ଜାକିର ହୁସେନ୍ ଏବଂ ମହେଶ କୁମାର ଚୌଧୁରୀ ପିଲାଦିନର ସାଙ୍ଗ । ବର୍ତ୍ତମାନ ସେମାନଙ୍କ ବୟସ ଚାଳିଶ ବର୍ଷ ଟପିଗଲାଣି, ସେମାନେ ଏବେ ମଧ୍ୟ ପରସ୍ପରର ନିକଟତର । ଜାକିର ଅଜନା ଗ୍ରାମରେ ରୁହନ୍ତି ଏବଂ ପାକୁରରେ ଜଣେ ନିର୍ମାଣ ଠିକାଦାର ଭାବେ କାର୍ଯ୍ୟ କରନ୍ତି ଯେଉଁ ସହରରେ ମହେଶ ମଧ୍ୟ ଏକ ଛୋଟ ରେଷ୍ଟୁରାଣ୍ଟ ଚଳାନ୍ତି।
ମହେଶ କୁହନ୍ତି “ପାକୁର (ଜିଲ୍ଲା) ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ; ସେଠାରେ ଲୋକଙ୍କ ମଧ୍ୟରେ ସଦ୍ଭାବ ରହିଛି ।’’
ନିଜ ସାଙ୍ଗଙ୍କ ପାଖରେ ବସିଥିବା ଜାକିର ଆହୁରି ମଧ୍ୟ କହିଛନ୍ତି, ‘‘ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପରି ବାହାରୁ ଆସୁଥିବା ଲୋକମାନେ ନିଜ ଭାଷଣରେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି ।
ସାନ୍ଥାଲ ପ୍ରଗଣା ଅଞ୍ଚଳର ଏକ ଅଂଶ, ପାକୁର ଝାଡ଼ଖଣ୍ଡର ପୂର୍ବ କୋଣରେ ଅବସ୍ଥିତ, ଯେଉଁଠାରେ ନଭେମ୍ବର ୨୦,୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ । ମୋଟ ୮୧ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ୨୦୧୯ରେ ହୋଇଥିବା ଗତ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱରେ ମିଳିତ ମଞ୍ଚ ବିଜେପିକୁ କ୍ଷମତାରୁ ହଟାଇ ଦେଇଥିଲା ।
ପୁଣିଥରେ କ୍ଷମତାକୁ ଆସିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟମାନଙ୍କ ସହ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପଠାଇଛି । ବିଜେପି ନେତାମାନେ ମୁସଲମାନ ସମୁଦାୟ ବିରୋଧରେ ଆକ୍ରୋଶ ବଢ଼ାଇଛନ୍ତି, ସେମାନଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ବୋଲି କହିଛନ୍ତି ।
ଜାକିର କୁହନ୍ତି, “ହିନ୍ଦୁମାନେ ମୋ ଘର ପାଖରେ ରୁହନ୍ତି; ସେମାନେ ମୋ ଘରକୁ ଆସନ୍ତି, ଏବଂ ମୁଁ ସେମାନଙ୍କ ଘରକୁ ଯାଏ, ନିର୍ବାଚନ ସମୟରେ ହିଁ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ସବୁବେଳେ ଆସିଥାଏ । ନହେଲେ ସେମାନେ (ବିଜେପି) କିପରି ଜିତିବେ?”
ସେପ୍ଟେମ୍ବର ୨୦୨୪ରେ ଜାମସେଦପୁରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପ୍ରବେଶ ପ୍ରସଙ୍ଗରେ ଜୋର ଦେଇଥିଲେ । ଜନତାଙ୍କୁ ସମ୍ବୋଧନ କରି ସେ କହିଥିଲେ, “ସାନ୍ଥାଲ ପ୍ରଗଣା ଅଞ୍ଚଳରେ ଆଦିବାସୀ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଜମି ଉପରେ କବ୍ଜା କରାଯାଉଛି । ଅନୁପ୍ରବେଶକାରୀମାନେ ପଞ୍ଚାୟତର ପଦବୀଗୁଡ଼ିକ ଅକ୍ତିଆର କରୁଛନ୍ତି ।’’
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେମାନଙ୍କ ଭାଷଣରେ ସମାନ କଥା କହିଛନ୍ତି । ବିଜେପିର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି,‘‘ଝାଡ଼ଖଣ୍ଡରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ଏବଂ ଆଦିବାସୀ ସମୁଦାୟର ଅଧିକାରର ସୁରକ୍ଷା ପାଇଁ ଆମେ ଠୋସ୍ ପଦକ୍ଷେପ ଗ୍ରହଣ କରିବୁ ।’’


ବାମ: ଅଜନାରେ ଏକ ଚାଷଜମିରେ ହଳ କରୁଥିବା ଜଣେ କୃଷକ । ଡାହାଣ: ଜାକିର ହୁସେନ୍ (ଡାହାଣ)) ଏବଂ ମହେଶ କୁମାର ଚୌଧୁରୀ (ବାମ) ପିଲାଦିନର ସାଙ୍ଗ । ମହେଶ ଏକ ଛୋଟ ରେଷ୍ଟୁରାଣ୍ଟ ଚଳାନ୍ତି , ଜାକିର ଜଣେ ନିର୍ମାଣ ଠିକାଦାର ଭାବରେ କାର୍ଯ୍ୟ କରନ୍ତି
ଏହି ପ୍ରସଙ୍ଗକୁ ରାଜନୈତିକ ଲାଭ ପାଇବା ପାଇଁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଅଶୋକ ବର୍ମା । ସେ କହିଛନ୍ତି “ଏକ ମିଥ୍ୟା କାହାଣୀ ଉପସ୍ଥାପନ କରାଯାଉଛି। ସାନ୍ଥାଲ ପ୍ରଗଣାରେ ବାଂଲାଦେଶୀ ଅନୁପ୍ରବେଶ ନେଇ କୌଣସି ପ୍ରସଙ୍ଗ ନାହିଁ ।’’ ସେ ଦର୍ଶାଇଛନ୍ତି ଯେ ଛୋଟା ନାଗପୁର ଏବଂ ସାନ୍ଥାଲ ପ୍ରଗଣା ଟେନାନ୍ସି ଆକ୍ଟ ଅନୁଯାୟୀ ଆଦିବାସୀ ଜମି ବିକ୍ରି ନେଇ କଟକଣା ରହିଛି ଏବଂ ଜମି ବିକ୍ରି ମାମଲାରେ ବାଂଲାଦେଶୀ ନୁହଁନ୍ତି ସ୍ଥାନୀୟ ଲୋକ ଜଡ଼ିତ ଅଛନ୍ତି ।
ଜାତୀୟ କମିଶନ ଫର୍ ସିଡ୍ୟୁଲ ଟ୍ରାଇବ୍ (ଏନ୍ସିଏସ୍ସି)ର ଏକ ରିପୋର୍ଟକୁ ବିଜେପିର ରାଜନେତାମାନେ ଉଲ୍ଲେଖ କରୁଛନ୍ତି ଯେଉଁଥିରେ କୁହାଯାଇଛି ଯେ ବାଂଲାଦେଶୀ ଅନୁପ୍ରବେଶ ଝାଡ଼ଖଣ୍ଡର ସାନ୍ଥାଲ ପ୍ରଗଣା ଅଞ୍ଚଳର ‘ଜନସଂଖ୍ୟା’କୁ ପ୍ରଭାବିତ କରୁଛି । ଗୃହ ମନ୍ତ୍ରଣାଳୟରେ ଏହି ରିପୋର୍ଟ ଦାଖଲ କରିଥିଲା ଏନ୍ସିଏସ୍ସି, ଯାହା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହାକୁ ସାର୍ବଜନୀନ କରାଯାଇ ନାହିଁ ।
ଏକ ସ୍ୱାଧୀନ ତଥ୍ୟ-ଅନୁସନ୍ଧାନକାରୀ ଟିମ୍ର ସଦସ୍ୟ ରହିଥିବା ଅଶୋକ ବର୍ମା ଏନ୍ସିଏସ୍ସି ଦେଇଥିବା ରିପୋର୍ଟକୁ ଯାଂଚ କରିଥିଲେ ଏବଂ ଏହି ନିଷ୍କର୍ଷଗୁଡ଼ିକୁ ନିରାଧାର ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦାରିଦ୍ର, ପୁଷ୍ଟିହୀନତା, କମ୍ ଜନ୍ମ ହାର ଏବଂ ମୃତ୍ୟୁ ହାର ଅଧିକ ହେତୁ ଆଦିବାସୀଙ୍କ ସଂଖ୍ୟା ହ୍ରାସ ପାଉଛି ।
ଧ୍ରୁବୀକରଣ ପ୍ରସଙ୍ଗରେ ଗଣମାଧ୍ୟମ ଧ୍ୟାନ କେନ୍ଦ୍ରୀତ କରିବା କିଛି ସୁଫଳ ଦେଉନାହିଁ । ଜାକିର କହିଛନ୍ତି, ‘‘ଏହାକୁ (ଟିଭି) ବନ୍ଦ କରିଦିଅ, ଏବଂ ସଦ୍ଭାବ ଫେରି ଆସିବ। ଖବରକାଗଜ ଅଧିକାଂଶ ଶିକ୍ଷିତ ବ୍ୟକ୍ତି ପଢ଼ନ୍ତି, କିନ୍ତୁ ସମସ୍ତେ ଟିଭି ଦେଖନ୍ତି ।’’
ଜାକିରଙ୍କ ଅନୁସାରେ, “ମୁଦ୍ରାସ୍ଫୀତି ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବା ଉଚିତ । ଅଟା, ଚାଉଳ, ଡାଲି, ତେଲ… ସବୁକିଛି ମହଙ୍ଗା ହୋଇଛି ।’’
ଝାଡ଼ଖଣ୍ଡ ଜନାଧିକାର ମହାସଭାର ଜଣେ ସଦସ୍ୟ ଅଶୋକ ଆହୁରି କହିଛନ୍ତି,‘‘ସାନ୍ଥାଲ ପ୍ରଗଣାରେ, ମୁସଲମାନ ଏବଂ ଆଦିବାସୀମାନଙ୍କ ସଂସ୍କୃତି, ଖାଦ୍ୟ ଅଭ୍ୟାସ ସମାନ ଏବଂ ସେମାନେ ପରସ୍ପରର ପର୍ବ ପାଳନ କରନ୍ତି । ଯଦି ଆପଣ ସ୍ଥାନୀୟ ଆଦିବାସୀ ହାଟ (ବଜାର) ଯାଆନ୍ତି, ତେବେ ଆପଣ ଉଭୟ ସମ୍ପ୍ରଦାୟର ଲୋକ ଉପସ୍ଥିତ ଥିବା ଦେଖିବେ ।’’
*****
ଜୁନ୍ ୧୭, ୨୦୨୪ରେ, ମୁସଲିମ ପର୍ବ ବକ୍ରିଦ ଦିନ, ଗୋପୀନାଥପୁରରେ ଏହି ଉତ୍ସବ ପାଇଁ ପଶୁ ବଳି ଦିଆଯାଉଥିବା ନେଇ ସାମ୍ପ୍ରଦାୟିକ ତିକ୍ତତା ବୃଦ୍ଧି ପାଇଥିଲା । ଅଜନା ପରି ଏହି ଗାଁ ମଧ୍ୟ ପାକୁର ଜିଲ୍ଲାରେ ଅବସ୍ଥିତ ଏବଂ ଏଥିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକ ରହୁଛନ୍ତି । ଏକ ସଂକୀର୍ଣ୍ଣ ଜଳସେଚନ ଆରପଟେ ପଡୋଶୀ ପଶ୍ଚିମବଙ୍ଗ ଅବସ୍ଥିତ । ଏଠାକାର ଅଧିକାଂଶ ବାସିନ୍ଦା ନାମମାତ୍ର ଚାଷୀ କିମ୍ବା କୃଷି ଶ୍ରମିକ ।


ବାମ: ସେମାନଙ୍କ ଘର ଆଗରେ ନୋମିତା ଏବଂ ତାଙ୍କ ସ୍ୱାମୀ ଦୀପଚନ୍ଦ ମଣ୍ଡଳ, ଜୁନ୍ , ୨୦୨୪ ରେ ସେମାନଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଡାହାଣ: ତାଙ୍କ ନିକଟରେ କ୍ଷୟକ୍ଷତିର ପ୍ରମାଣ ଥିବା ଫଟୋ ଅଛି ଯାହାକୁ ସେମାନେ କ୍ଷତିପୂରଣ ମାଗିବା ବେଳେ ବ୍ୟବହାର କରିବାକୁ ଚାହୁଁଛନ୍ତି


ବାମ: ନୋମିତାଙ୍କ ଘର ବାହାରେ ଥିବା ରୋଷେଇ ଘର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା, ଡାହାଣ: ଝାଡ଼ଖଣ୍ଡକୁ ପଶ୍ଚିମବଙ୍ଗରୁ ଅଲଗା କରୁଥିବା ଫିଡର କେନାଲ
ଗନ୍ଧାଇପୁର ପଞ୍ଚାୟତର ୱାର୍ଡ ନମ୍ବର ୧୧କୁ ପୋଲିସ ଡକାଯାଇଥିଲା । ମାମଲା ଶାନ୍ତ ହେଲା, ପୁଣି ପରଦିନ ହିଂସା ବ୍ୟାପିବାରେ ଲାଗିଲା । ସ୍ଥାନୀୟ ବାସିନ୍ଦା ସୁଧୀର କୁହନ୍ତି, ‘‘ଦଳେ ଲୋକ ପଥର ପିଙ୍ଗୁଥିଲେ ।’’ ୧୦୦-୨୦୦ ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ଦେଖିଛନ୍ତି ସୁଧୀର । ସେ ମନେ ପକାଇ କୁହନ୍ତି, ‘‘ସବୁ ସ୍ଥାନରେ ଧୂଆଁ ଥିଲା, ସେମାନେ ମୋଟରସାଇକେଲ ଏବଂ ପୋଲିସ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।’’
ନୋମିଟା ମଣ୍ଡଳ ତାଙ୍କ ଝିଅ ସହିତ ଘରେ ଥିଲେ ଯେତେବେଳେ ସେମାନେ ଏକ ବିସ୍ଫୋରଣ ଶୁଣିଲେ । ଏକଥା କହିବା ବେଳେ ଏବେ ବି ତାଙ୍କ ସ୍ୱରରେ ଭୟ ବାରି ହୋଇପଡ଼େ, ସେ କୁହନ୍ତି, “ହଠାତ୍ ଆମ ଘର ଉପରେ ପଥର ବର୍ଷା ହେଲା । ଆମେ ଭିତରକୁ ଦୌଡ଼ିଲୁ ।”
ସେତେବେଳକୁ, ଦଳେ ଲୋକ ତାଲା ଭାଙ୍ଗି ଭିତରକୁ ଜବରଦସ୍ତି ପଶି ଆସିଲେ । ସେମାନେ ମାଆ ଏବଂ ଝିଅକୁ ପିଟିବା ଆରମ୍ଭ କରିଦେଲେ । ୧୬ ବର୍ଷ ବୟସ୍କା ତାଙ୍କ ଅଣ୍ଟା ଏବଂ କାନ୍ଧ ଆଡ଼କୁ ଇସାରା କରି କୁହନ୍ତି, "ସେମାନେ ମୋତେ ଏଠି...ସେଠି ପିଟିଲେ, ଯନ୍ତ୍ରଣା ଏବେ ବି ଅଛି ।’’ ‘ପରୀ’କୁ ଘଟଣା ସ୍ଥଳକୁ ଦେଖାଇ ନୋମିତା କୁହନ୍ତି, ‘‘ମୁଖ୍ୟ ଘରଠାରୁ ଅଲଗା ଥିବା ରୋଷେଇ ଘରକୁ ମଧ୍ୟ ଲୋକମାନେ ପୋଡ଼ି ଦେଲେ ।’’
ମୁଫସିଲ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସଂଜୟ କୁମାର ଝା ଘଟଣାକୁ ଟାଳି ଦେବାକୁ ଉଦ୍ୟମ କରି କହିଛନ୍ତି, ‘‘କ୍ଷୟକ୍ଷତି ଅଧିକ ହୋଇନାହିଁ । ଗୋଟିଏ କୁଡ଼ିଆ ଘର ପୋଡ଼ି ଯାଇଛି ଏବଂ ସେଠାରେ କିଛି ଛୋଟଧରଣର ଭଙ୍ଗାରୁଜା ହୋଇଥିଲା । କାହାର ମୃତ୍ୟୁ ହୋଇନାହିଁ ।’’
୩୨ ବର୍ଷୀୟା ନୋମିତା ତାଙ୍କ ପରିବାର ସହିତ ଝାଡ଼ଖଣ୍ଡର ପାକୁର ଜିଲ୍ଲାର ଗୋପୀନାଥପୁରରେ ରୁହନ୍ତି । ସେମାନେ ଅନେକ ପରିବାର ସହ ରହୁଛନ୍ତି ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ଅଞ୍ଚଳରେ ରହିଆସୁଛନ୍ତି । ସେ ଦୃଢ଼ ଭାବରେ କୁହନ୍ତି, ‘‘ଏହା ଆମର ଘର, ଆମର ଜମି ।’’


ବାମ: ଆକ୍ରମଣ ହେବା ପରଠାରୁ ହେମା ମଣ୍ଡଳ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେ କୁହନ୍ତି , ‘‘ହିନ୍ଦୁ-ମୁସଲମାନକୁ ନେଇ ପୂର୍ବରୁ କୌଣସି ଟେନସନ ନଥିଲା , କିନ୍ତୁ ବର୍ତ୍ତମାନ ସବୁବେଳେ ଭୟ ଲାଗିରହିଛି । ଡାହାଣ: ତାଙ୍କ ରୋଷେଇ ଘର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା


ବାମ: ରିହାନ୍ ଶେଖ କୁହନ୍ତି , ' ଏଠାକାର ମୁସଲମାନମାନେ ହିନ୍ଦୁମାନଙ୍କ ସହ ଛିଡ଼ା ହୋଇଥିଲେ’ । ଡାହାଣ: ତାଙ୍କ ମୋବାଇଲରେ ଏହି ଘଟଣାର ଏକ ଭିଡିଓ ଅଛି
ଜିଲ୍ଲା ପରିଷଦର ସଦସ୍ୟ ପିଙ୍କି ମଣ୍ଡଳ କୁହନ୍ତି ଯେ ପାକୁର ଜିଲ୍ଲାର ଗନ୍ଧାଇପୁର ପଞ୍ଚାୟତର ଏକ ଅଂଶ ଗୋପୀନାଥପୁର ଏକ ହିନ୍ଦୁ ବହୁଳ ଅଞ୍ଚଳ । ନୋମିତାଙ୍କ ସ୍ୱାମୀ ଦୀପଚନ୍ଦଙ୍କ ପରିବାର ଏଠାରେ ପାଞ୍ଚ ପିଢ଼ି ଧରି ରହିଆସିଛନ୍ତି। ଏହି ଆକ୍ରମଣ ଘଟିବା ବେଳେ ଅନ୍ୟ ଦୁଇ ପିଲାଙ୍କ ସହ ଦୂରରେ ରହୁଥିବା ୩୪ ବର୍ଷୀୟ ଦୀପଚନ୍ଦ କୁହନ୍ତି, “ପୂର୍ବରୁ ହିନ୍ଦୁ-ମୁସଲମାନ ମଧ୍ୟରେ କୌଣସି ଉତ୍ତେଜନା ନଥିଲା, କିନ୍ତୁ ସେହି ବକ୍ରିଦ ଘଟଣା ପରଠାରୁ ସ୍ଥିତି ବିଗିଡ଼ି ଯାଇଥିଲା ।’’
ନୋମିତା କୁହନ୍ତି, ‘‘କେହି ଜଣେ ପୋଲିସକୁ ଡାକିଦେଲେ, ନହେଲେ ଆମ ସହିତ କ’ଣ ହୋଇଥାନ୍ତା କିଏ ଜାଣେ ।’’ ପର ସପ୍ତାହରେ ଝରକା ଓ କବାଟରେ ଗ୍ରୀଲ ଲଗାଇବା ପାଇଁ ଶାଶୂଘର ଲୋକଙ୍କ ଠାରୁ ସେ ୫୦ହଜାର ଟଙ୍କା କରଜ ଆଣିଥିଲେ । ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦୀପଚନ୍ଦ କୁହନ୍ତି, ‘‘ଏହା ବିନା ଆମେ ଏଠାରେ ନିରାପଦ ଅନୁଭବ କରୁନାହୁଁ ।’’ ସେ ଆହୁରି ମଧ୍ୟ କହିଛନ୍ତି, "ସେଦିନ ମୁଁ ହେଲେ କାମ କରିବାକୁ ଯାଇ ନଥାନ୍ତି।’’
ହେମା ମଣ୍ଡଳ ତାଙ୍କ ବାରଣ୍ଡାରେ କେନ୍ଦୁପତ୍ରରେ ବିଡ଼ି ବନାଉଛନ୍ତି । ସେ କହିଛନ୍ତି, ‘‘ପୂର୍ବରୁ କୌଣସି ହିନ୍ଦୁ-ମୁସଲମାନ ଟେନସନ ନଥିଲା, କିନ୍ତୁ ଏବେ ସବୁବେଳେ ଭୟ ରହୁଛି ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ କେନାଲରେ ପାଣି ଶୁଖିଯିବ, ପୁଣି ଝଗଡ଼ା ହେବ । ଏବଂ ବଙ୍ଗଳାର ଲୋକମାନେ ସୀମା ଆରପଟୁ ଧମକ ଦିଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘‘ସଂଧ୍ୟା ୬ଟା ପରେ ଏହି ସମଗ୍ର ରାସ୍ତାରେ ନୀରବତା ଛାଇଯାଏ ।’’
ବିବାଦର କେନ୍ଦ୍ର ପାଲଟିଥିବା କେନାଲଟି ହେମାଙ୍କ ଘରକୁ ଯାଉଥିବା ରାସ୍ତା ସହ ସମାନ୍ତରାଳ ଭାବେ ରହିଛି । ଏପରିକି ଅପରାହ୍ନରେ ଏହି ଅଞ୍ଚଳଟି ଜନଶୂନ୍ୟ ହୋଇପଡ଼େ ଏବଂ ସନ୍ଧ୍ୟାରେ ଷ୍ଟ୍ରିଟ୍ ଲାଇଟ୍ ନ ଥିବାରୁ ଏହା ଅନ୍ଧାରରେ ବୁଡ଼ିଯାଏ ।
କେନାଲ ବିଷୟରେ ୨୭ ବର୍ଷୀୟ ରିହାନ ଶେଖ କୁହନ୍ତି, ‘‘ଏହି ଘଟଣାରେ ସମ୍ପୃକ୍ତ ଲୋକମାନେ ଅନ୍ୟ ପାର୍ଶ୍ୱରୁ, ପଶ୍ଚିମବଙ୍ଗରୁ ଆସିଥିଲେ । ଏଠାକାର ମୁସଲମାନମାନେ ହିନ୍ଦୁମାନଙ୍କ ସହିତ ଛିଡ଼ା ହୋଇଥିଲେ ।’’ ରିହାନ୍ ଜଣେ ଭାଗଚାଷୀ ଏବଂ ଧାନ, ଗହମ, ସୋରିଷ ଏବଂ ମକା ଚାଷ କରନ୍ତି । ସେ ତାଙ୍କ ୭ ଜଣିଆ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ।
ବିଜେପିର ବୟାନବାଜିକୁ ଖଣ୍ଡନ କରି ସେ ଏହି ସାମ୍ବାଦିକଙ୍କୁ ପଚାରନ୍ତି, “ଆମେ ଅନେକ ପିଢ଼ି ଧରି ଏଠାରେ ରହୁଛୁ । ଆମେ କ’ଣ ବାଂଲାଦେଶୀ?”
ଅନୁବାଦ: ଓଡ଼ିଶାଲାଇଭ୍