ଯେତେବେଳେ ଆମେ ତାଙ୍କୁ ଭେଟିଥିଲୁ, ତାଙ୍କୁ ୧୦୪ ବର୍ଷ ହୋଇଥିଲା, ନିଜ କୋଠରୀରୁ ବାହାରିଥିଲେ, ନିଜ ବାଡ଼ିରେ ଭରା ଦେବା ବ୍ୟତୀତ ଭବାନୀ ମାହାତୋ ନା କାହାଠାରୁ ସାହାଯ୍ୟ ଲୋଡ଼ିଥିଲେ କିମ୍ବା କାହାଠାରୁ ସାହାଯ୍ୟ ଗ୍ରହଣ କରିଥିଲେ । ଏପରିକି ସେହି ବୟସରେ ନିଜ ଦମ୍ ରେ ଚାଲୁଥିଲେ, ଛିଡ଼ା ହେଉଥିଲେ ଓ ବସୁଥିଲେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଚେପୁଆ ଗାଁରେ ତାଙ୍କର ବିଶାଳ ଯୌଥ ପରିବାର ଏହି କୃଷକ ଓ ଗୃହିଣୀଙ୍କ ଉପରେ ନିର୍ଭରଶୀଳ ଥିଲେ, ଯିଏ ସେମାନଙ୍କ ଜୀବନ ଓ ଭବିଷ୍ୟତର କେନ୍ଦ୍ରବିନ୍ଦୁ ଥିଲେ ।
ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଶୋଇଥିବା ବେଳେ ପରମଶାନ୍ତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ, ମୋ ପୁସ୍ତକ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜରସ୍ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍ (ପେଙ୍ଗୁଇନ୍ ନଭେମ୍ବର ୨୦୨୨)ରେ ଥିବା ୧୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ମାତ୍ର ଚାରିଜଣ ଜୀବିତ ଅଛନ୍ତି । ଗୋଟିଏ ଅର୍ଥରେ, ଭବାନୀ ଅନେକ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ବି ବ୍ୟତିକ୍ରମ ଥିଲେ, ଯାହାଙ୍କ ସାକ୍ଷାତକାର ‘ପରୀ’ର ପ୍ରିଡମ ଫାଇଟରସ୍ ଗ୍ୟାଲେରୀରେ ସ୍ଥାନିତ ହୋଇଥିଲା । ସେ ହିଁ ଏକମାତ୍ର ଥିଲେ, ଯିଏ କି ଆମ ସହ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ ବେଳେ ସେହି ମହାସଂଗ୍ରାମରେ ତାଙ୍କର କିଛି ଭୂମିକା ଥିଲା ବୋଲି ଅସ୍ୱୀକାର କରିଥିଲେ । “ମୋର ସେଥିରେ କିମ୍ବା ସେହିଭଳି କିଛି ଘଟଣାରେ କୌଣସି ଭୂମିକା ଅଛି କି?” ୨୦୨୨ ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମେ ଭେଟିବା ବେଳେ ପ୍ରଶ୍ନ କରିଥିଲେ ।
୧୯୪୦ ଦଶକରେ ଗ୍ରେଟ ବେଙ୍ଗଲ ଫ୍ୟାମିନି (ଦୁର୍ଭିକ୍ଷ) ବେଳେ ଅତି କଠିନ ଥିଲା ତାଙ୍କ ଜୀବନ ଯାତ୍ରା । ଏହି ସମୟରେ ତାଙ୍କୁ ଯେପରି କଷ୍ଟ କରିବାକୁ ପଡ଼ିଥିଲା, ତାହା କଳ୍ପନାତୀତ
ବାସ୍ତବରେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅନେକ ଯୋଗଦାନ ରହିଛି, ଏପରିକି ତାଙ୍କର ସ୍ୱାମୀ, ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ମାହାତୋଙ୍କଠାରୁ ଅଧିକ । ମନ ବଜାର ବ୍ଲକସ୍ଥିତ ତାଙ୍କ ଘରକୁ ଆମେ ଯିବାର ୨୦ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା । ଯେତେବେଳେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ ବୋଲି ଦୃଢ଼ ଭାବରେ କହିଥିଲେ, ସେତେବେଳେ ମୋର ସହକର୍ମୀ ସ୍ମିତା ଖଟୋର ଓ ମୁଁ ନିରାଶ ହୋଇଥିଲୁ । ଏହାର କାରଣ ଜାଣିବାକୁ ଆମକୁ ଘଣ୍ଟା ଘଣ୍ଟା ସମୟ ଲାଗିଲା ।
୧୯୮୦ ମସିହାରେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ‘ସ୍ୱାଧୀନତା ସଂଗ୍ରାମୀ’ର ପରିଭାଷାକୁ ସେ ସମ୍ମାନ ଜଣାଉଥିଲେ । ଏକ ପରିଭାଷା ଯାହା ଉପନିବେଶବାଦ ବିରୋଧୀ ସଂଘର୍ଷରେ ମହିଳା ଓ ସେମାନଙ୍କ କାର୍ଯ୍ୟକୁ ବାଦ ଦେଉଥିଲା । ଯାହା ମୁଖ୍ୟତଃ ଜେଲ ସମୟକୁ ନେଇ କେନ୍ଦ୍ରିତ ହୋଇଥିଲା – ଯେଉଁଥିପାଇଁ ବହୁ ସଂଖ୍ୟାରେ ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀ ଏଥିରୁ ବଞ୍ଚିତ ହୋଇଥିଲେ । ସବୁଠୁ ବିଡ଼ମ୍ବନାର କଥା ହେଉଛି, ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀଙ୍କୁ ଅପରାଧୀ ଘୋଷଣା କରାଯାଇଥିବାରୁ ସେମାନଙ୍କୁ ପ୍ରମାଣ ମଗାଯାଉଥିଲା – ବ୍ରିଟିଶ ସରକାରଙ୍କଠାରୁ ଭାରତର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କର ପ୍ରମାଣପତ୍ର ଖୋଜା ଯାଉଥିଲା ।
ଯେତେବେଳେ ଆମେ ଏହାକୁ ଭିନ୍ନ ଭାବେ ଦେଖି ଭିନ୍ନ ଭାବେ ଚର୍ଚ୍ଚା କଲୁ, ଭବାନୀଙ୍କ ବଳିଦାନର ମହାନତା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ସେ ପୁରୁଲିଆ ଜଙ୍ଗଲରେ ଲୁଚି ଛପି ରହିଥିବା ପଳାତକ ବିପ୍ଳବୀମାନଙ୍କୁ ଖାଇବାକୁ ଦେବାର ବିପଦପୂର୍ଣ୍ଣ କାର୍ଯ୍ୟ କରିଥିଲେ । ପ୍ରାୟତଃ ୨୦ କିମ୍ବା ଅଧିକ ଲୋକଙ୍କ ପାଇଁ ଖାଦ୍ୟ ବନାଇବା ଓ ଖୁଆଇବା – ଏହା ବ୍ୟତୀତ ଏକ ସମୟରେ ୨୫ରୁ ଅଧିକ ଲୋକଙ୍କ ପରିବାର ପାଇଁ ଏହି କାର୍ଯ୍ୟ କରିବା । ଆହୁରି ମଧ୍ୟ ୧୯୪୨-୪୩ରେ ବଙ୍ଗଳାରେ ଅକାଳ ଚରମରେ ପହଁଚିଥିବା ବେଳେ ଖାଦ୍ୟ ଯୋଗାଡ଼ କରିବା । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଏପରି ବିପଦରେ ପରିପୂର୍ଣ୍ଣ ଅବଦାନ ଅବିଶ୍ୱସନୀୟ ।
ଆମେ ଆପଣଙ୍କ ଯାଦୁ ମନେ ରଖିବୁ ଭବାନୀ ଦି’



ଭବାନୀଙ୍କ ବୟସ ୧୦୧ରୁ ୧୦୪ ମଧ୍ୟରେ ହୋଇଥିଲା, ଯେତେବେଳେ ପି ସାଇନାଥ ତାଙ୍କୁ ୨୦୨୨ରେ ଭେଟିଥିଲେ । ତାଙ୍କ ପୁଅ ଶ୍ୟାମ ସୁନ୍ଦର ମାହାତୋଙ୍କ ସହ ଯିଏକି ୭୦ ଦଶକରେ (ବାମ)

୧୯୮୦ ଦଶକରେ ତାଙ୍କ ସ୍ୱାମୀ ବୈଦ୍ୟନାଥ ଓ ଭଉଣୀ ଉର୍ମିଳାଙ୍କ ସହ ଭବାନୀ ମାହାତୋ (କେନ୍ଦ୍ର)। ପୂର୍ବ ସମୟର ପାରିବାରିକ ଫଟୋ ନାହିଁ

ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ରେ ଭୋଟ ଦେଇଥିଲେ

ପରିବାରର ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ଭବାନୀ (ତଳ ଡାହାଣ) ନାତି ପାର୍ଥ ସାରଥୀ ମାହାତୋ ମଧ୍ୟ ଅଛନ୍ତି । ଫଟୋ ଉଠାଇବା ବେଳେ ପରିବାର କିଛି ସଦସ୍ୟ ଉପସ୍ଥିତ ନଥିଲେ
ଅନୁବାଦ : ଓଡ଼ିଶାଲାଇଭ୍