‘‘ ମିର୍ଚି ମେଁ ଆଗ୍ ଲଗ୍ ଗୟି (ଲଙ୍କାଗୁଡ଼ିକ ଜଳୁଛି)।’’
୨ ଡିସେମ୍ବର ୧୯୮୪ର ରାତିରେ ଭୋପାଳ ବାସିନ୍ଦା ନୁସରତ ଜାହାଁଙ୍କର ଯେତେବେଳେ ନିଦ ଭାଙ୍ଗିଲା ସେ ଠିକ୍ ଭାବେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁନଥିଲେ ଏବଂ ତାଙ୍କ ଆଖି ପୋଡ଼ୁଥିଲା ଓ ସେଥିରୁ ପାଣି ଗଡ଼ୁଥିଲା। କିଛି ସମୟ ପରେ ତାଙ୍କ ଛଅ ବର୍ଷର ପୁଅ କାନ୍ଦିବାକୁ ଲାଗିଲା। କୋଳାହଳ ଶୁଣି ତାଙ୍କର ସ୍ୱାମୀ ମହମ୍ମଦ ଶଫିକଙ୍କର ମଧ୍ୟ ନିଦ ଭାଙ୍ଗିଗଲା।
‘‘ କୟାମତ୍ କା ମଞ୍ଜର୍ ଥା ’’ (ପ୍ରଳୟ ଆସିବା ଭଳି ଦୃଶ୍ୟ ଥିଲା),’’ ନୱାବ୍ କଲୋନୀ ସ୍ଥିତ ନିଜ ଘରେ ବସି ୭୦ ବର୍ଷ ବୟସ୍କ ଶଫିକ୍ କୁହନ୍ତି। ମଧ୍ୟପ୍ରଦେଶର ରାଜଧାନୀରେ ୪୦ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିବା ଭୋପାଳ ଗ୍ୟାସ ଦୁର୍ଘଟଣା (ବିଜିଡି)ର ଘଟଣାକ୍ରମ ବିଷୟରେ ସେ ସ୍ମରଣ କରିଥା’ନ୍ତି।
ଶଫିକ୍ ଗୋଟିଏ ପେପର୍ ମିଲରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିଷାକ୍ତ ବାଷ୍ପର ଗମ୍ଭୀର କୁପ୍ରଭାବ ପଡ଼ିଥିଲା। କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ବ୍ୟତିବ୍ୟସ୍ତ ହୋଇ ଏଣେତେଣେ ଦୌଡ଼ିବାକୁ ପଡ଼ିଲା। ପାଣିର ଏକମାତ୍ର ଉତ୍ସ ବିଷାକ୍ତ କୂଅ ପାଣି ବ୍ୟବହାର କରିବା କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଗଲା। ଏହି ପାଣି ବ୍ୟବହାର କରିବା କାରଣରୁ ତାଙ୍କର ଆଖି ପୋଡ଼ୁଥିଲା କିନ୍ତୁ ଅନ୍ୟ କୌଣସି ଉତ୍ସ ନଥିଲା। ୨୦୧୨ରେ ଯାଇ ସମ୍ଭାବନା ଟ୍ରଷ୍ଟ କ୍ଲିନିକ ସେହି ପାଣିକୁ ପରୀକ୍ଷା କରିଥିଲା ଏବଂ ସେଥିରେ ବିଷାକ୍ତ ଉପାଦାନ ପାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳର ସବୁ ନଳକୂପକୁ ବନ୍ଦ କରିଦେଲେ।
୧୯୮୪ର ସେହି ରାତିରେ ଶଫିକଙ୍କ ଘରେ ଯେଉଁ ବିଷାକ୍ତ ଗ୍ୟାସ ସଂକଟ ସୃଷ୍ଟି କରିଥିଲା, ତାହା ୟୁନିଅନ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ (ୟୁସିଆଇଏଲ)ରୁ ବାହାରିଥିଲା। ସେତେବେଳେ ଏହି କମ୍ପାନୀର ମାଲିକାନା ବହୁରାଷ୍ଟ୍ରୀୟ ୟୁନିଅନ୍ କାର୍ବାଇଡ୍ କର୍ପୋରେସନ୍ (ୟୁସିସି) ପାଖରେ ରହିଥିଲା। ଡିସେମ୍ବର ୨ ତାରିଖ ରାତିରେ ଏହି ଗ୍ୟାସ ଲିକ୍ ହୋଇଥିଲା। ୟୁସିଆଇଏଲ କାରଖାନାରୁ ଅତ୍ୟଧିକ ବିଷାକ୍ତ ମିଥାଇଲ ଆଇସୋସାଇନେଟ ଗ୍ୟାସ ଲିକ୍ ହୋଇଥିଲା ଏବଂ ଏହାକୁ ବିଶ୍ୱର ସବୁଠୁ ଭୟାବହ ଶିଳ୍ପ ବିପର୍ଯ୍ୟୟ ଭାବେ ବିବେଚନା କରାଯାଏ।

ସମ୍ଭାବନା କ୍ଲିନିକର ସଦସ୍ୟ ଏବଂ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ, ଭୋପାଳର ଛାତ୍ରଛାତ୍ରୀଙ୍କ ସହିତ ନୱାବ କଲୋନୀସ୍ଥିତ ନିଜ ଘରେ ମହମ୍ମଦ ଶଫିକ (ଧଳା କୁର୍ତ୍ତାରେ)। ଶଫିକଙ୍କ ପରିବାର ୟୁନିଅନ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ କାରଖାନା ପାଖରେ ରହୁଥିଲା ଏବଂ ତାଙ୍କ ପୁଅ ଡିସେମ୍ବର ୧୯୮୪ରେ ବିଷାକ୍ତ ଗ୍ୟାସ ଲିକ୍ ହେବା କାରଣରୁ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା
ଦି ଲିଫଲେଟ୍ ରେ ଥିବା ଏହି ରିପୋର୍ଟ ଅନୁଯାୟୀ, ‘‘ସରକାରୀ ସୂତ୍ରରୁ ତତ୍କାଳ ମୃତ୍ୟୁ ସଂଖ୍ୟା ଆନୁମାନିକ ୨,୫୦୦ ଥିଲା ବୋଲି କୁହାଯାଏ, କିନ୍ତୁ ଅନ୍ୟ ଉତ୍ସ (ଦିଲ୍ଲୀ ସାଇନ୍ସ ଫୋରମ୍ ରିପୋର୍ଟ) ମୁତାବକ ଏହି ସଂଖ୍ୟା ଅତି କମରେ ଦୁଇଗୁଣ ହୋଇପାରେ।
ବିଷାକ୍ତ ଗ୍ୟାସ ଭୋପାଳ ସହରରେ ସମ୍ପୂର୍ଣ୍ଣ ଭାବେ ବ୍ୟାପିଯାଇଥିଲା ଏବଂ କାରଖାନା ନିକଟରେ ରହୁଥିବା ଶଫିକଙ୍କ ଭଳି ପରିବାର ସବୁଠୁ ଅଧିକ ପ୍ରଭାବିତ ହୋଇଥିଲେ। ସହରର ୩୬ଟି ୱାର୍ଡରେ ରହୁଥିବା ପ୍ରାୟ ଛଅ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
ପିଲାର ଚିକିତ୍ସାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଶଫିକ୍ ପ୍ରଥମେ ନିଜ ଘର ଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ହମିଦିଆ ହସ୍ପିଟାଲରେ ପହଞ୍ଚିଥିଲେ।
‘‘ ଲାଶେଁ ପଡ଼ି ହୁଇ ଥି ୱାହାଁ ପେ (ସବୁଠି ଶବ ପଡ଼ି ରହିଥିଲା)।’’ ଶତାଧିକ ଲୋକ ଚିକିତ୍ସା ପାଇଁ ଆସିଥିଲେ ଏବଂ ଡାକ୍ତରଖାନା କର୍ମଚାରୀ ବିବ୍ରତ ହୋଇପଡ଼ିଥିଲେ, କ’ଣ କରିବାକୁ ହେବ ଜାଣିପାରୁନଥିଲେ।
‘‘ ମାଥେ ପେ ନାମ୍ ଲିଖ ଦେତେ ଥେ (ସେମାନେ ମୃତକଙ୍କ ମଥାରେ ସେମାନଙ୍କ ନାଁ ଲେଖି ଦେଉଥିଲେ),’’ ସେଦିନ କଥା ମନେ ପକାଇବା ସହ ଗଦା ଗଦା ଶବ ବିଷୟରେ ସଂକେତ ଦେଇ ସେ କୁହନ୍ତି।


ବାମ: ଭୋପାଳରେ ଥିବା ୟୁନିଅନ୍ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ (ୟୁସିଆଇଏଲ)ର କାରଖାନା। ଡାହାଣ: କିଛି ଦୂରରେ ଥିବା ଶକ୍ତି ନଗରରୁ କାରଖାନାର ଦୃଶ୍ୟ
ଶଫିକ୍ ଡାକ୍ତରଖାନାରୁ ବାହାରି ଯେତେବେଳେ ଇମାମି ଗେଟ୍ ନିକଟସ୍ଥ ରାସ୍ତା କଡ଼କୁ ଆସିଲେ, ଗୋଟିଏ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ପାଇଲେ: ସେ ଯେଉଁ ଦାଲ୍ (ଡାଲି) ଅର୍ଡର ଦେଇଥିଲେ ତାହାର ରଙ୍ଗ ନୀଳ ହୋଇଯାଇଥିଲା। ‘‘ ରାତ୍ କୀ ଦାଲ୍ ହୈ, ଭୟା (ଗତକାଲି ରାତିର ଡାଲି, ଭାଇ)।’’ ବିଷାକ୍ତ ଗ୍ୟାସ କାରଣରୁ ଏହାର ରଙ୍ଗ ବଦଳିଯାଇଛି ଏବଂ ଏହା ପିତା ଲାଗୁଛି।
ଏନ.ଡି. ଜୟପ୍ରକାଶ ଦ ଲିଫଲେଟ୍ ରେ ଲେଖିଛନ୍ତି, ‘‘ୟୁସିଆଇଏଲରେ ଅତ୍ୟଧିକ ବିପଜ୍ଜନକ ରାସାୟନିକ ଗ୍ୟାସ ଗଚ୍ଛିତ ହୋଇ ରହିଥିଲା, କିନ୍ତୁ ୟୁସିସି (ୟୁନିଅନ କାର୍ବାଇଡ୍ କମ୍ପାନୀ)ର ଅଧିକାରୀ ଏବଂ ସରକାରୀ କର୍ତ୍ତୃପକ୍ଷ ଯେଭଳି ଭାବେ ଭୋପାଳରେ ଏକ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ପୂର୍ବ ଚେତାବନୀକୁ ଅଣଦେଖା କରିଥିଲେ ତାହା ଅତି ଆଶ୍ଚର୍ଯ୍ୟଜନକ ଥିଲା। ଜୟପ୍ରକାଶ ଦିଲ୍ଲୀ ସାଇନ୍ସ ଫୋରମ୍ ର ଯୁଗ୍ମ ସମ୍ପାଦକ ଏବଂ ତାଙ୍କର ଆରମ୍ଭରୁ ଏହି ଘଟଣା ଉପରେ ନଜର ରହିଛି।
ଭୋପାଳ ଗ୍ୟାସ ଦୁର୍ଘଟଣା ପରେ ଅନେକ ଦଶନ୍ଧି ପର୍ଯ୍ୟନ୍ତ, ମୁଖ୍ୟତଃ ଏହି ବିପର୍ଯ୍ୟୟର ପୀଡ଼ିତ ପରିବାରକୁ କ୍ଷତିପୂରଣ ଦେବା ଏବଂ ପ୍ରଭାବିତଙ୍କ ମେଡ଼ିକାଲ ରେକର୍ଡର ଡିଜିଟାଲକରଣ କରିବା ଲାଗି ଆଇନଗତ ଲଢ଼େଇ ଜାରି ରହିଛି। ଦୁଇଟି ଅପରାଧିକ ମାମଲା ମଧ୍ୟ ଦାୟର ହୋଇଛି: ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ୟୁସିସି ମାଲିକାନା ରଖିଥିବା ଡାଓ କେମିକାଲ କମ୍ପାନୀ ବିରୋଧରେ ୧୯୯୨ରେ ଏବଂ ୨୦୧୦ରେ ୟୁସିଆଇଏଲ ଓ ଏହାର ଅଧିକାରୀମାନଙ୍କ ବିରୋଧରେ। ଉଭୟ ମାମଲା ବର୍ତ୍ତମାନ ଭୋପାଳ ଜିଲ୍ଲା ଅଦାଲତରେ ବିଚାରାଧୀନ ଥିବା ଜୟପ୍ରକାଶ କହିଛନ୍ତି।


ବାମରୁ ଡାହାଣ: କାରଖାନା ପରିସର ବାହାରେ ଥିବା ମା’ ଓ ଶିଶୁଙ୍କ ମୂର୍ତ୍ତି ଯାହାକୁ ହୋଲୋକଷ୍ଟରୁ ବର୍ତ୍ତି ଯାଇଥିବା ଡଚ୍ ସ୍ଥପତି ରଥ୍ ୱାଟରମ୍ୟାନ୍ ୧୯୮୫ରେ ନିର୍ମାଣ କରିଥିଲେ। ଏହା ଠିକ୍ ୟୁନିଅନ କାର୍ବାଇଡ୍ କାରଖାନା ବାହାରେ ଥିବା ପ୍ରଥମ ସାର୍ବଜନୀନ ସ୍ମାରକୀ। ଏହି ପ୍ରତିମୂର୍ତ୍ତିରେ ବାର୍ତ୍ତା ରହିଛି: ‘ଆଉ ଭୋପାଳ ନୁହେଁ, ଆଉ ହିରୋସିମା ନୁହେଁ’


ବାମ: କାରଖାନା ପାଖରେ ଥିବା ଭିତ୍ତିଚିତ୍ର। ଡାହାଣ: କାରଖାନା ପାଚେରୀ ଆରପଟେ ମୂର୍ତ୍ତି ରହିଛି
ଶଫିକ୍ ବିପର୍ଯ୍ୟୟ ପୀଡ଼ିତଙ୍କ ଦ୍ୱାରା ଆୟୋଜିତ ଦିଲ୍ଲୀ ଚଲୋ ଆନ୍ଦୋଳନ ରେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ୨୦୧୦ରେ ଭୋପାଳରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ‘‘ ଇଲାଜ୍ (ଚିକିତ୍ସା), ମୁଆଫଜା (କ୍ଷତିପୂରଣ) ଔର ସାଫପାନି (ସ୍ୱଚ୍ଛ ପାଣି) କେ ଲିୟେ ଥା (ଏହି ଆନ୍ଦୋଳନ କରାଯାଇଥିଲା),’’ ସେ କୁହନ୍ତି। ସେମାନେ ଦେଶର ରାଜଧାନୀରେ ଯନ୍ତରମନ୍ତର ଠାରେ ୩୮ ଦିନ ପର୍ଯ୍ୟନ୍ତ ଧାରଣା ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ ଯେଉଁଠାରେ ସେମାନଙ୍କୁ ପୁଲିସ ଗିରଫ କରି ନେଇଥିଲା।
‘‘ ପୀଡ଼ିତ ଏବଂ ସେମାନଙ୍କ ପରିବାର ଦ୍ୱାରା ମୁଖ୍ୟତଃ ଦୁଇଟି ମାମଲା ଲଢ଼ାଯାଉଛି। ଗୋଟିଏ ଗୋଟିଏ ମାମଲା ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ଏସସି)ରେ ଏବଂ ଅନ୍ୟଟି ଜବଲପୁରର ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ,’’ ଭୋପାଳ ଗ୍ୟାସ ପୀଡ଼ିତ ସଂଘର୍ଷ ସହଯୋଗ ସମିତି (ଭୋପାଳ ଗ୍ୟାସ ପୀଡ଼ିତଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂଗଠନ)ର ସହ-ସଂଯୋଜକ ଏନ.ଡି. ଜୟପ୍ରକାଶ ସୁନିଶ୍ଚିତ କରିଥାନ୍ତି।
*****
‘‘ ପେଡ୍ କାଲେ ହୋ ଗୟୋ ଥେ, ପତ୍ତେ ଜୋ ହରେ ଥେ, ନୀଲେ ହୋ ଗୟେ, ଧୂଆଁ ଥା ହର ତରଫ୍ (ଗଛଗୁଡ଼ିକ କଳା ପଡ଼ିଯାଇଥିଲା, ସବୁଜ ପତ୍ର ସବୁ ନୀଳ ପଡ଼ିଯାଇଥିଲା, ଚାରିଆଡ଼େ ଧୂଆଁମୟ ଥିଲା),’’ ସହର କିଭଳି ଶ୍ମଶାନ ପାଲଟି ଯାଇଥିଲା ତାହା ମନେ ପକାଇ ତାହିରା ବେଗମ କୁହନ୍ତି।
‘‘ସେ (ମୋ ବାପା) ଆମ ଘର ବାରଣ୍ଡାରେ ଶୋଇଥିଲେ,’’ ସେହି ରାତି କଥା ମନେ ପକାଇ ସେ କୁହନ୍ତି। ‘‘ଯେତେବେଳେ ଖରାବ୍ ହୱା (ଦୂଷିତ ବାୟୁ) ପ୍ରବାହ ଆରମ୍ଭ ହେଲା, ସେ ଉଠି ପଡ଼ି କାଶିବାକୁ ଲାଗିଲେ ଏବଂ ତାଙ୍କୁ ହମିଦିଆ ଡାକ୍ତରଖାନାକୁ ନିଆଗଲା।’’ ଯଦିଓ ତିନି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଗଲା, ‘‘ଶ୍ୱାସପ୍ରଶ୍ୱାସ ସମସ୍ୟା ଲାଗି ରହିଲା ଏବଂ ତିନି ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା,’’ ତାହିରା କୁହନ୍ତି। ଏହି ପରିବାର ୫୦,୦୦୦ ଟଙ୍କାର କ୍ଷତିପୂରଣ ପାଇଥିଲା ଏବଂ ଅଦାଲତରେ ଚାଲିଥିବା ଆଇନଗତ ଲଢ଼େଇ ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ।


ବାମ: ତାହିରା ବେଗମ୍ (ସବୁଜ ହିଜାବ ପିନ୍ଧିଛନ୍ତି) ଭୋପାଳ ଗ୍ୟାସ ଦୁର୍ଘଟଣାରେ ତାଙ୍କ ବାପାଙ୍କୁ ହରାଇଥିଲେ। ୧୯୮୫ ଠାରୁ ସେ ଶକ୍ତି ନଗରରେ ଥିବା ଏକ ଅଙ୍ଗନୱାଡ଼ିରେ କାମ କରୁଛନ୍ତି। ଡାହାଣ: ଭୋପାଳ ଏପିୟୁର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କଲୋନୀର ଏକ ମାନଚିତ୍ର ଯେଉଁଥିରେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଗ୍ୟାସର କୁପ୍ରଭାବ କିପରି ପଡ଼ିଥିଲା ତାହା ଦର୍ଶାଯାଇଛି
ଏହି ବିପର୍ଯ୍ୟୟ ପରେ, ସହର ବାସିନ୍ଦାମାନେ ମୃତଦେହଗୁଡ଼ିକୁ ପୋତିବା ଲାଗି ଗଣକବର ଖୋଳିଥିଲେ। ତାଙ୍କର ପିଉସୀ ସେପରି ଗୋଟିଏ କବରରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ‘‘ଆମର ଜଣେ ସମ୍ପର୍କୀୟ ତାଙ୍କୁ ଚିହ୍ନଟ କଲେ ଏବଂ ବାହାରକୁ ଆଣିଥିଲେ।’’
ୟୁସିଆଇଏଲ କାରଖାନା ଠାରୁ ମାତ୍ର କିଛି ଦୂରରେ ଥିବା ଶକ୍ତିନଗରର ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ରରେ ତାହିରା କାମ କରି ଆସୁଛନ୍ତି। ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇବାର ଗୋଟିଏ ବର୍ଷ ପରେ ସେ ଏଠାରେ ଯୋଗ ଦେଇଥିଲେ।
ବାପାଙ୍କ ଅନ୍ତ୍ୟେଷ୍ଟି ପରେ, ତାଙ୍କ ପରିବାର ଲୋକମାନେ ଝାନସୀ ଚାଲି ଯାଇଥିଲେ। ୨୫ ଦିନ ପରେ ସେମାନେ ଯେତେବେଳେ ଫେରିଲେ, ତାହିରା କୁହନ୍ତି, ‘‘ ସିର୍ଫ ମୁର୍ଗିୟାଁ ବଚି ଥି, ବାକି ଜାନୱର ସବ୍ ମର୍ ଗୟୋ ଥେ (କେବଳ କୁକୁଡ଼ାମାନେ ବଞ୍ଚିଥିଲେ, ଅନ୍ୟ ସବୁ ପ୍ରାଣୀ ମରିଯାଇଥିଲେ)।’’
ସ୍ମିତା ଖାଟୋରଙ୍କ ଦ୍ୱାରା ପ୍ରଚ୍ଛଦ ଫିଚର୍ ପ୍ରସ୍ତୁତ କରାଯାଇଛି।
ଏହି ନିବନ୍ଧ ପ୍ରସ୍ତୁତି ରେ ସାହାଯ୍ୟ କରିଥିବାରୁ ଭୋପାଳର ଅ ଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ପ୍ରଫେସର ସୀମା ଶର୍ମା ଏବଂ ପ୍ରଫେସର ମୋହିତ ଗାନ୍ଧୀଙ୍କୁ ପରୀ ଧନ୍ୟବାଦ ଦେବାକୁ ଚାହୁଁଛି।
ଅନୁବାଦ: ଓଡ଼ିଶାଲାଇଭ୍