ଚଳିତ ବର୍ଷ ୨୦୨୪ ପରୀ ଲାଇବ୍ରେରୀ ପାଇଁ ଏକ ମାଇଲଖୁଣ୍ଟ ଥିଲା - ଆମେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଉତ୍ସ ପ୍ରସ୍ତୁତ ଏବଂ ଅଭିଲେଖ କରିଥିଲୁ। ଏଥିରେ ସାମିଲ ରହିଛି ଆଇନ ଓ ଅଧିନିୟମ, ପୁସ୍ତକ, ସମ୍ମିଳନୀ, ପ୍ରବନ୍ଧ, ସଂକଳନ, ଶବ୍ଦକୋଷ, ସରକାରୀ ରିପୋର୍ଟ, ପ୍ରଚାରପୁସ୍ତିକା, ସର୍ବେକ୍ଷଣ ଏବଂ ନିବନ୍ଧ।
ଇତିମଧ୍ୟରେ, ଆହୁରି ଅନେକ ଗମ୍ଭୀର ରେକର୍ଡ ମଧ୍ୟ ଚଳିତ ବର୍ଷ ଭାଙ୍ଗିଛି- ୨୦୨୪ ରେକର୍ଡ ଦୃଷ୍ଟିରୁ ସବୁଠୁ ଉଷ୍ମ ବର୍ଷ ଥିଲା ଯାହାକି ଅନ୍ୟ ଏକ ରେକର୍ଡ ବର୍ଷ ୨୦୨୩କୁ ମଧ୍ୟ ପଛରେ ପକାଇ ଦେବ। ଜଳବାୟୁ ପରିବର୍ତ୍ତନ ପ୍ରବାସୀ ପ୍ରଜାତିଙ୍କୁ ପ୍ରଭାବିତ କରିଛି, ପ୍ରତି ପାଞ୍ଚଟି ମଧ୍ୟରୁ ଗୋଟିଏ ପ୍ରଜାତି ଏବେ ବିଲୁପ୍ତ ହେବାର ବିପଦରେ ପଡ଼ିଯାଇଛନ୍ତି। ଆହୁରି ଭାରତର ସବୁ ଆର୍ଦ୍ରଭୂମି , ସମସ୍ତ ସ୍ପାଙ୍ଗ, ଝୀଲ୍, ସରୋବର, ତାଲାବ୍, ତାଲ୍, କୋଲା, ବିଲ୍ ଏବଂ ଚେରୁଭୁ ମଧ୍ୟ ବିପଦରେ ପଡ଼ିଛନ୍ତି।
ପ୍ରଦୂଷଣ ଏବଂ ଗରମ ମଧ୍ୟରେ ରହିଥିବା ସମ୍ପର୍କ ଏବଂ ବିଶେଷ କରି ଦକ୍ଷିଣ ଏସିଆରେ ଅତି ଖରାପ ସ୍ଥିତିରେ ଥିବା ପର୍ଟିକୁଲେଟ୍ ମ୍ୟାଟର୍ କାରଣରୁ ହେଉଥିବା ବାୟୁ ପ୍ରଦୂଷଣ ଉପରେ ମଧ୍ୟ ଖୁବ୍ ଭଲ ଭାବେ ଲେଖାଯାଇଛି । ଭାରତରେ ପ୍ରତି ଘନ ମିଟର ପିଛା ଘନତ୍ୱ ୫୪.୪ ମାଇକ୍ରୋଗ୍ରାମ ରହିଛି, ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ସୀମାଠାରୁ ୧୧ ଗୁଣ ଅଧିକ। ନୂଆଦିଲ୍ଲୀ, ଯେଉଁଠାରେ ଘନତ୍ୱ ପ୍ରତି କ୍ୟୁବିକ୍ ମିଟରରେ ୧୦୨.୧ ମାଇକ୍ରୋଗ୍ରାମ ପାଖାପାଖି ରହିଥିଲା, ତାହା ଆହୁରି ଖରାପ ପ୍ରଦର୍ଶନ କରିଥିଲା, ଏହା ଏକ ରାଇଡ୍-ସୋର୍ସିଂ ସେବା ପାଇଁ ଜଣେ ଗିଗ୍ କର୍ମଚାରୀଙ୍କ ଅଭିଜ୍ଞତା ବିଷୟରେ ଏକ ହାସ୍ୟକାହାଣୀକୁ ପ୍ରେରିତ କରିଥିଲା।

କ୍ରମାଗତ ଦୁଇ ବର୍ଷ ଧରି ତାପମାତ୍ରା ରେକର୍ଡ ଭାଙ୍ଗିବା ସହିତ, ପ୍ୟାରିସ୍ ରାଜିନାମା ଉଲ୍ଲଙ୍ଘନ ହେବାର ବହୁତ ନିକଟତର ହେବାକୁ ଯାଉଛି। କିନ୍ତୁ କେବଳ ପ୍ରାକୃତିକ ପରିବେଶରେ ତାପମାତ୍ରା ବୃଦ୍ଧି ହୋଇନଥିଲା। ଦେଶର ଅଷ୍ଟାଦଶ ଲୋକସଭା ଗଠନ ପାଇଁ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଦେଶର ରାଜନୈତିକ ବାତାବରଣ ମଧ୍ୟ ନିଜସ୍ୱ ଉଷ୍ମତା ଦେଇ ଗତି କରିଥିଲା।
୨୦୧୮ ମସିହାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରବର୍ତ୍ତିତ ନିର୍ବାଚନୀ ବଣ୍ଡକୁ ୧୫ ଫେବୃଆରୀ, ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଏକ ମାସ ପରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ନିର୍ବାଚନ ଆୟୋଗ ଏହି ବଣ୍ଡଗୁଡ଼ିକର କ୍ରୟ ଏବଂ ନଗଦକରଣ ବିଷୟରେ ବିସ୍ତୃତ ବିବରଣୀ ପ୍ରକାଶ କରିଥିଲା।
ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଦାନ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ୍ ସର୍ଭିସେସ୍ (ପିଆର ଆଣ୍ଡ ପ୍ରାଇଭେଟ୍ ଲିମିଟେଡ୍), ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର୍ ଲିମିଟେଡ୍ ଏବଂ କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ଅଗ୍ରଣୀ ଥିଲେ। ପ୍ରାପ୍ତକାରୀଙ୍କ ମଧ୍ୟରେ , ଏହାର ସର୍ବାଧିକ ଲାଭ ଭାରତୀୟ ଜନତା ପାର୍ଟି (୬,୦୬୦ କୋଟି ଟଙ୍କା), ସର୍ବଭାରତୀୟ ତୃଣମୂଳ କଂଗ୍ରେସ (୧,୬୦୯ କୋଟି ଟଙ୍କା) ଏବଂ ଭାରତୀୟ ଜାତୀୟ କଂଗ୍ରେସ (୧,୪୨୨ କୋଟି ଟଙ୍କା) କୁ ମିଳିଥିଲା।

୧୯୨୨ରୁ ୨୦୨୨ ମଧ୍ୟରେ ଭାରତରେ ସମ୍ପତ୍ତି ବିତରଣର ଏକ ତୁଳନା କଲେ ଜଣାପଡ଼ିଥାଏ ଯେ ଭାରତର ସବୁଠୁ ଧନୀ ଏକ ପ୍ରତିଶତ ଲୋକଙ୍କ ପାଖରେ ୧୯୨୨ର ତୁଳନାରେ ୨୦୨୨ରେ ମୋଟ୍ ଜାତୀୟ ଆୟର ଅଧିକ ଭାଗ ରହିଥିଲା। ୨୦୨୨ରେ ଜାତୀୟ ଆୟର ପ୍ରାୟ ୬୦ ପ୍ରତିଶତ ଦେଶର ସବୁଠାରୁ ଧନୀ ୧୦ ପ୍ରତିଶତଙ୍କ ପାଖକୁ ଯାଇଥିଲା।
ଏହାର ବିପରୀତ, ଗ୍ରାମୀଣ ଭାରତର ଜଣେ ସାଧାରଣ ବ୍ୟକ୍ତି ସାମଗ୍ରୀ ଓ ସେବା ଉପରେ ମାସିକ ମାତ୍ର ୩,୭୭୩ ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି ପାରିବାରିକ ଉପଭୋଗ ବ୍ୟୟ ସର୍ବେକ୍ଷଣ ୨୦୨୨-୨୩ରୁ ଜଣାପଡ଼ିଥାଏ। ଆହୁରି ୨୦୧୯ରୁ ୨୦୨୨ ମଧ୍ୟରେ ଶ୍ରମିକମାନଙ୍କ ହାରାହାରି ପ୍ରକୃତ ଆୟରେ କୌଣସି ଉନ୍ନତି ଦେଖିବାକୁ ମିଳିନାହିଁ।
‘‘ଭାରତକୁ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା’’ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ୨୦୨୪ରେ ଦଶମ ବର୍ଷରେ ପ୍ରବେଶ କରିଛି। ବିଡ଼ମ୍ବନାର ବିଷୟ ହେଉଛି, ୨୦୨୪ରେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ଇଣ୍ଟରନେଟ ସେବା ବନ୍ଦରେ ଆମେ ସାରା ବିଶ୍ୱରେ ପ୍ରଥମ ସ୍ଥାନରେ ରହିଥିଲୁ।

ଲିଙ୍ଗଗତ ଅନ୍ୟାୟ ଏବଂ ଅସମାନତା କ୍ଷେତ୍ରରେ ମଧ୍ୟ ଭାରତରେ କୌଣସି ସୁଧାର ଦେଖିବାକୁ ମିଳିନଥିଲା। ବିଶ୍ୱ ଲିଙ୍ଗ ପାର୍ଥକ୍ୟ ରିପୋର୍ଟରେ ଦେଶ ୧୨୯ତମ ସ୍ଥାନରେ ରହିଥିଲା ଯାହାକି ପୂର୍ବ ବର୍ଷ ତୁଳନାରେ କମ୍ (ଆହୁରି ଖରାପ) ଥିଲା। ଏହା ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ଭାରତୀୟ ମହିଳାମାନଙ୍କର ଖରାପ ସ୍ଥିତିକୁ ଚିହ୍ନିତ କରିଥାଏ। ଆମେ ଏସଡିଜି ଲିଙ୍ଗ ସୂଚକାଙ୍କରେ ମଧ୍ୟ ଖରାପ ପ୍ରଦର୍ଶନ କରିଛୁ, ଲିଙ୍ଗଗତ ସମାନତାରେ ୧୩୯ଟି ଦେଶ ମଧ୍ୟରୁ ୯୧ତମ ସ୍ଥାନରେ ରହିଛୁ।
ଲିଙ୍ଗଗତ ବିଷୟରେ ଆଲୋଚନା କଲେ, ୧୩୫ ଜଣ ପଦାସୀନ ବିଧାନସଭା ସଦସ୍ୟଙ୍କ ବିରୋଧରେ ମହିଳାଙ୍କ ବିରୋଧୀ ଅପରାଧ ଅଭିଯୋଗ ରହିଛି । ମହିଳାଙ୍କ ସମ୍ମାନ ହାନି, ବିବାହ ଉଦ୍ଦେଶ୍ୟରେ ଅପହରଣ, ବଳାତ୍କାର, ବାରମ୍ବାର ବଳାତ୍କାର, ଘରୋଇ ହିଂସା, ବେଶ୍ୟାବୃତ୍ତି ପାଇଁ ନାବାଳିକା କ୍ରୟ ଏବଂ ମହିଳାଙ୍କୁ ଦୁର୍ବ୍ୟବହାର ଭଳି ଗମ୍ଭୀର ଅଭିଯୋଗ ସେମାନଙ୍କ ବିରୋଧରେ ରହିଛି।
ଆଇନ ଉପରେ ନିଜର ଜ୍ଞାନ ହାସଲ କରିବା ଲାଗି ସମୟର କୌଣସି ପ୍ରତିବନ୍ଧକ ନଥାଏ। ଏହି କ୍ଷେତ୍ରରେ ଲୋକମାନଙ୍କ ସହାୟତା କରିବା ଲାଗି ଜଷ୍ଟିସ୍ ଆଡ୍ଡା ଦ୍ୱାରା ଚଳିତ ବର୍ଷ ଏକ ଟୁଲ୍କିଟ୍ ଲ’ ଆଣ୍ଡ ଏଭ୍ରିଡେ ଲାଇଫ୍ ଶୀର୍ଷକ ଟୁଲକିଟ୍ ପ୍ରକାଶ ପାଇଛି।

ଏହାବ୍ୟତୀତ, ଆମେ ସମ୍ପୂର୍ଣ୍ଣ ସାରାଂଶ ଏବଂ ମୁଖ୍ୟାଂଶ ସହିତ ସ୍ୱାସ୍ଥ୍ୟ, ଭାଷା, ଲିଙ୍ଗ, ସାହିତ୍ୟ ଓ ଅନ୍ୟାନ୍ୟ ବିଷୟ ଉପରେ ଅନେକ ସମ୍ବଳର ଅଭିଲେଖ ପ୍ରସ୍ତୁତ କରିଛୁ। ଆମେ ମଧ୍ୟ ଆମର ଲାଇବ୍ରେରୀ ବୁଲେଟିନ୍ ପ୍ରୋଜେକ୍ଟ ଏଥର ଯୋଡ଼ିଛୁ ଯେଉଁଥିରେ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ପରୀ କାହାଣୀ ଓ ସମ୍ବଳଗୁଡ଼ିକର ରାଉଣ୍ଡଅପ୍ ରହିଛି। ଆସନ୍ତା ବର୍ଷ ଏହି ଲୋକମାନଙ୍କର ପାଠାଗାରକୁ ସମୃଦ୍ଧ କରୁଥିବା ଆମ ଅଧ୍ୟୟନର ପରିସରକୁ ବିସ୍ତାର କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ।

ପରୀ ଲାଇବ୍ରେରୀରେ ସ୍ୱେଚ୍ଛାକୃତ ଯୋଗ ଦାନ ପାଇଁ contact@ruralindiaonline.org ଲେଖନ୍ତୁ
ଯଦି ଆମ କାର୍ଯ୍ୟକୁ ନେଇ ଆପଣ ଆଗ୍ରହୀ ଏବଂ ଆପଣ ପରୀରେ ଯୋଗଦାନ ଦେବାକୁ ଚାହୁଁଥା’ନ୍ତି ତା’ହେଲେ ଦୟାକରି ଆମକୁ @ruralindiaonline.orgରେ ଯୋଗାଯୋଗ କରନ୍ତୁ। ଆମେ ମୁକ୍ତବୃତ୍ତି ଓ ନିରପେକ୍ଷ ଲେଖକ, ରିପୋର୍ଟର, ଫଟୋଗ୍ରାଫର ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସମ୍ପାଦକ, ଚିତ୍ରକର ଏବଂ ଗବେଷକମାନଙ୍କୁ ଆମ ସହିତ କାମ କରିବା ଲାଗି ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ।
ପ୍ରଚ୍ଛଦ ଡିଜାଇନ: ସ୍ୱଦେଶା ଶର୍ମା
ଅନୁବାଦ: ଓଡ଼ିଶାଲାଇଭ୍