ଆଜିକୁ ୨୫ ବର୍ଷ ହେଲା କାଗଜରେ ଠୁଙ୍ଗା ତିଆରି କରିଆସୁଛନ୍ତି ଛବି ଶାହା । “ପ୍ରଥମେ ମୁଁ ଗୋଟିଏ ଛୁରୀରେ କାଗଜକୁ ତିନି ଭାଗ କରି କାଟି ଦିଏ । ଫଳରେ ସେଥିରୁ ଛଅଟି ଖଣ୍ଡ ବାହାରେ । ଏହାପରେ ମୁଁ ତାକୁ ଗୋଲ କରି ଅଠା ଲଗାଏ । ତା’ପରେ ମୁଁ କାଗଜକୁ ବର୍ଗାକାରରେ ଭାଙ୍ଗି ଦିଏ ଏବଂ ଅନ୍ୟ ପଟେ ଅଠା ଲଗାଇ ଦିଏ । ଏମିତି ମୁଁ ଠୁଙ୍ଗା ତିଆରି କରେ,” ସେ କହନ୍ତି ।
ତାଙ୍କର ଦୁଇତାଲା ମାଟି ଘରର ବାରଣ୍ଡା ଏବଂ ଅଗଣାରେ ଏଣେତେଣେ ବିଛାଇ ହୋଇ ପଡ଼ିଥିବା ପୁରୁଣା ଖବରକାଗଜ ଭିତରେ ବସି କାମ କରୁଥିବା ବେଳେ ଆମ ସହିତ କଥାବାର୍ତ୍ତା କରନ୍ତି ଏହି ୭୫ ବର୍ଷୀୟା ଆଦିତ୍ୟପୁର ବାସିନ୍ଦା ।
୧୯୯୮ରେ ସେ ଯେତେବେଳେ ଏହି କାମ ଆରମ୍ଭ କଲେ, ସେତେବେଳେ ତାଙ୍କ ସ୍ୱାମୀ ଆନନ୍ଦଗୋପାଳ ଶାହା ବଞ୍ଚିଥିଲେ । ସେ ଗାଁ ଲୋକଙ୍କ ଗାଈ ଓ ଛେଳିର ଦେଖାରଖା କରି ଦିନକୁ ୪୦-୫୦ ଟଙ୍କା ରୋଜଗାର କରୁଥିଲେ । “ଆମେ ଗରିବ ଥିଲୁ,” ସୁନରି ସଂପ୍ରଦାୟର ଛବି ଶାହା କହନ୍ତି । “ଅଳ୍ପ କିଛି ରୋଜଗାର କରି ନିଜ ପାଇଁ ଖାଦ୍ୟ ଦି’ ମୁଠା ଯୋଗାଡ଼ କରିପାରିବି ବୋଲି ଭାବି ମୁଁ ଏହି କାମ କରିବାକୁ ସ୍ଥିର କଲି ।”
ତାଙ୍କ ପଡ଼ୋଶୀମାନେ ଫିଙ୍ଗି ଦେଉଥିବା ଖବରକାଗଜ ସଂଗ୍ରହରୁ ସେ ଏହି କାମ ଆରମ୍ଭ କଲେ । ସ୍ଥାନୀୟ ତେଜରାତି ଦୋକାନରୁ ଜିନିଷପତ୍ର ଆଣୁଥିବା ଠୁଙ୍ଗାକୁ ଦେଖି ଦେଖି ସେ ନିଜେ ନିଜେ ଏହା ତିଆରି କରିବା ଶିଖିଲେ । “ଏଥିପାଇଁ ଆବଶ୍ୟକ ସାମଗ୍ରୀ ସହଜରେ ମିଳିଯାଉଥିବାରୁ ଏବଂ ଘରେ ବସି ଏହାକୁ କରିହେଉଥିବାରୁ ମୁଁ ଏହି କାମକୁ ବାଛି ନେଲି”, ସେ ବୁଝାଇ ଦିଅନ୍ତି । “ପ୍ରଥମେ ମୁଁ ଆସ୍ତେ ଆସ୍ତେ କରୁଥିଲି, ଗୋଟିଏ ଗୋଟିଏ ଠୁଙ୍ଗା ତିଆରି କରିବାକୁ ମୋତେ ୨୫ରୁ ୩୦ ମିନିଟ ଲାଗିଯାଉଥିଲା,” କଥା ଯୋଡ଼ି କହନ୍ତି ଛବି ।
“ଦିନକୁ ମୁଁ ମାତ୍ର ଗୋଟିଏ କିଲୋ ପାଖାପାଖି (ଠୁଙ୍ଗା) କରିପାରୁଥିଲି,” କହି ଚାଲନ୍ତି ସେ ।
![Chobi Saha getting ready to make paper bags. ‘First, I use a knife to divide a paper into three parts. That makes six pieces. Then I apply glue in circles. After that I fold the paper into a square and apply glue to the other side. This is how I make the packets,’ she says as she works]](/media/images/02a-3-HM-No_newspaper_is_bad_news_for_Chob.max-1400x1120.jpg)

କାଗଜରେ ଠୁଙ୍ଗା ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି ଛବି ଶାହା । 'ପ୍ରଥମେ ମୁଁ ଗୋଟିଏ ଛୁରୀରେ କାଗଜକୁ ତିନି ଭାଗ କରି କାଟି ଦିଏ । ସେଥିରୁ ଛଅଟି ଖଣ୍ଡ ବାହାରେ । ଏହାପରେ ମୁଁ ଗୋଲ କରି ଅଠା ଲଗାଏ । ତା’ପରେ ମୁଁ କାଗଜକୁ ବର୍ଗାକାରରେ ଭାଙ୍ଗି ଦିଏ ଏବଂ ଅନ୍ୟ ପଟେ ଅଠା ଲଗାଇ ଦିଏ । ଏମିତି ମୁଁ ଠୁଙ୍ଗା ତିଆରି କରେ,' କାମ କରୁ କରୁ ସେ କହନ୍ତି
ବୋଲପୁରର ୮-୯ଟି ତେଜରାତି ଦୋକାନ ଏବଂ ଚପ୍ ଓ ଘୁଘୁନି ଭଳି ଜଳଖିଆ ଦୋକାନକୁ ସେ ତାଙ୍କ ଠୁଙ୍ଗା ବିକ୍ରି କରନ୍ତି । ଏଥିପାଇଁ ବୀରଭୂମ ଜିଲ୍ଲାର ବୋଲପୁର-ଶ୍ରୀନିକେତନ ବ୍ଲକ୍ ଅନ୍ତର୍ଗତ ତାଙ୍କ ଗାଁରୁ ପ୍ରତି ଦୁଇ ସପ୍ତାହରେ ଥରେ ସେ ବସ୍ରେ ବସି ସହରକୁ ଆସନ୍ତି । “ଆଉ ଏଣିକି ମୁଁ ବୋଲପୁର ଯାଇପାରୁନାହିଁ” ସେ କହନ୍ତି, ଆଜିକାଲି ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେଉଛି । ତା ବଦଳରେ ସେ ତାଙ୍କ ଗାଁରେ ଥିବା ଅଳ୍ପ କେତେକ ଦୋକାନକୁ ଠୁଙ୍ଗା ବିକୁଛନ୍ତି ।
ଏହି କାମ ଆରମ୍ଭ କରିବା ସମୟରେ, ପ୍ରାୟ ଦୁଇ ଦଶନ୍ଧି ତଳେ, ତାଙ୍କୁ ମାଗଣାରେ ଖବରକାଗଜ ମିଳିଯାଉଥିଲା । କିନ୍ତୁ, ଖବରକାଗଜ ଶସ୍ତା ହୋଇଥିବାରୁ ସେଥିରୁ ତିଆରି ଠୁଙ୍ଗା ବି ବେଶୀ ଦରରେ ବିକ୍ରି ହେଉ ନଥିଲା । “ମୁଁ (ଏବେ) କିଲୋକୁ ୩୫ ଟଙ୍କା ଦରରେ କାଗଜ କିଣେ,” ଛବି କହନ୍ତି ।
୨୦୦୪ରେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଲେ । ସେତେବେଳେ ତାଙ୍କୁ ୫୬ ବର୍ଷ ହୋଇଥିଲା । ତାଙ୍କର ତିନି ପୁଅ ବିବାହ କରିସାରିଛନ୍ତି ଏବଂ ନିଜ ନିଜର ଛୋଟମୋଟ ବ୍ୟବସାୟ କରୁଛନ୍ତି । ଘରର ଗୋଟିଏ ଭାଗରେ ସେ ରହନ୍ତି ଏବଂ ଅନ୍ୟ ଭାଗରେ ତାଙ୍କ ସାନପୁଅ ସୁକୁମାର ଶାହା ନିଜ ପରିବାର ସହିତ ରହନ୍ତି । ତାଙ୍କର ବଡ଼ପୁଅ ଦୁହେଁ ଗାଁରୁ ଛଅ କିଲୋମିଟର ଦୂର ବୋଲପୁର ସହରରେ ରହନ୍ତି ।
ତାଙ୍କ ପଡ଼ୋଶୀମାନେ ଫିଙ୍ଗି ଦେଉଥିବା ଖବରକାଗଜ ସଂଗ୍ରହ କରି ଛବି ଶାହା ଏହି କାମ ଆରମ୍ଭ କରିଥିଲେ । ସ୍ଥାନୀୟ ତେଜରାତି ଦୋକାନରୁ ଜିନିଷପତ୍ର ଆଣିଥିବା ଠୁଙ୍ଗାଗୁଡ଼ିକୁ ଦେଖି ଦେଖି ସେ ନିଜେ ନିଜେ ଏହାକୁ ତିଆରି କରିବା ଶିଖିଲେ
ତାଙ୍କର ଦିନ ଆରମ୍ଭ ହୁଏ ଭୋର ୬ଟାରୁ । “ମୁଁ ଉଠି ପଡ଼େ ଏବଂ ମୋ ନିଜ କାମ କରେ । ତା’ପରେ ପ୍ରାୟ ନଅଟା ବେଳକୁ କାଗଜ କାଟିଦିଏ,” ସେ କହନ୍ତି । ରାନ୍ଧିବା ଏବଂ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହଣରେ କିଛି ସମୟ ସେ ବିଶ୍ରାମ ନିଅନ୍ତି ।
ସନ୍ଧ୍ୟାରେ, ସେ ଗାଁର ଅନ୍ୟ ମହିଳାମାନଙ୍କ ସହିତ ଗପସପ କରିବାକୁ ବାହାରି ଯାଆନ୍ତି । ଘରକୁ ଫେରିବା ପରେ ସେ ପୁଣି ଠୁଙ୍ଗା ତିଆରିରେ ଲାଗି ପଡ଼ନ୍ତି, କାଗଜରେ ଅଠା ଲଗାନ୍ତି । ତାଙ୍କ ପାଇଁ ଠୁଙ୍ଗା ତିଆରି କରିବାର ନିର୍ଦ୍ଦିଷ୍ଟ ସମୟ ନାହିଁ । “ମୋତେ ଯେତେବେଳେ ସମୟ ମିଳେ ମୁଁ ଏହା କରେ,” ସେ କହନ୍ତି । ଅନେକ ସମୟରେ ଘରକାମ କରୁ କରୁ ମଝିରେ ମଝିରେ ସେ ଠୁଙ୍ଗା ତିଆରି ସକାଶେ କିଛିଟା କାମ କରି ନିଅନ୍ତି ।
ଉଦାହରଣତଃ, ରୋଷେଇ କରୁ କରୁ ବେଳେବେଳେ ସେ ଯାଇ ଅଠା ଲାଗିଥିବା କାଗଜକୁ ଘରର ବାରଣ୍ଡା ଓ ଅଗଣାରେ ଖରାରେ ଶୁଖାଇ ଦିଅନ୍ତି । “ଥରେ ଅଠା ଲଗାଇ ସାରିବା ପରେ, ସେଗୁଡ଼ିକୁ ଶୁଖାଇବା ପାଇଁ ମୁଁ ଖରାରେ ବିଛାଇ ଦିଏ । ଶୁଖିଗଲା ପରେ, ସେଗୁଡ଼ିକୁ ଅଧାରୁ ଭାଙ୍ଗି ଦିଏ, ଓଜନ କରେ, ବିଡ଼ା ବାନ୍ଧେ ଏବଂ ଦୋକାନକୁ ନେଇଯାଏ ।”
ଖାଉଟି ସାମଗ୍ରୀ ଦୋକାନରୁ ଆଣିଥିବା ଅଟାକୁ ଗରମ କରି ସେ ଅଠା ତିଆରି କରନ୍ତି ।


ବାମ: ତାଙ୍କ ଘର ବାରଣ୍ଡାରେ କାମରେ ଲାଗିଛନ୍ତି ଛବି ଶାହା । ଡାହାଣ: ବାରଣ୍ଡା ଓ ଅଗଣାରେ ଅଠା ଲାଗିଥିବା କାଗଜ ଠୁଙ୍ଗାଗୁଡ଼ିକ ବିଛାଇ ହୋଇ ପଡ଼ିଛି


ଆଦିତ୍ୟପୁରର ଏହି ବାସିନ୍ଦା ଜଣକ ଗୋଟିଏ ତିନି ବଖୁରିଆ ମାଟି ଘରେ ତାଙ୍କ ସାନପୁଅ ସୁକୁମାର ଓ ତାଙ୍କ ପରିବାର ସହିତ ରହନ୍ତି
“ସପ୍ତାହରେ ଦୁଇ ଥର, ଦୋକାନଗୁଡ଼ିକୁ ମୋତେ ମୋଟ ଏକ କିଲୋ ଓଜନର ଠୁଙ୍ଗା ଦେବାକୁ ହୁଏ,” ସେ ଆମକୁ ସୂଚାଇ ଦିଅନ୍ତି । ସେ ସବୁ ଦୋକାନ ତାଙ୍କ ଘରଠାରୁ ୬୦୦ ମିଟର ଦୂରତା ଭିତରେ ରହିଥିବାରୁ ସେ ପାଦରେ ଚାଲି ଚାଲି ଯାଇ ପାରନ୍ତି । “ଗୋଟିଏ କିଲୋ ଓଜନ ଲାଗି ମୁଁ ୨୨୦ଟି ଠୁଙ୍ଗା ତିଆରି କରେ,” ଏବଂ କିଲୋ ପ୍ରତି ତାଙ୍କୁ ୬୦ ଟଙ୍କା ହିସାବରେ ମିଳେ, ଏହିଭଳି ଗୋଟିଏ ମାସରେ ସେ ମୋଟ ୯୦୦ରୁ ୧,୦୦୦ ଟଙ୍କା ପାଆନ୍ତି ।
ହେଲେ, ବୋଧହୁଏ ଛବିଙ୍କର ଏହି ଠୁଙ୍ଗା ତିଆରି ଦିନ ସରି ସରି ଆସୁଛି: “ଲୋକେ ଆଉ ଖବରକାଗଜ ପଢୁନାହାନ୍ତି । ସେମାନେ ନିଜ ନିଜର ଟିଭି ଓ ମୋବାଇଲରେ ଖବର ଦେଖି ନେଉଛନ୍ତି । ତେଣୁ, (ଠୁଙ୍ଗା ତିଆରି ପାଇଁ) ଖବରକାଗଜର ଅଭାବ ରହିଛି ।
ଭିଡିଓରେ ସହାୟତା ପାଇଁ ତିଷ୍ୟା ଘୋଷଙ୍କୁ ଧନ୍ୟବାଦ ଦିଅନ୍ତି ଏହି ଲେଖକ
ଅନୁବାଦ: ଓଡ଼ିଶାଲାଇଭ୍