‘‘ଏ ହାତ ସବୁ ସଙ୍ଗୀତ ପରିବେଷଣ ପାଇଁ ସୃଷ୍ଟି ହୋଇଛନ୍ତି,’’ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୁହନ୍ତି । ଏକଥା କହିବା ସମୟରେ ସେ ପୁରୁଣା ଦିନ କଥା ମନେ ପକାଇ ଖୁସି ଅନୁଭବ କରିଥାନ୍ତି - ଯେତେବେଳେ ସେ ଭୁଖା ଚଳଚ୍ଚିତ୍ର ଦେଖିଥିଲେ। ସମ୍ବଲପୁରର ପୃଷ୍ଠଭୂମିରେ ପ୍ରସ୍ତୁତ ଏ ଚଳଚ୍ଚିତ୍ରରେ ଆଦିବାସୀ ଓ ସଙ୍ଗୀତ ଉପକରଣ ଉପରେ ସଂଳାପ ସବୁ ରହିଥିଲା ଯାହା ତାଙ୍କ ଭିତରେ କଳାକାର ସହ କଥା ହୋଇଥିଲା।
ବହୁ ଦଶନ୍ଧି ପରେ, କୃଷ୍ଣ ନିଃସଙ୍କୋଚରେ ଚଳଚ୍ଚିତ୍ରର ଏକ ସଂଳାପକୁ ଅନର୍ଗଳ ଭାବେ ଆବୃତ୍ତି କରିଥାନ୍ତି : ‘‘ଆମର ଏହି ଶହ ଶହ ବର୍ଷ ପୁରୁଣା ପେସା (ଦୁଲଦୁଲି)କୁ ମୁଁ ଛାଡ଼ି ପାରିବି ନାହିଁ । ମୋ ବାପା କେବେ ମଜୁରି ଖଟିନାହାନ୍ତି । ତାଙ୍କ ବାପା ମଧ୍ୟ କେବେ ଏ କାମ କରିନାହାନ୍ତି।’’
ଦୁଲଦୁଲି ଏକ ସମ୍ବଲପୁରୀ ଲୋକ ପରମ୍ପରା। ଏହାକୁ ପରିବେଷଣ କରିବା ସମୟରେ ପାଞ୍ଚଟି ଢୋଲ ଓ ମହୁରୀ ଉପଯୋଗ କରାଯାଇଥାଏ। କେବଳ ଉଚ୍ଚ କୁଶଳୀ କଳାକାରମାନେ ଏଥିରେ ଭାଗ ନେଇପାରିବେ।
କୃଷ୍ଣ କୁହନ୍ତି, ଭୂଖା ସେହି ପ୍ରଥମ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା ଯାହାକି ତାଙ୍କ ଭଳି ଦୁଲଦୁଲୀ ସଙ୍ଗୀତକାରଙ୍କୁ ପରଦାରେ ଦେଖାଇଥିଲା। ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହର ନିବାସୀ ସେ ନିଜର ୫୦ ବର୍ଷ ବୟସ୍କା ପତ୍ନୀ ସୁକାନ୍ତି ବାଗ ଏବଂ ନିଜ ପୁଅ କ୍ଷିତୀଶ ବାଗଙ୍କ ସହିତ ରୁହନ୍ତି। ସେ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି ।
‘‘ଘାସିଆ (ଘାସି) ସମାଜର ଲୋକମାନେ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ଏବଂ ଗଣ୍ଡା ସମାଜର ଲୋକମାନେ ସେଗୁଡ଼ିକୁ ବଜାଇଥାନ୍ତି। ଏହି ଦୁଇ ସମାଜ ଚମଡ଼ା କାମ କରିଥାନ୍ତି, ସେଥିପାଇଁ ସେମାନଙ୍କୁ ଅପବିତ୍ର ବୋଲି ବିବେଚନା କରାଯାଉଥିଲା,’’ କୃଷ୍ଣ କୁହନ୍ତି। ‘‘ସେମାନଙ୍କ ପାଇଁ କାମ ଖୋଜିବା କଷ୍ଟକର ଥିଲା, ସେଥିପାଇଁ ସେମାନେ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇବା ଭଳି ଗତିବିଧିରେ ନିୟୋଜିତ ରହିଥିଲେ।’’ ଘାସି ଓ ଗଣ୍ଡା ସମାଜ ଉଭୟ ଓଡ଼ିଶାରେ (ଜନଗଣନା ୨୦୧୧) ଅନୁସୂଚିତ ଜାତି (ଏସସି) ଭାବେ ତାଲିକାଭୁକ୍ତ ।
ସଙ୍ଗୀତରେ ବ୍ୟବହାର କରାଯାଉଥିବା ପାଞ୍ଚଟି ଉପକରଣ ମଧ୍ୟରୁ, ଏହି ଦୁଇ ସମାଜ ଢୋଲ ଏବଂ ନିଶାନ ତିଆରି କରିଥାନ୍ତି ଯେଉଁଥିରେ ପଶୁଙ୍କ ଚମଡ଼ାରେ ବାଜାର ଦୁଇ ମୁଣ୍ଡ ତିଆରି ହୋଇଥାଏ। ନିଶାନ ଦୁଇ ପଟରେ ହରିଣ ଶିଂଘ ଲଗାଇ ସଜା ହୋଇଥାଏ। ପଶୁଙ୍କ ଚମଡ଼ା ଓ ଶିଂଘ ସହିତ ଖୁବ ନିଖୁଣ ଭାବେ ଏହି ସଙ୍ଗୀତ ଉପକରଣଗୁଡ଼ିକୁ ତିଆରି କରାଯାଇଥାଏ। ପାରମ୍ପରିକ ଭାବେ ଏହି କାମ ଦଳିତ ସମ୍ପ୍ରଦାୟଙ୍କୁ ଦିଆଯାଇଛି ।

ପଞ୍ଚବାଦ୍ୟ ଦୁଲଦୁଲି ତାଶା (ବାମ), ନିଶାନ (ହରିଣ ଶିଂଘ ସହିତ), ଢୋଲ (ପଛରେ ମଝି), ମହୁରୀ (ଆଗରେ ବଇଁଶୀ) ଏବଂ ଖରତାଲ (ଝାଞ୍ଜ)

ସମ୍ବଲପୁର ଜିଲ୍ଲାରେ ସଙ୍ଗୀତ ପରିବେଷଣ କରୁଛନ୍ତି କଳାଜୀବୀ ଦଳ ଯେଉଁଥିରେ ସଙ୍ଗୀତକାରମାନେ ଢୋଲ, ନିଶାନ ଓ ତାଶା ବଜାଉଛନ୍ତି
କୃଷ୍ଣଙ୍କ ବୟସ ୬୦ ପାଖାପାଖି ହେବ ଏବଂ ସେ ରଙ୍ଗଫରୁଆ ନାମକ ଦୁଲଦୁଲି ଦଳରେ ସବୁଠୁ ପୁରୁଣା କଳାକାର ଭାବେ ବାଦ୍ୟ ବଜାଇଥାନ୍ତି। ଦୁଲଦୁଲିରେ ପାଞ୍ଚଟି ଢୋଲ ଏବଂ ମହୁରୀ ଓ ବଂଶୀ ଆଦି ଥାଏ ଯାହାକୁ ମିଳିତ ଭାବେ ପଞ୍ଚବାଦ୍ୟ (ପାଞ୍ଚଟି ବାଦ୍ୟ ଉପକରଣ) କୁହାଯାଏ। ଢୋଲ, ନିଶାନ ଓ ତାଶା ଭଳି ବାଜା ସହିତ ମହୁରୀ ଓ ଖରତାଲ ଆଦି ସଙ୍ଗୀତ ଉପକରଣ ଥାଏ।
ଏସବୁକୁ ଏକାଠି ବଜାଇଲେ, କୃଷ୍ଣ କୁହନ୍ତି, ‘‘ ବାଜାର ସାଉଣ୍ଡ ରେ ଏତ୍କି ସାଉଣ୍ଡ ବାହାର୍ସି ଯେ ହଲ୍ ଭିତରେ ପ୍ରାକ୍ଟିସ୍ ହି କରିନାଇ ହୁଏ (ଏସବୁ ସଙ୍ଗୀତ ଉପକରଣରୁ ଏତେ ଜୋରରେ ଶବ୍ଦ ବାହାରେ ଆପଣ ହଲ୍ ଭିତରେ ଠିକ୍ ଭାବେ ଅଭ୍ୟାସ ସୁଦ୍ଧା କରିପାରିବେ ନାହିଁ)’’
ସେ ଢୋଲ ବଜାଇବାରେ ବେଶ୍ ସିଦ୍ଧହସ୍ତ । ତାଙ୍କ ପୁଅ କ୍ଷିତୀଶ (୨୮) ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଏବଂ ଢୋଲ ବାଦକ। ସେ ମଧ୍ୟ ତାଙ୍କ ବାପାଙ୍କ ସହିତ ବାଜା ବଜାଇଥାନ୍ତି। ‘‘ଆମେ ବିଧିବଦ୍ଧ ଭାବେ କୌଣସି ତାଲିମ ଗ୍ରହଣ କରିନାହୁଁ ଏବଂ ମୁଁ ଏହି କଳାକୁ ମୋ ବାପାଙ୍କଠାରୁ ଶିଖିଛି ଏବଂ ସେ ମଧ୍ୟ ତାଙ୍କ ବାପାଙ୍କଠାରୁ ଶିଖିଛନ୍ତି’’, କୃଷ୍ଣ କୁହନ୍ତି । ତାଙ୍କର ତିନି ପିଢ଼ି ଦୁଲଦୁଲି କଳାକାର ହୋଇଥିବାରୁ ସେ ନିଜ ପରିବାର ପରମ୍ପରାକୁ ବଜାୟ ରଖିଥିବା କୁହନ୍ତି ।
ନିଜ ବୈଠକ ଘର କାନ୍ଥରେ ଝୁଲା ହୋଇଥିବା ପ୍ରମାଣପତ୍ରକୁ ଦେଖାଇ କୃଷ୍ଣ ସମ୍ବଲପୁରୀ ଭାଷାରେ କୁହନ୍ତି, ‘‘ ଇଟା ହି ଟା ଆମର୍ କାମ ନି ଆଏ ବାକି ଦୁନିଆଦାରି ତ ଚାଲିଥିବା (ମୁଁ ଏହି ସମ୍ମାନ ଅର୍ଜନ କରିପାରିଛି)।’’ ଚାରି ଦଶନ୍ଧି ଧରି ଜଣେ କଳାକାର ଭାବେ ସେ ସାରା ଦେଶରେ ଏବଂ ଓଡ଼ିଶାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବାର୍ଷିକ ସାଂସ୍କୃତିକ ସମାରୋହ ଲୋକ ମହୋତ୍ସବ ବାଦ୍ୟ ପରିବେଷଣ କରିଛନ୍ତି ।


ବାମ : କୃଷ୍ଣ ଚନ୍ଦ୍ର ବାଗ୍ ତାଙ୍କ ସବୁ ପୁରସ୍କାର ସହିତ । ଡାହାଣ : ଡାଲଖାଇ ପରିବେଷଣ ସମୟରେ ବ୍ୟବହୃତ ଆଭୂଷଣ - କଟ୍ରିୟା, ବନ୍ଧ୍ରିୟା, ପଇସା ମାଲି, ଗୁଞ୍ଚି, ବାହଟି, ଘୁଙ୍ଗ୍ରୁ, ଖାକଲା ଓ କାନପତ୍ରି
ଦଳର କାର୍ଯ୍ୟକ୍ରମ ଯେତେ ସମୟ ଚାଲିଥାଏ ତାହା ଉପରେ ଆଧାର କରି କୃଷ୍ଣ ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ୧,୦୦୦-୨,୦୦୦ ଟଙ୍କା ଦାବି କରିଥାନ୍ତି।
ତିନି ବର୍ଷ ପୂର୍ବରୁ, କୃଷ୍ଣ ନିକଟସ୍ଥ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ସଙ୍ଗୀତ ଶିକ୍ଷକ ଭାବେ କାମ କରିବା ଆରମ୍ଭ କରିଥିଲେ। ନିଜର ଦୁଲଦୁଲି ଦଳରେ ଅଭ୍ୟାସ ଓ ସଙ୍ଗୀତ ପରିବେଷଣ କରିବା ବ୍ୟତୀତ, ସପ୍ତାହାନ୍ତରେ ସଙ୍ଗୀତକାରମାନେ ଯୁବକମାନଙ୍କୁ ଡାଲଖାଇ ନୃତ୍ୟ ଶିକ୍ଷା ଦେଇଥାନ୍ତି ।
*****
ଦୁଲଦୁଲି ଓ ଡାଲଖାଇ ପରସ୍ପର ସହ ତାଳ ଦେଇ ଚାଲିଥାଏ ବୋଲି କୁହନ୍ତି ଡାଲଖାଇ ପ୍ରଶିକ୍ଷକ, ନୃତ୍ୟ ନିର୍ଦ୍ଦେଶକ ଓ ପ୍ରଦର୍ଶନକାରୀ କଳାକାର ତଥା ନୃତ୍ୟଶିଳ୍ପୀ ଦୁର୍ଗା ପ୍ରସାଦ ଦାଶ । ସେ ପ୍ରାୟ ୪୦ ବର୍ଷ ଧରି ଏହି କଳା ସହ ଜଡ଼ିତ ରହିଛନ୍ତି ।
୫୫ ବର୍ଷ ବୟସ୍କ ଦୁର୍ଗାପ୍ରସାଦଙ୍କ ଘର ଧନକଉଡ଼ା ବ୍ଲକର ମାଝିପଲି ଗ୍ରାମରେ । ସେ ବ୍ରାହ୍ମଣ ସମାଜର ଲୋକ । ତାଙ୍କ ସମାଜ ଐତିହାସିକ ଭାବେ ଡାଲଖାଇ କଳା ସହ ଜଡ଼ିତ ନୁହେଁ ବୋଲି ସେ କୁହନ୍ତି । ‘‘ଡାଲଖାଇ ନୃତ୍ୟ ଦେବୀ ଦୁର୍ଗାଙ୍କ ଏକ ଅବତାର - ଡାଲଖାଇ ଦେବୀଙ୍କ ପ୍ରତି ସମର୍ପିତ,’’ ସେ କହିଥାନ୍ତି ।
‘‘ପୂର୍ବରୁ, କୋଲ, ଖରିଆ, ବିଞ୍ଝାଲ ଏବଂ ଓରାଓଁ ସମାଜର ମହିଳା (ଓଡ଼ିଶାରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ)ମାନେ ଦଶହରା ପର୍ବ ସମୟରେ ସେମାନଙ୍କ ଉପବାସ ଭାଙ୍ଗିବା ପାଇଁ ଦୁଲଦୁଲି ତାଳରେ ତାଳ ଦେଇ ନାଚୁଥିଲେ।
‘‘ମୁଁ ଛୋଟ ଥିବା ସମୟରେ ମୋତେ ଡାଲଖାଇ (ନୃତ୍ୟ) ଦେଖିବା ପାଇଁ ଅନୁମତି ମିଳୁନଥିଲା,’’ ସେ କୁହନ୍ତି, ପିଲାଙ୍କ ପାଇଁ ଏହା ଅଶ୍ଳୀଳ ବୋଲି କୁହାଯାଇ ଦେଖିବାକୁ ଅନୁମତି ଦିଆଯାଉ ନଥିଲା । ‘‘ ମୋର୍ ସ୍କୁଲ୍ ଦିନେ, ମୁଇ ଲୁକି ଲୁକି ଡାଲଖାଇ ଦେଖି ଯାଉଥିଲି (ସ୍କୁଲରେ ପଢ଼ିବା ସମୟରେ ମୁଁ ଭିଡ଼ ଭିତରେ ଲୁଚି ଲୁଚି ଡାଲଖାଇ ନାଚ ଦେଖିବାକୁ ଯାଉଥିଲି)।’’


ଦୁର୍ଗା ପ୍ରସାଦ ଦାଶ ଅଭ୍ୟାସ ଅଧିବେଶନ ସମୟରେ ନିଜ ଦଳକୁ ପ୍ରଶିକ୍ଷଣ ଦେଉଛନ୍ତି

ସମ୍ବଲପୁର ଜିଲ୍ଲାରେ କଳାଜୀବୀ ଦଳ ନୃତ୍ୟ ପରିବେଷଣ କରୁଛି
ସେ କୁହନ୍ତି, ୮୦ ଦଶକର ଶେଷ ଭାଗରେ ସ୍ଥିତିରେ ପରିବର୍ତ୍ତନ ଆସିଲା ଏବଂ ଡାଲଖାଇ ଏକ ସାର୍ବଜନୀନ ନୃତ୍ୟ ଭାବେ ଉଭା ହେଲା। ଏହାର ଦର୍ଶକ ସଂଖ୍ୟା ବଢ଼ିଲେ ଏବଂ ନୂଆ ନୃତ୍ୟ ଦଳ ଗଢ଼ା ହେଲା। ବିଭିନ୍ନ ସମାଜର ଲୋକମାନେ ଏଥିରେ ଯୋଗ ଦେଲେ। ପୂର୍ବରୁ ଯେଉଁମାନେ ଏହି କ୍ଷେତ୍ରରେ ରହିଥିଲେ ସେମାନେ ଗୁରୁ କିମ୍ବା ପ୍ରଶିକ୍ଷକ ହେଲେ ଏବଂ ନିଜର ନୃତ୍ୟ ଦଳ ଓ ଏକାଡେମୀ ଖୋଲିଲେ ବୋଲି ଦାଶ କୁହିଥାନ୍ତି ।
‘‘ ଡାଲଖାଇ ଟା ଖାଲି ଡାନ୍ସ ନୁହେଁ ଇଟା ଆମର ଦୁନିଆ ଆଏ (ଡାଲଖାଇ କେବଳ ଏକ ନୃତ୍ୟ ନୁହେଁ, ଏହା ଆମ ପାଇଁ ଦୁନିଆ),’’ ଡାଲଖାଇ ନୃତ୍ୟର ଦୁନିଆରେ ଜଣେ ଶିକ୍ଷକ ଭାବେ ନିଜର ଅନୁଭୂତିକୁ ନେଇ ଦାଶ କୁହନ୍ତି।
*****
ସମ୍ବଲପୁର ଜିଲ୍ଲା ରାଇରଖୋଲ ବ୍ଲକ୍ ରାଇରଖୋଲ ଗ୍ରାମର ଜଣେ ଡାଲଖାଇ ନୃତ୍ୟାଙ୍ଗନା ହେଉଛନ୍ତି ଟିକି ମେହେର (୨୪)। ସେ ମେହେର ସମାଜର ପ୍ରତିନିଧିତ୍ୱ କରିଥାନ୍ତି। ୨୦୧୪ରେ ସେ ନିଜ ଚାରି ଜଣିଆ ପରିବାର - ତାଙ୍କ ମା’ ଓ ଦୁଇ ଭାଇଙ୍କ ସହିତ ବୁର୍ଲା ସହରକୁ ଚାଲି ଆସିଥିଲେ। ସେମାନେ ଅଧିକ ଲାଭଜନକ ଡାଲଖାଇ ସୁଯୋଗ ସନ୍ଧାନରେ ଥିଲେ।
ବର୍ତ୍ତମାନ ସେ ଏକ ଲୋକପ୍ରିୟ ନୃତ୍ୟ ଦଳ କଳାଜୀବୀର ଜଣେ ସଦସ୍ୟା। ସାରା ଦେଶରେ ନୃତ୍ୟ ପରିବେଷଣ କରୁଥିବା ଆଠ ଜଣ ସ୍ଥାୟୀ ଡାଲଖାଇ ନୃତ୍ୟଶିଳ୍ପୀଙ୍କ ମଧ୍ୟରୁ ସେ ଅନ୍ୟତମ। ‘‘ପ୍ରଥମେ ମୁଁ ପଛରେ ନାଚୁଥିବା ଜଣେ ନର୍ତ୍ତକୀ ଭାବେ ନାଚ ଆରମ୍ଭ କରିଥିଲି ଏବଂ ଏବେ ମୁଁ ହକି ବିଶ୍ୱକପରେ ନୃତ୍ୟ ପରିବେଷଣ କରୁଛି । ଏହା ମୋ ପାଇଁ ସନ୍ତୋଷଜନକ ଅନୁଭୂତି,’’ ଟିକି ଗର୍ବର ସହିତ କହିଥାନ୍ତି ।
ଟିକିଙ୍କୁ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ। ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ହୋଇଥିବାରୁ ମା’ ଓ ଦୁଇ ସାନ ଭାଇଙ୍କ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଚାଲି ଆସିଥିଲା। ‘‘କିଛି ଟଙ୍କା ରୋଜଗାର କରିବା ଆଶାରେ ମୁଁ ଡାଲଖାଇ ଶିଖିବା ଆରମ୍ଭ କରିଥିଲି,’’ ଟିକି କୁହନ୍ତି ।


ଏକ କାର୍ଯ୍ୟକ୍ରମ ଅବସରରେ କଳାଜୀବୀ ନୃତ୍ୟ ଦଳର ଟିକି ମେହେର

କଳାଜୀବୀ ଦଳର ପାଞ୍ଚଜଣ ନୃତ୍ୟଶିଳ୍ପୀ ସମ୍ବଲପୁର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଛନ୍ତି
‘‘ଛୁଆ ସ୍କୁଲ୍ ଥି ଉଟକି ଉଟକି ନାଚଲେ ତାଲି ମାର୍ସୁଁ ଆଉ ସେହି ଛୁଆ ବଡ଼ ହେଇ କରି ଡାନ୍ସର ହେମି କହେଲେ ଗାଲି ଦେସୁଁ (ପ୍ରତ୍ୟେକ ବାପା ମା’ ସ୍କୁଲ ମଞ୍ଚରେ ସେମାନଙ୍କ ପିଲାଙ୍କ ନାଚ ଦେଖି ପ୍ରଶଂସା କରିଥାନ୍ତି, କିନ୍ତୁ ସେହି ପିଲା ବଡ଼ ହୋଇ ପେସାଦାର ନୃତ୍ୟଶିଳ୍ପୀ ହେବାକୁ ଚାହିଁଲେ ତାଙ୍କୁ ଗାଳି ଦିଅନ୍ତି), ’’ ସେ କୁହନ୍ତି ।
ପ୍ରଥମେ ପ୍ରଥମେ ତାଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ‘‘ମୋ ପାଇଁ ନାଚ ଭଲ ନୁହେଁ ଏବଂ କେହି ମୋତେ ବାହା ହେବେ ନାହିଁ ବୋଲି ମୋ ପଡ଼ୋଶୀମାନେ ମୋର ପରିବାର ଲୋକଙ୍କୁ କହିଥିଲେ।’’
କିନ୍ତୁ, ସଂଘର୍ଷ ସମୟରେ ଆଶାବାଦୀ ରହିବା ଲାଗି ନାଚ ତାଙ୍କୁ ବାରମ୍ବାର ମନେ ପକାଇ ଦେଉଥିଲା ବୋଲି ଟିକି କୁହନ୍ତି । ‘‘ମୋ ଜୀବନର ଉତ୍ଥାନପତନ ସମୟରେ ମୁଁ କେବଳ ନାଚକୁ ହିଁ ଉପଭୋଗ କରିପାରୁଥିଲି ଏବଂ ଦୁନିଆକୁ ସାମ୍ନା କରିବା ଲାଗି ଏହା ମୋତେ ବିଶ୍ୱାସ ଦେଇଥିଲା।’’
ଅନୁବାଦ : ଓଡ଼ିଶାଲାଇଭ୍