‘‘ଗୁଲାମ ନବୀ, ତୁମ ଆଖି ଖରାପ ହୋଇଯିବ। ତୁମେ କ’ଣ କରୁଛ? ଶୋଇବାକୁ ଯାଅ!’’
ବିଳମ୍ବିତ ରାତିରେ କାଠ କାରୁକାର୍ଯ୍ୟ କରୁଥିବାର ଦେଖିଲେ ମୋ ମା’ ମୋତେ ଏହି କଥା କହୁଥିଲେ। ତାଙ୍କ ଠାରୁ ଗାଳି ଖାଇବା ସତ୍ତ୍ୱେ ମୁଁ ଅଧିକାଂଶ ସମୟରେ କାମ ବନ୍ଦ କରୁନଥିଲି! ଦୀର୍ଘ ୬୦ ବର୍ଷ ଧରି ଏହି କାରିଗରୀକୁ ଅଭ୍ୟାସ କରିବା ପରେ ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି। ମୋ ନା’ ହେଉଛି ଗୁଲାମ ନବୀ ଦାର ଏବଂ ମୁଁ କାଶ୍ମୀର ଶ୍ରୀନଗର ସହରର ଜଣେ କାଠ ଶିଳ୍ପୀ।
ମୋର ଜନ୍ମ କେବେ ହୋଇଥିଲା ଜାଣେ ନାହିଁ କିନ୍ତୁ ଏବେ ମୋତେ ୭୦ ବର୍ଷ ହେଲାଣି। ସାରା ଜୀବନ ମୁଁ ଏହି ସହରର ମାଲିକ ସାହିବ ସଫକଦଲ ଅଞ୍ଚଳରେ ରହିଆସିଛି । ପାଖରେ ଥିବା ଏକ ଘରୋଇ ବିଦ୍ୟାଳୟରେ ମୁଁ ପଢ଼ୁଥିଲି, କିନ୍ତୁ ପରିବାରର ଆର୍ଥିକ ପରିସ୍ଥିତି କାରଣରୁ ମୋତେ ତୃତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ମୋ ବାପା, ଅଲୀ ମହମ୍ମଦ ଦାର ପଡ଼ୋଶୀ ଅନନ୍ତନାଗ ଜିଲ୍ଲାରେ କାମ କରୁଥିଲେ କିନ୍ତୁ ମୋତେ ୧୦ ବର୍ଷ ହୋଇଥିବା ସମୟରେ ସେ ଶ୍ରୀନଗର ଫେରି ଆସିଥିଲେ।
ଆମ ପରିବାରରେ ବାପାଙ୍କୁ ଛାଡ଼ି ଦେଲେ ମୋ ମା’ ଅଜ୍ଜି ଏବଂ ୧୨ ଜଣ ପିଲା ଥିଲେ। ପରିବାର ଚଳେଇବା ପାଇଁ ମୋ ବାପା ସହରରେ ପନିପରିବା ଓ ତମାଖୁ ବିକ୍ରି କରିବା ଆରମ୍ଭ କରିଥିଲେ। ସବାବଡ଼ ପୁଅ ହୋଇଥିବାରୁ ମୁଁ ମୋ ବାପାଙ୍କୁ ସାହାଯ୍ୟ କରୁଥିଲି ଏବଂ ମୋ ଭାଇ ବଶିର ଅହମ୍ମଦ ଦାର ମଧ୍ୟ ସେମିତି କରୁଥିଲା। ଯେତେବେଳେ ବେଶୀ କାମ ନଥିଲା, ଆମେ ଏଣେତେଣେ ବୁଲୁଥିଲୁ। ଏହା ଦେଖି ଥରେ ମୋ ମାମୁଁ ବାପାଙ୍କ ଆଗରେ ଅଭିଯୋଗ କରିଥିଲେ। ତା’ପରେ ଆମ ମୋ ମାମୁଁ ହିଁ ଆମକୁ କାଠ କାରିଗରୀ କାମ କରିବାକୁ ପରାମର୍ଶ ଦେଇଥିଲେ।


ଗୁଲାମ ନବୀ ଦାର ଘରେ ଥିବା ନିଜର କାର୍ଯ୍ୟଶାଳାରେ ଏକ ଅଳଙ୍କାର ବାକ୍ସ (ଡାହାଣ)ରେ କାରୁକାର୍ଯ୍ୟ କରୁଛନ୍ତି


ସେ ବଟର୍ ପେପରରେ ନିଜର ଡିଜାଇନ ଆଙ୍କିଥାନ୍ତି ଓ ତା’ପରେ ସେଗୁଡ଼ିକୁ କାଠରେ କାରୁକାର୍ଯ୍ୟ କରିଥାନ୍ତି। ଏହି କାଗଜଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର ପାଇଁ ସାଇତି ରଖାଯାଏ
ତେଣୁ ଆମେ ଦୁଇ ଭାଇ ବିଭିନ୍ନ ଶିଳ୍ପୀଙ୍କ ପାଖରେ କାମ କଲୁ, ଚିକ୍କଣ ହୋଇଥିବା ଅଖରୋଟ୍ କାଠରେ କାରୁକାର୍ଯ୍ୟ ଅଭ୍ୟାସ କରିଥିଲୁ। ଆମର ପ୍ରଥମ ନିଯୁକ୍ତିଦାତା ଆମ ଉଭୟଙ୍କୁ ପ୍ରାୟ ଅଢ଼େଇ ଟଙ୍କା ଲେଖାଏଁ ଦେଇଥିଲେ। ତାଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା ଧରି କାମ କରିବା ପରେ ଆମକୁ ଏତିକି ପାରିଶ୍ରମିକ ମିଳୁଥିଲା।
ଆମର ଦ୍ୱିତୀୟ ଶିକ୍ଷକ ଥିଲେ ଆମ ପଡ଼ୋଶୀ ଅବଦୁଲ ଅଜିଜ୍ ଭଟ। ସେ କାଶ୍ମୀରରେ ଏକ ବଡ଼ ହସ୍ତଶିଳ୍ପ କମ୍ପାନୀରେ କାମ କରୁଥିଲେ ଯାହାର ବିଦେଶୀ ଗ୍ରାହକ ଥିଲେ। ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଆମର କାର୍ଯ୍ୟଶାଳା ଥିଲା ଏବଂ ସେଠାରେ ଆହୁରି ଅନେକ କୁଶଳୀ ଶିଳ୍ପୀ କାମ କରୁଥିଲେ। ବଶୀର ଓ ମୁଁ ଏଠାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିଥିଲୁ ଏବଂ ସକାଳ ୭ଟାରୁ ଆମ କାମ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପରେ ଶେଷ ହେଉଥିଲା। ଆମେ କାଠ ଅଳଙ୍କାର ବାକ୍ସ, କଫି ଟେବୁଲ, ଲ୍ୟାମ୍ପ ଏବଂ ଆହୁରି ଅନେକ କାଠ ସାମଗ୍ରୀ ଉପରେ କାରୁକାର୍ଯ୍ୟ କରୁଥିଲୁ। ମୁଁ ଘରକୁ ଫେରିବା ପରେ ଛୋଟ ଛୋଟ କାଠ ଖଣ୍ଡରେ ଅଭ୍ୟାସ କରୁଥିଲି।
କାରଖାନାରେ ଏକ କୋଠରୀ ଥିଲା ଯେଉଁଠି ଶେଷ ହୋଇସାରିଥିବା କାମ ସବୁ ରଖାଯାଉଥିଲା ଏବଂ ଏହାକୁ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରଖି ସବୁବେଳେ ତାଲା ପକାଇ ଦିଆଯାଉଥିଲା। ଦିନେ ମୁଁ ସେହି କୋଠରୀ ଭିତରକୁ ପ୍ରବେଶ କଲି। କୋଠରୀର ସବୁ କୋଣରେ ଥୁଆ ହୋଇଥିବା ଭିନ୍ନ ଭିନ୍ନ ଡିଜାଇନର ଗଛ, ପକ୍ଷୀ ଏବଂ ଆହୁରି ଅନେକ ସୃଜନଶୀଳ କାରିଗରୀକୁ ଦେଖିବା ପରେ ମୋର ଆଖି ଖୋସି ହୋଇଯାଇଥିଲା। ଏହି ଶିଳ୍ପକଳାରେ ନିପୁଣତା ହାସଲ କରିବା ଲାଗି ମୁଁ ସେହିଦିନ ସଂକଳ୍ପ ନେଇଥିଲି। ତା’ପରେ ମୁଁ ଅଧିକାଂଶ ସମୟରେ କୋଠରୀ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଡିଜାଇନ ସବୁକୁ ଦେଖୁଥିଲି ଏବଂ ଘରକୁ ଆସି ଅଭ୍ୟାସ କରୁଥିଲି। ଦିନେ ଆଉ ଜଣେ ଶ୍ରମିକ ମୋତେ ଦେଖିଦେଲା ଏବଂ ମୋ ଉପରେ ଚୋରି ଅଭିଯୋଗ ଆଣିଲା। କିନ୍ତୁ ଏହି ହସ୍ତଶିଳ୍ପ ପ୍ରତି ମୋର ସମର୍ପଣକୁ ଦେଖି ସେ ମୋତେ ଛାଡ଼ି ଦେଇଥିଲା।
ମୋତେ ଏସବୁ କଳା କେହି ଶିଖାଇ ନାହାନ୍ତି, କେବଳ ସେହି କୋଠରୀରେ ଥିବା ସାମଗ୍ରୀସବୁକୁ ଦେଖି ଦେଖି ମୁଁ ଯାହା ଶିଖିଥିଲି ।


ବାମ : ଗୁଲାମ ଅଳଙ୍କାର ବାକ୍ସ, କଫି ଟେବୁଲ, ଲ୍ୟାମ୍ପ ଓ ଆହୁରି ଅନେକ କାଠ ସାମଗ୍ରୀ ଉପରେ କାରୁକାର୍ଯ୍ୟ କରିଥାନ୍ତି। ଏହି ଖଣ୍ଡକୁ ଏକ କବାଟରେ ଲଗାଯିବ। ଡାହାଣ : ଗୁଲାମ ଏହି ଡିଜାଇନ ଆଙ୍କିଛନ୍ତି ଏବଂ କାରୁକାର୍ଯ୍ୟ କରିଛନ୍ତି। ଏବେ ସେ କୋମଳ ଶେଷ ଆକାର ଦେବା ଲାଗି ଏହାର ପୃଷ୍ଠକୁ ଚିକ୍କଣ କରିବେ


ଗୁଲାମ କୁହନ୍ତି, ତାଙ୍କର ଡିଜାଇନ କାଶ୍ମୀରର ବୃକ୍ଷଲତା, ଜୀବଜଗତ ଓ ପ୍ରାକୃତିକ ପରିବେଶ ଦ୍ୱାରା ଅନୁପ୍ରାଣିତ। ଡାହାଣ ପଟେ ସେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହରି ପର୍ବତ ଦୁର୍ଗ ଏବଂ ଶ୍ରୀନଗର ସହରର ଡାଲ ହ୍ରଦ ପଶ୍ଚିମରେ ଥିବା ମଖଦୁମ ସାହିବ ପୀଠ ଆକୃତିରେ ତିଆରି ନିଜର ହସ୍ତକଳାକୁ ଦେଖାଉଛନ୍ତି
ପୂର୍ବରୁ ଲୋକମାନେ ଚିନାର ଗଛ ( ପ୍ଲାଟେନସ ଓରିଏଣ୍ଟାଲ୍ସ ), ଅଙ୍ଗୁର, କେନ୍ଦପୋଶ୍ (ଗୋଲାପ), ପାନପୋଷ (ଗେଣ୍ଡୁ) ଏବଂ ଆହୁରି ଅନେକ ପ୍ରକାରର ଡିଜାଇନ କରୁଥିଲେ। ଲୋକମାନେ ଏବେ କେନ୍ଦପୋଷ ଡିଜାଇନ ଭୁଲି ଗଲେଣି ଏବଂ ସହଜ କାରୁକାର୍ଯ୍ୟ କାମକୁ ବେଶି ପସନ୍ଦ କରୁଛନ୍ତି। ମୁଁ ପୁରୁଣା ଡିଜାଇନକୁ ପ୍ରଚଳିତ କରିବା ଲାଗି ଯଥେଷ୍ଟ ଚେଷ୍ଟା କରିଛି ଏବଂ ଅତିକମରେ ୧୨ଟି ମୌଳିକ ଡିଜାଇନ ପ୍ରସ୍ତୁତ କରିଛି; ଦୁଇଟି ବିକ୍ରି ହୋଇସାରିଛି। ସେଥିମଧ୍ୟରୁ ଗୋଟିଏ ଥିଲା ଏକ ଟେବୁଲ ଉପରେ କାରୁକାର୍ଯ୍ୟ ହୋଇଥିବା ବତକ ଏବଂ ଅନ୍ୟଟି ଲତାଜାତୀୟ ଉଦ୍ଭିଦର ଡିଜାଇନ୍।
୧୯୮୪ରେ ଜାମ୍ମୁ ଓ କାଶ୍ମୀର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟ ପୁରସ୍କାର ନିମନ୍ତେ ମୁଁ ଦୁଇଟି ଡିଜାଇନ ଦାଖଲ କରିଥିଲି। ଦୁଇଟି ଯାକ ପାଇଁ ମୋତେ ପୁରସ୍କାର ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ଡିଜାଇନ ଏକ ପଞ୍ଚାୟତ ବୈଠକ ଉପରେ ଆଧାରିତ ଥିଲା, ସେଥିରେ କାଶ୍ମୀରର ଏକ ଗାଁ ଦୃଶ୍ୟ ରହିଥିଲା। ଏହି ଡିଜାଇନରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଶିଖ, ମୁସଲିମ, ପଣ୍ଡିତମାନେ ଗୋଟିଏ ଟେବୁଲ ଚାରିପଟେ ବସିଥିଲେ। ସେମାନଙ୍କ ପାଖରେ ପିଲା ଓ କିଛି ମାଈ କୁକୁଡ଼ା ମଧ୍ୟ ଥିଲେ। ଟେବୁଲ ଉପରେ ଚା’ ଭର୍ତ୍ତି ଏକ ସମାୱର (ପାତ୍ର), କପ୍, ଗୋଟିଏ ହୁକା ଓ ତମାଖୁ ଥିଲା। ଟେବୁଲ ଚାରି ପାଖରେ ପିଲାମାନେ ଓ କିଛି ମାଈ କୁକୁଡ଼ା ଖେଳୁଥିଲେ।
ରାଜ୍ୟ ପୁରସ୍କାର ଜିତିବା ପରେ ୧୯୯୫ ମସିହାରେ ଜାତୀୟ ପୁରସ୍କାର ପାଇଁ ନିଜ କଳାକୃତି ଦାଖଲ କରିବା ଲାଗି ମୋତେ ପ୍ରେରଣା ମିଳିଥିଲା। ଏଥର ମୁଁ ଗୋଟିଏ ବାକ୍ସ ଉପରେ କାରୁକାର୍ଯ୍ୟ କରିଥିଲି। ପ୍ରତ୍ୟେକ କୋଣରେ ଏକ ଭିନ୍ନ ମୁଖମଣ୍ଡଳର ଅଭିବ୍ୟକ୍ତି ଏବଂ ଭାବନା ଥିଲା : ହସ ମାଧ୍ୟମରେ ଖୁସି ପ୍ରତିଫଳିତ ହେଉଥିଲା, ଅଶ୍ରୁ, କ୍ରୋଧ ଏବଂ ଭୟ ସହିତ କାନ୍ଦିବାକୁ ଦର୍ଶାଯାଇଥିଲା। ଏସବୁ ଆକୃତି ସହିତ ମୁଁ ଥ୍ରୀଡି ଫୁଲ ତିଆରି କରିଥିଲି। ମୁଁ ନିଜର ପ୍ରଥମ ପ୍ରୟାସରେ ଏହି ପୁରସ୍କାର ଜିତିଥିଲି। ହସ୍ତଶିଳ୍ପ ବିକାଶ ଆୟୁକ୍ତ ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତ, ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ମୋତେ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହା ‘‘ଭାରତୀୟ ହସ୍ତଶିଳ୍ପର ପ୍ରାଚୀନ ପରମ୍ପରାକୁ ଜୀବିତ ରଖିବା’’ ପ୍ରତି ମୋର ପ୍ରୟାସକୁ ମାନ୍ୟତା ଦେଇଥିଲା।
ଏହାପରେ ଯେଉଁ ଲୋକମାନେ ମୋତେ ଗୋଟିଏ କାମ ପାଇଁ ୧୦୦୦ ଟଙ୍କା ଦେଉଥିଲେ ସେମାନେ ଏବେ ମୋତେ ୧୦,୦୦୦ ଟଙ୍କା ଦେବା ଆରମ୍ଭ କଲେ। ଏହି ସମୟରେ ମୋର ପ୍ରଥମ ପତ୍ନୀ ମେହବୁବାଙ୍କର ପରଲୋକ ଘଟିଲା ଏବଂ ମୋ ମାତାପିତା ପୁଣିଥରେ ବିବାହ କରିବା ଲାଗି ମୋତେ ବାଧ୍ୟ କଲେ, କାରଣ ମୋର ତିନି ଜଣ ଛୋଟ ଛୋଟ ପିଲା ଥିଲେ। ମୋ ପୁଅ ଏବଂ ଝିଅ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ମୋର ସବୁଠୁ ସାନ ଝିଅ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି। ସବୁଠୁ ବଡ଼ ଆବିଦକୁ ଏବେ ୩୪ ବର୍ଷ ଏବଂ ସେ ମୋ ସହ କାମ କରୁଛି। ୨୦୧୨ରେ ସେ ନିଜର ପ୍ରଥମ ପ୍ରୟାସରେ ରାଜ୍ୟ ପୁରସ୍କାର ଜିତିଥିଲା।


‘ବିଗତ ବର୍ଷଗୁଡ଼ିକରେ, କେତେଜଣ ବିଶିଷ୍ଟ ଗୁରୁ ମୋ ଜୀବନକୁ ବଦଳାଇ ଦେଇଛନ୍ତି। ନୁର୍ ଦିନ ଭଟ୍ ସେମାନଙ୍କ ମଧ୍ୟରୁ ଜଣେ,’ ଗୁଲାମ କୁହନ୍ତି। ସେ ଯତ୍ନର ସହକାରେ ନିଜ ଗୁରୁଙ୍କ ୪୦ ବର୍ଷ ପୁରୁଣା ଡିଜାଇନକୁ ସାଇତି ରଖିଛନ୍ତି


ବାମ : ଗୁଲାମଙ୍କ ପୁଅ ଆବିଦ ୨୦୧୨ରେ ଜାମ୍ମୁ କାଶ୍ମୀର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟ ପୁରସ୍କାର ହାସଲ କରିଥିଲେ। ଡାହାଣ : ନିଜର କିଛି ପୁରସ୍କାର ସହିତ ଗୁଲାମ
ବିଗତ ବର୍ଷଗୁଡ଼ିକରେ, କେତେଜଣ ବିଶିଷ୍ଟ ଗୁରୁ ମୋ ଜୀବନକୁ ବଦଳାଇ ଦେଇଛନ୍ତି। ନୁର୍ ଦିନ ଭଟ୍ ସେମାନଙ୍କ ମଧ୍ୟରୁ ଜଣେ। ସେ ଶ୍ରୀନଗର ନରୱାରା ଅଞ୍ଚଳରେ ‘ନୁର-ରୋର୍-ତୋଏକ’ ନାମରେ ଲୋକପ୍ରିୟ ଥିଲେ। ସେ ମୋର ସବୁଠୁ ପ୍ରିୟ ଥିଲେ।
ପକ୍ଷାଘାତ ଯୋଗୁ ଶରୀରର ଡାହାଣ ପାର୍ଶ୍ୱ ଅକାମୀ ହେବା କାରଣରୁ ସେ ଯେତେବେଳେ ଶଯ୍ୟାଶାୟୀ ହୋଇପଡ଼ିଥିଲେ, ମୁଁ ତାଙ୍କୁ ଭେଟିଥିଲି। ସେତେବେଳେ ମୋତେ ୪୦ ବର୍ଷ ପାଖାପାଖି ହୋଇଥାଏ। ଲୋକମାନେ ତାଙ୍କ ପାଖକୁ କାରଖାନାରୁ କାଠ ତଖ୍ତା କିମ୍ବା କଫି ଟେବୁଲ ଆଣି ଆସୁଥିଲେ ଏବଂ ଶଯ୍ୟାରେ ଶୋଇ ରହି ସେ ବିଭିନ୍ନ କାରୁକାର୍ଯ୍ୟ ସେଥିରେ କରୁଥିଲେ। ସେହି ଆୟରେ ସେ ନିଜ ପତ୍ନୀ ଓ ପୁଅକୁ ସାହାଯ୍ୟ କରୁଥିଲେ। ମୋ ଭାଇ ଓ ମୋ ଭଳି କିଛି ଯୁବ ଶିଳ୍ପୀଙ୍କୁ ସେ ଏହି ହସ୍ତଶିଳ୍ପ ଶିଖାଇଥିଲେ। ଆମକୁ ଶିଖାଇବେ କି ବୋଲି ମୁଁ ଯେତେବେଳେ ପଚାରିଲି, ସେ ମଜାଳିଆ ଢଙ୍ଗରେ କହିଲେ,‘‘ତୁମେମାନେ ସାମାନ୍ୟ ବିଳମ୍ବରେ ଆସିଲ।’’
ବିଭିନ୍ନ ପ୍ରକାର ଉପକରଣ ଓ ବାଲି କାଗଜ ବ୍ୟବହାର କରି ଡିଜାଇନ କିଭଳି ତିଆରି କରିବାକୁ ହେବ ମୋ ଗୁରୁ ମୋତେ ତାହା ଶିଖାଇଥିଲେ। ଆରପାରିକୁ ଚାଲିଯିବା ପୂର୍ବରୁ, ସେ ମୋତେ କହିଥିଲେ ଯେ ଯଦି ମୁଁ କେବେ ହତାଶ ଅନୁଭବ କଲି କିମ୍ବା ଅଟକି ଗଲି ତା’ହେଲେ ବଗିଚାକୁ ଯାଇ ଫୁଲକୁ ନିରୀକ୍ଷଣ କରିବି : ‘‘ଆଲ୍ଲାଙ୍କ ସର୍ଜନାରେ ବକ୍ରାକୃତି ଓ ସରଳ ରେଖାକୁ ଦେଖ ଏବଂ ସେଥିରୁ ଶିଖ।’’ ଏହି ହସ୍ତଶିଳ୍ପକୁ ଅନ୍ୟମାନଙ୍କୁ ଶିଖାଇବା ଏବଂ ଏହାକୁ ଆଗକୁ ନେବା ପାଇଁ ସେ ମୋତେ ଅନୁପ୍ରାଣିତ କରିଥିଲେ।
ପୂର୍ବରୁ, ମୋ ହାତ ଦ୍ରୁତ ଗତିରେ କାମ କରୁଥିଲା; ମୁଁ ଏକ ମେସିନ ଭଳି କାମ କରିପାରୁଥିଲି। ଏବେ ମୁଁ ବୁଢ଼ା ହୋଇଯାଇଛି ଏବଂ ମୋ ହାତ ପୂର୍ବ ଭଳି ଦ୍ରୁତଗତିରେ ଚାଲିପାରୁନାହିଁ। କିନ୍ତୁ ମୁଁ ସବୁବେଳେ କୃତଜ୍ଞ ରହିଛି।
ଅନୁବାଦ : ଓଡ଼ିଶାଲାଇଭ୍