ଉଜ୍ଜ୍ୱଳ ଦାସ ହେଉଛନ୍ତି ପାତାଳପୁରରେ ଠିଆ ହୋଇଥିବା ଶେଷ ମଣିଷ। ଆଉ, ଶେଷ କୃଷକ ପରିବାର।
ଗତବର୍ଷ ଅକ୍ଟୋବର ମାସରେ ହାତୀମାନେ ଉଜ୍ଜ୍ୱଳ ଦାସଙ୍କ ଘର କାନ୍ଥ ଭାଙ୍ଗି ଦେଇଥିଲେ, ସେଥରକୁ ମିଶାଇ ଗତ ୧୦ ବର୍ଷ ମଧ୍ୟରେ ଅଷ୍ଟମ ଥର ପାଇଁ ପାତାଲପୁର ଗାଁରେ ଥିବା ତାଙ୍କ ମାଟି କାନ୍ଥ ଘରକୁ ବଣୁଆ ହାତୀମାନେ ଭାଙ୍ଗି ନଷ୍ଟ କରି ଦେଇଥିଲେ।
ଚାଷ ସମୟ ଥିଲା ଏବଂ ଆଷାଢ଼ ଓ ଶ୍ରାବଣ ମାସ ହୋଇଥିବାରୁ ମୌସୁମୀ ମଧ୍ୟ ଆସିଯାଇଥିଲା। ହାତୀମାନେ ପ୍ରାୟ ୨୦୦ କିଲୋମିଟର ଦୂର ପାହାଡ଼ ଓ ଜଙ୍ଗଲ ଅତିକ୍ରମ କରି ପର୍ବତ ପାଦଦେଶରେ ଥିବା ପାତାଲପୁର ଗାଁରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ମୟୂରକାଶୀ ନଦୀର ଏକ ଶାଖା ନଦୀ ସିଦ୍ଧେଶ୍ୱରୀ କୂଳରେ ରହି କିଛି ସମୟ ବିଶ୍ରାମ ନେଇଥିଲେ। ଏହା ଗାଁଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିଲା। ଦୀର୍ଘ ୨୦୦ କିଲୋମିଟରର ଲମ୍ବା ଯାତ୍ରା କାରଣରୁ ଭୋକିଲା ଥିବା ହାତୀପଲ ସିଧାସଳଖ ଚାଷ ଜମିରେ ଠିଆ ହୋଇଥିବା ଫସଲ ଆଡ଼କୁ ମାଡ଼ି ଯାଇଥିଲେ।
‘‘ଆମେ ନିଜ ଜୀବନକୁ ବିପନ୍ନ କରି ହାତରେ ମଶାଲ ଧରି ସେମାନଙ୍କୁ ଘଉଡ଼ାଇବା ପାଇଁ ଯାଇଥିଲୁ,’’ ଚନ୍ଦନା ଓ ଉଜ୍ଜ୍ୱଳ ଦାସଙ୍କ ସାନପୁଅ ପ୍ରସେନଜିତ୍ କୁହନ୍ତି। ‘‘ଅନେକ ସମୟରେ, ହାତୀମାନେ ଆସିଛନ୍ତି ଏବଂ କ୍ଷେତରେ (ପାଚିଲା) ଧାନକୁ ନଷ୍ଟ କରିଦେଇ ଯାଇଛନ୍ତି। ଯଦି ହାତୀମାନେ ସବୁ ଫସଲ ଖାଇଦେବେ, ତା’ହେଲେ ଆମେ କ’ଣ ଖାଇବୁ?’’
କେବଳ ଧାନ ନଷ୍ଟ ହେବାକୁ ନେଇ ଦାସ ଚିନ୍ତିତ ନୁହନ୍ତି। ପରିବାର ପାଖରେ ଥିବା ୧୪ ବିଘା (ପ୍ରାୟ ୮.୬ ଏକର) ଜମିରେ ସେମାନେ ଆଳୁ, ଲାଉ, ବିଲାତି ବାଇଗଣ ଓ କଖାରୁ ସହିତ କଦଳୀ ଓ ଅମୃତଭଣ୍ଡା ମଧ୍ୟ ଚାଷ କରିଥାନ୍ତି।
ତା’ଛଡ଼ା ଉଜ୍ଜ୍ୱଳ ଦାସ ଜଣେ ସାଧାରଣ ଚାଷୀ ନୁହନ୍ତି। କଖାରୁ ଚାଷ ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା କୃଷକ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ପ୍ରତି ବ୍ଲକ୍ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଚାଷୀଙ୍କୁ ଏହି ପୁରସ୍କାର ଦିଆଯାଇଥାଏ। ୨୦୧୬ ଏବଂ ୨୦୨୨ରେ ସେ ରାଜନଗର ବ୍ଲକରୁ ଏହି ପୁରସ୍କାର ଜିତିଥିଲେ। ତାଙ୍କୁ ୧୦,୦୦୦ ଟଙ୍କାର ନଗଦ ଅର୍ଥରାଶି ଓ ଏକ ପ୍ରମାଣପତ୍ର ମିଳିଥିଲା।

ଉଜ୍ଜ୍ୱଳ ଦାସ ତାଙ୍କ କୃଷକ ରତ୍ନ ପ୍ରମାଣପତ୍ର ଧରିଛନ୍ତି । ୨୦୧୬ ଏବଂ ୨୦୨୨ରେ ସେ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଏହି ପୁରସ୍କାର ପାଇଥିଲେ
ଉଜ୍ଜ୍ୱଳଙ୍କ ଗାଁ ପାତାଲପୁର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ପଶ୍ଚିମ ସୀମାରେ ଅବସ୍ଥିତ। ତାଙ୍କ ଗାଁକୁ ଝାଡ଼ଖଣ୍ଡ ସୀମା ଲାଗି ରହିଛି। ପ୍ରତିବର୍ଷ ହାତୀପଲ ଏଠାକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସନ୍ତି। ପ୍ରଥମେ ସେମାନେ ପାହାଡ଼କୁ ଲାଗି ରହିଥିବା ଜଙ୍ଗଲରେ ଅପେକ୍ଷା କରନ୍ତି ଏବଂ ତା’ପରେ ପାହାଡ଼ ପାଖରେ ଥିବା ଚାଷ ଜମିରେ ପ୍ରବେଶ କରିଥାନ୍ତି।
ସେମାନେ ଯେଉଁ ପ୍ରଥମ ଗାଁରେ ପହଞ୍ଚିଥାନ୍ତି ତାହା ହେଉଛି ପାତାଲପୁର। ଭଙ୍ଗା ଓ ପରିତ୍ୟକ୍ତ ଘର, ଭାଙ୍ଗି ଯାଇଥିବା ତୁଲସୀ ମଞ୍ଚ (ତୁଳସୀ ଚଉଁରା) ଓ ଖାଲି ଅଗଣାରେ ସେମାନଙ୍କ ଆଗମନର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ।
ପ୍ରଥମ ଥର ପାଇଁ ୧୨-୧୩ ବର୍ଷ ପୂର୍ବରୁ ହାତୀମାନେ ଗାଁ ଉପରେ ଆକ୍ରମଣ କରିଥିଲେ। ୨୦୧୧ ଜନଗଣନା ଅନୁଯାୟୀ ଗାଁରେ ୩୩୭ ଜଣ ବାସିନ୍ଦା ଥିଲେ। ତା’ପରେ, ରାଜନଗର ବ୍ଲକ୍ରେ ଥିବା ଏହି ଗାଁରେ ଲୋକସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା, ଆଉ ଏବେ ଗୋଟିଏ ମାତ୍ର ପରିବାର ସେମାନଙ୍କ ଘର ଜମିକୁ ଜଗି ରହି ଗାଁରେ ଅଛନ୍ତି। ବାରମ୍ବାର ହାତୀ ଆକ୍ରମଣରେ ଭୟଭୀତ ଓ ଚିନ୍ତିତ ଗ୍ରାମବାସୀ ସୁରୀ, ରାଜନଗର ଏବଂ ଜୋୟପୁର ଭଳି ପଡ଼ୋଶୀ ସହର ଓ ନଗରକୁ ରହିବା ପାଇଁ ଚାଲିଯାଇଛନ୍ତି।
‘‘ସହରରେ ରହିବା ଯେଉଁମାନଙ୍କ ପାଇଁ ସମ୍ଭବ ନୁହେଁ ସେମାନେ ଅନ୍ୟ ଗାଁକୁ ଚାଲିଯାଇଛନ୍ତି,’’ ଗାଁର ଗୋଟିଏ ମୁଣ୍ଡରେ ଥିବା ନିଜ ଏକ ମହଲା ବିଶିଷ୍ଟ ମାଟି ଘର ଅଗଣାରେ ବସି ଉଜ୍ଜ୍ୱଳ ଦାସ କହିଥିଲେ। ‘‘ମୋର ଏକ ବଡ଼ ପରିବାର। ମୁଁ ଅନ୍ୟ କେଉଁଆଡ଼େ ଯିବି ନାହିଁ। ଏଠାରୁ ଚାଲିଗଲେ ଆମେ ଖାଇବୁ କ’ଣ?’’ ୫୭ ବର୍ଷ ବୟସ୍କ ଉଜ୍ଜ୍ୱଳ ପ୍ରଶ୍ନ କରିଥାନ୍ତି। ଉଜ୍ଜ୍ୱଳଙ୍କ ପରିବାର ଭଳି ଏଠାକାର ସବୁ ବାସିନ୍ଦା ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ବୈରାଗୀ ସମୁଦାୟର ଅଟନ୍ତି।
୫୩ ବର୍ଷ ବୟସ୍କା ଚନ୍ଦନା ଦାସ କୁହନ୍ତି, ହାତୀଙ୍କ ଆଗମନର ଶବ୍ଦ ଶୁଣି ସେମାନେ ଗାଁଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଜୋୟପୁର ଚାଲି ଯାଆନ୍ତି। ଆଉ ଯଦି ତାହା ସମ୍ଭବ ନହେଲା, ସେ କୁହନ୍ତି, ‘‘ଆମେ ସମସ୍ତେ ଘର ଭିତରେ ରହୁ’’।


ବାମ: ପାତାଲପୁର ନିବାସୀ ହାତୀଙ୍କ ଆକ୍ରମଣର ଚିହ୍ନ ଥିବା ନିଜ ଘର ଛାଡ଼ି ନିକଟସ୍ଥ ସହର ଓ ନଗରକୁ ଚାଲି ଯାଇଛନ୍ତି। ଡାହାଣ: ଚନ୍ଦନା ଦାସ ନାତି ସହ ନିଜ ରୋଷେଇ ଘରେ
ଗାଁର ଏକମାତ୍ର ନିବାସୀ କୁହନ୍ତି, ଏଠାରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି। ଗଙ୍ଗମୁରୀ-ଜୋୟପୁର ପଞ୍ଚାୟତ ଅଧୀନରେ ଆସୁଥିବା ଏହି ଗାଁର ସଡ଼କ ବିପଜ୍ଜନକ ଭାବେ ଜଙ୍ଗଲକୁ ଲାଗି ରହିଛି। ଯେବେଠାରୁ ହାତୀ ଆକ୍ରମଣ ଆରମ୍ଭ ହୋଇଛି, କେହି ଏଠାରେ ଜମି କିଣିବାକୁ ଚାହୁଁନାହାନ୍ତି। ତେଣୁ ଏହି ପ୍ରମୁଖ କାରଣ ଯୋଗୁ ସେ ଗାଁରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ‘‘ଗାଁରେ ଥିବା ଜମି ବିକ୍ରି କରି ଦେଇ ଏଠାରୁ ଚାଲିଯିବା ସହଜ କଥା ନୁହେଁ,’’ ଉଜ୍ଜ୍ୱଳ କୁହନ୍ତି।
ପରିବାରର ଅନ୍ୟ ସଦସ୍ୟମାନେ ହେଲେ ଉଜ୍ଜ୍ୱଳଙ୍କ ପତ୍ନୀ ଚନ୍ଦନା ଦାସ ଏବଂ ସେମାନଙ୍କର ଦୁଇ ପୁଅ - ଚିରଞ୍ଜିତ୍ ଓ ପ୍ରସେନ୍ଜିତ୍। ସେମାନଙ୍କ ଝିଅ ବୈଶାଖୀ (୩୭) ୧୦ ବର୍ଷ ପୂର୍ବରୁ ବାହା ହୋଇଥିଲେ ଏବଂ ସେ ପାତାଲପୁରଠାରୁ ୫୦ କିଲୋମିଟର ଦୂର ସାଇଁତିଆରେ ରହୁଛନ୍ତି।
୨୭ ବର୍ଷ ବୟସ୍କ ପ୍ରସେନଜିତଙ୍କର ଏକ ମାରୁତି କାର୍ ଅଛି ଏବଂ ପଡ଼ୋଶୀ ଗାଁର ଲୋକଙ୍କୁ ଭଡ଼ାରେ ନେଇ ସେ ଏଥିରୁ ମାସିକ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରିଥାନ୍ତି। ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ସେ ମଧ୍ୟ ଚାଷ ଜମିରେ କାମ କରିଥାନ୍ତି ଏବଂ ବର୍ଷାଦିନିଆ ଫସଲ ଅମଳ କରନ୍ତି। ସେମାନେ ନିଜ ଉତ୍ପାଦିତ ଫସଲର କିଛି ଭାଗ ପରିବାର ଲୋକଙ୍କ ଖାଇବା ପାଇଁ ସାଇତି ରଖନ୍ତି ଏବଂ ବାକି ଫସଲକୁ ଉଜ୍ଜ୍ୱଳ ରାଜନଗରଠାରେ ସପ୍ତାହକୁ ଦୁଇଦିନ - ପ୍ରତି ଗୁରୁବାର ଓ ରବିବାର ବସୁଥିବା ହାଟରେ ନେଇ ବିକ୍ରି କରନ୍ତି। ସପ୍ତାହର ବାକି ଦିନ ସେ ସାଇକେଲରେ କିମ୍ବା ପୁଅ ଚିରଞ୍ଜିତର ମୋଟର ସାଇକେଲରେ ଗାଁକୁ ଗାଁ ବୁଲି ପରିବା ବିକ୍ରି କରନ୍ତି। ନିଜ ପାଇଁ କିଛି ଧାନ ରଖିସାରିବା ପରେ ବାକିତକ ମଧ୍ୟ ସେ ବିକ୍ରି କରି ଦେଇଥାନ୍ତି।
‘‘ମୁଁ ଫସଲକୁ ଭଲ ପାଉଥିବାରୁ ହାତୀ ଆକ୍ରମଣର ଯନ୍ତ୍ରଣା ସହି ସୁଦ୍ଧା ମୁଁ ଏଠାରେ ରହିଛି,’’ ଉଜ୍ଜ୍ୱଳ ଦାସ କୁହନ୍ତି। ସେ ଏଠାରୁ ଛାଡ଼ି ଚାଲିଯିବା ପାଇଁ ଚାହୁଁନାହାନ୍ତି।


‘ ଯଦି ହାତୀମାନେ ସବୁ ଫସଲ ଖାଇଯିବେ, ଆମେ କ’ଣ ଖାଇବୁ?’ ପ୍ରସେନଜିତ୍ ଦାସ ପ୍ରଶ୍ନ କରିଥାନ୍ତି । ଅନ୍ୟାନ୍ୟ ଜମି ମଧ୍ୟରେ ଥିବା ସେମାନଙ୍କ କଦଳୀ ବଗିଚାକୁ ମଧ୍ୟ ହାତୀମାନେ ନଷ୍ଟ କରିଦେଇପାରନ୍ତି ବୋଲି ତାଙ୍କ ମନରେ ଭୟ ରହିଛି
ରାଜନଗର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଇତିହାସ ଶିକ୍ଷକ ସନ୍ତୋଷ କର୍ମକାର କୁହନ୍ତି, ଜଙ୍ଗଲ ସଂକୁଚିତ ହେଉଥିବା କାରଣରୁ ହାତୀମାନେ ଚାଷ ଜମି ଅଞ୍ଚଳକୁ ଚାଲି ଆସୁଛନ୍ତି। ସେ କୁହନ୍ତି, ଝାଡ଼ଖଣ୍ଡରୁ ଅତିକ୍ରମ କରିବା ପରେ ସେମାନେ ପୁରୁଲିଆରେ ଥିବା ଦଲମା ବନଞ୍ଚଳକୁ ଆସିଥାନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଏବଂ ହାତୀ ପଲଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଥିଲା।
‘‘ଆଜି ହାତୀମାନେ ସଙ୍କଟରେ ଅଛନ୍ତି। ସେମାନେ ଖାଦ୍ୟ ଅନ୍ୱେଷଣରେ ପାହାଡ଼ ଛାଡ଼ି ଚାଲି ଆସୁଛନ୍ତି,’’ କର୍ମାକର କୁହନ୍ତି। ବିଳାସପୂର୍ଣ୍ଣ ରିସର୍ଟ ତିଆରି କରିବା ଲାଗି ବ୍ୟାପକ ମାତ୍ରାରେ ଜଙ୍ଗଲ କଟାଯିବା ଏବଂ ଲୋକଙ୍କ ଭିଡ଼ ବଢ଼ିବା କାରଣରୁ ହାତୀଙ୍କୁ ଯଥେଷ୍ଟ ଖାଦ୍ୟ ମିଳୁନାହିଁ ଏବଂ ସେମାନଙ୍କ ବାସସ୍ଥଳୀ ମଧ୍ୟ ନଷ୍ଟ ହେଉଛି।
ଚଳିତ ବର୍ଷ (୨୦୨୩)ରେ କୌଣସି ହାତୀଙ୍କୁ ଦେଖିବାକୁ ମିଳି ନାହିଁ ବୋଲି ପ୍ରସେନଜିତ୍ କୁହନ୍ତି। କିନ୍ତୁ ଚିନ୍ତା ଲାଗି ରହିଛି : ‘‘ଯଦି ସେମାନେ ଏବେ ଆସିବେ ଆମର କଦଳୀ ବଗିଚାକୁ ନଷ୍ଟ କରିଦେବେ।’’ ସେମାନଙ୍କ କଦଳୀ ବଗିଚା ୧୦ କଠା (୦.୧୬ ଏକର) ଜମିରେ ରହିଛି।
ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗର ଏହି ରିପୋର୍ଟ ଅନୁଯାୟୀ ‘‘ବନ୍ୟ ଜନ୍ତୁ ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କିମ୍ବା ଆହତ ହେଲେ, ଅଥବା ଘର/ଫସଲ/ଗୃହପାଳିତ ପଶୁଙ୍କର କ୍ଷତି ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ରହିଛି।’’ ଉଜ୍ଜ୍ୱଳ ଦାସଙ୍କ ପାଖରେ ମାତ୍ର ଚାରି ବିଘା ଜମିର କାଗଜପତ୍ର ରହିଛି। ଅବଶିଷ୍ଟ (୧୦ ବିଘା) ଜମି ତାଙ୍କୁ ପୂର୍ବପୁରୁଷଙ୍କଠାରୁ ମିଳିଛି, କିନ୍ତୁ ପ୍ରମାଣ ସ୍ୱରୂପ ତାଙ୍କ ପାଖରେ କିଛି କାଗଜପତ୍ର ନାହିଁ। ‘‘ଯଦି ହାତୀମାନେ ୨୦,୦୦୦-୩୦,୦୦୦ ଟଙ୍କାର ଫସଲ ନଷ୍ଟ କରି ଦିଅନ୍ତି, ତା’ହେଲେ ସରକାର ମାତ୍ର ୫୦୦-୫,୦୦୦ ଟଙ୍କା ମଧ୍ୟରେ ସହାୟତା ଦେଇଥାନ୍ତି,’’ ସେ କହିଥାନ୍ତି।

ପାତାଲପୁରର ଶେଷ ବାସିନ୍ଦାଙ୍କ ମଧ୍ୟରୁ ଅନ୍ୟତମ ଉଜ୍ଜ୍ୱଳ ଦାସ (୫୭)
୨୦୧୫ରେ ସେ ଆବେଦନ କରି ରାଜନଗର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କଠାରୁ କ୍ଷତିପୂରଣ ଆକାରରେ ୫,୦୦୦ ଟଙ୍କା ପାଇଥିଲେ। ତିନି ବର୍ଷ ପରେ ୨୦୧୮ରେ, ଜଣେ ସ୍ଥାନୀୟ ନେତାଙ୍କଠାରୁ ସେ ୫୦୦ ଟଙ୍କା କ୍ଷତିପୂରଣ ପାଇଥିଲେ।
ସ୍ଥାନୀୟ ଜଙ୍ଗଲ ବିଭାଗର ରେଞ୍ଜର କୁଦ୍ରତ ଖୋଦା କୁହନ୍ତି ଯେ, ଗାଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସେମାନେ ସବୁପ୍ରକାର ସତର୍କତା ଗ୍ରହଣ କରନ୍ତୁ। ‘‘ଆମ ପାଖରେ ଏକ ‘ ଐରାବତ’ ନାମକ କାର୍ ଅଛି। ଆମେ ଏହି କାର୍ର ସାଇରନ୍ ବଜାଇ ହାତୀଙ୍କୁ ଘଉଡ଼ାଇ ଦେଇଥାଉ। ସେମାନଙ୍କୁ କୌଣସି ଶାରୀରିକ କ୍ଷତି ନପହଞ୍ଚାଇ ଆମେ ସେମାନଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥାଉ।’’
ଜଙ୍ଗଲ ବିଭାଗ ନିକଟରେ ସ୍ଥାନୀୟ ଗଜମିତ୍ର ମାନେ ମଧ୍ୟ ରହିଛନ୍ତି। ପାତାଲପୁରଠାରୁ ସାତ କିଲୋମିଟର ଦୂରରେ ଥିବା ବାଗାନପାଡ଼ାର ପାଞ୍ଚ ଜଣ ଯୁବକଙ୍କୁ ଗଜମିତ୍ର ଭାବେ ଜଙ୍ଗଲ ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଛି। ହାତୀମାନେ ଆସିଲେ ଏମାନେ ଜଙ୍ଗଲ ବିଭାଗକୁ ଖବର ଦେଇଥାନ୍ତି।
କିନ୍ତୁ ପାତାଲପୁରର କିଛି ଶେଷ ବାସିନ୍ଦା ଏଥିରେ ସହମତ ହୁଅନ୍ତି ନାହିଁ। ‘‘ଜଙ୍ଗଲ ବିଭାଗଠାରୁ ଆମକୁ କୌଣସି ସହାୟତା ମିଳି ନଥାଏ,’’ ଚନ୍ଦନା ଦାସ ଦୃଢ଼ୋକ୍ତି ପ୍ରକାଶ କରିଥାନ୍ତି। ପରିତ୍ୟକ୍ତ ଗୃହ ଏବଂ ଖାଲି ଅଗଣା ସେମାନଙ୍କ ଅସହାୟତାର ବାର୍ତ୍ତା ଦେଇଥାଏ।
ଅନୁବାଦ: ଓଡ଼ିଶାଲାଇଭ୍