“ପ୍ରଥମ ଦିନ ମଜିଦାନ୍ ମୋ ହାତକୁ ଏମିତି ଚଟକଣିଟିଏ ବାଡ଼େଇ ଦେଲେ,” ମଜାଳିଆ ଢଙ୍ଗରେ ସେଦିନର ସେହି ମୁହୂର୍ତ୍ତକୁ ପୁଣି ଜୀବନ୍ତ କରି ତୋଳିବା ଉଦ୍ଦେଶ୍ୟରେ କହନ୍ତି ୬୫ ବର୍ଷୀୟା କରସେଦ ବେଗମ । ପୁରୁଣା ଦିନର କଥାରେ ଉତ୍ଫୁଲ୍ଲ ହୋଇ ଉଠନ୍ତି ତାଙ୍କ ପାଖରେ ବସିଥିବା ମଜିଦାନ ବେଗମ ଏବଂ ସେହି ଏକା ଢଙ୍ଗରେ କରସେଦଙ୍କ ଆଗକୁ ବଢ଼ିଥିବା ହାତରୁ ନିଜକୁ ଦୂରେଇ ନିଅନ୍ତି । “ପ୍ରଥମରୁ ସୂତାରେ କେମିତି କାମ କରିବାକୁ ହେବ, ସେ କଥା କରସେଦ ଜାଣି ନଥିଲେ । ମୁଁ ତାଙ୍କ ହାତକୁ ଥରଟିଏ ଯାହା ବାଡ଼େଇଛି,” ସେ କହନ୍ତି ଏବଂ ସାଙ୍ଗେ ସାଙ୍ଗେ କଥା ଯୋଡ଼ନ୍ତି, “ତା’ପରେ ସେ ଅତି ଶୀଘ୍ର ଶିଖିଗଲେ ଯେ ।”
ପଞ୍ଜାବର ଭଟିଣ୍ଡା ଜିଲ୍ଲା ଅନ୍ତର୍ଗତ ଏହି ଗାଁର ନାଁ ଘଣ୍ଡା ବନା । ଏଠାରେ ରହନ୍ତି ଏହି ଦୁଇ ବୟସ୍କା ମହିଳା, ମଜିଦାନ୍ ଏବଂ କରସେଦ । ସୂତା, ଝୋଟ ଏବଂ ଏମିତି କି ପୁରୁଣା କପଡ଼ାରୁ ସୂକ୍ଷ୍ମ ବୁଣାକାମ ବିଶିଷ୍ଟ ଆକର୍ଷଣୀୟ ଦରି (ଦରି) ବୁଣି ଦୁହେଁ ଖ୍ୟାତି ଅର୍ଜିଛନ୍ତି ।
କରସେଦ୍ କହନ୍ତି, “କେମିତି ଦରି ବୁଣିବାକୁ ହୁଏ, ସେ କଥା ମୁଁ ୩୫ ବର୍ଷ ବୟସରେ ମଜିଦାନ୍ଙ୍କ ପାଖରୁ ଶିଖିଲି । “ସେବେଠାରୁ, ଆମେ ଏକାଠି ଦରି ବୁଣି ଆସୁଛୁ,” ୭୧ ବର୍ଷୀୟା ମଜିଦାନ୍ କହନ୍ତି । ଏହା କେବଳ ଜଣେ ଲୋକର କାମ ନୁହେଁ, କିନ୍ତୁ ଦୁଇ ଜଣଙ୍କ ପାଇଁ କାମ ।”
ଦୁଇ ଭାଇଙ୍କୁ ବିବାହ କରିଥିବାରୁ ଦୁହେଁ ଦୁହିଁଙ୍କର ସଂପର୍କୀୟ ଏବଂ ପ୍ରସଙ୍ଗକ୍ରମେ ସେମାନେ ପରସ୍ପରକୁ ଭଉଣୀ ଏବଂ ପରିବାର ସଦସ୍ୟା ବୋଲି ଅଭିହିତ କରିଥାଆନ୍ତି । “ନିଜ ଭଉଣୀ ତୁଳନାରେ କୌଣସି ତଫାତ୍ ଆମେ ଅନୁଭବ କରୁନାହିଁ,” କରସେଦ କହନ୍ତି । ତୁରନ୍ତ କଥା ଯୋଡ଼ନ୍ତି ମଜିଦାନ୍, “ଯଦିଓ ଆମ ଦୁହିଁଙ୍କର ପ୍ରକୃତି ପୂରା ଓଲଟା ।” କଥା ଶେଷ ନହେଉଣୁ ତୁରନ୍ତ କହି ଉଠନ୍ତି କରସେଦ, “ସେ ସିଧାସଳଖ ମୁହଁ ଉପରେ କହିଦିଅନ୍ତି । ହେଲେ, ମୁଁ ଚୁପ୍ ରହେ ।”
ମଜିଦାନ୍ ଓ କରସେଦ, ଦୁହେଁ କିଛି ଘଣ୍ଟା ମାତ୍ର ଦରି ବୁଣିବାରେ ବିତାନ୍ତି ଏବଂ ଅନ୍ୟ ସମୟରେ, ନିଜ ନିଜର ପରିବାର ଚଳାଇବାରେ ସାହାଯ୍ୟ କରିବା ଲାଗି ଘରୋଇ ସହାୟକ ରୂପେ କାମ କରି ଅଳ୍ପ କେଇ ହଜାର ଟଙ୍କା ରୋଜଗାର କରନ୍ତି । ସେମାନଙ୍କ ବୟସର ମହିଳାମାନଙ୍କ କଥା ବିଚାର କଲେ, ଉଭୟ ପ୍ରକାର କାମରେ ଖୁବ୍ ଶାରୀରିକ ପରିଶ୍ରମ ଲୋଡ଼ା ହୁଏ ।


ସୂତା, ଝୋଟ, ଏବଂ ଏମିତି କି ପୁରୁଣା କପଡ଼ାରୁ ସୂକ୍ଷ୍ମ ବୁଣାକାମ ବିଶିଷ୍ଟ ଆକର୍ଷଣୀୟ ଦରି ବୁଣିବାରେ ବେଶ୍ ସୁପରିଚିତ ଭଟିଣ୍ଡା ଜିଲ୍ଲା ଘଣ୍ଡା ବନା ଗାଁର ମଜିଦାନ୍ ବେଗମ (ବାମ) ଏବଂ ତାଙ୍କ ଯାଆ କର ସେ ଦ ବେଗମ (ଡାହାଣ) । ‘ ୩୫ ବର୍ଷ ବୟସରେ ମଜିଦା ନ ଙ୍କ ପାଖରୁ ମୁଁ ପ୍ରଥମେ ଦରି ବୁଣି ଶିଖିଲି ’ ୬୫ ବର୍ଷୀୟା କରସେଦ କହନ୍ତି । ‘ ସେବେଠାରୁ, ଆମେ ଏକାଠି ଦରି ବୁଣିଆସୁଛୁ, ’ କହନ୍ତି ୭୧ ବର୍ଷୀୟା ମଜିଦାନ୍ । ‘ ଏହା କେବଳ ଜଣେ ଲୋକର କାମ ନୁହେଁ, ବରଂ ଦୁଇ ଜଣଙ୍କ ପାଇଁ କାମ ’
ଇଦ୍ ପର୍ବର ଭିଜା ଭିଜା ଉଷ୍ମ ସକାଳରେ ଘଣ୍ଡା ବନାର ଅଣଓସାରିଆ ଗଳି ଦେଇ ମଜିଦାନ୍ କରସେଦଙ୍କ ଘର ଆଡ଼କୁ ଆଗେଇ ଚାଲୁଥାଆନ୍ତି । “ଏ ଗାଁର ପ୍ରତିଟି ପରିବାର ମୋତେ ଦୁଆର ଖୋଲି ସ୍ୱାଗତ କରିବେ,” ଗର୍ବର ସହ ସେ କହନ୍ତି । “ବର୍ଷ ବର୍ଷ ଧରି ମୁଁ ଯେତେ କାମ କରିଆସିଛି, ତାହା ସେତିକି ।”
ସେମାନଙ୍କର ଖ୍ୟାତି ଗାଁର ସୀମା ବାହାରକୁ ମଧ୍ୟ ବ୍ୟାପିଯାଇଛି । ସେ ଦୁହେଁ ଏବେ ଦରି କରିପାରିବେ କି ନାହିଁ ବୋଲି ଦୂର ସ୍ଥାନରେ ରହୁଥିବା ଗ୍ରାହକମାନେ ବି ମଜିଦାନଙ୍କ ପାଖକୁ ଲୋକ ପଠାଇ ବୁଝି ନିଅନ୍ତି । “ହେଲେ ଫୁଲ, ଧପାଲି, ଏବଂ ରାମପୁର ଭଳି ପାଖ ଗାଁ ଓ ସହରର ଲୋକେ, ଯେଉଁମାନେ ଦରି ବୁଣିବା କାମରୁ ମୋତେ ଜାଣିଛନ୍ତି, ସିଧା ମୋ ଘରକୁ ଚାଲିଆସନ୍ତି,” ମଜିଦାନ୍ କହନ୍ତି ।
କିଛି ମାସ ତଳେ (୨୦୨୪ ଏପ୍ରିଲରେ) ‘ପରୀ’ ଯେତେବେଳେ ଦୁଇ କାରିଗରଙ୍କୁ ଭେଟିଥିଲା, ସେ ଦୁହେଁ ଘଣ୍ଡା ବନାର ଜଣେ ବାସିନ୍ଦାଙ୍କ ପାଇଁ ଗୋଟିଏ ଫୁଲକରୀ ଦରି , ବା ହାତରେ ଫୁଲ ବୁଣା ହୋଇଥିବା ଦରି ବୁଣିବାରେ ବ୍ୟସ୍ତ ଥିଲେ । ଖୁବ୍ ଶୀଘ୍ର ବାହା ହେବାକୁ ଯାଉଥିବା ଝିଅର ବାହାଘର ବେଳେ ଉପହାର ଦେବା ଲାଗି ଗ୍ରାହକଙ୍କ ପରିବାର ଏହି ଦରି ବୁଣିବାକୁ ବରାଦ ଦେଇଥିଲେ । “ଏହି ଦରିଟି ଝିଅର ଦାଜ (ବାହାଘର ଲୁଗାପଟା) ପାଇଁ,” ମଜିଦାନ୍ କହିଲେ ।
ଗ୍ରାହକ ଦେଇଥିବା ଭିନ୍ନ ଭିନ୍ନ ଦୁଇଟି ରଙ୍ଗର ସୂତାକୁ ମିଶାଇ ଦରିରେ ଫୁଲ ବୁଣା ଯାଇଥିଲା । “କୌଣସି ଫୁଲ ଡିଜାଇନ୍ କରିବା ବେଳେ ଆମେ ମଝିରେ ଯାଇଥିବା ଆଡ଼ସୂତାକୁ ଭିନ୍ନ ଭିନ୍ନ ରଙ୍ଗର କରିଥାଉ,” ମଜିଦାନ୍ ବୁଝାଇ କହନ୍ତି । କହିବା ବେଳେ ୧୦ଟି ଧଳା ଭରଣୀ (ଲମ୍ବ ବାଗରେ ରହିଥିବା ସୂତା)କୁ ଉଠାଇ ସେଗୁଡ଼ିକ ଭିତର ଦେଇ ଯାଇଥିବା ଗୋଟିଏ ହଳଦିଆ ମଝିସୂତାରେ (ଓସାରରେ ଦିଆଯାଇଥିବା ସୂତାରେ) ଲଗାଇବା ସହିତ ଆଉ ଏକ ନୀଳ ସୂତାରେ ଏହି ପ୍ରକ୍ରିୟାକୁ ଦୋହରାଇ ଚାଲନ୍ତି । ବୁଣିବା ବେଳେ ସେ ଏଥିରେ କିଛି ଖାଲି ସ୍ଥାନ ଛାଡ଼ି ଚାଲନ୍ତି ଏବଂ ସେଥିରେ ସବୁଜ ଓ କଳା ରଙ୍ଗର ଫୁଲଟିଏ ବୁଣନ୍ତି ।
“ଥରେ ଫୁଲ ତିଆରି ସରିଗଲେ, ଆମେ କେବଳ ଲାଲ ରଙ୍ଗର ଆଡ଼ସୂତା ବ୍ୟବହାର କରି ପ୍ରାୟ ଗୋଟିଏ ଫୁଟ୍ ଲମ୍ବର ଦରି ବୁଣିପାରିବୁ,” ମଜିଦାନ୍ କହନ୍ତି । ବସ୍ତ୍ର ମାପିବା ଲାଗି କୌଣସି ମାପ ଫିତା ନଥାଏ, ବଦଳରେ ମଜିଦାନ୍ ତାଙ୍କ ହାତ ଉପଯୋଗ କରି ଏହାକୁ ମାପନ୍ତି । ବୁଣାକାମ ଆରମ୍ଭ କରିବା ଦିନରୁ ହିଁ ସେ ଓ କରସେଦ ଏହିଭଳି କରିଆସୁଛନ୍ତି, କାରଣ ଦୁହିଁଙ୍କ ମଧ୍ୟରୁ କେହି ହେଲେ ସ୍କୁଲ ଯାଇନାହାନ୍ତି ।
ଦୁହେଁ ହାଥସ (ପାନିଆ ଭଳି ଉପକରଣ)ରେ ଆଡ଼ସୂତା ସଜାଡୁ ସଜାଡୁ ମଜିଦାନ୍ ପୁଣି କହନ୍ତି, “ଡିଜାଇନ୍ ସବୁ ମୋ ମୁଣ୍ଡରେ ଅଛି ।” ଏ ପର୍ଯ୍ୟନ୍ତ ସେ ଯେତେ ସବୁ ଦରି ବୁଣିଛନ୍ତି ସେଥିରୁ କେତୋଟିକୁ ନେଇ ସେ ଗର୍ବ କରନ୍ତି । ଗୋଟିକରେ ମୟୂର ଏବଂ ଅନ୍ୟଟିରେ ୧୨ଟି ପରୀୟାଁ (ପରୀମାନେ) ବୁଣା ହୋଇଥିବା ଦରି । ଏଗୁଡ଼ିକୁ ତାଙ୍କ ଝିଅର ବିବାହ ସମୟରେ ଦାଜ୍ ରେ ଦିଆଯାଇଥିଲା ।


ଜଣେ ଗ୍ରାହକଙ୍କ ପାଇଁ ମଜିଦାନ୍ ଗୋଟିଏ ଫୁଲକରି ଦରି ବା ଫୁଲ ବୁଣା ହୋଇଥିବା ଏକ ଦରି ବୁଣୁଛନ୍ତି, । “ କୌଣସି ଫୁଲର ଡିଜାଇନ୍ କରିବା ବେଳେ ଆମେ ମଝିରେ ଯାଇଥିବା ଆଡ଼ସୂତାକୁ ଭିନ୍ନ ଭିନ୍ନ ରଙ୍ଗର କରିଥାଉ, ” ମଜିଦାନ୍ ବୁଝାଇ ଦିଅନ୍ତି । କହିବା ବେଳେ ହାତରେ ୧୦ ଟି ଧଳା ଭରଣୀ (ଲମ୍ବ ବାଗରେ ରହିଥିବା ସୂତା)କୁ ଉଠାଇ ସେଗୁଡ଼ିକ ଭିତର ଦେଇ ଯାଇଥିବା ଗୋଟିଏ ହଳଦିଆ ମଝିସୂତାରେ (ଓସାରରେ ଦିଆଯାଇଥିବା ସୂତାରେ) ଲଗାଇବା ସହିତ ଆଉ ଏକ ନୀଳ ସୂତାରେ ଏହି ପ୍ରକ୍ରିୟାକୁ ଦୋହରାଇ ଚାଲନ୍ତି


ବାମ: ଦୁଇ କାରିଗର ହାଥସ (ପାନିଆ ଭଳି ଉପକରଣ) ଉପଯୋଗ କରି ଆଡ଼ସୂତାକୁ ସଠିକ୍ ସ୍ଥାନରେ ରଖୁଛନ୍ତି । ଡାହାଣ: ଲାଲ ରଙ୍ଗର ତନ୍ତୁକୁ ମଚ ଜିଦାନ୍ ଗୋଟିଏ କାଠିରେ ଗୁଡ଼ାଉଛନ୍ତି, ଏହାକୁ ସେ ଆଡ଼ସୂତା ଭାବରେ ବ୍ୟବହାର କରିବେ ଏବଂ ତାଙ୍କ ନାତୁଣୀ ମନ୍ନତ ସହିତ କାରସାଦ ୧୦ ଫୁଟ ଲମ୍ବର ଏକ ଧାତୁ ନିର୍ମିତ ଛାଞ୍ଚରେ କାମ କରୁଛନ୍ତି, ଯେଉଁଥିରେ ସେମାନେ ଦରି ବୁଣିବେ
*****
ମାଜିଦାନ ପକ୍କା ଘରେ ଥିବା ସେମାନଙ୍କ କାର୍ଯ୍ୟଶାଳାରେ ପ୍ରତିଟି କାର୍ଯ୍ୟରେ ଗୋଟି ଗୋଟି କରି ସବୁ କଥା ପ୍ରତି ସେମାନଙ୍କର ମନଯୋଗିତା ପ୍ରତିଫଳିତ ହୋଇଥାଏ । ସେହି କୋଠରିରେ ସେ ତାଙ୍କ ୧୦ ବର୍ଷର ନାତି ଇମ୍ରାନ ଖାନ ସହିତ କାମ କରନ୍ତି । ଏହି ୧୪x୪ ଆକାରର କୋଠରିଟିରେ ୧୦ ଫୁଟ ଲମ୍ବା ଧାତୁ ନିର୍ମିତ ଏକ ଫ୍ରେମ୍ ଥାଏ, ଯାହାକୁ ସ୍ଥାନୀୟ ଭାଷାରେ ‘ ଆଡ୍ଡା ’ କୁହାଯାଏ । ଏଥିରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବସ୍ତ୍ର ବୁଣାଯାଏ । କୋଠରିରି ଅବଶିଷ୍ଟ ସ୍ଥାନରେ କେତେକ ଚାରପାଇ (ଦଉଡ଼ିଆ ଖଟ) ରହିଥାଏ । ଗୋଟିଏ କାନ୍ଥକୁ ଡେରା ହୋଇ ରହିଥିବା ବେଳେ ଆଉ ଗୋଟିଏ ଫ୍ରେମ୍ କଡ଼ରେ ପଡ଼ିଥାଏ; ଆଉ ଗୋଟିଏ ପଟେ ଷ୍ଟିଲ୍ର ବଡ଼ ବାକ୍ସ ଭିତରେ କପଡ଼ା ଓ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ହୋଇଥାଏ । କୋଠରିକୁ ଆଲୋକିତ କରିବା ଲାଗି ମାତ୍ର ଗୋଟିଏ ବଲ୍ବ ଲାଗିଥାଏ । କିନ୍ତୁ, ସେମାନଙ୍କ କାମ ପାଇଁ ଆବଶ୍ୟକ ଆଲୋକ ପାଇବା ସକାଶେ ଦୁଆର ବାଟେ ଘର ଭିତରକୁ ପଡୁଥିବା ସୂର୍ଯ୍ୟାଲୋକ ଉପରେ ନିର୍ଭର କରନ୍ତି ମାଜିଦାନ୍ ଓ କାରସାଦ ।
ସେହି ୧୦ ଫୁଟ୍ ଲମ୍ବା ଧାତୁ ନିର୍ମିତ ଫ୍ରେମ୍ରେ ଭରଣୀ ବା ଲମ୍ବ ବାଗରେ ଥିବା ସୂତା ଗୁଡ଼ାଇବାରୁ ହିଁ ସେମାନେ କାମ ଆରମ୍ଭ କରନ୍ତି । “ ଦରି ବୁଣାରେ ସବୁଠାରୁ କଷ୍ଟକର କାମ ହେଲା ଭରଣୀରେ ସୂତା ଗୁଡ଼ାଇବା,” ମାଜିଦାନ୍ କହନ୍ତି । ଦୃଢ଼ ଭାବେ ଗୁଡ଼ା ହୋଇଥିବା ଭରଣୀ ସୂତାକୁ ଗୋଟିଏ ଧାତବ ଦଣ୍ଡ ଚାରିପଟେ ଲମ୍ବ ବାଗରେ ଟଣାଯାଏ ।
ସେମାନେ ବୁଣିବାକୁ ଯାଉଥିବା କାରୁକାର୍ଯ୍ୟପୂର୍ଣ୍ଣ କପଡ଼ାକୁ ଧରି ରଖିବା ଲାଗି ଥିବା ଧାତୁ ନିର୍ମିତ ଫ୍ରେମ୍ ଉପରେ ରଖାଯାଇଥିବା ଗୋଟିଏ କାଠପଟା ଉପରେ ଦୁଇ ବୁଣାକାର ବସନ୍ତି । ସହଜରେ ଏବଂ ଶୀଘ୍ର ବୁଣିବା ସକାଶେ ବ୍ୟବହୃତ ତନ୍ତର ଏକ ଉପକରଣ ଚଳାଇବାରୁ, ଅର୍ଥାତ୍ ତନ୍ତର ଘୋଡ଼ଣି ଭଳି ଅଂଶକୁ ଖୋଲିବା ଓ ବନ୍ଦ କରିବାରୁ ହିଁ ସେମାନଙ୍କର ବୁଣାକାମ ଆରମ୍ଭ ହୁଏ । ତନ୍ତକୁ ଢାଙ୍କି ରଖିବା ଢଙ୍ଗରେ ଲାଗିଥିବା ଏହି ଅଂଶଟି ପ୍ରତି ଭରଣୀ ସୂତାକୁ ପରସ୍ପରଠାରୁ ଅଲଗା କରିଥାଏ । ଏଥିରୁ ହିଁ ଦରିର ଏକ ଆକୃତି ସୃଷ୍ଟି ହୁଏ ଏବଂ ବୁଣାକାମ ଶେଷରେ ଏହା ଦରିର ଡିଜାଇନରେ ପ୍ରତିଫଳିତ ହୁଏ ।
ଜଣେ ଅନ୍ୟ ଜଣଙ୍କ ସହିତ ଅଦଳବଦଳ କରି, ଆଡ଼ ବାଗରେ ବା ଭୂ-ସମାନ୍ତର ଭାବରେ ଲାଗିଥିବା ସୂତା ( ବାନା )କୁ ଭରଣୀ ସୂତା ( ତାନା ) ଭିତର ଦେଇ ଆଗକୁ ଆଗକୁ ବୁଣି ଚାଲନ୍ତି ଦୁଇ ବୁଣାକାର ମହିଳା । ଏଥିରେ ସୂକ୍ଷ୍ମ ଡିଜାଇନ୍ ସୃଷ୍ଟି କରିବା ଲାଗି ସେମାନେ ଏକ କାଠି ବ୍ୟବହାର କରନ୍ତି । ଦରିରେ ବିଭିନ୍ନ ଛବି ସୃଷ୍ଟି କରିବା ଲାଗି ମଜିଦାନ୍ ଭରଣୀକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଗୁଡ଼ାଇବାରେ ଲାଗନ୍ତି । ତାଙ୍କ କହିବା ଅନୁସାରେ “ଏ ସବୁ ତାଙ୍କ ମୁଣ୍ଡରେ ରହିଥିବା ଭାବନା ଭିତ୍ତିରେ ପ୍ରସ୍ତୁତ ହୋଇଥାଏ ।” କୌଣସି ଡିଜାଇନର ପ୍ରତିରୂପ କରିବା ସକାଶେ ତାଙ୍କ ପାଖରେ ପୂର୍ବରୁ ପ୍ରସ୍ତୁତ କୌଣସି ଢାଞ୍ଚା ବା ଷ୍ଟେନ୍ସିଲରେ କଟାଯାଇଥିବା ଡିଜାଇନ ନଥାଏ ।


ବୁଣିବା ପୂର୍ବରୁ କାରୁକାର୍ଯ୍ୟପୂର୍ଣ୍ଣ କପଡ଼ାକୁ ଧରି ରଖିବା ଲାଗି ଥିବା ଧାତୁ ନିର୍ମିତ ଫ୍ରେମ୍ ଉପରେ ରଖାଯାଇଥିବା ଗୋଟିଏ କାଠପଟା ଉପରେ ଦୁଇ ବୁଣାକାର ବସନ୍ତି । ଭରଣୀ-ଲମ୍ବବାଗରେ ଥିବା ସୂତା- ଗୁଡ଼ାଇବାରୁ କାମ ଆରମ୍ଭ ହୁଏ । କପଡ଼ା ବୁଣିବାରେ ବ୍ୟବହୃତ ଏବଂ ସ୍ଥାନୀୟ ଭାଷାରେ ଆଡ୍ଡା ବୋଲି କୁହାଯାଉଥିବା ପାଖାପାଖି ୧୦ ଫୁଟ୍ର ଧାତୁ ନିର୍ମିତ ଫ୍ରେମ୍କୁ ଲାଗି ସେମାନେ ବସନ୍ତି । ‘ ଭରଣୀରେ ସୂତା ଗୁଡ଼ାଇବା ସବୁଠାରୁ କଷ୍ଟକର କାମ ,’ ମଜିଦାନ୍ କହନ୍ତି
କଷ୍ଟକର ମନେ ହେଉଥିଲେ ହେଁ ଆଜିକାଲି ଏହି କାମ ଖୁବ୍ ସହଜ ହୋଇଯାଇଛି । “ପୂର୍ବରୁ ଆମକୁ ଚାରି କୋଣରେ ଭୂମି ଉପରେ ବଡ଼ ବଡ଼ ଲୁହା କୀଲେ (କଣ୍ଟା) ବାଡ଼େଇବାକୁ ପଡୁଥିଲା । ତା ଉପରେ କାଠର କେତେକ ଦଣ୍ଡ ରଖି ଫ୍ରେମ୍ ତିଆରି କରିବା ପରେ ସେଥିରେ ଭରଣୀ ସୂତାକୁ ଗୁଡ଼ାଇ ବୁଣିବାକୁ ପଡୁଥିଲା,” କାରସାଦ କହନ୍ତି । “ପୂର୍ବରୁ ଆଡ୍ଡା କୁ ଘୁଞ୍ଚାଇବା ସମ୍ଭବ ନଥିଲା, ଯାହା ଏବେ ହୋଇପାରୁଛି,” ମଜିଦାନ୍ କହନ୍ତି । ତେଣୁ ଯେତେବେଳେ ବି ସେମାନେ ତନ୍ତ ବସାଇବାରେ କିଛି ପରିବର୍ତ୍ତନ ଚାହାଁନ୍ତି, “ଆମେ ଏହାକୁ ଟାଣି ଅଗଣାକୁ ନେଇଯାଉ ।”
ଦୁଇ ମହିଳା ବୁଣାକାରଙ୍କୁ ସେମାନଙ୍କ ପରିବାରରୁ ସେତେ ବେଶି ଆର୍ଥିକ ସହଯୋଗ ମିଳେନାହିଁ । ମଜିଦାନଙ୍କ ସାନପୁଅ ରିୟାସତ ଅଲୀ, ଟ୍ରକ୍ ଡ୍ରାଇଭର କାମ କରୁଥିଲେ । ଏବେ ସେ ଦିନକୁ ୫୦୦ ଟଙ୍କା ମଜୁରିରେ ଗୋଟିଏ ଗୋଶାଳାରେ କାମ କରୁଛନ୍ତି । ତାଙ୍କ ସବା ବଡ଼ପୁଅ ବର୍ଣ୍ଣାଲାରେ ସ୍ଥାନୀୟ ସାମ୍ବାଦିକ ଭାବେ କାର୍ଯ୍ୟରତ । କରସେଦଙ୍କ ଦୁଇ ପୁଅ ୱେଲଡର ଏବଂ ତୃତୀୟ ପୁଅ ଜଣେ ଦିନ ମଜୁରିଆ ।
କରସେଦଙ୍କ ବହୁ ପୂର୍ବରୁ ମଜିଦାନ୍ ବୁଣାକାମ ଆରମ୍ଭ କରିଥିଲେ । ଯଦିଓ, ତାଙ୍କୁ ସହିବାକୁ ପଡୁଥିବା ପାରିବାରିକ ଶୃଙ୍ଖଳାଗତ କାରସାଦି ସେତେଟା ଅଲଗା ନଥିଲା । “ମୋତେ ପାଠ ପଢ଼ାଇବାକୁ ମୋ ପରଜାୟୀ (ଭାଉଜ) ମୋ ଟୁଇ (ପିଚା)କୁ ପିଟି ଦେଉଥିଲେ,” ମଜିଦାନ୍ କହନ୍ତି । ଅନ୍ୟ ଜଣେ ଭାଉଜ ତାଙ୍କୁ ବୁଣାକାମ ଶିଖାଇଥିଲେ ।
“ଯଦିଓ ମୁଁ ବଦ୍ରାଗି ଝିଅଟିଏ ଥିଲି, ତଥାପି ମୁଁ ଚୁପ୍ ରହୁଥିଲି । କାରଣ ଶିଖିବାକୁ ମୋର ଆଗ୍ରହ ଥିଲା,” ଏବଂ “ପ୍ରଥମେ ପ୍ରଥମେ ଆଖିରେ ଲୁହ ଓ ମନରେ ହତାଶଭାବ ସତ୍ତ୍ୱେ” ସେ ଶିଖିଗଲେ, ତାହା ବି ମାସକରୁ କମ୍ ସମୟ ଭିତରେ ।
ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଏବଂ ଏହି ସମୟରେ ହିଁ ମଜିଦାନଙ୍କ ଦୃଢ଼ ମନୋଭାବ ପରିଲକ୍ଷିତ ହେଲା । ଆରମ୍ଭରୁ ଅନାଗ୍ରହ ଭାବ ସତ୍ତ୍ୱେ, ମାଆଙ୍କୁ ସାହାଯ୍ୟ କରିବାକୁ ଅଡ଼ି ବସିଲେ ୧୪ ବର୍ଷ ବୟସର ମଜିଦାନ୍ । ପୁରୁଣା କଥା ମନେ ପକାଇ ମଜିଦାନ୍ କହନ୍ତି, “ମୁଁ ଝିଅଟିଏ,’ (ତେଣୁ ମୁଁ କରିପାରିବିନି) ବୋଲି କହି ବେବେ (ମାଆ) ମୋତେ ଧୀର ଭାବରେ ମନା କରିଦେଉଥିଲେ । “କିନ୍ତୁ ଝିଅଟିଏ କାହିଁକି ପରିବାରର ସହାୟତା କରିପାରିବ ନାହିଁ ବୋଲି ପ୍ରଶ୍ନ କରି ମୁଁ ଜିଦ୍ ଧରି ବସିଲି ।”


ଜଣେ ଅନ୍ୟ ଜଣଙ୍କ ସହିତ ଅଦଳବଦଳ କରି, ଭୂ-ସମାନ୍ତର ଭାବରେ ଲାଗିଥିବା ସୂତା (ବାନା)କୁ ଭରଣୀ ସୂତା (ତାନା) ଭିତର ଦେଇ ଆଗକୁ ଆଗକୁ ବୁଣି ଚାଲନ୍ତି ଦୁଇ ବୁଣାକାର ମହିଳା । ସୂକ୍ଷ୍ମ ଡିଜାଇନ୍ ସୃଷ୍ଟି କରିବା ଲାଗି ସେମାନେ ଏକ କାଠି ବ୍ୟବହାର କରନ୍ତି । ଦରିରେ ବିଭିନ୍ନ ଛବି ସୃଷ୍ଟି କରିବା ଲାଗି ମଜିଦାନ୍ ଭରଣୀକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଗୁଡ଼ାଇବାରେ ଲାଗନ୍ତି । ସେ କହନ୍ତି ଯେ ' ଏ ସବୁ ତାଙ୍କ ମୁଣ୍ଡରେ ରହିଥିବା ଭାବନା ଭିତ୍ତିରେ ପ୍ରସ୍ତୁତ ହୋଇଥାଏ ।' କୌଣସି ଡିଜାଇନର ପ୍ରତିରୂପ ସକାଶେ ପୂର୍ବରୁ ପ୍ରସ୍ତୁତ କୌଣସି ଢାଞ୍ଚା ବା ଷ୍ଟେନ୍ସିଲରେ କଟାଯାଇଥିବା ଡିଜାଇନ ନଥାଏ


ଗୋଟିଏ ହଳଦିଆ ଓ ନୀଳ ରଙ୍ଗର ସୂତା ବ୍ୟବହାର କରି ଦୁଇଟି ଫୁଲର ଡିଜାଇନ ବୁଣୁଛନ୍ତି ମଜିଦାନ୍ ଓ କର ସେ ଦ । ମଝିରେ ମଝିରେ ଖାଲି ସ୍ଥାନ ଛାଡ଼ି ଦୁହେଁ ସବୁଜ ଓ କଳା ରଙ୍ଗର ଫୁଲ ବୁଣୁଛନ୍ତି । ମଜିଦାନ୍ କହନ୍ତି, ‘ ଫୁଲପକା କାମ ସରିଗଲେ ଆମେ ଲାଲ ରଙ୍ଗର ଆଡ଼ସୂତା ବ୍ୟବହାର କରି ପ୍ରାୟ ଏକ ଫୁଟ୍ ଦରି ବୁଣିବୁ ’ । କପଡ଼ା ମାପିବା ଲାଗି ସେ କେବଳ ତାଙ୍କ ହାତକୁ ବ୍ୟବହାର କରନ୍ତି । ବୁଣାକାମ ଆରମ୍ଭରୁ ସେମାନେ ଏହିଭଳି କରିଆସୁଛନ୍ତି, କାରଣ ଦୁହିଁଙ୍କ ମଧ୍ୟରୁ କେହି ହେଲେ କେବେ ସ୍କୁଲକୁ ଯାଇନାହାନ୍ତି
ତାଙ୍କ ପରିବାର ଉପରେ ଦେଶ ବିଭାଜନର ପ୍ରଗାଢ଼ ପ୍ରଭାବ ପଡ଼ିଥିଲା- ତାଙ୍କ ଅଜାଆଈଙ୍କ ପରିବାର ଲୋକେ ପାକିସ୍ତାନରେ ରହିଗଲେ । ଏହି କଥା ଏବେ ବି ମଜିଦାନଙ୍କ ମନରେ ବ୍ୟାକୁଳତା ସୃଷ୍ଟି କରେ । ୧୯୮୦ ଦଶକରେ ସେ ସେମାନଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ସାଙ୍ଗରେ ଉପହାର ନେଇଯାଇଥିଲେ- ଦୁଇଟି ହାତବୁଣା ଦରି, ଯାହାକୁ “ସେମାନେ ପ୍ରକୃତରେ ପସନ୍ଦ କରିଥିଲେ”, ସେ କହନ୍ତି ।
*****
ଘଣ୍ଟା ଘଣ୍ଟା ପରିଶ୍ରମ କରିବା ସତ୍ତ୍ୱେ, ଏହି ମହିଳାମାନେ ଗୋଟିଏ ସିଙ୍ଗଲ ଦରି ପିଛା ମାତ୍ର ୨୫୦ ଟଙ୍କା ରୋଜଗାର କରନ୍ତି । “ସାଧାରଣତଃ ଆମେ ଗୋଟିଏ ଦରି ବୁଣିବାକୁ ୧,୧୦୦ ଟଙ୍କା ପାଉଣା ଦାବି କରିଥାଉ । ଯଦି ଗ୍ରାହକ ସୂତ (ତନ୍ତୁସୂତା) ଆଣି ଦିଅନ୍ତି, ତେବେ ଆମେ କେବଳ ଆମ ପରିଶ୍ରମ ବାବଦରେ ୫୦୦ ଟଙ୍କା ନେଉ.” ମଜିଦାନ୍ ବୁଝାଇ କହନ୍ତି । “ମୁଁ କାମ ଆରମ୍ଭ କରିବା ସମୟରେ ପୂରା ଗୋଟିଏ ଦରି ବୁଣିଲେ ୨୦ ଟଙ୍କା ମିଳୁଥିଲା । ଆଜିକାଲି କେବେ କେମିତି ଆମର ଭଲ ରୋଜଗାର ହେଉଛି,” ମଜିଦାନ୍ କହନ୍ତି । “ଗାଁରେ ଏବେ କ୍ଷୀର ଲିଟରକୁ ୬୦ ଟଙ୍କା ହେଲାଣି । ମାସକରେ ମୋର ଖର୍ଚ୍ଚ କଥା ଭାବି ଦେଖନ୍ତୁ ତ,” ବିଷାଦଭରା କଣ୍ଠରେ କହନ୍ତି କାରସାଦ ।
ଉଭୟଙ୍କ ସ୍ୱାମୀ ବେକାର ଥିଲେ ଏବଂ ସେହି କାରଣରୁ ମଜିଦାନ୍ ଓ କରସେଦ ସେମାନଙ୍କ ପିଲାମାନଙ୍କୁ ବହୁ କଷ୍ଟରେ ବଡ଼ କରିଛନ୍ତି । “ମୁଁ କେତେକ ଜାଠ ଶିଖ ପରିବାରରେ ଘରକାମ କରୁଥିଲି ଏବଂ ସେମାନେ ମୋତେ ଘରକୁ ନେବା ପାଇଁ ଆବଶ୍ୟକ ଜିନିଷପତ୍ର ଦେଉଥିଲେ । ସେଥିରେ ମୁଁ ମୋ ପିଲାଙ୍କୁ ଖୁଆଉଥିଲି,” କରସେଦ କହନ୍ତି । ମଜିଦାନ୍ ତାଙ୍କ ସବା ସାନପୁଅ ଓ ତା’ର ପରିବାର ସାଙ୍ଗରେ ରହୁଛନ୍ତି । କରସେଦ ତାଙ୍କ ଆଠଜଣିଆ ପରିବାରରେ ରହନ୍ତି ଏବଂ ଅନେକ ସମୟରେ ଅତୀତର କଷ୍ଟକର ସମୟ କଥା ମନେ ପକାନ୍ତି ।
ତିନି ବର୍ଷ ତଳ ପର୍ଯ୍ୟନ୍ତ, ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟବର୍ତ୍ତୀ ବ୍ୟସ୍ତବହୁଳ କପା ଅମଳ ସମୟରେ ସେମାନେ କପା ଆଣୁଥିଲେ । ସେଥିରୁ ସେମାନେ ତନ୍ତୁସୂତା କାଟୁଥିଲେ ଏବଂ ଏହି କାମରୁ ସେମାନଙ୍କର ଆଉ କିଛି ଅଧିକ ଆୟ ହେଉଥିଲା । ଏହି କାମରେ ୪୦ କିଲୋଗ୍ରାମ କପା ଆଣିଲେ ସେମାନେ ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲେ । “ଆଜିକାଲି ଅଧିକାଂଶ ଚାଷୀ କପା ବଦଳରେ ଧାନ ବୁଣୁଛନ୍ତି,” ମଜିଦାନ୍ କହନ୍ତି । ଚାଷବାସରେ ଏହି ପରିବର୍ତ୍ତନର ପ୍ରଭାବ ସେମାନଙ୍କ ଜୀବନଧାରା ଉପରେ ପଡ଼ିଛି । ପଞ୍ଜାବରେ କପାଚାଷ ଦ୍ରୁତ ହାରରେ ହ୍ରାସ ପାଇବାରେ ଲାଗିଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି । ୨୦୧୪-୧୫ରେ ୪୨୦,୦୦୦ ହେକ୍ଟର ଜମିରେ କପାଚାଷ ହେଉଥିବା ବେଳେ ୨୦୨୨-୨୩ରେ ଚାଷଜମି ପରିମାଣ ୨୪୦,୦୦୦କୁ ଖସି ଆସିଛି ।
ମାର୍ଚ୍ଚ ମାସରେ, ଅନିଚ୍ଛା ସତ୍ତ୍ୱେ ମଜିଦାନ୍ ତାଙ୍କ ଚରଖା କୁ ସୂତା ଓ ତନ୍ତ କାଟିବାରୁ କାର୍ଯ୍ୟମୁକ୍ତ କରିଦେଲେ । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ଗୋଟିଏ ଚାଳିଆ ତଳେ ପଡ଼ିଛି । ହାତବୁଣା ଦରି ର ଚାହିଦା ବି ଖୁବ୍ ହ୍ରାସ ପାଇଛି । ଏକଦା ସେମାନେ ମାସକୁ ୧୦ରୁ ୧୨ଟି ଦରି ବୁଣୁଥିବା ବେଳେ ଏବେ ମାତ୍ର ଦୁଇଟି ବୁଣିପାରୁଛନ୍ତି । ନିୟମିତ ଆୟ କହିଲେ କେବଳ ବିଧବା ଭତ୍ତା ବାବଦରେ ରାଜ୍ୟ ସରକାର ଦେଉଥିବା ୧,୫୦୦ ଟଙ୍କା ଯାହା ରହିଛି ।


ବାହାରି ଆସିଥିବା ସୂତାରେ ଗଣ୍ଠି ପକାଇବା ସହିତ ଗୋଟିଏ ହାତବୁଣା ଦରିରେ ଚୂଡ଼ାନ୍ତ ସ୍ପର୍ଶ ଦେଉଛନ୍ତି ମଜିଦାନ୍


ସେ ଓ କରସେଦ ବୁଣିଥିବା ଗୋଟିଏ ଦରି ଦେଖାଉଛନ୍ତି (ବାମ) ମଜିଦାନ୍ । ତାଙ୍କ ୧୦ ବର୍ଷର ନାତି ଇମ୍ରାନ ଖାନ୍ (ଡାହାଣ) ସହାୟତାରେ ମଜିଦାନ୍ ଛୁଞ୍ଚିରେ ସୂତା ଗଳାଉଛନ୍ତି । ଘଣ୍ଟାକରୁ ଅଧିକ ସମୟର କାମ ପରେ ଅଳ୍ପ ସମୟ ପାଇଁ ବିରତି ନେଇ କରସେଦ୍ ଓ ମଜିଦାନ୍ ଗୋଡ଼ହାତ ସଳଖ କରିନେଉଛନ୍ତି । ଉଭୟ କହନ୍ତି ଯେ ସେମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେବା ସହିତ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଛି
ଘଣ୍ଟାକରୁ ଅଧିକ ସମୟର କାମ ପରେ ଅଳ୍ପ ସମୟ ପାଇଁ ବିରତି ନେଇ କରସେଦ୍ ଓ ମଜିଦାନ୍ ଗୋଡ଼ହାତ ସଳଖି ନିଅନ୍ତି । କରସେଦ୍ କହନ୍ତି ଯେ ତାଙ୍କ ପିଠିରେ ଯନ୍ତ୍ରଣା ହେଉଛି, ଏବଂ ମଜିଦାନ୍ ତାଙ୍କ ଆଣ୍ଠୁକୁ ଚାପି ଦେଉ ଦେଉ କହନ୍ତି. “ଆଜି କାମ କରିବାକୁ ଅଧିକ କଷ୍ଟ ଲାଗୁଛି । ମୋ ଆଣ୍ଠୁଗଣ୍ଠିରେ ପୀଡ଼ା ହେଉଛି ।” ସେମାନଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇ ଆସିଲାଣି ଉଭୟ କହନ୍ତି ।
“ ବନ୍ଦା ବନ୍ କେ କାମ କିତା ହୈ (ମୁଁ ଜଣେ ପୁରୁଷ ଭଳି କାମ କରିଛି), ଏବଂ ଏ ବୟସରେ ବି ସେହିଭଳି କାମ କରି ଚାଲିଛି,” କେବଳ ତାଙ୍କର ସ୍ୱଳ୍ପ ରୋଜଗାରରେ ପୂରା ପରିବାର ଚଳାଉଥିବା ମଜିଦାନ୍ କହନ୍ତି ।
ତାଙ୍କ ବୟସ ଓ ତା ସହିତ ରହିଥିବା ଶରୀର ପୀଡ଼ା ସତ୍ତ୍ୱେ, ଭତ୍ତା ବାବଦରେ ଏବଂ ଦରି ବୁଣି ପାଉଥିବା ଟଙ୍କା ସହିତ ଆଉ କିଛି ରୋଜଗାର ବଢ଼ାଇବା ଲାଗି ମଜିଦାନ୍ ଚେଷ୍ଟା ଚଳାଇଛନ୍ତି । ଗୋଟିଏ ପରିବାର ଲାଗି ରାନ୍ଧିବା ସକାଶେ ସେ ପ୍ରତିଦିନ ସକାଳ ୭ଟାରେ ଚାଲି ଚାଲି ଯାଆନ୍ତି ଏବଂ ଏ ବାବଦରେ ମାସକୁ ୨,୦୦୦ ଟଙ୍କା ପାଆନ୍ତି । ସେ ଓ କରସେଦ୍ ଦୁହେଁ ଘରୋଇ ସହାୟିକା ଭାବେ ମଧ୍ୟ କାମ କରି ଘଣ୍ଟାକୁ ୭୦ ଟଙ୍କା ରୋଜଗାର କରନ୍ତି ।
ଦିନଯାକର କାମ ସତ୍ତ୍ୱେ, ଦରି ବୁଣିବାକୁ ସେମାନଙ୍କୁ ସମୟ ମିଳିଯାଏ । କରସେଦ୍ କହନ୍ତି, “ଯଦି ଆମେ ସବୁଦିନ ବୁଣିବୁ, ତେବେ ସପ୍ତାହରେ ଗୋଟିଏ ଦରି ବୁଣା ଶେଷ କରିପାରିବୁ ।”
ମଜିଦାନ୍ ବୁଣାକାମ ଛାଡ଼ିବା କଥା ଚିନ୍ତା କରନ୍ତି । “ବୋଧହୁଏ ଏହି ଗୋଟିକର କିମ୍ବା ଆଉ ଗୋଟିକର କାମ ସାରିବା ପରେ, ମୁଁ କାମ ବନ୍ଦ କରିଦେବି । ଘଣ୍ଟା ଘଣ୍ଟା ଧରି ବସିବା କଷ୍ଟକର ହେଲାଣି । ମୋର ଏଇଠି ଯନ୍ତ୍ରଣା ହେଉଛି,” ଗତ ବର୍ଷ ପିତ୍ତାଶୟ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ପଡ଼ିଥିବା ସିଲେଇକୁ ଦେଖାଇ ସେ କହନ୍ତି । “ଯାହା କେଇ ବର୍ଷ ଆଉ ବାକି ଅଛି- ବୋଧହୁଏ ଗୋଟିଏ କି ଦୁଇଟି- ସେତକ ମୁଁ ଭଲରେ ବଞ୍ଚିବାକୁ ଚାହୁଁଛି ।”
ହେଲେ, ଏହାର ଠିକ୍ ପରଦିନ ଏହି କଳ୍ପିତ ଅବସର କଥା ଭୁଲି ହୋଇଗଲା ଭଳି ମନେହୁଏ । ଗୋଟିଏ ଦରି ବୁଣିବାକୁ ବରାଦ ଦେବା ଲାଗି ଆସି ପହଞ୍ଚନ୍ତି ବୟସର ଅଶୀ ଦଶକର ପ୍ରାରମ୍ଭରେ ପାଦ ରଖିସାରିଥିବା ଅନ୍ୟ ଏକ ଗାଁର ଜଣେ କ୍ଷୀଣକାୟା ମହିଳା ବଲବୀର କୌର । “ ମାଇ (ମାଆ), ଘରଲୋକଙ୍କୁ ପଚାରି ଦେଖ ତ, ସେମାନେ ଦରି କୁ ଘରେ ବ୍ୟବହାର କରିବେ ନାଁ ଝିଅ ବାହାଘର ଲୁଗାପଟା ସାଙ୍ଗରେ ଦେବେ,” ବୃଦ୍ଧା ମହିଳାଙ୍କୁ କହନ୍ତି ମଜିଦାନ୍, ଆଉ ତାଙ୍କ ହାତକୁ ବଢ଼ାଇ ଦିଅନ୍ତି ଶହେ ଟଙ୍କିଆ ନୋଟ୍ଟିଏ ।
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍ଏମ୍ଏଫ୍)ର ଏକ ଫେଲୋସିପ୍ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଅନୁବାଦ : ଓଡ଼ିଶାଲାଇଭ୍