁ କ୍ୟାମେରାରେ ରେକର୍ଡ କଲି। ମୁଁ ଦେଖିଲି, ସଫେଇ କର୍ମଚାରୀମାନେ କିଭଳି ପ୍ରତିକୂଳ ପରିସ୍ଥିତିରେ ପରିଶ୍ରମ କରୁଛନ୍ତି- ଗ୍ଲୋବ୍ସ ଏବଂ ଜୋତା ଭଳି ଉପଯୁକ୍ତ ସୁରକ୍ଷା ଉପକରଣ ବିନା ଘରର ଆବର୍ଜନା ଏବଂ ବିଷାକ୍ତ ବର୍ଜ୍ୟବସ୍ତୁ ଉଠାଉଛନ୍ତି। ସକାଳ ଠିକ୍ ଛଅଟାରେ ସେମାନେ ପହଞ୍ଚିବା ଦରକାର, ଏବଂ ଯଦି ଗୋଟିଏ ସେକେଣ୍ଡ ବିଳମ୍ବରେ ପହଞ୍ଚନ୍ତି, ଠିକାଦାରମାନେ ଏବଂ ସେମାନଙ୍କ ଉପରିସ୍ଥ ଅଧିକାରୀମାନେ, ସେମାନଙ୍କ ପ୍ରତି ଅମାନବୀୟ ଢଙ୍ଗରେ ବ୍ୟବହାର କରନ୍ତି।
ମୋ ନିଜ ଜୀବନ ସଂପର୍କରେ ମୁଁ ଯାହା ଆଖିରେ ଦେଖିପାରି ନଥିଲି, ମୋ କ୍ୟାମେରା ତାହା ଦେଖାଇଦେଲା। ସେହି ଭାବରେ କହିଲେ, ଏହା ଏକ ତୃତୀୟ ଆଖି ଖୋଲିଯିବା ଭଳି କଥା। ମୁଁ ଯେତେବେଳେ ମୋ ବାପାଙ୍କ ଫଟୋ ଉଠାଇଲି, ସେ ମୋତେ ତାଙ୍କ ନିତିଦିନିଆ ଜୀବନର ସଂଘର୍ଷ କଥା ଏବଂ କେମିତି ସେ ତାଙ୍କ ଯୁବାବସ୍ଥାରୁ ଏହି କାମରେ ଛନ୍ଦି ହୋଇପଡ଼ିଲେ, ସେ କଥା କହିଲେ। ଏହି କଥାବାର୍ତ୍ତା ଆମ ଦୁହିଁଙ୍କ ସଂପର୍କକୁ ଆହୁରି ମଜଭୁତ କଲା।
ଏହି କର୍ମଶାଳା ଆମ ସମସ୍ତଙ୍କ ଜୀବନର ଗତିପଥରେ ଏକ ପ୍ରମୁଖ ମୋଡ଼ ଆଣିଦେଇଛି।

ମଦୁରାଇର କୋମାସ ପାଲୟମ୍ର ଏକ ଘରେ ପରିବାର ଲୋକେ

ପି. ଇନ୍ଦ୍ରାଙ୍କ ବାପା ପାଣ୍ଡି, ୧୩ ବର୍ଷ ବୟସରୁ ଏହି ସଫେଇ କାମ କରିବାକୁ ବାଧ୍ୟ ହେଲେ । କାରଣ ସଫେଇ କର୍ମଚାରୀ ଭାବେ କାମ କରୁଥିବା ତାଙ୍କ ବାପାମାଆ, ତାଙ୍କୁ ପାଠ ପଢ଼ାଇବାରେ ସମର୍ଥ ନ ଥିଲେ । ଉପଯୁକ୍ତ ଗ୍ଲୋବ୍ସ ଏବଂ ଜୋତା ଅଭାବରୁ ତାଙ୍କ ଭଳି କର୍ମଚାରୀମାନେ ବିଭିନ୍ନ ଚର୍ମରୋଗରେ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହୁଅନ୍ତି

କୌଣସି ସୁରକ୍ଷା ଉପକରଣ ବିନା ପାଣ୍ଡି ସର୍ବସାଧାରଣ ଶୌଚାଳୟ ସଫା କରୁଛନ୍ତି । ତାଙ୍କ ରୋଜଗାରରୁ ତାଙ୍କ ପିଲାମା ନେ ଶିକ୍ଷାଲାଭ କରନ୍ତି ଏବଂ ଏବେ ସେମାନେ ସ୍ନାତକ ଶ୍ରେଣୀରେ ପଢୁଛନ୍ତି

କାଳେଶ୍ୱରୀ ସଫେଇ କର୍ମଚାରୀଙ୍କ ଝିଅ ଏବଂ ସ୍ତ୍ରୀ । ସେ କହନ୍ତି ଯେ ଏହି ବିଷ ବଳୟରୁ ମୁକ୍ତି ପାଇବା ଲାଗି ଶିକ୍ଷା ହିଁ ଏକମାତ୍ର ମାଧ୍ୟମ
*****
ସୁଗନ୍ତି ମାଣିକଭେଲ,
୨୭
ମତ୍ସ୍ୟଜୀବୀ
ନାଗପଟ୍ଟିନମ୍, ତାମିଲନାଡୁ
ଜୀବନ ପ୍ରତି ମୋ ଦୃଷ୍ଟିକୋଣକୁ ବଦଳାଇ ଦେଲା କ୍ୟାମେରା। କ୍ୟାମେରାଟିଏ ହାତରେ ଧରିଲେ ମୋ ଭିତରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମବିଶ୍ୱାସ ଭରିଗଲା ଭଳି ଲାଗିଲା। ଏହା ଯୋଗୁଁ ମୁଁ ଅନେକ ଲୋକଙ୍କ ସହିତ କଥାବାର୍ତ୍ତା କରିପାରିଲି। ଯଦିଓ ମୁଁ ଜୀବନ ସାରା ନାଗପଟ୍ଟିନମରେ ରହିଆସିଛି, ଏଥର ପ୍ରଥମ ଥର ପାଇଁ କ୍ୟାମେରା ଧରି ମୁଁ ବନ୍ଦରକୁ ଯାଇଥିଲି।
ପାଞ୍ଚ ବର୍ଷ ବୟସରୁ ମାଛ ଧରିଆସୁଥିବା ମୋ ବାପା, ୬୦ ବର୍ଷୀୟ ମାଣିକଭେଲଙ୍କୁ ମୁଁ କ୍ୟାମେରାରେ ରେକର୍ଡ କଲି। ଦୀର୍ଘଦିନ ଧରି ଲୁଣିପାଣିରେ ରହି ରହି ତାଙ୍କ ଗୋଡ଼ର ଆଙ୍ଗୁଠିଗୁଡ଼ିକ ବଧିରା ହୋଇଗଲାଣି, ଏବେ ସେଥିରେ ରକ୍ତ ସଞ୍ଚାଳନର ହାର କମି ଯାଇଛି। ହେଲେ ଏବେ ବି ସେ ଆମ ଚଳିବା ପାଇଁ ସବୁ ଦିନ ମାଛ ଧରନ୍ତି।
୫୬ ବର୍ଷୀୟା ପୁପତି ଆମ୍ମାଙ୍କ ଘର ବେଲ୍ଲପଲ୍ଲାମରେ। ୨୦୦୨ରେ ଶ୍ରୀଲଙ୍କା ନୌସେନା ଆକ୍ରମଣରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା ଏବଂ ସେବେଠାରୁ ସେ ବଞ୍ଚି ରହିବା ପାଇଁ ମାଛ କିଣି ବିକିବା ଆରମ୍ଭ କରିଥିଲେ। ମୁଁ ଆଉ ଯେଉଁ ମତ୍ସ୍ୟଜୀବୀ ମହିଳାଙ୍କର ଫଟୋ ଉଠାଇଥିଲି ସେ ହେଲେ ତାଙ୍ଗାମ୍ମାଲ। ତାଙ୍କ ସ୍ୱାମୀଙ୍କର ଆଣ୍ଠୁଗଣ୍ଠି ବାତ ଅଛି ଏବଂ ପିଲାମାନେ ସ୍କୁଲ ଯାଉଛନ୍ତି। ତେଣୁ ସେ ନାଗପଟ୍ଟିନମର ଗଳିକନ୍ଦିରେ ମାଛ ବିକିବା ଆରମ୍ଭ କରିଥିଲେ। ପଲାଙ୍ଗଲ୍ଲିମେଡୁର ମହିଳାମାନେ ଚିଙ୍ଗୁଡ଼ିଧରା ଜାଲ ବସାଇ ସମୁଦ୍ରରୁ ମାଛ ଧରନ୍ତି। ମୁଁ ଉଭୟ ଜୀବିକାକୁ ଚିତ୍ରରେ ତୋଳି ଧରିଥିଲି।
ଯଦିଓ ମୁଁ ମାଛଧରାଳିମାନଙ୍କର ଏକ ଗାଁରେ ଜନ୍ମ ନେଇଥିଲି, ତଥାପି ନିର୍ଦ୍ଦିଷ୍ଟ ଏକ ବୟସ ପରେ ମୁଁ କେବେ କେମିତି ସମୁଦ୍ର କୂଳକୁ ଯାଉଥିଲି। ମୁଁ ଯେତେବେଳେ ଫଟୋଗ୍ରାଫ ଜରିଆରେ ଦଲିଲଭୁକ୍ତ କରିବା ଆରମ୍ଭ କଲି, ମୁଁ ଆମ ସଂପ୍ରଦାୟକୁ ଏବଂ ଦୈନନ୍ଦିନ ଜୀବନରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାବଳିକୁ ବୁଝିପାରିଲି।
ଏହି କର୍ମଶାଳାକୁ ମୁଁ ମୋ ଜୀବନର ସବୁଠାରୁ ବଡ଼ ସୁଯୋଗ ମଧ୍ୟରୁ ଗୋଟିଏ ବୋଲି ବିଚାର କରେ।

ନାଗପଟ୍ଟିନମ୍ର ଭେଲପ୍ପମରେ ଶକ୍ତିବେଲ ଏବଂ ବିଜୟ ଚିଙ୍ଗୁଡ଼ି ଧରିବାକୁ ବସାଯାଇଥିବା ଜାଲକୁ ଟାଣୁଛନ୍ତି

ତାଙ୍କ ଜାଲରୁ ଚିଙ୍ଗୁଡ଼ି ସଂଗ୍ରହ କରିନେବା ପରେ ବନବନମହାଦେବୀ ସମୁଦ୍ରକୂଳରେ ବିଶ୍ରାମ ନେଉଛନ୍ତି କୋଡିସେଲଭି

ନାଗପଟ୍ଟିନମର ବନବନମହାଦେବୀରେ ଚିଙ୍ଗୁଡ଼ି ପାଇଁ ଜାଲକୁ ଭଲ ଭାବେ ଦେଖିନିଅନ୍ତି ଅରୁମୁଗମ ଏବଂ କୁପ୍ପାମଲ

ଜାଲ ଟାଣିବାକୁ ପ୍ରସ୍ତୁତ ଅବସ୍ଥା ଇନ୍ଦିରା ଗାନ୍ଧି (ସମ୍ମୁଖରେ)

ଆବାରିକାଡୁରେ, କେନାଲ ଭିତରକୁ ଜାଲ ଫିଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି କେଶବନ

ଚାଉଳି ମାଛ ଋତୁରେ, ବେଶୀ ପରିମାଣର ମାଛ ଧରିବାକୁ ବହୁ ମତ୍ସ୍ୟଜୀବୀ ଦରକାର ହୁଅନ୍ତି
*****
ଲକ୍ଷ୍ମୀ ଏମ୍.,
୪୨
ମତ୍ସ୍ୟଜୀବୀ
ତିରୁମୁଲ୍ଲାଇବାସଲ, ନାଗପଟ୍ଟିନମ, ତାମିଲନାଡୁ
ମତ୍ସ୍ୟଜୀବୀ ମହିଳାମାନଙ୍କୁ ଫଟୋଗ୍ରାଫି ତାଲିମ ଦେବା ଲାଗି ଯେତେବେଳେ ଫଟୋଗ୍ରାଫର ପାଲାନି ମତ୍ସ୍ୟଜୀବୀମାନଙ୍କ ତିରୁମୁଲ୍ଲାଇବାସାଲକୁ ଆସିଲେ, ଆମେ ସମସ୍ତେ କାହାର ଫଟୋ ଉଠାଇବୁ ଏବଂ କେମିତି ଏ କାମ କରିବୁ ବୋଲି ଘାବରେଇ ଯାଇଥିଲୁ। କିନ୍ତୁ କ୍ୟାମେରା ହାତରେ ଧରିବା ମାତ୍ରକେ ହିଁ ଆମର ଏ ସବୁ ଚିନ୍ତା ଉଭେଇ ଗଲା ଏବଂ ଆମ ମନରେ ଦୃଢ଼ତା ଭରିଗଲା ଏବଂ ଆମେ ନିଜ ଉପରେ ଭରସା କରିବାରେ ଲାଗିଲୁ।
ଆକାଶ, ବେଳାଭୂମି ଏବଂ ଆମ ଚାରିପାଖେ ଥିବା ଅନ୍ୟାନ୍ୟ ବିଷୟର ଫଟୋ ଉଠାଇବାକୁ ଆମେ ଯେତେବେଳେ ସମୁଦ୍ରକୂଳରେ ପହଞ୍ଚିଲୁ ଗାଁର ମୁଖିଆ ଆମକୁ ଅଟକାଇଲେ ଏବଂ ଆମେ କ’ଣ କରୁଛୁ ବୋଲି ପ୍ରଶ୍ନ ପଚାରିଲେ। ଆମେ ଯେତେ ଯାହା କହିଲେ ବି ଆମ କଥା ଶୁଣିବାକୁ ସେ ମନା କରିଦେଲେ ଏବଂ ଆମକୁ ଲାଗିଲା, ସତେ ଯେମିତି ସେ ଆମ ଫଟୋଉଠା ବନ୍ଦ କରିବାକୁ ସ୍ଥିର କରି ଆସିଛନ୍ତି। ପରବର୍ତ୍ତୀ ଗାଁ ଚିନ୍ନାକୁଟ୍ଟିରେ ପହଞ୍ଚିବା ପରେ, ଏଭଳି ପ୍ରତିବନ୍ଧକକୁ ଏଡ଼ାଇ ଯିବା ଲାଗି, ଆମେ ପ୍ରଥମେ ଗ୍ରାମ ସଭାପତିଙ୍କ ଅନୁମତି ଲୋଡ଼ିଲୁ।
ଆମର କୌଣସି ଫଟୋ ଝାପ୍ସା ଦେଖାଯାଉଥିଲେ ଏହାକୁ ଆଉ ଥରେ ଉଠାଇବା ଲାଗି ପାଲାନି ସବୁବେଳେ କହନ୍ତି। ଏଥିରେ ରହିଥିବା ଭୁଲ ବୁଝିବାରେ ଏବଂ ସଂଶୋଧନ କରିବାରେ ଏହା ସହାୟତା କରେ। ଏଥିରୁ ଏହି କଥା ମୁଁ ଶିଖିଲି ଯେ, ମୁଁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେଇ କାମରେ ଲାଗିଯିବି ନାହିଁ। ଏହା ଧୀରେ ଧୀରେ ସବୁ କଥା ଶିଖିବାର ଏକ ଅନୁଭୂତି।
*****
ନୁର ନିଶା କେ.,
୧୭
ବି. ଭୋକେସନାଲ ଡିଜିଟାଲ ଜର୍ଣ୍ଣାଲିଜମ, ଲୋୟଲା କଲେ
ଜ
,
ତିରୁଭୋତ୍ରିୟୁର, ଉତ୍ତର ଚେନ୍ନାଇ, ତାମିଲନାଡୁ
ପ୍ରଥମ ଥର ପାଇଁ ଯେତେବେଳେ ମୋ ହାତରେ କ୍ୟାମେରାଟିଏ ଧରାଇ ଦିଆଗଲା, ସେତେବେଳେ ଏହା ମୋ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ମୁଁ ଜାଣି ନଥିଲି। ଏବେ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ମୋ ଜୀବନକୁ ଦୁଇଟି ଭାଗରେ ଶ୍ରେଣୀଭୁକ୍ତ କରାଯାଇପାରେ -ଫଟୋଗ୍ରାଫି ପୂର୍ବରୁ ଏବଂ ପରେ। ଖୁବ୍ ଛୋଟ ବୟସରୁ ମୁଁ ମୋ ବାପାଙ୍କୁ ହରାଇଥିଲି ଏବଂ ସେହିଦିନଠାରୁ ହିଁ ଆମକୁ ବଡ଼ କରିବା ଲାଗି ମୋ ମାଆ ସଂଘର୍ଷ କରିଆସୁଛନ୍ତି।
ପାଲାନି ଆନ୍ନା କ୍ୟାମେରା ଲେନ୍ସ ଭିତର ଦେଇ ମୋତେ ଏମିତି ଏକ ପୃଥିବୀ ଦେଖାଇଲେ, ଯାହା ମୋ ପାଇଁ ସଂପୂର୍ଣ୍ଣ ଭିନ୍ନ ଓ ନୂଆ ଥିଲା। ମୁଁ ବୁଝିପାରିଲି ଯେ ଆମେ ଯେଉଁ ସବୁ ଫଟୋ ଉଠାଉଛୁ, ସେଗୁଡ଼ିକ କେବଳ ଫଟୋଗ୍ରାଫ ନୁହେଁ, ବରଂ ସେହି ଦସ୍ତାବିଜ୍, ଯାହା ଜରିଆରେ ଆମେ ଅନ୍ୟାୟ ଉପରେ ପ୍ରଶ୍ନ ଉଠାଇ ପାରିବୁ।
ସେ ଆମକୁ ସବୁବେଳେ ଗୋଟିଏ କଥା କହନ୍ତି: “ଫଟୋଗ୍ରାଫି ଉପରେ ବିଶ୍ୱାସ ରଖ, ଏହା ତୁମର ସବୁ ଆବଶ୍ୟକତା ପୂରଣ କରିବ।” ଏ କଥା ସତ ବୋଲି ମୁଁ ଜାଣିପାରିଛି ଏବଂ ବେଳେବେଳେ କାମ କରିବା ଲାଗି ବାହାରକୁ ଯାଇପାରୁ ନଥିବା ମୋ ମାଆଙ୍କୁ ସାହାଯ୍ୟ କରିପାରୁଛି।

ଶିଳ୍ପ ସଂସ୍ଥା ଜନିତ ପ୍ରଦୂଷଣ ଯୋଗୁଁ ଚେନ୍ନାଇ ନିକଟ ଏନ୍ନୋର ବନ୍ଦରର ପରିବେଶ ମଣିଷର ଜୀବନଧାରଣ ଲାଗି ଅନୁପଯୁକ୍ତ ହୋଇପଡ଼ିଛି। ଏଭଳି ଅବସ୍ଥା ସତ୍ତ୍ୱେ ପିଲାମାନେ କ୍ରୀଡ଼ାବିତ୍ ହେବା ଲାଗି ତାଲିମ ନେଉଛନ୍ତି

ସବୁଦିନ ବିଷାକ୍ତ ଗ୍ୟାସ୍ ଉଦ୍ଗୀରଣ କରୁଥିବା ଶିଳ୍ପ କାରଖାନାର ଅତି ନିକଟରେ ହିଁ ଏହି ସଂପ୍ରଦାୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ତାଲିମ ନେବାକୁ ପଡୁଛି
*****
ଏସ୍. ନନ୍ଦିନୀ,
୧୭
ସାମ୍ବାଦିକତା ଛାତ୍ରୀ, ଏମ୍.ଓ.ପି. ବୈଷ୍ଣବ କଲେଜ୍ ଫର୍ ୱମେନ୍
ବ୍ୟାସରପାଡ଼ି, ଉତ୍ତର ଚେନ୍ନାଇ, ତାମିଲନାଡୁ
ମୋ ଘର ପାଖରେ ଖେଳୁଥିବା ପିଲାମାନେ ହିଁ ଥିଲେ ମୋର ସର୍ବପ୍ରଥମ ବିଷୟବସ୍ତୁ। ସେମାନେ ଖେଳୁଥିବା ବେଳେ ମୁଁ ସେମାନଙ୍କ ଆନନ୍ଦିତ ମୁହଁର ଫଟୋ ଉଠାଇଲି। କ୍ୟାମେରା ଭିତର ଦେଇ କେମିତି ପୃଥିବୀକୁ ଦେଖିବାକୁ ହେବ ତାହା ମୁଁ ଶିଖିଲି। ମୁଁ ବୁଝିପାରିଲି ଯେ ଚିତ୍ରର ଭାଷା ହେଉଛି ସେହି ଭାଷା, ଯାହାକୁ ସହଜରେ ବୁଝିହେବ।
ବେଳେବେଳେ, ଫଟୋ ଉଠାଇବାକୁ ଯିବା ସମୟରେ ଆପଣ ଏମିତି କିଛି କଥା ଦେଖନ୍ତି ଯାହା ଆଗରୁ ଆଶା କରି ନଥିବେ, ଏବଂ ସେମିତି କଥାକୁ ଛାଡ଼ି ପଳାଇ ଯିବା ପାଇଁ ମୋ ମନ କହେନି। ଫଟୋଗ୍ରାଫି ମୋତେ ଆନନ୍ଦିତ କରେ, ଏହା ଏକ ପ୍ରକାରର ପାରିବାରିକ ବାତାବରଣର ଅନୁଭୂତି ଆଣିଦିଏ।
ମୁଁ ଡକ୍ଟର ଆମ୍ବେଦକର ପଗୁତରିବୁ ପାଡ଼ସଲାଇରେ ପଢୁଥିବା ସମୟରେ, ଦିନେ ଆମେ ଡକ୍ଟର ଆମ୍ବେଦକର ସ୍ମାରକୀ ବୁଲି ଦେଖିବାକୁ ଯାଇଥିଲୁ। ସେହି ଯାତ୍ରା ସମୟରେ ଫଟୋଗୁଡ଼ିକ ମୋତେ କଥା କହିଲେ। ହାତରେ ମଇଳା ସଫା କରୁଥିବା ଜଣେ ମେହନ୍ତରଙ୍କ ମୃତ୍ୟୁ ଏବଂ ତାଙ୍କ ପରିବାରର ଶୋକକୁ ପାଲାନି ଆନ୍ନା କ୍ୟାମେରାରେ ରେକର୍ଡ କରିଥିଲେ। ସେହି ଫଟୋରେ ପରିବାର ଲୋକଙ୍କ ବିଷାଦ, କ୍ଷତି ଏବଂ ଦୁଃଖ ଅବିକଳ ଭାବରେ ଦେଖାଯାଉଥିଲା। ଏହାକୁ ଭାଷାରେ ପ୍ରକାଶ କରାଯାଇପାରିବ ନାହିଁ। ସେଠାରେ ଆମେ ତାଙ୍କୁ ଯେତେବେଳେ ଭେଟିଲୁ, ଆମେ ବି ଏମିତି ଫଟୋ ଉଠାଇବାରେ ସମର୍ଥ ବୋଲି କହି ସେ ଆମକୁ ଉତ୍ସାହିତ କଲେ।
ସେ ଯେତେବେଳେ ପାଠ ପଢ଼ାଇବା ଆରମ୍ଭ କଲେ ମୁଁ ତାଙ୍କ ଶ୍ରେଣୀରେ ଯୋଗ ଦେଇପାରି ନଥିଲି। କାରଣ ମୁଁ ସ୍କୁଲ ତରଫରୁ ଆୟୋଜିତ ଗସ୍ତରେ ଥିଲି। ତଥାପି, ମୁଁ ଫେରି ଆସିବା ପରେ ସେ ମୋତେ ଅଲଗା ପଢ଼ାଇଲେ ଏବଂ ଫଟୋ ଉଠାଇବାକୁ ଉତ୍ସାହିତ କଲେ। ଗୋଟିଏ କ୍ୟାମେରା କେମିତି କାମ କରେ ସେ କଥା ମୁଁ ଆଗରୁ ଜାଣି ନଥିଲି, ହେଲେ ପାଲାନି ଆନ୍ନା ମୋତେ ଏହା ଶିଖାଇଲେ। ସେ ଆମକୁ ଆମ ଫଟୋର ବିଷୟବସ୍ତୁ ଖୋଜିବାକୁ ଛାଡ଼ି ଦେଇ ଆମକୁ ବାଟ ଦେଖାଇଲେ। ଏହି ଯାତ୍ରା ଅବସରରେ ମୁଁ ଅନେକ ନୂତନ ଦୃଷ୍ଟିକୋଣ ଏବଂ ଅନୁଭୂତି ହାସଲ କଲି।
ଫଟୋଗ୍ରାଫିରେ ମୋର ଅନୁଭୂତି ଯୋଗୁଁ ହିଁ ମୁଁ ସାମ୍ବାଦିକତାକୁ ବାଛି ନେଲି।

ଆକାଶ ମାର୍ଗରୁ ଉତ୍ତର ଚେନ୍ନାଇର ଏକ ଜନବସତି ବ୍ୟାସର ପା ଡ଼ିର ଦୃଶ୍ୟ

ନନ୍ଦିନୀଙ୍କ ଘରେ ବାବାସାହେବ ଆମ୍ବେଦକରଙ୍କର ଏକ ପ୍ରତିକୃତି

ଚେନ୍ନାଇର ଡ କ୍ଟ ର ଆମ୍ବେଦକର ପଗୁତରିବୁ ପାଡ଼ସଲାଇର ଛାତ୍ରଛାତ୍ରୀମାନେ

ଡ କ୍ଟ ର ଆମ୍ବେଦକର ପଗୁତରିବୁ ପାଡ଼ସଲାଇରେ ନିଯୁକ୍ତିପ୍ରାପ୍ତ ପ୍ରଶିକ୍ଷକମାନେ ଉତ୍ସାହୀ ଛାତ୍ରଛାତ୍ରୀମାନଙ୍କର ମାର୍ଗଦର୍ଶନ କରାନ୍ତି

ପିଲାମାନେ କବାଡ଼ି ଖେଳୁଛନ୍ତି

ଫୁଟବଲ ମ୍ୟାଚ୍ ପରେ ବିଜୟୀ ଟିମ୍

ନନ୍ଦିନୀ (ଫଟୋଗ୍ରାଫର) କହନ୍ତି, ‘ ଅନେକ ସମୟରେ ଏହି ପକ୍ଷୀମାନେ ମୋର ମନେ ପକାଇ ଦିଅନ୍ତି ଯେ, କେମିତି ମୋ ନିଜର ସାରା ସଂପ୍ରଦାୟ ସମାଜ ଦ୍ୱାରା ବନ୍ଦୀ ହୋଇ ରହିଛି । ମୋର ବି ଶ୍ୱା ସ ଅଛି ଯେ ଆମ ନେତାମାନେ ଦେଇଥିବା ଶିକ୍ଷା ଏବଂ ଆମ ବିଚାରଧାରା ବଳରେ ଦିନେ ଆମେ ଏହି ବନ୍ଦୀ ଜୀବନରୁ ମୁକ୍ତି ପାଇବୁ ’
*****
ଭି. ବିନୋଦିନୀ,
୧୯
ଛାତ୍ରୀ, କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକ ଶ୍ରେଣୀ
ବ୍ୟାସରପାଡ଼ି, ଉତ୍ତର ଚେନ୍ନାଇ, ତାମିଲନାଡୁ
ବହୁ ବର୍ଷ ଧରି ଆମ ଆଖପାଖ ଅଞ୍ଚଳ ସହିତ ମୁଁ ଖୁବ୍ ଭଲ ଭାବରେ ପରିଚିତ, କିନ୍ତୁ କ୍ୟାମେରା ଭିତର ଦେଇ ଦେଖିବାରୁ ମୁଁ ଏକ ନୂତନ ଦୃଷ୍ଟିଭଙ୍ଗୀ ହାସଲ କଲି। ପାଲାନି ଆନ୍ନା କହନ୍ତି, “ ଫଟୋଗ୍ରାଫରେ ତୁମ ଜୀବନର ବିଷୟବସ୍ତୁ ସ୍ଥାନ ପାଇବା ଉଚିତ।” ସେ ତାଙ୍କ ଅନୁଭୂତି କଥା କହିବା ସମୟରେ ଫଟୋଗ୍ରାଫ୍, କାହାଣୀ ଏବଂ ଲୋକଙ୍କ ପ୍ରତି ଥିବା ତାଙ୍କର ପ୍ରେମ ଭାବନାକୁ ଜଣେ ବୁଝିପାରିବେ। ତାଙ୍କ ସହିତ ବିତାଇଥିବା ସମୟର ସ୍ମୃତିରେ ମୋର ସବୁଠାରୁ ପ୍ରିୟ ଫଟୋ ହେଲା ଯେଉଁଥିରେ ସେ ତାଙ୍କ ବଟନ୍ ଫୋନ୍ରେ ତାଙ୍କ ମତ୍ସ୍ୟଜୀବୀ ମାଆଙ୍କର ଫଟୋ ଉଠାଉଛନ୍ତି।
ମୁଁ ପ୍ରଥମେ ଉଠାଇଥିବା ଫଟୋଟି ଦୀପାବଳିରେ ଆମ ପଡ଼ୋଶୀଙ୍କ ପରିବାରର। ଏହା ଖୁବ୍ ଭଲ ଉଠିଥିଲା। ଏହା ପରେ ମୁଁ ଆମ ସହରର ଲୋକମାନଙ୍କ କାହାଣୀ ଏବଂ ଅନୁଭୂତିକୁ କ୍ୟାମେରାରେ ଦଲିଲଭୁକ୍ତ କରିବା ଅବ୍ୟାହତ ରଖିଲି।
ଫଟୋଗ୍ରାଫି ବିନା ମୁଁ ହୁଏତ କେବେହେଲେ ମୋ ନିଜକୁ ଦେଖିବାର ସୁଯୋଗ ପାଇନଥାଆନ୍ତି।
*****
ପି.ପୁଂକୋଡ଼ି
ମତ୍ସ୍ୟଜୀବୀ
ସେରୁତୁର,
ନାଗପଟ୍ଟିନମ୍, ତାମିଲନାଡୁ
ମୁଁ ୧୪ ବର୍ଷ ହେଲା ବାହା ହେଲିଣି। ସେବେଠାରୁ ମୁଁ ଆମ ନିଜ ଗାଁର ସମୁଦ୍ର କୂଳକୁ ଯାଇନାହିଁ। କିନ୍ତୁ ମୋ କ୍ୟାମେରା ମୋତେ ସମୁଦ୍ର ପାଖକୁ ନେଇଗଲା। କେମିତି ଡଙ୍ଗାଗୁଡ଼ିକୁ ସମୁଦ୍ର ଭିତରକୁ ଠେଲି ଦିଆହେଉଛି, ମାଛଧରା ପ୍ରକ୍ରିୟା ଏବଂ ସଂପ୍ରଦାୟ ପ୍ରତି ମହିଳାମାନଙ୍କ ଅବଦାନକୁ ମୁଁ କ୍ୟାମେରାରେ ରେକର୍ଡ କଲି।
କେବଳ କ୍ୟାମେରାରେ କ୍ଲିକ୍ କରି ଫଟୋ ଉଠାଇବା ସଂପର୍କିତ ତାଲିମ ଦେବା ସହଜ। କିନ୍ତୁ ଚିତ୍ର ମାଧ୍ୟମରେ କାହାଣୀ ଶୁଣାଇବା ଲାଗି ଜଣେ ଫଟୋଗ୍ରାଫରଙ୍କୁ ତାଲିମ ଦେବା ଆଦୌ ସହଜ କଥା ନୁହେଁ। କେମିତି ଫଟୋ ଉଠାଇବା ପୂର୍ବରୁ ଲୋକଙ୍କ ସହିତ ସଂପର୍କ ସ୍ଥାପନ କରିବାକୁ ହେବ, ସେ କଥା ସେ ତାଲିମ ସମୟରେ ଆମକୁ ବୁଝାଇ ଦେଲେ। ଲୋକଙ୍କ ଫଟୋ ଉଠାଇବା ଦିଗରେ ମୋର ଆତ୍ମବିଶ୍ୱାସ ଅନୁଭୂତ ହେଲା।
ମାଛ ବିକିବା, ସଫା କରିବା ଏବଂ ନିଲାମ କରିବା ଭଳି ମତ୍ସ୍ୟଜୀବୀ ସଂପ୍ରଦାୟର ବିଭିନ୍ନ ପେସାକୁ ମୁଁ କ୍ୟାମେରାରେ ରେକର୍ଡ କରିବାରେ ଲାଗିଲି। ଏହି ସୁଯୋଗ ମୋତେ ବୁଲାବିକାଳି ଭାବେ କାମ କରୁଥିବା ସଂପ୍ରଦାୟର ମହିଳାମାନଙ୍କ ଜୀବନ ଶୈଳୀକୁ ଦେଖିବା ଏବଂ ବୁଝିବାରେ ମଧ୍ୟ ସହାୟକ ହେଲା। ଏହି କାମ ଲାଗି ସେମାନେ ମାଛଭର୍ତ୍ତି ଭାରୀ ଝୁଡ଼ିକୁ ମୁଣ୍ଡରେ ସନ୍ତୁଳିତ ଢଙ୍ଗରେ ରଖିବା ଆବଶ୍ୟକ ହେଉଥିଲା।
କୁପ୍ପୁସ୍ୱାମୀଙ୍କ ଉପରେ ପ୍ରସ୍ତୁତ ମୋ ଫଟୋ-କାହାଣୀରୁ ମୁଁ ତାଙ୍କ ଜୀବନ ସଂପର୍କରେ ଜାଣିଲି। କେମିତି ସେ ସାମୁଦ୍ରିକ ସୀମାରେ ମାଛ ଧରୁଥିବା ସମୟରେ ଶ୍ରୀଲଙ୍କାର ନୌସେନା ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ତାଙ୍କର କେତେକ ଅଙ୍ଗପ୍ରତ୍ୟଙ୍ଗ ସହିତ ବାକ୍ଶକ୍ତି ମଧ୍ୟ ହରାଇଥିଲେ।
ସେ ଲୁଗାସଫା କରିବା, ବଗିଚା କାମ ଏବଂ ସଫେଇ ଭଳି ତାଙ୍କର ଦୈନନ୍ଦିନ କାର୍ଯ୍ୟ କରୁଥିବା ବେଳେ ମୁଁ ତାଙ୍କୁ ସାକ୍ଷାତ କଲି ଏବଂ ତାଙ୍କ ପଛେ ପଛେ ଗଲି। ସେ ତାଙ୍କର ହାତଗୋଡ଼ ଉପରେ ଭରସା କରିପାରୁ ନଥିବାରୁ ଯେଉଁ କଷ୍ଟର ସମ୍ମୁଖୀନ ହେଉଥିଲେ ତାହା ମୁଁ ବୁଝିପାରିଲି। ତାଙ୍କ ଭାବଭଙ୍ଗୀରେ ସେ ମୋତେ ଜଣାଇଦେଲେ ଯେ ଏମିତିକା ଛୋଟମୋଟ ସାଂସାରିକ କାମ କରି ସେ ଖୁସି ଅନୁଭବ କରୁଛନ୍ତି। ତାଙ୍କ ଅକ୍ଷମତା କାରଣରୁ ବାହାର ଦୁନିଆ ସହ ତାଙ୍କର ସଂପର୍କ ତୁଟି ଯାଇଥିଲେ ହେଁ ସେଥିପାଇଁ ସେ ଚିନ୍ତିତ ନଥିଲେ। କିନ୍ତୁ ସେ କହିଲେ ଯେ, ବେଳେବେଳେ ତାଙ୍କ ଭିତରେ ଏକ ଶୂନ୍ୟତାକୁ ସେ ଅନୁଭବ କରନ୍ତି ଏବଂ ଏହା ତାଙ୍କୁ ମୃତ୍ୟୁକାମୀ କରିପକାଏ।
ମୁଁ ଚାଉଳି ମାଛ ଧରୁଥିବା ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ଫଟୋର ଏକ ଶୃଙ୍ଖଳା କରିଥିଲି। ସାଧାରଣତଃ ଚାଉଳି ମାଛ ଶହ ଶହ ସଂଖ୍ୟାରେ ଧରାପଡ଼ିଥାଆନ୍ତି ଏବଂ ସେମାନଙ୍କୁ ନିଆଅଣା କରି କାରବାର କରିବାରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଏହି ମାଛଗୁଡ଼ିକୁ ଜାଲରୁ ବାହାର କରି ବରଫ ବାକ୍ସରେ ରଖିବା ଲାଗି କେମିତି ପୁରୁଷ ଓ ମହିଳାମାନେ ଏକାଠି କାମ କରନ୍ତି, ତାହାକୁ ମୁଁ କ୍ୟାମେରାରେ ରେକର୍ଡ କରିଥିଲି।
ଜଣେ ମହିଳା ଫଟୋଗ୍ରାଫର ରୂପେ କାମ କରିବା ଏକ ବଡ଼ ସମସ୍ୟା ଏବଂ ସମାନ ସଂପ୍ରଦାୟର ହୋଇଥିଲେ ମଧ୍ୟ ଆମକୁ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼େ। ଯେମିତି କି “କାହିଁକି ତୁମେ ସେମାନଙ୍କର ଫଟୋ ଉଠାଉଛ ? ମହିଳାମାନେ କାହିଁକି ଫଟୋ ଉଠାଇବେ?”
ସଂପ୍ରତି ନିଜକୁ ଜଣେ ଜଣେ ଫଟୋଗ୍ରାଫର ରୂପେ ପରିଚିତ କରାଉଥିବା ଏହି ମତ୍ସ୍ୟଜୀବୀ ମହିଳାମାନଙ୍କ ପଛରେ ପାଲାନି ଆନ୍ନା ଏକ ପ୍ରମୁଖ ଶକ୍ତି ରୂପେ ରହିଛନ୍ତି।

ନିଜ କାଟ୍ଟୁମରାମରେ ମାଛ ଧରିବାକୁ ଯାଇଥିବା ସମୟରେ ୬୭ ବର୍ଷୀୟ ଭି.କୁପ୍ପୁସ୍ୱାମୀଙ୍କ ଉପରକୁ ଶ୍ରୀଲଙ୍କାର ନୌସେନା ଗୁଳିମାଡ଼ କରିଥିଲା
*****

ପାଲାନି ଷ୍ଟୁଡିଓର ଉଦ୍ଘାଟନୀ ଦିବସରେ ଉଠାଯାଇଥିବା ଫଟୋଗ୍ରାଫିରେ ପାଲାନିଙ୍କ ଜୀବନର ତିନିଟି ସ୍ତମ୍ଭ: କବିତା ମୁରଲୀଧରନ, ଏଡିଲ ଆନ୍ନା ଏବଂ ପି.ସାଇନାଥ। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ସଂପ୍ରଦାୟର ଯୁବକ ଯୁବତୀମାନଙ୍କୁ ତାଲିମ ଦେବା ଏହି ଷ୍ଟୁଡିଓର ଲକ୍ଷ୍ୟ

ତାଙ୍କ ଷ୍ଟୁଡିଓର ଉଦ୍ଘାଟନ ଅବସରରେ ପାଲାନିଙ୍କ ସାଙ୍ଗମାନେ। ଏହି ଷ୍ଟୁଡିଓରୁ ତାଲିମ ନେଇଥିବା ୩ ଜଣ ସାମ୍ବାଦିକତା ଛାତ୍ରଛାତ୍ରୀ ଏବଂ ୩୦ ଜଣ ଫଟୋଗ୍ରାଫର ତାମିଲନାଡୁର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ
ପ୍ରତି ବର୍ଷ ୧୦ ଜଣ ଲେଖାଏଁ ଅଂଶଗ୍ରହଣକାରୀଙ୍କୁ ନେଇ ଦୁଇଟି ଫଟୋଗ୍ରାଫି କର୍ମଶାଳା ଆୟୋଜନ କରିବାକୁ ପାଲାନି ଷ୍ଟୁଡିଓ ଲକ୍ଷ୍ୟ ରଖିଛି। ଏହି କର୍ମଶାଳା ପରେ, ନିଜ ନିଜର ରିପୋର୍ଟ ପ୍ରସ୍ତୁତି ଦିଗରେ କାମ କରିବା ଲାଗି ପ୍ରତି ଅଂଶଗ୍ରହଣକାରୀଙ୍କୁ ଛଅ ମାସ ପାଇଁ ସହାୟତା ରାଶି ପ୍ରଦାନ କରାଯିବ। କର୍ମଶାଳା ଆୟୋଜନ ଏବଂ ସେମାନଙ୍କର କାର୍ଯ୍ୟର ସମୀକ୍ଷା କରିବା ଲାଗି ଅଭିଜ୍ଞ ଫଟୋଗ୍ରାଫର ଏବଂ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯିବ ଏବଂ ପରେ ସେମାନଙ୍କ ଫଟୋକୁ ପ୍ରଦର୍ଶନ କରାଯିବ।
ଅନୁବାଦ: ଓଡ଼ିଶାଲାଇଭ୍