“ଚମରୀ ଗାଈଙ୍କ ସଂଖ୍ୟା କମିବାରେ ଲାଗିଛି,”ପଦ୍ମା ଥୁମୋ କହନ୍ତି । ୩୦ ବର୍ଷରୁ ଅଧିକ କାଳ ହେଲା ଚମରୀ ଗାଈ ପାଳିଆସୁଥିବା ଏହି ମହିଳା ଆହୁରି କହନ୍ତି, “ଆଜିକାଲି ତଳିଆ ମାଳଭୂମିରେ (ପ୍ରାୟ ୩,୦୦୦ ମିଟର ଉଚ୍ଚତା) ଖୁବ୍ କମ୍ ସଂଖ୍ୟକ ଚମରୀ ଗାଈ ଦେଖିବାକୁ ମିଳୁଛନ୍ତି ।”
ପଦ୍ମାଙ୍କ ଘର ଜଂସ୍କାର ବ୍ଲକ୍ ଅନ୍ତର୍ଗତ ଅବ୍ରାନ୍ ଗାଁରେ ଏବଂ ପ୍ରାୟ ୧୨୦ଟି ଚମରୀ ଗାଈଙ୍କୁ ସାଙ୍ଗରେ ନେଇ ସେ ବର୍ଷ ସାରା ଲଦାଖର ଉଚ୍ଚ ଓ ପ୍ରବଳ ଥଣ୍ଡା ପଡୁଥିବା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥାଆନ୍ତି । ଲଦାଖର ଏ ଅଞ୍ଚଳରେ ତାପମାତ୍ରା ମାଇନସ୍ ୧୫ଡିଗ୍ରୀକୁ ବି ଖସି ଆସିଥାଏ ।
ଚମରୀ ଗାଈ ବା ୟାକ୍ ( ବସ୍ ଗ୍ରନିୟେନସ ) ଏହି ଥଣ୍ଡା ପାଗରେ ଖୁବ୍ ସହଜରେ ଖାପ ଖୁଆଇ ନିଅନ୍ତି କିନ୍ତୁ ୧୩ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ସେମାନଙ୍କ ରହିବା କଷ୍ଟକର ହୋଇପଡ଼େ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କେଇ ଦଶନ୍ଧି ହେଲା, ଜଂସ୍କାର ଉପତ୍ୟକାର ତଳିଆ ମାଳ ଅଞ୍ଚଳରେ ଗ୍ରୀଷ୍ମ ଦିନର ହାରାହାରୀ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସରୁ ଅଧିକ, ଏମିତି କି ୩୨ଡିଗ୍ରୀ ସେଲସିୟସ ଯାଏ ବି ବୃଦ୍ଧି ପାଉଛି । ଏହି ଉପତ୍ୟକାର ଜଣେ ଡ୍ରାଇଭର ତେନଜିନ୍ ଏନ୍. କହନ୍ତି, “ଆଜିକାଲି ଗ୍ରୀଷ୍ମ ଋତୁ ଓ ଶୀତ ଋତୁର ତାପମାନରେ ବହୁତ ଅଧିକ ପ୍ରଭେଦ ରହୁଛି ।”
ଏଭଳି ଅସ୍ୱାଭାବିକ ଗରମର ପ୍ରଭାବ ଚମରୀ ଗାଈଙ୍କ ସଂଖ୍ୟା ଉପରେ ପଡ଼ିଛି ଏବଂ ୨୦୧୨ରୁ ୨୦୧୯ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ସେମାନଙ୍କ ସଂଖ୍ୟା ଅଧାକୁ ଖସି ଆସିଲାଣି( ୨୦ତମ ପଶୁଧନ ଗଣନା) ।

ଲଦାଖର କା ର୍ଗି ଲ ଜିଲ୍ଲା ଅନ୍ତର୍ଗତ ଅବ୍ରାନ ଗାଁର ପଦ୍ମା ଥୁମୋ ୩୦ ବର୍ଷ ହେଲା ଚମରୀ ଗାଈ ପାଳନ କରିଆସୁଛନ୍ତି
ଚାଙ୍ଗଥାଙ୍ଗ ମାଳଭୂମିରେ ବହୁସଂଖ୍ୟକ ପଶୁପାଳକ ରହୁଥିବା ବେଳେ ତୁଳନାତ୍ମକ ଭାବେ ଜଂସ୍କାର ଉପତ୍ୟକାରେ ଖୁବ୍ କମ୍ ରହୁଛନ୍ତି । ଜଂସ୍କାରପା ନାମରେ ପରିଚିତ ଏହି ଅଧିବାସୀମାନଙ୍କର ସଂଖ୍ୟା ବି ହ୍ରାସ ପାଇଛି ବୋଲି ସ୍ଥାନୀୟ ଲୋକେ କହନ୍ତି । କେବଳ ଲଦାଖର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଅବ୍ରାନ, ଅକଶୋ ଏବଂ ଚାହ ଗାଁରେ କେତେକ ପରିବାର ଯାହା ରହୁଛନ୍ତି ।
ନରଫେଲ ପୂର୍ବରୁ ପଶୁପାଳନ କରୁଥିଲେ, କିନ୍ତୁ ୨୦୧୭ରେ ସେ ତାଙ୍କର ସବୁ ଚମରୀ ଗାଈ ବିକ୍ରି କରିଦେଇ ଅବ୍ରାନ ଗାଁରେ ଏକ ଋତୁକାଳୀନ ଦୋକାନ ଖୋଲିଛନ୍ତି । ତାଙ୍କ ଦୋକାନ ମେ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହେ ଏବଂ ସେ ସେଥିରେ ଚା’, ବିସ୍କୁଟ୍, ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ, କିରାସିନି, ବାସନକୁସନ, ମସଲା, ଖାଇବା ତେଲ, ଶୁଖିଲା ମାଂସ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରନ୍ତି । ପଶୁପାଳନ ଅଧିକ କ୍ଲାନ୍ତିକର ଥିଲା ଏବଂ ସେଥିରୁ ଲାଭ କମ ହେଉଥିଲା ବୋଲି ସେ କହନ୍ତି । “ପୂର୍ବରୁ ମୋର ବି ଚମରୀ ଗାଈ ଥିଲା, କିନ୍ତୁ ଏବେ ମୋ ପାଖରେ ଗାଈ ଅଛନ୍ତି । ପ୍ରାୟତଃ ମୋର ଏହି ଋତୁକାଳୀନ ଦୋକାନରୁ ହିଁ ମୁଁ ରୋଜଗାର କରେ, ବେଳେବେଳେ ମାସକୁ ୩,୦୦୦ରୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳେ। ତଥାପି. ତାହା ଚମରୀ ଗାଈ ପାଳନରୁ ଯେତିକି (ଟଙ୍କା) ମିଳୁଥିଲା ତା’ଠାରୁ ବେଶୀ ।”
କେଇ ଦଶନ୍ଧି ତଳେ ଅବ୍ରାନ ଗାଁର ସୋନମ ମୋଟୁପ ଏବଂ ସେରିଙ୍ଗ ଆଙ୍ଗମୋ ମଧ୍ୟ ଚମରୀ ଗାଈ ପାଳିଥିଲେ ଏବଂ ପ୍ରାୟ ୧୨୦ଟି ଚମରୀ ଗାଈର ଦେଖାରଖା କରୁଥିଲେ । ସେରିଙ୍ଗ କହନ୍ତି, “ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ (ମେ ମାସରୁ ଅକଟୋବର ପର୍ଯ୍ୟନ୍ତ) ଆମେ ଉପତ୍ୟକାର ଉପର ଅଞ୍ଚଳକୁ (ଯେଉଁଠି ଅଧିକ ଥଣ୍ଡା ହେଉଥାଏ) ଚାଲି ଯାଉ ଏବଂ ଚାରିରୁ ପାଞ୍ଚ ମାସ କାଳ ଗୋଟିଏ ଦୋକସା ରେ ରହୁ।”
ଖରାଦିନେ ଯେଉଁ ସବୁ ପରିବାର ନିଜ ବାସସ୍ଥାନ ଛାଡ଼ି ଉପର ଅଞ୍ଚଳକୁ ଯାଆନ୍ତି ସେମାନଙ୍କ ବସତିକୁ ଦୋକସା କୁହାଯାଏ ଏବଂ ଏଥିରେ ଅନେକ କୋଠରୀ ସହିତ କେବେକେମିତି ରନ୍ଧାଘର ବି ଥାଏ । ଏହାକୁ ଗୋଠ ଓ ମାନି ମଧ୍ୟ କୁହାଯାଏ ଏବଂ ଏହା ମାଟିକାଦୁଅ ଓ ପଥର ଭଳି ସହଜରେ ମିଳୁଥିବା ସାମଗ୍ରୀରେ ତିଆରି ହୋଇଥାଏ । ସାଧାରଣତଃ ଗୋଟିଏ ଗାଁର ପଶୁପାଳକମାନେ ମିଳିମିଶି ଏକ ଦୋକସା ରେ ରହନ୍ତି ଏବଂ ସେମାନଙ୍କ ପରିବାର ଲୋକେ ପାଳି କରି ପଶୁମାନଙ୍କ ଦେଖାରଖା କରିବାକୁ ଆସନ୍ତି । ସୋନମ କହନ୍ତି, “ମୁଁ ଏହି ପ୍ରାଣୀମାନଙ୍କୁ ଚରାଏ ଏବଂ ସେମାନଙ୍କର ଯତ୍ନ ନିଏ । ଆମେ ଏଠାରେ ବ୍ୟସ୍ତ ଜୀବନ କାଟିଥାଉ।”
ଏହି ମାସଗୁଡ଼ିକରେ ଭୋର ୩ଟାରେ ଚୁର୍ପି (ସ୍ଥାନୀୟ ଛେନା) ତିଆରି କରିବାରୁ ସୋନମ ଓ ସେରିଙ୍ଗଙ୍କ ଦିନ ଆରମ୍ଭ ହୁଏ ।ଏହାକୁ ସେମାନେ ବିକ୍ରି କରନ୍ତି । “ସୂର୍ଯ୍ୟ ଉଦୟ ପରେ, ଆମେ ଚମରୀ ଗାଈ ପଲ ଚରାଇବାକୁ ନେଉ ଏବଂ ଅପରାହ୍ଣରେ ବିଶ୍ରାମ ନେଉ,”୬୯ ବର୍ଷୀୟ ସୋନମ କହନ୍ତି ।


ବାମ :ଅପରାହ୍ଣର ଖାଲି ସମୟରେ ସୋନମ ମୋଟୁପ ଚମରୀ ଗାଈର ଲୋମରୁ ପ୍ରସ୍ତୁତ ଉଲ ବୁଣୁଛନ୍ତି । ଡାହାଣ:ସୋନମ ଓ ସେରିଙ୍ଗଙ୍କ ବିବାହକୁ ୪୦ ବର୍ଷରୁ ଅଧିକ ହେଲାଣି


ତାଙ୍କ ଦୋକସାର ରନ୍ଧାଘରେ ସେରିଙ୍ଗ ଆଙ୍ଗମୋ (ବାମ), ତାଙ୍କ ସ୍ୱାମୀ ସୋନମ ପୂର୍ବ ଦିନ ସଂଗ୍ରହ କରିଥିବା କ୍ଷୀରରୁ ଲହୁଣୀ କରୁଛନ୍ତି । ଏହି ପ୍ରକ୍ରିୟା ଖୁବ୍ କ୍ଲାନ୍ତିକର ବୋଲି ସେ କହନ୍ତି
“ଏଠାକାର (ଜଂସ୍କାର ଉପତ୍ୟକାର) ପଶୁପାଳକମାନେ ପ୍ରାୟତଃ ମାଈଜୋମୋ ଉପରେ ନିର୍ଭର କରନ୍ତି,” ସେରିଂ କହନ୍ତି । ଚମରୀ ଗାଈ ବା ୟାକ୍ ଏବଂ କୋଟ୍ ନାମକ ଏକ ଗାଈର ମିଳନରୁ ଜାତ ସଂକର ପ୍ରଜାତିର ଗାଈ ହେଉଛି ଜୋମୋ ଏବଂ ଏହାର ଅଣ୍ଡିରା ପ୍ରଜାତିକୁ ଜୋ କୁହାଯାଏ । ଜୋ’ର ପ୍ରଜନନ ଶକ୍ତି ନଥାଏ । “ଆମେ କେବଳ ପ୍ରଜନନ ଉଦ୍ଦେଶ୍ୟରେ ଏଠାରେ ଅଣ୍ଡିରା ୟାକ୍ ରଖୁ । ଜୋମୋ ଆମକୁ କ୍ଷୀର ଦିଏ ଏବଂ ଏଥିରୁ ଆମେ ଘିଅ ଓ ଚୁର୍ପି ତିଆରି କରୁ.”୬୫ ବର୍ଷୀୟ ସେରିଂ କହନ୍ତି ।
ଏହି ଦମ୍ପତିଙ୍କ କହିବା ଅନୁସାରେ ଗତ ଦଶନ୍ଧିରେ ତାଙ୍କର ଯେତିକି ରୋଜଗାର ହେଉଥିଲା ଏବେ ତାହାର ତିନି ଭାଗରୁ ଭାଗେ ହେଉଛି । ସେମାନଙ୍କ ଭଳି ଅନ୍ୟ ଅନେକ ଏହି ବୃତ୍ତି ଉପରେ ନିର୍ଭର କରିବା କଷ୍ଟକର ବୋଲି ଅନୁଭବ କଲେଣି । ୨୦୨୩ ଅଗଷ୍ଟରେ ‘ପରୀ’ ଟିମ୍ ସେମାନଙ୍କୁ ସାକ୍ଷାତ କରିବା ସମୟରେ, ଶୀତ ମାସଗୁଡ଼ିକରେ ପର୍ଯ୍ୟାପ୍ତ ପଶୁଖାଦ୍ୟ ଖୋଜି ପାଇବେ କି ନାହିଁ ବୋଲି ପଶୁପାଳକମାନେ ଚିନ୍ତାରେ ପଡ଼ିଥିଲେ । ପର୍ଯ୍ୟାପ୍ତ ପାଣି ମିଳିବା ଉପରେ ପଶୁଖାଦ୍ୟ ନିର୍ଭର କରେ । କିନ୍ତୁ ବରଫ ପଡ଼ିବା ଏବଂ ହିମଖଣ୍ଡ ସଂଖ୍ୟା ହ୍ରାସ ପାଇବା ସହିତ ଲଦାଖ ଅଞ୍ଚଳରେ କୃଷି କାର୍ଯ୍ୟ ବ୍ୟାହତ ହୋଇଛି । ବରଫ ଓ ହିମଖଣ୍ଡ ହିଁ ଉଚ୍ଚ ପାହାଡ଼ିଆ ମରୁଭୂମିରେ ପାଣି ମିଳିବାର ଏକମାତ୍ର ଉତ୍ସ ।
ଯଦିଓ ଏ ପର୍ଯ୍ୟନ୍ତ ଅବ୍ରାନ ଗାଁରେ ଜଳାଭାବ ଦେଖାଯାଇ ନାହିଁ, ତଥାପି ସୋନମ ଚିନ୍ତିତ ହୋଇପଡ଼ିଛନ୍ତି –“ମୁଁ ଭାବୁଥାଏ ଯେ ଯଦି ଜଳବାୟୁ ବଦଳି ଯାଏ ତେବେ କି ପରିସ୍ଥିତି ସୃଷ୍ଟି ହେବ, ଆମକୁ ଆଉ ପର୍ଯ୍ୟପ୍ତ ପିଇବା ପାଣି ମିଳିବ ନାହିଁ କି ମୋ ପଶୁମାନଙ୍କୁ ଦେବା ଲାଗି ଘାସ ମିଳିବ ନାହିଁ।”
ସୋନମ ଓ ସେରିଂଙ୍କର ପାଞ୍ଚ ଜଣ ସନ୍ତାନ – ସେମାନଙ୍କ ବୟସ ୨୦ରୁ ୩୦ ଭିତରେ ଏବଂ ସେମାନଙ୍କ ମଧ୍ୟରୁ କେହି ହେଲେ ଏହି ବୃତ୍ତିରେ ରହିବାକୁ ରାଜି ନ ହୋଇ ଦିନ ମଜୁରିଆ ଭାବରେ କାମ କରିବାକୁ ଆଦରି ନେଇଛନ୍ତି ।
“ଯୁବ ପିଢ଼ି ଏହି ପାରମ୍ପରିକ ବୃତ୍ତିକୁ ଛାଡ଼ି ସହରରେ ବସବାସ କରିବାକୁ ଇଚ୍ଛା କରୁଛନ୍ତି; ସେମାନଙ୍କ ମଧ୍ୟରୁ ଅଧିକାଂଶ ଡ୍ରାଇଭର ଏବଂ ଶ୍ରମିକ ଭାବରେ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପାଇଁ କାମ କରିବାକୁ ଚାହାଁନ୍ତି,” ସୋନମ କହନ୍ତି ।
ତାଙ୍କ କଥାରେ ସମ୍ମତ ହୁଅନ୍ତି ପଦ୍ମା ଥୁମୋ । “ଏହା (ଚମରୀ ଗାଈ ପାଳିବା) ଆଉ ନିର୍ଭରଯୋଗ୍ୟ ବ୍ୟବସାୟ ହୋଇ ରହିନାହିଁ।”

ଚାଙ୍ଗଥାଙ୍ଗ ଉପତ୍ୟକାରେ ବହୁସଂଖ୍ୟକ ଚମରୀ ଗାଈ ପାଳକ ବସବାସ କରୁଥିବା ବେଳେ ଜଂସ୍କାର ଉପତ୍ୟକାରେ ସେମାନଙ୍କ ମଧ୍ୟରୁ ମାତ୍ର କେଇଜଣ ରହୁଛନ୍ତି

ଗ୍ରୀଷ୍ମ ଋତୁରେ ଉପତ୍ୟକାର ଉପର ଭାଗକୁ ଚାଲିଗଲେ ପଶୁପାଳକମାନେ ଗୋଟିଏ ଦୋକସାରେ ରହନ୍ତି । ଏହାକୁ ଗୋଠ ଏବଂ ମାନି ମଧ୍ୟ କୁହାଯାଏ ଏବଂ ଆଖପାଖରେ ମିଳୁଥିବା ମାଟିକାଦୁଅ ଓ ପଥରରେ ଏହାର ନିର୍ମାଣ କରାଯାଏ

ଗତ କେଇ ଦଶନ୍ଧି ହେଲା ଅବ୍ରାନ ଗାଁର ୬୯ ବର୍ଷୀୟ ସୋନମ ମୋଟୁପ ପ୍ରାୟ ୧୨୦ଟି ଚମରୀ ଗାଈ ପାଳି ଆସୁଛନ୍ତି

ଚାରଣ ଭୂମି ସନ୍ଧାନରେ ତାଙ୍କ ଚମରୀ ଗାଈମାନଙ୍କୁ ଏକ ତୀଖ ପାହାଡ଼ିଆ ବାଟଦେଇ ନେଇଯାଉଛନ୍ତି ସୋନମ ମୋଟୁପ

ଅତି ଉଚ୍ଚ ପାହାଡ଼ିଆ ତୃଣଭୂମିରେ ଚମରୀ ଗାଈ ଓ ଜୋମୋ ବାଛୁରୀମାନେ ଚରୁଛନ୍ତି

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାକାର ତାପମାତ୍ରାରେ ବହୁ ତାରତମ୍ୟ ପରିଲକ୍ଷିତ ହେଉଛି, ଖରାଦିନେ ଅସ୍ୱାଭାବିକ ଗରମ ହେଉଛି । ଏହାର ପ୍ରଭାବ ଚମରୀ ଗାଈ ସଂଖ୍ୟା ଉପରେ ପଡ଼ିଛି ଏବଂ ଗତ ଦଶ ବର୍ଷ ଭିତରେ ସେମାନଙ୍କ ସଂଖ୍ୟା ଅଧାକୁ ଖସିଆସିଛି

ଜଣେ ଚମରୀ ଗାଈ ପାଳକ ଟାଶି ଡୋଲମାଙ୍କ ସହିତ ତାଙ୍କ ପୁଅ ଓ ଝିଆରୀ, ସେମାନେ ଲେହ ଜିଲ୍ଲାର ଚୁମଥାଙ୍ଗରେ ପଢ଼ନ୍ତି

ତାଙ୍କ ପରିବାର ପାଳିଥିବା ପଲେ ମେଣ୍ଢାଙ୍କ ଘେରରେ ଟାଶି ଡୋଲମା

ଜଂସ୍କାରରେ ଚମରୀ ଗାଈର ଗୋବର ଏକ ଉପାଦେୟ ଜାଳେଣିର ଉତ୍ସ ଏବଂ ଶୀତଦିନେ ରାନ୍ଧିବା ଲାଗି ଏହାର ଉପଯୋଗ କରାଯାଏ

ଚମରୀ ଗାଈ ଗୋବର ସଂଗ୍ରହ କରି ଫେରୁଛନ୍ତି ସେରିଂ ଆଙ୍ଗମୋ

ଏଠାକାର ପଶୁପାଳକମାନେ ପ୍ରାୟତଃ ଜୋମୋ ଉପରେ ନିର୍ଭର କରନ୍ତି, ଏହା ଚମରୀ ଗାଈ ଓ କୋଟ୍ ମିଳନରୁ ଜନ୍ମ ନେଇଥିବା ସଂକର ପ୍ରଜାତିର ଗାଈ। ଜୋମୋ ଦିନକୁ ଦୁଇ ଥର କ୍ଷୀର ଦିଏ, ସକାଳେ ଏବଂ ସନ୍ଧ୍ୟାରେ। ଏହି କ୍ଷୀରରୁ ଘିଅ ଓ ଚୁର୍ପି (ଏକପ୍ରକାର ସ୍ଥାନୀୟ ଛେନା) ପ୍ରସ୍ତୁତ ହୁଏ

ଅପରାହ୍ଣରେ ଚମରୀ ଗାଈ ଓ ଜୋମୋମାନଙ୍କୁ ଦୁହିଁବା ପୂର୍ବରୁ ପଶୁପାଳକମାନେ କିଛି ସମୟ ପାଇଁ ବିରତି ନେଇଛନ୍ତି

ସଜ କ୍ଷୀରକୁ ଫୁଟାଇ ଚୁର୍ପି ତିଆରି ହୁଏ, ଏହା ଚମରୀ ଗାଈ କ୍ଷୀରର ଅମ୍ଲିକରଣରୁ ପ୍ରସ୍ତୁତ ଏକ ପ୍ରକାର ଛେନା

ମହିଳାମାନେ କ୍ଷୀର ଦୁହିଁ ଘିଅ ଓ ଚୁର୍ପି ପ୍ରସ୍ତୁତ କରନ୍ତି, ଯାହାକୁ ସେମାନେ ବିକ୍ରି କରନ୍ତି

ଶୀତ ଋତୁରେ ପଶୁପାଳକମାନେ ଚମରୀ ଗାଈମାନଙ୍କ ସହିତ ନିଜ ନିଜ ଗାଁକୁ ଫେରି ଆସନ୍ତି । ପରିବାର ଲୋକେ ଶୁଖିଲା ଚମରୀ ଗାଈ ଗୋବରକୁ ମିନି ଟ୍ରକରେ ବୋଝେଇ କରି ଆଣନ୍ତି ଏବଂ ଶୀତଦିନେ ଏହା ବ୍ୟବହୃତ ହୁଏ
![Padma Thumo says the population of yaks in the Zanskar valley is decreasing: 'very few yaks can be seen in the lower plateau [around 3,000 metres] nowadays'](/media/images/20-DSC_7814-RM-Zanskars_yak_herders_are_fe.max-1400x1120.jpg)
ପଦ୍ମା ଥୁମୋ କହନ୍ତି ଜଂସ୍କାର ଉପତ୍ୟକାରେ ଚମରୀ ଗାଈ ସଂଖ୍ୟା
ହ୍ରାସ ପାଉଛି
:‘
ତଳିଆ ମାଳଭୂମିରେ (ପାଖାପାଖି
୩,୦୦୦ ମିଟର ଉଚ୍ଚରେ) ଆଜିକାଲି ଖୁବ୍ କମ୍ ଚମରୀ
ଗାଈ ଦେଖାଯାଉଛନ୍ତି
’
ଅନୁବାଦ : ଓଡ଼ିଶାଲାଇଭ୍