ଭଗତ ରାମ ଯାଦବ ଯେତେବେଳେ ହରିଆଣାର ସରକାରୀ ସଡ଼କ ପରିବହନ ସଂସ୍ଥା, ହରିଆଣା ରୋଡୱେଜରୁ ଅବସର ନେଲେ, ସେ ଚାହିଁଥିଲେ ଆରାମରେ ଅବସରକାଳୀନ ଜୀବନ ବିତାଇ ପାରିଥାଆନ୍ତେ । “କିନ୍ତୁ ମୋ ଭିତରେ ମୁଁ ଏକ ଜୁନୁନ୍ (ଆବେଗ) ଅନୁଭବ କଲି,” ଚାକିରି ଜୀବନରେ ଜଣେ ଆଦର୍ଶ ଓ ସମ୍ମାନିତ କର୍ମଚାରୀର ଗୌରବ ବହନ କରିଥିବା ଏହି ୭୩ ବର୍ଷୀୟ ବ୍ୟକ୍ତି ଜଣକ କହନ୍ତି।
ତାଙ୍କର ଏହି ଆବେଗ ହିଁ ତାଙ୍କୁ ଟାଣି ନେଇଥିଲା ପିଲାଦିନେ ବାପା ଗୁଗନ ରାମ ଯାଦବଙ୍କ ପାଖରୁ ସେ ଶିଖିଥିବା ଏକ କାରିଗରୀ ଆଡ଼କୁ – ଯାହା ହେଉଛି ଚାରପାଇ (ଦଉଡ଼ିଆ ଖଟ) ଏବଂ ପିଦ୍ଦା (ଦଉଡ଼ିର ଷ୍ଟୁଲ) ଗଢ଼ିବା ।
ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପୂର୍ବରୁ, ତାଙ୍କୁ ଠିକ୍ ୧୫ ବର୍ଷ ବୟସ ହୋଇଥିବା ସମୟରେ, ତାଙ୍କର ଏହି ଶିକ୍ଷା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ କି ସେ ତାଙ୍କ ତିନି ଭାଇଙ୍କ ସହ ବସି ସେମାନଙ୍କ ଘରେ ବ୍ୟବହାର ପାଇଁ ଚାରପାଇ ବୁଣୁଥିବା ତାଙ୍କ ବାପାଙ୍କ କଳା କୌଶଳକୁ ଲକ୍ଷ୍ୟ କରୁଥିଲେ । ତାଙ୍କ ବାପା ୧୨୫ ଏକର ଜମିର ମାଲିକ ଥିଲେ ଏବଂ ଗହମ ଅମଳ ପରେ ପରେ, ଏମିତିକା ମଜଭୁତ ଖଟ ସବୁ ତିଆରି କରି ଗ୍ରୀଷ୍ମ ମାସତକ ବିତାଇ ଦେଉଥିଲେ । ଏଥିପାଇଁ ସେ ହାତତିଆରି ସନ୍ ସପ ( Crotalaria juncea ) ଦଉଡ଼ି, ସୂତ୍ (ସୂତାରେ ତିଆରି ଦଉଡ଼ି) ଏବଂ ଶାଳ ( Shorea robusta ) ଏବଂ ଶିଶମ୍ ( North Indian rosewood ) ବା ଶିଶୁ ଗଛର କାଠ ବ୍ୟବହାର କରୁଥିଲେ । ତାଙ୍କ କାର୍ଯ୍ୟସ୍ଥଳ ଥିଲା ସେମାନଙ୍କ ଘରର ବୈଠକ , ଯାହା କି ଏକ ଖୋଲା କୋଠରି ଏବଂ ଯେଉଁଠାରେ ଉଭୟ ଲୋକ ଓ ଗୃହପାଳିତ ପ୍ରାଣୀମାନେ ଦିନର ଅଧିକାଂଶ ସମୟ ବିତାଇ ଦିଅନ୍ତି ।
ତାଙ୍କ ବାପାଙ୍କୁ ଜଣେ “ ଏକ୍ ନମ୍ବର କା ଆରି ”- ଜଣେ ମହାନ କାରିଗର ଭାବରେ ମନେ ରଖିଛନ୍ତି ଭଗତ ରାମ । ନିଜର ସାଜ ସରଞ୍ଜାମ ବିଷୟରେ ବେଶ୍ ସଜାଗ ରହୁଥିଲେ ତାଙ୍କ ବାପା। ପୁରୁଣା ଦିନର କଥା ମନେ ପକାଇ ଭଗତ ରାମ କହନ୍ତି, “ମୋ ବାପା ଚାରପାଇ ତିଆରି କରିବାର କୌଶଳ ଶିଖିବା ଲାଗି ଆମକୁ ଉତ୍ସାହିତ କରୁଥିଲେ । ସେ କହନ୍ତି, “ଆସ, ଏଇଟା ଶିଖ; ପରେ ଏହା ତୁମ କାମରେ ଲାଗିବ ।”
ହେଲେ, ବିରକ୍ତିକର ମନେ ହେଉଥିବା ଏହି କାମକୁ ଏଡ଼ାଇ ଯାଇ ପିଲାମାନେ ଫୁଟବଲ୍ ହକି କି କବାଡ଼ି ଖେଳିବାକୁ ପଳାଇ ଯାଆନ୍ତି । “ଆମ ବାପା ଆମକୁ ଗାଳି ଦେଉଥିଲେ, ଏମିତି କି ଚାପୁଡ଼ା ମାରୁଥିଲେ, କିନ୍ତୁ ଆମେ ଖାତିର କରୁ ନଥିଲୁ,” ସେ କହନ୍ତି । “ଆମେ ଚାକିରିଟିଏ ପାଇବା ପାଇଁ ଅଧିକ ଆଗ୍ରହୀ ଥିଲୁ । କେବଳ ବାପାଙ୍କ ଭୟରେ ଆମେ ଏହି କାରିଗରୀ ଶିଖିଲୁ, ଅନେକ ସମୟରେ କୌଣସି ଡିଜାଇନ ବୁଣିବା ସମୟରେ ଅସୁବିଧା ଯୋଗୁଁ ଅଟକି ଗଲେ, ଏଥିରୁ କେମିତି ମୁକୁଳିବାକୁ ହେବ ବୋଲି ଆମେ ତାଙ୍କୁ ପଚାରୁଥିଲୁ।”


ବାମ : ସେ ନିଜେ ତିଆରି କରିଥିବା ଚାରପାଇ ଉପରେ ବସିଛନ୍ତି ଭଗତ ରାମ ଯାଦବ। ଡାହାଣ : ହରିଆଣା ସଡ଼କ ପରିବହନ ବିଭାଗରେ ଅନେକ ବର୍ଷ କାମ କରିବା ପରେ ତାଙ୍କୁ ମିଳିଥିବା କେତେକ ମୁଦିରୁ ଗୋଟିଏକୁ ଏବେ ବି ସେ ପିନ୍ଧନ୍ତି
ଯେତେବେଳେ ସେ ରୋଜଗାର କରିବା ବୟସରେ ପହଞ୍ଚିଲେ, ଭଗତ ରାମ ଚାକିରିଟିଏ ହାସଲ କଲେ, ପ୍ରଥମେ ରାଜସ୍ଥାନର ଏକ ବେସରକାରୀ ବସ୍ ସଂସ୍ଥାରେ କଣ୍ଟକ୍ଟର ଭାବରେ ଏବଂ ତା’ପରେ, ୧୯୮୨ରେ ହରିଆଣା ସଡ଼କ ପରିବହନ ବିଭାଗରେ କିରାଣୀ ପଦବୀରେ ନିଯୁକ୍ତି ପାଇଲେ । ସେ କହନ୍ତି ଯେ, ସେ “କୌଣସି ଭୁଲ କାମ ନ କରିବା” ନୀତିକୁ ଆପଣେଇ ନେଇଥିଲେ । ଏହା ଫଳରେ ତାଙ୍କୁ ତିନି ତିନି ଥର ପୁରସ୍କାର ମିଳିଥିଲା ଏବଂ ଏବେ ବି ସେ ସେତେବେଳେ ପୁରସ୍କାର ଆକାରରେ ପାଇଥିବା ମୁଦିରୁ ଗୋଟିଏ ମୁଦି ପିନ୍ଧିଛନ୍ତି । ୨୦୦୯ ଡିସେମ୍ବରରେ, ୫୮ ବର୍ଷ ବୟସରେ ସେ ଚାକିରିରୁ ଅବସର ନେଇଥିଲେ । ଯଦିଓ କିଛି ଦିନ ପାଇଁ ସେ ତାଙ୍କ ଭାଗରେ ପଡ଼ିଥିବା ପରିବାରର ୧୦ ଏକର ଜମିରେ କପାଚାଷ କରିବାକୁ ଚେଷ୍ଟା କରିଥିଲେ, ତଥାପି ବୟସାଧିକ୍ୟ କାରଣରୁ ଏହା ତାଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା । ୨୦୧୨ରେ ସେ ସେହି କାରିଗରୀକୁ ଆପଣେଇ ନେଲେ, ଯାହାକୁ ସେ କିଶୋର ବୟସରେ ଶିଖିଥିଲେ ।
ଆଜି, ଅହିର ସଂପ୍ରଦାୟର (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ଭଗତ ରାମ, ତାଙ୍କ ଗାଁର ଏକମାତ୍ର ଚାରପାଇ ନିର୍ମାତା ।
*****
ହରିଆଣାର ହିସାର ଜିଲ୍ଲା ଅନ୍ତର୍ଗତ ଖୁର୍ଦ ଗାଁ ବାସିନ୍ଦା ଭଗତ ରାମ ଏକ ନିୟମିତ ଜୀବନଚର୍ଯ୍ୟାକୁ ଅନୁସରଣ କରନ୍ତି । ପ୍ରତିଦିନ ସକାଳ ପ୍ରାୟ ୬ଟାରେ ସେ ଉଠନ୍ତି, ଏବଂ ଦୁଇଟି ବ୍ୟାଗ୍ ଭରି ନିଅନ୍ତି- ଗୋଟିକରେ ବାଜରା ଏବଂ ଅନ୍ୟଟିରେ ଚପାତି । ତା’ ପରେ ସେ ପାରାମାନଙ୍କ ପାଇଁ ବାଜରା ଦାନା ଏବଂ ପିମ୍ପୁଡ଼ି, କୁକୁର ଓ ବିଲେଇମାନଙ୍କ ପାଇଁ ଚପାତି ପକାଇ ପକାଇ ତାଙ୍କ କ୍ଷେତ ଆଡ଼କୁ ଆଗେଇ ଯାଆନ୍ତି ।
“ତା’ପରେ ମୁଁ ମୋର ହୁକା ସଜ କରିନିଏ ଏବଂ ଦିନ ପ୍ରାୟ ୯ଟା ବେଳକୁ କାମ କରିବାକୁ ବସି ପଡ଼େ,” ଭଗତ କହନ୍ତି । ସେମିତି କୌଣସି ଜରୁରୀ ବରାଦ ନଥିଲେ ସେ ମଧ୍ୟାହ୍ନ ପର୍ଯ୍ୟନ୍ତ କାମ କରନ୍ତି । “ତା’ପରେ ମୁଁ ପୁଣି ଅପରାହଣ ପ୍ରାୟ ୫ଟା ଯାଏ ଆଉ ଗୋଟିଏ ଘଣ୍ଟା କାମ କରେ ।” ତାଙ୍କ କୋଠରିରେ ନିଜ ହାତରେ ବୁଣିଥିବା ଗୋଟିଏ ଦଉଡ଼ିଆ ଖଟ ଉପରେ ବସିଥାଆନ୍ତି ସେ, ଝରକା ଦେଇ ଘର ଭିତରକୁ ଭାସିଆସୁଥାଏ ସୂର୍ଯ୍ୟାଲୋକ ଏବଂ ଠିକ୍ ତାଙ୍କ କଡ଼ରେ ରଖାଯାଇଥାଏ ତାଙ୍କ ହୁକା, ମଝିରେ ମଝିରେ ସେ ସେଥିରୁ ପୁଳାଏ ଧୂଆଁ ଟାଣି ନେଉଥାଆନ୍ତି ।
ଜୁଲାଇ ମାସର ଗୋଟିଏ ଶୀତଳ ସକାଳରେ, ଶିରିଶିରି ପବନ ବୋହୁଥିବା ବେଳେ ‘ପରୀ’ ଯେତେବେଳେ ତାଙ୍କୁ ସାକ୍ଷାତ୍ କରିଥିଲା, ସେତେବେଳେ ସେ ନିବିଷ୍ଟ ଭାବରେ ତାଙ୍କ କୋଳରେ ରଖାଯାଇଥିବା ଗୋଟିଏ ପିଦ୍ଦା ଗଢ଼ିବାରେ ଲାଗିପଡ଼ିଥିଲେ । “ଏଇ ଗୋଟିକୁ ମୁଁ ଦିନକରେ ସାରି ପାରିବି,” ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ସେ କହନ୍ତି । ଶିଶୁ କାଠରେ ନିର୍ମିତ ଏକ ଛାଞ୍ଚରେ ଗୁଡ଼ାଇ ହୋଇ ରହିଥିବା ସୂତାର ଭରଣି (ଲମ୍ବ ଭାବରେ ରହିଥିବା) ଏବଂ ଆଡ଼ସୂତା (ତୀର୍ଯ୍ୟକ ଭାବରେ ଥିବା) ଉପରେ ସେ ପୂର୍ବ ନିର୍ଦ୍ଧାରିତ ଏକ ଢାଞ୍ଚାକୁ ରୂପ ଦେବାରେ ଲାଗିଥାଆନ୍ତି ଏବଂ ଅଭ୍ୟାସଗତ ନିର୍ଭୁଲ ଭାବରେ ତାଙ୍କ ହାତ ଚାଲିଥାଏ ।
ସେ କହନ୍ତି ଯେ, ବୟସ ବଢ଼ିବା ସହିତ ତାଙ୍କ ହାତର ଗତି ମଧ୍ୟ ଶିଥିଳ ହୋଇଯାଉଛି ବୋଲି ସେ ଲକ୍ଷ୍ୟ କରିଛନ୍ତି । “ପ୍ରଥମେ ମୁଁ ଯେତେବେଳେ ଏହି ଚାରପାଇ କାରିଗରୀ ପେସାକୁ ଫେରି ଆସିଲି ମୋ ହାତ ଓ ଶରୀର ଦକ୍ଷତାର ସହ କାମ କରୁଥିଲେ । ଏବେ, ମୁଁ ଥରକରେ ଦୁଇ କି ତିନି ଘଣ୍ଟାରୁ ଅଧିକ କାମ କରିପାରୁନି ।”
ଗୋଟିଏ ପାଖର କାମ ସାରିବା ପରେ ସେ ଷ୍ଟୁଲକୁ ଓଲଟାଇ ଦିଅନ୍ତି ଏବଂ ଉଭୟ ପଟେ ସେହି ଏକା ଡିଜାଇନର ପ୍ରତିଫଳନ ଘଟାଇବା ଲାଗି ପୂର୍ବ ପ୍ରକ୍ରିୟାର ପୁନରାବୃତ୍ତି କରି ଚାଲନ୍ତି । “ଗୋଟିଏ ପିଦ୍ଦା ରେ, ଉଭୟ ପଟେ ଭରାଇ (ଭରଣି) ଦେବାକୁ ପଡ଼େ । ଏହି କାରଣରୁ ଏହା ମଜଭୁତ ହୁଏ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ । କିନ୍ତୁ ଅଧିକାଂଶ କାରିଗର ଏହା କରନ୍ତି ନାହିଁ,” ସେ ବୁଝାଇ ଦିଅନ୍ତି ।


ବାମ : ପ୍ରତିଟି ପିଦ୍ଦା ଅନ୍ୟୂନ ଦୁଇଟି ଚମକଦାର ରଙ୍ଗର ଦଉଡ଼ିର ସମାହାରରେ ଗଢ଼ା ଯାଇଥାଏ । ‘ଆପଣ ବଜାରରେ ଏମିତି ରଙ୍ଗିନ ପିଦ୍ଦା ପାଇବେନି, ’ ଭଗତ ରାମ ‘ପରୀ’କୁ କହନ୍ତି । ଡାହାଣ: ଭଗତ ରାମ ସେହି ଅଳ୍ପ କେତେକ କାରିଗରଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପିଦ୍ଦା କୁ ଅଧିକ ମଜଭୁତ କରିବା ଲାଗି ଏହାର ଉଭୟ ପଟେ ଭରଣି ଦେଇଥାଆନ୍ତି


ବାମ : ଶିଶୁ କାଠରେ ତିଆରି ଏକ ଛାଞ୍ଚରେ ଗୁଡ଼ା ହୋଇଥିବା ଭରଣି ଓ ଆଡ଼ସୂତା ମଧ୍ୟରେ ସମ ନ୍ୱ ୟ ରଖି ପିଦ୍ଦା ଗଢ଼ିବାରେ ଲାଗିଛନ୍ତି ଭଗତ ରାମ । ଡାହାଣ : ଗୋଟିଏ ପଟର କାମ ଶେଷ କରି ସେ ଏହାକୁ ଓଲଟାଇ ଆରପଟେ ମଧ୍ୟ ସେହି ପ୍ରକ୍ରିୟାର ପୁନରାବୃତ୍ତି କରନ୍ତି
ଗୋଟିଏ ପଟ ଭରଣିରେ କାମ ସାରିବା ପରେ, ସୂତାକୁ ସମାନ ଭାବରେ ରଖିବା ଲାଗି ଭଗତ ରାମ ପ୍ରତି ଥର ଗୋଟିଏ ଖୁଟି କିମ୍ବା ଠୋକନା ବୋଲି କୁହାଯାଉଥିବା ହାତ ଆକୃତିର ଏକ ଉପକରଣ ବ୍ୟବହାର କରନ୍ତି । ଠୋକନାର ଠକ୍ ଠକ୍ ଠକ୍ ଧ୍ୱନି ସହିତ ତାଳ ଦେଇ ସେଥିରେ ସଂଲଗ୍ନ ଘୁଙ୍ଗରୁ (ଛୋଟ ଛୋଟ ଧାତବ ଘଣ୍ଟି)ରୁ ନିର୍ଗତ ଛନ୍ ଛନ୍ ଛନ୍ ସ୍ୱର ସୃଷ୍ଟି କରୁଥାଏ ଭିନ୍ନ ଭିନ୍ନ ଶବ୍ଦର ଏକ ମନଲୋଭା ସମ୍ଭାର ।
ଦୁଇ ଦଶନ୍ଧି ତଳେ ତାଙ୍କ ଗାଁର ଜଣେ କାରିଗରଙ୍କ ହାତରେ ସେ ଏହି ଠୋକନା ତିଆରି କରାଇଥିଲେ ଏବଂ ଏଥିରେ ଖୋଦେଇ କରାଯାଇଥିବା ଫୁଲ ଓ ଘୁଙ୍ଗରୁ କୁ ସେ ନିଜେ ଏହି ଉପକରଣରେ ଯୋଡ଼ିଥିଲେ । ଆମକୁ ଦେଖାଇବା ପାଇଁ ଆଉ ଅଧିକ ଷ୍ଟୁଲ ଆଣିବା ଲାଗି ସେ ସ୍କୁଲରେ ପଢୁଥିବା ତାଙ୍କର ଦୁଇ ନାତିଙ୍କୁ କହନ୍ତି ଏବଂ ଏଗୁଡ଼ିକ ଉପରେ ଝୁଙ୍କି ପଡ଼ି ସେ ଆମକୁ ଏହା ପଛରେ ଥିବା ଗୁପ୍ତ ରହସ୍ୟ ସଂପର୍କରେ କହନ୍ତି: ସେ ତିଆରି କରୁଥିବା ପ୍ରତିଟି ପିଦ୍ଦା ରେ ସେ ସତର୍କତାର ସହିତ ପ୍ରାୟ ପାଞ୍ଚଟି ଘୁଙ୍ଗରୁ ବୁଣି ଦେଇଥାଆନ୍ତି । ଏଥିରୁ ଅଧିକାଂଶ ରୁପାରେ କିମ୍ବା ପିତ୍ତଳରେ ତିଆରି ହୋଇଥାଏ । “ପିଲାଟି ଦିନରୁ ମୁଁ ଏହି ଘୁ ଙ୍ଗ ରୁ ର ସ୍ୱରକୁ ଭଲ ପାଇଆସୁଛି,” ଭଗତ ରାମ କହନ୍ତି ।
ପ୍ରତିଟି ଷ୍ଟୁଲ ଅନ୍ୟୂନ ଦୁଇଟି ଉଜ୍ଜ୍ୱଳ ରଙ୍ଗର ଦଉଡ଼ିରେ ବୁଣା ହୋଇଥାଏ । “ଆପଣ ବଜାରରେ ଏଭଳି ରଙ୍ଗିନ ପିଦ୍ଦା ପାଇବେନି,” କଥା ଯୋଡ଼ି ସେ କହନ୍ତି ।
ଏହି ଦଉଡ଼ି ପାଇଁ ସେ ଗୁଜରାଟର ଭାବନଗର ଜିଲ୍ଲା ଅନ୍ତର୍ଗତ ମହୁବା ସହରର ଜଣେ ବ୍ୟବସାୟୀଙ୍କୁ ବରାଦ ଦିଅନ୍ତି। ପରିବହନ ଖର୍ଚ୍ଚ ମିଶାଇ ଗୋଟିଏ କିଲୋ ଦଉଡ଼ି ପାଇଁ ତାଙ୍କୁ ୩୩୦ ଟଙ୍କା ଦେବାକୁ ପଡ଼େ। ପ୍ରାୟତଃ ସେ ଭିନ୍ନ ଭିନ୍ନ ରଙ୍ଗର ପାଞ୍ଚରୁ ସାତ କୁଇଣ୍ଟାଲ ଦଉଡ଼ି ବରାଦ ଦେଇଥାଆନ୍ତି।
ତାଙ୍କ ପଛରେ ଥିବା ଟେବୁଲ ତଳେ ଦଉଡ଼ିର କେତେକ ବିଡ଼ା ପଡ଼ିଥାଏ । ସେ ସେଠାରୁ ଉଠି ଯିବା ସମୟରେ ଆମକୁ ତାଙ୍କ ବାସ୍ତବ ସଂଗ୍ରହର ଭଣ୍ଡାର ଦେଖାନ୍ତି – ରଙ୍ଗିନ ଦଉଡ଼ିରେ ଭର୍ତ୍ତି ଗୋଟିଏ ଆଲମାରି ।
ଆମ ହାତରେ ସେଥିରୁ ଖଣ୍ଡେ ଦେଇ ସେ ଏହି ଦଉଡ଼ିଟି କେତେ “ ମୁଲାୟମ ” – କୋମଳ ଲାଗୁଛି ବୋଲି ସେ ପଚାରନ୍ତି । ଏହା କେଉଁଥିରେ ତିଆରି ହୋଇଛି ଜାଣି ନଥିଲେ ବି ଏହା ଯେ ଛିଣ୍ଡିଯିବ ନାହିଁ ବୋଲି ସେ ନିଶ୍ଚିତ । ଏବଂ ତାଙ୍କ ପାଖରେ ଏହାର ପ୍ରମାଣ ରହିଛି । ଥରେ, ଜଣେ ଗ୍ରାହକ ତାଙ୍କର ଏହି ଦଉଡ଼ିରେ ତିଆରି ଷ୍ଟୁଲ ଓ ଖଟର ଗୁଣମାନକୁ ନେଇ ସନ୍ଦେହ କଲେ । ତେଣୁ, ଏହାକୁ ହାତରେ ଛିଣ୍ଡାଇ ଦେଖାଇବା ଲାଗି ଭଗତ ତାଙ୍କୁ ଚ୍ୟାଲେଞ୍ଜ କଲେ । ଥରେ ନୁହେଁ, ଦୁଇ ଦୁଇ ଥର ପାଇଁ ଭଗତ ଠିକ୍ ପ୍ରମାଣିତ ହୋଇସାରିଛନ୍ତି । କେବଳ ସେହି ଗ୍ରାହକ ଜଣକ ନୁହଁନ୍ତି, ଏମିତି କି ସୋନୁ ପହଲୱାନ ନାମକ ଜଣେ ପୋଲିସ ଅଧିକାରୀ ବି ଚେଷ୍ଟା କରି ବିଫଳ ହେଲେ ।


ଭଗତ ରାମ ଉପଯୋଗ କରୁଥିବା ଦୁଇଟି ଉପକରଣ ଖୁଟି (ବାମ) ଓ ଠୋକନା (ଡାହାଣ) । ଠୋକନା ରେ ଲାଗିଥିବା ଘଣ୍ଟିଗୁଡ଼ିକୁ ଭଗତ ରାମ ନିଜେ ଯୋଡ଼ିଛନ୍ତି


ବାମ ଓ ଡାହାଣ : ଭଗତ ରାମ ତାଙ୍କର ରଙ୍ଗିନ ଦଉଡ଼ି ସବୁ ଦେଖାଉଛନ୍ତି
ଚାରପାଇ ତିଆରିରେ ଦଉଡ଼ିର ସ୍ଥାୟିତ୍ୱ ହିଁ ବଡ଼କଥା । ଏହା ବିଛଣାର ଆଧାର ଗଠନ କରିଥାଏ ଏବଂ ଭାର ବହନ ପାଇଁ ଆବଶ୍ୟକ ସାମର୍ଥ୍ୟ ପ୍ରଦାନ ସହିତ ସ୍ଥାୟିତ୍ୱକୁ ସୁନିଶ୍ଚିତ କରେ । କୌଣସି କାରଣରୁ ଏହାର ସାମର୍ଥ୍ୟକୁ ଅଣଦେଖା କରିଗଲେ ପରିଣାମରେ ଏହା ଅସୁବିଧା ସୃଷ୍ଟି କରିଥାଏ ଏବଂ ଏମିତି କି ବେଳେବେଳେ ଛିଣ୍ଡିଯାଇଥାଏ ।
ଭଗତ ରାମଙ୍କ ପାଇଁ କେବଳ ସେହି ଦଉଡ଼ିର ଶକ୍ତି ଯେ ଏକମାତ୍ର ଚ୍ୟାଲେଞ୍ଜ ଥିଲା ତାହା ନୁହେଁ, ବରଂ ଏହା ଥିଲା ତାଙ୍କ କାରିଗରୀ କୌଶଳକୁ ସ୍ୱୀକୃତିର ପ୍ରଶ୍ନ । ଯେତେବେଳେ ପୋଲିସ ଅଧିକାରୀ ଜଣକ ବାଜି ଜିତିଯାଇଥିବାରୁ ସେ କ’ଣ ଚାହାଁନ୍ତି ବୋଲି ପଚାରିଲେ, ଉତ୍ତରରେ ଭଗତ କହିଲେ, “ଆପଣ ନିଜ ବିଫଳତାକୁ ସ୍ୱୀକାର କରିନେବା ହିଁ ଯଥେଷ୍ଟ ।” କିନ୍ତୁ ଅଫିସର ଜଣକ ଦୁଇଟି ବଡ଼ ବଡ଼ ଗୋହାନା କୀ ଜଲେବୀ କିଣି ତାଙ୍କୁ ଦେଇଥିଲେ । ସେଦିନର ସେହି କଥା ମନେ ପକାଇବା ବେଳେ ଜଲେବୀ କେତେ ବଡ଼ ଥିଲା ବୋଲି ଦେଖାଇବାକୁ ଯାଇ ସେ ହସି ହସି ନିଜର ଦୁଇ ହାତକୁ ମେଲାଇ ଦିଅନ୍ତି ।
ସେଦିନ କେବଳ ସେହି ପୋଲିସ ଅଧିକାରୀ ଜଣକ ଯେ କିଛି ଶିକ୍ଷାଲାଭ କରିଥିଲେ ତାହା ନୁହେଁ, ବରଂ ଭଗତ ରାମ ବି କିଛି ଶିଖିଥିଲେ । ହସ୍ତଶିଳ୍ପ ମେଳା ବୁଲିବାକୁ ଆସିଥିବା କେତେକ ବୟସ୍କା ମହିଳାଙ୍କ ପାଇଁ ଏତେ କମ ଉଚ୍ଚତାର ପିଦ୍ଦା ରେ ବସିବା ଆଦୌ ଆରାମଦାୟକ ନଥିଲା ଏବଂ ଏହା ସେମାନଙ୍କ ଆଣ୍ଠୁ ଯନ୍ତ୍ରଣାର କାରଣ ସାଜିଥିଲା । ଆଜିକାଲି ସେ ଷ୍ଟିଲ ଛାଞ୍ଚରେ ତିଆରି କରୁଥିବା ଅଧିକ ଉଚ୍ଚତାର ଷ୍ଟୁଲଗୁଡ଼ିକ ଆଡ଼କୁ ଆଙ୍ଗୁଠି ଦେଖାଇ ଭଗତ ରାମ କହନ୍ତି, “ସେଦିନ ସେମାନେ ମୋତେ ପ୍ରାୟ ୧.୫ ଫୁଟ୍ ଉଚ୍ଚର ପିଦ୍ଦା ତିଆରି କରିବାକୁ କହିଥିଲେ ।
ବର୍ଷା ଆରମ୍ଭ ହୋଇଯାଇଥିଲା, ଏବଂ ତାଙ୍କ ସ୍ତ୍ରୀ କ୍ରିଷ୍ଣା ଦେବୀ ତୁରନ୍ତ ଅଗଣାରୁ କେତେଟା ପିଦ୍ଦା ଆଣି ପକାଇ ଦେଇଥିଲେ । ଏହି ୭୦ ବର୍ଷୀୟା ମହିଳା ଜଣକ ପୂର୍ବରୁ ଦରି ବୁଣୁଥିଲେ, କିନ୍ତୁ ପ୍ରାୟ ପାଞ୍ଚ ବର୍ଷ ତଳେ ଏହି କାମ ବନ୍ଦ କରିଦେଇଥିଲେ । ଆଜିକାଲି ସେ ଘରକାମ କରି ଏବଂ ଗୃହପାଳିତ ପ୍ରାଣୀମାନଙ୍କର ଦେଖାରଖା କରି ସମୟ ବିତାଉଛନ୍ତି ।
ହେଲେ, ବାପାଙ୍କ ପଦାଙ୍କ ଅନୁସରଣ କରିନାହାନ୍ତି ଭଗତ ରାମଙ୍କ ଦୁଇ ପୁଅ- ଯଶବନ୍ତ କୁମାର ଏବଂ ସୁନେହରା ସିଂହ । ସୁନେହରା ହିସାର ଜିଲ୍ଲା କୋର୍ଟରେ ଟାଇପିଷ୍ଟ ଭାବେ କାମ କରୁଥିବା ବେଳେ ଯଶବନ୍ତ ପରିବାରର ଜମିବାଡ଼ି ଦେଖାରଖା କରି ସେଥିରେ ଗହମ ଓ ପନିପରିବା ଚାଷ କରନ୍ତି । “କେବଳ ଏହି କାରିଗରୀ କରି କେହି ଚଳି ପାରିବେ ନାହିଁ, ମୁଁ ମାସକୁ ୨୫,୦୦୦ ଟଙ୍କା ପେନସନ୍ ପାଉଥିବାରୁ ଚଳେଇ ନେଉଛି,” ସେ କହନ୍ତି ।


ବାମ ଓ ଡାହାଣ: ଭଗତ ରାମ ତିଆରି କରିଥିବା ପିଦ୍ଦା


ବାମ: ସ୍ତ୍ରୀ କ୍ରିଷ୍ଣା ଦେବୀ, ସାନପୁଅ ସୁନେହରା ସିଂହ ଓ ନାତି ମନୀତ ଓ ଇଷାନଙ୍କ ସହିତ ଭଗତ ରାମ । ଡାହାଣ: ଗୋଟିଏ ପିଦ୍ଦାରେ ଶେଷ ସ୍ପର୍ଶ ଦେଉଛନ୍ତି ସୁନେହରା
*****
ଭଗତ ରାମ ତାଙ୍କ ପିଦ୍ଦା ର ଦର ୨,୫୦୦ରୁ ୩,୦୦୦ ଟଙ୍କା ଭିତରେ ରଖିଛନ୍ତି । ସେ କହନ୍ତି ଯେ ସେ ପ୍ରତି ଦିଗକୁ ଧ୍ୟାନ ଦେଇ ନିଖୁଣ ଭାବରେ ଗଢୁଥିବା କାରଣରୁ ଏହି ଦର ଅଧିକ । “ପ୍ରତିଟି ଜିନିଷକୁ ଅତି ଯତ୍ନରେ ବଛାଯାଏ, ଏଠାରୁ ଆଠ କିଲୋମିଟର ଦୂର ହାନସିରୁ ପାଇ (ଗୋଡ଼) କିଣାଯାଏ । ଏହାକୁ ଆମେ ପୈଡ଼ି , ମୋଟା ପେଡ , କିମ୍ବା ଡାଟ୍ ବୋଲି କହୁ । ଏଥିରେ ଆମେ ଖୋଦେଇ କରି ଗ୍ରାହକମାନଙ୍କୁ ଦେଖାଉ । ସେମାନେ ସମ୍ମତି ଦେବା ପରେ ମୁଁ ଏହାକୁ ପାଲିସ୍ କରେ,” ସେ କହନ୍ତି ।
ଚାରପାଇ ତିଆରି କରିବା ସମୟରେ ବି ସେହି ଏକା ନିର୍ଭୁଲ ଉପାୟ ପ୍ରୟୋଗ କରାଯାଏ । ଗୋଟିଏ ରଙ୍ଗର ଖଟଟିଏ ତିଆରି କରିବାକୁ ତିନିରୁ ଚାରି ଦିନ ଲାଗୁଥିବା ବେଳେ ବରାଦ ମୁତାବକ ଡିଜାଇନର ଚାରପାଇ କାମ ଶେଷ କରିବାକୁ ୧୫ ଦିନ ଯାଏଁ ଲାଗିଯାଏ ।
ଚାରପାଇ ତିଆରି କରିବାକୁ ଯାଇ ଭଗତ ରାମ ପ୍ରଥମେ କାଠ ଛାଞ୍ଚ ଭିତରେ ଗୋଟିଏ ଫୁଟ ସ୍ଥାନ ଛାଡ଼ି ଉଭୟ ପଟେ ଦଉଡ଼ିକୁ ଭୂ-ସମାନ୍ତର ଭାବରେ ରଖନ୍ତି, ପ୍ରତି କଡ଼ରେ ଦୁଇରୁ ତିନିଟି ଗଣ୍ଠି ପକାଇ ଏହାକୁ ମଜଭୁତ କରି ନିଅନ୍ତି । ଏହା ପରେ ସେ ଦଉଡ଼ିକୁ ଲମ୍ବ ଭାବରେ ବାନ୍ଧି ଆଡ଼ସୂତା ତିଆରି କରନ୍ତି । ଏକା ସାଙ୍ଗରେ ସେ କୁଣ୍ଡା ବୋଲି କୁହାଯାଉଥିବା ଗୋଟିଏ ଉପକରଣ ବ୍ୟବହାର କରି ଚାରପାଇ କୁ ମଜଭୁତ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଧରଣର ଦଉଡ଼ି ବନ୍ଧା କୌଶଳ ପ୍ରୟୋଗ କରନ୍ତି, ଯାହାକୁ ଗୁଣ୍ଡି କୁହାଯାଏ ।
“ ଚାରପାଇ ତିଆରି ବେଳେ ଗୁଣ୍ଡି ନିହାତି ଆବଶ୍ୟକ, କାରଣ ଏହା ଫଳରେ ଦଉଡ଼ି ଢିଲା ହୋଇଯାଏ ନାହିଁ,” ଭଗତ ରାମ ବୁଝାଇ ଦିଅନ୍ତି ।
ଥରେ ଆଡ଼ସୂତା ତିଆରି ହୋଇଗଲେ, ତୀର୍ଯ୍ୟକ ଭାବରେ ରଙ୍ଗିନ ଦଉଡ଼ି ବୁଣି ସେ ଏହାକୁ ଭରିବା ଆରମ୍ଭ କରନ୍ତି । ଏହି ସବୁ ଦଉଡ଼ିଗୁଡ଼ିକୁ ବି ଗୁଣ୍ଡି ବ୍ୟବହାର କରି ସ୍ଥିର ରଖାଯାଏ । ଗୋଟିଏ ସିଙ୍ଗଲ ଦଉଡ଼ିଆ ଖଟ ତିଆରି କରିବାରେ ପ୍ରାୟ ୧୦ରୁ ୧୫ କିଲୋଗ୍ରାମ ଦଉଡ଼ି ଲାଗିଥାଏ ।
ପ୍ରତି ଥର ଗୋଟିଏ ଭିନ୍ନ ରଙ୍ଗର ଦଉଡ଼ି ସଂଯୋଗ କରିବା ବେଳେ ସେ ଦୁଇଟି ଦଉଡ଼ିକୁ ଯୋଡ଼ି ଛୁଞ୍ଚି ଓ ସୂତାରେ ଏହାର ଦୁଇ ମୁଣ୍ଡକୁ ସିଲାଇ କରି ଦିଅନ୍ତି । ଦଉଡ଼ିଟି ଯେଉଁଠାରେ ଶେଷ ହୋଇଥାଏ, ସେଠାରେ ମଧ୍ୟ ସେ ସେହି ଏକା ରଙ୍ଗର ସୂତା ବ୍ୟବହାର କରି ଏହାକୁ ପରବର୍ତ୍ତୀ ଦଉଡ଼ି ସହିତ ଯୋଡ଼ି ଦିଅନ୍ତି । “ଯଦି ମୁଁ କେବଳ ଗଣ୍ଠି ପକାଇ ଦେବି ତେବେ ଏହା ଚନ୍ନା ଭଳି ଦେହରେ ଫୋଡ଼ି ହୋଇଯିବ,” ସେ କହନ୍ତି ।


ବାମ : ଚାରପାଇ ତିଆରି କରିବା ବେଳେ ଭଗତ ରାମ ଦଉଡ଼ିଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କୌଶଳରେ ବାନ୍ଧନ୍ତି । ଡାହାଣ : ପ୍ରତି ଥର ଦୁଇଟି ସୂତାର ଶେଷଭାଗ ଯୋଡ଼ିବା ପାଇଁ ସେ ସେଗୁଡ଼ିକୁ ଛୁଞ୍ଚି ଓ ସୂତା ବ୍ୟବହାର କରି ସିଲେଇ କରି ଦିଅନ୍ତି


ବାମ : ଗୁଣ୍ଡି ହେଉଛି ଚାରପାଇ କୁ ଆହୁରି ମଜଭୁତ କରିବା ଲାଗି ଗୋଟିଏ କୁଣ୍ଡା ବ୍ୟବହାର କରି ଦଉଡ଼ି ବାନ୍ଧିବାର ଏକ ନିର୍ଦ୍ଦିଷ୍ଟ କୌଶଳ ଡାହାଣ : ଭଗତ ରାମଙ୍କ ସରଞ୍ଜାମ
ଅଧିକାଂଶ ସମୟରେ ନୂଆ ନୂଆ ଡିଜାଇନର ଚାରପାଇ ତିଆରି କରିବା ଲାଗି ଯାହା ତାଙ୍କୁ ପ୍ରେରିତ କରିଥାଏ, ତାହା ହେଉଛି ବିଭିନ୍ନ ଗାଁର ପୁରୁଣାକାଳିଆ ଘରେ ହୋଇଥିବା ଖୋଦେଇ କାମ ଓ କାନ୍ଥରେ ଅଙ୍କାଯାଇଥିବା ଚିତ୍ର ସମୂହ । ହରିଆଣାର ଅନ୍ୟାନ୍ୟ ଭାଗରେ ରହୁଥିବା ତାଙ୍କ ସଂପର୍କୀୟମାନଙ୍କ ଘରକୁ ଯାଇଥିବା ବେଳେ ମଧ୍ୟ ଏସବୁକୁ ଦେଖି ସେ ଏଭଳି ଡିଜାଇନ କରିବାକୁ ସ୍ଥିର କରିଥାଆନ୍ତି । ତାଙ୍କ ଫୋନରେ ଥିବା ସ୍ୱସ୍ତିକ ଚିହ୍ନ ଓ ଚୌପର ଖେଳର ବୋର୍ଡ ଡିଜାଇନରେ କରାଯାଇଥିବା ଗୋଟିଏ ଚାରପାଇ ର ଫଟୋକୁ ଦେଖାଇ ଭଗତ ରାମ କହନ୍ତି, “ଫୋନରେ ମୁଁ ଫଟୋ ଉଠାଇ ନିଏ ଏବଂ ଏହାକୁ ଅବିକଳ ଭାବରେ ଚାରପାଇ ରେ ପ୍ରୟୋଗ କରେ ।” ଗୋଟିଏ ଦଉଡ଼ିଆ ଖଟ କିମ୍ବା ଷ୍ଟୁଲ ତିଆରି ହୋଇଯିବା ପରେ ଶାଳକାଠରେ ତିଆରି ଏହାର ବାଇ (ଦୁଇ କଡ଼ରେ ଲମ୍ବ ବାଗରେ ଲାଗିଥିବା କାଠ ଖଣ୍ଡ) ଏବଂ ଶେରୁ (ଓସାର ବାଗରେ ଲାଗିଥିବା କାଠ ଖଣ୍ଡ), ଏବଂ ଶିଶୁ କାଠରେ ତିଆରି ପାଇ (ଗୋଡ଼)କୁ ଛୋଟ ଛୋଟ ପିତ୍ତଳ ଖଣ୍ଡରେ ସଜାଇ ଦିଆଯାଏ ।
ସାଧାରଣତଃ ଭଗତ ରାମ ତିଆରି କରିଥିବା ଦଉଡ଼ିଆ ଖଟର ଦାମ୍ ୨୫,୦୦୦ରୁ ୩୦,୦୦୦ ଟଙ୍କା ଭିତରେ ରହେ । ଏହା ଖଟର ଆକାର ଉପରେ ନିର୍ଭର କରିଥାଏ- ଯେମିତି କି ୮x୬ ଫୁଟ୍, ୧୦x୮ଫୁଟ୍ କିମ୍ବା ୧୦x୧୦ ଫୁଟ୍ । ପ୍ରତିଟି ଚାରପାଇ କିମ୍ବା ପିଦ୍ଦା ରେ ସେ ମଜୁରି ବାବଦରେ ଦୈନିକ ୫୦୦ ଟଙ୍କା ରଖନ୍ତି ଏବଂ ଏଥିରୁ ମାସକୁ ୫,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରନ୍ତି । “ ୟେ ସରକାର କା ମାଲ ତୋ ହୈ ନହିଁ, ମେରେ ମନ୍ କା ମୋଲ ହୈ, (ଏହା ସରକାରୀ ଦର ନୁହେଁ; ଏହା ମୋ ନିଜର ଦର।)” ଭଗତ ରାମ କହନ୍ତି ।
ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହସ୍ତକଳା ତାଲିକାରେ ଚାରପାଇ କୁ ସ୍ଥାନିତ କରିବା ଲାଗି ସେ ଉଦ୍ୟମ ଚଳାଇଛନ୍ତି । “ଏହା ଏକ ନିବେଦନ ଏବଂ ସ୍ଥାନୀୟ ଏକ ନ୍ୟୁଜ୍ ଚ୍ୟାନେଲରେ ଆୟୋଜିତ ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ମୁଁ ଏହି ନିବେଦନ କରିଛି,” ଗର୍ବର ସହିତ ‘ପରୀ’କୁ ତାଙ୍କ ମୋବାଇଲରେ ଥିବା ଭିଡିଓ ଦେଖାଇ ସେ କହନ୍ତି ।
ଫରିଦାବାଦର ସୂରଜକୁଣ୍ଡ ମେଳାର ହସ୍ତଶିଳ୍ପ ମେଳାରେ ତାଙ୍କ କାରିଗରୀକୁ ପ୍ରଦର୍ଶିତ କରିବା ଲାଗି ସେ ଦୁଇ ଦୁଇ ଥର ଯାଇଛନ୍ତି । ଏହା ତାଙ୍କ ଗାଁଠାରୁ ୨୦୦ କିଲୋମିଟର ଦୂରରେ । କିନ୍ତୁ ପ୍ରଥମ ଥର, ୨୦୧୮ରେ, ତାଙ୍କ ପାଖରେ କାରିଗରଙ୍କ ପାଇଁ ଉଦ୍ଦିଷ୍ଟ କାର୍ଡ ନଥିବାରୁ ପୋଲିସ ତାଙ୍କୁ ସେ ସ୍ଥାନ ଛାଡ଼ି ଚାଲି ଯିବାକୁ କହିଥିଲା । କିନ୍ତୁ ଭାଗ୍ୟ ତାଙ୍କ ସପକ୍ଷରେ ଥିଲା । ଡେପୁଟି ସୁପରିଣ୍ଟେଣ୍ଡେଣ୍ଟମାନଙ୍କ ପାଇଁ ଦୁଇଟି ଚାରପାଇ ଦେବାକୁ ଜଣେ ସବ୍ ଇନସପେକ୍ଟର ତାଙ୍କୁ କହିଥିଲେ । ତା’ପରେ ତାଙ୍କୁ ଆଉ କେହି ବାଧା ଦେଇ ନଥିଲେ । “ସମସ୍ତେ କହିଲେ, “ ତାଉ ତୋ ଡିଏସପି ସାହେବ କା ବହୋତ ତଗଡ଼ା ଜାନକାର ହୈ (ବଡ଼ବାପାଙ୍କର ଡିଏସପିମାନଙ୍କ ସହିତ ଭଲ ସଂପର୍କ ରହିଛି),” ଅଳ୍ପ ହସି କହନ୍ତି ଭଗତ ।
ହସ୍ତଶିଳ୍ପୀ ଭାବରେ ଗୋଟିଏ କାର୍ଡ ପାଇବା ଲାଗି ଆବେଦନ କରିବା ବେଳେ ସେ ଜାଣିବାକୁ ପାଇଲେ ଯେ ବସ୍ତ୍ର ମନ୍ତ୍ରାଳୟ ପକ୍ଷରୁ ଚାରପାଇ କାରିଗରଙ୍କୁ ସ୍ବୀକୃତି ପ୍ରଦାନ କରାଯାଇନାହିଁ । କାର୍ଡରେ ସଂଲଗ୍ନ ହେବାକୁ ଥିବା ଫଟୋ ଲାଗି ଜଣେ ଦରି କାରିଗର ରୂପେ ନିଜକୁ ଉପସ୍ଥାପନ କରିବାକୁ ରେୱାଡ଼ିର ସ୍ଥାନୀୟ ଅଧିକାରୀମାନେ ତାଙ୍କୁ ପରାମର୍ଶ ଦେଲେ ।
୨୦୧୯ରେ ଏହି କାର୍ଡକୁ ସେ ସାଙ୍ଗରେ ନେଇ ଯାଇଥିଲେ । ମେଳାରେ ସମସ୍ତେ ତାଙ୍କ ଚାରପାଇ ର ପ୍ରଶଂସା କରିଥିଲେ ହେଁ ନିଜ ହସ୍ତଶିଳ୍ପ ପାଇଁ ପୁରସ୍କାରଟିଏ ପାଇବା ଲାଗି ସେଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସେ ଯୋଗ୍ୟ ବିବେଚିତ ହୋଇ ନଥିଲେ । “ମୋତେ ଖରାପ ଲାଗିଲା, କାରଣ ମୁଁ ବି ମୋ ହାତର କଳା କାରିଗରୀକୁ ପ୍ରଦର୍ଶିତ କରି ପୁରସ୍କାର ପାଇବାକୁ ଚାହୁଁଥିଲି,” ଭଗତ ରାମ କହନ୍ତି ।


ବାମ ଓ ଡାହାଣ: ଗୋଟିଏ ପିଦ୍ଦାରେ ସାଜସଜ୍ଜା


ବାମ: ଗୋଟିଏ ଚାରପାଇ କରିବା ଲାଗି ଭଗତ ରାମଙ୍କୁ ୧୫ ଦିନ ଲାଗେ । ଡାହାଣ: ଆକାର ଉପରେ ନିର୍ଭର କରି ସାଧାରଣତଃ ସେଗୁଡ଼ିକର ଦର ୨୫,୦୦୦ରୁ ୩୦,୦୦୦ ଟଙ୍କା ହୋଇଥାଏ
*****
ଏମିତି ଏକ ନିର୍ଦ୍ଦିଷ୍ଟ ଚାରପାଇ ପାଇଁ ପାଇଥିବା ବରାଦକୁ ସେ ଭୁଲି ପାରିବେନି –ଖୁବ୍ ବଡ଼ ଏହି ଚାରପାଇ ର ଆକାର ଥିଲା ୧୨x୬.୫ ଫୁଟ ଏବଂ ୨୦୨୧ରେ ବର୍ଷେ କାଳ ଚାଲିଥିବା କୃଷକ ଆନ୍ଦୋଳନ ସକାଶେ ଏହାକୁ ତିଆରି କରାଯାଇଥିଲା । ( ଏଠାରେ ଏ ସଂପର୍କିତ ‘ପରୀ’ର ପୂର୍ଣ୍ଣାଙ୍ଗ ରିପୋର୍ଟ ପଢ଼ନ୍ତୁ)। କିଷାନ ଆନ୍ଦୋଳନ (କୃଷକ ଆନ୍ଦୋଳନ) ନିମନ୍ତେ ଏହି ଚାରପାଇ ବୁଣିବାକୁ ଭଗତଙ୍କୁ କୁହାଯାଇଥିଲା ।
ଏହି ବିରାଟ ଆକାରର ଚାରପାଇ ପାଇଁ ତାଙ୍କୁ ୧୫୦,୦୦୦ ଟଙ୍କା ଦିଆଯାଇଥିଲା, ଏହାର ଓଜନ ଥିଲା ପ୍ରାୟ ୫୦୦ କିଲୋଗ୍ରାମ । “ମୋତେ ଏହାକୁ ଅଗଣାରେ ବିଛାଇ କାମ କରିବାକୁ ପଡ଼ିଥିଲା, କାରଣ ଏହା ମୋ କୋଠରି ଭିତରେ ରହୁ ନଥିଲା,” ଭଗତ କହନ୍ତି । ତସବିର ସିଂହ ଅହଲାୱତ ବରାଦ ଦେଇଥିବା ଏହି ଖଟଟି ଅହଲାୱତ ଗୋଷ୍ଠୀ ସହିତ ଭଗତଙ୍କ ଗାଁରୁ ୭୬ କିଲୋମିଟର ଦୂର ହରିଆଣାର ଦିଘାଲ ଟୋଲ ପ୍ଲାଜା ପର୍ଯ୍ୟନ୍ତ ଯାତ୍ରା କରିଥିଲା ।
ଏମିତି ତ ତାଙ୍କ ହାତର କାରିଗରୀ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ କର୍ଣ୍ଣାଟକର ଗ୍ରାହକଙ୍କ ଯାଏଁ ମଧ୍ୟ ଯାତ୍ରା କରି ସାରିଛି ।
“ଏହା ଏକ ଶୌକ (ଝୁଙ୍କ) – ସମସ୍ତଙ୍କ ପାଖରେ ଏହା ନଥାଏ,” ହରିଆଣାର ଜଣେ ପଶୁପାଳକ ୩୫,୦୦୦ ଟଙ୍କା ଦେଇ ଗୋଟିଏ ଚାରପାଇ କିଣିଥିବା କଥା ମନେ ପକାଇ କହନ୍ତି ଭଗତ ରାମ । “ମୁଁ ଯେତେବେଳେ ଜାଣିଲି ଯେ ସେ ଜଣେ ମାମୁଲି ପଶୁପାଳକ, ମୁଁ ତାଙ୍କ ଟଙ୍କା ଫେରାଇ ଦେବାକୁ ପ୍ରସ୍ତାବ ଦେଲି । କିନ୍ତୁ ସେ ମନା କଲେ ଏବଂ ଏଥିପାଇଁ ଲକ୍ଷେ ଟଙ୍କା ଦେବାକୁ ପଡ଼ିଥିଲେ ବି ସେ ଏହାକୁ କିଣିଥାନ୍ତେ ବୋଲି କହିଲେ ।”
ଏହା ଭିତରେ, ୨୦୧୯ରେ ଦ୍ୱିତୀୟ ଥର ପାଇଁ ବାର୍ଷିକ ହସ୍ତଶିଳ୍ପ ମେଳାକୁ ଯାଇଥିବା ଭଗତ ରାମ ସେଠାକୁ ଯିବା ବନ୍ଦ କରିଦେଇଛନ୍ତି । କାରଣ ଏଥିରୁ ତାଙ୍କର ସେତେ ବେଶୀ ରୋଜଗାର ହେଉନାହିଁ । ଘରେ ତାଙ୍କୁ ପର୍ଯ୍ୟାପ୍ତ କାମ ମିଳିଯାଉଛି ଏବଂ ନୂଆ କାମର ବରାଦ ଦେବା ଲାଗି ତାଙ୍କ ଫୋନର ଘଣ୍ଟି ଅହରହ ବାଜି ଚାଲିଛି । “ ଚାରପାଇ କିମ୍ବା ପିଦ୍ଦା କଥା ପଚାରିବା ଲାଗି ସବୁବେଳେ କେହି ନା କେହି ଜଣେ ଡାକୁଥିବେ,” ସାମାନ୍ୟ ଗର୍ବମିଶା ସ୍ୱରରେ କହନ୍ତି ଭଗତ ରାମ ।
ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ପକ୍ଷରୁ ପ୍ରଦତ୍ତ ଏକ ଫେଲୋସିପ୍ର ସହାୟତା ରହିଛି
ଅନୁବାଦ : ଓଡ଼ିଶାଲାଇଭ୍