କିଶନଗଡ଼ ସେଧା ସିଂ ୱାଲାରେ ନିଜ ଘର ବାରଣ୍ଡାରେ ବସି ସୁର୍ଜିତ କୌର କୁହନ୍ତି, ‘‘ଆମ ପିଢ଼ିର ମହିଳାମାନେ ଯଦି ଶିକ୍ଷିତ ହୋଇଥାନ୍ତେ, ପରିସ୍ଥିତି ଭିନ୍ନ ହୋଇଥା’ନ୍ତା।’’ ପଛରେ ତାଙ୍କର ନାତି ନାତୁଣୀ ବସିଛନ୍ତି । ଠିକ୍ ସେମାନଙ୍କ ଭଳି ହୋଇଥିବା ବେଳେ ତାଙ୍କୁ ପଞ୍ଚମ ଶ୍ରେଣୀରୁ ସ୍କୁଲ୍ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା।
‘‘ଶିକ୍ଷା ଜଣେ ବ୍ୟକ୍ତିର ତୃତୀୟ ନୟନ ଖୋଲି ଦେଇଥାଏ,’’ ୬୩ ବର୍ଷୀୟା ଏହି ମହିଳା ଜଣଙ୍କ କୁହନ୍ତି।
ତାଙ୍କର ୭୫ ବର୍ଷ ବୟସ୍କ ପଡ଼ୋଶୀ ଯଶୱିନ୍ଦର କୌର ସହମତି ପୂର୍ବକ ମୁଣ୍ଡ ହଲେଇଥା’ନ୍ତି। ‘‘ମହିଳାମାନେ ପଦାକୁ ଗୋଡ଼ କାଢ଼ିଲେ, ଦୁନିଆ ବିଷୟରେ ଜାଣନ୍ତି,’’ ସେ କୁହନ୍ତି।
ଯଦିଓ ସେମାନେ ନିଜର ସ୍କୁଲ୍ ପାଠପଢ଼ା ସମ୍ପୂର୍ଣ୍ଣ କରିବାର କେବେ ସୁଯୋଗ ପାଇନଥିଲେ, ଆଉ ଗୋଟିଏ ଘଟଣା, ସେମାନେ କୁହନ୍ତି, ସେମାନଙ୍କୁ ଅନେକ ଶିକ୍ଷା ଦେଇଥିଲା। ସୁର୍ଜିତ୍ ଓ ଯଶୱିନ୍ଦରଙ୍କ ସମେତ ସେମାନଙ୍କ ଗାଁର ଆଉ ୧୬ ଜଣ ମହିଳା ୨୦୨୦-୨୧ରେ ହୋଇଥିବା ଐତିହାସିକ ଚାଷୀ ଆନ୍ଦୋଳନରେ ଭାଗ ନେଇ ଦିଲ୍ଲୀ ସୀମାରେ ୧୩ ମାସ ଧରି ରହିଥିଲେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ତାଙ୍କ ଭଳି ଲକ୍ଷାଧିକ ଚାଷୀ ଦିଲ୍ଲୀ ସୀମାକୁ ଅକ୍ତିଆର କରି ରହିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ତିନୋଟି ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଥିଲେ ଯାହାକି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥାକୁ ଅଣ ଦେଖା କରିବା ସହିତ ଘରୋଇ ବ୍ୟବସାୟୀ ଏବଂ କର୍ପୋରେସନଗୁଡ଼ିକୁ ଲାଭ ପହଞ୍ଚାଇବ ବୋଲି ସେମାନେ ଆଶଙ୍କା କରୁଥିଲେ । ଚାଷୀ ଆନ୍ଦୋଳନ ଉପରେ ପରୀର ସମ୍ପୂର୍ଣ୍ଣ କଭରେଜ୍ ଏଠାରେ ପଢ଼ନ୍ତୁ।
ଏହି ରିପୋର୍ଟର୍ ମଇ ୨୦୨୪ରେ ଯେତେବେଳେ କିଶନଗଡ଼ ସେଧା ସିଂ ୱାଲା ଗସ୍ତ କରିଥିଲା, ପଞ୍ଜାବର ଅନେକ ଗାଁ ଭଳି ଏହି ଗାଁ ମଧ୍ୟ ଅମଳ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲା । ଶାସକ ଦଳର କୃଷକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆନ୍ଦୋଳନ ଦ୍ୱାରା ସରଗରମ ହୋଇଥିବା ରାଜନୈତିକ ପାଣିପାଗ ମଧ୍ୟରେ ଜୁନ୍ ପହିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନର ମତଦାନ ପାଇଁ ଗ୍ରାମବାସୀ ପ୍ରସ୍ତୁତ ହେଉଥିଲେ ।
ଯଦି ବିଜେପି ପୁଣିଥରେ ଜିତୁଛି ତା’ହେଲେ ସେମାନେ ଏସବୁ (କୃଷି) ଆଇନକୁ ଯେମିତି ହେଉ ପୁଣିଥରେ ଆଣିବେ,’’ ୬୦ ବର୍ଷ ବୟସ୍କା ଜର୍ଣ୍ଣୈଲ କୌର କୁହନ୍ତି, ଯାହାଙ୍କ ପରିବାର ପାଖରେ କିଶନଗଡ଼ ସେଧା ସିଂ ୱାଲାରେ ୧୦ ଏକର ଜମି ରହିଛି। ‘‘ଆମେ ସଚେତନ ହୋଇ ଭୋଟ୍ ଦେବାର ଆବଶ୍ୟକତା ରହିଛି।’’
(ଶିରୋମଣି ଅକାଳୀ ଦଳର ହର୍ସିମରତ୍ କୌର ବାଦଲ 2024 ନିର୍ବାଚନରେ ଭଟ୍ଟିଣ୍ଡା ଲୋକସଭା ଆସନରେ ବିଜୟୀ ହୋଇଛନ୍ତି। ଏହି ଫଳାଫଳ ଜୁନ୍ 4 ତାରିଖ 2024ରେ ଘୋଷଣା କରାଯାଇଥିଲା।)


ବାମ: କିଶନଗଡ଼ ଗାଁ ଘରେ ସୁରଜିତ କୌର। ଡାହାଣ: ପଞ୍ଜାବର ମନସା ଜିଲ୍ଲାସ୍ଥିତ ଯଶବିନ୍ଦର କୌରଙ୍କ ନିଜ ଘରେ ଉଠାଯାଇଥିବା ଫଟୋ
ଡିସେମ୍ବର ୨୦୨୧ରେ ବନ୍ଦ ହୋଇଥିବା ଚାଷୀ ଆନ୍ଦୋଳନରୁ ମିଳିଥିବା ଶିକ୍ଷା ଏବେ ସୁଦ୍ଧା ଗାଁରେ ପ୍ରତିଫଳିତ ହେଉଛି । ‘‘ସରକାର ଆମ ଜୀବିକା ଛଡ଼େଇ ନେବାକୁ ଚାହୁଁଛନ୍ତି,’’ ଯଶୱିନ୍ଦର କୌର କୁହନ୍ତି । ‘‘ଆମେ ତାହା କିଭଳି ହେବାକୁ ଦେବୁ?’’ ସେ ପ୍ରଶ୍ନ କରନ୍ତି।
ଆହୁରି ଅନେକ ଚିନ୍ତା ମଧ୍ୟ ରହିଛି । ‘‘ମାତ୍ର କିଛି ବର୍ଷ ପୂର୍ବରୁ, କିଶନଗଡ଼ ସେଧା ସିଂ ୱାଲାର ଖୁବ୍ କମ୍ ପିଲା ଅନ୍ୟ ଦେଶକୁ ଯାଉଥିଲେ,’’ ସୁର୍ଜିତ କୁହନ୍ତି । ନିଜ ଝିଆରୀ କୁଶଲଦୀପ କୌରଙ୍କ କଥା କହୁଛନ୍ତି, ଯିଏକି ନିକଟରେ ଉଚ୍ଚ ଶିକ୍ଷା ପାଇଁ କାନାଡ଼ାର ବ୍ରମ୍ପଟନ୍କୁ ଚାଲିଯାଇଛନ୍ତି । ଏହି ପ୍ରସ୍ଥାନ ଏକ ଶୂନ୍ୟସ୍ଥାନ ଛାଡ଼ି ଯାଇଛି । ‘‘ବେକାରୀ ସମସ୍ୟା କାରଣରୁ ଏପରି ହେଉଛି,’’ ସୁର୍ଜିତ କୁହନ୍ତି । ‘‘ଯଦି ଏଠାରେ ଚାକିରି ଥାଆନ୍ତା, ଆମେ କାହିଁକି ବିଦେଶ ଯାଇଥା’ନ୍ତୁ?’’ ସେ ନିର୍ଦ୍ଦିଷ୍ଟ ଭାବେ ପଚାରନ୍ତି ।
ତେଣୁ ଆଗାମୀ ନିର୍ବାଚନରେ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ, ପୁଅଝିଅ ଓ ନାତିନାତୁଣୀଙ୍କ ଲାଗି ନିଯୁକ୍ତି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଛି।
‘‘ପ୍ରତ୍ୟେକ ନିର୍ବାଚନରେ ସେମାନେ (ରାଜନେତା) ଆମ ଗାଁ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ସଡ଼କ ଓ ଜଳ ନିଷ୍କାସନ ଭଳି ପ୍ରସଙ୍ଗରେ ବ୍ୟସ୍ତ ରଖୁଛନ୍ତି,’’ ସୁର୍ଜିତ କୁହନ୍ତି। ‘‘ମୋର ଯେତେ ଦୂର ପର୍ଯ୍ୟନ୍ତ ମନେ ଅଛି ଗାଁ ଲୋକମାନେ ଏସବୁ ପ୍ରସଙ୍ଗ ଉପରେ ବହୁ ଦିନ ଧରି ଭୋଟ୍ ଦେଇ ଆସୁଛନ୍ତି।’’


ବାମ: ନିଜ ଜମିରେ ପିଆଜ ଓ ରସୁଣର ଯତ୍ନ ନେଉଥିବା ବେଳେ ସୁରଜିତ କୌର। ଡାହାଣ: ନିଜ କ୍ଷେତରେ ଅମଳ ହେବାକୁ ପ୍ରସ୍ତୁତ ହୋଇଯାଇଥିବା ଫସଲ ମଝିରେ ସେ ଚାଲି ଚାଲି ଯାଉଥିବା ବେଳେ


ବାମ: ମେସିନ ଯୋଗୁଁ ଜମିରେ କାମ କରୁଥିବା ମହିଳାମାନଙ୍କର ସମୟ ବଞ୍ଚୁଛି। ସେମାନେ ପ୍ରତିବାଦ ସଭାଗୁଡ଼ିକରେ ଯୋଗ ଦେଇ ପାରୁଥିବାର ଏହା ମୁଖ୍ୟ କାରଣ। ଡାହାଣ: ଅମଳ ହୋଇଥିବା ଫସଲ ସଂଗ୍ରହ କରିସାରିବା ପରେ ରହୁଥିବା ତୁଷ
*****
ଦକ୍ଷିଣ ପଞ୍ଜାବର ମନସା ଜିଲ୍ଲା ଅଧୀନ କିଶନଗଡ଼ ସେଧା ସିଂ ୱାଲା ଗ୍ରାମ ବିଶ୍ୱେଦାରୀ ବ୍ୟବସ୍ଥା ବିରୋଧରେ ପେପସୁ ମୁଜାରା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ପରିଚିତ । ଦୀର୍ଘ ଦିନ ଧରି ସଂଘର୍ଷ ପରେ ୧୯୫୨ ମସିହାରେ ଭୂମିହୀନ ଚାଷୀଙ୍କୁ ଜମି ମାଲିକାନା ଅଧିକାର ମିଳିଥିଲା । ୧୯ ମାର୍ଚ୍ଚ ୧୯୪୯ରେ ଏଠାରେ ଚାରି ଜଣ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୨୦-୨୧ ଚାଷୀ ଆନ୍ଦୋଳନ ସମୟରେ ସେମାନଙ୍କର ବଂଶଜଙ୍କୁ ସମ୍ମାନିତ କରାଯାଇଥିଲା।
ଗାଁର ଇତିହାସ ସହିତ ସାମାଜିକ ଆନ୍ଦୋଳନ ଯୋଡ଼ି ହୋଇ ରହିଥିଲେ ସୁଦ୍ଧା ସଦ୍ୟ ଚାଷୀ ଆନ୍ଦୋଳନ ପୂର୍ବରୁ ଅଧିକାଂଶ ମହିଳା କୌଣସି ଆନ୍ଦୋଳନରେ ଅଂଶଗ୍ରହଣ କରିନଥିଲେ । ବର୍ତ୍ତମାନ, ସେମାନେ ଦୁନିଆ ବିଷୟରେ ଜାଣିବା ଲାଗି ଆଗ୍ରହର ସହିତ ଏଭଳି ସୁଯୋଗ ଖୋଜୁଛନ୍ତି । ‘‘ପୂର୍ବରୁ, ଆମ ପାଖରେ ସମୟ ନଥିଲା,’’ ସୁର୍ଜିତ କୌର କୁହନ୍ତି । ‘‘ଆମେ ଜମିରେ କାମ କରୁଥିଲୁ, କପା ଅମଳ କରି ସୂତା କାଟୁଥିଲୁ । କିନ୍ତୁ ଏବେ ସବୁକିଛି ମେସିନରେ ହେଉଛି ।’’
ତାଙ୍କ ଭଉଣୀ, ମଞ୍ଜିତ୍ କୌର କୁହନ୍ତି, ‘‘ଏଠି ଆଉ କପା ଅମଳ ହେଉନାହିଁ ଏବଂ ଲୋକମାନେ ଖଦ୍ଦର୍ (ଖଦୀ) ପିନ୍ଧୁନାହାନ୍ତି । ଘରେ ବୁଣିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ ବନ୍ଦ ହୋଇଯାଇଛି।’’ ଏହି ପରିବର୍ତ୍ତନ ମହିଳାଙ୍କ ପାଇଁ ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ସହଜ କରି ଦେଇଛି ବୋଲି ସେ ଅନୁଭବ କରନ୍ତି ।
ଯଦିଓ ଏ ଗାଁର କିଛି ମହିଳାଙ୍କୁ ନେତୃତ୍ୱର ସୁଯୋଗ ମିଳିଛି, କିନ୍ତୁ ସେମାନଙ୍କର ଆଲୋଚନାରୁ ଏହା ସ୍ପଷ୍ଟ ହୋଇଛି ଯେ ସେଗୁଡ଼ିକ ନାମମାତ୍ର ଥିଲା, ବ୍ୟାବହାରିକ ନୁହେଁ ।


ବାମ: ଦକ୍ଷିଣ ପଞ୍ଜାବର ମନସା ଜିଲ୍ଲା ଅନ୍ତର୍ଗତ କିଶନଗଡ଼ ସେଧା ସିଂ ୱାଲା ଗାଁ ପିଇପିଏସୟୁ ମୁଜରା ଆନ୍ଦୋଳନରେ ଏକ ମୁଖ୍ୟ ଭୂମିକା ତୁଲାଇ ଥିଲା, ଯାହା ଫଳରେ ୧୯୫୨ ରେ ଭୂମିହୀନ ଚାଷୀମାନେ ସେମାନଙ୍କ ଭୂମି ଅଧିକାର ପାଇଥିଲେ। ଡାହାଣ: ଦିନତି ଯେମିତି କଟିଲା ସେ ବିଷୟରେ ଦୁଇ ଯାଆ ସୁରଜିତ କୌର ଓ ମଞ୍ଜିତ କୌର କଥାବାର୍ତ୍ତା ହେଉଛନ୍ତି


ବାମ: ମଞ୍ଜିତ କୌର ଘରେ ବସି ସ୍ଵେଟର ବଉଣୁଛନ୍ତି। ଡାହାଣ: ମଞ୍ଜିତ କୌରଙ୍କ ସ୍ଵାମୀ କୁଳବନ୍ତ ସିଂ (ମାଇକରେ), ଜଣେ ବିକେୟୁ (ଏକତା) ଡକାଉଣ୍ଡା-ଧାନେର ଭାଗର ଜଣେ ନେତା
୬,୦୦୦ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ କିଶନଗଡ଼ ସେଧା ସିଂ ୱାଲାର ପ୍ରଥମ ମହିଳା ସରପଞ୍ଚ ଭାବେ ମଞ୍ଜିତ୍ଙ୍କୁ ସେବା କରିବାର ସୁଯୋଗ ମିଳିଥିଲା । ଉଭୟ ମହିଳା ଦୁଇ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଛନ୍ତି । ‘‘ପ୍ରଥମ ଥର ପାଇଁ ମୁଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲି, ମୁଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲି।’’ ସେହି ବର୍ଷ, ୧୯୯୮ରେ, ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ‘‘ପରବର୍ତ୍ତୀ ନିର୍ବାଚନରେ, ମୁଁ ପୁରୁଷ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ି ୪୦୦-୫୦୦ ଭୋଟ୍ରେ ଜିତିଥିଲି,’’ ଘରେ ବୁଣା କାମ କରିବା ସମୟରେ ମଞ୍ଜିତ କୁହନ୍ତି ।
ଯଦିଓ ଅନ୍ୟ ୧୨ ଜଣ ମହିଳା ମଧ୍ୟ ଏହି ଭୂମିକା ନିର୍ବାହ କରିଥିଲେ, ମଞ୍ଜିତ୍ କୁହନ୍ତି ପୁରୁଷମାନେ ଅଧିକାଂଶ ନିଷ୍ପତ୍ତି ନେଉଥିଲେ। ‘‘ମୁଁ ହିଁ ଏକମାତ୍ର ଥିଲି ଯିଏକି କାମ କେମିତି କରାଇବାକୁ ହେବ ଜାଣିଥିଲି,’’ ସେ କୁହନ୍ତି। ଏଥିପାଇଁ ସେ ନିଜର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଏବଂ ସ୍ୱାମୀ କୁଲୱନ୍ତ ସିଂଙ୍କ ସମର୍ଥନକୁ ଶ୍ରେୟ ଦିଅନ୍ତି । କୁଲୱନ୍ତ ହେଉଛନ୍ତି ଭାରତୀୟ କିଷାନ ୟୁନିଅନ୍ (ଏକତା)ର ଦକୌନ୍ଦାର ଜଣେ ପ୍ରମୁଖ ନେତା ଏବଂ ପୂର୍ବତନ ସରପଞ୍ଚ । ସେ ୧୯୯୩ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ।
କିନ୍ତୁ,
ସୁର୍ଜିତ କୁହନ୍ତି, ‘‘ଏହା ହେଉଛି ସବୁଠୁ କଷ୍ଟକର ନିର୍ବାଚନ ଯେଉଁଠି ଲୋକମାନେ ଜଣେ
ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ପରସ୍ପର ଉପରେ ଚାପ ପ୍ରୟୋଗ କରୁଛନ୍ତି । ଜଣେ
ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀ ଓ ଅନ୍ୟ
ସମ୍ପର୍କୀୟମାନେ କହୁଛନ୍ତି । କେବଳ ଲୋକସଭା ନିର୍ବାଚନରେ ଏପରି ହେଉ ନାହିଁ।’’
୨୦୦୯ ପରଠାରୁ ଶିରୋମଣି ଅକାଳି ଦଳ (ଏସଏଡି)ର ହର୍ସିମରତ୍ କୌର ବାଦଲ ଭଠିଣ୍ଡା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି, ଯାହା ଅଧୀନରେ ଏହି ଗ୍ରାମ ଆସିଥାଏ। ଆଗାମୀ ସାଧାରଣ ନିର୍ବାଚନରେ ସେ ପୁନର୍ବାର ନିର୍ବାଚିତ ହେବାକୁ ରଣାଙ୍ଗନରେ ଓହ୍ଲାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ପକ୍ଷରୁ ଆଇଏଏସରୁ ରାଜନେତା ପାଲଟିଥିବା ପରମପାଲ କୌର ସିଦ୍ଧୁ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୀତ ମହିନ୍ଦର ସିଂ ସିଦ୍ଧୁ ଏବଂ ଆମ୍ ଆଦମୀ ପାର୍ଟୀ (ଆପ୍)ରୁ ପଞ୍ଜାବ କୃଷି ମନ୍ତ୍ରୀ ଗୁରମିତ୍ ସିଂ ଖୁଦିୟାଁ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ।


ବାମ : ମାର୍ଚ୍ଚ ୨୦୨୪ ରେ ବିକେୟୁ (ଏକତା) ଡକୁଣ୍ଡାର ସଭାପତି ମଞ୍ଜିତ ସିଂ ଧାନେରଙ୍କ ନେତୃତ୍ୱରେ ୨୦୨୪ ମାର୍ଚ୍ଚରେ ଦିଲ୍ଲୀଠାରେ ଆୟୋଜିତ ପ୍ରତିବାଦ ସଭାରେ କିଶନଗଡ଼ ଗାଆଁର ମହିଳାମାନେ। ଡାହାଣ: ମଞ୍ଜିତ କୌର (ସମ୍ପୂର୍ଣ୍ଣ ବାମପଟେ) ଓ ସୁରଜିତ କୌର (ମଞ୍ଜିତଙ୍କ ପାଖରେ ଠିଆ ହୋଇଛନ୍ତି) ଓ ଅନ୍ୟ ମହିଳାମାନେ ଏ ବର୍ଷ ଆରମ୍ଭରେ ସେମାନଙ୍କ ଗାଆଁରୁ ଆସି ଲୁଧିଆନାର ଜାଗରଣଠାରେ କିଶାନ ମଜଦୁର ମହାପଞ୍ଚାୟତରେ ଯୋଗ ଦେଇଛନ୍ତି
ଅଧିକାଂଶ ମହିଳାଙ୍କ ପାଇଁ ୨୦୨୦-୨୧ର ଦିଲ୍ଲୀ ଆନ୍ଦୋଳନ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଥିଲା। ଏଥର କେହି ହେଲେ ଚାପ ପକାଇ ସେମାନଙ୍କ ଭୋଟ୍ ନେଇପାରିବେ ନାହିଁ ବୋଲି ସେମାନେ କୁହନ୍ତି । ‘‘ମହିଳାମାନେ ଗୃହବନ୍ଦୀ ଭଳି ରହୁଥିଲେ। ଏସବୁ ଆନ୍ଦୋଳନ ଆମକୁ ବିଦ୍ୟାଳୟ ଭଳି ଅନେକ କିଛି ଶିକ୍ଷା ଦେଇଛି,’’ ସୁର୍ଜିତ କୁହନ୍ତି ।
୨୬ ନଭେମ୍ବର ୨୦୨୦ରେ ଦିଲ୍ଲୀକୁ ସେମାନଙ୍କର ଯାତ୍ରା ବିଷୟରେ ମନେ ପକାଇ ସେ କୁହନ୍ତି, ‘‘ଆମେ ଅପ୍ରସ୍ତୁତ ହୋଇ ଯାଇଥିଲୁ। ସମସ୍ତେ ଭାବୁଥିଲେ ସେମାନେ (ସୁରକ୍ଷା ବଳ) ଚାଷୀଙ୍କୁ ଆଗକୁ ବଢ଼ିବାକୁ ଦେବେ ନାହିଁ ଏବଂ ଯେଉଁଠି ଅଟକାଯିବ ଆମେ ସେଇଠି ରହିବୁ,’’ ସେ କୁହନ୍ତି । ବାହାଦୂରଗଡ଼ ନିକଟସ୍ଥ ଟିକରି ସୀମାରେ ଶିବିର କରି ଅଧିକ ଦିନ ରହିବା ପାଇଁ ସେମାନଙ୍କ ପାଇଁ ଖୁବ୍ କମ୍ ସରଞ୍ଜାମ ଥିଲା ବୋଲି ସେ ଉଲ୍ଲେଖ କରିଥାନ୍ତି। ‘‘ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଆମ ପାଖରେ ସରଞ୍ଜାମ ନଥିଲା, ତେଣୁ ଆମେ ଭିନ୍ନ ଭିନ୍ନ ଉପାୟ କଲୁ। ଶୌଚାଳୟ କିମ୍ବା ଗାଧୁଆ ଘର ପାଇଁ ମଧ୍ୟ ଆମ ପାଖରେ କୌଣସି ବ୍ୟବସ୍ଥା ନଥିଲା।’’ ତଥାପି, ସେମାନେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ରହିଥିଲେ - ଫଳରେ ତିନୋଟି ଆଇନ ପ୍ରତ୍ୟାହାର କରାଗଲା।
ଉଚ୍ଚ ଶିକ୍ଷାର ଅଭାବ ସତ୍ତ୍ୱେ, ସୁର୍ଜିତ କୁହନ୍ତି ସେ ସବୁବେଳେ ପଢ଼ିବା ଓ ଶିଖିବା ଲାଗି ଆଗ୍ରହୀ ଥିଲେ, ‘‘ମହିଳାମାନେ ଅନୁଭବ କରନ୍ତି ଯେ ଯଦି ସେମାନେ ଶିକ୍ଷିତ ହୋଇଥା’ନ୍ତୋ ତା’ହେଲେ ସେମାନେ ଆନ୍ଦୋଳନରେ ଅଧିକ ଯୋଗଦାନ ଦେଇପାରିଥା’ନ୍ତେ।’’
*****
ନିକଟରେ ହର୍ସିମରତ୍ କୌର ବାଦଲ ଗାଁକୁ ପ୍ରଚାର ପାଇଁ ଆସିଥିଲେ। ‘‘ସେମାନେ କେବଳ ନିର୍ବାଚନ ପାଇଁ ଆସନ୍ତି,’’ ନିଜ ଜମିରୁ ମୁଠାଏ ମଲବେରି କୋଳି ଧରି ଖାଉ ଖାଉ ସୁର୍ଜିତ କୌର କୁହନ୍ତି।


ବାମ : ନିଜ ବୋହୁ ସହ ସୁରଜିତ କୌର ତାଙ୍କ ନାତି ନାତୁଣୀମାନଙ୍କ ସହିତ ନିଜ ଚାଷ ଜମି ପାଖରେ। ଡାହାଣ: ଚାଷ ଜମିରେ ହୋଇଥିବା ମଲବେରିରୁ ପତ୍ର ଖୁଣ୍ଟୁଥିବା ବେଳେ ସୁରଜିତ କୌର
ଚାଷୀ-ବିରୋଧୀ ଅଧ୍ୟାଦେଶ ଓ ଆଇନକୁ ବିରୋଧ କରି ସେପ୍ଟେମ୍ବର ୨୦୨୦ରେ ବାଦଲ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଉପରେ ସନ୍ଦେହ ପ୍ରକଟ କରି ସୁର୍ଜିତ କୁହନ୍ତି, ‘‘ଚାଷୀମାନେ ସେମାନଙ୍କ (ଶିରୋମଣି ଅକାଳି ଦଳ) ବିରୋଧରେ ଆନ୍ଦୋଳନ ଆରମ୍ଭ କରିବା ପରେ ସେ ଇସ୍ତଫା ଦେଇଥିଲେ।’’ ସେ ଅସନ୍ତୁଷ୍ଟ ହୋଇ କୁହନ୍ତି, ‘‘ଏଥିପୂର୍ବରୁ ସେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଚାଷୀଙ୍କୁ ତିନୋଟି କୃଷି ଆଇନର ଲାଭ ବିଷୟରେ ବୁଝାଉଥିଲେ।’’
ସାଥୀ ଚାଷୀଙ୍କ ସହିତ ଏକତା ପ୍ରଦର୍ଶନ କରି ୧୩ ମାସର କଠୋର ପରିସ୍ଥିତିକୁ ସହିବା ପରେ ବାଦଲଙ୍କ ବର୍ତ୍ତମାନର ପ୍ରଚାର ଦ୍ୱାରା ସୁରଜିତ ପ୍ରଭାବିତ ହୋଇନାହାନ୍ତି । ସେ ଦୃଢ଼ ଭାବେ କହିଥାନ୍ତି, ‘‘ମୁଁ ତାଙ୍କ କଥା ଶୁଣିବାକୁ ସୁଦ୍ଧା ଯାଇନଥିଲି।’’
ଅନୁବାଦ : ଓଡ଼ିଶାଲାଇଭ୍