‘ ନର୍କ ହୈ ୟେ (ଏଇଟା ନର୍କ) ।’
କଶ୍ମୀରା ବାଇ କହୁଛନ୍ତି ବୁଡ୍ଡା ନାଲା ର କଥା, ତାଙ୍କ ଘର ପାଖରୁ ଠିକ୍ ଶହେ ମିଟର ଦୂରରେ, ତାଙ୍କ ଗାଁ ଦେଇ ବହି ଯାଇ ସତଲେଜ ନଦୀରେ ମିଶିଥିବା ଏକ ଜଳାଧାର, ଯାହା କି ଏବେ ଶିଳ୍ପ ସଂସ୍ଥାରୁ ନିର୍ଗତ ଆବର୍ଜନା ଯୋଗୁଁ ପ୍ରଦୂଷିତ ।
ବୟସର ଚାଳିଶ ଦଶକର ଶେଷ ଭାଗରେ ଉପନୀତ କଶ୍ମୀରା ବାଇଙ୍କର ମନେ ଅଛି ସେ ସମୟର କଥା, ଯେଉଁ ସମୟରେ ସଂପୂର୍ଣ୍ଣ ପରିଷ୍କାର ଏହି ନଦୀ ଉପରେ ଲୋକେ ପିଇବା ପାଣି ପାଇଁ ନିର୍ଭର କରୁଥିଲେ । ଲୁଧିଆନାର କୁମକଲାନ ଗାଁରୁ ବାହାରିଥିବା ବୁଡ୍ଡା ନାଲା , ଲୁଧିଆନା ଭିତରେ ୧୪ କିଲୋମିଟର ବହିଯାଇ କଶ୍ମୀରାଙ୍କ ଗାଁ ବଲିପୁର କଲାନ ପାଖରେ ସତଲେଜ ନଦୀରେ ମିଶିଛି ।
“ ଅସିଁ ତାଁ ନର୍କ ବିଚ୍ ବୈଠେ ହାଁ (ଆମେ ନର୍କରେ ବସିଛୁ) । ଯେତେବେଳେ ବନ୍ୟା ଆସେ, ଆମମାନଙ୍କ ଘର ଭିତରେ ମଇଳା କଳା ପାଣି ପଶିଯାଏ,” ସେ କହନ୍ତି । “ଯଦି ବାସନରେ ରଖାଯାଏ, ତେବେ ରାତିକ ଭିତରେ ପାଣି ହଳଦିଆ ହୋଇଯାଏ,” କଥା ଯୋଡ଼ନ୍ତି ସେ ।


ବାମ: ଲୁଧିଆନାର କୁମ କଲାନ ଗାଁରୁ ବାହାରିଥିବା ବୁଡ୍ଡା ନାଲା ଲୁଧିଆନା ଭିତରେ ୧୪ କିଲୋମିଟର ବହିଯିବା ପରେ ବଲିପୁର କଲାନ ଗାଁ ପାଖରେ ସତଲେଜ ନଦୀ ସହିତ ମିଶିଛି । ଡାହାଣ: ‘ଯେତେବେଳେ ବନ୍ୟା ଆସେ, ଏହି ମଇଳା କଳା ପାଣି ଆମମାନଙ୍କ ଘରେ ପଶିଯାଏ.’ ବଲିପୁର କଲାନ ଗାଁର କଶ୍ମୀରା ବାଇ କହନ୍ତି
ପ୍ରଦୂଷିତ ପାଣି ଯୋଗୁଁ ପ୍ରଭାବିତ ଲୋକଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରିବା ଲାଗି ୨୦୨୪ ଅଗଷ୍ଟ ୨୪ ତାରିଖରେ ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନର ଶହ ଶହ ଲୋକ ଲୁଧିଆନାରେ ଏକତ୍ର ହୋଇଥିଲେ । ‘ କାଲେ ପାନି ଦା ମୋର୍ଚ୍ଚା ’ (ଜଳ ପ୍ରଦୂଷଣ ବିରୋଧରେ ପ୍ରତିବାଦ) ଶୀର୍ଷକ ପ୍ରତିବାଦରେ ସାମିଲ ହୋଇଥିଲେ ସତଲେଜ ନଦୀ ସଂଲଗ୍ନ ବିଭିନ୍ନ ଅଞ୍ଚଳର ପ୍ରଭାବିତ ଲୋକେ ।
‘ବୁଡ୍ଡା ଦରିୟା (ନଦୀ) ବଞ୍ଚାଅ! ସତଲେଜ ବଞ୍ଚାଅ ।’
ବୁଡ୍ଡା ନାଲା ର ପ୍ରଦୂଷଣ ପ୍ରତିବାଦରେ ସ୍ୱର ଉତ୍ତୋଳନ ନୂଆ କଥା ନୁହେଁ କି ଏହାକୁ ପରିଷ୍କାର କରିବା ଲାଗି ପ୍ରକଳ୍ପ ବି ନୂଆ ନୁହେଁ । ଅନ୍ୟୂନ ତିନି ଦଶନ୍ଧି ଧରି ଏହା ଚାଲି ଆସିଛି, ହେଲେ ଫଳ କିଛି ମିଳିନାହିଁ । ସତଲେଜ ନଦୀ ସଫା କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଯୋଜନା ନାମକ ପ୍ରଥମ ପ୍ରକଳ୍ପ ଆରମ୍ଭ ହୋଇଥିଲା ୧୯୯୬ରେ; ସେତେବେଳେ ଜମାଲପୁର, ଭଟ୍ଟିଆଁ ଏବଂ ବଲ୍ଲୋକେ ଗାଁରେ ତିନିଟି ନର୍ଦ୍ଦମା ପାଣି ଶୋଧନ ସଂଯନ୍ତ୍ର ବା ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ସ୍ଥାପନ କରାଯାଇଥିଲା
ବୁଡ୍ଡା ନାଲା ର ପୁନରୁଦ୍ଧାର ନିମନ୍ତେ ୨୦୨୦ରେ ପଞ୍ଜାବ ସରକାର ୬୫୦ କୋଟି ଟଙ୍କାର ଏକ ଦୁଇ ବର୍ଷିଆ ପ୍ରକଳ୍ପ ଆରମ୍ଭ କରିଥିଲେ । ପ୍ରଦୂଷଣ ଲାଗି ପୂର୍ବତନ ସରକାର ଉପରେ ଦୋଷାରୋପ କରିବା ସହିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ବୁଡ୍ଡା ନାଲା କୁ ନବଜୀବନ ପ୍ରଦାନ ଲାଗି ଜମାଲପୁରରେ ଏକ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମେତ ମୋଟ ୩୧୫ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପକୁ ଉଦଘାଟନ କରିଥିଲେ ।
ପରସ୍ପର ଉପରେ ଦୋଷାରୋପର ଏହି ଧାରା ଅବ୍ୟାହତ ରହିଥିବା ବେଳେ, କଶ୍ମୀରା ବାଇ କହନ୍ତି ଯେ, ନା ସରକାର ନା କୌଣସି ରାଜନୈତିକ ଦଳ, ଏ ସମସ୍ୟାର ସମାଧାନ ଦିଗରେ କେହି କିଛି ହେଲେ କରିନାହାନ୍ତି । ବାରମ୍ବାର ଲୁଧିଆନାର ସାମାଜିକ କର୍ମୀମାନେ ଏହି ସମସ୍ୟାକୁ ପଞ୍ଜାବ ସରକାରଙ୍କ ପାଖରେ ଉପସ୍ଥାପନ କରିଆସିଛନ୍ତି, କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ନାଲା ଯେମିତି ପ୍ରଦୂଷିତ ଥିଲା, ସେମିତି ରହିଛି ଏବଂ ଥରକୁ ଥର ରାସ୍ତାକୁ ଆସି ପ୍ରତିବାଦ କରିବା ଲାଗି ଲୋକେ ବାଧ୍ୟ ହୋଇଛନ୍ତି ।
ଆନ୍ଦୋଳନରେ ଯୋଗ ଦେବା ଲାଗି ସୁଦୂର ମାନସା ଜିଲ୍ଲାର ଅହମଦପୁରରୁ ଆସିଛନ୍ତି ୬୦ ବର୍ଷୀୟା ମଲକୀତ କୌର । “ପ୍ରଦୂଷିତ ପାଣି, ଶିଳ୍ପ ସଂସ୍ଥାରୁ ନିର୍ଗତ ଆବର୍ଜନା ଯୋଗୁଁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ । ଜଳ ହେଉଛି ଜୀବନର ମୌଳିକ ଆବଶ୍ୟକତା, ଏବଂ ଆମ ପାଖରେ ପରିଷ୍କାର ପାଣି ପାଇବାର ଉପାୟ ରହିବା ଉଚିତ,” ସେ କହିଲେ ।


ବାମ: ୨୦୨୪ ଅଗଷ୍ଟ ୨୪ ତାରିଖ ଦିନ ଆୟୋଜିତ ହୋଇଥିଲା କାଲେ ପାନି ଦା ମୋର୍ଚ୍ଚା (ଜଳ ପ୍ରଦୂଷଣ ବିରୋଧରେ ପ୍ରତିବାଦ)। ବୁଡ୍ଡା ନାଲା ହେଉଛି ଲୁଧିଆନା ଦେଇ ପ୍ରବାହିତ ଏକ ଋତୁକାଳୀନ ଜଳଧାରା ଯାହା ସତଲେଜ ନଦୀରେ ମିଶିଛି । ଡାହାଣ: ରାଜସ୍ଥାନରୁ ଆସିଥିବା ସାମାଜିକ କର୍ମୀମାନେ ମଧ୍ୟ ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ


ବାମ: ଜଣେ ସାମାଜିକ କର୍ମୀ ଧରିଥିବା ପୋଷ୍ଟରରେ ଲେଖା ହୋଇଛି ‘ନଲ ହୈ ଲେକିନ୍ ଜଲ ନେହିଁ’ (ଆମର ପାଇପ ଅଛି କିନ୍ତୁ ପାଣି ନାହିଁ)। ଡାହାଣ: ମାନସା ଜିଲ୍ଲା ଅହମଦପୁରରୁ ଆନ୍ଦୋଳନରେ ଭାଗ ନେବା ପାଇଁ ଆସିଛନ୍ତି ମଲକୀତ କୌର (ବାମରୁ ଚତୁର୍ଥ) । ‘ପ୍ରଦୂଷିତ ପାଣି, ଶିଳ୍ପ ସଂସ୍ଥାରୁ ନିର୍ଗତ ଆବର୍ଜନା କାରଣରୁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ । ଜଳ ହେଉଛି ଜୀବନର ମୌଳିକ ଆବଶ୍ୟକତା, ଏବଂ ଆମ ପାଖରେ ପରିଷ୍କାର ପାଣି ପାଇବାର ଉପାୟ ରହିବା ଉଚିତ,’ ସେ କହନ୍ତି
କଶ୍ମୀରା ବାଇ କହନ୍ତି, ବଲିପୁର କଲାନ ଗାଁର ସବୁ ଲୋକ ଭୂତଳ ଜଳ ଉପରେ ନିର୍ଭର କରନ୍ତି- ୩୦୦ ଫୁଟ୍ ଖୋଳି ନଳକୂପ ବସାଇବାକୁ ପଡ଼େ ଏବଂ ଏଥିରେ ୩୫,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । କିନ୍ତୁ ସେଥିରୁ ବି ପରିଷ୍କାର ପାଣି ବାହାରିବା ନିଶ୍ଚିତ ନୁହେଁ ବୋଲି ସେ କହନ୍ତି । ଗାଁରେ ସଂପନ୍ନ ପରିବାରର ଲୋକଙ୍କ ଘରେ ପିଇବା ପାଣି ଲାଗି ଫିଲଟର ରହିଛି, ଏବଂ ସେଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଦରକାର ହୁଏ ।
ସେହି ଗାଁର ୫୦ ବର୍ଷୀୟା ବଲଜୀତ କୌରଙ୍କର ଗୋଟିଏ ପୁଅ ହେପାଟାଇଟିସ୍-ସି ରୋଗରେ ପ୍ରାଣ ହରାଇଥିଲେ । ଏହି ଗାଁ ଏବଂ ଆଖପାଖ ଗାଁରେ ଏହି ରୋଗରେ ପୀଡ଼ିତ ଅନେକ ରୋଗୀ ଅଛନ୍ତି ବୋଲି ଉଲ୍ଲେଖ କରି କୌର କହନ୍ତି, “ମୋର ଦୁଇ ଜଣ ଯାକ ପୁଅ ହେପାଟାଇଟିସ୍-ସି ରୋଗରେ ପୀଡ଼ିତ ହେଲେ ଏବଂ ଜଣେ ପ୍ରାଣ ହରାଇଲା ।”
“ଆମେ ଏଥିପାଇଁ ପ୍ରତିବାଦ କରୁଛୁ ଯେ, ଏବେ ଯଦି ଆମେ ଚେତିବୁ ନାହିଁ, ତେବେ ଆମ ପରବର୍ତ୍ତୀ ପିଢ଼ି ପାଖରେ ସମ୍ମାନଜନକ ଜୀବନଯାପନର ଅବସର ରହିବ ନାହିଁ,” ଭଟିଣ୍ଡାର ଗୋନିଆଣା ମଣ୍ଡିରୁ ଆସିଥିବା ୪୫ ବର୍ଷୀୟା ରାଜବିନ୍ଦର କୌର କହନ୍ତି । “ପରିବେଶ ପ୍ରଦୂଷଣ କାରଣରୁ ଏବେ ପ୍ରତିଟି ପରିବାରରେ ଜଣେ କ୍ୟାନସର ରୋଗୀ ଅଛନ୍ତି । ସତଲେଜ ନଈର ପାଣିକୁ ପ୍ରଦୂଷିତ କରୁଥିବା ଏହି ଫ୍ୟାକ୍ଟରୀଗୁଡ଼ିକ ବନ୍ଦ କରିଦେବା ଉଚିତ । ଏହି ଫ୍ୟାକ୍ଟରୀଗୁଡ଼ିକ ବନ୍ଦ ହେଲେ ହିଁ ଆମର ପରବର୍ତ୍ତୀ ପିଢ଼ି ସୁରକ୍ଷିତ ରହିପାରିବେ,” ସେ କହିଲେ ।
“ ୟେ ସାଡ଼ି ହୋଂଡ୍ ଦି ଲଡ଼ାଇ ହୈ (ଏହା ଆମର ଅସ୍ତିତ୍ୱ ପାଇଁ ଏକ ସଂଗ୍ରାମ),” ଲୁଧିଆନାରେ ଆୟୋଜିତ ‘କାଲେ ପାନି ଦା ମୋର୍ଚ୍ଚା’ରେ ଅଂଶଗ୍ରହଣ କରିବାକୁ ଆସିଥିବା ସାମାଜିକ କର୍ମୀ ବିବି ଜୀବନଜୋତ କୌର କହିଲେ । “ଆମର ଆଗାମୀ ପିଢ଼ିକୁ ସୁରକ୍ଷିତ କରିବା ଲାଗି ଏହା ଏକ ଲଢ଼େଇ ।”


ବାମ: ହେପାଟାଇଟିସ୍-ସି ରୋଗରେ ତାଙ୍କର ଜଣେ ପୁଅକୁ ହରାଇଛନ୍ତି ବଲଜୀତ କୌର । ଡାହାଣ: 'ଆମେ ଏଥିପାଇଁ ଆନ୍ଦୋଳନ କରୁଛୁ ଯେ, ଏବେ ଯଦି ଆମେ ଚେତିବୁ ନାହିଁ, ତେବେ ଆମର ଆଗାମୀ ପିଢ଼ି ପାଖରେ ସମ୍ମାନଜନକ ଜୀବନଯାପନର ଅବସର ରହିବ ନାହିଁ,' ଭଟିଣ୍ଡାର ଗୋନିଆଣା ମଣ୍ଡିରୁ ଆସିଥିବା ରାଜବିନ୍ଦର କୌର (ଗୋଲାପୀ ରଙ୍ଗର ଦୁପଟ୍ଟାରେ) କହିଲେ


ବାମ : ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ଧରିଥିବା ଗୋଟିଏ ବ୍ୟାନରରେ ଲେଖା ଥିଲା, ‘ ଆଓ ପଞ୍ଜାବ ଦି ଦରିୟାୱାଁ ଦି ଜହରି କାଲେ ପରଦୂଷଣ ନୁ ରୋକିୟେ’ ( ଆସନ୍ତୁ, ପଞ୍ଜାବର ନଦୀଗୁଡ଼ିକୁ ବିଷାକ୍ତ ପ୍ରଦୂଷଣରୁ ରକ୍ଷା କରିବା)। ଡାହାଣ : ଆନ୍ଦୋଳନସ୍ଥଳରେ କୃଷି ବିଶେଷଜ୍ଞ ଦେବୀନ୍ଦର ଶର୍ମା କହିଲେ, “ ୪୦ ବର୍ଷ ହେଲା ଏହି ଶିଳ୍ପ ସଂସ୍ଥା ସବୁ ଆମ ନଦୀଗୁଡ଼ିକୁ ପ୍ରଦୂଷିତ କରିଆସୁଛନ୍ତି ଏବଂ ଏଥିପାଇଁ କାହାରି କିଛି ଚିନ୍ତା ନଥିଲା ଭଳି ଲାଗୁଛି ’
ଏହି ଆନ୍ଦୋଳନର ପୁରୋଭାଗରେ ରହିଆସିଛନ୍ତି ସାମାଜିକ କର୍ମୀ ଅମନଦୀପ ସିଂହ ବୈଂସ । ସେ କହନ୍ତି, “ଏହି ସମସ୍ୟାର ମୂଳ କାରଣ ହେଲା ଏହାର ସମାଧାନ ଦିଗରେ କେହି ଚେଷ୍ଟା କରୁନାହାନ୍ତି । ସରକାର ଏହାକୁ ସଫା କରିବା ଲାଗି ପ୍ରକଳ୍ପ ଗଠନ କରୁଛନ୍ତି, କିନ୍ତୁ ମୂଳକଥା ହେଲା ଶିଳ୍ପ ସଂସ୍ଥାଗୁଡ଼ିକୁ ନଦୀରେ ଆବର୍ଜନା ଛାଡ଼ିବାକୁ ସେମାନେ ଅନୁମତି କାହିଁକି ଦେଉଛନ୍ତି ? ପ୍ରଦୂଷଣକାରୀ ପଦାର୍ଥ ଦରିୟା (ନଦୀ)ରେ ପ୍ରବେଶ କରିବା ଆଦୌ ଉଚିତ ନୁହେଁ । ”
ନିଜ କଥା ଆଗକୁ ବଢ଼ାଇ ଲୁଧିଆନାର ଏହି ଆଇନଜୀବୀ ଜଣକ କହନ୍ତି, “ଲୁଗାପଟା ରଙ୍ଗ କରୁଥିବା ଶିଳ୍ପ ସଂସ୍ଥା ବନ୍ଦ କରିଦେବା ଉଚିତ ।”
ଲୁଧିଆନାରେ ପାଖାପାଖି ୨,୦୦୦ଟି ଇଲେକ୍ଟ୍ରୋପ୍ଲେଟିଂ ଶିଳ୍ପ କେନ୍ଦ୍ର, ଏବଂ ୩୦୦ଟି କପଡ଼ା ରଙ୍ଗ କରୁଥିବା କେନ୍ଦ୍ର ରହିଛି । ବୁଡ୍ଡା ନାଲା ରେ ପ୍ରଦୂଷଣ ଲାଗି ଉଭୟ ପରସ୍ପର ଉପରେ ଦୋଷାରୋପ କରିଆସୁଛନ୍ତି । ଲୁଧିଆନାର ଜଣେ ଶିଳ୍ପପତି ବାଦିଶ ଜିନ୍ଦଲ ‘ପରୀ’କୁ କହିଲେ, “୨୦୧୪ର ପଞ୍ଜାବ ବିଷାକ୍ତ ଦ୍ରବ୍ୟ ରଖିବା ଏବଂ ବିକ୍ରି କରିବା ଆଇନ ଅନୁଯାୟୀ, ଯେ କୌଣସି ବିଷାକ୍ତ ରାସାୟନିକ ଦ୍ରବ୍ୟ କିଣାବିକା ସଂପର୍କିତ ରେକର୍ଡ ପ୍ରଶାସନ ରଖିବା କଥା । କିନ୍ତୁ ପ୍ରଶାସନ ପାଖରେ ସେଭଳି କୌଣସି ରେକର୍ଡ ନାହିଁ ।”
ସେ ଆହୁରି କହିଲେ ଯେ, ଶିଳ୍ପ ସଂସ୍ଥାଗୁଡ଼ିକ ‘ତରଳ ପଦାର୍ଥ ନିଷ୍କାସନ ଆଦୌ ନୁହେଁ’ ବା ଜିରୋ ଲିକୁଇଡ୍ ଡିସଚାର୍ଜ (ZLD) ଶୀର୍ଷକ ଏକପ୍ରକାର ଜଳ ଶୋଧନ ପ୍ରକ୍ରିୟା ଅନୁସରଣ କରିବା କଥା । “ଶୋଧିତ ହୋଇଥାଉ କି ନାହିଁ, ଶିଳ୍ପ ସଂସ୍ଥାରୁ ନିର୍ଗତ କୌଣସି ପ୍ରକାର ଆବର୍ଜନା ବୁଡ୍ଡା ନାଲା ଭିତରକୁ ଯିବା ଉଚିତ ନୁହେଁ,” ସେ କହିଲେ ।
ପ୍ରଦୂଷଣ କରୁଥିବା ଶିଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଆହ୍ୱାନ ଦେଇଥିଲେ କୃଷି ବିଶେଷଜ୍ଞ ଦେବୀନ୍ଦର ଶର୍ମା । ‘ପରୀ’ ସହ ବାର୍ତ୍ତାଳାପ କରି ସେ କହିଲେ, “ଏହି ଶିଳ୍ପ ସଂସ୍ଥା ସବୁ ୪୦ ବର୍ଷ ହେଲା ଆମ ନଦୀଗୁଡ଼ିକୁ ପ୍ରଦୂଷିତ କରିଆସୁଛନ୍ତି ଏବଂ କାହାରି କିଛି ଚିନ୍ତା ନଥିଲା ଭଳି ଲାଗୁଛି । ଏମିତିକା ମଇଳା ଶିଳ୍ପସଂସ୍ଥାକୁ ଆମେ କାହିଁକି ସ୍ୱାଗତ କରୁଛୁ ? କ’ଣ କେବଳ ପୁଞ୍ଜିନିବେଶ ସକାଶେ ? ସରକାର ପରିବେଶ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ କରିବା ଉଚିତ ।”


ବଲିପୁର କଲାନ ଗାଁର (ବାମରୁ ଡାହାଣକୁ) ନାରଙ୍ଗ ସିଂହ, ଦବିନ୍ଦର ସିଂହ, ଜଗଜୀବନ ସିଂହ, ବିଶାଖା ସିଂହ ଗ୍ରେୱାଲ, ପ୍ରଦୂଷିତ ପାଣି ଯୋଗୁଁ ପ୍ରଭାବିତ ଏହି ଗାଁ (ଡାହାଣ)


ଲୁଧିଆନାରେ ପାଖାପାଖି ୨,୦୦୦ଟି ଇଲେକ୍ଟ୍ରୋପ୍ଲେଟିଂ ଶିଳ୍ପ କେନ୍ଦ୍ର ଏବଂ ୩୦୦ଟି କପଡ଼ା ରଙ୍ଗ କରୁଥିବା କେନ୍ଦ୍ର ରହିଛି। ପ୍ରଦୂଷଣ ଲାଗି ଉଭୟ ପରସ୍ପର ଉପରେ ଦୋଷାରୋପ କରିଆସୁଛନ୍ତି । ଲୁଧିଆନା ଜିଲ୍ଲାର ଗୌଂସପୁର ଗାଁ (ଡାହାଣ) ପାଖ ଦେଇ ବହିଯାଇଛି ବୁଡ୍ଡା ନାଲା
ସାମାଜିକ କର୍ମୀମାନଙ୍କ ପାଖରୁ ଜଣାପଡ଼େ ଯେ, କପଡ଼ା ରଙ୍ଗ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ କୌଣସି ପ୍ରକାର ତରଳ ପଦାର୍ଥ, ଏମିତି କି ଶୋଧିତ ବର୍ଜ୍ୟବସ୍ତୁ/ପାଣି ବୁଡ୍ଡା ନାଲା କୁ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ନିକଟରେ ଜାତୀୟ ସବୁଜ ଟ୍ରିବ୍ୟୁନାଲ-NGTରେ ଏକ ମାମଲାର ଶୁଣାଣି ସମୟରେ ଦାଖଲ କରାଯାଇଥିବା ନଥିପତ୍ରରୁ ଏହା ଜଣାପଡ଼ିଛି। ତଥାପି ୧୦-୧୧ ବର୍ଷ ହେଲା ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ- PPCB ଏ ସଂପର୍କରେ କାହିଁକି ନିରବ ରହିଛି ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରନ୍ତି ।
ପଞ୍ଜାବର ସାମାଜିକ କର୍ମୀମାନେ ପଚାରୁଛନ୍ତି, “ଯଦି ତ୍ରିପୁରା ପ୍ରଦୂଷଣକାରୀ ଶିଳ୍ପ ଉପରେ ନିଷେଧାଦେଶ ଜାରି କରିପାରୁଛି, ତେବେ ପଞ୍ଜାବ କାହିଁକି କରିପାରିବନି ?”
*****
ଲୁଧିଆନା ଏବଂ ତଳମୁଣ୍ଡରେ ଅବସ୍ଥିତ ବିଭିନ୍ନ ଗାଁ ଦେଇ ପ୍ରବାହିତ ହେବା ବେଳେ ବୁଡ୍ଡା ନାଲା ର ସ୍ୱଚ୍ଛ ପାଣି କିଟିକିଟି କଳା ରଙ୍ଗର ଝରଣାର ରୂପ ନିଏ । ଆଖିକୁ ପୂରା କଳା ଦିଶୁଥିବା ଏହି ଝରଣା ସତଲେଜ ନଦୀରେ ମିଶେ । ଏଥିରେ ଭାସମାନ ଚିକ୍କଣ ତରଳ ପଦାର୍ଥ ରାଜସ୍ଥାନ ପର୍ଯ୍ୟନ୍ତ ଯାଇଥାଏ ଏବଂ ପରେ ଏହା ପାକିସ୍ତାନରେ ପ୍ରବେଶ କରି ଆରବ ସାଗରରେ ପଡ଼ିଥାଏ । ବ୍ୟାସ ଓ ସତଲେଜ ନଦୀର ମିଳନସ୍ଥଳୀ ହରିକେ ପଟ୍ଟାନ (ବ୍ୟାରେଜ୍)ରୁ ଉତ୍ତୋଳିତ ସାଟେଲାଇଟ ଚିତ୍ରରୁ ମଧ୍ୟ ଉଭୟ ନଦୀର ପାଣିରେ ଥିବା ପାର୍ଥକ୍ୟ ସ୍ପଷ୍ଟ ଭାବରେ ଦିଶେ ।


ସାମାଜିକ କର୍ମୀମାନେ କହନ୍ତି ଯେ, ଏହି ସମସ୍ୟାର ମୂଳ କାରଣ ହେଲା ଏହାର ସମାଧାନ ଦିଗରେ କେହି ଚେଷ୍ଟା କରୁନାହାନ୍ତି ଏବଂ ସରକାର ଏହାକୁ ସଫା କରିବା ଲାଗି ପ୍ରକଳ୍ପ ଗଠନ କରୁଛନ୍ତି ସତ, କିନ୍ତୁ ନଦୀ ପାଣିରେ ଆବର୍ଜନା ଛାଡ଼ିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁମତି ବି ଦେଉଛନ୍ତି। ସତଲେଜରେ ପ୍ରବେଶ କରୁଥିବା ବୁଡ୍ଡା ନାଲା ( ୨୦୨୨ର ଫଟୋ)
ବୁଡ୍ଡା ନାଲା ର ପ୍ରଦୂଷଣ ସ୍ଥିତି ସଂପର୍କରେ ଜାତୀୟ ସବୁଜ ପ୍ରାଧିକରଣଙ୍କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ୨୦୨୪ ଅଗଷ୍ଟ ୧୩ ତାରିଖ ଦିନ ଏକ ଉତ୍ତର ଦେଇଥିଲେ (ଯେଉଁ ପତ୍ରର ଏକ ନକଲ ‘ପରୀ’ ପାଖରେ ରହିଛି)। ଏଥିରେ ଉଲ୍ଲେଖ ରହିଛି ଯେ, ସହରରେ ରହିଥିବା ତିନିଟି ସାଧାରଣ ପ୍ରବହମାନ ଜଳ ଶୋଧନ ସଂଯନ୍ତ୍ର ବା କମନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (CETP) “କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଦେଇଥିବା ପରିବେଶ ସଂକ୍ରାନ୍ତ ଅନୁମତିପତ୍ରରେ ନିର୍ଗମନ ସଂପର୍କରେ ଉଲ୍ଲିଖିତ ସର୍ତ୍ତାବଳୀ ପାଳନ କରୁନଥିବା ଜଣାଯାଇଛି।”
୨୦୨୪ ଅଗଷ୍ଟ ୧୨ ତାରିଖ ଦିନ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାତୀୟ ସବୁଜ ଟ୍ରିବ୍ୟୁନାଲକୁ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, “ପରିବେଶ ସଂକ୍ରାନ୍ତ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ସମେତ ଏ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି” ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପୂର୍ବବର୍ତ୍ତୀ ଏକ ରିପୋର୍ଟରେ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ବୁଡ୍ଡା ନାଲା ର ପାଣି ଜଳସେଚନ ପାଇଁ ଉପଯୁକ୍ତ ନୁହେଁ । ସାମାଜିକ କର୍ମୀମାନେ ଯୁକ୍ତି କରିଥିଲେ ଯେ, “ଯଦି ଏହା ଜଳସେଚନ ପାଇଁ ଅନୁପଯୋଗୀ ତେବେ ଏହା ପିଇବା ପାଇଁ ଉପଯୁକ୍ତ ବୋଲି ଆପଣ ଭାବୁଛନ୍ତି କି?”
ସେପଟେମ୍ବର ୧୫ ତାରିଖ ଦିନ ବୁଡ୍ଡା ନାଲା କୁ ଅବରୋଧ କରାଯିବ ବୋଲି ଏକ ମିଳିତ ବିବୃତିରେ ପ୍ରତିବାଦ ପଦଯାତ୍ରାର ସଂଗଠକମାନେ ଘୋଷଣା କରିଥିଲେ । ପରେ ଏହାକୁ ୨୦୨୪ ଅକଟୋବର ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏହି ଚେତାବନୀ ପରେ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତୁରନ୍ତ ବୁଡ୍ଡା ନାଲା ଭିତରକୁ ଶୋଧିତ ନିର୍ଗମନ ବନ୍ଦ କରିବା ଲାଗି ପ୍ରବହମାନ ଜଳ ଶୋଧନ ସଂଯନ୍ତ୍ର (CETP) ଗୁଡ଼ିକୁ ସେପଟେମ୍ବର ୨୫ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ । ହେଲେ, ରିପୋର୍ଟ ମୁତାବକ, ଏଭଳି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ।
ଜଳ ଅବରୋଧ ଆନ୍ଦୋଳନ ବଦଳରେ ସାମାଜିକ କର୍ମୀମାନେ ଅକ୍ଟୋବର ୧ ତାରିଖ ଦିନ ଲୁଧିଆନାର ଫିରୋଜପୁର ରୋଡରେ ଧାରଣାରେ ବସି ରହିଥିଲେ ଏବଂ ୨୦୨୪ ଡିସେମ୍ବର ୩ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କୁ ଚରମପତ୍ର ଦେଇଥିଲେ ।
“ଯେତେବେଳେ ନାହିଁ ସେତେବେଳେ, କେହି ନା କେହି ଜଣେ ଆସି ବୁଡ୍ଡା ନାଲା ପାଣିର ନମୁନା ସଂଗ୍ରହ କରିନେଉଛନ୍ତି ସିନା, ହୁନ୍ଦା କୁଛ୍ ନହିଁ (କିଛି ହେଉନାହିଁ) । ହୁଏତ ଏହି ପ୍ରଦୂଷଣକୁ ବନ୍ଦ କରାଯାଉ, ନହେଲେ ଆମକୁ ସଫା ପାଣି ଯୋଗାଇ ଦିଆଯାଉ, ଯାହା ଫଳରେ କି ଆମର ପରବର୍ତ୍ତୀ ପିଢ଼ି ବଞ୍ଚି ପାରିବେ,” ସରକାରୀ ସର୍ଭେ ଏବଂ ପ୍ରତିଶ୍ରୁତିରେ ଅତିଷ୍ଠ ବଲଜୀତ କୌର କହନ୍ତି ।
ଅନୁବାଦ : ଓଡ଼ିଶାଲାଇଭ୍